ମାଆ ଡାକ
ମାଆ ଡାକ
ଏକା ମାଆ ପେଟର ଭାଇ । ଏକା ନାହିନାଡ ଦି'ଖଣ୍ଡ ।
ଛୋଟ ବେଳେ କେତେ ଘଟଣା କେତେ ସ୍ମୃତି । ସମୟ ସହିତ ବଦଳି ଯାଉଥିବା ଚିତ୍ର, ଚରିତ୍ର ଭିତରେ ଏଇ ଭାଇ ଭାଇର ମଧୁର ସମ୍ପର୍କ ବି ବଦଳି ଯାଇଛି । ଅନେକ ରାଗ ରୁଷା ଅଭିମାନ ସହ ଧୀରେ ଧୀରେ ସେମାନେ ଏମିତି ଏକ ଦୋଛକିରେ ପହଞ୍ଚି ଯାଇଛନ୍ତି, ଯେତେବେଳେ କି ଦୁଇଭାଇଙ୍କ ମୁହଁ ହୋଇଯାଇଛି ବିପରୀତ ।
କେହି କାହା ମୁହଁ ଚାହିଁବାକୁ ନାରାଜ । ଜଣେ କରୁଥିବା କଥାର ବିପରୀତ କାମ ଅନ୍ୟଜଣେ କରିଥାନ୍ତି । ଜଣେ ନିଜ ଘର କୁ ନାଲି ରଙ୍ଗ ରେ ରଙ୍ଗେଈ ଥିଲା ବେଳେ ଆର ଜଣକ ସବୁଜ ରଙ୍ଗ ଦେଇଛନ୍ତି ।
ଦୁଇ ଭିନ୍ନ ରାଜନୈତିକ ଦଳର ଦୃଢ ସମର୍ଥକ ଦୁଇ ଭାଇ । ଗାଁ ରେ ସେମାନଙ୍କର ଦୁଇ ଭିନ୍ନ ଭିନ୍ନ ଗୋଷ୍ଠୀ ।
ବଡ ଭାଇର ଶାମୁକା ଚିହ୍ନ ତ ସାନ ଭାଇ ର ଚମ୍ପା ଫୁଲ । ଭାଇ ଭାଇ ଭିତରର ବିଭେଦ ରେ ବି ଦଳ, ଚିହ୍ନ ର ପ୍ରଭେଦ ବେଶ ସ୍ପଷ୍ଟ । ଏ ପ୍ରଭେଦ ଅନେକ ବର୍ଷ ର ....। ତା ସହିତ ଉପାର୍ଜିତ ତିକ୍ତତା ବି ବେଶ ପୁରୁଣା ।
ବଡ ଭାଇ ସମର୍ଥିତ ଶାମୁକା ଚିହ୍ନ ବାଲା ନେତା ମୁକ୍ତିକାନ୍ତ ଅନେକ ନିର୍ବାଚନ ରେ ଜିଣି ଆସୁଥିବା ବେଳେ ସାନ ଭାଇ ସମର୍ଥିତ ଚମ୍ପାଫୁଲ ଦଳ ର ନେତା ମଣିକାନ୍ତ ବାରମ୍ବାର ଅଳ୍ପ ବ୍ଯବଧାନ ରେ କ୍ରମାନ୍ଵୟରେ ପରାଜୟ ବରଣ କରୁଥାନ୍ତି। ସେଥିପାଇଁ ସାନ ଭାଇ ମନରେ ଅନେକ ଦୁଃଖ । ବଡ ଭାଇଙ୍କ ଶିବିର ରୁ ଅନେକ କଥା ରେ ତାତ୍ସଲ୍ୟ ।
କିନ୍ତୁ ଏଥର ବଦଳିଛି ପାଣି ପାଗ । ଜନତା ଆଉ ମୁକ୍ତିକାନ୍ତ ଙ୍କୁ ଲୋକ-ପ୍ରତିନିଧି ଭାବରେ ଦେଖିବାକୁ ଚାହୁଁ ନାହାନ୍ତି । ଚାହୁଁ ଥାନ୍ତି ଥରେ ହେଲେବି ମଣିକାନ୍ତ ଙ୍କୁ ସୁଯୋଗ ମିଳିବା ଉଚିତ । ହୁଏତ ସେଇ ଲୋକଟା କିଛି କରିବ । ଏହି ସମୟରେ ଶାମୁକା ଦଳିୟା ମୁଖିଆ, ଗୁଇନ୍ଦା ଖବର ରୁ ଏହି ବିଷୟ ଟି ଜାଣିବାକୁ ପାଇଲେ । ସେ ସଙ୍ଗେ ସଙ୍ଗେ ଅନୁରୂପ ଢଙ୍ଗରେ ଗୋଟି ଚାଳନା ଆରମ୍ଭ କରିଦେଲେ ।
ମୁକ୍ତିକାନ୍ତଙ୍କ ଟିକେଟ କଟିଗଲା ।ଅପ୍ରସନ୍ନ ମୁକ୍ତିକାନ୍ତ ଦଳ ଛାଡିଲେ । ରାତାରାତି ପାଣି ପାଗର ପରିବର୍ତ୍ତନ ହେଲା । ମଣିକାନ୍ତ ନିଜ ଚମ୍ପାଫୁଲ ଦଳ ଛାଡି ଶାମୁକା ଦଳରେ ଯୋଗ ଦେଲେ । ଟିକେଟ ବି ପାଇଲେ । ଆଉ ଜୋଗାଡିଆ ମୁକ୍ତିକାନ୍ତ ଙ୍କୁ ଆଦରି ନେଲା ଚମ୍ପାଫୁଲ ।
ସେଇ ଗାଁ ରେ ସାନ ଭାଇ କୁ ଛାଡି ସର୍ବ ସମ୍ମୁଖରେ ମଣିକାନ୍ତ ବଡ ଭାଇ ସହିତ ମିଶିଲେ । ବହୁଦିନ ର ସମ୍ପର୍କ ଆଧାର ରେ ସାନ ଭାଇ ସହିତ ବି କଥା ହେଲେ ହେଲେ ସବୁ କିଛି ଉପର ଠାଉରିଆ । ମୁକ୍ତିକାନ୍ତ ବି ଠିକ ସେୟା କଲେ । ଏ ବ୍ୟବସ୍ତାଟି ବେଶିଦିନ ଚଳିଲା ନାହିଁ ।
ଯେତେ ହେଲେ ମ
ଧ୍ୟ ଭାଇ କଳି ହିଁ ଭାଇ କଳି । ନେତା ଙ୍କ ଗତିଶୀଳତା ତାଙ୍କ ବିଶ୍ୱାସୀ ଅନୁଚର ମାନଙ୍କୁ ନେଇ ....ଇତ୍ୟାଦି ଇତ୍ୟାଦି ଆଧାର ରେ ତଳ ସ୍ତରରେ ବି ଦଳ ପରିବର୍ତ୍ତନ ହେଲା । ବଡ ଭାଇ ଚମ୍ପା ଫୁଲିଆ ଆଉ ସାନ ଭାଇ ଶାମୁକା ଦଳିୟା ହୋଇ ଗଲେ । ଅର୍ଥାତ ନେତା କର୍ମୀ ସମାନ କିନ୍ତୁ ଦଳ ବଦଳି ଗଲା । ଗୋହି ଖୋଳା ଖୋଳି ଚାଲିଲା । କଳି ତକରାଳ ତା ସୀମା ଟପିଲେ । ଏମିତିରେ ସରିଲା ନିର୍ବାଚନ । ଫଳ ବାହାରିଲା । ମୁଣ୍ଡ ରେ ହାତ ଦେଲେ ବଡ ଭାଇ । ପରାଜୟର ମୁହଁ ଦେଖି ନଥିବା ମୁକ୍ତିକାନ୍ତ ଦେଖିଲେ ପରାଜୟର ମୁହଁ । ଏଣେ ସାନ ଭାଇ ଘରେ ଖୁସିର ଲହରୀ । ବାଣ ଫୁଟା । ରଙ୍ଗ ମହୋତ୍ସବ । କବାଟ କିଳି ବଡ ଭାଇ ରହିଲେ । ସେ ଅସୁସ୍ଥତା ଅନୁଭବ କରୁଥିଲା । ପୁଣି ପରିବର୍ତ୍ତନ ହେଲା ପାଣିପାଗ । ଚମ୍ପା ଫୁଲିଆ ସିନା ଏଇଠି ହାରିଲେ ! ହେଲେ ଦଳ ଅଧିକ ଆସନ ପାଇଲା । ଶାମୁକା ଦଳ ସହ ମୂଲ ଚାଲ ହେଲା ।ଦୁଇ ଦଳ ଏକାଠି ମିଶି ସରକାର ଗଠନ କଲେ ।
ଏ ଭିତରେ ବଡ ଭାଇ ଅଧିକରୁ ଅଧିକ ଅସୁସ୍ଥତା ଅନୁଭବ କରୁଥିଲେ । ତେଣେ ସାନ ଭାଇକୁ ବହୁଦିନ ପରେ ମିଳୁଥିଲା ଶାନ୍ତି । ସେଦିନ ରାତି ରେ ସାନ ଭାଇର କବାଟରେ କରାଘାତର ଶବ୍ଦ । ତାହା ସାଙ୍ଗ କୁ ଚିହ୍ନା କଣ୍ଠସ୍ୱର....
-ଦାଦା ଦାଦା ... କବାଟ ଖୋଲ……
କବାଟ ଖୋଲିଲେ ସାନ ଭାଇ । ସାମ୍ନାରେ ବଡ ଭାଇଙ୍କ ଝିଅ । ଗତ କାଲି ଠୁଁ ମାଆ ଆଉ ଭାଇ ମାମୁ ଘର କୁଯାଇଛନ୍ତି ...ଆଜି ଆସିବା କଥା ହେଲେ ଏବେଯାଏଁ ଆସି ନାହାନ୍ତି ....ବାପା ଏଇଲାଗ ତାଙ୍କ ଛତି ରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ମୁଁ କଣ କରିବି କିଛି ହେଲେ ବି ବୁଝିପାରୁନି ।
ଝିଆରୀ କାନ୍ଦୁଥିଲା । ସାନଭାଇକୁ ଡାକୁଥିଲା ରକ୍ତ, ଅସ୍ତିମଜ୍ଜା, ଡାକୁଥିଲା ମାଆ ...ମମତା, କେହି କୋଉଠି ଗୋଟେ ଗୁମୁରି ଗୁମୁରି କାନ୍ଦୁଥିଲା କି କଣ !! ଧୂଳି ଘର ଖେଳ ପରେ ଖାଇବା ପାଇଁ ସେଇ ମଧୁବୋଳା ଡାକ....ସ୍ପଷ୍ଟ ରୁ ସ୍ପଷ୍ଟତର ହେଉଥିଲେ.......ଆଃ ...!
କଣ ସବୁ ଘଟିଛି ଘଟିଥିଲା ସେସବୁ କୁ ପାଶୋରି ପକଉଥିଲା ମଣିଷ ।
ସବୁ ଛାଡି ଦୌଡିଲା ସାନଭାଇ । ପ୍ରଥମେ ବଡ ଭାଇ ଘର କୁ ତାପରେ ବଡଭାଇ କୁ ନେଇ ସିଧା ଡାକ୍ତରଖାନା...।
ଫାର୍ଷ୍ଟ ଷ୍ଟ୍ରୋକ ...ଅଳ୍ପକେ ବଞ୍ଚିଗଲେ । ସଠିକ ସମୟରେ ନେଇ ଆସିଛନ୍ତି ....ରକ୍ଷା ....।
ଅନେକ ଉପଦେଶ ଅନେକ ଡାକ୍ତରୀ ଉପଚାର ଭିତରେ ବଡ ଭାଇ ଆଖିରେ ଅଶ୍ରୁ.... ସାନ ଭାଇର ଆଖି ବି କଉ ମରୁଭୁମି ଯେ…! ତା’ଆଖି ବି ବର୍ଷିବ ବର୍ଷିବ ହେଉଥାଏ । ଆଉ କିଛି କଥା ର ଆବଶ୍ୟକତା ନଥିଲା ।