Rajib Gopal Swain

Abstract

3  

Rajib Gopal Swain

Abstract

ସ୍ୱୀକାରୋକ୍ତି

ସ୍ୱୀକାରୋକ୍ତି

9 mins
498



ଗୋଟେ ଗାଢ଼ ରଂଗର ବାଦଲ ଲାଲ୍ ଦିଶୁଥିବା ଦିଗବଳୟଟାକୁ ଢ଼ାଙ୍କି ଦେବାକୁ ବସିଥିଲା । ମେଞ୍ଚାଏ ଚଢ଼େଇ କିଚିର୍ ମିଚିର୍ ହେଉଥିଲେ । ଦିଶୁ ନଥିଲା ସୂର୍ଯ୍ୟ, ଝଙ୍କା ଗଛଟା ଆହୁରି ଘଞ୍ଚ ଦିଶୁଥିଲା । ଯେଣୁ ତାର ସନ୍ଧିରେ ଭରିଯାଇଥିଲା ଅନ୍ଧାର । ଦି’ଟା ଛାଇ ତା’ରି ତଳେ ଥିବା ବିସ୍ତୀର୍ଣ୍ଣ ଚଉତରାକୁ ଆବୋରି ବସିଥିଲେ । କଥା ନଥିଲା କିଛି । ଶବ୍ଦ ମାନଙ୍କୁ ସତେ ଯେମିତି ଶୋଷି ନେଇଥିଲା ପରିବେଶ । ସମୟଟା ପ୍ରାୟ ନିଶ୍ଚଳ, ନିଥର ଲାଗୁଥିଲା ।


ସେଇ ଚିତ୍ରଟାକୁ ଯେତିକି ନିରେଖି ଦେଖୁଥିଲା ସୁଜୟ ଠିକ୍ ସେତିକି ସେତିକି ଭାବରେ ସେ ଚିତ୍ର ଭିତରେ ହଜି ଯାଉଥିଲା । ବହୁ ବର୍ଷ ଧରି ସେଇ ଚିତ୍ରକୁ ଦେଖି ଆସିଛି ସେ , ହେଲେ ଆଜିର ଏ ଭାବାନ୍ତର ମୂଳରେ ଯେଉଁ କାରଣଟି ଅଛି ତାକୁ ସେ କେବେ ବି ପାଶୋରୀ ପାରିବ ନାହିଁ । ଡ୍ରଇଁ ରୁମ ର କାନ୍ଥରେ ଟଙ୍ଗା ଯାଇଥିବା ସେ ଚିତ୍ରଟି ସେଇ କକ୍ଷର ଶୋଭା ଯେ ବଢ଼ାଇଛି ତାହା ସ୍ୱୀକାର କରିବାକୁ ହେବ । ଅନେକ ପଚାରିଛନ୍ତି ସେ ଚିତ୍ରଟି ସମ୍ବନ୍ଧରେ କିନ୍ତୁ ପ୍ରତିଥର ମିଛର ସାହାରା ନେଇଛି ସୁଜୟ । କିଏ ଆଙ୍କିଛି, ଉପହାରରେ ମିଳିଥିଲା ନା ବଜାରରୁ କିଣି ଆଣିଛ ? କଣ ହୋଇପାରେ ଏ ଚିତ୍ରର ଅର୍ଥ ଇତ୍ୟାଦି ଇତ୍ୟାଦି ପ୍ରଶ୍ନ ସମୂହର ଉତ୍ତରକୁ କେବଳ ଆଉ କେବଳ ସ୍ମିତ ହାସ୍ୟ ମାଧ୍ୟମରେ ଉତ୍ତର ଦେଇ ପରୋକ୍ଷରେ ସତ୍ୟର ଉନ୍ମୋଚନ ଠାରୁ ଦୂରେଇ ଯାଇଛି ସୁଜୟ । ସେଇ କଥୋପକଥନ, ଆଲୋଚନା ଭିତରେ ସ୍ମୃତିମାନେ ତାଜା ହୋଇଛନ୍ତି । ଚିତ୍ରଟି ନିଜ ହାତକୁ ଆସିବାବେଳର କଥା ଭାବିଲେ ନିଜକୁ ନିଜେ ଖିନ୍ ଭିନ୍ ହେବାର ଅନୁଭବରେ କ୍ଷତାକ୍ତ ହୋଇଛି ବାରମ୍ବାର ।


 *******


ବାତ୍ୟାପରେ ଦି’ଟା ଚଢ଼େଇ ଯେମିତି ଉଡିଆସି ଗୋଟେ ଡାଳରେ ବସିଥିଲେ ଠିକ୍ ସେମିତି ସ୍ନେହା ଆଉ ସୁଜୟ ନିଜ ନିଜର ବିପର୍ଯ୍ୟସ୍ତ ଅତୀତକୁ ଛାଡି ଗୋଟେ କର୍ମସ୍ଥଳୀରେ ଏକାଠି ହୋଇଥିଲେ । ଆଗରୁ କୌଣସି ପରିଚୟ ନଥିଲା । ଏମିତିକି ଦୁହେଁ ଦୁହିଁଙ୍କ ବିଷୟରେ କେବେ ଶୁଣି ବି ନଥିଲେ ।


ଦୁନିଆଁରେ ଏମିତି ଅନେକ ମଣିଷ ଅଛନ୍ତି, ଯେଉଁମାନେ ନିଜ ଜୀବଦଶା ଭିତରେ ପରସ୍ପର ସହିତ କେବେ ବି ପରିଚିତ ହୋଇପାରନ୍ତି ନାହିଁ । ପରିଚୟର ଏ ଦୁନିଆଁଟା ବହୁତ ସଂକ୍ଷିପ୍ତ ବୋଲି ପ୍ରମାଣିତ ହୁଏ ।


ତଥାପି ମଣିଷ ଛନ୍ଦି ହୁଏ । ଗୋଟିଏ ସଂପର୍କ ଭିତରେ ଅନେକ ଆୟାମ୍ ଓ ଅନେକ ରଂଗ ମଣିଷକୁ ବାରମ୍ବାର ଆନ୍ଦୋଳିତ କରୁଥାଏ । କିଛି ପରିଚୟ ତିଆରି ହୋଇ ଲିଭିଯାଏ, କିଛି ଅଲିଭା ହୋଇ ଦୀପ୍ତିମାନ ରହେ । ଆଉ କିଛି ସଂପର୍କ ଲିଭୁଥାଏ ଯେତିକି, ସେତିକି ସେତିକି ତାହା ତାଜା ହେଉଥାଏ ଜୀବନରେ ।


ସେମିତି ଏକ ଅଜଣାରୁ ଜଣା ଆଉ ଜଣାରୁ ଗୋଟେ ସ୍ୱତନ୍ତ୍ର ପରିଚୟ ପାର୍ବଣରେ ସ୍ନେହା ସୁଜୟ ଜୀବନରେ ଆସିଥିଲା । କାହିଁକି ଜଣକ ସହିତ ଆକର୍ଷଣ ହୁଏ କାହିଁକି ଇଛା ହୁଏ ସେଇ ଜଣକ ସହିତ ହାତ ଧରି ଲମ୍ବା ରାସ୍ତା ଚାଲିବାକୁ ? ତାହାର ବୋଧହୁଏ ଅନେକ ଉତ୍ତର ଆସିପାରେ । କିନ୍ତୁ ସ୍ନେହ ସହିତ ସୁଜୟର ଏ ଆକର୍ଷଣ କଣ ଥିଲା ଜାଣିବା ପୂର୍ବରୁ ଦୁହେଁ ଅସମ୍ଭବ ଭାବରେ ପାଖେଇ ଆସିଥିଲେ ।


ସୁଜୟ ଜାଣିଥିଲା କହିଲେ ଭୁଲ ହେବ , ସେ ଶୁଣୁଥିଲା ସ୍ନେହାର ଅନ୍ୟ କାହା ସହିତ ପ୍ରେମ ସମ୍ପର୍କ ଅଛି । ଦେଖି ନ ଥିଲେ ବି ସେ ଜାଣିବାକୁ ବେଶ୍ ଆଗ୍ରହୀ ଥିଲା । ଆଉ ସେହି ଆଗ୍ରହ ପଛରେ ସୁଜୟର ଛପି ରହିଥିବା ଆଶା ଟିକକ ଅନେକ ଦିନ ହେବ ସୂର୍ଯ୍ୟାଲୋକକୁ ସାମ୍ନା କରିବାକୁ ଥିଲା ବେଶ୍ ତତ୍ପର । କୋଉ ଗୋଟେ ଯୁକ୍ତି ସଂଙ୍ଗତ କଥାର ଖିଅକୁ ଯୋଗାଡ କରି ପାରି ନ ଥିଲା ସୁଜୟ, ଯେମିତି କି ସେ ପଚାରି ଦେଇ ପାରିବ ସ୍ନେହା ସତରେ କଣ ତୁମର ଆଉ କାହା ସହିତ ସମ୍ପର୍କ ଅଛି ? ତୁମେ କଣ ତାକୁ ହିଁ ବିବାହ କରିବ?


କିନ୍ତୁ ସେମିତି କିଛି ପଚାରି ପାରି ନଥିଲା ସୁଜୟ । ସମୟ ଗୁଡାକ ପାଣି ପରି ବିତିଯାଉଥିଲା । ସମୟ ସତରେ ବେଦରଦୀ....ଇଛା କଲେ ରହୁନଥିବ ଭଲ ସମୟ,କି ଇଛା କଲେ ବହିଯାଉ ନଥିବ ଖରାପ ସମୟ!


********


କି ଆଶ୍ଚର୍ଯ୍ୟ...! ସ୍ନେହାର ଜନ୍ମଦିନ ଜୁଲାଇ ଅଣତିରିଶ ଆଉ ସୁଜୟର ଠିକ ପରଦିନ ଅର୍ଥାତ ଜୁଲାଇ ତିରିଶ । ପ୍ରତି ଥର ପରି ସ୍ନେହା ପାଇଁ କିଛି ନା କିଛି ବହି କିଣି ଉପହାର ସ୍ୱରୁପ ଦେଇ ଦେଉଥିଲା ସୁଜୟ । ସେହି ବହିର ଉହାଡରେ କେଇଧାଡି ହାତ ଲେଖା ପଠାଇବାର ଦୁଃସାହସ ଜୁଟାଇ ଆଣି ସନ୍ତୋଷ ଲଭୁଥିଲା ସୁଜୟ,ସେତେବେଳେ ମନେ ମନେ ଭାବୁଥିଲା ହୁଏତ ସେଇ ଅକ୍ଷର ଗୁଡିକ ଉପରେ ରହି ରହି ଅଙ୍ଗୁଳି ସଂଚାଳନ କଲାବେଳେ ଶିହରୀ ଯାଉଥିବ ସ୍ନେହା । ମନରେ ତା’ର ଉଙ୍କି ମାରୁଥିବ ସ୍ୱପ୍ନ ।ସେ ହୁଏତ ଅନୁଭବ କରୁଥିବ ସୁଜୟର ଅନ୍ତରଙ୍ଗ ଉପସ୍ଥିତି ।


କିନ୍ତୁ ସେମିତି କିଛି ଘଟୁ ନଥିଲା । ପରଦିନ ସାଧାରଣ ଧନ୍ୟବାଦ ଟିଏ ସହିତ ସମ୍ମୋହକ ହସଟିଏ ଫଙ୍ଗି ସୁଜୟକୁ ଜନ୍ମଦିନ ର ଶୁଭେଛା ଜଣାଉ ଥିଲା ସ୍ନେହା ।


-ମୋ ଉପହାର?


ନିର୍ଲଜଙ୍କ ପରି ପଚାରି ଦେଉଥିଲା ସୁଜୟ । ଲାଲ୍ ହୋଇଯାଇଥିଲା ସ୍ନେହା । କଣ କହିବ ନ କହିବ ଭିତରେ ବାହାନା ଟିଏ ଖୋଜି ପ୍ରସ୍ଥାନ କଲାବେଳେ ସୁଜୟର ମନଟା କାଚ ଭାଙ୍ଗିଲା ପରି ଖଣ୍ଡ ଖଣ୍ଡ ହୋଇ ଯାଉଥିଲା । ଲାଗୁଥିଲା ଶୁଣା କଥା ଗୁଡାକ ସମ୍ପୁର୍ଣ୍ଣ ସତ । ସ୍ନେହାର ମନ ତଳେ,ସୁଜୟ ପାଇଁ ଟିକିଏ ହେଲେବି ସ୍ଥାନ ନାହିଁ । ସେଇଠି ଆଉ କେହି ଜଣେ ଘର କରିଛି ।


କାହିଁକି କେଜାଣି ଇର୍ଷା ଲାଗୁଛି ସେଇ ଅଜଣା ଲୋକଟା ପ୍ରତି । ଯିଏ ସ୍ନେହାର ମନ ଜିତି ନେଇଛି । କିନ୍ତୁ ମନର କେଉଁ କୋଣରୁ ପୁଣି ଗୋଟେ ଆର୍ତ୍ତଚିତ୍କାର ତା’କୁ ସଚେତନ କରିଛି ନା ଏମିତି ବି ହୋଇପାରେ ସ୍ନେହା ମନରେ ଦ୍ୱିଧା ଚାଲିଛି । ସେ ଏବେବି ଦ୍ୱନ୍ଦରେ..! ସେ କେଉଁ ରାସ୍ତା ଓ କେଉଁ ସହଯାତ୍ରୀକୁ ଚୟନ କରିବ ଜାଣିପାରୁନି । ହୁଏତ ତା’ପାଇଁ ୟେ ଗୋଟେ ଅଦ୍ଭୁତ ସମୟ । ଏମିତି ସମୟରେ କିଛି ଗୋଟେ ନିଷ୍କର୍ଷରେ ପହଞ୍ଚିବା ଠିକ୍ ହେବନାହିଁ ।


 ******


    -କାଲି ମୁଁ ଆସି ପାରିବି ନାହିଁ ।


    -କାହିଁକି କଣ ହେଲା କି?


    -ସେମିତି କିଛି ନୁହେଁ........ପଛରେ କହିବି!!


ତରଙ୍ଗ ତରଙ୍ଗ ହେଉଥିଲା ସ୍ନେହା । ହାତରେ ତା’ର ଓଢ଼ଣୀର ଧଡିଟା ଥାଏ-ଯାହାକୁ ସେ ବାରମ୍ବାର ମକଚୁ ଥାଏ ପାପୁଲି ଭିତରେ । ଅନେକ କଥା କହିବାର ଇଛା,ଅଥଚ କେହି ନପାରିବାର ପରିସ୍ଥିତି ଭିତରେ କଣ୍ଠରୁଦ୍ଧ ହେଲାପରି ଅବସ୍ଥା । କିଏ କାଳେ ଦେଖୁଥିବାର ଡର,ଆଖି ଡୋଳାରେ ସ୍ପଷ୍ଟ ପ୍ରତିଫଳିତ ହେଉଥାଏ ।


    -ପଛରେ କଣ ପାଇଁ.....? ମୋ ଚାମ୍ବରକୁ ଆସ,ସେଇଠି କଥା ହେବା!


 ତଥାପି ଭୟ କରୁଥିଲା ସ୍ନେହା । କଣ ଗୋଟାଏ ବାହାନା କରି ସୁଜୟର ଚାମ୍ବରକୁ ଯିବାପାଇଁ ଟେବୁଲ ଉପରେ ନଜର ପକାଇଲା । ଅବଶ୍ୟ ସେତେବେଳକୁ ସୁଜୟ ନିଜ ଚାମ୍ବର ଭିତରକୁ ଚାଲିଯାଇଥିଲା,ଆଉ ତା’ ପଛେ ପଛେ ଗୋଟେ ଡାଏରୀ ଧରି ପଶିଯାଇଥିଲା ସ୍ନେହା ।


    -ବସ । ଏବେ କଥାଟି କହିପାର!


ମୁଣ୍ଡ ତଳକୁ ପୋତି କଣ ଗୋଟେ ତଉଲିଲା ପରି କହିବ ନ କହିବାର ଲଢ଼େଇ ଭିତରେ ସେ ସ୍ୱତଃ କହି ଉଠିଲା-କାଲି ମୋତେ ଦେଖିବା ପାଇଁ କିଛି ଲୋକ ଆସୁଛନ୍ତି! ସେଥି ପାଇଁ ଆସି ପାରିବିନି ।


ଚମକି ପଡିଲା ସୁଜୟ । ସତେ ଯେମିତି ଘର ଭିତରେ ବଜ୍ରପାତ ହେଲା । କଣ କହିବ ବୋଲି କହିପାରିଲାନି ସୁଜୟ । ଏଇ କିଛି ସମୟ ଆଗରୁ ସେହିଁ ସ୍ନେହାକୁ କିଛି କହିବ ବୋଲି ପ୍ରେରିତ କରୁଥିଲା,ଅଥଚ ଏବେ ସେ ନିଜେ ବାକ୍ ଶୂନ୍ୟ !


ସୁଜୟ ସେତିକି ବେଳେ ଭାବୁଥିଲା ହାତରୁ ଅପଶରି ଯାଉଛି ସ୍ୱପ୍ନ, ଠିକ୍ ମୁଠାଏ ବାଲି ପରି । ବିଶ୍ଳେଷଣ କରିବାର କ୍ଷମତା ହରେଇ ବସୁଥିଲା ସେ । ଆଉ ସେ ଭୁଲି ଯାଉଥିଲା ଯେ ସେଇ ଗୋଟିଏ ସମାନ କଥା ସେମାନଙ୍କୁ କେମିତି ଏକାବେଳେ ବାକ୍ ଶୂନ୍ୟ କରିପାରେ ? ତା’ର ଅର୍ଥଟାକୁ ବୁଝିବା ଅବସ୍ଥାରେ ନଥିଲା ସୁଜୟ.... । 


ସଂଯୋଗକୁ......


ଆଜି ପୁଣି ଜୁଲାଇ ଅଣତିରିଶ । କ୍ୟାଲେଣ୍ଡରରେ ଦାଗ କରି ରଖିଛି ସୁଜୟ । ଠିକ ଗୋଟେ ସ୍ମରଣୀୟ ଦିନ ପରି । ହଁ......ଆଜି ସ୍ନେହାର ଜନ୍ମଦିନ । ଡ୍ରୟରରୁ ଦୁଇଖଣ୍ଡ ବହି ବାହାର କରି ସ୍ନେହା ଉଦ୍ଦେଶ୍ୟରେ ବଢ଼ାଇ ଦେଉ ଦେଉ କହିଲା-ଜନ୍ମଦିନର ଅନେକ ଅନେକ ଶୁଭେଛା ସ୍ନେହା! ଜାଣେନା ଜୀବନରେ ଗତିପଥ ବଦଳିଗଲେ ଏଇ ବହି ଖଣ୍ଡକ ଉପହାର ଦେବା ପାଇଁ ମୋର ଅଧିକାର ରହିବ କି ନାହିଁ...!! ତେଣୁ ଏହା ମୋର ତୁମ ପାଇଁ ଜନ୍ମ ଦିନରେ ଶେଷ ଉପହାର ବୋଲି ଭାବି ଦେଇ ପାର!


ଆଖି ଛଳ ଛଳ ହୋଇ ଯାଉଥିଲା କି କଣ....ସାମ୍ନାରେ ବସିଥିବା ସ୍ନେହାର ମୁହଁଟା ଝାପ୍ସା ଦିଶୁଥିଲା । ସେ ପଟେ ସ୍ନେହାକୁ ବି ଲାଗୁଥିଲା ମେଘଟା କେତେବେଳେ ବି ବର୍ଷିଦେଇ ପାରେ । ସେ ଉଠି ଠିଆ ହେଲା ଆଉ ବହି ଦ’ଖଣ୍ଡକୁ ଛାତି ଉପରେ ଜାକି ଧରି ଧୀର ଗଳାରେ କହିଲା-ଝିଅ ପିଲାଟା, ଗୁଡାଏ କଥା କହିବା ଆଗରୁ କଣ୍ଠତଳେ ଦବିଯାଏ!! ସବୁଥର କହୁଥିଲ ନା ମୋ ଉପହାରଟା କାହିଁ ବୋଲି ?


    ମୁହଁ ଉପରକୁ କରି ସୁଜୟ ଚାହିଁଲା,ମୁହଁରେ ତା’ର ପ୍ରଶ୍ନବାଚୀ!


    -କାଲି ସଂଧ୍ୟାରେ ରତନ ଆର୍ଟ୍ସକୁ ଟିକେ ଆସନ୍ତନି!! ସେଇଠି ଏଇ ରସିଦ ଖଣ୍ଡିକ ଦେଇ ଦେବ । ମୁଁ ଥାଏ କି ନ ଥାଏ....ସେ ତୁମକୁ ଯାହାଦେବ ନେଇ ଆସିବ । ସେଇଟା ହିଁ ମୋର ତୁମ ଜନ୍ମଦିନ ପାଇଁ ଉପହାର । ତୁମ ପାଇଁ ଆଗୁଆ ଜନ୍ମଦିନରେ ଶୁଭକାମନା ।


ଆଉ ଦଣ୍ଡଟେ ବି ସେଇଠି ଠିଆ ନ ହୋଇ ବାହାରକୁ ବାହାରି ଯାଇଥିଲା ସ୍ନେହା । ଆଉ ଏଣେ ସୁଜୟ...


ସେଇଠି ଥାଇ ବି ନଥିଲା ପରି ଅଛିଣ୍ଡା ଭାବନାର ସୁଅରେ ବହି ଚାଲିଥିଲା ଆଗକୁ ଆଗକୁ ଆହୁରି ଆଗକୁ.... ।


*******


କାନ୍ଥରେ ଟଙ୍କାଯାଇଥିବା ସେଇ ପେଣ୍ଟିଙ୍ଗ୍ ଟା ଏବେ ବି ଜାଗ୍ରତ । ତାକୁ ହିଁ ସେଦିନ ରତନ ଆର୍ଟସ୍ ରୁ ସ୍ନେହା ଦେଇଥିବା ରସିଦ୍ ବିନିମୟରେ ସଂଗ୍ରହ କରି ଆଣିଥିଲା ସୁଜୟ । ସେଇ ସଂଧ୍ୟାଟା ସେମାନଙ୍କ ଭିତରେ ଥିବା ଭାବନାକୁ ସବୁଦିନ ପାଇଁ ପୂର୍ଣ୍ଣଛେଦ ପକାଇଥିଲା କି ଭିନ୍ନ ମୋଡ ଦେଇଥିଲା ତାହା ସେମାନେ ଜାଣି ନଥିଲେ କି ସେ ବିଷୟରେ ଭାବି ନଥିଲେ ।


ସକାଳେ ହୁଏ ତ ସ୍ନେହାକୁ ଦେଖିବାକୁ ଆସିଥିବା ମଣିଷ ଗୁଡାକ ଫେରି ଯାଇଥିବେ ଆଉ ଦେଇ ଯାଇଥିବେ ସକରାତ୍ମକ ମନ୍ତବ୍ୟ । ହୁଏତ ମାଙ୍ଗଳିକ କର୍ମପାଇଁ ଏହା ହିଁ ଗୋଟେ ମୂଳଦୁଆ ହୋଇପାରେ । ଆଉ ଏଣେ ସ୍ନେହା ପ୍ରଦତ୍ତ ପେଣ୍ଟିଙ୍ଗଟା ସୁଜୟର ହାତରେ, ଯାହାର ତଳେ ଛୋଟ ଛୋଟ ଅକ୍ଷରରେ ସ୍ନେହାର ଦସ୍ତଖତ ସୂଚେଇ ଦେଉଥିଲା ସ୍ନେହା ଏବେ ବି ସୁଜୟର ହାତରେ ଅଛି ।


    ତଥାପି ଏହାର ଅର୍ଥ ବୁଝି ପାରିନଥିଲା ସୁଜୟ !!


    ସ୍ନେହା ଅପେକ୍ଷା କରିଛି ତାକୁ ! ଏବେ ବି କଣ ସମୟ ଅଛି କହିଦେବାକୁ ଯେ, ମୁଁ ତୋତେ ଭଲପାଏ! ତୋତେ ବିବାହ କରିବାକୁ ଚାହେଁ?


କାହିଁକି କେଜାଣି ଗଳାଟା ଶୁଖି ଶୁଖି ଯାଉଥିଲା । ଶୁଖି ଯାଉଥିଲା ଗୋଟେ ନାମ ନଥିବା....ବୋଧ ହୁଏ ନାମ ଦେବାକୁ ଅକ୍ଷମ ହୋଇଥିବା ସଂପର୍କ । ସେଦିନ ନିରସ ହୋଇଯାଇଥିଲା ନିଜର ଜନ୍ମଦିନର ଉନ୍ମାଦନା । ।


 *********

ସ୍ନେହାର ସେଇଠି ହିଁ ବାହାଘର ହୋଇଗଲା । ସୁଜୟ କିଣି ରଖିଥିବା ବିଭୂତି ପଟ୍ଟନାୟକଙ୍କ ‘ପ୍ରେମିକା’ ଉପନ୍ୟାସଟିକୁ ସ୍ନେହା ପାଇଁ ଉପହାରରେ ଦେଇ ପାରି ନଥିଲା । ଗୋଟେ ଭଲ ଗଣେଶ ମୂର୍ତ୍ତୀସହିତ ବାହାଘର ପାଇଁ ଦୁଇଧାଡି ସଦିଚ୍ଛା ଲେଖାଥିବା ଗ୍ରୀଟିଙ୍ଗସ୍ କାର୍ଡ ତଳେ ନିଜ ନାମ ଲେଖି ସ୍ନେହା ଓ ତାର ସ୍ୱାମୀ ହାତକୁ ବଢ଼ାଇ ଦେଲା ବେଳେ ସ୍ନେହା ଶୁଷ୍କ ହସଟିଏ ହସି ପରିଚୟ କରାଇଥିଲା - ଅଫିସ୍ ରେ ମୋ ସିନିୟର କଲିଗ୍......ଫ୍ରେଣ୍ଡ....ସୁଜୟ !

*********


ଏ ଭିତରେ ପାଞ୍ଚ ସାତ ବର୍ଷ ବିତିଗଲାଣି । ସୁଜୟ ଜାଣି ସାରିଛି ଯେ, ସ୍ନେହାର ହାତ ଧରିଥିବା ସେଇ ସ୍ୱାମୀଟି ସ୍ନେହାକୁ ଜୀବନ ଠୁଁ ବଳି ଅଧିକ ଭଲ ପାଉଥିବା ସେଇ ତଥା କଥିତ ପ୍ରେମିକ, ଯିଏ ଅବିବାହିତ ଥିଲା ବେଳେ ସ୍ନେହା ପାଇଁ ଥିଲା ପାଗଳ । ଆଉ ଠିକ୍ ତା’ପର ଠୁଁ ବେଦମ୍ ହସିଥିଲା ସୁଜୟ । ଓଃ କି ସମୟ ଥିଲା ସେତେବେଳେ ସେ ବି ତ ସ୍ନେହା ପାଇଁ ପାଗଳ ପ୍ରାୟ ଥିଲା !!


    ଆଜି ବି ସେଇ ଚିତ୍ରଟା ସଜୀବ , କାନ୍ଥରେ ଟଙ୍ଗା ହୋଇଛି, କଥା କହୁଛି । କିନ୍ତୁ କ’ଣ ସେ କଥା ଆଜିବି ଅବୁଝା !!


 ଆରେ ଝିଟିପିଟିଟା ପେଣ୍ଟିଙ୍ଗ ପଛପଟେ ଅଛି ନା ପେଣ୍ଟିଙ୍ଗ ଭିତରୁ ବାହାରୁଛି? ବସିଥିବା ଜାଗାରୁ ଚଟ୍ କରି ଉଠି ପଡିଲା ସୁଜୟ । ଡରରେ ଛାଟିପିଟି ହୋଇ ଝିଟିପିଟିଟା କାନ୍ଥ ଉପରକୁ ପଳାଇଗଲା ।


    କାନ୍ଥରୁ ଚିତ୍ରଟିକୁ ଓହ୍ଲାଇ ଆଣି ତାର ପଛ ପାଖକୁ ନିରୀକ୍ଷଣ କଲା ବେଳେ ସୁଜୟ ପଛ ପାଖରେ ଗୋଟେ ଛୋଟ ଫାଙ୍କ ବାରି ପାରିଲା । ବନ୍ଧେଇ ପଟିଟା ଠିକ୍ ରେ ଦିଆ ଯାଇନି କି କ’ଣ ?


ଝିଟିପିଟି ଟା ଏଇ ଫାଙ୍କ ଦେଇ ଭିତରକୁ ପଶିଥିଲା ? ହୁଏତ ଭିତରେ ବସା ବି କରିଯାଇପାରେ !! 

ସେ ଦୁଇ ପଟକୁ ଧରି ବନ୍ଧେଇ ଫଟୋଟାକୁ ଟିକେ ଖାଞ୍ଚିଦେଲା ବେଳେ ଲାଗିଥିଲା ଭିତରୁ ହୁଏତ ଗୋଟେ ଯୋଡେ ଛୁଆ ଝିଟିପିଟି ବାହାରି ଆସିବେ ନଚେତ୍ କେଇଟା ଝିଟିପିଟି ଅଣ୍ଡା ଚଟାଣରେ ପଡି ଅସନା ହୋଇଯିବ । ହେଇଗଲେ ଯାଉ... ତା ଯୋଗୁଁ ଗୋଟେ ସୁନ୍ଦର ଚିତ୍ରପଟ୍ଟ ଖରାପ ହୋଇଯିବ ଯେ !


ଭିତରୁ ଖୁଡ୍ ଖୁଡ୍ ଶୁଭୁଥିଲା । ସେଇଟା କିନ୍ତୁ ଅଣ୍ଡା କି ଝିଟିପିଟି ଛୁଆ ପରି ଲାଗୁନଥିଲା । ପଟିଟାକୁ ଆଉ ଟିକେ ଉଠାଇ ଦେଖେ ତ ତା ଭିତରେ ଗୋଟେ ଭାଙ୍ଗକରା କାଗଜ । ସେଇ ପରି ଲାଗୁଥିଲା । ହାତ ପାଉନଥାଏ । ଫର୍କଡ୍ ସେପ୍ ରେ ବହୁ କଷ୍ଟରେ ସେଇଟାକୁ ଠାବ କଲା ସୁଜୟ । ଏ -ଫୋର ସାଇଜ୍ର ପେପର ଖଣ୍ଡକୁ ଖୁବ୍ ଭଲରେ ଭଙ୍ଗା ଭଙ୍ଗି କରି ୟା ଭିତରକୁ ପୁରାଇ ଦେଇଥିଲା ଭଳି ଲାଗିଲା । ଖୋଲି ଦେଖିଲା ସୁଜୟ । ଚମକିଗଲା ଆଖି, ଥରିଗଲା ଦିହ , ଭୁଷୁଡି ପଡୁଥିଲା ବର୍ତ୍ତମାନ, ଯାହା ତଳେ ଗୁମୁରି ଗୁମୁରି କାନ୍ଦୁଥିଲା ଅତୀତ ।


କୋଉଠି ଗୋଟେ ଲଘୁଚାପ ସୃଷ୍ଟି ହୋଇସାରିଥିଲା ବେଳେ ଜୋର ଜୋର୍ ବହୁଥିଲା ପବନ, ସେଇ ପବନରେ ଉଡିଯିବ କି ସୁଜୟ....??


*********


    ସ୍ନେହାର ହାତଲେଖା । ସ୍ୱୀକାରୋକ୍ତି....ଚିଠି....କିଛି ବି କହିପାର ।


    ଯାହାର ସାରମର୍ମ ଥିଲା ବେଶ ହୃଦୟସ୍ପର୍ଶୀ...


ଏମିତି କେତେ କାଳ ରହିଥାନ୍ତା ଏ ପତ୍ର ! ସେଦିନ କାହିଁକି ସେ ଅନୁଭବି ପାରିଲାନି ଏ ପତ୍ରର ଉପସ୍ଥିତି? ସ୍ନେହା କାହିଁକି କହିପାରିଲାନି ତାର ଏ ଅନ୍ତରଙ୍ଗ ମନତଳ କଥା? ହୁଏତ ସ୍ନେହା ସେଦିନ କଳ କଳ ନାଦରେ ନିର୍ଝରିଣୀଟିଏ ପରି ବହି ଯାଇଥିଲେ ବର୍ତ୍ତମାନ ଭିନ୍ନ କିଛି ହୋଇଥାନ୍ତା ହୁଏତ ସେଦିନ ୟାକୁ ପଢ଼ି ପାରିଥିଲେ ସେ ବାଧ୍ୟକରି ବଦଳାଇ ଦେଇଥାନ୍ତା ସମୟର ସୁଅକୁ ! ଭିତରେ ଭିତରେ ଫିଟି ପଡିଲା ସୁଜୟ । ଫାଟି ଯାଉଥିଲା ଆପଣାର ପୃଥିବୀ, ସତେ କି ସେ ଏଇଲାଗ୍ ତା ଭିତରେ ବିଲୀନ ହୋଇଯିବ...!!


 କେମିତି ଯେ କହିବି........ ଅଶୋକ, ମୋର ଜଣେ ଭଲ ସାଙ୍ଗ, ଯାହା ସହ ଅନେକ କିଛି କଥା ବାଣ୍ଟି ହୁଏ । ସେଇ ସମ୍ପର୍କକୁ ଆକର୍ଷଣ ବୋଲି କହିପାରିବିନି । କିନ୍ତୁ ଅଶୋକ ପାଇଁ ଏ ସମ୍ପର୍କ ଅନେକ କିଛି । ଆଉ ଏହାକୁ ବଞ୍ଚାଇ ରଖିବା ପାଇଁ ତା'ର ପାଗଳପଣ ନ ଦେଖିଲେ ବୁଝି ପାରିବନି । ଏମିତି ଚାଲୁ ଚାଲୁ ତୁମ ସହିତ ଦେଖା, ଦେଖା ନୁହେଁ ତ ଏହା ଗୋଟାଏ ତୀବ୍ର ଆକର୍ଷଣ । ପ୍ରତି ମୁହୂର୍ତ୍ତରେ ତୁମ ସହିତ ଜଡେଇ ହୋଇଯିବାର ଭୟ , ସେଥିପାଇଁ ଦୂରେଇ ଦୂରେଇ ରହିବା ଛଡା ଅନ୍ୟ ଉପାୟ ନଥିଲା । ଜାଣୁଥିଲି ଯେ, ଏହା ମୋର ପରିଚୟ ଓ ପରିବେଶକୁ ବଦଳାଇ ଦେଇପାରେ । ତେଣୁ କଥା ମାନେ ଆତ୍ମଘୋଷିତ ନିର୍ବାସନରେ ସଫଳ ହୋଇଥିଲେ । କିନ୍ତୁ ଆଉ ନୁହଁ....ବୟସ କହୁଛି ଝିଅ ପିଲାଟେ ହିସାବରେ ଅଠେଇଶି ଛୁଇଁଲା । ବାପା - ମାଆ , ଆତ୍ମୀୟ ସ୍ୱଜନଙ୍କୁ ଅନେକ କଥା ଶୁଣିବାକୁ ହେଲାଣି । ଏଣେ ନିଜଘରେ ଠକି ଚାଲିଛି ଅଶୋକ । ସେ ଘରର ଏକମାତ୍ର ପୁଅ । ଅଶୋକର ମୌନତାରେ ବିବ୍ରତ ହୋଇ ପଡିଲେଣି ତା’ ବାପା-ବୋଉ । ଆଶଙ୍କା ହେଲାଣି ଅଶୋକର ସମ୍ଭାବିତ ପ୍ରେମ ସଂପର୍କକୁ ନେଇ । ଆଗକୁ ଆଉ ଚୁପ ରହିବା ସମ୍ଭବ ହେବନି । ଏଥର ରାସ୍ତା ଚୟନ କରିବାର ବେଳ । ଜୀବନ ସାଥୀ ବାଛିବାର ବେଳ । ଏଇ ପତ୍ର ପାଇ ହାତ ବଢ଼େଇଲେ ମନା କରିବନି....ଖୁସିରେ ଆତ୍ମହରା ହେବି କାରଣ ଆମ ଭିତରେ ମହ ମହ ବାସୁଥିବା ଏ ପ୍ରେମକୁ ଏକ ସଂଜ୍ଞା ମିଳିଯିବ । ଯଦି ଏ ଚିଠି ନ ମିଳେ ତେବେ ସୂର୍ଯ୍ୟ ଅସ୍ତ ହୋଇସାରିଛନ୍ତି....ଅନ୍ଧାର ଘୋଟି ସାରିଛି, ଆଉ ଶବ୍ଦମାନଙ୍କର କୌଣସି ସ୍ଥାନ ନାହିଁ ବୋଲି ଭାବିନେବ । ଏହା ହିଁ ଆମ ସଂପର୍କର ପ୍ରାରବ୍ଧ! ମୁଁ ଆଉ ମୋତେ ଚିହ୍ନିଥିବା ଜାଣିଥିବା ଅଶୋକ ପାଇଁ ପଥ ପରିଷ୍କାର ହୋଇଯିବ । ବଦଳି ଯାଉଥିବା ପରିସ୍ଥିତିରେ ଭୁଲିଯିବାଟା ଏତେ ସହଜ ନୋହିଲେ ବି ସେଇଟା ହିଁ ସମସ୍ତଙ୍କ ପାଇଁ ମଂଗଳ କାରକ ହେବ ବୋଲି ଭାବୁଛି ।


********


ନିରବରେ ଅଶ୍ରୁପାତ କରୁଥିଲା ସୁଜୟ । ସୁନିଶ୍ଚିତ ବିଜୟ ହାସଲ ସହ ସମାନ ସ୍ଥିତିରେ ପହଞ୍ଚିବା ପରେ କାଗଜ ଗୁଳା ଭିତରେ ବନ୍ଦ ଥିବା ନାମ ଗୁଡିକ ମଧ୍ୟରୁ ତା ନାଁଟା ତଳେ ପଡିଥିଲା ଆଉ ଅଶୋକ ଜିତିଯାଇଥିଲା ସେଦିନ ।


    ଦ୍ରୁତ ଗତିରେ ବୁଲୁଥିବା ସିଲିଂ ଫ୍ୟାନ୍ ଟା ବି ସୁଜୟ ଦେହରେ ଜକେଇ ଆସୁଥିବା ଝାଳ ବିନ୍ଦୁ ଗୁଡିକୁ ଶୁଖାଇ ପାରୁନଥିଲା । ଉପରକୁ ମୁହଁ କରି ଆଖି ବୁଜି ଚଉକି ଉପରେ ବସି ରହିଥିଲା ବେଳେ ସୁଜୟ ଆସନ୍ତା କାଲି କେମିତି ଯେ ସ୍ନେହାକୁ ସାମ୍ନା କରିବ ଜାଣିପାରୁନଥିଲା..... । ଏହା ପରେ କଣ ହେବ ସମ୍ପର୍କର ରଂଗ...??


ମୁଣ୍ଡ ଉପରେ ଅଙ୍ଗୁଳୀ ସଂଚାଳନ କରୁଥିଲା ସୁଜୟ ।


*******


Rate this content
Log in

Similar oriya story from Abstract