STORYMIRROR

Rajib Gopal Swain

Inspirational

3  

Rajib Gopal Swain

Inspirational

ଜୀବନ ନଈର ଢେଉ

ଜୀବନ ନଈର ଢେଉ

6 mins
663



 

ସରକାରୀ ଡାକ୍ତରଖାନାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଫୁଲ୍ଲ । କେଉଁକାଳୁ ସେ ଗାଁ ଛାଡି ଆସିଲାଣି ତାର ହିସାବ ନାହିଁ । ଯେତେବେଳେ ସେ ବକଟେ ପିଲାଥିଲା ସେତେବେଳେ, ନାକରେ ମେଞ୍ଚାଏ ଶିଙ୍ଘାଣୀ ଆଉ ଦେହରେ ମଇଳା ହାଫ ପ୍ୟାଣ୍ଟ ସାର୍ଟ ପିନ୍ଧି ଏପାଖ ସେପାଖ ହେଉଥିଲା । ପିଲାବେଳୁ ବାପା ମାଆ ଛେଉଣ୍ଡ ପ୍ରଫୁଲ୍ଲକୁ ତା’ ଦାଦା ଖୁଡୀ କୋଳକୁ ନେଇଥିଲେ । ଏମିତି ଗୋଟେ ହାତୀ ବାଘର ବଳ ନଥିଲା ଦାଦାର.. ଖୁଡୀଟା କଳିହୁଡିଥିଲା । କଥା କଥାକେ ମାଆ ବାପାଙ୍କୁ ଖାଇଲୁ ବୋଲି କହୁଥିଲା । ହୁଁ କଲେ ଛାଞ୍ଚୁଣୀରେ ବହେ ଛେଚି ଦେଉଥିଲା । ଦାଦା ସବୁ ଦେଖିକି ବି ରହୁଥିଲା ନିରୁତ୍ତର । ଦାଦାଙ୍କ ପୁଅ ଝିଅଙ୍କ ସହିତ ପ୍ରଫୁଲ୍ଲର ଖାଇବା ପିଇବାରେ ବି ଥିଲା ଯଥେଷ୍ଟ ପାର୍ଥକ୍ୟ । ଏମିତିରେ କ୍ରମଶଃ ଅଷ୍ଟମ ପରୀକ୍ଷା ଶେଷ କରି ପ୍ରଫୁଲ୍ଲ ବାର୍ଷିକ ଫଳକୁ ଅପେକ୍ଷା କଲାବେଳେ ଗାଁ ସାଥୀପିଲାଙ୍କ ସହିତ ଖେଳକୁଦରେ ଦିନ କାଟୁଥିଲା । ସେଇ ସବୁ ଦିନଭିତରୁ ଗୋଟିଏ ଦିନ ଥିଲା ଗାଁରେ ପ୍ରଫୁଲ୍ଲର ଶେଷଦିନ । ସେଇ ଦିନର ରାତିକୁ ବି ଗାଁ ଭିତରେ ଛୁଇଁ ପାରିନଥିଲା ପ୍ରଫୁଲ୍ଲ ।

......................................


ସେଇଦିନ ସକାଳୁ ଦାଦାପୁଅ ସାନଭାଇ ତୀର୍ଥ ସହିତ ଧସ୍ତା ଧସ୍ତି ହୋଇସାରିଥିଲା ପ୍ରଫୁଲ୍ଲ । ତୀର୍ଥ ନିଜ ସାର୍ଟରେ କାଳି ପକାଇ ପ୍ରଫୁଲ୍ଲ ନାମରେ ତିିନ୍ କରିବାକୁ ସବୁ ମସୁଧା କରିସାରିଥିଲା । ସେଇଥିପାଇଁ ପ୍ରଫୁଲ୍ଲ ସକାଳୁ ହିଁ ଗାୟବ ଥିଲା ଘରେ । ସାହି ପିଲାଙ୍କ ସହିତ ନଈକୂଳରେ ଡାଳ ମାଙ୍କୁଡି ଖେଳୁଥିଲା । ଖାଲି ସେତିକି ନୁହେଁ ଆମ୍ବ ତୋଟାରୁ ଆମ୍ବ ଚୋରୀ କରି ତାକୁ ମହା ଆନନ୍ଦରେ ଖାଉଥିବାବେଳେ ନରି ସାହୁର ବେତ ମାଡରୁ ଦି’ପାହାର ବି ଖାଇଥିଲା । ସେଇ ରାଗରେ ନରିର ପୁଅ ଶରଣକୁ ବହେ ଛେଚିଥିଲା ପ୍ରଫୁଲ୍ଲ । ଶରଣର ମୁଣ୍ଡ ଫାଟିଗଲା ଆଉ ସେଇଠୁ ସେଇମିତି ଗୋଟେ ନିଃଶ୍ୱାସରେ ଆସିଲା ଯେ, ଆସିଲା ଆଉ ପଛକୁ ଫେରି ଚାହିଁନି ପ୍ରଫୁଲ୍ଲ ।


ଗାଁଟା ଡରରେ ହେଉ କି ହେଉ ତାର ମନଭିତରେ ଜମାଟ ବାନ୍ଧୁଥିବା ଲୁହରେ ପ୍ରଫୁଲ୍ଲ ପାଇଁ ପାଲଟିଯାଇଥିଲା ସବୁଠୁଁ ବାଜେସ୍ଥାନ । ସେ ସେଇଠିକୁ ଫେରିବାକୁ ଚାହୁଁ ନଥିଲା ।


ପାଖ ସହରରେ ପହଞ୍ଚି ତା’ ପରି ବକଟେ ପିଲା କ’ଣ କରିବ ମୋଟେ ହେଲେ ବୁଝିପାରିନଥିଲା ।ସହରଟା କ’ଣ ଓ ସେଠି କ’ଣ କରିବାକୁ ହେବ ତାହା ଥିଲା ତା’ ଜ୍ଞାନର ବାହାରେ । ଖୁଡୀ କଳିହୁଡି ହେଉପଛେ ଗଣ୍ଡେ ବାଢିକି ତ ଦେଉଥିଲା ! ଖାଇବା ପାଇଁ ଏଠି ସେତିକି ବି ସାତ ସପନ ହୋଇଗଲା । ତଥାପି ପଛକୁ ଫେରିବାକୁ ଚାହୁଁନଥିଲା ପ୍ରଫୁଲ୍ଲ ।

...…................................


କଥାରେ ଅଛି ଅନ୍ନଚିନ୍ତା ଚମତ୍କାର !


ଗୋଟେ ଚା ଜଳଖିଆ ଦୋକାନରେ ପ୍ଲେଟ୍ ଗୋଟେଇବା, ମାଜିବା କାମ ମିଳିଗଲା ପରେ ପ୍ରଫୁଲ୍ଲକୁ ରାହା ମିଳିଥିଲା । ମନ ଲଗାଇ କାମ କଲା ପ୍ରଫୁଲ୍ଲ । କେଇଟା ମାସରେ ମାଲିକ ତା’ ଜିମାରେ ଦୋକାନ ଦେଇ ନିଶ୍ଚିନ୍ତରେ ଘରୁ ବିଳମ୍ବରେ ଆସିଲେ ବି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଅସୁବିଧା ହେଲାନି । ବିଶ୍ୱାସ ବଢିଲା, ସ୍ନେହ ବଢିଲା, ବଢିଲା ଲୋକେ ପରିଚିତ । ସେଇ ଦୋକାନରେ ଜଣେ ନିୟମିତ ଗ୍ରାହକ ଗୋଟିଏ ବେସରକାରୀ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଥାଆନ୍ତି ଯେଉଁ ଅନୁଷ୍ଠାନ ସ୍ୱାସ୍ଥ୍ୟ ସଂବଧୀୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାଏ ତାଙ୍କ ସହିତ ପ୍ରଫୁଲ୍ଲର ପରିଚୟ ଖୁବ୍ ଅନ୍ତରଙ୍ଗ ହୋଇଗଲା । ପ୍ରଫୁଲ୍ଲର ବ୍ୟବହାରରେ ପ୍ରୀତି ହୋଇ ସେ ତାଙ୍କ ସହିତ କାମ କରିବା ପାଇଁ ସୁଯୋଗ ଦେଲେ । ଆଉ ସେଇ ସୁଯୋଗକୁ ହାତଛଡା ନକରି ଆଗକୁ ବଢିଲା ପ୍ରଫୁଲ୍ଲ । କ୍ରମେ ସେହି ବେସରକାରୀ କାମ ଖଣ୍ଡିକ ଅସ୍ଥାୟୀ ଓ ପରେ ପରେ ସ୍ଥାୟୀ ମାନ୍ୟତା ପାଇଲା । ବଦଳିଗଲା ପ୍ରଫୁଲ୍ଲର ଜୀବନ । କୃତଜ୍ଞତାରେ ହେଉ କି ହେଉ ମନ ପସନ୍ଦରେ, ପ୍ରଫୁଲ୍ଲ ପ୍ରଥମେ ଯେଉଁ ଚା ଜଳଖିଆ କୋଦାନରେ କାମ କରୁଥିଲା, ସେଇ ଦୋକାନୀ ନିକୁଞ୍ଜ ସାହୁଙ୍କ ଭାଣିଜୀ ସହିତ ବାହାହେଲା ।


ଗୋଟେ ନୂତନ ନାମ ଆଉ ଠିକଣା ମିଳିଲା ପରି ପ୍ରଫୁଲ୍ଲର ନିଜସ୍ୱ ଘର ସଂସାର ପରିଚିତ ସବୁ ଆସିଲା । 

....................................….......


ବଦଳୁଥିଲା ସମୟ ତା’ ସହିତ ଚରିତ୍ର ବି !!


ଏବେ ତା'ରି ଗାଁ ଲୋକେ ଖୋଜା ଖୋଜି କରି ପହଞ୍ଚୁଥିଲେ ତା’ ପାଖରେ । ତୀର୍ଥ ବି ଠାବ କରିଥିଲା ତାରି ଅସ୍ତିତ୍ୱ ।


ଖୁଡୀ ଆଉ ଆଗପରି ଭୟାନକ ଲାଗନ୍ତି ନାହିାଁ ଇସ୍ପାତ ପରି ଟାଣ ମୁହଁଟା କଅଁଳ ହେଲାଣି । ପଛ ଦିନଗୁଡାକୁ ମନପକେଇ ଆଖିରୁ ଲୁହ ଝରାନ୍ତି ସେ । ଦାଦା ସବୁ ଥର ପରି ନିର୍ବିକାର ।


ସେହି ଗାଁ .....ଯାହାକୁ ସେ ଛାଡି ଆସିବାକୁ ବାଧ୍ୟ ହୋଇଥିଲା । ଏବେ ସେଇ ଗାଁର ମଣିଷମାନଙ୍କ ପାଇଁ ବେଶୀ ନହେଲେ ବି ଆଖିଦୃଷ୍ଟିଆ କିଛି ନା କିଛି କରୁଥାଏ ପ୍ରଫୁଲ୍ଲ ।


ସେଦିନ ଡାକ୍ତରଖାନା ବାରଣ୍ଡାରେ ନରି ସାହୁକୁ ନେଇ ଆସିଥିବା ତା’ ପୁଅ ଶରଣ ସହିତ ଦେଖା ହେଲା ବେଳେ, ପ୍ରଫୁଲ୍ଲ ଶରଣକୁ କୁଣ୍ଢେଇ ପକେଇଥିଲା । ତୋ ମୁଣ୍ଡ ଫଟେଇ ଥିଲି ବୋଲି, ରାଗଟା ରଖିଚୁ ନା ଭୁଲି ଗଲୁଣି?


ଦୋଦୋ ଚିହ୍ନା ହୋଇ ଶରଣ ଯେତେବେଳେ ଜାଣିଲା ୟେ ପ୍ରଫୁଲ୍ଲ ବୋଲି ସେତେବେଳେ ଖୁସିରେ ତା ଗୋଡ ତଳେ ଲାଗିଲା ନଥିଲା। ଶରଣ ତା ମୁଣ୍ଡରେ ଥିବା ଦାଗଟାକୁ ଦେଖାଇବା ବେଳେ ଦୁହେଁ ଖୁବ୍ ଜୋରରେ ହସିଥିଲେ । ନରିବୁଢା ଯାହା ଠୁ ପ୍ରଫୁଲ୍ଲ ବେଶ୍ କେଇ ପାହାର ଖାଇଥିଲା ତା’କୁ ଦେଖି ଆଖିଲେ ଲୁହ ଆସିଯାଇଥିଲା ।


ନରି ହସିଥିଲା ମଳିନ ହସଟିଏ । ନିଜର ପକ୍ଷାପାତ ଶରୀରକୁ ଦେଖେଇ ଯାହା କହିଲା ସେଇ କଥାକୁ ବୁଝି ପାରିନଥିଲା ପ୍ରଫୁଲ୍ଲ । ତେବେ ଏତିକି ଅନୁମାନ କରିଥିଲା ଯେ ତା ପାଇଁ ନରି ଆଶିଷ ଢାଳି ଦେଇଛି ।


ମଣିଷ କେବଳ ଯାହା ଧୈର୍ଯ୍ୟର ସହିତ କ

ାମ କରିଚାଲିବା କଥା । ସମୟର ସୁଅରେ ଫଳ ସବୁ ମନକୁ ମନ ଆସି ଲାଗିଯିବ । ଅପେକ୍ଷା ନକରି ସମୟ ସହିତ ତାଳ ଦେଇ ଚାଲିବାର ଅନ୍ୟନାମ ଜୀବନ । ତାର ରଂଗ ବେରଂଗର ପୃଥିବୀରେ ହସ, ଲୁହ ଛାଇ ଆଲୁଅର ଖେଳ ଅହରହ ଚାଲିଆସୁଛି ସେଥିରେ ବିଚଳିତ କି ବିବ୍ରତ ହେବାର ନୁହେଁ ।


ଗୋଟେ ଗାରର ଏପାଖ ସେପାଖକୁ ନୀରବରେ ବିଶ୍ଳେଷଣ କରୁଥିଲା ପ୍ରଫୁଲ୍ଲା ଗୋଟେ ପଟେ ଅସରନ୍ତି ଅନ୍ଧାର ତ ଅନ୍ୟ ପଟେ ଆଲୋକର ବନ୍ୟା, ଗୋଟେ ପଟେ ପଳାସ ଫୁଲର ମୋହ ତ ଅନ୍ୟ ପଟେ ରଜନୀଗନ୍ଧାର ବାସ । ଗୋଟେ ପଟେ କଳାଧଳାର ଦୁନିଆଁ ତ ଅନ୍ୟ ପାଖରେ ରଂଗର ମହୋତ୍ସବ ।


ପ୍ରଫୁଲ୍ଲ ସେ ଗାରର ଏପାଖରୁ ସେ ପାଖକୁ ପହଁରି ଆସିଥିଲା । ତା’ପରେ ପଛକୁ କେବେ ଫେରି ଚାହୁଁନଥିଲା । ଅନେକ ସମୟ ପରେ ସେ ପଛକୁ ଫେରି ଦେଖିଛି ଯାହା ତାକୁ ଦେଇଛି ମହତ୍ତ୍ଵପୂର୍ଣ୍ଣ ଶିକ୍ଷା ।


ସେ ଜାଣିଛି ଯେ, କେଉଁଠି ଓ କେବେ ଜନ୍ମ ଦେବାର ବା ନେବାର ଅଧିକାର ସାମର୍ଥ୍ୟ ନବଜାତ ଶିଶୁ ହାତରେ ନଥାଏ । ଭ୍ରୁଣଟିଏ ହୋଇ କେଉଁ ଜଠରେ ଜୀବନ୍ୟାସ ମିଳିବ ତାହାଥାଏ ସର୍ବଶକ୍ତିମାନଙ୍କ ହାତରେ । ତେବେ ଜନ୍ମ ପରେ ନିଜ ଗୋଡରେ ଠିଆ ହେବା ନିଜପ୍ରତି ସମାଜର ଦୃଷ୍ଟି ଆକର୍ଷଣ କରେଇ ପାରିବାର ସାମର୍ଥ୍ୟ କେବଳ ଆଉ କେବଳ ନିଜ ପାଖରେ ହିଁ ଥାଏ । ଜୀବନ ରୂପକ ଡଙ୍ଗାକୁ କେଉଁଦିଗ ଦିଆଯିବ ତାହା ନିଜେ ହିଁ ନିର୍ଦ୍ଧାରଣ କରିବା ଥାଏ ନିଜ ହାତରେ ।


ମଣିଷ ତ ପରିସ୍ଥିତିର ଦାସ, କିନ୍ତୁ ସେ ଭିତରେ ବି ସର୍ବୋତ୍ତମ ସୁଯୋଗ ସର୍ବଦା ଉଙ୍କି ମାରୁଥାନ୍ତି । ସେସବୁ ସୁଯୋଗକୁ ସଦବ୍ୟହାର କରିପାରିବା ହେଲା ଅସଲ କଳା । ସେହି କଳାକୁ ଆୟତ୍ତ କରିପାରିଲେ ଜୀବନ ସୁଖମୟ ହୋଇପାରିବ ।


ଏମିତି ଓଲଟପାଲଟ ଭାବୁଥିବାବେଳେ ଆଜି ଦିନର କଥାକୁ ସ୍ମରଣ କରୁଥିଲା ପ୍ରଫୁଲ୍ଲ xxxxxx


ସକାଳ ଆଠଟା ଖଣ୍ଡେ ହୋଇଥିବ ଖୁଡୀ ଗାଁରୁ ଫୋନ୍ କରିଥିଲେ । କାନ୍ଦ କାନ୍ଦ ଶୁଭୁଥିଲା ତାଙ୍କର କଣ୍ଠସ୍ୱର । କେମିତି ଗୋଟେ ସମସ୍ୟାରେ ଛନ୍ଦି ହେଲା ପରି ଲାଗୁଥାନ୍ତି । ଭରସା ଦେଲା ପ୍ରଫୁଲ୍ଲ । ମନ ଖୋଲି ସବୁ କଥା କହିବା ପାଇଁ ପ୍ରବର୍ତ୍ତାଇ ଥିଲା । ବିଶ୍ୱାସର ବଳୟଟିଏ ତିଆରି ହେଲା ପରେ ଖୁଡୀ ସାହସ ପାଇଥିଲେ କହିବା ପାଇଁ ।


ଦାଦାଙ୍କ ଦେହ ବହୁତ ଖରାପ । ପାଖ ଡାକ୍ତର ମନା କରି ଦେଇଛି । ତାଙ୍କୁ କୁଆଡେ କିଡନୀ ରୋଗ । ଭଲ ଡାକ୍ତର ଦେଖାଇବାକୁ ପଡିବ । ହାତରେ ପଇସା ନାହିଁ । ତୀର୍ଥ ଟା ବେରୋଜଗାର ଅଛି ତା ଠୁଁ କିଛି ହେଲେ ବି ଆଶା କରାଯାଇନପାରେ । କ’ଣ କରିବେ କିଛି ବି ବୁଝି ପାରୁନାହାଁନ୍ତି ଖୁଡୀ । ଆଗରୁ ଦେହରେ ଥିବା ଅଳଙ୍କାର ପତର ଝିଅମାନଙ୍କ ବିଭାଘର ବେଳେ ହିଁ ସରିଯାଇଛି । ଗାଁରେ ଥିବା କେଇ ମାଣ ଜମି ହିଁ ଏକମାତ୍ର ଭରସା । ଯେଉଁ ଜମିକୁ ସେ ପ୍ରଫୁଲ୍ଲର ବିନା ସହମତିରେ ବିକି ଭାଙ୍ଗି ପାରିବେନି ।


ପ୍ରଫୁଲ୍ଲ ବୁଝିପାରୁଥିଲା ଖୁଡୀଙ୍କ ଅସହାୟତା । ବାପା ଜେଜେବାପାଙ୍କ ପୁରୁଷ ପୁରୁଷର ଚାଷ ଜମିରେ ଖଣ୍ଡିଏ ହେଲେ ଯୋଗ କରିପାରିନାହାନ୍ତି ସେମାନେ । ହେଲେ ଛାଡି ଯାଇଥିବା ତାଙ୍କ ସେଇ ଜମି ହିଁ ଏବେ ଏକମାତ୍ର ସାହାରା । ଖୁଡୀ ଯେ ନିଜ ଭାଗର ଜମିକୁ ବିକିବାକୁ ଚାହୁଁଥିଲେ ତାହା ପ୍ରଫୁଲ୍ଲ ବୁଝିପାରିଥିଲା । ଜମି ସବୁ ସଜାରେ ଥିବାରୁ ପ୍ରଫୁଲ୍ଲ ବିନା, ରେଜିଷ୍ଟ୍ରେସନ ସମ୍ଭବ ନୁହେଁ । ପ୍ରଫୁଲ୍ଲର ସହମତି ନିତାନ୍ତ ଆବଶ୍ୟକ ।


ଖୁଡୀ ଜମି ପାଇଁ ଗ୍ରାହକ ମିଳିଲେ ବି ଏ ଅସମୟରେ ସଠିକ୍ ମୂଲ୍ୟ ଦେଇ କେହି ବି କିଣିବେ ନାହିଁ । ମୂଲ ଚାଲ ଅଧିକ ହେବ । ତାପରେ ସେଇ ସବୁ ଜମିର ମୂଲ୍ୟ କେତେ ହେବ ଯେ ଦାଦାଙ୍କ ଚିକିତ୍ସା ଚାଲିବ ?


କେମିତି କ’ଣ ହେବ ମୁଁ କିଛି ବୁଝିପାରୁନି ପ୍ରଫୁଲ୍ଲ । ପିଲାଦିନେ ତୁମର ସେଇ ଜମିରେ ସମାନ ଭାଗ ସତ୍ତ୍ୱେ ତୁମକୁ ଭଲରେ ଖଣ୍ଡେ ଖାଇବାକୁ ବି ଦେଇନି । ମାଆ ବାପା ଛେଉଣ୍ଡ ପିଲାଟି ହିସାବରେ ଯେଉଁ ସ୍ନେହ ଆଦର ଦେବାକଥା ତାହା ନଦେଇ ତୁମଠୁଁ କିଛି ଆଶା କରିବାଟା ମୋର ନିର୍ଲ୍ଲଜ ପଣ । ସେତେବେଳେ ତୁମକୁ ପୁଅଟିଏ ଭଳି ଦେଖିଥିଲେ ମାଆ ହେବାର ଅଧିକାର ସାବ୍ୟସ୍ତ କରିଥାନ୍ତି ।


ଅପରପଟୁ କୋହ ଚାପି କାନ୍ଦୁଥିବା ଖୁଡୀଙ୍କ ଏହି ସ୍ୱୀକାରୋକ୍ତିରେ ତରଳି ଯାଉଥିଲା ପ୍ରଫୁଲ୍ଲ । ଗୋଟେ ନାରୀ ପାଇଁ ମାଆ ନହେଇ ପାରିବାର ଅବଶୋଶଠୁଁ ବଳି ବଡକଥା ଆଉ କିଛି ନାହିଁ, ହେଉପଛେ ଯଶୋଦା ପରି ମାଆର ଭୂମିକାଟିଏ ତୁଲେଇବା ।


କାନ୍ଦନି ଖୁଡୀ । ଯେଉଁ ଅଧିକାରରେ ମୋତେ ସବୁ କିଛି କହିଛ ସେଇଟା କ’ଣ ଗୋଟେ ମାଆର ଅଧିକାର ନୁହେଁ । ପଛ କଥାକୁ ଘାଣ୍ଟି କ’ଣ କିଛି ଲାଭ ମିଳିବ । ବରଂ ସେଥିରୁ କେବଳ ଦୁର୍ଗନ୍ଧ ହିଁ ବାହାରିପାରେ । ଆଉ ରହିଲା ସେତେବେଳର କଥା , ସେତେବେଳେ ସେମିତି କିଛି ଘଟି ନଥିଲେ ମୁଁ କ’ଣ ଏମିତି ଆଜି ଥାଆନ୍ତି !! ତେଣୁ ସବୁ କଥା ଛାଡ, ଦାଦାଙ୍କୁ ନେଇ କାଲି ହିଁ ମୋ ପାଖକୁ ଚାଲିଆସ । କ’ଣ ସବୁ ହୋଇପାରିବ ଦେଖିବା । 


ଖୁଡୀ କିଛି ବି କହିପାରୁନଥିଲେ । ବୋଧହୁଏ ସେ ଲାଗିଥିବା କୂଳଟି ସୁରକ୍ଷିତ ଓ ଶାନ୍ତ ବୋଲି ହେଉଥିବା ଅନୁଭବଟିକକୁ ମନପ୍ରାଣରେ ସାଉଁଟି ନେବାକୁ ଚାହୁଁଥିଲେ । ଏଣେ ପ୍ରଫୁଲ୍ଲ ବି ଗୋଟେ ଅଦ୍ଭୁତ ଆତ୍ମସନ୍ତୋଷରେ ଆଖିବୁଜି ଚେୟାର ଉପରେ ବସିଥିଲା । ହୁଏତ ତା ନିଜ ବାପା କି ମାଆ ଥିଲେ ସେ ଏମିତି ହିଁ କିଛି ନିଷ୍ପତି ନେଇଥାନ୍ତା । ଝଙ୍କା ବଡ ଗଛ ତଳେ ବାଟୋଇ ଓ ଶାଖାରେ ପଶୁପକ୍ଷୀଙ୍କ ଆଶ୍ରା ଖୋଜିଲା ପରି ସାମର୍ଥ୍ୟବାନଠୁ ଅସହାୟ ହିଁ ଆଶ୍ରା ଖୋଜେ, ଆଉ ସେଇ ଆଶ୍ରା ପ୍ରଦାନ କରିବା ହିଁ ତା’ର ଧର୍ମ ।


ଦୀର୍ଘଶ୍ୱାସ ଛାଡିଲା ପ୍ରଫୁଲ୍ଲ । ଅନ୍ତତଃ ନିଜ କର୍ତ୍ତବ୍ୟରୁ ସେ ବିରତ ହେବାକୁ ଚାହୁଁନଥିଲା । ମାନସିକ ସ୍ତରରେ ଆଗକୁ ଆସୁଥିବା ସମସ୍ୟାକୁ ସାମ୍ନା କରି ତାର ସଠିକ୍ ସମାଧାନର ପନ୍ଥା ବାହାର କରିବା ପାଇଁ ପ୍ରସ୍ତୁତ ହେଉଥିଲା ପ୍ରଫୁଲ୍ଲ ।



Rate this content
Log in

Similar oriya story from Inspirational