Rajib Gopal Swain

Tragedy

3  

Rajib Gopal Swain

Tragedy

ଖରା

ଖରା

3 mins
529



ଧୂ ଧୂ ଖରା ।


ମଲା ସାପଟେ ପରି କଚ୍ଚା ଛେଚା ରାସ୍ତାଟେ ଅଙ୍କା ବଙ୍କା ହୋଇ ପଡିଛି । ଯେମିତିକି ତାହା ଉତ୍ତରାଧିକାରୀହୀନ, ତା’ ଉପରେ ମୁରବିତ୍ତ୍ଵ କେଉଁ କାଳୁ ନାହିଁ । 

ସେଇ ରାସ୍ତା ଧାରରେ ଥିବା ଝଙ୍କା ତେନ୍ତୁଳୀ ଗଛଟା ଗ୍ରୀଷ୍ମ ଭାବକୁ କିଛି ମାତ୍ରାରେ ଲାଘବ କରୁଥାଏ ।


ଆଉ ସେଦିନ ......


ବୟସର ଝାଞ୍ଜି ପାଇ ପାଇ ଶିଝି ଯାଇଥିବା ରମା ମାଆର ସ୍ଵେଦାକ୍ରାନ୍ତ ଦିହଟା ସେଇ ତେନ୍ତୁଳି ଗଛର ଗଣ୍ଡିକୁ ଆଉଜି ପଡିଥାଏ । ପାଖେଇ ଗଲେ କି ନିରେଖି ଦେଖିଲେ ତା’ଆଖିର ମେଞ୍ଚେ ଲୁହକୁ ପଢିପାରିବ ଅନୁଭବିର ଆଖି ଆଉ ବାରି ପାରିବ ସ୍ଵେଦ ଆଉ ଲୁହର ଲୁଣିଆପଣର ପାର୍ଥକ୍ୟ । ଜଳ ଜଳ ଦେଖିପାରିବ ରମା ମାଆର ଅବ୍ୟକ୍ତ କୋହକୁ...


ରମା ମାଆର ସଂସାର ତା’ ନାବାଳକ ନାତି । ତା’ସଂସାରରେ ଖୁସି ଐଶ୍ଵର୍ଯ୍ୟ କହିଲେ ବି ସେତିକି । ଆଉ ଯାହା ସବୁ ତା’ସଂସାରରେ ନାହିଁ, ସେଗୁଡାକ ସବୁ ଦୁଃଖର ମହୋଦଧି ।


ସେଇ ନାବାଳକ ନାତି ଟୋକାର ଦଶମ ପରୀକ୍ଷା ପାଇଁ କିଛି ମାସ ତଳେ ଉଧାର କରିଥିବା କେଇଟା ଟଙ୍କାକୁ ନିଜ ବାର୍ଦ୍ଧକ୍ୟ ଭତ୍ତା ପଇସାରୁ ଧୀରେ ଧୀରେ କରି ଶୁଝି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ବି ସେଥିକୁ ପାରିନଥିଲା ରମା ମାଆ ।


କିନ୍ତୁ ନିର୍ବାଚନ ପୂର୍ବରୁ ଗୋଟେ ଅନାପେକ୍ଷିତ ସନ୍ଧ୍ୟାରେ, ଏଇ ଚିହ୍ନରେ ଭୋଟ ଦେବୁ କହି ଏକରକମ ବାଧ୍ୟତାମୂଳକ ଭାବେ ଟଙ୍କା ପାଞ୍ଚ ଶହ ରମା ମାଆ ହାତରେ ଗୁଞ୍ଜି ଦେଇଥିଲା ମନୁଆ । ରମା ମାଆକୁ ଡର ଲାଗିଥିଲା ସେଦିନ, କାରଣ ମନୁଆଟା ଗୋଟେ ପକ୍କା ମଦୁଆ, ଏକ ନମ୍ବର ଗଂଜୋଡ ଜୁଆନ ଭେଣ୍ଡା। ତା ଉପରେ ମୋଟେ ବିଶ୍ୱାସ ନାହିଁ । ସେଥିରେ ପୁଣି ଭୋଟ ଦେବାପାଇଁ ପଇସା । ରମା ମାଆକୁ ଅଯଥା କଳି ଭିତରେ ପଶିଲା ପରି ଲାଗୁଥିଲା ।


ଇଚ୍ଛା ତ ହେଉଥିଲା ନିଶ୍ଚୟ, ସେଇ ପଇସାକୁ ମନୁଆକୁ ଫେରାଇ ଦେବ ! ହେଲେ ପୁଣି ମନେ ପଡୁଥିଲା ନାତି ଟୋକା ପାଇଁ କରିଥିବା ଉଧାରି କଥା । ସେଇ ଉଧାର ଟଙ୍କା ଫେରାଇବା ପାଇଁ ଦେଇଥିବା ସମୟ ସୀମା ଓ ବାରମ୍ବାର ସେଥିରେ ହେଉଥିବା ଅସଫଳତାର କଥା । ମନେ ପଡୁଥିଲା ନାତି ଟୋକାର ସରଳ ନିଷ୍ପାପ ମୁହଁ । ରମା ମାଆ ଭାବୁଥିଲା ତା'ର ଯଦି କିଛି ହେଇଯାଏ, ଆଉ ପଇସାଟା ଶୁଝି ନଥାଏ ତେବେ ସଂସାରରେ ନାତି ଟୋକା ମୁହଁ ଉଠାଇ ଚାଲି ପାରିବତ !!


ନା ଯା ହେଉ ପଛେ ଏଇ ଟଙ୍କାଟା ଫେରାଇଦେଲେ ସେ କେବେ ବି ଧାର ଟଙ୍କାଟି ଶୁଝି ପାରିବ ନାହିଁ ।


ଆଉ ଅଧିକ ନ ଭାବି ଆଖି ବୁଜି ରମା ମାଆ ପ୍ରାପ୍ତ ଟଙ୍କାଟିକୁ ଶୁଝି ଦେଇଥିଲା ।


ଅଭାବୀ ଏମିତି ହିଁ ଫସିଯାଏ । ତା'ର ବି ତ ଇଚ୍ଛା ଥାଏ ସଗର୍ଵରେ ଜୀବନ ରାସ୍ତାରେ ଚାଲିବ , ମଥା ଟେକି କଥା ହେବ !! କିନ୍ତୁ ଅଭାବ ଦାଉ ସାଧେ, ସେ ସଂସାର ପାଇଁ ଅସାଧୁ ପାଲଟେ ।

.............................


ସେ ବା କଣ ଜାଣିଥିଲା ନା ଜାଣିବାର ଇଚ୍ଛା ରଖିଥିଲା ଯେ, ଠିକ ସେଇ ନେତାଟି ହାରିଯିବ !! ରମା ମାଆ ପାଖରେ ଏତେ ବଡ ଗଣିତ କି ପାଣିପାଗ ପରଖିବାର ଜ୍ଞାନ ତ ନିଶ୍ଚୟ ନଥିଲା । ସେଥିରୁ ତାର କଣ ବା ଯାଏ ଆସେ ? 


ସରକାର ଦେଉଥିବା ଭତ୍ତା, ଚାଉଳରେ ତାର ସଂସାର ଚଳେ ।କିରାସିନି କିଣିବାର ବଳ ବି ନ ଥାଏ ତା' ପାଖରେ ।

ସେ କଣ ବୁଝିବ ରାଜନୀତିର କଥା ?

ସେଇ ଲୋକଟି କୁଆଡେ ବହୁତ ପଇସା ଖର୍ଚ୍ଚ କରିଥିଲା, କିନ୍ତୁ ଭୋଟ ପାଇଲା ବେଳକୁ ଏକଦମ ଓଲଟା ।


ଅନେକ ବିଶ୍ଳେଷଣ,ତର୍ଜମା ପରେ ଅନେକ ଗୁଡିଏ କାରଣ ମଧ୍ୟରୁ କର୍ମୀ ମହଲରେ ଅସନ୍ତୋଷ ଗୋଟିଏ ବୋଲି ସେ ଜାଣିବାକୁ ପାଇଲେ । ଆଉ ଏଇ ଅସନ୍ତୋଷର କାରଣ ହେଲା ପଇସା । ସଠିକ ଲୋକ ପାଖରେ ପଇସା ପହଞ୍ଚି ପାରିଲା ନାହିଁ ।ଆଉ ଯେଉଁମାନଙ୍କ ପାଖରେ ପହଞ୍ଚିଲା ସେମାନେ ସବୁ ତାଙ୍କ ଲୋକ ନଥିଲେ । ସେମାନେ ଟଙ୍କା ନେଲେ ଅଥଚ ଭୋଟ ଦେଲେନି ।


ବୁଥୱାରୀ ଗଣନାରେ ଅନେକ ବୁଥ ଖରାପ ଫଳାଫଳ ଦେବାରୁ ଏମିତି ଏକ ସନ୍ଦେହ ଉଙ୍କି ମାରିଥିଲା । ଆଉ ସେହି କ୍ରମରେ ମନୁଆ ଦାୟିତ୍ୱରେ ଥିବା ବୁଥ ଉପରେ ସ୍ୱତଃ ଆକର୍ଷିତ ହୋଇଥିଲା ଆଖି । ମନୁଆର ଠିକ ଉପରେ ଥିବା କୁଜିନେତାଙ୍କ ଉପରେ ବଢିଥିଲା ଚାପ ।

ଚାପ ଅସହାୟତା ସହିତ ଭିତ୍ତିହୀନ ରାଗକୁ ଜନ୍ମ ଦେଇଥିଲା । ଆଉ ସେଇ ରାଗର ଛାଇ ବିଞ୍ଚି ହେଇଯାଇଥିଲା ଗାଁ ଗାଁରେ .....ଗଳି କନ୍ଦିରେ....


ସେଇ ରାଗ ସଂଚାରିତ ହୋଇଛି ରମା ମାଆ ପାଖକୁ !!


କୌଣସି ନା କୌଣସି ବଳରେ ବଳିୟାନ ବ୍ୟକ୍ତି ଯାହାକୁ କି ଭୋଟ ପୂର୍ବରୁ ଟଙ୍କା ବଣ୍ଟାଯାଇଥିଲା ସେମାନଙ୍କ ପ୍ରତି କିଛି ହେଲେ ବି ସାହସିକ ପଦକ୍ଷେପ ନେଇ ପାରିନଥିଲେ ତାଳସ୍ତରର କର୍ମୀ ମହଲ । 

କିନ୍ତୁ ମନୁଆ, ରମା ମାଆ ପରି ନିରୀହ ନିରାଶ୍ରୟ ଉପରେ ଦାଉ ସାଧିଛି ।


ରମା ମାଆ ପାଇଥିବା ଭତ୍ତା ଟଙ୍କାଟିକୁ ଲୁଗାକାନିରୁ ଜବରଦସ୍ତ ଛଡାଇ ନେଇଛି ମନୁଆ । ଏଇ ଅସହ୍ୟ ଖରାରେ ବି ଖରା ଅପେକ୍ଷା ବେଶି ବାଧିଛି ମନୁଆର ବ୍ୟବହାର । ନିଜକୁ ନିଜେ ଧିକ୍କାର କରିଛି ରମା ମାଆ । ନିଜ ଅସହାୟତାକୁ ନେଇ, ଭଗବାନଙ୍କୁ ଉପହାସ କରିଛି ।

ଏବେ ମାସ ସାରା ରମା ମାଆକୁ ଘର ଚଳେଇବାର ଚିନ୍ତା । ହାତ ଉଧାରିର ଭୟ ଆଉ ସେଇ ହାତ ଉଧାରିକୁ ଶୁଝିବାକୁ ନେଇ ଚିନ୍ତା ଖାଇ ଗୋଡାଉ ଥିଲା ।


ନିଜ ବିବେକ ଉପରେ ପାହାର ପକାଇଲା ବେଳେ ନିଜ କପାଳକୁ ନିନ୍ଦି, ଦୀର୍ଘଶ୍ବାସ ଛାଡିବା ଛଡା ଆଉ କଣ ବା ସେ କରି ପାରିବ ବୋଲି ଭାବୁଥିଲା ? ଭାବୁଥିଲା ନାତି ପାଖରେ ଏଇ ସବୁ ଖବର ପହଞ୍ଚିଲେ କଣ ହେବ ତା'ର ପ୍ରତିକ୍ରିୟା । 


ଖରା ବଢ଼ୁଥିଲା । ଆକ୍ତା ମାକ୍ତା ହେଉଥିଲା ପୃଥିବୀ ଆଉ ତା ସହିତ ରମା ମାଆ ପରି ଦୁସ୍ଥ , ଅସହାୟ ମାନେ ବେଶ କରୁଣ ଦିଶୁଥିଲେ....



Rate this content
Log in

Similar oriya story from Tragedy