ସାମଲ ବୁଢ଼ୀ
ସାମଲ ବୁଢ଼ୀ
ତମେ କହି ନଥିବ ତଥାପି ସେ ଆସୁଥିବ । ହସି ଦେଉଥିବ । ଦେହରେ ଗୁଡେଇଥିବା ଲୁଗା କାନିକୁ ବାରମ୍ବାର ମୁଣ୍ଡ ଉପରକୁ ଟାଣୁଥିବ ।
ଗଲା ଆଇଲାରେ ରୋଷେଇ ଘର ଝର୍କା ପାଖରେ ଠିଆ ହୋଇ ପଚାରୁଥିବ, ରୋଷେଇ ସରିଲାଣି ? ମୁଣ୍ଡ ଟୁଙ୍ଗାରୁଥିବି ମୁଁ ,କି କହୁଥିବି ଏଇ କାମଟା ବାକି ଅଛି । ସେଇଟା ଅଧା ପଡିଛି, ଆଉ କିଛି ସମୟ ଲାଗିବ ।
ସେ ହାତ ବଢଉଥିବ । ଇଛାଥିଲେ ବି କହିବାକୁ ପଡୁଥିବ, ନା ଥାଉ !
ମାଆ ଗର ଗର ହେବେ- ମ୍ଲେଚ୍ଛ ବୁଢୀଟା ! ଦେହ ହାତ ସିନା ସଫା ସଫା ହେଲେ, ପାଟିରେ ଜାକିଥିବ ଦୋକ୍ତା, କେତେବେଳେ ହେଉପଛେ ତାକୁ ହାତପୁରାଇ ବାହାରକୁ ପକଉଥିବ । ପିନ୍ଧା ଲୁଗାର ମଇଳାପଣ ନାକଟେକାକୁ କରୁଥିବ ଦ୍ୱିଗୁଣିତ । ବାସ ସେ ସେଇଠି ହିଁ ଥାଉ । ସୁରମା ନଆସିଲେ ବାସନ ମାଜିଦେବ । ଘର ପୋଛି ଦେବ । ଲୁଗା ସଫାକୁ ବି ତା'ର ବଳ କାହିଁ ଯେ ? ହଁ ସଂଧ୍ୟାବେଳେ ସେ ଯେମିତି, ମୋତେ କି ବାପାଙ୍କୁ ଘଷି ମୋଡି ଦେଉଛି, ସେ ସେଇଟା ହିଁ କରୁଥାଉ । ତାକୁ ରୋଷେଇ ଘରେ ମୋଟେ ପୁରାଇବୁନି ।
ତଥାପି ମୁଁ ମାଆଙ୍କୁ ଲୁଚାଇ ତା'ଦ୍ୱାରା ପାଞ୍ଚଟା କାମ କରାଉଥିବି । ଧରାପଡିଲେ ଗାଳିଶୁଣୁଥିବି, ଦୁଃଖୀ ହେଉଥିବି । କିନ୍ତୁ ବୁଢୀ ହସି ଦେଉଥିବ ତା ଆପଣା ପଣରେ.....
...............
ବୟସ ଦେଖିଲେ ପଞ୍ଚଷଠୀରୁ ବି ଅଧିକ କି କଣ ବୁଝାପଡେନି । କର୍ମଠ, ଚଳ ଚଞ୍ଚଳ ଓ ହସହସ ଭାବ ତା ବୟସକୁ ପାଞ୍ଚବର୍ଷ ପଛକୁ ରଖେ । ଦେଖିନେଲେ ମନଟା ସେମିତି ପୁରି ଉଠିବ ବୋଲି କହିପାରିବନି । କି ହଳଦୀ ବର୍ଣ୍ଣ ବୋଲି ଯୋର ଦେଇ ହେବନି । ସାଧା କଥାରେ ସଫା ସ୍ତ୍ରୀଲୋକଟିଏ ଫୁଲିଲା ଫୁଲିଆ ମୁହଁ ଦେହ । କେଶ ପ୍ରାୟ ପାଚିଆସିଲାଣି। ସାମଲ ସାହି ପଟୁ ଆସେ ବୋଲି ଆମେ ତାକୁ ସାମଲ ବୁଢୀ ନାଁ ଦେଇଥାଉ। ସେ ସେଇ ଡାକରେ ଖୁସି ।
ଏଇଟା ନୂଆ ନୂଆ ଗୋଟେ କସମୋପଲିଟାନ ଅଞ୍ଚଳର ଶେଷ ଭାଗ । ପ୍ରାୟତଃ ଗ୍ରାମ୍ୟ ଭାଗରେ ହିଁ ଆମ ବସାଟି ଅବସ୍ତିତ । ସେହି ସୂତ୍ରରେ ପ୍ରାୟ ଘରେ ଭଡାଟିଆ ।
ପଡିଶା ଘରକୁ କାମ କରିବାକୁ ଆସୁ ଆସୁ ତା ସହିତ ଆମର ପରିଚିତି । ଆଉ ସେଇ ପରିଚିତି ଭିତରେ ଆମ ଘରକୁ କାମ କରିବାକୁ ଆସୁଥିବା କାମବାଲୀର କେତେବେଳେ ଯେ, ସେ ବିକଳ୍ପ ପାଲଟିଗଲା ତାହା ଆଉ ମନପଡେନି । ଆମ କାମବାଲୀ ସୁରମା ରହିବାର ତିନିବର୍ଷ ହେଲାଣି । ଦେହସୁହା କି କଣ ମିଛଟାରେ ଚାରିପାଞ୍ଚ ଦିନ ଅକୁହା ଅପୁଛା ଛୁଟୀ ରଖିଦେବ । ଆଇଁଶ ବାରରେ ବାସନ ପଡିଥିବ ଯେ ମନ ହେଉଥିବ ଗାଳି ଦେବାପାଇଁ । ଠିକ୍ ସେଦିନ କି ପରଦିନ ସେ ଆସିବନି । ଏମିତି ହେଉ ହେଉ ସାମଲ ବୁଢୀ ସେଇ ସବୁ ଦିନଗୁଡିକରେ କାମ ଚଳାଏ । ପାରିଶ୍ରିମିକ ଆଶାଥାଏ ନଥାଏ ଜଣାନାହିଁ । କେବେ କିନ୍ତୁ ମାଗେ ନାହିଁ । ତାର ଏଇ ସ୍ୱଭାବ ପାଇଁ ମାଆ ଘଷା ମୋଡା କାମଟିକୁ ଦୈନନ୍ଦିନ କଲେ ପାରିଶ୍ରମିକ ମାସକୁ ହଜାର ଟଙ୍କା । ସୁରମାର ଅନୁପସ୍ଥିତି, ମାଆ-ବାପାଙ୍କ ଘଷା ମଜା, ବେଳେବେଳେ ଘରସଫା କାମ ବି କରେ ବୁଢୀ । ଘରେ ହଉଥିବା ଭଲମନ୍ଦ କି ବଳକା ଖାଦ୍ୟ ପଦାର୍ଥ ପ୍ରାୟତଃ ତାହାରି ଭାଗରେ ହିଁ ପଡେ ।
ବାପା କହନ୍ତି ବୁଢୀର ହାତଟି ଭାରି ଟାଣ । ଥରେ ଘଷିଦେଲେ ଦେହଟା ଉଶ୍ୱାସ ଲାଗୁଛି ।
ବାପା ବୁଢୀ ଠୁଁ ବର୍ଷେ ଦି ବର୍ଷ ବଡ ହେବେ କି କଣ, କିନ୍ତୁ ବୁଢୀ ତାଙ୍କୁ ପୁଅ ବୋଲି ଡାକେ । ପୁଅ ପରି ସେବା କରେ । କଥା ପଡିଲେ କହେ ମୋର ଗୋଟେ ବୋଲି ପୁଅ ଗେରସ୍ତ ଗଲା ପରେ, ତାକୁ ଗେଲବସରରେ ବଢେଇଥିଲି । ଏବେ ସ୍ତ୍ରୀ ବୋଲରେ ମାରଧର କରୁଛି । ଖାଇବାକୁ ଦେଉନି । ମୋତେ ବ୍ଲଡପ୍ରେସର ରୋଗ, ତା' ପାଇଁ ଔଷଧ ତ ବହୁତ ଦୂରର କଥା !
ଏ ଘରେ ସେ ଘରେ କାମ କରି ନିଜ ପେଟ ପାଇଁ ଏସବୁ କରିବାକୁ ହୁଏ । ଗୋଟେ ବୋଲି ଝିଅ ଯେ, ଜ୍ୱାଇଁ ସହିତ ବିମନା ହୋଇ ମୋପାଖକୁ ଚାଲିଆସିଛି । ସାତବର୍ଷ ହେଇଗଲା .....ସେ ମୋ ବେକରେ ବନ୍ଧା । ମୋତେ ମିଳୁଥିବା ସରକାରୀ ଭତ୍ତା ସାଙ୍ଗକୁ ଏଇ ଦିପଇସାରେ ଆମେ ଦୁହେଁ ଚଳୁ । ଝିଅଟା କାମ କଲେ ମୋତେ ହାଲୁକା ହୁଅନ୍ତା ହେଲେ ମନଟା ମୋଟେ ମାନେନି । ତାର ଏମିତି ଅବସ୍ଥାରେ ଘରୁ ବାହାରି ଅନ୍ୟ ଦୁଆରେ ଠିଆ କରାଇବାକୁ ଅନ୍ତରାତ୍ମା ମନା କରେ । ସେ ସେଇ ଘରେ ଥାଇ ପାପଡ଼, ବଡି, ଆଚାର ବନାଏ ଆଉ ସେଇ ସବୁ ଜିନିଷ ଗାଁ ସ୍ୱୟଂ ସହାୟକ ଗୋଷ୍ଠୀ ନେଇଯାନ୍ତି । ତାର ବି ଦିନ ସାରା ପରିଶ୍ରମ । ଗଲା ବେଳକୁ ଏ'ସବୁ କାମ ସାରି ରୋଷେଇ କରିସାରିଥିବ, ଆଉ ଥକା ହୋଇ ବସିଥିବ ।ରାତିରେ ଘଷି ନଦେଲେ ତାକୁ ନିଦ ହୁଏନି । ସେ ବି କହେ ମାଆ ତୋ ହାତଟି ଭାରି ଟାଣ । ମୁଁ ମନେ ମନେ ହସେ ଆଉ କହେ ହିଁ ଟାଣ ହେଇନଥିଲେ, ଗେରସ୍ତ ଗଲାପରେ ଛୁଆଦିଟାକୁ ସତରେ କଣ ଆହାର ଦେଇପାରିଥାନ୍ତି ? ଭଲ ହେଉ କି ମନ୍ଦ ସେମାନେ କଣ କୂଳରେ ଲାଗିପାରିଥାନ୍ତେ ? ସେମାନଙ୍କ ଆଗରେ କିନ୍ତୁ ଏ ସବୁ କଥା କୁହାଯାଇପାରେନା । କହିଲେ ସେମାନେ ବୁଝିବେ କି ନାହିଁ କିଏ ଜାଣେ ? ତେଣୁ ଚୁପ ରହିବାକୁ ହୁଏ । ନିରବତାକୁ ଆପଣାର କରି କଥାମାନଙ୍କୁ ଚୋବେଇ ଗିଳିଦେବାକୁ ପଡେ । ହେଲେ ଏବେ ଆଉ ହେଉନି । କଥା ଗୁଡାକୁ ଗିଳିଲେ ମୁଣ୍ଡ ବୁଲଉଛି । ଦେହ ହାତ ଝିମ୍ ଝିମ୍ ମାରି ନେଉଛି ସତେ ଯେମିତି କେହି ଜଣେ ଶୋଷି ନେଉଛି ଜୀବନ । ଅସହାୟବୋଧ ଆବୋରି ପକାଉଛି ମୋତେ । ଅବଶପଣର ଭାରି ଅନୁଭବରେ ଭାଙ୍ଗି ପଡୁଛି ଦେହ ମନ । ଲାଗୁଛି ସେଇଠି ସରିଯିବ ପୃଥିବୀ । ଅନ୍ଧାର ଘୋଟି ଆସିବ । ଛାଇଯିବ ବିଶୁଦ୍ଧ ନିରବତା ।
ଦି ଦିନ ତଳେ ଝିଅଟା ପଚାରୁଥିଲା-ମାଆ ତୋର ବିପି ମେଡିସିନ୍ ସରିଯାଇଛି କି? ତୁଟା ଏମିତି ଫୁଲାଣିଆ, ଶେଥାଳିଆ ଦିଶୁଛୁ ଯେ ?
ସତରେ ସାରିଯାଇଛି ଔଷଧ । ଖାଇବାକୁ ଭୁଲିଯାଇନି । ମନେ ଅଛି । ହେଲେ ସତ ହେଉଛି ପଇସା ନଥିଲା ବୋଲି ଆଣିପାରିନି । ପଡିଶା ଘର ବାବୁକୁ କହିଥିଲି ମାସକ ପାଇଁ ନେଇ ଆସିବେ ହେଲେ ବାବୁ ବୋଧେ ଭୁଲିଯାଇଛନ୍ତି । ପ୍ରତିଥର ସେ'ହିଁ ଆଣିଥାନ୍ତି ଏଥର କିନ୍ତୁ ହାତରେ ଔଷଧ ନଥିଲା । ଡେରୀ ହେଲେ କଣ ଅଛି ଯେ, ଔଷଧ ଆସିଲେ ଖାଇନେବି । ସେଇଥିପାଇଁ ମୁଣ୍ଡ ଘୁରଉଛି । ପାଦ ଠିକ୍ ରେ ତଳେ ପଡୁନି । ହେଲେ ପାଇଟି ପାଇଁ ଚାରିଦୁଆର ନଗଲେ ନଚଳେ। ସେଇଟା ସତ ସେଇଥିପାଇଁ ତ ଅଭିଯୋଗ ନାହିଁ । କଲେ କାହାକୁ ଓ କାହିଁକି କରିଥାନ୍ତି ତାହା ବି ଜଣା ନାହିଁ ।
କଣ ଶୋଇପଡିଲ କି ପୁଅ ?
ବାପାଙ୍କ ଉଦ୍ଦେଶ୍ୟରେ ଏତେ କିଛି କଥା କହୁଥିବା ସାମଲ ବୁଢୀର କଥା କିନ୍ତୁ ବାପାଙ୍କୁ ଶୁଭୁନଥିଲା ।କାରଣ ବୁଢୀର ଘଷା ମୋଡ଼ାରେ ଆଖିକୁ ଛାଇ ନିଦ ଲାଗି ଆସିଥିଲା, ଶୋଇପଡିଥିଲେ ବାପା । ମୁଁ କିନ୍ତୁ କଇଳାଶ ଗିରିକନ୍ଦରର ସେଇ ଅଭ୍ୟେଦ ଗୁମ୍ପା ଭିତରେ ଥିବା ଶୂକପକ୍ଷୀ ପରି ବୁଢୀର ସେଇ ସବୁ କଥାକୁ ଶୁଣି ଚାଲିଥିଲି । ଏ ଭିତରେ ନିଜର ମନକଥାକୁ କହି ହାଲୁକା ହୋଇଯିବାକୁ ଚାହୁଁଥିବା ଜଣେ ମଣିଷ ହଠାତ୍ ତା କଥା ଯେ କେହି ଶୁଣୁନାହାନ୍ତି ତାହା ଜାଣିଲା ପରେ ଦୁଃଖୀ ହେବା ସ୍ୱଭାବିକ ।
ବୁଢୀର ନାକ ପୁଡାରୁ ପୁଳାଏ ଦୀର୍ଘଶ୍ୱାସ ବାହାରିଗଲା ବେଳେ ମୁଁ କହିଉଠିଲି ମେଡିସିନ୍ ଆସିଲା ନା ମଗେଇ ଦେବି?
ବୁଢୀ ମୁହଁର ଦ୍ୟୁତି ଫେରି ଆସିଲା । ସେ ପରମ ତୁପ୍ତିରେ ମୋ ଆଡକୁ ଚାହିଁ କହିଲା- ପୁଅଟା ଶୋଇ ପଡିଲା କି କଣ? ସଂଧ୍ୟା ବେଳଟା, ଆଉ ଦଶମିନିଟ୍ ପରେ ଉଠାଇ ଦେବୁ ଝିଅ । ଔଷଧଟା ବାବୁ ଆଣି ଦେଇଛନ୍ତି । ଘରେ ଗଲେ ଗୋଟେ ଖାଇନେବି । ଭଲଲାଗିବ ।
ମାଉସୀ ଏଇ ବିପି ମେଡିସିନଟା ଜମାରୁ ଭୁଲିବିନି । ଘରେ ପଛେ ଆଗୁଆ ପାଞ୍ଚଦିନର ଥିବ କିନ୍ତୁ ଆରମାସ ପାଇଁ ମଗେଇଦେବ ।
ହଁ ରେ ଝିଅ ଠିକ୍ କହିଛୁ । ବୟସ ଯାଉଛି । ଆଉ କୋଉ ବଳ ଅଛି ଯେ, କାମ ସବୁକୁ ପାରିବି? ଦେଖି ଚାହିଁ କରୁଛି । କୋଉ ଦିନ ଟିକେ ଖଟଣୀ ପଡିଲେ ନିଆଁ ଲଗା ବେମାରଟା ସାଇଁକିନା ଧରୁଛି ମୁଣ୍ଡକୁ, ଯେମିତିକି ଏଇ ଲାଗ୍ ତଳେ ପକେଇ ଦେବ । ଛାତି ଭିତରଟା ରୁନ୍ଧି ପକେଇବ !
ଆଉ ବେଶୀ ବେଳ ଯାଏଁ ରହନି ମାଉସୀ, ସେଥିରେ ଦିହ ବି ଭଲ ନାହିଁ ।
ଏଇ ତରକାରୀ ଟିକକ ନେଇକି ଯିବ । କାଲି ଦେହ ଭଲ ଲାଗିଲେ ଆସିବ ନୋହିଲେ ଆସିବନି ।
ଦେହରୁ ଝାଳ ଫିଟି ପଡୁଥାଏ । ଲୁଗାକୁ ଦେହଉପରେ ସାଉଁଟୁ ସାଉଁଟୁ ମୁଁ ଦେଇଥିବା ତରକାରୀ ଗିନାଟା ଧରି ଘରୁ ଗୋଡକାଢିଲା ସାମଲ ବୁଢୀ ।
କାହିଁକି କେଜାଣି ତାର ସେଇ ଯିବା ରାସ୍ତା ଆଡକୁ ଚାହିଁ, ମୋ ମନ ତଳଟା ଓଦା ଓଦା ହୋଇଗଲା ।
..............
ରାତି କେତେ ହେବ କେଜାଣି ମୋବାଇଲ ଫୋନ୍ ଶବ୍ଦରେ ନିଦଭାଙ୍ଗିଲା ।ଉଠି ଘଣ୍ଟାକୁ ଚାହେଁ ତ ସମୟ ବାରଟା ବାଜିବାକୁ ଦଶମିନିଟ୍ । ଏତେ ରାତିରେ କିଏ ହୋଇପାରେ ? ଆମ ଅଞ୍ଚଳରେ ସଂଧ୍ୟା ଆଠଟା ବେଳକୁ ଖିଆପିଆ ସାରି ଲୋକ ସବୁ ଶୋଇବାକୁ ଚାଲିଯାନ୍ତି । ରାତି ବଢିବା ସହିତ ଏ ଫୋନ୍ ଆସିବାର ସମ୍ଭାବନାଟା ସେତିକି ସେତିକି କ୍ଷୀଣ ହୋଇ ହୋଇଚାଲେ । ତେଣୁ ଫୋନ ଆସିବାର ସମୟ ମୋତେ ବିବ୍ରତ କରିତୋଳୁଥିଲା । ଅସମୟରେ ଫୋନ, କୌଣସି ଏକ ଆଲୋଡନକାରୀ ସମ୍ବାଦର ସଙ୍କେତ ବି ହୋଇପାରେ !
ମୋତେ ଗୋଟେ ପ୍ରହାରର ନିଦ ଭାଙ୍ଗିଗଲା ପରି ଲାଗୁଥାଏ । ଫୋନ୍ ଉଠାଇଲି ଯଦିଓ ମନରେ ଅନେକ ଶଙ୍କାର ସମାହାର ।
ପଡିଶା ଘର ଦାସବାବୁଙ୍କ ସହଧର୍ମଣୀ ସରିତାଙ୍କ ଫୋନ୍ ଥିଲା-ଗାଢ ନିଦରେ ଶୋଇ ପଡିଥିଲ ବୋଧେ । ଭାବୁଥିଲି ଫୋନ୍ କରିବିନି । କିନ୍ତୁ ମନଟା ମାନିଲାନି .....! ଖାଲି ଗୋଳେଇ ଘାଣ୍ଟି ହେଲା । କହିଦେଲେ ମନ ହାଲୁକା ହୋଇଯିବ ବୋଲି ଚିନ୍ତାକରି କହିଦବାଟା ଭଲ ବୋଲି ଭାବିଲି । ତାପରେ କାଲି ତା'କୁ ଖୋଜିଲେ କି ତା ଉପରେ ଭରଷା କରି କିଛି କଥା ବାକିଥିଲେ ହଇରାଣ ହେବେ । ସେ ତ ଆଉ ଆସିବନି ! ଏଣେ ଆପଣଙ୍କ କାମସବୁ ପଡିରହିଥିବ !
-କାହା କଥା କହୁଛନ୍ତି ?
-ସାମଲ ବୁଢୀ କଥା କହୁଛି ମ !
-କାହିଁ ତା ଦେହଟା କଣ ବେଶୀ ଖରାପ ହେଲାକି ?
-ସାମଲ ବୁଢୀ ଆଜି ସଂଧ୍ୟାରେ ଚାଲିଗଲା । ବୋଧହୁଏ ଏଣେତେଣେ କାମ ସାରି ଫେରିବା ରାସ୍ତାରେ ହିଁ ...!
ମୁଁ ଚମକି ପଡିଲି । ଏମିତି କି ଦୁର୍ଘଟଣା ହେଲା ? ବୁଢୀ ଦେହ ବେଶୀ ଖରାପ ହୋଇଗଲା କି ? ଏଇଠି କେଇ ଘଣ୍ଟା ଆଗରୁ ଆସିଥିଲା , ଗପୁଥିଲା କାମ କରୁଥିଲା । କଥା କୁହା ମୁହଁଟା ଏବେ ବି ସତେଜ ସତେଜ ଲାଗୁଛି । ଆଖିଆଗରେ ଭାଙ୍ଗିଯାଉଛି ତା ମୁହଁ । ବିଶ୍ୱାସ ହେଉନି । ସାମଲ ବୁଢୀ ଚାଲିଯାଇଛି । ଚାଲିଯିବାଟା କଣ ଏତେ ସହଜ ସରଳ ହୋଇପାରେ ? ଅକୁହା ଅପୁଚ୍ଛା ଗଲା ପରି ସେ ଚାଲିଯାଇଛି । ଫେରିବନି ବିଶ୍ୱାସ ହେଉନି । ଅଠା ଅଠା ହୋଇଯାଉଥିଲା ପାଟି ।
-ଠିକ ଖବର ଶୁଣିଛନ୍ତି ତ ?
-ହଁ ଏଇ କିଛି ସମୟ ଆଗକୁ ଖବର ପାଇଲୁ । ପାଇଟି ସାରି ଫେରିବା ରାସ୍ତାରେ ଖସି ପଡିଲା ବୁଢୀ ।ପାଖ ଲୋକେ ଘରେ ପହଞ୍ଚାଇ ଦେଲେ । ଘରେ ସଭିଙ୍କ ସହିତ କଥାବାର୍ତ୍ତା ହେଲା । ଭଲଅଛି ବୋଲି କହିଲା । ତାପରେ ଦୁଇଥର ବାନ୍ତି କରିଛି ସବୁ ଶେଷ । ରୋକ ଠୋକ୍ ମରଣ । ସେଇ ରକ୍ତଚାପ ରୋଗଟା ଜୀବନ ନେଇଗଲା ।
ପୁଳାଏ ଦୀର୍ଘଶ୍ୱାସ ବାହାରିଗଲା ମୋ ନାକପୁଡାରୁ । ଲଥ ହୋଇ ବେଡ ଉପରେ ବସୁବସୁ ଭାବୁଥିଲି । କଣ ହେବ ବୁଢୀର ସେଇ ଝିଅଟି ଅବସ୍ଥା ଯେ ତା ମାଆ ଉପରେ ଭରଷା କରି ଚଳିଆସିଛି । ତାକୁ ତା ଭାଇ ଠିକ୍ ରେ ପଚାରିବ ତ ?
ଏମିତି ଅନେକ ଖାଇ ଗୋଡେଇଥିବା ପ୍ରଶ୍ନ ଭିତରେ ଅନ୍ୟମନସ୍କ ଭାବରେ ଫୋନ୍ ରେ କହିଲି-କାଲିଟିକେ ତା ଘର ଆଡୁ ବୁଲି ଆସିବା ?
ଅପରପକ୍ଷରୁ ଶୁଣାଯାଉଥିଲା ମୁଁ ବି ସେଇକଥା ଭାବୁଥିଲି ।
*******