STORYMIRROR

Rajib Gopal Swain

Others

3  

Rajib Gopal Swain

Others

ଭିକାରୀ

ଭିକାରୀ

3 mins
588



୧-

ନିଜ ଛିଣ୍ଡା ଚପଲ,ଗାମୁଛା କୁ ସାଉଁଟି ନେଇ ନିରାଶ୍ରୟ ,ରୁଗ୍ଣ ବଳହୀନ ମହରଗା ଦେଉଳ ଅଗଣା ରୁ ଉଠି ସାରିଥିଲା । ଅନ୍ତତଃ ଆଜିର ଅନ୍ନ ଚିନ୍ତାରୁ ମୁକ୍ତି । ବେକରେ ଗାମୁଛା ଟି ଗୁଡ଼ାଇ ନେଇ ଭଗବାନ ଙ୍କ ଉଦ୍ଧେଶ୍ୟରେ ହାତ ଟେକିଲା ବେଳେ ଆଖି ତା'ର ଛଳ ଛଳ ଲାଗୁଥିଲା। 


ସବୁଦିନ ପରି ଜଗା କାଳିଆ ଚାଳିଆ ହୋଟେଲ ତାକୁ ଅପେକ୍ଷା କରିଥାଏ । ସେ ସେଇଠି ପହଞ୍ଚିଲା । ହୋଟେଲ ମାଲିକ ବସନ୍ତ ସେଦିନ ମହରଗାର ଝୁଲିରେ ପଡିଥିବା କେଇଟା ଟଙ୍କା ପ୍ରତିବଦଳରେ ପତର ଖଲି ରେ ବାଢ଼ିଦେଲା ମୋଟା ମୋଟା ଉଷୁନା ଭାତ, ଚଣା ଡାଲି, ଆଳୁ ଭରତା, ପିଆଜ ଦି ଖଣ୍ଡ, ଦି'ଫେରା ଆମ୍ବୁଲ ସାଙ୍ଗକୁ କଞ୍ଚା ଲଙ୍କା । ତାକୁ ଧରି ଝଙ୍କା ବରଗଛ ମୂଳ କୁ ଚାଲି ଆସିଲା ମହରଗା । ସେଇ ପାଖରେ ସରକାରୀ ନଳକୂଅ । 


ଭୋଜନ ପୂର୍ବରୁ ଚଉପତିରେ ମେଞ୍ଚେ ପାଣି ଦେଇ ଲୁଣ ଲଙ୍କା ପିଆଜ ଆଉ ଆମ୍ବୁଲ କୁ ଚକଟି ମହରଗା ଭଗବାନ ଙ୍କୁ ସ୍ମରଣ କରିବା କୁ ଯାଉଛି ସାମ୍ନା ରେ ଦିଶିଲା ବକଟେ ପିଲା । ଦିଶୁଥାଏ ଭୋକିଲା ହାଲିଆ । ବସନ୍ତ କୁ କଣ ଯୋଡିଏ ପେଟ ପୁରାଇବା ପାଇଁ କାକୁତି ମିନତୀ ହୋଇ ମାଗୁଥାଏ । ଦୂର ଦୂର କରୁଥାଏ ବସନ୍ତ । ଆଶାହୀନ ପିଲାଟି ଚାପା କଳ ରୁ ଢକ ଢକ କରି ପାଣି ମୁନ୍ଦିଏ ପିଇ, ସେଇ ସମାନ ଗଛ ମୂଳେ ଲଥ କରି ବସି ପଡ଼ିଲା । 


ପୁଳାଏ ତତଲା ଦୀର୍ଘଶ୍ବାସ ବାହାରିଗଲା ମହରଗା ର ନାକ ପୁଡା ରୁ ....


ପିଲାଟିକୁ ପାଖକୁ ଡାକିଲା ମହରଗା । ଖଲି ପାଖରେ ବସିବା ପାଇଁ ଇଙ୍ଗିତ କଲା ବେଳେ ସଂକୋଚ ରେ ଶଙ୍କୁଡ଼ି ପଡୁଥାଏ ପିଲାଟି । ତଥାପି ସେ ବସିଲା । ଲାଜ ଉପରେ ଭୋକ ର ଓଜନ ଟା ଭାରି ଭାରି ହେଇ ଆସୁଥାଏ କି କଣ....ମହରଗା ଦେଉଥିବା ଡାଲି ଭାତ କୁ ମୁହଁ ଖୋଲି ସେ ଗିଳି ଚାଲିଥିଲା , ଯେମିତି ଏଇଠି ସରିଯିବ ପୃଥିବୀ । ପିଲା ଟି ପାଇଁ ବୁଝିବା ଟା ପଛରେ ରହିଗଲା ଯେ, କିଛି ପୂର୍ବରୁ ଭାତ ବାଢି ବସିଥିବା ଲୋକ ଟି ବି ଭୋକିଲା ଥାଇପାରେ । 

ସେ ଇଙ୍ଗିତ କରି ପେଟ ପୁରିଗଲା ବୋଲି କହିଲା ବେଳକୁ ଖଲି ପ୍ରାୟ ଖାଲି । ସେଇ ଅଳ୍ପ କିଛି ବଳକା ଖାଦ୍ୟ କୁ ଖଟା ପାଣି ସହିତ ଗିଳିଦେଇ ମହରଗା କଳ ପାଣି ରୁ ପେଟପୁରା ପାଣି ପିଇ ନେଲା । 

ଅନୁଭବ କରୁଥିଲା, ସତେକି ଏଇଲାଗ ସେ ମହାପ୍ରସାଦ ସେବନ କରିଛି ।



୨-

ଶ୍ରୀକାନ୍ତ ବାବୁ ସହର ର ପ୍ରଥମ ଶ୍ରେଣୀରେ ଯାଉଥିବା ଲୋକଙ୍କ ଭିତରୁ ଜଣେ । ସେ ସମ୍ପୂର୍ଣ୍ଣ ସାକାହାରୀ । ଠାକୁରଙ୍କ ଉପରେ ତାଙ୍କର ଅଗାଧ ବିଶ୍ୱାସ । ଆପଣମାନେ ଏହି ବିଶ୍ୱାସ କୁ ଡର ବି କହି ପାରନ୍ତି ।


ସେ ପୁଅ ର ବ୍ରତ ପାଇଁ ଶ୍ରୀପୁରୁଷୋତ୍ତମ ମନ୍ଦିର କୁ ଚୟନ କଲେ । କାରଣ ନିରାମିଷ ଭୋଜନ ସହିତ ଏହି ଧାର୍ମିକ ପାରମ୍ପରିକ କର୍ମ କୁ ଡାକୁଥିବା ଲୋକମାନଙ୍କ ସଂଖ୍ୟା କିଛି କମ ନଥିଲା । ଆୟୋଜନ ଦୃଷ୍ଟିକୋଣରୁ ଶ୍ରୀପୁରୁଷୋତ୍ତମ ମନ୍ଦିର ଏମିତି ସବୁ କାର୍ଯ୍ୟକ୍ରମ ପାଇଁ ସହର ରେ ବେଶ ଜଣାଶୁଣା । ଯେହେତୁ ଏହା ପରିଚାଳନା କମିଟି ର ନିଜସ୍ୱ ଆଦେଶ ରେ ପରିଚାଳିତ ତାହା ଉପରେ ଅନ୍ୟ କାହାର ହସ୍ତକ୍ଷେପ ଚଳେ ନାହିଁ । ଗ୍ରହଣ ଯୋଗ୍ୟ ବି ହୁଏ ନାହିଁ ।ମନ୍ଦିର କମିଟି ହିଁ ସବୁ ବ୍ୟଞ୍ଜନ ପ୍ରସ୍ତୁତ ର ଭାର ନେଇଥାନ୍ତି । ସେ କଥା କୁ ନେଇ ମୁଣ୍ଡ ବଥାଏ ନାହିଁ । ମନ୍ଦିର ପାଇଁ ସବୁବେଳେ କାମ କରି ଆସୁଥିବା ଟେଣ୍ଟ ସହିତ ଅତିଥି ଅଭ୍ୟାଗତଙ୍କୁ ନେଇ ଟେଣ୍ଟ ର ଆକାର ଓ ପ୍ରକାର ଉପରେ ବି ଅଲୋଚନା ହୋଇଥାଏ । 


ସଂକ୍ଷେପରେ ଏହି ମନ୍ଦିରଟି କୌଣସି ବିବାହ ମଣ୍ଡପ ଠାରୁ ନ୍ୟୁନ ନୁହେଁ ।

.....….......................


ସେଦିନ ମନ୍ଦିର ର ପ୍ରାୟ ସବୁ ନିତ୍ୟ କାର୍ଯ୍ୟ ଗୁଡିକୁ ତ୍ୱରିତ ବେଗରେ ସାରିବା ପାଇଁ ନିଷ୍ପତ୍ତି ହୋଇସାରିଥାଏ । ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରାଙ୍ଗଣରେ ବସୁଥିବା ଭିକାରୀ ମାନଙ୍କୁ ଆଗଣା ବାହାରେ ରହିବା ପାଇଁ ପରାମର୍ଶ ମିଳିସାରିଥାଏ । ଶ୍ରୀକାନ୍ତ ବାବୁ ଙ୍କ କଡା ନିର୍ଦ୍ଦେଶ, ଭୁଲରେ ବି ଯେମିତି କୌଣସି ଭିକାରୀ ଭିତରକୁ ନପଶନ୍ତି । ଯଦିବା ସେମିତି କିଛି ତାଙ୍କ ନଜର କୁ ଆସେ ତେବେ ନିହାତି ନିର୍ଦ୍ଧାରିତ ଟଙ୍କାରୁ କମ ପୈଠ କରିବେ, ଆଉ ସେତେବେଳେ ତାଙ୍କୁ ଦୋଷ ଦିଆଯାଇ ପାରିବ ନାହିଁ । ତାହା ସେ ଆଗରୁ ରୋକଠୋକ ଜଣାଇ ସାରିଥାନ୍ତି। 


ଏହା କୁଆଡ଼େ ତାଙ୍କ ପାଇଁ ସମ୍ମାନ ର ପ୍ରଶ୍ନ । 




Rate this content
Log in