ହୁତ୍
ହୁତ୍


ନିତେଇ ମା' ର ପୁରୁଣା ପେଟ ବେମାରୀ ଟା ବାହାରିଛି ।ତିନି ଦିନ ହେଲାଣି ପେଜ ମୁନ୍ଦେ ପି ,କତରା ଲାଗିଲାଣି ।ବୋଉ ଲୋ ବାପଲୋ ଚାଲିଛି ।ବଇଦ ଆଜି ଯେମିତି ହେଲେ ଦେଖେଇବି, ହବନି ନଇଲେ ।
ହଜୁରୀ ତା ବିଚିକିଟିଆ ଗାମୁଛା ଟା ଦି'ଥର ଝାଡି ତା କାନ୍ଧ ରେ ବସିଥିବା ସବୁ ମାଛି ଙ୍କୁ ଏକା ସାଙ୍ଗେ ଡରେଇଲା ।ହେ ... ଯ......ଅଳପଇସିଏ ।ଗାମୁଛା ଟି ପୁଣି ସ୍ବସ୍ଥାନ ଅଧିକାର କଲା ତାର ସବୁ ମାଛି ଙ୍କ ସହ ।ବାଁ ହାତରେ ହାସୁ ହାସୁ କରୁ କରୁ ନାକ ଜୋର୍ କରି ସୁଉଁଉଁ କଲା ଆଉ କାନ୍ଥ ରେ ପୁଣି ସେମ୍ ଗାମୁଛା ରେ ବିଶି ଆଉ ବୁଢା ଆଙ୍ଗୁଠି ଦିଟା ଘସି ଆଣିଲା ।ମାଛି ମାନେ ଭୋଜି ପାଇଁ ସ୍ଥାନ ପରିବର୍ତ୍ତନ କଲେ ........ ଣିଁ ଣିଁ ଣିଁ କରି ।
କଣ କୋଉଠୁ ଯୋଗାଡି ହବ ,ଭାବିଲା ହଜୁରୀ ।ବୁଢୀ ପୁଣି ଆର୍ତ୍ତିଲା ,ବଡ ପାଟିରେ କହିଲା ମରିଗଲି ଲୋ ,ମୋ ପେଟ ।
ବୁଢା କହିଲା, ହେ ରହ ଲୋ ଅତର୍ଛା ହନା, ବାଟ ଖୋଜୁଛି ।କିଛି ହବାକୁ ଦିଅନ୍ତି କି ମୁଁ ତତେ, ହାତ ଧରିଛି ବା ।ଭରସ ଟିକେ ।
ବୁଢୀ ନାକ ଚିପି ତୁନୀ ପଡେ ।
ଡିବା, ବୁଜୁଳା ସବୁ ଉଣ୍ଡାଳେ ଶିରାଳ ହାତ ଯୋଡି, ଆଠେଣିଟେ ବି ମିଳେନି ।ଡାକତର କାଳେ ଥରେ ଦେଖିଲେ ଚାରି ଶତ ନିଏ ।ଫୁଣି ପଥି ପାଞ୍ଚଣ, ଦବାଦାରୁ ଅଛି ।ହଉ ଦେଖେ।
ବୁଢା ନୀରବରେ କୋହ ଚାପେ ଆଉ ଆପେ ଶୁଭିଯାଏ, ହେ ମହାପୁରୁ ନିରିଦୟ ହନା ରେ ନି....ରି.....ଦୟ..... ........ ନା ।
ଖୁଁ ଖୁଅଁ ଖୁଁ ।ଭଲା ଏ ନିଆଁ ଲଗା ଖାସ କୁ ବି ଏଇଖିଣା ହବାର ଥେଲା, ଅନିଷା କରି ବଇଥେଲା କି କଣ କେମିତି ।ଆମରି ମୁଣ୍ଡେରେ ସବୁ ଚଡକ ଏକାଠି ।
ବୁଢୀ କୁନ୍ଥେଇଲା ଶବ୍ଦ ।କଣ ଫେଣି ଖାସ ହେଲେଇ କି ର ଅଧିକାର ବାଲା ଜେରା ।
ନା......ଇଁ ବା ।କିଛି ନୁ..........ଅଁ ।ତୁ ଶୋଇଥା କି ମୁଁ ଆଉଛି ଟୋପା ।
ବାରି ର ହଳଦୀ ଗୁରୁ ଗୁରୁ କାନ୍ଦିଏ କଦଳୀ ଧରିଛି ।ମହାଦେବଙ୍କ ଠି ନାଗି କରିଆକୁ ଜାଚଙ୍ଗା ଥେଲା, ହଉ ଏ ସନ ଜୀଁ ଯାଉ ଆଗେ ।
ଝୁଡି ପାଛିଆ ଟି ଓଲଟେଇ ପୋଲଟେଇ ବାଡେଇଝାଡିଲା ।ଜୋଡେ କସରା ଝିଟିପିଟି ଅତର୍କିତ ଧାଇଁ ଗଲେ ଦି ପଟକୁ ।ସଃ ।କହିଲା ବୁଢା ।
ବୁଢୀ ର ନୁଗା ରୁ ଖଣ୍ଡେ ପାରିଲା ତହିଁରେ ଯତନେଇକି ।ଦା ରେ କଦଳୀ କାଟି ଆଣି ଥାପିଲା, ନଇଁ ପଡି ମୁଣ୍ଡ ରେ ଠେକି ଭିଡି ଟେକି ନେଲା ।ପାଦ ମାନେ ଆପେ ଚଳିଲେ ।
ବୁଢୀ ପଛରୁ କହୁଥିଲା, ନୋକନାଥଙ୍କ ଅମୁଣିହା.....ମୋ ନିତେଇ ପେଇଁ ଜାଚିଛି ।ତାକୁ ଛୁଅଁନା କଉଚି ।
ଅଣଶୁଣା କଲା ଜାଣିକି ।
ହେ !ଧେତ୍ ।କଇଲା କଣ ନା ନିତେଇ ପେଇଁ ।ହୁଁ ।ନିତେଇ ନା ଫିତେଇ,ଚାରିବରଷୁ ଖବର କି ଅନ୍ତର ନାଇଁ, ପରତେ ଯାଉନି ।ଅଛି କି ନାଇଁ ।ଯିଏ ଅଛି ସିଏ ତ ବଞ୍ଚୁ ।
ବୋଧେ ରାଗ ପରି ଶୁଭୁଥିବା ବାପର ଛାତି ତଳ କୋହ ମିଶା ଲୁହାଭିମାନ ଟେ ।
କଅଅ ଦଅଅଅ ରେ ହର୍ସଇ ଳ ,କଦିଳ......... କଦଳୀ ,କଦଳୀ ।।
ସଟ୍ ଡାଉନ୍, ଲକ୍ ଡାଉନ୍ ଖେଳ ରେ ବୋର ଜନତା ବାଧ୍ଯ ଖେଳାଳୀ ।କାନରେ ଯାହା ବିକା ନାଁ ପଡିଲେ ଆଗେ ବେଶୀ କି ଆଣି ସଂଚିଦେବି ର ମନବୃତ୍ତି ରେ ଜୀଇଁ ଲାଣି ଆଜିକାଲି ।ମିଳିମିଶି, ବାଣ୍ଟିକୁଣ୍ଟି ଆଉ ଦିଶୁନି ।ଲୁଚିଛି ।ଉଙ୍କିବ ଯେ ଦିନେ ।
ଅଳପ ପଇସା ଖୁଚୁରା ଦଶ ଦଶ ରେ ଡଜନେ ।ଏ କେ ଫ୍ରେସ୍ ପୁଣି ଶସ୍ତା ।ଭିଡ ଗାଢେଇଲା ।ଫଳ ବଢେଇ ବଢେଇ ଦଉଥାଏ ଅଣ୍ଟା ରେ କୋଚା କରି ଦଶ କୋଡିଏ ମକଚି ଗେଞୁଥାଏ ।ନ ଖସିବ ଯେନ୍ତି ।ତା ସୁନାନାକି ର ବେମାର ପାଇଁ ସଜିଲ ଇଏ ଟି ,କଣ କ ମ କ ଥା ।
କଣ ଗୋଟେ ଜୋର୍ କାଟିଲା, ହାତ ଆପେ ବୁଲିଆସିଲା ମୁଣ୍ଡେରେ ମା ଲୋ କହିକି ।ତଟକା ରକତ ସହ ।
ଖାକି ବାବୁ ମାନେ ଧଡ୍ ଧାଡ୍ କରି ରୋଲ ବାଡି ଚଲେଇ ଗୋରୁ ଗାଇ ଭଳି ଭଗେଇଲେ ।କଦଳୀ ଖାଲି ଝୁଡି ଆଉ ମୁଣ୍ଡ ଧରି ବସିଗଲା ଚାରିଦିନ ଭୋକିଲା ହାଡ ବୁଜୁଳାଟି ।ଓଜାରି ହେଇଗଲା ପରି ।
ହେ ,ହେ ମୋ ପଇସା ଦେଇ ନଥିଲେରେ ସେ ଶେଷ ବାବୁଭାୟା ଦିଟା ।ଫଳ ନେଇଗଲେ ।
ବାଡିରେ ଖେନ୍ଚା ବାଜି ପିଠି ପୋଡିଲା, ହାତେ ଦୂରରୁ ଖାକି ବାବୁ କହିଲେ ହେ ବୁଢା ଚାଲ୍ ତିନିଶ ଫାଇନ୍ ଦେ ।ଶଳାଃ, ଏଠି ସଟ୍ ଡାଉନ୍ ଚାଲିଛି ୟାର ବଜାର ମେଲିଲା ।ଦେ ବେ ।ବାହାରକର ।
କନମୁଣ୍ଡା ଝାଇଁ ଝାଇଁ ମାରୁଥିଲା, ରକତ ଟାଣେଇକି ଅଠା ଆଉ ଗାଢା ରଙ୍ଗ ଦୁଶୁଥିଲା ।ବୁଢୀ ମୁଣ୍ଡ ରେ ଯେମିତି ଦିଶେ ।ଦି ଟଙ୍କା ର ସିନ୍ଦୁର ଜାଗରଣ ଜିଗର କରି କିଣେ ।କହେ ହାତେରେ ଦି ପଟ ପାଣିକାଚ ଆଉ ମଥାରେ ଟିପେ ନାଲି କାଳେ ତା ସଉଭାଗ ।ସଃ।ହେଇ ଆଜି ମୋ ଚୋପା ଛାଡିଗଲା, ବୋହୁଛି ତ ନାଲି, କମ ସଉଭାଗ ମୁଁ ପାଉନି କି ।ଭାବୁଛି ହଜୁରୀ ।
ଆବେ କଣ କବିତା ଲେଖିବୁ ବେ ।ଦେ ଶୀଘ୍ର .....ଶଳା ଭାବିଲା ବସି ।
ନାଇଁ ଆଜ୍ଞା ହଜୁରୁ ଗରିବ କୁ ସଦୟ ହୁଅନ୍ତୁ ।ମରେ ବଞ୍ଚେ ହାଲତରେ ମୋ ଭାରିଯା ପଡିଛି, ଅଉଷଧ ଦିଟା ନେବି ହଜୁରୁ, ମରିଯିବ ନହେଲେ ।ଆଜ୍ଞା ।
ହେ ଦେ ବେ ।ନଖରା କରନା ।
ଆଜ୍ଞା ଏଇ ଆଉ କଦଳୀ ଯୋଡେ ଅଛି, ନେଇଯାନ୍ତୁ ପଛେ ।
ଗୋଇଠା ଗୋଟେ ଆଣ୍ଟିକି ଅଣ୍ଟା ରେ ବସିଲା ।କଙ୍କାଳ କଁ କଲା ।
ମୁଠେଇକି ଧରିଲା ହଜୁରି ଖୋଷଣିକି ।ତଳକୁ ସେମିତି ମୁହଁ କରି ଗଣଗଣେଇଲା, ଦେବିନି ଜମା ଦେବିନି, ମୋ ସୁନାନାକି ପେଟ ଭଲ କରିବି ।ନା ନା ଦେବିନି ।
ହାର୍ଡ ବୁଟ୍ ର ଧମାଧମ୍ ରେ ଗରିବ ଚେତା ହରେଇଲା ।ଖରା ଧଅସ ରେ ଚେତା ଫେରି ପାଦ ଘୋସାରିଲା ଆଉ ଚାଳିଆରେ ପହୁଞ୍ଚିଲା । ଅଣ୍ଡାଳି ହଳଦି ଚିମୁଟେ ଫଟା ଜାଗାରେ ଘସିଦେଲା ।ମୁଠାଏ କୋଉଠି ଥାଏ ଯେ ।ଧାପେ ଚାଉଳ ଟିଣା ଝାଡି ବେକ ଭଙ୍ଗା ଫାଟିଲି ଡେକ୍ଚି ରେ ବସେଇଲା ଦିଟା କୁଟାକାଠି ନଳରେ ଚୁଲିକୁ ଗେଞି ଦେଇ ।ହୁତ୍ କି ନିଆଁ ।ପେଟରେ ବି ସେଇ ହୁତ୍ ।
ଖଟ ପାଖକୁ ଗଲା ।କାଇଁ ବୁଢୀ ର କିଛି ଉଁ ଆଁ ନାଇଁ ।ଆଲୋ କଣ ହେଲା ଲୋ ।ଶୋଇଗଲୁ କି ।ଦିଟା ଭାତ ଫୁଟେଇଥେଲି, ଆ ମୁଠେ ପାଟିରେ ଦେ ।
ଆଲୋ! ଉଠୁନୁ ।କାନ୍ଦୁନୁ ।କଣ ବା ।ବାହୁନୁନୁ ।ଏ ଏ ସୁନା, ସୁନା ଲୋ ।ସୁ........ନି ।ହାତ ପାଦ ଏଡେ କାକର କାଇଁ ଲୋ ।ହେ ବୁଢୀ ।ମୁଁ ଯୋଗାଡି ଦେବି ବା ।ଫିକର କରନି ।କିଛି ହବନି ବା ।ଚିନ୍ତିନା ।ପଥି ଆଣିଦେବି ମୁଁ ଯୁଆଡୁ ହେଲେ ।ଏ ଏ ଏ ରେ ।
ଭାତ ମୁଠାକ ଉତ୍ତୁରି ଚୂଲିରେ .......... ହୁତ୍ ।