Golak Bihari Sahoo

Abstract

4  

Golak Bihari Sahoo

Abstract

ହସର କଥା

ହସର କଥା

6 mins
14.2K


ହସର କଥା

ଗୋଲକ ବିହାରୀ ସାହୁ 

ଆପଣ ହସି ଜାଣନ୍ତି ? କେମିତି ହସ ? ମୁରୁକି କି ନିଲଠା? ଠୋ ଠୋ କି ହୋଃ ହୋଃ କିମ୍ବା ହେଃ ହେଃ ? ଆଛା, ଆପଣ କେମିତିକା ହସକୁ ଭଲପାଆନ୍ତି ? ଟଙ୍କିକିଆ ହସ ନା ପାଞ୍ଚ ପଇସିକିଆ ? ସେ ଯାହାହେଉ, ଯଦି ଆପଣଙ୍କୁ କେହି ହସିବାକୁ କହେ କିନ୍ତୁ ଆପଣ ହସି ପାରୁନାହାଁନ୍ତି ତେବେ ଆପଣ କ'ଣ କରିବେ ? 

ସାଧାରଣତଃ ମଣିଷ ମନରେ ଏକ ଖୁସିବାସିଆ ଉତ୍ତେଜନା ସୃଷ୍ଟି ହେଲେ ତାହା ହସ ଆକାରରେ ପ୍ରକାଶ ପାଏ । କାନ୍ଦଟା ଯେପରି ଦୁଃଖର ସୂଚନା ଦିଏ, ହସ ସେପରି ଖୁସିର ସୂଚନା ଦିଏ । ତେବେ ହସର ଏକ ବୈଚିତ୍ର୍ୟ ରହିଛି । ପୃଥିବୀରେ ଯେତେ ପ୍ରକାର ନରନାରୀ ଅଛନ୍ତି, ସେମାନେ କେବଳ ପାଟିରେ ହସନ୍ତି । କାନରେ, ନାକରେ, ଆଖିରେ ଅବା ହାତ ଗୋଡରେ କେହି ହେଲେ ହସନ୍ତି ନାହିଁ । 

ପାଟିରେ ତ ଅନେକ ସାଜ ସରଞ୍ଜାମ ରଖାଯାଇଛି । କିନ୍ତୁ ସେଥିମଧ୍ୟରୁ ମୁଖ୍ୟତଃ ମୁରୁକି ହସରେ ଦୁଇଟି ଓଠ ଓ ଠୋ ଠୋ ହସରେ କଣ୍ଠର ସ୍ଵରଯନ୍ତ୍ର ଓ ନାକ ସାହାଯ୍ୟ କରିଥାଏ । କାନ୍ଦ ସୃଷ୍ଟି କରିବାକୁ କଷ୍ଟ ସ୍ଵୀକାର କରିବାକୁ ହୁଏ, କିନ୍ତୁ ହସ ସୃଷ୍ଟି କରିବା ଖୁବ୍ ସହଜ । କୌଣସି ଲୋକ କାର୍ଯ୍ୟ ବ୍ୟସ୍ତରେ ତରତର ହୋଇ କେଉଁଆଡେ ଯିବା ସମୟରେ ଆପଣ ପଛରୁ ଡାକନ୍ତୁ । ଲୋକଟି ପାଖକୁ ଆସିଲେ କୁହନ୍ତୁ - "କାହିଁ ଟିକେ ହସିଲେ ।" ସେ ତ ନିଶ୍ଚୟ ଓଠ ଦୁଇଟିକୁ ବିସ୍ତାରିତ କରି ଓସାରିଆ ଛାମୁ ଦାନ୍ତକୁ ଦେଖାଇଦେବେ । ନଚେତ୍, ସେ ବ୍ୟକ୍ତି ଯଦି ମୁରୁକି ହସକୁ ଭଲପାଆନ୍ତି ଓଠ ଚିପି କୁରୁକୁରୁ ହେବେ । ଯଦି ବ୍ୟକ୍ତି ଜଣକ ଗମ୍ଭୀର ଥାଆନ୍ତି ତେବେ ତାଙ୍କର ଅଣ୍ଟାର ଦୁଇ ପାଖରେ ଆପଣଙ୍କ ଆଙ୍ଗୁଠିରେ କୁତୁ କୁତୁ କରନ୍ତୁ । ଦେଖିବେ ଲୋକଟି ଇଲେକ୍ଟ୍ରିକ୍ ସକ୍ ପାଇଲା ଭଳି ଡେଇଁପଡିବା ସଙ୍ଗେସଙ୍ଗେ ହେଁ ହେଁ ହୋଇ ହସି ଉଠିବେ । କଥା ପ୍ରସଙ୍ଗରେ ହାସ୍ୟ ରସଭରି ମଧ୍ୟ ଅନ୍ୟକୁ ହସା ଯାଇ ପାରେ । ବେଳେ ବେଳେ ଆପଣଙ୍କ କହିବା ଢଙ୍ଗୀ ଏପରି କୌତୁକମୟ ଯେ, ଶ୍ରୋତା ନ ହସି ରହିପାରେନାହିଁ । ଅପ୍ରାସଙ୍ଗିକ କେତେକ କଥାବାର୍ତ୍ତାରେ ମଧ୍ୟ ହସମାଡେ ।

ନିଜ ଅଙ୍ଗପ୍ରତ୍ୟଙ୍ଗକୁ ବିକୃତ କରି ମଧ୍ୟ ଅନ୍ୟକୁ ହସା ଯାଇପାରେ । ଏ ତ ଗଲା ଅନ୍ୟକୁ ହସାଇବାର କୌଶଳ । ଏଥର ଆପଣ ନିଜେ ହସନ୍ତୁ । ଭାବନ୍ତୁ, ଗୋଟିଏ ଓଠ ସାହାଯ୍ୟରେ ହସି ହେଉଛି କି ନାହିଁ । ଦର୍ପଣରେ ନିଜ ମୁଖକୁ ଅବଲୋକନ କରି ଉପର ଓଠକୁ ସଞ୍ଚାଳନ ନକରି ତଳ ଓଠକୁ ଆନ୍ଦୋଳିତ କରାନ୍ତୁ ହସିବା ପାଇଁ । ସାବଧାନ, ଉପର ଓଠଟି ଯେପରି ତଳ ଓଠକୁ ସ୍ପର୍ଶ ନ କରେ ଓ ଉପର ଓଠଟି ବିସ୍ତାରିତ ନ ହୁଏ । ଦେଖିବେ ଆପଣ ମୋଟେ ହସିପାରିବେ ନାହିଁ । କେବଳ ତଳ ଓଠକୁ ତଳ ଉପର କରୁଥିବେ । ଅନ୍ୟ ଜଣେ ଯଦି ଆପଣଙ୍କର ହସକୁ ଲକ୍ଷ କରିଥାଏ ତେବେ ସେ କହିବେ ଆପଣ ପାଟି ପାକୁ ପାକୁ କରୁଛନ୍ତି । ଏ ଗଲା ଦୁଇଟି ଓଠରେ ହସ ସମ୍ଭବ ପ୍ରମାଣ କରିବା ପାଇଁ ଏକ ପରୀକ୍ଷା । ଏଥର ନାକ ଚିପି ଠୋ ଠୋ ହସିବାକୁ ଚେଷ୍ଟା କରନ୍ତୁ । ଦେଖିବେ ଆପଣ ହେଁ ହେଁ ନ ହୋଇ ଖେଁ ଖେଁ ହେଉଛନ୍ତି । ଦର୍ପଣ ଆଗରେ ଆପଣଙ୍କ ମୁଖ ବିକୃତ କରି ହସିବାକୁ ଚେଷ୍ଟା କରନ୍ତୁ, ଆପେ ଆପେ ହସି ଉଠିବେ । 

ଏସବୁ ହେଲା କୃତିମ ହସ । ହସ କ୍ଲବର ସଭ୍ୟମାନେ କୃତିମ ହସ ହସି ମନ ଓ ହୃଦୟର ବ୍ୟାୟାମ କରାନ୍ତି, ସୁସ୍ଥ ରହିବା ପାଇଁ । ପ୍ରାକୃତିକ ହସ ଭଳି ଏ ହସ ଏତେ ଆକର୍ଷଣୀୟ ହୋଇ ନ ଥାଏ । ବେଳେ ବେଳେ ନିଜର ଅଜାଣତରେ ଆପଣ ହସି ଦେଇଥିବେ । ଯେପରି ରାଜା ଦୁର୍ଯ୍ୟୋଧନର ହସ ଶୁଣି ଜତୁ ଗୃହର ସେବକ ହସି ଦେଇଥିଲା । ଏ ପ୍ରକାର ହସକୁ ବୋକାର ତିନି ହସ ବୋଲି କୁହନ୍ତି । ଅର୍ଥାତ୍ ଆପଣ ହସି ଦେଇଛନ୍ତି ଆପଣଙ୍କ ଅଜାଣତରେ । ତା'ପରେ ଆପଣ କାହିଁକି ହସିଲେ ସେ ବିଷୟ ଭାବନ୍ତୁ । ପୁଣିଥରେ ହସି ଦେବେ । ପ୍ରକୃତରେ ଯେଉଁଥିପାଇଁ ଆପଣଙ୍କ ଅଜାଣତରେ ଆପଣ ହସି ଦେଇଛନ୍ତି ତାର କାରଣ ଜାଣିବା ପରେ ପୁଣି ଆଉଥରେ ହସ ମାଡିବ ଓ ପୁଣି ତୃତୀୟ ଥର ପାଇଁ ହସିଲେ । 

ସେ ଯାହାହେଉ, ହସର ଏକ ପ୍ରକାର ଆକୃଷ୍ଟ କରିବାର ଶକ୍ତି ଅଛି । ହସକୁଳିଆ  ଲୋକମାନେ ହସ ଶବ୍ଦଟି ଶୁଣୁ ଶୁଣୁ ହସି ଉଠନ୍ତି । ରଙ୍ଗମଞ୍ଚରେ ଅଭିନେତା ଓ ଅଭିନେତ୍ରୀ ହସି ହସି ବେଦମ ହେବା ସମୟରେ ଦର୍ଶକମାନେ ହସିଉଠନ୍ତି । କେତେକ ଲୋକ ସାଧାରଣତଃ ହସନ୍ତି ନାହିଁ । କିନ୍ତୁ ଥରେ ହସିବା ଆରମ୍ଭ କଲେ, ହସି ହସି ବେଦମ ହୋଇ ଶୋଇପଡନ୍ତି ଅବା ନଇଁପଡନ୍ତି, କେହି କେହି ବି ପରିଶ୍ରା କରି ପକାନ୍ତି । ଏବେ ଶୁଣନ୍ତୁ ଗୋଟିଏ ହସକୁଳିଆ  ବୁଢ଼ାର କଥା । ସେ ବୁଢା ଜଣକ ଯେକୌଣସି କଥା କହିସାରିବା ପରେ ହସନ୍ତି ହେଃ ହେଃ ହୋଇ । ସେ ତାଙ୍କର ନାତିକୁ ପାଖକୁ ଡାକି କହିଲେ- "ଟୁକୁ, ତୁ ସ୍କୁଲକୁ ଯାଇଥିଲୁ? ହେଃ ହେଃ ହେଃ । ଆଜି କ'ଣ ପଢାହେଲା । ହେଃ ହେଃ ହେଃ । ଭାତ ଖାଇ ସାରିଲୁଣି । ହେଃ ହେଃ ହେଃ, ଇତ୍ୟାଦି ବିଷୟରେ ଇତ୍ୟାଦି ।" ଆପଣ ଏଇ ବୁଢାଙ୍କ ଭଳି କଥା କହି ପାରିବେ ? 

ମଣିଷ, ମଣିଷ ଜୀବନ ନେଇ ବଞ୍ଚି ରହିବା ପାଇଁ ହସ ହିଁ ଏକ ଅତ୍ୟାବଶ୍ୟକ ଜୀବସାର । ଏପରି କୌଣସିବ୍ୟକ୍ତି ନାହିଁ ଯେ କି ତାର ଜୀବନରେ ଥରେ ମାତ୍ର ହସି ନାହିଁ । ପୁନଶ୍ଚ ଆଉ ଏକ କୌତୁହଳ ପ୍ରଶ୍ନ ଆସେ ଯେ ମଣିଷ ଭଳି ଅନ୍ୟ ଜୀବଜନ୍ତୁମାନେ ହସନ୍ତି କି ନାହିଁ ? ଯଦି ହସନ୍ତି, କି ପ୍ରକାର ହସ ଏବଂ କେଉଁ ଅଙ୍ଗ ପ୍ରତ୍ୟଙ୍ଗ ସାହାଯ୍ୟରେ ହସନ୍ତି ।

ହସ ଶୂନ୍ୟ ଉଦାସ ନୀରସ ଜୀବନ କାହାକୁ ହେଲେ ଭଲ ଲାଗେ ନାହିଁ । ପୃଥିବୀର ଐଶ୍ୱର୍ଯ୍ୟ ମଧ୍ୟରେ ମଣିଷ ହସି ହସି ଜୀବନଯାପନ କରି ଏ ଜଳ ସ୍ଥଳ ନଭୋଦେଶର ପ୍ରାଚୁର୍ଯ୍ୟକୁ ଉପଭୋଗ କରିବାକୁ ସଦାସର୍ବଦା ବ୍ୟାକୁଳ। ହସକୁ ଯେପରି ବିପୁଳ ସମ୍ବର୍ଦ୍ଧନା ମଧ୍ୟରେ ସ୍ଵାଗତ କରାଯାଏ, ବିଚାରା କାନ୍ଦକୁ କେହି ପଚାରନ୍ତି ନାହିଁ । ଯଦିବା ଅକସ୍ମାତ୍ ଆସିଯାଏ, ତେବେ ଯଥାଶୀଘ୍ର ବିଦାୟ ଦେବାକୁ ମଣିଷ ଖୋଜେ ମନୋରଞ୍ଜନ କାର୍ଯ୍ୟକ୍ରମ । ହସ ଯଦିଓ ସ୍ଵାଗତଯୋଗ୍ୟ, କେତେକ କ୍ଷେତ୍ରରେ ହସ ହିଁ ଖୁବ୍ ମାରାତ୍ମକ ହୋଇଥାଏ । ରକ୍ତଚାପ ହୃଦରୋଗୀକୁ ଜୋରରେ ହସିବାକୁ ଡାକ୍ତର ମନାକରନ୍ତି । ବାରମ୍ବାର ମନାକରିବା ସତ୍ତ୍ୱେ ଆପଣ ଯଦି ହସନ୍ତି, ଅନ୍ୟମାନେ କହନ୍ତି ନିଲଠା । ବୋକାଙ୍କ ଭଳି ହସର କାରଣ ନ ଜାଣି ହସିଲେ, ବହୁ ସମୟରେ ଅପଦସ୍ତ ହେବାକୁ ହୁଏ । ଶ୍ରେଣୀ ଗୃହରେ ଶିକ୍ଷକଙ୍କ ଉପସ୍ଥିତିରେ ହସି ଦେଲେ ଶିକ୍ଷକ ମହାଶୟ ହସର କାରଣ ପଚାରି ତାଗିଦ କରାନ୍ତି । ଖାଇବା ସମୟରେ ହସି ଦେଲେ, ପାଟିରୁ ଖାଦ୍ୟ ଛିଟିକି ଅନ୍ୟ ଉପରେ ପଡେ । ତେଣୁ ସ୍ଥଳବିଶେଷରେ ହସକୁ ସଂଯତ କରିବାକୁ ପଡେ । ଏତଦ୍ ବ୍ୟତୀତ ହସ ମଧ୍ୟ ସଂକ୍ରାମକ । ଖୁବ୍ ନୀରବତା ମଧ୍ୟରେ ଯେଉଁଠି ପାଟି ଫିଟାଇବା ପାଇଁ ମନା କରାଯାଇଥାଏ, ସେ କ୍ଷେତ୍ରରେ ଯଦି କେହି ଫେଁ କରି ହସି ଦିଏ, ତେବେ ସାଙ୍ଗେ ସାଙ୍ଗେ ନୀରବତା ଭଙ୍ଗ ହୋଇ କୁରୁ କୁରୁ ଶବ୍ଦର ଆଲୋଡ଼ନ ସୃଷ୍ଟି ହୁଏ । ସାଙ୍ଗ ସାଥିଙ୍କୁ - କାହିଁ ଟିକେ ହସିଲେ--ବୋଲି କହିଲେ ଚଲିବ । କିନ୍ତୁ ଏ ବାକ୍ୟ ସମସ୍ତଙ୍କ ନିକଟରେ ପ୍ରଯୁଜ୍ୟ ନହୋଇ ବିପଜ୍ଜନକ ହୋଇଥାଏ । ଉଦାହରଣ ସ୍ୱରୂପ, ଆପଣ ଅଜାଙ୍କୁ ହସିବାକୁ ନ କହି ବାପାଙ୍କୁ ହସିବାକୁ କହିଲେ ପରିଣାମ ସାଂଘାତିକ ହୋଇଯିବ । 

ବଡ ଦୁଃଖର ବିଷୟ । ପୋଷାକ ପରିଧାନ, ଚାଲିଚଳନ, କେଶ ସଜ୍ଜା ପ୍ରଭୁତି ଯେପରି ପରିବର୍ତ୍ତନ ମଧ୍ୟ ଦେଇ ଗତି କରୁଛି, ହସ ଜଗତରେ ସେମିତି କିଛି ବୈପ୍ଳବିକ ପରିବର୍ତ୍ତନ ଆସି ପାରିନାହିଁ । ଏଥିପାଇଁ ଚଳଚ୍ଚିତ୍ର ତାରକାମାନଙ୍କର ଉଦ୍ୟମ ସ୍ଵାଗତଯୋଗ୍ୟ ହେବ । ଆକର୍ଷଣୀୟ ହସ ନ ହେଲେ, ହସର ଗ୍ରାହକ ହେବାକୁ ସମସ୍ତେ ବିମୁଖ ହୁଅନ୍ତି । ତେଣୁ ହସକୁ ଅଧିକ ଆକର୍ଷଣୀୟ, ମାଧୁର୍ଯ୍ୟ ପୂର୍ଣ୍ଣ, ସରସ ସୁନ୍ଦର କରି ଗଢି ତୋଳିବାକୁ ହେବ । 

ମୁଖର ଗଠନ ଭଲ ନଥିଲେ, ହସଟା ଆପଣଙ୍କ ମୁଖକୁ ମାନି ନପାରେ । ମୁଖର ତ ପୁନଃ ସ୍ଥାପନ ଅସମ୍ଭବ । ତେଣୁ ଆପଣଙ୍କ ମୁହଁକୁ କେଉଁ ହସଟା ଖାପ ଖାଇବ ସେ ବିଷୟ ଚିନ୍ତା କରନ୍ତୁ । ମୁରୁକି ହସରେ ବନ୍ଧୁଙ୍କୁ ସ୍ଵାଗତ କଲେ ବନ୍ଧୁ କେତେ ଖୁସି ହୁଅନ୍ତି । ତେଣୁ ହସ ଶିକ୍ଷା ହିଁ ଅପରିହାର୍ଯ୍ୟ । 

ସ୍ତ୍ରୀ ଓ ପୁରୁଷ ବ୍ୟକ୍ତିର ହସ ମଧ୍ୟରେ ମଧ୍ୟ ପାର୍ଥକ୍ୟ ଥାଏ । ସ୍ତ୍ରୀମାନଙ୍କର କଣ୍ଠ ସାଧାରଣତଃ କୋମଳ ଓ ଚିତ୍ତାକର୍ଷକ । ତେଣୁ ତାଙ୍କର ଠୋ ଠୋ ହସରେ ପୁରୁଷର ନିଦ ଭାଙ୍ଗିଯାଏ, ତନ୍ଦ୍ରା ଲିଭିଯାଏ, କ୍ଲାନ୍ତି କଟିଯାଏ ଓ ଆରାମ ଆସିଯାଏ ଇତ୍ୟାଦି ଇତ୍ୟାଦି । ସ୍ତୀମାନଙ୍କର ମୁରୁକି ହସ ବି କୌଣସି ଗୁଣରେ ନିକୃଷ୍ଟ ନୁହେଁ । ତାର କାରଣ ହୋଇପାରେ ସେମାନଙ୍କର ମୁଖର ଗଠନ । ଏ ତ ଜଣେ ପୁରୁଷର ଚିନ୍ତାଧାରା । କିନ୍ତୁ ସାର୍ବଜନୀନ ଭାବେ ସେମାନଙ୍କର ମୁରୁକି ହସ ଆଦୃତ । ଏହାର କାରଣ, ହସିବା ପୂର୍ବରୁ ସେମାନଙ୍କର ମୁଖସଜ୍ଜା ଉତ୍ସବ ଶେଷ ହୋଇଥାଏ ।ସେମାନଙ୍କର ହସକୁ ଚାହିଁ ସେମାନେ ନିଜ ମୁଖକୁ ସଜାଇଥାନ୍ତି, ଯେପରି ହସଟା ମୁହଁକୁ ମାନି ନେବ ଏବଂ ମୁହଁଟା ହସକୁ ।  

ପୂର୍ବ ଆଲୋଚନାରୁ ଦେଖାଗଲା ଯେ, ହସ ଯାହା ହେଲେବି ସମସ୍ତଙ୍କର ଆଦରର ପାତ୍ର । ସ୍ଥଳବିଶେଷରେ ସ୍ଵାଗତଯୋଗ୍ୟ, ବିଜୟର ଗୁପତ ମନ୍ତର, ଦୁଃଖ ମୋଚନକ, ଖୁସିର ସୂଚକ, ମଣିଷ ଜୀବନର ଜୀବସାର । ମାନବ ଜାତିକୁ ହସର ଏତାଦୃଶ ଅବଦାନ ପାଇଁ ହସ ପ୍ରଶଂସାର ଅଧିକାରୀ । ହସଟା ବ୍ୟକ୍ତିର ଏକ ସ୍ଵତନ୍ତ୍ର ସଂପତ୍ତି । ହସିବାକୁ ଯେପରି କୌଣସି କ୍ଷେତ୍ରରେ ମୂଲ୍ୟ ଦେବାକୁ ନହୁଏ । ଅବଶ୍ୟ ମାଧୁର୍ଯ୍ୟପୂର୍ଣ ହସ ଉପଭୋଗ ପାଇଁ ମୂଲ୍ୟଦେବାକୁ ହୋଇପାରେ । ତେଣୁ ହସର ଭୁରି ଭୁରି ପ୍ରଶଂସାରେ ଶତମୁଖ ହୋଇ କୁହନ୍ତୁ --

ଜୟ............ ହସ କି ଜୟ............ ! 

ଦାନ୍ତ ନେଫେଡା ଦ୍ଵିଓଠ ଭିଡା, କାନ ଅତଡା ମୁରୁକି ମରା,

ହସର ହେଉ ବିଜୟ !

ଜୟ............ ହସ କି ଜୟ............ ! 

**********

 

 

 

 

 

 

 

 


Rate this content
Log in

Similar oriya story from Abstract