Bismita Sahoo

Drama

4.9  

Bismita Sahoo

Drama

ହବିଷ

ହବିଷ

5 mins
297


ମା'ର ଆଜିଠୁ ହବିଷ ଆରମ୍ଭ। ଏହା କହି ସାରୁ, ଖୁମ୍ବ ଆଳୁ, କଞ୍ଚା କଦଳୀ , କନ୍ଦମୂଳ, ଓଉ ଓ ନଡ଼ିଆ ଦୁଇଟି ରଖି ଦେଇଗଲେ ସରିତାର ସ୍ୱାମୀ ରମେଶ । ବରାଦ ଦେଇଦେଲେ ହବିଷ ଡାଲମା ବନେଇ ରଖିବାକୁ। ସବୁଥର ଶାଶୁ ନିଜେ ହିଁ କରନ୍ତି। ଏଥର କିନ୍ତୁ ତାଙ୍କୁ ଜ୍ୱର। ସେ ନିଜେ ଉଠି କରି ପାରିବେନି। ସରିତାକୁ ହିଁ କରିବାକୁ ପଡ଼ିବ। ସେ ଥରେ ସବୁ ପରିବା ଗୁଡ଼ିକୁ ଭଲ କରି ଚାହିଁଲା। ଏସବୁ କେମିତି କାଟିବ ସେ ଜାଣିପାରୁନି। ସାରୁ ଧରିଲା ମାନେ ତା ହାତ କୁଣ୍ଡେଇ ହୁଏ। କଞ୍ଚା କଦଳୀ କାଟିଲେ ହାତ ପୁରା କଳା ପଡିଯିବ। ଖୁମ୍ବ ଆଳୁ ନା ନଧରିବା ଭଲ। କୋଉ ପଟଟା କଟା ହୁଏ , କୋଉଟା ଫିଙ୍ଗା ହୁଏ ଆଜି ଯାଏ ଜାଣି ପାରିଲାନି। ଓଉ ତ ଗୋଟାଏ ଆଶ୍ଚର୍ଯ୍ୟଜନକ ପରିବା। କେମିତି ଧରିବ ଓ କୋଉପଟୁ କାଟିବ ତା ମୁଣ୍ଡରେ କିଛି ବୁଦ୍ଧି ପଶୁନଥିଲା। ଠିକ୍ ବେଳାରେ ଚାକରାଣୀ ବି ତାଙ୍କ ଗାଁକୁ ଯାଇଛି। 


   ସରିତା ଭାବିଲା ଶାଶୁଙ୍କୁ ସଫା ସଫା କହିଦେବ ଯେ ସେ ହବିଷ ରାନ୍ଧି ପାରିବନି। ଚିକେନ୍ ଓ ପନୀରର ସବୁ ଆଇଟମ ସେ ଜାଣେ। ରେଡ୍ ସସ୍ ହେଉ ବା ହ୍ଵାଇଟ୍ ସସ୍ ପାସ୍ତା ଯିଏ ଥରେ ତା ହାତ ରନ୍ଧା ଖାଇଛି ସେ କେବେ ବି ସରିତାର ଗୁଣଗାନ ନ କରି ରହି ପାରିବନି। ସେ ସ୍ପ୍ରିଂଗ ରୋଲ୍ ଏତେ ଟେଷ୍ଟି ବନାଏ ଯେ ଅଫିସ୍ କୁ ପ୍ରାୟଦିନ ରମେଶ ନେଇକି ଯାଆନ୍ତି ସ୍ପେସିଆଲି ତାଙ୍କ ସାଙ୍ଗ ମାନଙ୍କ ଫର୍ମାଇଶରେ। କୁହନ୍ତି ସରିତା ହାତରେ କୁଆଡ଼େ ଯାଦୁ ଅଛି। ବିଭିନ୍ନ ପ୍ରକାରର କେକ୍ ତିଆରି କରିବାରେ ବି ତାକୁ କେହି ଟକ୍କର ଦେଇ ପାରିବେନି। 


   ହେଲେ ହବିଷ ଡାଲମା ତା'କୁ ଜଟିଳ ଗଣିତ ପରି ଲାଗୁଥିଲା। ଏମିତି ନୁହେଁ ଯେ ତାକୁ ଓଡ଼ିଆ ଖାଇବା କରି ଆସିନି। ଆଳୁ ଭଜା, ଚଟଣି, ବଡ଼ି ଚୁରା ଏସବୁ ସେ ଭଲ ଭାବରେ ଜାଣେ। ରମେଶଙ୍କର ତ ବିନା ଆଳୁ ଚକଟାରେ ଭାତ ରୁଚେନି। କଥାଟା ହେଲା ରମେଶ ସଦାବେଳେ ଅଫିସ୍ ରେ ଲଞ୍ଚ କରନ୍ତି। ସେଠି କ୍ୟାଣ୍ଟିନ୍ରେ ଏମ୍ପ୍ଲୟିମାନଙ୍କ ପାଇଁ ରିହାତି ଦରରେ ଖାଇବା ମିଳେ। ଏମିତି ବି ସକାଳ ୭ଟା ରୁ ବ୍ରେକଫାଷ୍ଟ ଓ ଲଞ୍ଚ ଦିଟା ଯାକ ସେ ବନେଇ ପାରେନା। ରମେଶ ଅଫିସରେ ଦିପହର ଖାଇବା ଖାଉଥିବାରୁ ସେ ଘରେ କିଛି ବି କରିକି ଖାଇଦିଏ। ପ୍ରାୟ ମ୍ୟାଗି ନହେଲେ ଜଳଖିଆରେ ବଳି ପଡିଥିବା ରୁଟି ସହିତ ଅମୁଲ୍ ଓ ଚିନି। ରୁଟିର ମଝିରେ ଅମୁଲ୍ ରଖି ତା ଉପରେ ଟିକିଏ ଚିନି ଛିଞ୍ଚି ଦେଇ ସେ ତାକୁ ରୋଲ୍ ପରି ଗୁଡେ଼ଇ ଖାଏ। ଏସବୁ ହଷ୍ଟେଲରେ ରହି ସେ ଶିଖିଛି। 


  ବାହାଘରର ବାର ଦିନ ପରେ ସେ ତା ସ୍ୱାମୀଙ୍କ ପାଖକୁ ଦିଲ୍ଲୀ ଚାଲି ଆସିଛି। ଛୁଟିରେ ଗାଆଁକୁ ଯାଏ। ଗାଁକୁ ଗଲେ ଝିଅଟିଏ ପରି ଶାଶୁ ତାର ଭାରି ଆଦର କରନ୍ତି। ପାଖରେ ବସେଇ ଖୁଆଇ ଦିଅନ୍ତି। ରମେଶ କୁଆଡ଼େ ବାହାହେଲା ଯାଏ ବି ନିଜ ହାତରେ କେବେ ଖାଆନ୍ତିନି। ସଦାବେଳେ ତାଙ୍କ ମା ଖୁଆଇ ଦିଅନ୍ତି। ତେଣୁ ବାହାଘର ପରେ ଶାଶୁ ନିଜ ପୁଅକୁ ଖୁଆଇଲା ବେଳେ ତାକୁ ବି ଖୁଆଇ ଦିଅନ୍ତି। ପ୍ରଥମେ ପ୍ରଥମେ ତାକୁ କେମିତି ଟିକିଏ ଅବାଗିଆ ଲାଗୁଥିଲା କିନ୍ତୁ ଶାଶୁଙ୍କ ମା ପଣିଆକୁ ଦେଖିଲେ ତାର ଆଖି ଛଳ ଛଳ ହେଇଯାଏ। ଦିଲ୍ଲୀ ଫେରିଲା ବେଳେ ତାର ଇଚ୍ଛା ହୁଏ ଶାଶୁ ବି ସେମାନଙ୍କ ସାଙ୍ଗରେ ଯାଆନ୍ତେ କିନ୍ତୁ ସେ କେବେ ରାଜି ହୁଅନ୍ତିନି। 


  ଏଥର ଦଶହରାକୁ ସେମାନେ ଗାଁକୁ ଯାଇଥିଲେ। ସେ ଜିଦି କରି ଶାଶୁଙ୍କୁ ନିଜ ପାଖକୁ ନେଇ ଆସିଛି। ଗାଁରେ ଯେମିତି ତାକୁ କିଛି କରେଇ ଦିଅନ୍ତିନି ଏଠି ବି ସେମିତି। ସକାଳୁ ଉଠିଲାଠୁ କାମରେ ଲାଗିଥିବେ ଯେ ଶୋଇଲା ଯାଏଁ। ତାଙ୍କର ଏମିତି କାମ କରିବା ଦେଖି ଚାକରାଣୀ ବି ବାହାନା କରି ତା ଗାଁକୁ ବୁଲି ପଳେଇଛି। ବୁଢ଼ୀ ମଣିଷ, କାମ ଏତେ କରନି କହିଲେ ଶାଶୁ ତା ଉପରେ ରାଗନ୍ତି। କହନ୍ତି କାମ ନକଲେ ତାଙ୍କ ଖାଇବା ହଜମ ହେଉନି। ପୁଣି ତାଙ୍କୁ ଲାଗୁଛି ଯେ ସେ ତାଙ୍କ ପୁଅ ଘରକୁ ନୁହେଁ ଆଉ କେଉଁ କୁଣିଆ ଘରକୁ ଆସିଛନ୍ତି। ଏଇ ଅଳ୍ପ ଦିନ ଭିତରେ ଆରିଷା ପିଠା ଓ ମଣ୍ଡା ପିଠା ସରିତା ଶିଖି ସାରିଲାଣି। ରମେଶ ମନ ବି ପୁରା ଖୁସି। ଯାହାହେଉ ଏତେ ଦିନ ପରେ ଟିକେ ଘର ଖାଇବା ଖାଇବାକୁ ମିଳୁଛି। ନଚେତ ସେ ଖାଲି ସରିତାର ମନ ରଖିବା ପାଇଁ ସେଇ ଅଣ ଓଡିଆ ଖାଇବା ଗୁଡ଼ିକୁ ଖାଉଛି।


 ସରିତା ଛୋଟ ବେଳୁ ହଷ୍ଟେଲରେ ରହି ପାଠ ପଢ଼ିଛି। ଘରେ ରୋଷେଇ କେବେ ବି କରି ନଥିଲା। ଦିଲ୍ଲୀ ଆସିବା ପରେ ୟୁ ଟ୍ୟୁବ୍ ଦେଖି ସେ ଯାହା ଶିଖିଛି। ଗତକାଲି କୁମାର ପୂର୍ଣ୍ଣିମା ପାଇଁ ଶାଶୁ ବୋହୂ ଦୁହେଁ ମିଶି କାକରା ପିଠା କରିଲେ। ସବୁ ଠିକ୍ ଠାକ୍ ଚାଲିଥିଲା। ହେଲେ ସଞ୍ଜ ବେଳକୁ ଶାଶୁଙ୍କ ଦେହ ଜରରେ ଖଇ ଫୁଟୁଥିଲା। ଡାକ୍ତରଙ୍କୁ ଦେଖେଇବାରୁ ସେ କହିଲେ ବ୍ୟସ୍ତ ହେବାର କିଛି ନାହିଁ। ଜଳବାୟୁ ପରିବର୍ତ୍ତନ ପାଇଁ ତାଙ୍କର ଜର ହେଇଛି। ଦି ଦିନରେ ଠିକ୍ ହେଇଯିବେ। ସରିତା ରାତିରେ ଶାଶୁଙ୍କୁ ଖାଇବାକୁ କେତେ ଡାକିଲା ହେଲେ ସେ ଜମା ଆଖି ଫିଟେଇଲେନି। ସେ ପାଉଁରୁଟି କ୍ଷୀର ଗୋଳେଇ ଚାମଚରେ ଟିକିଏ ଟିକିଏ କରି ପିଆଇ ଦେଲା।


  ପିଲାଟି ଦିନରୁ ରମେଶ ବାପାଙ୍କୁ ହରେଇଛନ୍ତି। ତେଣୁ ତାଙ୍କର ମା'ଙ୍କ ପ୍ରତି ଅଶେଷ ଦୁର୍ବଳତା। ସେଥିପାଇଁ ସକାଳୁ ଉଠି ମା' ହବିଷ କରେ ବୋଲି ଦିଲ୍ଲୀ ପରିକା ଜାଗାରେ ଖୋଜି ଖୋଜି ଓଉ ଆଣିଛନ୍ତି। ସରିତା ଏବେ କଣ କରିବ? ସେ ୟୁ ଟ୍ୟୁବ୍ ଖୋଲିଲା। ହେଲେ ଓଉ କିପରି କଟା ଯିବ ତାର ଭିଡ଼ିଓ କିଛି ପାଇଲାନି। ଭାବିଲା ଗୁଗୁଲରେ ସର୍ଚ୍ଚ କରିବ, କିନ୍ତୁ ଓଉକୁ ଇଂଲିଶରେ କଣ କୁହନ୍ତି ତାହା ବି ସେ ଜାଣିନି। ତା ମାଙ୍କୁ ଫୋନ୍ ଲଗେଇଲା, ହେଲେ ଖାଲି ନଟ୍ ରିଚେବଲ ଆସିଲା। ସରିତାର ମୁଣ୍ଡ ବୁଲେଇଲା। ସେ ଭାବିଲା ଶାଶୁଙ୍କୁ ପଚାରିବ କେମିତି ଓଉ କଟାଯାଏ ହେଲେ ତାଙ୍କୁ ଡିଷ୍ଟର୍ବ କରିବା ପାଇଁ ତା ଇଚ୍ଛା ହେଉନଥିଲା। 


  ସେ ଓଉକୁ ହାତରେ ଧରି ବୁଲେଇ ବୁଲେଇ ଦେଖିଲା। ଯେଉଁ ପଟ ଉଚ୍ଚା ହେଇଛି ସେ ପଟକୁ ଆଗ କାଟିଲା। ପୁଣି ଗୋଟେ ପଟ କାଟି ସାରିଲା ପରେ ଆର ପଟର ଉଚ୍ଚା ଟିକୁ କାଟିଲା। ଆରେ ବାଃ! ସତକୁ ସତ ସେ ଓଉ କାଟିଦେଲା। ତା' ଖୁସି କହିଲେ ନ ସରେ। ତାର ପିଲାଦିନ କଥା ମନେ ପଡ଼ିଲା। ଥରେ ତାଙ୍କ ସାହିତ୍ୟ ଦିଦି କହୁଥିଲେ ହବିଷ ଡାଲମାରେ ହଳଦୀ ପଡ଼େନି। ତା ମନକୁ ଯେମିତି ଆସିଲା ସେ ସେମିତି କରିଲା। ଟିକେ ଅଦା ଛେଚି ପକେଇଲା। ନଡ଼ିଆ କୋରି ସେଥିରେ ପକେଇ ଘିଅ ଦେଇ ବଘାରିଲା । 


  ହେଲେ ଏ କଣ! ଏଇ ଡାଲମା ଏମିତି କଣ ଦିଶୁଛି। ପୁରା କାଳିଆ। ଏହେ। ୟାକୁ କଣ କିଏ ଖାଏ? ସେ ନିଶ୍ଚୟ ବନେଇବାରେ କିଛି ଭୁଲ କରିଦେଇଛି। ଏବେ କଣ ସେ କରିବ? ଶାଶୁଙ୍କ ଖାଇବା ଟାଇମ ହେଇ ଗଲାଣି। ତା ମୁଣ୍ଡକୁ ବୁଦ୍ଧି କିଛି ପଶୁନଥିଲା। 


 ମା ଦେହ ଭଲ ନଥିବାରୁ ରମେଶ ହାଫ ଡେ ରେ ଅଫିସରୁ ଚାଲି ଆସିଥିଲେ। ମାଙ୍କ ହାତ ଧରି ଧୀରେ ଧୀରେ ସେ ଆଣି ତାଙ୍କୁ ଖାଇବା ଘର ଚଟାଣରେ ବସେଇ ଦେଲେ। ଜଣେ ସହକର୍ମୀଙ୍କ ଘରୁ ଆଣିଥିବା କଦଳୀ ପତ୍ର କାଟି ଖାଇବା ପାଇଁ ଚକା ପକେଇ ମାଙ୍କ ପାଖରେ ବସିଗଲେ। ସରିତା ପୁରା ଭୟରେ ଝାଳ ନାଳ ହେଇଗଲାଣି। ସେ କାନ୍ଦ କାନ୍ଦ ହେଇ ଖାଇବା ବାଢ଼ିଲା। ଶାଶୁ ଠାକୁରଙ୍କୁ ମୁଣ୍ଡିଆ ମାରି ଖାଇବା ଆରମ୍ଭ କଲେ। ପତ୍ରଟିକୁ ଘୁଂଚେଇ ଦେଇ ଠିଆ ହେଇପଡ଼ିଲେ। 


  ସରିତା ଏବେ ଡରରେ ଥରିବାକୁ ଲାଗିଲା। ଖାଇବା ନିହାତି ଖରାପ ହେଇଛି। ନଚେତ ଶାଶୁ କେବେ ବି ଖାଦ୍ୟକୁ ନଖାଇ ଆଡ଼େଇ ଦେବା ସେ ଦେଖିନି। ତା ଆଖିରୁ ଧାର ଧାର ହେଇ ଲୁହ ଝରିଗଲା। ସେ ତା ଆଖି ଭୟରେ ବନ୍ଦ କରିଦେଲା। ସଦାବେଳେ ଭଲ ଭଲ ଖାଦ୍ୟ ରାନ୍ଧି ଦେଉଥିବା ଶାଶୁମାଙ୍କୁ ସେ ଟିକେ ହବିଷ ଡାଲମା ବି ରାନ୍ଧି ଦେଇପାରିଲାନି? ସେ ବୋହୂ ହେବାକୁ ଯୋଗ୍ୟ ନୁହେଁ। ତାକୁ ନିଜ ଉପରେ ଘୃଣା ଆସୁଥିଲା।


  ହେଲେ ଚମକେଇ ଦେଇ ତା ଶାଶୁ ତାକୁ କୋଳକୁ ଟାଣିନେଲେ। କେଡ଼େ ସୁଆଦିଆ ବନେଇଛୁ କହି ତାକୁ ଗେଲ କଲେ। ସରିତାକୁ ପାଖରେ ବସେଇ ଖୁଆଇଦେଲେ। ରମେଶ ମଧ୍ୟ ଶାଶୁଙ୍କ କଥାରେ ତାଳ ଦେଇ ଖାଇବାର ପ୍ରଶଂସା କଲେ। ଶେଷରେ ଶାଶୁ କହିଲେ 


- ମା ରେ ତୁ ସାକ୍ଷାତ ଅନ୍ନପୂର୍ଣ୍ଣା। ତୋ ପାଇଁ ଆଜି ଏତେ ବର୍ଷର ହବିଷ ବ୍ରତ ମୁଁ କରିପାରିଲି। ମୁଁ ତ ଭାବି ନେଇଥିଲି ଯେ ସେ ରାଧା ମାଧବ ମୋ ଉପରେ ରାଗିଛି ବୋଲି ଏତେ ପୁରୁଣା ବ୍ରତ ମୋର ଭାଙ୍ଗି ଯିବ। ମୋ ଦେହରେ ତ ଜମାରୁ ବଳ ନାହିଁ। ତୁ ରାନ୍ଧି ନଥିଲେ ମୁଁ କଣ ହବିଷ କରି ପାରିଥାନ୍ତି? ତୋ ହାତରନ୍ଧା ଭାରି ସୁଆଦିଆ। ହେଲେ ମୋର ଗୋଟିଏ କଥା ମନେ ରଖିବୁ, ଯେବେ ବି କଦଳୀ କାଟିବୁ ତା ପୂର୍ବରୁ ତାକୁ ଦି ଫାଳ କରି ଟିକେ ପାଣିରେ ବୁଡ଼େଇ ରଖିବୁ ଯେ ତରକାରୀ ପତର କଳା ପଡିବନି। ହଁ ଆଉ ଗୋଟେ କଥା, କଦଳୀ କାଟି ସାରିଲେ ହାତରେ ଟିକେ ଲେମ୍ବୁ ଘଷିଦେବୁ ଯେ ହାତ ବି କଳା ପଡିବନି।

   ସରିତା ଖୁସିରେ ଶାଶୁଙ୍କ କଥାରେ ହଁ ଭରିଲା। 


Rate this content
Log in

Similar oriya story from Drama