ଗୁରୁ
ଗୁରୁ


ବାଲକୋନୀ ସାରା ମେଘ ଛିଟାର ଛଟା ଭିତରେ ଗୁମସୁମ ହୋଇ ବସିଥାଆନ୍ତି ଭାରତୀ. ପୁଅ, ଝିଅ, ସ୍ୱାମୀ ଡାକିଦେଇ ଗଲେଣି ଅନେକ ଥର. ଓଦା ହେଲେ ଦେହ ଖରାପ ହେବ. ସେଠୁ ଉଠିଆସି ଯେତେ ଯାହା ଚିନ୍ତା କରୁଛ କର କହୁଥିଲେ ସ୍ୱାମୀ. ପୁଅ କହୁଥିଲା ତୋ ମନ କାହିଁକି ଦୁଃଖ କହୁନୁ? ଆଉ ଝିଅ କହୁଥିଲା ଯେତେ ମନ ଦୁଃଖ କଲେ ମଧ୍ୟ ହଜିଲା ଦରବ ଖୋଜିଲେ ପାଇବୁ ନାହିଁ. ଭାଙ୍ଗିଥିବା ଜିନିଷ ଗଢି ହେବ ନାହିଁ. ଶୁନ୍ୟ ଦୃଷ୍ଟିରେ ଚାହିଁଲେ ଭାରତୀ, ତାଙ୍କ ବିଲ୍ଲୀ ତାଙ୍କୁ କହୁଛି ମ୍ୟାଉଁ ମ୍ୟାଉଁ. ହେଲେ ଏଇ ବାଲାକୋନିରେ ବସି ସେ ଭାବୁଥିଲେ ସେଇ ବର୍ଷା ଓ ତାଙ୍କ ଘର ବାଲାକୋନିରେ ବସି ତାଙ୍କ ବାପା ଏମିତି ଚିନ୍ତାଗ୍ରସ୍ତ ଥାଆନ୍ତି. ତାଙ୍କ ଗୀତ ଖାତା ଚିରି କାଗଜ ଡ଼ଙ୍ଗା କରି ସେ ଭସାଇ ଦେଇଥାଆନ୍ତି ଚକଡା ଚକଡା ମନ୍ଦା ମନ୍ଦା ଜମି ଥିବା ପାଣିରେ. ସେସବୁ ଛାଣି ଆଣି ଡ଼ଙ୍ଗା ସବୁକୁ ପୁଣି ଫର୍ଦ ଫର୍ଦ କାଗଜ କରିଥିଲେ ବି ଅକ୍ଷର ଲିଭି ସାରିଥିଲା. ଯଦି କିଛି ଦିଶୁଥିଲା ଅସ୍ପଷ୍ଟ ସେହି ଅକ୍ଷର ସବୁକୁ ଆଉ ସେ ଓଦା କାଗଜ ଫର୍ଦ ମାନଙ୍କ ଭିତରୁ ପାଇନଥିଲେ ତାଙ୍କ ବାପା. ବେଶି ବ୍ୟସ୍ତ ହୋଇପଡ଼ିଥିଲେ ରେଡ଼ିଓକୁ ପଠାଇବା ପାଇଁ ରଖିଥିବା ପଚାଶଟା ଗୀତ ଆଉ ଥରେ ସେଇ ଏକା ଏକା ଶବ୍ଦ ସହ ଯୋଡି ସେହି ଅର୍ଥ ପ୍ରକାଶ କରିବା. ବହୁ ପରିଶ୍ରମ କରିଥିଲେ ଉଦ୍ଧାର କରିବାକୁ ସେସବୁ ଶବ୍ଦସବୁକୁ ଓଦା କାଗଜ ଭିତରୁ, ହେଲେ ଅସମ୍ଭବ ଥିଲା ସେସବୁ. ପିଲା ଥିଲେ ବି ସେ ଦୃଶ୍ୟରେ ଗଭୀର ମର୍ମାହତ ହୋଇଥିଲେ ଭାରତୀ.ବର୍ଷା ଆସିଲେ, ବାଲକୋନୀରେ ବର୍ଷା ଛିଟା ପଡିଲେ ଖୁବ ବ୍ୟତିବ୍ୟସ୍ତ ଲାଗେ ଭାରତୀଙ୍କୁ. ଯଦିଓ ବାପା ଆଉ ନାହାଁନ୍ତି ତଥାପି ଗୋଳେଇ ଘାଣ୍ଟି ହୁଅନ୍ତି ସେ ଏମିତି ତ ଭିଜୁଥାଆନ୍ତି ମନ ବୁଝିଲା ଯାଏଁ.।
ଯିଏ ଯାହା କରିଥାଏ ତାର ପ୍ରଭାବ ନିଶ୍ଚୟ ଭୋଗିବାକୁ ପଡେ ବୋଧହୁଏ. ସେଥର ପିଲାଙ୍କ ପରୀକ୍ଷା ଖାତା ଦେଖିସାରି ସ୍କୁଲ ଯାଉଥିଲେ ଭାରତୀ. ନିଧୁମ ବର୍ଷାରେ ବାଟ ନଥିଲା କୋଉଠି ରହିଯିବାକୁ ତ ସବୁ ଓଦା ଭିତରେ ଖାତା ଓଦା ହୋଇ ଆଉ କିଛି ଦିଶୁନଥିଲା ଅକ୍ଷର. କିଏ କଣ ଲେଖିଥିଲା କୋଉ ପ୍ରଶ୍ନର ଉତ୍ତର ହିସାବରେ ତାର କିଛି ପ୍ରମାଣ ନଥିଲା. ଖାତା ବିଡା ଓଦା ଜୁଡୁବୁଡୁ ଭିତରୁ କାହାକୁ କେତେ ନମ୍ବର ମିଳିଛି ମଧ୍ୟ ଜାଣିହେଲାନି. ପିଲା ପ୍ରତିବାଦ କଲେ. ଶିକ୍ଷକ ଭାଇ ମାନଙ୍କ ସାହାୟତାରେ ଗାନ୍ଧି ନୀତି ଅନୁସରଣ କରି ସେହି ଗପ ପିଲାଙ୍କୁ କୁହାଯାଇଥିଲା. ଗାନ୍ଧିଜୀଙ୍କୁ ତାଙ୍କ ଗୁରୁ ପାଞ୍ଚୋଟି ଶବ୍ଦରୁ ଗୋଟିଏ ଭୁଲ ଲେଖିଥିବା ଶବ୍ଦକୁ, ପାଖ ପିଲାଠାରୁ ଦେଖି ଠିକ କରି ଲେଖି ଦେବାକୁ କହିଥିଲେ ମଧ୍ୟ ଗାନ୍ଧିଜୀ ଜାଣିଥିଲେ ଖରାପ କଥା କରିବେ ନାହିଁ. ଆଜି କପି କରି ସାଙ୍ଗ ମାନଙ୍କଠୁ ଦେଖି ପାଞ୍ଚଟି ଶବ୍ଦ ଠିକ କରି ପରିଦର୍ଶକଙ୍କୁ ଦେଖାଇ ବାହାବା ପାଇବାକୁ ସେ ଉଚିତ ମଣିନଥିଲେ. ଗୁରୁଙ୍କ ପରିସ୍ଥିତି ବୁଝିବା ପରେ ଗୁରୁ ତାଙ୍କୁ କପି କରିବାକୁ ପ୍ରବର୍ତ୍ତେଇବା ଯୋଗୁଁ ଗୁରୁଙ୍କୁ ମଧ୍ୟ ସେ କେବେ ଖରାପ ବିଚାରି ନଥିଲେ କାରଣ ଖରାପ କଥା ଦେଖିବା, ଶିଖିବା, କହିବା, କରିବା ଇତ୍ୟାଡିକୁ ସେ ମହାପାପ ବୋଲି ବିଚାରି ନେଇଥିଲେ. ସେହି ଉଦାହାରଣ ଦେଇ ପ୍ରତ୍ୟକ ପିଲା ଓ ଅଭିଭାବକଙ୍କୁ ବୁଝେଇବା ପରେ ସମାଧାନ ଏମିତି ହୋଇଥିଲା କି, ପୂର୍ବ ପରୀକ୍ଷାରେ ରଖିଥିବା ନମ୍ବରରେ ଆଉ ପାଞ୍ଚ ମାର୍କ ଲେଖାଏଁ ମିଶାଇ ପିଲାଙ୍କୁ ଭାରତୀ ତାଙ୍କୁ ଦିଆଯାଇଥିବା ବିଷୟରେ ନମ୍ବର ଦେବାକୁ ବାଧ୍ୟ ହୋଇଥିଲେ. ସେହି କଥା ଭାବି ବାଲାକୋନିରେ ପଡୁଥିବା ବର୍ଷା ଛିଟା ତାଙ୍କୁ ଜଣା ପଡୁନଥିଲା. ଏଣିକି ଭ୍ୟାନିଟରେ ଛତା ନିଶ୍ଚୟ ରଖିଲେ ମଧ୍ୟ, ମନେ ପଡୁଥିଲା ବାପାଙ୍କ କବିତା ଖାତା ଚିରି ବର୍ଷା ପାଣିରେ କାଗଜ ଡ଼ଙ୍ଗା କରି ଭସାଇବା ପାପ ଯିବ କୁଆଡେ??ସେଦିନ ବାପା ତାଙ୍କ ଶବ୍ଦପୁଞ୍ଜି ଭରା ଭରା କବିତାଗୁଚ୍ଛ ହରାଇ ଭାରତୀଙ୍କୁ ଯେମିତି କିଛି କହିନଥିଲେ ଆଜି ଶିକ୍ଷୟତ୍ରୀ ଜୀବନରେ ଏମିତି ଏକ ପାଣିପାଗ ତାଙ୍କୁ ହଲଚଲ କରିଦେଇଥିଲା.।
ପୁଣି ଗୋଟେ ସମୟ ଆସିଲା. ପିଲାଦିନର ସ୍ମୃତି ମଧ୍ୟାହ୍ନର ଶିକ୍ଷା ପରି, ଚାକିରୀ ଜୀବନରେ ପୁଣି ସାୟାହ୍ନ ଆସିଥିଲା ଏମିତି. ଏ ଭିତରେ ପୁଅ ଓ ଝିଅ ବିବାହ କରି ସାରିଥିଲେ. ପୁଅର ପୁଅଟିଏ ଓ ଝିଅର ଝିଅଟିଏ. ନାତି ନାତୁଣୀ ଦୁହିଁଙ୍କୁ ପାଖରେ ରଖି ପାଠ ପଢେଇବାର ସୁବନ୍ଦୋବସ୍ତ ଭିତରେ ସେ ଦୁହିଁଙ୍କୁ ସବୁଦିନ ସାଙ୍ଗରେ ନେଇ ସ୍କୁଲ ଯାଆନ୍ତି ଭାରତୀ. ଦୁହେଁ ଏକା କ୍ଲାସରେ ପଢ଼ନ୍ତି. ସେଦିନ କ୍ଲାସରେ ଭାରତୀ, ପିତୃ ଦିବସ ଉପରେ ରଚନା ଲେଖି ଆଣିବାକୁ କହିଥିଲେ. ତା ପରଦିନ ସବୁ ପିଲା ଲେଖିଥିଲେ ମଧ୍ୟ ତାଙ୍କ ନାତି ନାତୁଣୀ ଦୁହେଁ ଲେଖିନଥିଲେ ତ ଭାରତୀଙ୍କୁ ଖରାପ ଲାଗିଥିଲା. ସ୍କୁଲରେ କିଛି ନକହିଲେ ମଧ୍ୟ ଘରେ ଯେବେ ପଚାରିଥିଲେ କାହିଁକି ରଚନା ଲେଖିକି ନେଇନଥିଲ, ତ ଦୁହେଁ କହିଥିଲେ, ପିତୃ ଦିବସରେ କଣ କେବଳ ପିତାଙ୍କ ନିକଟକୁ ପତ୍ର ଲେଖାଯାଏ?? ଆମେ ତ ସବୁଦିନ ଆମ ବାପାଙ୍କ ପାଖକୁ ଚିଠିରେ, ପ୍ରତ୍ୟେକ ଦିନର ନିଜ କର୍ମ, ପାଠପଢା, ଗୁରୁଭକ୍ତି ଇତ୍ୟାଦି କଥା ଲେଖୁ ଜେଜେମା ବୋଲି ନାତି କହୁଥିଲା ବେଳେ ନାତୁଣୀ କହିଥିଲା. ମୁଁ ସବୁଦିନ ବାପା ଓ ମାଆଙ୍କ ଫୋଟୋକୁ ଆଗେ ମୁଣ୍ଡିଆ ମାରେ. ତା ପରେ ପ୍ରତିଦିନ ଯାହା ଭୁଲ କରେ ତାଙ୍କୁ ଜଣାଇ ଡାଇରୀରେ ଲେଖି ରଖି ଆଉ ଏମିତି କରିବିନି ଲେଖେ ଆଇମା. ଆଉ ଏ ପିତୃ ଦିବସ ଦିନ ତାଙ୍କୁ ମନେପକାଅଇବୁ କାହିଁକି?? ସେମାନେ ତ ଆମ ଗୁରୁ ଆମ ହୃଦୟରେ ଅଛନ୍ତି. ଭାରତୀ କାନ୍ଦି ପକାଇ ଥିଲେ. ନିଜ ବାପାଙ୍କ ଫଟୋ ପାଖରେ ଏଣିକି ନିଜ ଭୁଲ ଠିକର ହିସାବ ଦେବା ସହ ନିଜକୁ ସୁଧାରି ପାଦ ବଢ଼ାଉଥିଲେ ଆଗକୁ ନାତି ସାଇ ଓ ନାତୁଣୀ ସୁର ତାଙ୍କ ଗୁରୁ ପାଲଟି ଯାଇଥିଲେ ସେହିଦିନୁ.।