Lopamudra Parida

Classics Inspirational

4.6  

Lopamudra Parida

Classics Inspirational

ଗୁରୁ ନମସ୍ଯ

ଗୁରୁ ନମସ୍ଯ

6 mins
248



ଗୁରୁ ଓ ଶିକ୍ଷା ପଦ୍ଧତି : ସେବେ, ଏବେ ଓ ତା' ଆଗରୁ 

**


ଗୁରୁଙ୍କୁ ନ ମଣିବ ନର

ଗୁରୁ ହିଁ ସାକ୍ଷାତ ଇଶ୍ବର ।।


ସନ୍ଥକବୀ ଭୀମଭୋଇ ତାଙ୍କର ଅମର ଦୋହାବଳୀ ରେ ସର୍ଜିଲେ, 

ଗୁରୁ ଗୋବିନ୍ଦ ଦୌ ଖଡେ, କାକେ ଲାଗୁଁ ପାଏ

ବଲିହାରି ଗୁରୁ ଆପଣୋ, ଗୋବିନ୍ଦ ଦିଓ ବତାଏ ।।


ଅର୍ଥାତ୍ ଗୁରୁ ଓ ଗୋବିନ୍ଦ ଏକାଠି ଉଭା ହେଲେ ଯୋଗଭାଗ୍ଯକୁ କାହା ପାଦେ ପ୍ରଥମେ ପ୍ରଣତୀ ବାଢିବା! 

ସେଇ ଗୁରୁଙ୍କର ପଦପଙ୍କଜ ହିଁ ଅଗ୍ରପୂଜ୍ଯ ଯିଏ ଗୋବିନ୍ଦ ( ଇଶ୍ବର ) ଙ୍କୁ ସାକ୍ଷାତକାର କରେଇଦେଇ ପାରିଲେ ।


ଅବଧୂତଙ୍କର ଚବିଶ ଗୁରୁ ଥିଲେ । ହସ୍ତୀ, ମୀନ, ପତଙ୍ଗ, ମୃଗ, ଷଟପଦ ଭ୍ରମର, ପୃଥିବୀ, ଜଳ,ଆକାଶ, ଅଗ୍ନି, ବାୟୁ, ମଧୁପ, ମଧୁମକ୍ଷୀ,ପତଙ୍ଗ, ସର୍ପ, ଶିଶୁ, ଅବିବାହିତା କନ୍ୟା ମଧୁ ସଂଗ୍ରହକାରୀ,ମକଡି, ନୃତ୍ୟାଙ୍ଗନା ପିଙ୍ଗଳା, ଅଜଗର, ପାରା,ସୂର୍ଯ୍ୟ, ଚନ୍ଦ୍ର, ଶର ତିଆରିବା ବ୍ଯକ୍ତି, ବିରୁଡି, କୁରରୀ ପକ୍ଷୀ ।


ପୃଥିବୀ,ପ୍ରକୃତି, ସମୟ,ପରିସ୍ଥିତି, ପରିବେଶ, ପରିବାର ସମସ୍ତେ ଗୁରୁ । ପ୍ରତି ମୂହୁର୍ତ୍ତରେ ମଣିଷ କିଛି କିଛି ଶିଖିଚାଲିଥାଏ । ଏହା ଏକ ଅବିରତ ଓ ଅନବରତ ଚାଲିଥିବା ପ୍ରକ୍ରିୟା । ପ୍ରତି ଜନ୍ମରେ ସାଉଁଟୁଥିବା ପ୍ରତିଟି ଅନୁଭୂତି ଏକ ଏକ ଶିକ୍ଷା । ମନୁଷ୍ୟ ଚେତନା ଓ ଅବଚେତନ ମନ ମସ୍ତିସ୍କ ଦ୍ବାରା ଅନେକ କଥା ଶିଖୁଥାଏ ଜାଣତେ ବା ଅଜାଣତେ ।


ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର 

ଗୁରୁ ସାକ୍ଷାତ ପରମବ୍ରହ୍ମ ,ତସ୍ମେଇ ଶ୍ରୀ ଗୁରବେ ନମଃ ।।


ଯିଏ ଆମକୁ ଜୀବନର ଲକ୍ଷ୍ୟ ହାତ ଧରି ଦେଇଥାନ୍ତି, ବଞ୍ଚିବା ଶିଖେଇଥାନ୍ତି, କର୍ମ, କର୍ତ୍ତବ୍ୟ, ଧର୍ମ, ଉଚିତ୍,ଅନୁଚିତ, ନ୍ଯାୟ, ନିଷ୍ଠା ଆଦି ଆଦି ସବୁର ଦିଗଦର୍ଶନ ଦେଇଥାନ୍ତି ଆମ ଜୀବନ ଯାହାଙ୍କର ଜୀବନ ଦର୍ଶନ ରେ ଗଢା, ତାଙ୍କରି ଶିକ୍ଷା ଦର୍ପଣରେ ପ୍ରତିବିମ୍ବିତ ଆମ ଜୀବନ ର ପ୍ରତିଟି ଦିଗ ସେଇ ଇଶ୍ବର ଯେ ଶରୀର ଧାରଣ କରିଥାନ୍ତି ଆମକୁ ସୁଯୋଗ୍ଯ କରିବାକୁ, ଯାହାଙ୍କର ଅବଦାନ ଚିରନମସ୍ଯ ଓ ଆମେ ଯାହାଙ୍କ ସ୍ନେହ ଆଗରେ ଚିରୠଣୀ ସେ ହି ଗୁରୁ ।


ଆମର ପ୍ରଥମ ଗୁରୁ ବୋଲି ଆମ ମା ' କୁ ସମ୍ମାନ ଦିଆଯାଏ ।ମାତପିତା ହିଁ ପ୍ରଥମ ଗୁରୁ । ସେ ଦୁହେଁ ଆମକୁ ପାଳନ ପୋଷଣ ସହ ଯାବତୀୟ ଅଳିଅର୍ଧ୍ଧଳୀ ସହି ଆମକୁ ହାତ ଧରି ଚାଲିବା ଠୁ ଯେ କଥା କହିବା ଯାଏ ସବୁ ଶିଖାନ୍ତି ।ବ୍ଯବହାର,ଚାଲିଚଳନ, ରୀତିନୀତି, ପରମ୍ପରା, ମୂଲ୍ୟବୋଧ, ସଂସ୍କୃତି, ସଂସ୍କାର ସବୁ ସହ ସଂସାର ଓ ସମାଜର ଯୋଗ୍ୟ କରି ତୋଳନ୍ତି । ସେଥିପାଇଁ କୁହାଯାଏ ତୁମର ବ୍ଯବହାର ହିଁ ତୁମର ଅସଲ ପରିଚୟ ଦିଏ, ଶିକ୍ଷାର ମାନ ବତାଏ, କେଉଁ ପରିବାର ତୁମ ପ୍ରଛ୍ଛଦପଟ୍ଟ ରେ ତାହା ଦର୍ଶାଏ ।


ଭାଗବତ ମହାପୁରାଣ କହେ ,

ମନ ତୋହର ନିଜ ଗୁରୁ, 

ଉଦ୍ଧବ କେତେ ତୁ ପଚାରୁ ।।


ଗୁରୁକୃପା ଅଜ୍ଞାନତାର ତମାସାକୁ ଦୂରୀଭୂତ କରି ଜ୍ଞାନାଲୋକର ପ୍ରଦୀପ ପ୍ରଜ୍ବଳିତ କରେ, ଅସମ୍ଭବକୁ ସମ୍ଭବ କରେ । ଗୁରୁପ୍ରଦତ୍ତ ଜ୍ଞାନ ଭଣ୍ଡାର ଳୁଥିଲେ ଜ୍ଞାନ ପ୍ରବାହର ଧାରା ଗତିଶୀଳତାର ସହ ପ୍ରଚାର, ପ୍ରସାର ବଣ୍ଟନ, ଗୁରୁଙ୍କ ଅନୁକମ୍ପାରେ ଅନୁଗ୍ରହୀତ ହୋଇ ତନୁ, ମନ ,ଜୀବନରେ ଗୁରୁଙ୍କ ଦିବ୍ୟ ପ୍ରେରଣାରେ ନିଜେ ଚାଳିତ ହେବା ଓ ଅନ୍ଯକୁ ମଧ୍ୟ ଗୁରୁ ନାମରେ ସତ୍ ଚାଳିତ କରିବା ହିଁ ପ୍ରକୃତ ଗୁରୁଦକ୍ଷିଣା । 


ଗୋଟିଏ ଛୋଟ ବୀଜ ମଧ୍ୟରେ ଏକ ବୃନ୍ତସ୍ଥିତ ବିଶାଳ ଫଳ ଓ ଛାୟା ଶିତଳତା ପ୍ରଦ ବୃକ୍ଷ ଯେ ଲୁକ୍କାୟିତ ଥାଏ, କେବଳ ମାଳି ଟିଏ ତାକୁ ସେ ସମସ୍ତ ସୁଗୁଣ ସହ ବଞ୍ଚେଇରଖିପାରେ ।


ପୁରାତନ ଯୁଗରୁ ଗୁରୁ ଶିଷ୍ଯ ପରମ୍ପରାକୁ ଧାରଣ କରିଥିବା ଆମର ଆର୍ଯ୍ୟ ଭୂମି, ପୂଣ୍ୟ ଭୂମି ଭାରତବର୍ଷରେ ଗୁରୁ ଶବ୍ଦର ମହତ୍ତ୍ଵ ଇଶ୍ବର ସମ । ଆରୁଣୀ, ତଥାଗତ ,ଏକଲବ୍ଯ, ଭୀଷ୍ମ, କର୍ଣ୍ଣ ଆଦି ଦିବ୍ୟ ଆତ୍ମା ମାନେ ନିଦର୍ଶନ ଶ୍ରେଷ୍ଠ ଶିଷତ୍ବର ।


ଶ୍ରୀକୃଷ୍ଣ ,ଶ୍ରୀରାମ, ଶ୍ରୀ ପର୍ଶୁରାମ ସ୍ବୟଂ ଇଶ୍ବର ମଧ୍ୟ କୁରୁକୁଳର ମର୍ଯ୍ଯାଦା ମଧ୍ୟ ରେ ନିଜକୁ ଚଳେଇ ପାଠ ପଢିଥିଲେ ଓ ସଂସାର ଆଗରେ ଉଦାହରଣ ର ଉତ୍କୃଷ୍ଟତା ପ୍ରତିପାଦିତ ହୋଇଥିଲା ଯୁଗ ଯୁଗ ପାଇଁ । 


ଗୁରୁଙ୍କୁ ନ ମଣିବ ନର,

ଗୁରୁ ହି ସାକ୍ଷାତ ଇଶ୍ବର ।।


****


ଆମେ ସାଧାରଣତଃ ସାଧାରଣ ବୁଦ୍ଧିରେ ଗୁରୁ କହିଲେ ଆମକୁ ବିଦ୍ଯା ଦାନ କରୁଥିବା ବିଦ୍ଯାଳୟ, ମହାବିଦ୍ୟାଳୟ, ଶିକ୍ଷାନିକେତନ ଆଦିର ଶିକ୍ଷକ ବୋଲି ବୁଝୁ ।


ଆମ ବାପାବୋଉଙ୍କ ସମୟରେ ଗୁରୁ ମାନେ ସମସ୍ତଙ୍କ ଠାରୁ ଗୁରୁଜନ ଓ ସମ୍ମାନସ୍ପଦ ଭାବେ ଗ୍ରହଣ କରାଯିବାର ମାନସିକତା ଥିଲା । ଗୁରୁ ମାନଙ୍କର କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ହିଁ ପିଲାମାନଙ୍କର ଅଲିଖିତ ନିୟମ ନିଷ୍ଠା ତାଲିକାର ଅଗ୍ରଗଣ୍ୟ ସଂଖ୍ୟାରେ ରହୁଥିଲା ।

ମୋ ବାପାଙ୍କର ଓ ବୋଉର ସଂସ୍କୃତ ଶିକ୍ଷକ ମତେ ଥରେ କହିଥିଲେ, ମୁଁ ଯଦି ଏଇଠି ଠ ଟିଏ ଗୋଲେଇ ତୋ ବାପାକୁ କହିବି ତା ଭିତରେ ମୁଁ ଆସିଲା ଯାଏ ଠିଆ ହେଇଥା, ସେ ସେଇଠି ସେମିତି ଚାରିଯୁଗ ଠିଆ ହେଇଥିବ । ଏମିତି ଛାତ୍ର ଟିଏ ସିଏ ।

ଏଇ କଥାରୁ ସ୍ପଷ୍ଟ ଯେ ଆଗେ ଶିକ୍ଷକ ମାନେ କେବଳ ଶିକ୍ଷା ଦଉନଥିଲେ ଚରିତ୍ର ଗଠନ ଏବଂ ନୈତିକ ଚେତନାର ମୂଳଦୂଆ ମଧ୍ୟ ଦମ୍ଭ କରି ଗଢୁଥିଲେ । ସେତେବେଳେ ଏତେ ସ୍କୁଲ ନଥିଲା । ସହର ବା ବ୍ଲକରେ ଥିବା ସ୍କୁଲରେ ପାଠ ପଢିବାକୁ ପାଖଆଖ ଗାଁଗଣ୍ଡା, ସହରତଳି ଅଞ୍ଚଳର ଭଲ ପଢୁଥିବା ପିଲେ ଆସି କାହା କାହା ଘରେ ମଠ ବାଡିରେ ରହି ପଢୁଥିଲେ । ଆଗ୍ରହ ଓ ଉଚ୍ଚ ଆକାଂକ୍ଷା ଭଲ ମଣିଷ ଗଢୁଥିଲା । ମୋ ବାପା ବୋଉ କେତେ କଷ୍ଟ କରି ପାଠ ପଢିଥିବା ମୁଁ ଶୁଣିଛି ,ଏବଂ ତାଙ୍କର ଶିକ୍ଷକମାନଙ୍କର ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରତି ଥିବା ସ୍ନେହ, ବିଶ୍ବାସ ଓ ତାଙ୍କୁ ନେଇ ଚିକ୍ ଚିକ୍ କରୁଥିବା ଆର୍ଶିବାଦ ସ୍ବରୂପ ନିଜ ହାତଗଢା ସୁମଣିଷ ପାଇଁ ଆତ୍ମସନ୍ତୋଷକୁ ଅନୁଭବ କରିଛି ଭେଟ ହେଇଗଲେ ଆଖି କଣ ଦେଇ ବହିଆସୁଥିବା ଖୁସିର ଲୁହରେ ।


ଶିକ୍ଷକମାନେ ସେତେବେଳେ ଛାତ୍ରମାନଙ୍କୁ ନିଜର ସନ୍ତାନ ଠୁ ବଳି ଦେଖୁଥିଲେ । ମଣିଷ ଗଢିବାର ବ୍ରତ ନେଇଥିଲେ ଯେମିତି । ଅନେକ ଶିକ୍ଷକ ନିଜର ଘରେ ନିଜ ଖର୍ଚ୍ଚରେ ଭଲ ପଢୁଥିବା ପିଲାଙ୍କୁ ଆଶ୍ରୟ ଦେଇ ମଣିଷ କରି ଗଢୁଥିଲେ ନିଜର ସର୍ବସ୍ଵ ନିଛାବର କରି ।


ସ୍ୱଳ୍ପ ସାଧନରେ ସାଧନା ପରି ଥିଲା ସେବେର ପାଠପଢା । ଏକାଦଶ ପର୍ଯ୍ଯନ୍ତ ଶ୍ରେଣୀ, ପଚିଶ୍ ନମ୍ବରର ଗୋଟେ ଗୋଟେ ପ୍ରଶ୍ନର ଉତ୍ତର, ଛ ଫାଳର ଉତ୍ତର, ପୁରାଣ, ପୂର୍ବ ପର ପ୍ରସଙ୍ଗ ସହ ସରଳାର୍ଥ , ପୋଥି, ଉତ୍କୃଷ୍ଟ ସାହିତ୍ୟ, କବିତା,ପାଟିଗଣିତ, ବୀଜଗଣିତ, ଜ୍ଯାମିତି, ପରିମିତି, ତ୍ରିକୋଣମିତି ,ଅଙ୍କନ ଆଦି ବହୁ ବିଶିଷ୍ଟ ବିଷୟ ସବୁ ରହୁଥିଲେ ଯାହା ପିଲାମାନଙ୍କୁ ଜ୍ଞାନୀ କରୁଥିଲା । ପିଲେ ମଧ୍ୟ ଲାଗିପଡି ପରିଶ୍ରମ କରୁଥିଲେ । ଜନ ସମାଜର ଛବି ସରଳ,ନିଷ୍କପଟ, ସ୍ନେହୀ, ମୀତବ୍ଯୟୀ, ପରୋପକାରୀ ,ବିନମ୍ର ,ଶ୍ରଦ୍ଧା, ସମର୍ପଣ,ତ୍ଯାଗ, ଅତିଶୟ ଭଦ୍ର ହେବା ସହ ଅନେକ ସୁଗୁଣ ର ଅଧିକାରୀ ହେଉଥିଲେ । ଏକ ସୁସ୍ଥ ସୁନ୍ଦର ସମାଜର ପ୍ରତିଷ୍ଠା ହୋଇଥିଲା ।


ଆଜି ବି ବୟୋଜ୍ଯଷ୍ଠ ହୋଇଯାଇଥିବା ଆମର ପିତାମାତା ଏବଂ ତାଙ୍କ ଗୁରୁ ମାନଙ୍କୁ ଦେଖିଲେ ଭକ୍ତି ରେ ଆପେ ମଥାନତ ହୁଏ ।


****

ଆମ ପଢାବେଳେ ଆମେ ସାର, ଦିଦି ବୋଲି ଡାକୁଥିଲୁ। ତୃତୀୟ, ପଞ୍ଚମ, ସପ୍ତମ ଓ ଦଶମରେ ବୋର୍ଡ ପରିକ୍ଷା ରହୁଥିଲା ତା' ସହ ନବୋଦୟ ସ୍କଲାରସିପ୍ ବି । ଆମକୁ ଅନେକ ସୁଯୋଗ ଓ ସୁବିଧା ମିଳୁଥିଲା, ସ୍କୁଲ ସଂଖ୍ୟା ବଢିଥିଲା, ଇଂରାଜୀ ଶିକ୍ଷା, କନ୍ୟା ଶିକ୍ଷା ( ଝିଅ ମାନେ ପଢିବେ ) ,ସ୍କାଉଟ୍, ଗାଇଡ୍, ଏନ୍ ସି ସି ,ବିଭିନ୍ନ ବୈଷୟିକ ଶିକ୍ଷା ଆଦି ର ସୁବିଧା ଆସିସାରିଥିଲା । ଆମକୁ ଆଉ ଗୋଟିଏ କଲମ କି ଗୋଟିଏ ହଳ ଡ୍ରେସ୍ ରେ ପୁରା ସ୍କୁଲ ସାରିବାକୁ ହେଲାନି ।ହଁ ଆମେ ତଳକୁ ତଳ ଭାଇଭଉଣୀ ବା ବଡ କ୍ଲାସ ଅପା ଭାଇ ବା ଅଧାରେଟ୍ ରେ ବହି ଯୋଗାଡି ନୂଆ ଦୈନଦିନ ସମାଜ କାଗଜ ମଲାଟ ମଡେଇ ପଢିଲୁ । ଯେ ଯାଏ ପଢିବ ବହି ମିଳିବ । ଆମ ପାଇଁ ନୂଆ ସାଇକେଲ ଆସିଲା । ଆମେ ଚାଟଶାଳୀରେ ବି ପଣିକିଆରୁ ଓ ଆପଣେଙ୍କ ବେତ ହଲାରୁ ଖଡିଛୁଇଁଲୁ । ଗଣେଶ ପୂଜା, ସରସ୍ବତୀ ପୂଜାରେ ଭକ୍ତିରେ ନଡିଆ ଭାଙ୍ଗିଲା,ଆଉ ପରିକ୍ଷା ପାଇଁ ସିରିଅସ୍ଲି ପ୍ରିପାର କଲୁ । ପାଠ ପ୍ରତି ଆମର ଲଗନ ଥିଲା ଆମେ ମନ ଦେଇ ପଢିବା ଜରୁରୀ ବୋଲି ସ୍ଥିର ଥିଲୁ ।ପ୍ରାର୍ଥନା, ପରିବାର, ସଂସ୍କୃତି, ସଂସ୍କାର, ସବୁର ମହତ୍ତ୍ଵ ରହୁଥିଲା ।


ଆମ ଶିକ୍ଷକମାନେ ମଧ୍ୟ ଆମକୁ ବହି ଯୋଗେଇବାଠୁ, ପିକ୍ନିକ୍ନ,ଏସ୍ବାକର୍ସନ , ଏକ୍ଜିବିସନ୍, ଲାଇବ୍ରେରୀ, ଆଦି ନବାଠୁ, ଗଳ୍ପ ଓ ନୀତିବାଣୀ ଶିକ୍ଷା ଦବାଠୁ, ତାଙ୍କ ପରିବାରର ଏକ ଅଭିନ୍ନ ଅଂଗ କରିବାଯାଏ ସବୁ କରୁଥିଲେ ।


ଆମର ବି ତାଙ୍କୁ ଭକ୍ତି ମିଶା ଭୟ ଥିଲା ।


ସମାଜ ସାଧାରଣ, ଆଧୁନିକତା ପ୍ରତି ଆଗ୍ରହୀ, ଆହୁରି ଆହୁରି ଆଗକୁ ବଢିବା, ଜାଣିବା ଓ ଜିତିବାର ମନୋବୃତ୍ତିକୁ ନେଇ ଠିଆ ହେଇଥିଲା । ଯଦିଓ ପ୍ରତିଯୋଗିତା ନଥିଲା ମାତ୍ର ଜିତିବାର ଜୋଶ୍ ଦିଶୁଥିଲା ।


ଇଂରାଜୀ ମିଡିୟମ୍ ର କ୍ରେଜ୍ ବଢୁଥିଲା ଧିରେ ଧିରେ ।


*****

ଏବେ ତ ଦଶମ ପରିକ୍ଷା ଅଲ୍ ପାସ୍ ।ଉଠିଗଲା ସବୁ ପରିକ୍ଷା ଏମ୍ ଫିଲ୍ ଯାଏ ।ସାକ୍ଷର ରେଟ୍ ବଢିବା କଥା, ଦସ୍ତଖତ କରିପାରିଲେ ଗଲା । ପାଠ ସହଜ ଓ ସରଳ, ସବୁ ଏକ ମାର୍କିଆ, ମଲ୍ଟିପଲ୍ । କମ୍ପିଟେସନ୍ ପୁରା ଫୁଲ୍ ଜୋର୍ ରେ ।ନାଚ, ଗୀତ, ଚିତ୍ର, ଜି କେ,ପହଁରା ,ଖେଳ,କୁସ୍ତି, ଆଦି ଆଦି ସବୁ ଦିଗରେ ପିଲେ ଦକ୍ଷ । ଏକ୍ସେସ୍ ଓ ଓଭର ସ୍ମାର୍ଟ । ଆମେ ଓ ଆମ ପିଲାଙ୍କ ମ୍ଯାମ୍ ମାନେ ସମସ୍ତେ ପିଲାଙ୍କର ସାଙ୍ଗ । ସାଙ୍ଗ ହବାକୁ ବାଧ୍ୟ । ସମସ୍ତ ସାଧନରୁ ଆହୁରି ବହୁତ ଅଧିକ ଆମେ ଯୋଗେଇ ସାରିଛୁ ଆମର ସନ୍ତାନଗଣଙ୍କୁ । ଅଭାବ କଣ ଜାଣିଲେନି, ମୂଲ୍ୟ ବୁଝିଲେନି, ପରିଶ୍ରମ କରିବା ଲୋଢା ନାହିଁ । ହାତ ପାହାନ୍ତାରେ ସ୍ବର୍ଗର ସର୍ବ ସୁଖ । ମୁଣ୍ଡ ଖର୍ଚ୍ଚ ହେବାର ପ୍ରଶ୍ନ ଉଠୁନି । କିନ୍ତୁ ଆଶ୍ଚର୍ଯ୍ୟ ଭାବରେ ପିଲେ ଏବେ ଜନ୍ମରୁ ହିଁ ଅନେକ ଯୁଗଜନ୍ମା ପରି ସିଦ୍ଧ ।


ଏବେ ତ ଅନ୍ ଲାଇନ୍ କ୍ଲାସ୍ । ତଥାପି ମୁଁ ଶିକ୍ଷକମାନଙ୍କର ଡେଡିକେସନ୍ କୁ ନମନ କରୁଛି ।ସେମାନେ ଆଜି ବି ପିଲାଙ୍କୁ ମଣିଷ କରିବାକୁ କଷ୍ଟ କରୁଛନ୍ତି ।ନୂଆ ଓ ଆଧୁନିକ ଟେକ୍ନୋଲୋଜି ଓ ସ୍କିଲ ସବୁ ଶିଖୁଛନ୍ତି ଓ ଅପ୍ଡେଟ୍ ରହୁଛନ୍ତି ।ଏତେ ପ୍ରକାରେ ନୂତନ ଶିକ୍ଷା ପଦ୍ଧତିରେ ପଢ୍ଅଉଛନ୍ତି ।ପରୀକ୍ଷଣ କରୁଛନ୍ତି ।ପିଲାମାନଙ୍କ ସାଙ୍ଗରେ ପିଲା ହୋଇ ତାଙ୍କ ମାନସିକତାକୁ ନେଇ ମଣିଷ ଗଢିବାର ଚେଷ୍ଟା ରଖୁଛନ୍ତି । ନୂଆ, ଦକ୍ଷ ମଣିଷ ସବୁ ଆଗାମୀ ସମାଜ ପାଇଁ ।ନବୀକରଣ ଶିକ୍ଷା ପ୍ରଣାଳୀକୁ ଆଜିର ଶିକ୍ଷକ ମାନେ ଆପଣେଇ ଆମ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ଅର୍ପିତ । ଚେଷ୍ଟାରତ୍ତ ।


ହଁ ସବୁ ପିଲେ ଇଂରାଜୀ ମିଡିୟମ୍ ରେ ହିଁ ପଢିଲେ, ଆଞ୍ଚଳିକ ଭାଷା, ସାହିତ୍ୟ, ବିଷୟ, ଶିକ୍ଷା, ସଂସ୍କୃତି ସବୁ ପ୍ରତି ଅବହେଳା ହେଉଛି । ନିଜର ମାତୃଭୂମି ,ଓ ମାତୃଭାଷା ନା ପଢିଲେଖି ପାରିଲେ ନା 'ହିଁ ସ୍ପଷ୍ଟତା ସହ କରିପାରିଲେ । ଏମିତି ସ୍ଥିତିରେ ଆଉ କେତୋଟି ମାତ୍ର ପିଢି ପରେ ହୁଏତ ଭାଷା ସଂକଟ ଦେଖାଯାଇପାରେ ଯାହାର ମୂଳଦୂଆ ପଡିସାରିଲାଣି । ପୁଣି ଥରେ ମଧୁବାବୁ, ଫକୀର ମୋହନ ସେନାପତି, ଆଦି ମହାମନୀଷି ଗଣଙ୍କୁ ଧରାକୁ ଫେରିବାକୁ ହି ହେବ , ଶିକ୍ଷକ ରୂପରେ ।


କାରଣ ଶିକ୍ଷକ ହିଁ ଏକ ମାଇଲ୍ ଖୁଣ୍ଟ ଯାହା ଦମ୍ଭ ଦିଏ ମେରୁଦଣ୍ଡ ପରି ସମାଜର ଭଗ୍ନ ଶରୀରକୁ ପୁନଃ ସ୍ଥାପନ ପାଇଁ । ତାଙ୍କର ଅବଦାନ ଅତୁଳନୀୟ ।


ଯୁଗେ ଯୁଗେ ଚୀରବନ୍ଦନିୟ, ଚିରନମସ୍ଯ ଆମର ଗୁରୁ ।।


ବନ୍ଦେ ଗୁରୁ ଚରଣାରବିନ୍ଦେ 

ନମଃ ନମଃ ।।



Rate this content
Log in

Similar oriya story from Classics