ଗୋଟେ କୁହା ସରିଥିବା ଗପ
ଗୋଟେ କୁହା ସରିଥିବା ଗପ
ବର୍ଷାଦିନ। ଧାରା ଶାରବଣ ।ଗାଳୁଛି ଯେ ଗାଳୁଛି ।କାଚୁଛି ଯେ କାଚୁଛି ।ତିନି ଦିନ ପୁରିଲାଣି ଥ' ପଡିବାର ନାଁ ଗନ୍ଧ ନାହିଁ ।ଘର ଦ୍ବାର, ଦାଣ୍ଡ ଘାଟ ପଚ ପଚ ।ଛେଃ ।ବର୍ଷା ନେଇ କବିତା ଝରେ କୁଆଡେ !
ଏଠି ତ ହାଲତ ଢିଲା , ଆଣ୍ଠିଏ ପାଣିରେ ଉବୁଟୁବୁ ଚାଳ, ଥଳ,କୂଳ ।
ଦି ଦିନରୁ ବାପା କଣ କାମରେ ଏଠୁ କୋଡିଏ ମାଇଲି ସେପାରେ ।ଆସିବେ ବି କେମିତି ,ରାସ୍ତା ଯାକ ତ କାଦୁଅ ।ଘର ଭିତରେ ପାଣି ଠିଆ, ଯେତେ ସୋର କାଟିଲେ କଣ ହବ ,ନିରୁତା ଭିଜିବା ସାର ।ସର୍ଦ୍ଦି ଧରିବ ।ପାଣିରୁ ଛାଣି ଛାଣି ଘର ଆସବାବ ପତ୍ର ନୟାନ୍ତ ବୋଉ,ସାନଭଉଣୀ ଆଉ ନାନୀ ।ସବୁ ବତୁରିଗଲାଣି ।ମନ ଅଗରେ । ହତାସିଆ ଲାଗେ ଫି ସାଲ ଏଇ ଦିନ ମାନଙ୍କରେ ।ଲଘୁଚାପ ଛାଡିଲେ ଆପେ ଓହ୍ଲାଇ ଯିବ ପାଣି , ଘର ସାରା ନାଳୁଆ ଶିଘାଂଣୀ ପରି ପରଳେ ଚିହ୍ନ ଛାଡି ।ଛେଃ, ଘସୁଥ ।
ଅଣ୍ଟା ରେ ହାତ ଦେଇ ଠିଆ ହେଇଥାଏ ମୁଁ । ଆଣ୍ଠିଏ ପାଣି ଭିତରେ କି ଦିଶିଗଲେ ପ୍ରାଣପଣେ ଗୋଡ ମାନଙ୍କୁ ଫରକଟେଇ ଫରକଟେଇ ବଞ୍ଚି ବାକୁ ଲଢୁଥିବା ଆଉ ଆଗକୁ ଆଗକୁ ପହଁରୁଥିବା ଏଇ ଛୋଟିଆ ଜୀବଟି ମାନଙ୍କର ପରିବାର ସବୁ।ମାଟି ତଳେ ତଳେ ୟାଙ୍କ ସୁଡଙ୍ଗ ।ବଖରା ପରେ ବଖରା ।ଯୋଉଠି ଥାଏ ଅମାର ଠୁ ଖଣି ଯାଏଁ ।ବୋଧେ ବନ୍ଯା ହେଇଯାଇଥିବ ଗାଁ ରେ ତାଙ୍କର ।ଲହଡି ମାରୁଥିବ, ଭାସେଇନେଇଥିବ ଭସାବାଦଲର ଖେଳରେ ସବୁ ସଂଗୃହୀତ ପରିଶ୍ରମ ଓ ଖାଦ୍ୟ ।ଜୀବନ ଜୀଁ 'ବାର କି ଅଦମ୍ଯ ଚେଷ୍ଟା ସେଥିରେ ବଳିଛି ଆଉ ଟାଣୁଛି ।ଜୀବନ ଟା ସେମିତି ।ହାରିବାକୁ ଦିଏନା ।ଲଢୁଆଳ ଜୀବନ ।
ସମ୍ମାନ ବଢୁଥିଲା ଜୀବନ ଆଉ ତାର ଜୀବ ମାନଙ୍କ ପାଇଁ ।
ଝର ପଡି ପାଣି ଝରୁଥିଲା ଫାଟ ସବୁରୁ ଘରର ଫଟା ପଲସ୍ତରା ଠୁ । ଘର ବୁଡି ପାଣି ଆଣ୍ଠିଏ ସିନା କଥାରେ କୁହନ୍ତି ,ଆମର ଏଠି କଥା ବହକିଗଲା କଥାରୁ ନଥା ଯାଏ ଯୋଉଦିନ ନଥିପତର ସବୁ ଭିଜିଲେ ଝରକା ରୁ ଛିଟ ମାରି ମାରି, ଆଲମାରି ତଳ ଦି'ଥାକ ସବୁ ଯାଏ ଲୁଗା ପଟା ପଙ୍କେଇଗଲା ରାତିଆଧିଆ । ଆଉ ବୋଉର ମାଟି ଜଗନ୍ନାଥେ ଦୁଲ୍ କିନା ବତୁରି ଖସିପଡିଲେ ସେଇ ଠାକୁର ଘର ଚଟାଣରେ ଆଉ ତାଙ୍କର ଦି ହାତ ଖାଲି ଭାସୁଥିଲା ଉପର ମୁହାଁ ।ବୋଉର ତ ହୋସ୍ ଯାଉ ଯାଉ ରହିଲା ।ଅପାଣି ପାଦ ନାମ ବହୁଥିବା ନିରାକାର ବ୍ରହ୍ମ ଜଳସମାଧି ନିଅନ୍ତେ ବୋଉ କହିଲା ," ଆଉ ନୁହେଁ, ଆଉ ନୁହେଁ ।ଘର ଗୋଟେ ଦେଖେରେ ଧନ ।ବଦଳେଇଦବା ।ବିଧାତାରେ ! ଆଉ କେତେ ବାର _ ଦୁଆର ଶୁଣ୍ଢି ପିଣ୍ଢା କରେଇବୁ ରେ ।କୋଉଦିନ ମଣିଷ ର ନିଜର ବୋଲି ଛାତ ଖଣ୍ଡେ ହବ କେଜାଣି ! ପେଟରେ ଓଦା କନା ଦେଇ ପଛେ ଶୋଇବ ହେଲେ ନିଜ ପିଣ୍ଢା ରେ ତ ଜୀବନ ଯିବ ।ହଉ ଯାହା କପାଳ ଲିଖନ, ତାକୁ ଭଲା କେ କରିବ ଆନ ।
ବୋଉ ର ଏଇ କଥା ସବୁ ବାପା ଙ୍କୁ କାଟେ । ତାଙ୍କ ଆଖିର ଅଭିବ୍ଯକ୍ତି କଥା କହେ ।ସେ ତଳକୁ ମୁହଁ କରନ୍ତି।
ସମଗ୍ରତା ଜଞାଳ ଭିତରର ପାହାଡରେ ଅପାରଗତାର ଅଳ୍ପକିଆ ପକେଟ ରେ ଯେତିକି ଥାନ ଧରିବ ତାରି ଭିତରେ ଟାଣଟୁଣା ସଂସାର ।ସିଏ ବି ବୁଝନ୍ତି ଚିଡିଭିଡି ହେଇ ବୋଉ ସିନା କହିଦିଏ ହେଲେ ତା ମନଟା ସଫା ।ସିଏ ହି ତ ଅଣ୍ଟନିଅଣ୍ଟ ଦୁନିଆକୁ ତାଙ୍କ ର ତାର ରୋଷେଇ ଥାକ ଡାଲିଡବା ପଛରେ ଥୁଆ ଷ୍ଟିଲ୍ ଟିଫିନ ଭିତରୁ ଚଳେଇନିଏ ।ତା' କଥା ଗୋଟେ କଣ ମନରେ ଧରିବ ଯେ ।
ଯେତିକି ଚୂନାକୁ ସେତିକି ପିଠା ହେଇଗଲେ କାହିଁ ରେ କଣ ।କାଳିଆ ସାଆନ୍ତେ ଚାହିଁବେ ଯେ ।ଚାହିଁବେ କଣ ବା ,ଚାହିଁଛନ୍ତି ବୋଲି ଯେନ ତେନ ପ୍ରକାରେଣ ଚାଲିଛି ନାଉ ।ଅଟକିଛି କଣ କୋଉଠି କୋଉ କାମ ଅଧଡ ହେଇ ।ଚଲତି କା ନାମ ଗାଡି ପରା ।
ଆଉ ରହିଲା ଘର ବଦଳେଇବା କଥା ।ଯିଏ ଭଡା ରହିଛି ସିଏ ଜାଣିଛି ।କେତେ କାକୁତିମିନତୀ ଗୋଟେ ପକ୍ଷର ଆଉ ଆର ପକ୍ଷର କେତେ ମାମତକାରି, କେତେ ହୁକୁମାତି ।ମିଳିବାର ଅଛି ପୁଣି ।ଯାହା ଭାଗ୍ୟ ।
ଅଗତ୍ଯା ଏବେ ଘର ବଦଳେଇ ଦେଲୁ ଆମେ ।ଭଡା ଘର ତ । ଆଉ କଣ କରାଯିବ !ଯୋଉଠି ରହିବୁ ତାକୁଇ ଆପଣେଇବୁ ।ଯେତେଦିନ ଲେଖାଥିବ ସେ ମାଟିରେ ଜଡେଇଧରିବୁ ।
ଆଉ କେତେଦିନ ସେ ପାଣିପଙ୍କରେ ହନ୍ତସନ୍ତ ହନ୍ତୁ ଯେ ! ହଁ ଆବଶ୍ୟ ବୋଉ ତାର ସେଠିକା ତା ' ହାତ ସଜଡା ମାଟି ଚକଡା ଖଣ୍ଡ ଟିକି ଅଗଣାଟି କୁ ଝୁରିହେଲା । ଲଙ୍କାଟେ, ଜହ୍ନି, କାକୁଡି ଦିଟା,ଦୂବ, ତୁଳସା, ଅପରାଜିତା,କୁସୁମଗେଣ୍ଡୁ,ତରାଟ, ମନ୍ଦାର, ସୁନାକନିଅର ଲଟା ଫୁଲ ମୁଠେ ସହ ଶରଧା ରୁ ଟୋପେ ତ ।
ହେଲା ଆଉ, ଏଠି ମାଟି କୁଣ୍ଡ, ଅଭଡା କୁଡିଆ ରେ ଲଗାହେଲେ ସେମାନେ ।ଆସିଥିଲେ ଚାରା ହେଇ ସେ ଘରୁ ଏଠିକି ।ଯାହା ଯେତିକି ହବ ।
ସବୁଠି କିଛି ସୁବିଧା କିଛି ଅସୁବିଧା ମିଳିମିଶି ଥାନ୍ତି ।ଏଠି ଘର କଳରେ ପାଣି ଆସୁନଥିଲା, ଆସୁଥିଲା ସଁ ସଁ ପବନ ।ତଳୁଆ ଥିବା ଦାଣ୍ଡ କଳରୁ ବାଲିଟି ଗରା କରି ପାଣି ବୁହ ।ସକାଳୁ, ଖରାବେଳିଆ, ଉପର ଓଳି ।ତିନି ଥର ଦବ ମୁନିସିପାଲିଟି ପାଣି ।ସେଥିରେ ହଳଦୀଆ କଳା ଗୁଣ୍ଡ ଆସିବ ।ବାପାଙ୍କ ପୁରୁଣା ଧୋତି ଚିରୁଳେ କଳ ମୁହଁ ରେ ବାନ୍ଧି ଆଣିବ ।ନହେଲେ ଡାଇରିଆ ବିଭାଗ, ବଡ ମେଡିକାଲ ଠିକଣା ।ନାନୀ ଚିଡୁଥିଲା ପାଣି ବୋହି ବୋହି ଅଣ୍ଟା ମଲମ ମାରି ମାରିକା ।ହେଲେ ବି ମଗୁସୁର ଗୁରୁବାରେ ଝୋଟି ଫୁଲ ହସୁଥିଲେ ।
ଖୋଲା ଛାତଟେ ଥିଲା ଏଠି ମେଲାଖରା ପଡୁଥିଲା ଲୁଗାପଟା,ବଡି, ଆଚାର ଶୁଖିବାକୁ ।ଏଇଟା ଭଲ ଥିଲା ।ଅବଶ୍ୟ ପାହାଚ ତକ ଅଣଓସାରିଆ ଆଉ ଶିଉଳିଆ ସିମେଣ୍ଟ ଛଡା ଯେ,ପାଦ ସଟ୍ କି ଖସିଯିବ ସମ୍ଭାଳି ନ ଗଲେ ।ପବନ ଭଲ ହଉଥିଲା ବି ସ୍ବପ୍ନ ଧରି ।
ଚାରି ଛ'ମାସ ନୂଆ ପରିବେଶରେ ଜଣାପଡିଲାନି, କଟିଗଲା ।
ଆଉ ଗୋଟିଏ ନୂଆ କଥା ଏଠି ଘଟିଲା ।ଆମେ ଯେତେ ନୂଆ ମାଟି ଦେଲୁ କୁଣ୍ଡ ରେ ସକାଳୁ ତଳେ ଗଦେଇ ହେଇଗଲେ ।ଗଛ ଚେର ସବୁ କଟିଗଲେ କେମିତି ଆଉ ଗଛ ସବୁ ମଉଳିଲେ ।ସେମିତି କିଛି ସୁରାକ ହାତରେ ଲାଗିଲାନି ।ବୋଉ ମନ ମଉଳୁଥିଲା ପୁଣି ପତ୍ର ଡାଳ ସହ । ଚିଡୁଥିଲା ।ତା ପୁରୁଣା ବାରିକୁ ଝୁରୁଥିଲା ।
ଆଉ ଦିନେ ଦେଖିଲା ବେଳକୁ ନାନୀର ସ୍କୁଟି ଷ୍ଟାର୍ଟ ହଉନି ।ଗ୍ଯାରେଜରେ ସଜଡା ହେଇ ଆସିଲା ।ସେଇ ସମାନ କଥା ଥରକୁ ପାଞ୍ଚ ଥର ହେଲା ।ସିଏ କଲେଜ ଯିବାକୁ ହଇରାଣ ହେଲା ।
ଗ୍ଯାରେଜ ପିଲାଟା କହିଲା, " ଦେଈ, ତମ ଗାଡିର ଭିତର ଷ୍ଟାର୍ଟ ତାର କିଏ କାଟିଦଉଛି ।" ହେଁ ଇୟେ ପୁଣି କୋ'କଥା ହୋ ।
ଏଇ ସବୁକୁ ଛୋଟ ଛୋଟ କଥା ଭାବି କେହି ଏତେ ମନ ଦେଲେନି ।ଦିନେ ଦେଖିଲା ବେଳକୁ ଦିଅଁ ଙ୍କ ଘରୁ ଘିଅ ଦୀପ ଗାୟବ ।ଚଉରା ଠୁ ଭୋଗ ଥାଳିଆ ବି ।ବୋଉ କୁ ଆଉ କିଏ ସମ୍ବାଳେ !ଖାଲି ତ ଲୁହ ଲୁହ ହେଲା ଆଉ ।
ମୁଁ ଖୋଜୁଥିଲି ମନେ ମନେ ଏମିତି ସବୁ କରୁଛି କିଏ ? ହଉଛି ଯଦି ହଉଛି କେମିତି?
ବୋଉ ର ସଞ୍ଚାମୁଣି ହଜିଗଲା ଦିନେ ।ସିଏ ସେଇଥେରେ ତାର ଶହେ ପାଆଁଶ କରି ସଞ୍ଚେ ବାପାଙ୍କ ଠୁ ନେଇ ।ଦରବ କିଣିବ, ଦରକାର ବେଳେ ସାହା ହବ ଭାବି ।ପୁଆଣି ଚଳେଇବ ।
ଖୋଜିଲା ।ଆମକୁ ଚିଡିଲା, " କିଏ ନେଇଛ ସତ କୁହ " ।ଆମେ କହିଲୁ, " ହେଁ, ତୁ ତୋର ଭଲ ଯାଗାରେ କୋଉଠି ଲୁଚଉ ।ସେଇଠି ରଖିଥିବୁ ଦେଖେ ।ଆମକୁ କଣ ପଚାରୁଛୁ ? "
ଏବେ ଧିରେ ଧିରେ ଉତ୍ପାତ ବଢୁଥିଲା ।ରୋଷେଇ ଘରୁ ପନିପରିବା ଅଧାଖିଆ, ସଉଦାଜରି କଣା ହବା ଆରମ୍ଭ ହେଲେ ।
ଗାଧୁଆ ଘର କବାଟ ତଳ ପଟୁ ପାଣି ଖାଇ ଖାଇ ଚାଖଣ୍ଡେ ଖଣ୍ଡେ ଖସିଯାଇଥିଲା ।ସାନ ଭଉଣୀ ଦିନେ ସେଇପଟେ କାହାର ଗୋଟେ ଜଳନ୍ତା ଆଖି ଦିଟା ଦେଖିଲା ।ଚିଲେଇଲା ଯେ ଏଡେ ପାଟିରେ ଘର ଯାକ ଲୋକ ଠୁଳ ହେଲୁ ।ଠେଙ୍ଗା ବାଡି ଧରି କବାଟ ଫିଟେଇ ଦେଖିଲୁ କେହି ନାହିଁ ।ଆରେ ଭାଇ ,ଇଏ ସବୁ କି କଥା ? କଣ ଆଉ କିଏ ଗାରୁଡି କଲା କିରେ ! ନା ଏଠି କଣ ଅଛି ଗୋଟେ ଯାହା ଦୁଶୁନି । ବୋଉ ତାର ଗୁରୁ ବାବା ଙ୍କ ପାଖରୁ ମନ୍ତୁରା ଚାଉଳ ଲାଲି ସୂତା ଆଣି ଘରେ ବାନ୍ଧିଲା ।ପାଦୁକ ସିଞ୍ଚିଲା ।
ଘର ମାଲିକକୁ କହିଲେ ସିଏ କାନ ମୁଦି ଦିଏ ।କହେ," କାଇଁ ମ ଆମ ଘରେ ସେମିତି କିଛି ନାହିଁ ।ଘର ବଦଳେଇଦଉନ ଯଦି ଅଡୁଆ ଲାଗୁଛି ।"
ବାପା ଆଉ ଗୋଟେ ଘର ବଦଳେଇବାକୁ ଚିନ୍ତା କଲେ ।
ହେଲେ ତମ ମୁତାବକ ଘର ମିଳିବା, ଘର ବଦଳେଇବା କଣ ସହଜ ପାଠ କି !
ତଥାପି କଣ କରିବା, ବେଶୀ ଅଡୁଆ ହେଲେ ସେଥିରୁ ବାହାରିବାକୁ ତ ହବ ।ଯୋଉ ଯାଏ ଚଳେଇ ପାରିବ ସିନା ଚଳେଇବ ।ହାତ ଟେକି ବସିଲେ କଣ ଚାରା ।
ସେଦିନ ମୁଁ ଶୋଇଛି ଗାଢ ନିଦରେ ।କଣ ଗୋଟେ ଭୋରବେଳିଆ ସପନରେ ହଜିଛି।ମଶାରୀ ବାହାରକୁ ମୋ ପାଦ ବାହାରିଯାଇଛି ଅଜାଣତେ ।ଟକ୍ ।ବୋଉ ଲୋ ।ହଲ୍ଲା କରି ଉଠିବସିଲି ।କଣ ଗୋଟେ ଗଳି ଗଲା ଗୋଡ କାଣି ଆଙ୍ଗୁଳିର କଣରେ ।ଆଃ ।ବସିପଡି ଦେଖେ ରକ୍ତ ବାହାରୁଛି ଆଉ ଟିକେ ସାମ୍ନା କୁ ବସି ସିଏ ଥରୁଛି କଅଁଳ ମାଂସ ଭାବି ଖାଇବା ଲୋଭରୁ ହଠାତ୍ ଡରିଯାଇ ଚମକି ପଡିଥିବାରୁ ।ଡିଆଁଟେ ମାରି ପଳେଇଲା ।ମୁଁ ହାତ ପୁରେଇଲି ଆଲେଣା ତଳକୁ ।ହାତରେ ବାଜିଲା ବୋଉର ମୁଣି ।କୁଟୁକୁଟୁ କୁନୁକୁନୁ ।
ମୋର ମନେ ପଡିଲା, " ଆଉ ଦିନେ ସକାଳୁ .... ନୂଆ ନୂଆ ଆସିବା ବେଳେ । ଇରେ ହେଇରେ ,ସେଦିନ ଭୋରୁ ମୁଁ ଦାଣ୍ଡ କବାଟ ଫିଟେଇ ଦାଣ୍ଡ କୁ ବାହାରିଛି ଅଳସ ଆଖି ରେ ।ଦେଖିଲି ଆମ ଦୁଆରେ କିନା ଲୋଚାକୋଚା ଖବରକାଗଜ ଟେରେ କଣ ପୁଡିଆ ଗୋଟେ ଥୁଆ ହେଇଥିଲା ।କଣ ଟେ ବୋଲି ମୁଁ ନଇଁ ପଡି ଦେଖିଲା ବେଳକୁ ତା ଭିତରେ ମେଞ୍ଚେ ଲାଲି ଲାଲି ଆଖି ଫିଟି ନଥିବା ମୂଷା ଛୁଆ ।କୋଉଠୁ ଆସିଲା ବୋଲି ଚାହିଁଲା ବେଳକୁ ଚାରିପଟକୁ ପନ୍ଝେ କୁନି ବଗୁଲିଆ ଙ୍କ ଧାଁଧପଡ ଆଉ ହସ ।
ମୁଁ ହି ରଖି ଆସିଥିଲି ଦୟାବହି ସେ ପଲଙ୍କୁ ଘର ପଛ ପଟ ଅଧାଗଢା କାନ୍ଥ ଘେରା ଛାତ ପଡିନଥିବା ଲଟାବଟା ଡିହ ଟାରେ ,ଛାତରୁ ଓହ୍ଲାଇ ବାରିପଟୁଆ ।
କଣ ବୁଝେଲେଟି କିଏ !
ଗଣପତି ବାହାନ କାରସାଦି ।
