Lalita Mohan Mishra

Drama Tragedy Classics

3  

Lalita Mohan Mishra

Drama Tragedy Classics

ଘଣ୍ଟ

ଘଣ୍ଟ

7 mins
34



ଘଣ୍ଟ ପାଟୁଆଙ୍କ ମଧ୍ୟରେ ଚାଲିଛି ବାଜଣା । ମୃଦଙ୍ଗକୁ ଧରି ବାଜା ବଜାଉଛନ୍ତି ବାନା ମହାପାତ୍ରେ । ତାଙ୍କର ଭାବ ଭଙ୍ଗି ଚମତ୍କାର । ମଝିରେ ରହି ସମସ୍ତଙ୍କୁ ଆକର୍ଷିତ କରୁଛନ୍ତି । ଆଉ କେତେବେଳେ ଜଣ ଜଣ ଘଣ୍ଟୁଆଙ୍କ ପାଖରେ ରହି ମୃଦଙ୍ଗ ବଜାଉଛନ୍ତି। ତାଙ୍କର ଭାବ ଭଙ୍ଗି ଏବଂ ତାଳକୁ ଲକ୍ଷ୍ୟ କରି ଅନ୍ୟ ମାନେ ସେହି ଅନୁସାରେ ଘଣ୍ଟ ବଜାଉଛନ୍ତି । କେତେବେଳେ ଏକତାଳ, କେତେବେଳେ କ୍ଷେମଟା ତ କେତେବେଳେ ତ୍ରିପଟାର ସ୍ବର । ଭାବ ଭଙ୍ଗି ଲୟ ରେ ଅପୂର୍ବ ଭାବ ସୃଷ୍ଟି କରୁଛି ।


ବସନ୍ତର ନିର୍ମେଘ ଆକାଶ । ନବ ବସନ୍ତ, କୋକିଳର କୁହୁତାନ, ଚୂତ ବୃକ୍ଷରେ ନବ ମୁକୁଳ, ମୃଦୁମନ୍ଦ ଶୀତଳ ସମୀରଣ । ନିମ ଗଛର କଅଁଳ ପତ୍ରର ବାସନା ଭାସି ଆସୁଛି ପବନରେ । ଫାଲଗୁନ ଶୁକ୍ଳ ଦଶମୀ । ରାଧା-କୃଷ୍ଣ ପ୍ରେମ ଗାଥାର ଭବ୍ୟ ଉତ୍ତାଳ ଉତ୍ତରଣ ଓ ପୌରାଣିକ ଆଖ୍ୟାନର ଗୁନ୍ଥନ । ରଙ୍ଗର ରଙ୍ଗୀନ ଖେଳ । ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ । ଶ୍ରୀରାଧା - ଶ୍ରୀକୃଷ୍ଣଙ୍କ ପ୍ରେମପ୍ରଣୟର ଲୀଳା । ଦୋଳ ଓ ରଙ୍ଗର ଖେଳ । ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ବିମାନରେ ମହାଡମ୍ବର ରେ ଗ୍ରାମ୍ୟ ପରିଭ୍ରମଣ । ଗ୍ରାମର ପ୍ରତ୍ୟେକ ଦୁଆରେ ଠାକୁରଙ୍କ ଭୋଗ । ଘଣ୍ଟ ଘଣ୍ଟାଳି ମୃଦଙ୍ଗ କାହାଳୀ ଢୋଲ ରେ ଚତୁର୍ଦ୍ଦିଗ କମ୍ପମାନ । ଠାକୁର ଗ୍ରାମ୍ୟ ପରିକ୍ରମଣ କରୁଛନ୍ତି । ଘଣ୍ଟ ଓ ବାଦ୍ୟ ପ୍ରତିଯୋଗିତା । ଗାଁ ଲୋକ ଏବଂ ଆଖପାଖ ଗାଁ ଲୋକଙ୍କ ଭିଡ । ସମବେତ ଦର୍ଶକ ଘଣ୍ଟ ଘଣ୍ଟାଳି ଙ୍କ ଦୃଶ୍ୟ ଦେଖୁଛନ୍ତି ।


ବାସୁ ମିଶ୍ରେ ଘଣ୍ଟ ବଜାଇବାରେ ଓସ୍ତାଦ । ପୁରୁଣା ଘଣ୍ଟ ପାଟୁଆ ଭାବରେ ଆଖ ପାଖ ଖଣ୍ଡମଣ୍ଡଳରେ ଜଣାଶୁଣା । ସେ ନ ଗଲେ ଘଣ୍ଟ ପାଟୁଆ ଯାଆନ୍ତି ନାହିଁ । ଛଅ ଫୁଟ ଉଚ୍ଚତାର ମଣିଷଟି ଠାକୁରଙ୍କ ଠାରେ ମୁଣ୍ଡ ଲଗାଇ ଘଣ୍ଟ ଧରିଲେ ଆଛା ଆଛା ମୃଦଙ୍ଗିଆଙ୍କୁ ନାକେଦମ କରି ଦିଅନ୍ତି। ତାଙ୍କର ମାଂସ ପେଶୀର ଉଥାଳ ପତନରେ ମୃଦଙ୍ଗ ବଜାଳିକୁ ନୟାନ୍ତ କରିଦିଏ । ବାସୁ ମିଶ୍ର ଘଣ୍ଟ ବଜାଇବାର ଭାବଭଙ୍ଗୀ ଯେ ଦେଖେ ସେ ଦେଖୁଥାଏ । ମୃଦଙ୍ଗର ତାଳେ ତାଳେ ମିଶ୍ରେ ଡେଇଁ କୁଦି ଲଇଁ ନାଚ କରି ପୁରା ଦେଖେଣା ହାରିଙ୍କୁ ମନ୍ତ୍ରମୁଗ୍ଧ କରିଦିଅନ୍ତି ।


ଘଣ୍ଟଟି ମଧ୍ୟ ମିଶ୍ରଙ୍କର ଯେମିତି ବୋଲ ମାନିକରି ଥାଏ । ମିଶ୍ରେଙ୍କ ଜୀବନ ସହିତ ଏ ଘଣ୍ଟର ନିଗୁଢ ସମ୍ପର୍କ । ମିଶ୍ରେ ନୀଳମାଧବ ଯାତ୍ରା ଦେଖିବାକୁ କଣ୍ଟିଲୋ ଯାଇଥିଲେ । କଣ୍ଟିଲୋ ଯାତ୍ରାରୁ କଂସାରେ ତିଆରି ଘଣ୍ଟଟି ଆଣିଥିଲେ । ଠାକୁରଙ୍କର ପୁନିଅ ପର୍ବରେ ବାସୁ ମିଶ୍ରେ ଘରୁ ନିଜର ଘଣ୍ଟଟି ନେଇ ଯାଆନ୍ତି । ନିଜ ଘଣ୍ଟଟି ତାଙ୍କୁ ବଜାଇବାରେ ଆନନ୍ଦ । ମିଶ୍ରେ ରମାକୁ ବିବାହ କରିବାର ଏହା ଭିତରେ କେତେ ବର୍ଷ ବିତିଗଲାଣି । ଗୋଟିଏ ବୋଲି ପୁଅ ଭଗିଆ । ତାଙ୍କର ଦୃଷ୍ଟିରେ ସେ ପୁଅ ଆଉ ସେ ଝିଅ । ରୋଜଗାର ଭାବରେ ସେ ଜୟ ଯେଯେମାନ, ପୁରୋହିତ କରି ଚଳନ୍ତି । 


ସ୍ତ୍ରୀ ରମା ଉପରେ ସଦା ମିଶ୍ରଙ୍କ ଖୁସି । ଯେଯେମାନ କରି ଯାହା ଆଣନ୍ତି ରମା ସେଥିରେ ଘର ଚଳାଇନିଏ । ଅଭାବ ଅସୁବିଧା କିଏ କେବେ ଦେଖି ନାହାଁନ୍ତି । ପୁଅ ଭଗିଆ ବାପାଙ୍କ ସବୁ କାର୍ଯ୍ୟକୁ ଦେଖେ । ବଡ ହେଲେ ବାପାଙ୍କ ପଥକୁ ଅନୁସରଣ କରିବାକୁ ପ୍ରତିଶ୍ରୁତି ବଦ୍ଧ ହୁଏ । ପୁଅ ଭଗିଆ ସ୍କୁଲରେ ଭଲ ପାଠ ପଢୁଥାଏ । ବାସୁ ମିଶ୍ରେ ସନ୍ଧ୍ୟା ହେଲେ ପୁଅକୁ ପାଠ ପଢାନ୍ତି । ଦିନଯାକର ଯେତେ ପରିଶ୍ରମ ହେଲେ ମଧ୍ଯ ସନ୍ଧ୍ଯାରେ ପୁଅର ପାଠ ପଢାରେ ବସନ୍ତି । ପୁଅର ଏ ବର୍ଷ ମେଟ୍ରିକ । ପ୍ରଭୁ ରାଧାକୃଷ୍ଣ ମନର କଥା ବୁଝିବେ ବୋଲି ଆଶା ରଖିଥାନ୍ତି ବାସୁ ମିଶ୍ରେ । ଏଥର ଭଉଁରୀ ରେ ଗାଁ ଠାକୁର ଗ୍ରାମ ପରିକ୍ରମା ସମୟରେ ଘଣ୍ଟ ପାଟୁଆଙ୍କ ସହିତ ଘଣ୍ଟ ବଜାଉ ଥାନ୍ତି ମିଶ୍ରେ । ସେ ସେଥିରୁ କିଛି ପାରିଶ୍ରମିକ ପାଆନ୍ତି ନାହିଁ । ଘଣ୍ଟ ଠାକୁରଙ୍କ ଠାରେ ବଜାଇଲେ ତାଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ ବୋଲି ସେ ବିଶ୍ୱାସ ରଖିଥାନ୍ତି । ପୁଅ ଭଗିଆ ବାପାଙ୍କ ଘଣ୍ଟ ବଜାଇବାରେ ପ୍ରଭାବିତ ହୋଇ ଘରେ ଘଣ୍ଟ ବଜାଇବା ଅଭ୍ୟାସ କରେ । 


ବାସୁ ମିଶ୍ରେ ହୋମ ଯାଗ ଯଜ୍ଞ କରିବାକୁ ଯାଆନ୍ତି । ବିଭିନ୍ନ ସ୍ଥାନରୁ ଭଲ ପୁରୋହିତ ହିସାବରେ ମଧ୍ୟ ଡାକରା ଆସେ । ପୂଜା ପୂଜିରେ ତାଙ୍କର ସେମିତି କିଛି ଡିମାଣ୍ଡ ନ ଥାଏ । ଯିଏ ଯାହା ଦେଲା ମିଶ୍ରେ ସେଥିରେ ଖୁସି। ହୋମ ଯାଗ ଯଜ୍ଞ ନିଷ୍ଠାର ସହିତ ପାଳନ କରନ୍ତି । ସକାଳୁ ସେମିତି ଖାଲି ପେଟରେ ଯଜ୍ଞ କରିବାକୁ ଯାଆନ୍ତି ଯେ.... ପୁଣି ଘରକୁ ଆସି ଖାଆନ୍ତି । ଯଦି କେଉଁ ଯଯମାନ ପଣା ପାଣି ଟିକେ ଦିଏ ପିଅନ୍ତି ନ ହେଲେ ନାହିଁ । ବାସୁ ମିଶ୍ରେ ଗ୍ରାମ ଠାକୁରାଣୀଙ୍କ ପରମ ଭକ୍ତ । ସେ ଗାଁ ଠାକୁରାଣୀଙ୍କୁ ପୂଜା କରନ୍ତି । ଠାକୁରାଣୀଙ୍କ ପୂଜକ ଥିଲେ ମଧ୍ୟ ସେ ନିୟମିତ ଠାକୁରାଣୀ ମନ୍ଦିରକୁ ଯାଇ ଭୋଗ ରାଗ କରନ୍ତି । ସେ ଯୁଆଡେ ଯାଆନ୍ତୁ ନା କାହିଁକି ଠାକୁରଙ୍କ ଠାରେ ଘଣ୍ଟ ବଜେଇବା ସେ ଛାଡନ୍ତି ନାହିଁ ।


ପୁଅ ମେଟ୍ରିକରେ ଭଲ ନମ୍ବର ରଖି ପାଶ୍ କଲା। । ମିଶ୍ରଙ୍କର ଖୁସି କହିଲେ ନ ସରେ । ରମା ଦେବୀ ଠାକୁରଙ୍କ ଠାରେ ପୁଅ ଭାଗିରଥି ପାଇଁ କେତେ ମାଜଣା କଲେଣି । ପୁଅଟି ଯଦି ବଡ ଚାକିରୀ କରେ ପ୍ରଭୁ ଏହା ଦେବି ସେୟା ଦେବି... ଦୂଆରେ ଭୋଗ ଲଗାଇବି... ଦଣ୍ଡ ଠାକୁରଙ୍କୁ ଆଣି ଦୂଆରେ ଯାତ୍ରା କରିବି... ଏମିତି କେତେ କ'ଣ ! ! ! ସତକୁ ସତ ଭଗିଆ ମାଟ୍ରିକ୍ ପାଶ୍ କରି ସାରିବା ପରେ ଗାଁ ପାଖ କଲେଜରେ ପଢିଲା । ସେଠାରେ ବି ଭଲ ମାର୍କ ରଖିଲା । ତାହାପରେ ଭୁବନେଶ୍ବରରେ ୩ କଲା । ବାସୁ ମିଶ୍ରେ ଅଭାବ ଅସୁବିଧା ଭିତରେ ଗତି କରନ୍ତି । ପୁଅକୁ କିନ୍ତୁ ପାଠ ପଢାଇବା ପାଇଁ ଖର୍ଚ୍ଚ ଦେବାରେ ଅବହେଳା କରନ୍ତି ନାହିଁ । ଭାଗିରଥି ମଧ୍ୟ ବାପାଙ୍କର ସମ୍ବଳକୁ ଦେଖି ଖର୍ଚ୍ଚ କରେ । ଉଡାବୁଡା କିଛି କରେ ନାହିଁ । ଭାଗିରଥୀ ୩ ରେ ଭଲ ନମ୍ବର ରଖି ପାଶ୍ କଲା । ଭୁବନେଶ୍ବରେ ରହି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଲା । କେଉଁଥିରେ ସଫଳତା ପାଉଥାଏ ତ କେଉଁଥିରେ ବିଫଳତା । ଶେଷରେ ଓ. ଏସ୍. ପରୀକ୍ଷାରେ କୃତକାର୍ଯ୍ୟ ହେଲା । ବର୍ଷେ ଟ୍ରେନିଂ ପରେ ସେ ପାଖ ବ୍ଲକ୍ କୁ ବିଡିଓ ହୋଇ ଆସିଛି ।


ପୁଅର ଚାକିରୀ ପାଇଲା ବେଳକୁ ବାସୁ ମିଶ୍ରଙ୍କୁ ଖୁସି ଆଣିଦେବା ବଦଳରେ ଦୁଃଖ ଆଣିଦେଲା । ଗହୀର କୁଅକୁ ସ୍ତ୍ରୀ ରମା ପାଣି ଆଣିବାକୁ ଯାଇଥିଲା।

କୂଅରୁ ପାଣି କାଢୁଥିଲା ବେଳେ କାଠଟି ଭାଙ୍ଗିଗଲା । ରମା କୂଅରେ ପଡିଗଲା । ଆଖ ପାଖରେ କିଏ ହଠାତ୍ ଉଦ୍ଧାର କରିବାକୁ ନ ଥିଲେ । ବାସୁ ମିଶ୍ରଙ୍କର ସବୁ ସରିଗଲା । ଜୀବନ ସାରା ଏକାକୀ ହୋଇଗଲେ । ଭଗବାନ ଏତେ ବଡ଼ କାହିଁକି ଦୁଃଖ ଦେଲେ ପ୍ରଶ୍ନ କଲେ ! ଭାଙ୍ଗି ପଡିଲା ମନୋବଳ । ଗ୍ରାମ୍ୟ ଠାକୁରାଣୀଙ୍କ ଠାରେ ପୂଜାର୍ଚ୍ଚନା ବନ୍ଦ କଲେ ନାହିଁ । ଘଣ୍ଟ ବଜାଇବାର ଯେଉଁ ସୁନାମ ଅର୍ଜନ କରିଥିଲେ ତାହା ବି ବନ୍ଦ କଲେ ନାହିଁ । ମିଶ୍ରେ ଏକୁଟିଆ ସମୟରେ ରମାକୁ ମନେ ପକାନ୍ତି । ବେଳେ ବେଳେ ଅଜାଣତରେ ଆଖିରୁ ଅଶ୍ରୁ ଝରିପଡେ । ନିସଙ୍ଗତା ଅନୁଭବ କରନ୍ତି । ବାସୁ ମିଶ୍ର ରମାର ନିଷ୍ଠାରେ ଏବଂ ଏକାଗ୍ରତାରେ ପୁଅ ଓ. ଏସ୍ ପାଇ ବଡିଓ ହେଲା ଅନୁଭବ କରନ୍ତି । 


ବାସୁ ମିଶ୍ରେ ପୁଅର ଚାକିରୀରେ ଅତ୍ୟନ୍ତ ପ୍ରୀତ । ପୁଅର ପ୍ରଥମ ଦରମାରେ ଠାକୁରଙ୍କ ଠାରେ ଭୋଗ ରାଗ ସବୁ କଲେ । ପୁଅ ମଧ୍ୟ ବାପା ଙ୍କ କଥା ଅନୁସାରେ ସବୁ କଲା । ଏବେ ଭଗିଆକୁ ହାତକୁ ଦି ହାତ ନ କଲେ ନ ଚଳେ । ବଡ ବଡ ଲୋକ ପ୍ରସ୍ତାବ ନେଇ ଘରକୁ ଆସିଲେ । ଯେଉଁ ପ୍ରସ୍ତାବ ଆସିଲେ ମଧ୍ୟ ଭଗିଆର ମନ ପାଇଲା ନାହିଁ । ଶେଷରେ ବାସୁ ମିଶ୍ରେ ପୁଅ ଭଗିଆର ପସନ୍ଦରେ ମୋର ପସନ୍ଦ ବୋଲି ରୋକ୍ ଠୋକ୍ କହିଦେଲେ । ଆଜିକାଲି ପିଲାମାନଙ୍କ କଥା । ଆମେ ତ କହିଦେଲେ ହେବ ନାହିଁ । ତାଙ୍କର ମନ... 


ପୁଅ ଭଗିଆ ଅଜାତିରେ ବିବାହ କଲା । ସେ ବଡ ଘରର ଝିଅ । ଓ. ଏସ୍ ଅଫିସର ବୋହୁ। ବାସୁ ମିଶ୍ରେ ନିଜକୁ ସବୁ ସହ୍ୟ କରିନେଲେ । ନିଜେ ସବୁ ଜାଣି ନ ଜାଣିବାର ଅଭିନୟ କଲେ । ଅଜାଗା ଘା ଦେଖି ହୁଏନି କି ଦେଖେଇ ହୁଏନି.... ନାକ କାଟିଲେ ମୁହଁଟା ଯାକ... କାହାକୁ କହିବେ ! ଯାହାକୁ କହି ମନକୁ ଶାନ୍ତ କରିଥାନ୍ତେ ସେ ତ ଆଉ ନାହିଁ । କାହାପାଇଁ ଜୀବନ କାହାପାଇଁ ଏ ଧନ ସମ୍ପତ୍ତି.... ସମ୍ମାନ... ପ୍ରତିପତ୍ତି । ବିବାହର ପ୍ରଥମେ ପ୍ରଥମେ ବୋହୁ ଶ୍ବଶୁରଙ୍କୁ ଭାରି ସମ୍ମାନ କଲା । ଶ୍ବଶୁରଙ୍କୁ ନେଇ ପାଖରେ ରଖିଲା । ଅଫିସର ପୁଅ ପାଖରେ ରହି ବାସୁ ମିଶ୍ରେ ଅଣନିଃଶ୍ବାସୀ ହୋଇଗଲେ । ଚାକର ବାକର ଦ୍ବାରା ସବୁ କାମ । ମିଶ୍ରେଙ୍କୁ ଏସବୁ ଭଲ ଲାଗିଲା ନାହିଁ । ଏମାନଙ୍କୁ ବାପା ଙ୍କ କଥା ବୁଝିବା କିମ୍ବା ହସ ଖୁସିରେ ଟିକେ କଥା ହେବାକୁ ସମୟ ନାହିଁ । ବାପା କିଛି ଦିନ ରହିବା ପରେ ଗାଁ କୁ ଯିବାକୁ ପୁଅକୁ କହିଲେ ।


ପୁଅ ବାପାଙ୍କୁ ଏକା ଛାଡ଼ିବାକୁ ରାଜି ହେଲା ନାହିଁ । ଏପଟେ ବୋହୁର ମନ ନାହିଁ ରଖିବାକୁ । ଏଭଳି ପରିସ୍ଥିତିରେ ମିଶ୍ରେ ପୁଅକୁ କହିଲେ - ଗାଁ ମନେ ପଡୁଛି । ମୋତେ ଗାଁକୁ କିଛି ଦିନ ପାଇଁ ଛାଡି ଦିଅ । ବାପାଙ୍କର କଥା ଅନୁସାରେ ଭାଗିରଥୀ ବାପାଙ୍କୁ ଗାଁ ରେ ଛାଡିଦେଲା । ଗାଁ କୁ ଆସି ଠାକୁରାଣୀ ଙ୍କ ପୂଜା ଆରମ୍ଭ କରିଦେଲେ ମିଶ୍ରେ। ମନ୍ଦିର ପ୍ରସାଦ ସେବନ କରିବା । ଘଣ୍ଟ ପାଟୁଆଙ୍କ ସହିତ ଘଣ୍ଟ ବଜାଇବା ରେ ନିଜକୁ ପୁଣି ସାମିଲ କଲେ । ସେଥିରେ ତାଙ୍କର ଆନନ୍ଦ । 


ଗାଁକୁ ଆସିବା ପରେ ଭଗିଆ ପ୍ରଥମେ ପ୍ରଥମେ ବାପାଙ୍କ ଭଲ ମନ୍ଦ କଥା ପଚାରି ବୁଝିଲା । ବାସୁ ମିଶ୍ରେ ମଧ୍ୟ କାହାର ମୋବାଇଲ ରେ ଫୋନ୍ କରି ପୁଅ ଠାରୁ ବୋହୁ କଥା ନିଜ କଥା ବୁଝନ୍ତି । ଧିରେ ଧିରେ ବାପ ପୁଅର ସମ୍ପର୍କ ମୋବାଇଲ ଫୋନରେ ସୀମିତ ହୋଇଗଲା । ପୁଅ ସମୟ ଅଭାବ ଦେଖାଇ ଗାଁ କୁ ଆସିଲା ନାହିଁ । ବାପା ମଧ୍ୟ ସେଠାରେ ଚଳି ପାରିବି ନାହିଁ ବୋଲି ଅନୁଭବ କରି ପୁଅ ପାଖକୁ ଗଲେ ନାହିଁ । ବୟସର ସାୟାହ୍ନରେ ମଧ୍ୟ ପୁନିଅ ପର୍ବରେ ଠାକୁରଙ୍କ ଆଗରେ ଘଣ୍ଟ ବଜାଇବା ଛାଡି ନ ଥିଲେ ମିଶ୍ରେ । ପୁଅ ଅଫିସର ଲୋକ । ବାପା ଠାକୁରଙ୍କ ପ୍ରସାଦ ଆଣି ସଦା ଖାଇବା ସମ୍ଭବ ହେଲା ନାହିଁ । ବେଳେ ବେଳେ ଚୁଡା ଚିନି ଚକଟାରେ ଦିନ ଚଳାଇ ଦିଅନ୍ତି ।


ଖାଇବା ପିଇବା ଅଭାବରୁ ବେଳକୁ ବେଳ ବାସୁ ମିଶ୍ରେଙ୍କ ସ୍ବାସ୍ଥ୍ୟର ଅବନତି ଘଟିଲା । ଏପଟେ ବୟସ ବଢି ଯିବାରୁ ରୁଚି ବଦଳିଲା । ସଦା ଏକାକୀ ଅନୁଭବ କରି କ୍ଷୀଣ ହେବାକୁ ଲାଗିଲେ । କଥାରେ ଅଛି - ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି । ମିଶ୍ରେ ଚିନ୍ତା କରି କରି ରୋଗୀଣା ହୋଇଗଲେ । ଏଥର ଦୋଳପୂର୍ଣ୍ଣମୀ କୁ ଠାକୁରଙ୍କ ବିମାନ ଆଗରେ ଘଣ୍ଟ ବଜାଇବା କାହିଁ ଆଉ ଦେଖାଗଲା ନାହିଁ । ଠାକୁରଙ୍କୁ ଡାକିଲେ ପ୍ରଭୁ ! ଏଥରକ ମୋତେ ବିମାନ ଆଗରେ ଘଣ୍ଟ ବଜାଇବାର ସୁଯୋଗ ଦିଅ । ଦୋଳପୂର୍ଣ୍ଣମୀ ଆଗରୁ ମିଶ୍ରେ ଆରପାରିକୁ ଚାଲିଗଲେ । 


ଉଚ୍ଚା ପିଣ୍ଡାରେ ବସିଛି ଭଗିଆ । ଘର ଭିତରକୁ ଯାଉଛି ମନ ବୁଝୁନାହିଁ ପୁଣି ଫେରି ଆସୁଛି । ଠାକୁର ଘର କୋଣରେ ଝୁଲୁଛି ଘଣ୍ଟ ଟି । ବେତରେ ପ୍ରସ୍ତୁତ ନାଲି ଫୁଲ ମୁଣ୍ଡରେ ଲାଗିଛି ଘଣ୍ଟ ବାଡିଟି । ତାହା ବି ଠାକୁର ଘର କୋଣ କଣ୍ଟାରେ ଝୁଲୁଛି । ବାପା ବାସୁ ମିଶ୍ରେ ଥିଲା ବେଳେ ଏହି ଘଣ୍ଟର ମହତ୍ତ୍ବ କେତେ ଥିଲା । ବାପାଙ୍କର ସ୍ବର ବନ୍ଦ ହୋଇଯିବା ସହିତ ଏ ଘଣ୍ଟର ସ୍ବର ମଧ୍ୟ ସବୁଦିନ ପାଇଁ ବନ୍ଦ ହୋଇଯିବ ବୋଧେ । ବାସୁ ମିଶ୍ରେଙ୍କର ଶୁଦ୍ଧି କ୍ରିୟା ପରେ ଆଉ ଭଗିଆ ଗାଁ କୁ ଆସି ନାହିଁ । ଘଣ୍ଟଟି ଠାକୁରଙ୍କ ଘରେ ରହି ବ୍ୟବହାର ନ ହୋଇ କଳା ପଡି ଗଲାଣି । ଘଣ୍ଟଟିକୁ ଦେଖିଲା ପରେ ଲାଗୁଥିଲା ସତେ ଯେମିତି ସେ ଏକ ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଛି ।


Rate this content
Log in

Similar oriya story from Drama