Debaki Behera

Abstract Romance


3  

Debaki Behera

Abstract Romance


ଏକ ଅକୁହା ପ୍ରେମ

ଏକ ଅକୁହା ପ୍ରେମ

5 mins 200 5 mins 200


ଆମେ ଦୁହେଁ ଏମ.ବି. ବି.ଏସ ପଢ଼ୁଥିଲୁ । କଲେଜର ପ୍ରଥମ ଦିନରୁ ଓ ପ୍ରଥମ ଦେଖାରୁ ହିଁ ମୁଁ ତା ପ୍ରେମରେ ପଡିଯାଇଥିଲି । ତାର ଗହମ ରଙ୍ଗର ଶରୀର, ଗୋଲାପ ପାଖୁଡା ଭଳି ଓଠ, କୋମଳ ହରିଣର ନୟନ ପରୀ ତାର ଦୁଇ କଜ୍ଵଳ ବୋଳା ଆଖି, ଆଉ ମହୁ ଝରା ସ୍ୱର । ସେ ସ୍ୱର୍ଗର କୌଣସି ଅପସରୀ ଠାରୁ କମ ନଥିଲା । ରୂପରେ ସେ ଯେତେ ସୁନ୍ଦରୀ ଥିଲା ଗୁଣରେ ଶହେ ଗୁଣା ଅଧିକ ଭଲ ଥିଲା । ସରଳ ନିରୀହ ମୁହଁରେ ଖିଲି ଖିଲି ହସ ଦେଖିଦେଲେ ମୁଁ ନିଜର ଅସୁବିଧା ବି ଭୁଲିଯାଉଥିଲି । କଲେଜ ରେ ପଢିଲା ବେଳେ କିଛି ଦିନ ଭିତରେ ସେ ମୋର ବହୁତ ଭଲ ସାଙ୍ଗ ହୋଇଯାଇଥିଲା । ସେ ମୋର ସାଥି ଥିଲା । କହିବାକୁ ଗଲେ ମୋ ପ୍ରିୟ ବାନ୍ଧବୀ। ଆମେ ଦିହେଁ ବହୁତ ଭଲ ପଢ଼ୁଥିଲୁ । ହୁଏତ ସେଥିପାଇଁ ସେ ମୋର ବାନ୍ଧବୀ ହୋଇପାରିଥିଲା ।


ସେ ମୋର ପ୍ରିୟ ବାନ୍ଧବୀ ହେଇଥିବାରୁ ଆମ ଦୁହିଁଙ୍କ ସମ୍ପର୍କ ଟିକେ ଅଲଗା ପ୍ରକାର ର ଥିଲା । ତାର ମୋର କଲେଜରେ ସବୁବେଳେ ଆଗ ପଛ ହୋଇ ଟପ୍ପର ହେଉଥିଲୁ । ସେ ବହୁତ ମନ ଲଗାଇ ପଢୁଥିଲା । ଏକ ଭଲ ଡାକ୍ତର ହେବାର ସ୍ବପ୍ନ ଆଉ ତା ସହ ଦୁଃଖୀରଙ୍କୀଙ୍କ ପାଇଁ ସବୁବେଳେ ଚିନ୍ତା କରୁଥିଲା । ସେ ମୋ ସହ ତା ଜୀବନର ଟିକି ନିଖି ସବୁ କଥା ବାଣ୍ଟୁଥିଲା । ସେ ମୋ ସାମ୍ନାରେ ଥିଲା ବେଳେ ମୋତେ କେବଳ ତାରି କଥା ହିଁ ଶୁଣିବାକୁ ଇଛା ହେଉଥିଲା । ତାର ନାଁ ପ୍ରିୟା ଥିଲା । ମୋ ନାଁ ଯେହେତୁ ପ୍ରେମ ଥିଲା କଲେଜରେ ସମସ୍ତେ ଆମକୁ ପ୍ରେମ ୱେଡ୍ସ ପ୍ରିୟା କହି ଚିଡାଉଥିଲେ । ପ୍ରିୟା କେବେ ବି ଏଇ ସବୁ କଥାକୁ ଭୃକ୍ଷେପ କରୁନଥିଲା । ମୁଁ ତାକୁ ପସନ୍ଦ କରୁଥିଲି ଆଉ ପ୍ରେମ ବି କିନ୍ତୁ ଏଇ କଥା କେବେବି ସାହସ କରି ତା ଆଗରେ ପ୍ରକାଶ କରିନଥିଲି । କାଳେ ସେ ମୋ ସହ ବନ୍ଧୁତା ଭାଙ୍ଗିଦେବ ଏହି କଥା ମନକୁ ମନ ଭାବି ଡରିଯାଉଥିଲି ।ତାକୁ ମୋ ପ୍ରେମ ବିଷୟରେ ଜଣେଇବି ଜଣେଇବି ଭାବି କଲେଜ ସରିବା ଉପରେ ଆସିଗଲା । ମୋର ମନେ ଅଛି କଲେଜର ଶେଷ ବର୍ଷ ଥିଲା । ପରୀକ୍ଷାକୁ ଆଉ ଜମାରୁ ଦୁଇ ମାସ ବାକି ଥିଲା । ହଠାତ କଣ ହେଲା କେଜାଣି ପ୍ରିୟା କଲେଜ ଛାଡି ଚାଲିଗଲା । ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଥିଲି । ପ୍ରିୟା ପଢ଼ାରେ ଟପ୍ପର ଥିଲା । ହେଲେ ସେ ଏଭଳି ହଠାତ କଲେଜ ଛାଡିଦେବାର ଅର୍ଥ ମୁଁ କିଛି ବୁଝିପାରିଲିନି । ତାର ଏତେ ଝିଅ ସାଙ୍ଗ ନଥିଲେ । ସେଥିପାଇଁ ତା ବିଷୟରେ କିଛି ପତ୍ତା ଲଗେଇବା ସହଜ ନଥିଲା । କଲେଜ ଏମ. ବି. ବି. ଏସ ର ଶେଷ ବର୍ଷର ପରୀକ୍ଷା ଥିବାରୁ ମୁଁ ଆଉ ତା କଥା ଚିନ୍ତା ନକରି ମୋ ପରୀକ୍ଷାର ପ୍ରସ୍ତୁତିରେ ଲାଗିଗଲି । ମୋର ସବୁ ପେପର ବହୁତ ଭଲ ହୋଇଥିଲା । ମୁଁ କଲେଜରୁ ଘରକୁ ଯିବାକୁ ବାହାରିଲି । ସେହିଦିନ ମୋର ପ୍ରିୟା କଥା ବହୁତ ମନେ ପଡିଲା । ତାର ଠିକଣା ଜାଣିନଥିବାରୁ ମୁଁ ତାକୁ ଖୋଜିବା ସମ୍ଭବ ନଥିଲା । ତେଣୁ ମୁଁ ଘରକୁ ଫେରି ଆସିଲି । ପରୀକ୍ଷା ଫଳ ବାହାରିଲା । ମୁଁ ଏମ. ବି. ବି ଏସ ରେ ପୁରା ରାଜ୍ୟରେ ଟପ୍ପର ହେଇଥିଲି । ବହୁତ ଶୁଭେଚ୍ଛା ପତ୍ର, ଫୁଲ ତୋଡ଼ା ଘରକୁ ଛୁଟି ଆସିଲା । ଅନେକ ସାଙ୍ଗ ସାଥି ମୋତେ ଫୋନ କରି ଅଭିନନ୍ଦନ ଜଣେଇଲେ । ଏହିପରି ସବୁ ଶୁଭେଚ୍ଛା ପତ୍ର ଦେଖୁଥିଲା ବେଳେ ଗୋଟିଏ ପତ୍ର ଉପରେ ମୋ ନଜର ପଡିଲା । ଖୋଲିକି ପଢ଼ିଲି । ହାତ ଲେଖାଟି ଅତି ଚିହ୍ନା ଚିହ୍ନା ଲାଗିଲା । ଶେଷରେ ନାମ ଲେଖା ହୋଇନଥିଲା । ମୋର ଉଚ୍ଚ ଭବିଷ୍ୟତ କାମନା ତଥା ମୁଁ ଜଣେ ଭଲ ଡାକ୍ତର ହୁଏ ସେଥିପାଇଁ ଅଭିନନ୍ଦନ ଦେଇ ଲେଖାଥିଲା ।

ମୁଁ କିଛି କ୍ଷଣ ପାଇଁ ସେଇ ଅକ୍ଷର କଥା ଭାବି ହେଲି ଓ ଶେଷରେ ମନେ ପଡିଗଲା ସେଇଟା ପ୍ରିୟାର ଅକ୍ଷର ବୋଲି । ଆରେ ହଁ ତ ଏଇଟା ପ୍ରିୟାର ଅକ୍ଷର । ହେଲେ ସେ ମୋ ଘର ଠିକଣା କେମିତି ପାଇଲା । ଆରେ ହଁ ତ କଲେଜରେ ପଢିଲା ବେଳେ ଏମିତି ଥଟ୍ଟା ମଜାରେ ସେ ମୋତେ ଆମ ଘର ଠିକଣା ମାଗିନେଇଥିଲା । ଓଃ ପ୍ରିୟା !ତୁ କେଉଁଠି? କେତେ ମାସ ହେଇଗଲାଣି ତୋତେ ଦେଖିନି । ତୁ ମୋତେ ଶୁଭେଚ୍ଛା ପତ୍ର ଦେଲୁ ହେଲେ ମୋ ସାମ୍ନାକୁ କାହିଁକି ଆସୁନୁ? କାହିଁକି ପରୀକ୍ଷା ନଦେଇ କୁଆଡେ ଚାଲିଗଲୁ? ଏମିତି ଅନେକ ପ୍ରଶ୍ନ ମନ ମଧ୍ୟରେ । ନିଜ ମନର କଥାକୁ ମନରେ ଚାପି ମୁଁ ଟ୍ରେନିଂ ପାଇଁ ଗଲି । ଦୁଇମାସ ପରେ ମୁଁ ଏକ ବଡ ଘରୋଇ ଚିକିତ୍ସାଳୟ ରେ ଡାକ୍ତର ଭାବରେ ଚାକିରୀ କଲି । ଏମିତି ଦିନେ ରୋଗୀ ଦେଖୁଥିଲା ବେଳେ ୱାର୍ଡ ବୟ ଗୋଟିଏ ରୋଗୀର ଫାଇଲ ଆଣି ମୋ ଟେବୁଲ ଉପରେ ରଖିଦେଲା । ହଁ ମୁଁ ଦେଖିନେବି ତୁ ଯା ବୋଲି ମୁଁ ତାକୁ କହିକି ବିଦାକରିଦେଲି । ଏଇଟା ସେଇ ଫାଇଲ ଯାହା ବିଷୟରେ ଗତକଲି ଡ଼କ୍ଟର ରାହୁଲ ମୋ ସହ ଚର୍ଚ୍ଚା କରିଥିଲେ । ମୁଁ ତାଙ୍କୁ ରୋଗୀର ବିବରଣୀ ଥିବା ଫାଇଲ ଟି ମୋତେ ଦେଖେଇବାକୁ ମାଗିଥିଲି । ମୋ କ୍ୟାବିନ ରୁ ସବୁ ରୋଗୀ ଯାଇସାରିଲା ପରେ ମୁଁ ଉଠିକି ବାହାରକୁ ଯିବାକୁ ବାହାରିଲି ଠିକ ଏଇ ସମୟରେ ମୋ ନଜର ସେଇ ଫାଇଲ ଉପରେ ପଡିଗଲା । ପ୍ରିୟା ମହାନ୍ତି,ମୁଁ ଟିକେ ଡରିଗଲି ଆଉ ଡରି ଡରି ଫାଇଲ ଟି ନିଜ ହାତକୁ ନେଇ ଖୋଲିଲି । ପ୍ରିୟା ମହାନ୍ତି ବ୍ରେନ ଟିଉମର ର ରୋଗୀ । ମୁଁ କେସ ଟିକୁ ଅତି ଧ୍ୟାନ ପୂର୍ବକ ପଢ଼ିଲି । ରୋଗ ଟି ଅତି ସାଙ୍ଘାତିକ । ମୁଣ୍ଡରେ ଟିଉମର ଟି ଅଧିକ ବଡ ହୋଇଯାଇଥିବାରୁ ରୋଗୀର ଅବସ୍ଥା ଅତି ଗୁରୁତର ଏଇଟା ମୁଁ ଅନୁମାନ ଲଗେଇସାରିଥିଲି । ମୁଁ ଜଣେ ସରଜ଼ନ ସ୍ପେସିଆଲିଷ୍ଟ ଥିଲି । ତେଣୁ ଏଇ ଅପେରସନ କେବଳ ମୁଁ ହିଁ କରିପାରିବି । ସେଇଥିପାଇଁ ଡ଼ଃ ରାହୁଲ ମୋତେ ଏଇ କେସ ଟି ଦେଖିବାକୁ ଦେଇଥିଲେ । ମୁଁ କ୍ଷଣିକ ଡେରି ନ କରି ପ୍ରିୟା ମହାନ୍ତି ଥିବା ୱାର୍ଡ ଆଡେ ଧାଇଁଲି । ଏଇ ପ୍ରିୟା ମୋ ପ୍ରିୟା ନୁଁହେତ । ଏମିତି ମନରେ ହଜାରେ ପ୍ରଶ୍ନ । ସବୁ ଭାବନା ର ଅନ୍ତ । ମୁଁ ବର୍ତମାନ ପ୍ରିୟା ମହାନ୍ତି ର ୱାର୍ଡ ନିକଟରେ ପହଂଚି ସାରିଥିଲି । ଡରି ଡରି ଧୀରେକରି ଡୋର ଟି ଖୋଲିଲି । ହେ ପ୍ରଭୁ ! ଏଇ ତ ମୋରି ପ୍ରିୟା । ସେ ଅତ୍ୟନ୍ତ ରୁଗ୍ଣ, ଶୁଖିଲା ଦେଖାଯାଉଥିଲା । ଆଗ ଭଳି ଚେହେରାରେ ଚମକ ଟିକେ ବି ନଥିଲା । ଅତି ଶାନ୍ତି ନିଦରେ ସେ ମେଡିକାଲ ବେଡ଼ ରେ ଶୋଇଥିଲା । ମୋର ଚିନ୍ତା ଶକ୍ତି କିଛି କ୍ଷଣ ପାଇଁ ଲୋପ ପାଇଯାଇଥିଲା ।ମୋ ପ୍ରିୟା ମରଣ ଶଯ୍ୟାରେ । ମୁଁ କଣ କହିବି, କାହାକୁ କହିବି, ସବୁ ଭୁଲିଯାଇଥିଲି । ମୋ ମୁଣ୍ଡଟି ବୁଲେଇଦେଲା । ମୁଁ ପଡ଼ିଯିବା ଆଗରୁ ପାଖରେ ଥିବା ଛୋଟ ମେଡ଼ିସିନ ରଖିବା ଟେବୁଲ ରେ ହାତ ବାଜିଗଲା । ବୋତଲ ଓଃ ମେଡ଼ିସିନ ର ପଡ଼ିଯିବା ଶବ୍ଦ ଶୁଣି ପ୍ରିୟା ର ନିଦ ଭାଙ୍ଗିଗଲା ।ପ୍ରିୟା ମୋତେ ଦେଖି ଚମକି ପଡିଲା । ଆଉ ଧୀର ସ୍ୱର ରେ କହିଲା ପ୍ରେମ ତୁ। ତୁମେ ଏଠିକି... । ତା ମୁହଁରେ ମୁଁ ତା ମନର କଥା କୁ ସ୍ପଷ୍ଟ ପଢ଼ିସାରିଥିଲି । ଆଉ ମୋତେ ତିଳେହେଁ ବୁଝିବାକୁ ଡେରି ଲାଗିଲାନି ଯେ ସେ ତାର ରୋଗ ପାଇଁ ହିଁ କଲେଜ ର ଶେଷ ବର୍ଷ ପରୀକ୍ଷା ନଦେଇ ଚାଲି ଆସିଥିଲା । ପ୍ରିୟା ଅଧିକ କିଛି କହିବା ଆଗରୁ ମୁଁ ରାଗିକି ଆଉ ଅଭିମାନ ଭରା ସ୍ୱର ରେ କହିଲି ତୁ ବେଈମାନ ଟେ, ମୋତେ ସବୁବେଳେ ସବୁକିଛି କଥା ଜଣାଉଥିଲୁ ନାଁ ହେଲେ ଏତେ ବଡ କଥାଟି ନଜଣେଇକି କାହିଁକି ଚାଲିଆସିଲୁ । ତୁ ବହୁତ ଖରାପ । ତୁ ମୋର ପ୍ରିୟ ବାନ୍ଧବୀ ନୁହଁ । ଏତିକି କହି ମୁଁ ତା ହାତ କୁ ମୋ ହାତରେ ଧରି ଜୋର ସେ କାନ୍ଦିବାକୁ ଲାଗିଲି । ପ୍ରିୟା ମୋର ମୁଣ୍ଡରେ ଧୀରେ ସେ ଆଉଁସି ଦେଇ ମୋ ମୁହଁକୁ ଉପରକୁ ଉଠେଇକି ମୋ ମୁହଁ କୁ ଚାହିଁଲା । ଆଉ କହିଲା ମୁଁ ଜାଣିଛି ତୁ ମୋତେ ବହୁତ ଭଲ ପାଉ ବୋଲି ଆଉ ମୁଁ ମଧ୍ୟ । ତୋର ଶେଷ ପରୀକ୍ଷା ଥିଲା। ମୁଁ ମୋ ରୋଗ ବିଷୟରେ କହି ତୋ ମନରେ କଷ୍ଟ ଦେବାକୁ ଚାହୁଁନଥିଲି । ସେଥିପାଇଁ ମୁଁ ମୋ ରୋଗ ବିଷୟରେ ଜାଣିବା କ୍ଷଣି ପରୀକ୍ଷା ନଦେଇ ଆଉ ତୋତେ କିଛି ନକହି ଚାଲି ଆସିଲି । ଏମିତି କି କଲେଜ ର ପ୍ରିନସିପାଲ କୁ ବି ମୋ ବିଷୟରେ କାହାରିକୁ କିଛି ନକହିବା ପାଇଁ ଅନୁରୋଧ କରିଥିଲି । ଛାଡେ ଏତେ ମାସ ପରେ ତୋ ସହ ଦେଖାହେଲା । ଶୁଣିଲି ତୁ କାଳେ ଗୋଟେ ବହୁତ ବଡ ଡାକ୍ତର ହେଇଯାଇଛୁ । ମୁଁ ଲୁହ ପୋଛିକି ଉଠିକି କହିଲି ତୁ କଣ ଆଗରୁ ଜମା ଜାଣିଥିଲୁ କି ମୁଁ ଡାକ୍ତର ହେଇଯାଇଛି ବୋଲି । ସେଥିପାଇଁ ତ ମୋ ଘରକୁ ଅଭିନନ୍ଦନ ପତ୍ର ପଠେଇଥିଲୁ । ପ୍ରିୟା ମୁହଁ ରେ ଛୋଟିଆ ହସ ଟିଏ ହସିଦେଲା । ଆଖିରୁ ଲୁହ ବି ବୋହିଯାଉଥିଲା । ମୁଁ ତା ଲୁହ ପୋଛି ତାକୁ କୁଣ୍ଢେଇ ପକେଇଲି ଆଉ ତାକୁ ବହୁତ ଭଲ ପାଏ ଆଉ ତାକୁ ଗୋଟେ କ୍ଷଣ ବି ମୋ ଠାରୁ ଦୁରକୁ ଯିବାକୁ ଦେବିନି ବୋଲି କହିଲି । ସେ ନିରୁତ୍ତର ଥିଲା। କେବଳ ମୋ କାନ୍ଧରେ ତା ଲୁହର ସ୍ପର୍ଶ ମୁଁ ଅନୁଭବ କରିପାରୁଥିଲି ।



Rate this content
Log in

More oriya story from Debaki Behera

Similar oriya story from Abstract