Suchismita Satpathy

Abstract Inspirational Others

4.0  

Suchismita Satpathy

Abstract Inspirational Others

ଏଇତ ଜୀବନ

ଏଇତ ଜୀବନ

4 mins
60


ଗୋଟେ କପ ଚା ଧରି ମାନି ବାଲକୋନୀରେ ବସି ବର୍ଷା ର ଟପର ଟପର ଶବ୍ଦକୁ ଶୁଣୁଥାଏ। ମାଆଙ୍କ ଚା କପ ମଧ୍ୟ ଥୁଆ ହୋଇ ଥଣ୍ଡା ହେବା ଉପରେ। ଦୁଇ ଥର ବିରକ୍ତ ହୋଇ ଡାକିଲାଣି ମାତ୍ର ଶୁଣୁନାହାନ୍ତି,କାହିଁକିନା ତାଙ୍କ ଦିଅର ଆସିଛନ୍ତି। ତାଙ୍କ ମଧ୍ୟାହ୍ନ ଭୋଜନ କଥା ବୁଝୁଛନ୍ତି ତାହା ପୁଣି ଅପରାହ୍ନ ୫ଟା ରେ ।

ହଠାତ ଚାକରାଣୀ ସାରିଆ ଆସି ଡାକିଲା, ମାଆ ଡାକୁଛନ୍ତି ତଳକୁ। ଏହା ଶୁଣି ମାନି କହିଲା, ଯା କହିବୁ ମୁଁ ଅଫିସ କାମରେ ବ୍ୟସ୍ତ ଅଛି ଟିକେ ପରେ ଯିବି। ଏହା ଶୁଣି ସେ କହି ତ ଦେଲା ମାତ୍ର ପୁନର୍ବାର ଆସି ପଚାରିଲା, ଦିଦି ତୁମ କାକା ଆସିଛନ୍ତି ଗଲନି ତଳକୁ। ଏହା ଶୁଣି ତାକୁ ପାଖକୁ ଡାକି ବସାଇଲା ଓ କହିଲା, ମୁଁ କେତେବେଳେ କହିଲି ସେ ମୋ କାକା ବୋଲି ସେ ତ ମାଆ ର ଦିଅର। 

ଏହା ଶୁଣି ସାରିଆ ଟିକେ ରାଗିଯାଇ କହିଲା, ସେମିତି କଣ କହୁଛ ମ ଦିଦି? 

ସାରିଆ ଭଳି ନିରିହ ଓ ନିଷ୍କପଟ ଲୋକ ସହରୀ ସଭ୍ୟତାର କୂଟନୀତି ବାବଦରେ ସମ୍ପୂର୍ଣ୍ଣ ଅଜ୍ଞ। ତେଣୁ ସେ ବୁଝି ପାରିଲା ନାହିଁ। ବୋକାଙ୍କ ପରି ଚାହିଁ ରହିଲା। ଏହା ଦେଖି ମାନିର ସେହି ପୁରୁଣା ଦିନ କଥା ମନେ ପଡିଗଲା। ତାକୁ ଶୁଣେଇଲା। 

ବୁଝିଲୁ ସାରିଆ ଏହା ଏବେକାର କଥା ନୁହେଁ, ଦୀର୍ଘ ୨୦ ବର୍ଷ ତଳର କଥା। ଆମେ ଯେତେବେଳେ ଭଡାଘରେ ରହୁଥିଲୁ।ଆମେ ତିନି ଭାଇ ଭଉଣୀ ବିଦ୍ୟାଳୟରେ ପାଠ ପଢୁଥିଲୁ।ବାପାଙ୍କର ଏକା ଚାକିରି। ଆମ ପାଠପଢା କଥା ବୁଝିବା ସହ ଗାଁ ଘର କଥା, କାକା ମାନଙ୍କର ପାଠପଢା, ବାହାଘର ଓ ଚାକିରି ସବୁ କଥା ବୁଝୁଥିଲେ। ଜେଜେ ନଥିବାରୁ ବଡ ହିସାବରେ ସମସ୍ତଙ୍କ କଥା ବୁଝିବା ପାଇଁ ପଡୁଥିଲା ତାଙ୍କୁ। 

ମୋର ହେତୁ ପାଇବା ଦିନୁ ମୁଁ ଦେଖିଛି ସବୁ କାକା ମାନେ ଜଣ ଜଣ କରି ଆସି ଆମ ପାଖରେ ରୁହନ୍ତି, ଚାକିରି କରି ନିଜେ ସ୍ୱାବଲମ୍ବୀ ହେଲା ପରେ ଯାଇ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଆନ୍ତି। ମାଆ ବାପା କିଛି ଦିନ ପାଇଁ ମନ ଦୁଃଖ କରନ୍ତି ଏବଂ ନିଜ କର୍ତ୍ତବ୍ୟ ଭାବି ଭୁଲି ଯାଇଛନ୍ତି।ମାତ୍ର ଏ କାକାଙ୍କର କାହାଣୀ ଟିକେ ନିଆରା। 

ବାପାଙ୍କ ବୁଝାସୁଝା କରିବା ପରେ ଏକ ସରକାରୀ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିଗଲା ତାଙ୍କୁ। ସେତେବେଳେ ମୁଁ ସପ୍ତମ ଶ୍ରେଣୀରେ ପାଠ ପଢୁଥାଏ।ତାଙ୍କ ଉପରିସ୍ଥ ଅଧିକାରୀଙ୍କର ଏକ ବଡ ଘର ସହ ବଗିଚା ମଧ୍ୟ ଥିଲା। ସେଠାରେ କେହି ରହୁନଥିଲେ।ତାର ଦେଖାଶୁଣା କରିବା ପାଇଁ ଏଇ କାକାଙ୍କୁ ଦାୟିତ୍ବ ଦେଲେ। ଆଦେଶ ଯେତେବେଳେ ମାନିବାକୁ ପଡିବ। ତେଣୁ ସେଠାରେ ରହିଲେ। 

ସେତେବେଳେ ଆମ ଘରର ପରିସ୍ଥିତି ସେତେ ଭଲ ନଥାଏ। ବାପାଙ୍କର ସ୍ୱଳ୍ପ ଦରମା ଭିତରେ ଗାଁ ଓ ଘର ସମସ୍ତଙ୍କ କଥା ବୁଝିବାକୁ ପଡୁଥାଏ। ବାପା ଭାବନ୍ତି ଭାଇ ମାନେ ଲାଗିଗଲେ ତେଣୁ ସାହାଜ୍ୟ କରିବେ ତ ଟିକେ ହାଲୁକା ବୋଧ ହେବ। ମାତ୍ର ଯେ ଯାହା ବାଟରେ ରହିଲେ, ସେଥିପାଇଁ ବହୁ ମନକଷ୍ଟରେ ଜୀବନଟା ଅତିବାହିତ ହେଉଥାଏ। ଏମିତିକି ବେଳେବେଳେ ଚା ପିଇବା ପାଇଁ କ୍ଷୀର କି ଅମୂଲ୍ ନଥାଏ।ଯେତେବେଳେ ଏ କାକା ଚାକିରି ପାଇଲେ ସେତେବେଳେ କହିଲେ, ଏଠି ତ ରହିବା ପାଇଁ କମ ଜାଗା ଆମେ ଗୋଟେ ବଡ ଘର ଭଡା ନେବା ସମସ୍ତେ ସେଠି ରହିବା। ଏହା ଶୁଣି ମୋ ମାଆର ମନ ଭାରି ଖୁସି ହୋଇ ଯାଇଥିଲା। ଏମିତି ଆସନ୍ତି ସବୁବେଳେ ଦିନ ତିନିଟା ପରେ। ଆମେ ଖାଇ ସାରିଥାଉ। ମାଆ ପୁଣି ରୋଷେଇ କରି ଖାଇବାକୁ ଦିଏ। ଏହା ଦେଖି ଦେଖି ଆମେ ଭାଇ ଭଉଣୀ ବି ବିରକ୍ତ ହୋଇ ଯାଉ। ମାତ୍ର ମାଆ ବୁଝାନ୍ତି ସେ ପରା ତୁମ ବାପା ସମାନ, ସେମିତି କଣ କହୁଛ। ଆମେ ଚୁପ ହୋଇଯାଉ। 

ଥରକର କଥା, ଦିନେ ଦିନ ୨ଟା ରେ ଆସି ପହଞ୍ଚିଲେ। ଆମେ ଖାଇ ବସିଥାଉ। ସେତେବେଳେ ଦରମା ପାଇଲେ ବାପା ମାଂସ ଆଣନ୍ତି ଏବଂ ସବୁ ରବିବାର ଓ ବୁଧବାରରେ ମାଛ ଆଣନ୍ତି । ଆମର ଇଛା ଥିଲେ ବି ଆମେ କହୁନି କାହିଁକି ନା ଆମେ ଘରର ପରିସ୍ଥିତି ସମ୍ପର୍କରେ ଅବଗତ ଥାଉ। ଦିନେ ଦିନେ ମାଆ ଆମକୁ ଅଣ୍ଡା ଆଣି ଖାଇବାକୁ ଦିଏ। ମାତ୍ର ସେଦିନ ହୋଇଥାଏ ଶନିବାର। ସବୁ ସାଧାରେ ହୋଇଥାଏ। ଏଇ କାକା ଆସି ପହଞ୍ଚିଲେ। ମାଆ ଖାଇବା ପାଇଁ ବାଢିଦେଲେ। ଆମେ ଶାନ୍ତ ପଡିଲୁ କାରଣ ଖାଇବା ସମୟ ମାଆକୁ ଆଉ ଥରେ କରିବାକୁ ପଡିବନି ଚଳିଯିବ। ଯାହା ଅଛି ମିଶିକି ଖାଇଦେବା। ସେ ଯେତେବେଳେ ଆସିଲେ ସାଧା ହୋଇଛି ଦେଖି କହିଲେ, ଭାଉଜ ମୁଁ ଟିକେ ଅଣ୍ଡା ନେଇ ଆସେ। ଏହା କହି ଚାଲିଗଲେ। ଆମେ ମନେମନେ ଖୁସି ହୋଇଗଲୁ।ଆଜି ଅଣ୍ଡା ମିଳିବ। ତେଣୁ ଧିରେ ଧିରେ ଖାଉଥାଉ। ଆସି ପହଞ୍ଚିଲେ।ମାଆ ହାତକୁ ବଢାଇଦେଲେ। ମାଆ ନେଇଗଲା। କହିଲେ ଆମଲେଟ୍ କରିଦିଅ। ମାଆ ରୋଷେଇ ଘରକୁ ଯାଇ ଟିକେ ଜୋରରେ କହିଲେ, ତୁମ ମାନଙ୍କର ଖାଇବା ସରିଲାକି ନା ବାପା ଆସିଲେ କହିବି ଆଜି କେହି ପାଠ ପଢି ନ ବୋଲି। ଏହା ଶୁଣି ଧଡପଡ ହୋଇ ଆମେ ଖାଇ ଉଠିଗଲୁ।

ସେମାନେ ଶୋଇବାକୁ ଗଲେ। ମାତ୍ର ମୁଁ ହାତ ଧୋଇ ଆସି ମାଆ ପାଖରେ ପହଞ୍ଚିଲି। ଦେଖେ ତ ମାଆ ଆଖିରେ ଲୁହ। ମୁଁ ବିବ୍ରତ ହୋଇ କାରଣ ପଚାରିବା ପୂର୍ବରୁ ମୋ ଆଖିରେ ପଡିଲା, ମାଆ ଭାଙ୍ଗୁ ଥିବା ଗୋଟିଏ ଅଣ୍ଡା। ମୋର ବୁଝିବାରେ ଆଉ ବାକି ରହିଲାନି ଯେ, ଏଇ କାକା କେବଳ ତାଙ୍କ ପାଇଁ ଗୋଟିଏ ଅଣ୍ଡା ଆଣିଥିଲେ। ମାଆ ନେଇ ଖାଇବାକୁ ଦେଲା। ସଙ୍ଗେ ସଙ୍ଗେ ଏଇ କାକା କହିଉଠିଲେ, ପିଲାମାନେ ଖାଇସାରିଥିଲେ ତ ସେଥିପାଇଁ ଗୋଟିଏ ଆଣିଲି। ସେଦିନ ମାଆ ଆଉ ଖାଇଲା ନାହିଁ। 

ଆମ ଭାଇ ଭଉଣୀଙ୍କର ମଧ୍ୟ ବହୁତ ମନ ଦୁଃଖ ହେଲା। 

ରାତିରେ ବାପା ଅଫିସରୁ ଆସିଲା ବେଳେ ଆମର ଓ ମାଆର ମନର ବେଦନା ବୋଧେ କେମିତି ଠାକୁରଙ୍କ କୃପାରୁ ଜାଣି ପାରିଥିଲେ, ରାତିରେ ଅଣ୍ଡା କଷା ଓ ରୁଟି ଖାଇବା ପାଇଁ ୧୨ ଟି ଅଣ୍ଡା ଧରି ଆସିଥିଲେ। ଏହା ଦେଖି ଆମେ ଭାଇ ଭଉଣୀ ଖୁସିରେ ନାଚିଗଲୁ।ଏହା ଶୁଣି ସାରିଆ କହିଲା, ହେ ମା, ଏ ଏମିତିକା ଲୋକ। ତାଙ୍କ ପାଇ ମାଆ ତେଣେ ଏତେ ବ୍ୟସ୍ତ ହୋଇ ମତେ ଆଉଥରେ ରୋଷେଇ କରାଇଲେ। ଏହା କହି ଚା କପଟିକୁ ଧରି ବଡ ପାଟିରେ ଡାକି ଡାକି ଯାଉଥିଲା ମାଆ ତୁମ ଚାହା ଥଣ୍ଡା ହୋଇଗଲା ଶିଘ୍ର ଆସ ବାକି କାମ ମୁଁ କରିଦେବି।


Rate this content
Log in

Similar oriya story from Abstract