ଏବେର ପେଟେଣ୍ଟ ମେଡିସିନ୍
ଏବେର ପେଟେଣ୍ଟ ମେଡିସିନ୍
ଚଟ୍ କି ଦାଣ୍ଡ ପଟ ଅଗଣାରୁ ଯୋଡେ ଅନ୍ନପୂର୍ଣ୍ଣା ପତ୍ର ଛିଣ୍ଡେଇ ଆଣି ଗବଗବ ଫୁଟୁଥିବା ହାଣ୍ଡିର ଢାଙ୍କୁଣୀ ଖୋଲି ପକେଇ ଦେଲା ପମଦ । ମଧୁରିଆ ଭୋଗଭୋଗିଆ ବାସ୍ନା ଗୋଟେ ଖେଳିଗଲା ପବନ ଦେଇ ଚାରିପଟକୁ । ପିଢାଟେ ଟାଣି ଆଣି ତସଲା ମୁହଁକୁ ଡେକଚି ମୁହଁ ଯୋଡିଦେଇ ଗଡେଇ ଆଣିଲା ଥିରିକି । ବନ୍ଦ ଚାପା ଘୋଡଣି ତଳୁ ଗଳଗଳ ହେଇ ଉଷ୍ମପ୍ରସବଣ ଭଳିଆ ଝରି ଆସିଲେ ପେଜଧାର ।
ଚଗଲା ମେଲାରେ ଢେଙ୍କିଆ ମୂଳେ ବିଶିଆଙ୍ଗୁଠିରେ ଆକବରଖାଁ ଗୁଡାଖୁ ଟିପେ ମଞ୍ଜ କଳରେ ଘସିଆଣି ଲୁଙ୍ଗି ଜାକି ଫୁତ୍କାରିଦେଲା ଥୋଲେ ମାଟି ଅଗଣା ମଝିକୁ " ଥୁ ", ଶୁଭିଲା ଛିଞ୍ଚଡା ଶବ୍ଦ ' ଫୁ ' ବେଖାତିରି କରି ସବୁ ଦରଜକୁ । ଢଡ୍ କି ହ୍ୟାଣ୍ଡପମ୍ପ ହ୍ୟାଣ୍ଡେଲଟାକୁ ମାରିଦେଇ ଭସ୍ କି ବାହାରୁଥିବା ଝରଣା ପରି ପାଣିରୁ ଆଞୁଳାଏ ନେଇ କୁଳୁକୁଞା କଲା ଉତ୍ତାରେ ତା' ନାକରେ ସିଧା ବାଜିଲା ଉଷୁମ ଗଳାଭାତର ବାସ୍ନା । ପେଟ ଭିତର ଉଣ୍ଡାଳି ହେଇଗଲା ବହଟେ ଆଗେ ।
ପମଦ ସେତେବେଳକୁ ଭାତରେ ପକେଇଥିବା ପେଟରେ ଦାଗ ମରା ଆଁ ଆଳୁ ତକ କଡଚୁଲି ପୁରେଇ କାଢୁଥିଲା ବଘାରିବାକୁ । ଚଗଲା ଉପରେ ନଜର ପଡିବାରୁ କହିଲା, "ହେ ସେ କଣରୁ ଭୃଶଙ୍ଗ ଦିଟା ଆଣିବୁରେ, ଭର୍ତ୍ତା ଛୁଙ୍କ ଦବା। "
ଚଡ୍ ଚଡ୍ ଫୁଟୁଥିଲା ଆଲୁମିନିୟମ କଡେଇରେ ସୋରିଷ । ଦିକ୍ ଦିକ୍ ଜଳୁଥିଲା କରତ ଚୁଲା ତଳେ ଦବଦବା ଚିଙ୍ଗାରି ।
_ କିରେ! ତୁ ତ ବଢିଆ ବାସନା ରାନ୍ଧିବା ଜାଣିଲୁଣି । ସାତମାଇପେ ତୋ ପାସଙ୍ଗରେ ପଡିବେନି ତ । କହି ଦାନ୍ତ ନିକୁଟିଲା ଚଗଲା ।
ତା' ରସିକତାକୁ ମୁହଁ ମୋଡି ପମଦ କହିଲା,
_ ହଁରେ ପୁଅ । ତତେ ତ ମଜା ଲାଗୁଛି ନା । ବେକରେ ପଡିଲେ ସମସ୍ତେ ବଜେଇ ଶିଖନ୍ତିରେ ଧନ । କାଲି ତ ଆସିଛୁ । ଘଡିଏ ଦେଖ। ସହର ସହର ସବୁ ଜପୁଛ ନା, ପେଟ ପାଇଁ ମୁହଁ ମାଡି ମାଟି ଛାଡି ପଡିବା କଥା ଜାଇଁଲୁ ।
ଦିହେଁ ଗୋଟିଏ ଥାଳିରେ ହାତ ପୁରେଇ ଭାତ ଆଉ ଆଳୁଚଟଣୀ ଲୁଣ ଲଗେଇ ଖାଉଥିଲେ । ଭାଇଚାରା ଖାଲି କଣ ଗୋଟେ ମାଆ ପେଟରୁ ଜନମିଲେ ହୁଏ, ଏଇଟି ରକ୍ତରେ ଥାଏ, ଭାତରେ ଥାଏ ।
ଦିହେଁ ଦିହିଁଙ୍କି ଜାଣିଲେ, ଆପଣେଇଲେ । ଏକାଠି କାନ୍ଧ ମିଶେଇ ଠିଆ ହେଲେ । ବଖୁରିକିଆ ମେସ୍ ଘରଟା ଘର ହେଲା ମାଠିଆଟେ, ଲେଉଟା ଚେପା ଗିଲାସଟେ, କାନ୍ଥରେ ଚକା ଆଖିଙ୍କର କାଗଜ ଫଟୋ, ସପମଣିଣା ଯୋଡେ, ଦି ଚାରିହଳ ପେଣ୍ଟସାଟ୍ ଆଉ ଖଣ୍ଡେ ଅଧେ ବାସନରେ । ଲଙ୍କାମରିଚ ବୁଦାଟେ ଦାଣ୍ଡ ପଟକୁ ୟାଙ୍କ ଭାତଥାଳିର ସଙ୍ଗାତ ଯୋଡି ।
ଏବେ ଏବେ ତାଙ୍କ ସୁଖୀ ସଂସାରରେ ଯୋଡିହେଇଛି ଦୀପକ । ଗାଆଁରେ ତାର ଢେର ବୟସ୍କ ବାପା, ମାଆଙ୍କର କରଜବୁଡା ଦୁଃଖୀସଂସାର । ଦି ଟଙ୍କା ସଞ୍ଚି ପଠେଇଲେ ମୁକୁଳେଇବ ସାହୁକାର, ଉଭେଇବେ ହାତ ଉଧାରି । ବଡ ଭାଇ ଥିଲା । ଭାଗଚାଷ କରୁଥିଲା, ବାପମାଆଙ୍କୁ ଦେଖୁଥିଲା । ତେଣୁ ଇଏ କଞ୍ଚା ପଇସା ଗୋଟେଇବାକୁ ଘରୁ ଗୋଡ କାଢିଲା ଦାଣ୍ଡକୁ ।
_____________
କହରା ଆଖି, କହରା କେଶ, କହରିଆ ଓଢଣୀଟେ ପଛରୁ ଦିନେ ଦିଶିଗଲା, ପଡିଶା ଛାତରେ କିଏ ଗୋଟାଏ ଜଳପରୀ । ମରିଚଲଙ୍କା ତୋଳୁ ତୋଳୁ ଦେଖିଲା ଦୀପକ । ସେଦିନ ତାକୁ ନାଲିଲଙ୍କା ତକ ମିଠାଳିଆ ଲାଗିଲେ । କେଜାଣି କାହିଁକି । ଦିନୁଦିନ ତାର ବେଶୀ ସମୟ ଅଗଣାରେ କଟିଲା ଆଉ ଜଳପରୀ ବି ଛାତରେ ଜହ୍ନ ପରି ଫୁଟିଲା । ପଞ୍ଚଫୁଟଣ ଫୁଟି ଚାରିଘର ମହକେଇବା ପରି ଭାବ ଫୁଲ ବାସ କି ଲୁଚେ!
ଦିନେ ତିନି ସାଙ୍ଗ ଖାଇବା ଥାଳିରେ ଗପୁଥିଲେ । ଏଇ ତ ବେଳା ଦିନ ଯାକରେ ଭେଟିବାକୁ, କାମକୁ ବାହାରିଗଲେ ତ ପୁଣି ଫେରିଲେ ଭେଟ । ନ ଫେରିଲେ ଗଲା ।
_ କଣ କିରେ ଦୀପୁ, ମନ କଣ ଘର ଧରିଲାଣି କି ?କାଇଁ ସେମିତି ସେମିତି ବାସୁଛି ।
_ ହେ ହେ, କହୁନୁ କହିବୁ ଯଦି ଆଗେଇବା । କଟକି ଝିଅ, କଲିକତାରେ ତା 'ଭିଣୋଇ ଘରେ ଚଳିଛି ବେଶ୍ କିଛି ଦିନ । କଲେଜ ପଢୁଆ । ପଡିଶା ଘରେ କାମ କରୁଛି, କି କାମ ଜାଣିନି । ତୋରି ପାଇଁ ଖବର ଗୋଟେଇଛି । ପାରିବୁ ତ ? ଭାବି ଦେଖ୍ ।
_ ହେଃ ତମର ସବୁ ମୁଣ୍ଡ ଦୋଷ ଧରିଲାଣି । ମୁଁ ଭାଇ ପାଇଁ କଥା ପକେଇବି ଭାବୁଛି, ତମେ ମତେ ବକରା କରୁଛ!
_ ଭାଇ ପାଇଁ ? ଯାଃ ଶଃ । ପଦନ ଆଉ ଚଗଲା ଏକାସାଙ୍ଗେ କହି ଉଠିଲେ ।
_____________
କଥା ପଡିଲା । ଝିଅ ଘର ଖୁସିରେ ଖୁସିରେ ବାହା କରେଇଲେ । କଟକି ଝିଅ, ବୋହୂ ହେଇ ଉପାନ୍ତ ଗାଆଁକୁ ଗଲେ । ଏଇଠି ସରିଲା ଉପକ୍ରମଣିକା । ପାଦ ଟେକି ଟେକି ନାକ ଟେକିଲେ । ଏମିତି ରଙ୍ଗ ଦେଖି ଗାଆଁରେ ସମସ୍ତେ ତାଜୁବ । ଚହଲା ପାଣିରେ ହାତ ଦେଲେନି । ସେବା ଯତ୍ନ ଶୁଶ୍ରୁଷା, ଘରକାମ ତ ଆକାଶ କଇଁଆ ହେଲା । ବରାଦ ଉପରେ ବରାଦ, ବୋଝ ଉପରେ ନଳିତା ବିଡା ପରି ଥିଲା । ଗାଆଁରେ ସମସ୍ତେ ମୁହଁ ମୋଡିଲେ । ବଡଭାଇଟି ଭାଗ୍ୟ ଆଦରି କର୍ମ କରିଲା ।
ଭଲମଣିଷ ପିଠିରେ ସଦାକାଳେ କୋରଡା ଭିଡା ମାଡ ।
ଏମନ୍ତ ଏମନ୍ତ ସାଲ ଦୁଇସାଲ ଗଡିଲା । ସୁଧୁରିଯିବ ସୁଧୁରିଯିବ ବୁଝେଇ ବୁଝେଇ ବୋଲି କାଲ ହେଲା କାନ .... ପରଦାରେ ପଥର ଖସିଲା । ପ୍ରାଦୁର୍ଭାବ ଅତ୍ୟାଚାରକୁ ବଦଳୁଥିଲା ଶାଶୁର ପ୍ରରୋଚନାରେ । ଦାବୀ ଥିଲା ସହରମୁହାଁ ହବାକୁ .....ଗାଆଁ, ବାପାମାଆ ଛାଡିଦେବାକୁ ।
ବଡଭାଇଟି ଆସି ପହଞ୍ଚିଲା ଦୀପକର ମେସରେ । କହିଲା, " ଭଲ ଭାଲୁ ଧରେଇଲୁରେ ଭାଇ । ଅଖା ଧୋଉଛି ଗୁଣ ଗାଉଛି । କି ବାଟ କରିବା ଏବେ ?"
ଚାରିହେଁ ମିଶି ଉପାୟ ପାଞ୍ଚିଲେ । ଭାଇ ଲେଉଟିଲେ ଗାଆଁକୁ । ଆଉ ଛ'ମାସ ଯେନତେନ ସହିଲେ କଷଣ ନରମା ପଡି । କନିଆଁକୁ ଘେନି ବାପଘର ବୁଲେଇ ନେବାକୁ ପ୍ରସ୍ତାବ ନିଜ ଆଡୁ ରଖିଲେ କଅଁଳେଇକି । ଖୁସିରେ ଆଉ ପାଦ ଲାଗୁନଥିଲା ବୋହୂର । ବୋହୂ ମନେ ମନେ ହିସାବ କରିଥାଏ କି କଣ ଗୋଟେ ପେଞ୍ଚ ଜାଲ ପକେଇ ଏ ମାଛଟିକୁ କଟକରେ ଅଟକ ରଖେଇଦେବୁ, ଆଉ ଗ୍ରାମେ ନ ଛାଡିବୁ । ଚୁଲିକି ଯାନ୍ତୁ ବାପାମାଆ ।
ଗାଆଁ ଛକଠୁ କଟକ ବସରେ ଆସି ବାଦାମବାଡିରେ ଅଟକିଲେ । ବଡ ଖୁସିଖୁସିଆ ମୁହଁରେ ବୋହୂ ସାକୁଲେଇ କହିଲା, " ମିଠା ଦିଟା ଆଣୁନ! ଖାଲି ହାତରେ କଣ ଘରକୁ ଯିବା ! ମୁଁ ରିକ୍ସା ଡାକୁଛି, ହେ ସେଇପଟେ ଦାମ ମହାରାଜ । ବହୁତ କି ଭଲ ମିଠା ଆଣିବ ଯ । "
ମଳୁ ଖୋଜୁଥିଲା ଯାହା ବଇଦ ବତେଇଲା ତାହା । ହଁ ଟି ଟୁଙ୍ଗାରି ବଡ ଭାଇ ଚାରି ପାଞ୍ଚଶ କଦମ ଏଣିକି ମୁକୁଳି ଆସି ଗାଆଁ ବସରେ ବସି ଲେଉଟାଣି ଗାଆଁକୁ ଫେରିଆସିଲେ । ସେଣେ ବାଦାମବାଡି ଛକରେ ବାଟ ଅନେଇ ଅନେଇ ବିଜାର ହେଇ ବୋହୂ ରିକ୍ସା ଖଣ୍ଡେ ଡାକି ତାଙ୍କ ଘରକୁ ଆପେ ଫେରିଗଲେ । ମୋବାଇଲି ତ ନଥିଲା ସେ କାଳେ । ଚିଠିରେ ଜଣେଇଦେଲେ ଏମନ୍ତ କୁକର୍ମ, ବଧୂନିର୍ଯାତନା ପାଇଁ ବୋହୂ ଆଉ ଫେରିବେନି ଗାଆଁକୁ ।
ଓଲଟା ଦାସେ ଘୋଡା ଚଢିଲେ ।
ଚାରିବରଷ ଗଲା । ଯେଝା ବାଟେ ଯିଏ ଥିଲେ । ବୋହୂର ନୂଆ ଭାଉଜ ଆସିଲା । "ଏଠି କାଇଁ ଇଏ ?"ର ପ୍ରଶ୍ନ ଉଠିଲା । ଗୋଡମୁଦି ଝୁଣ୍ଟିଆଣୀ ବାଟ କାଟିଲା ।
ହା ହା, ଏବେ ଯାଏ କୁଆଡେ ! ପୁଣି ମୋଡିମାଡି ଯାକିଯୁକି ହେଇ ଅନୁଜ ସୋଦର ପୁଣି ସେଇ ଗାଆଁ ଅଗଣା ଠିକଣାରେ ଓହ୍ଲେଇଦେଇ ଗଲେ । ଅନ୍ଦାଜ ଲଗେଇଲେ ସବୁ କି ସଳଖିଥବ । ସମୟ ଚକରେ କି ନ ହୁଏ !
ଆରେ ଅରଣା, ବୁଲିବାଲିକି ସେଇ ଅଗଣା ।
ବୋହୂଙ୍କର ତୋଡ କିନ୍ତୁ କମି ନଥିଲା । ଜୀବନଜହରି ପ୍ରକୃତି ପୁଣି ଦାଉ ସାଧିଲା ।
ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ ।
ଖିରରେ ଧୋଇ ଖଣ୍ଡରେ ମୋହିଲେ ନିମ କି ମଧୁର ହୋଇବ!ମଣିଷ ପ୍ରକୃତି ମଲେ ତୁଟେ ।
ଏଥର ବଡ ଭାଇ ଆଉ ସାନ ଭାଇ ପାଖକୁ ସଲ୍ଲାସୁତୁରା ବିଚାର କରିବାକୁ ଆସିଲାନି । ଏଥର ସାହିତ୍ୟ ଗୁରୁଜୀଙ୍କ ପାଠପଢାର ମହଷୌଧୀକୁ କାମରେ ଲଗେଇଲା । ବ୍ଯାସକବିଙ୍କୁ ସୁମରି ଗୋଟେ ଘରେ ପୁରେଇ ଗୋଗଛେଇ କି ନାଛି ଦେଇଗଲା ନହକା କଣି ଛାଟରେ ବଳଦକୁ ଉପଚାର କଲା ପରି । ବାପକିଲୋ, ମାଆ କିଲୋ ହେଇ ବୋଡା ସାପ ପରି ମୋଡି ହେଇ ପଡିଲେ ବୋହୂ । ମାଡକୁ ତ ସାକ୍ଷାତ ହରହର ମହାଦେବ ବି ଜାଗତିଆର ହେଇ ଥରହର ଡରନ୍ତି, ଏଇ କୋଉ ଗାଈର ଗୋବର କି ଏମିତି ! ଏବେ ବେଳଅବେଳରେ ଉତ୍ତମ ମଧ୍ୟମ ବସିଲା ଆଉ ବିଷ ଦାନ୍ତ ଖସିଲା ।
____________________
ଏବେ ଏଇ ଆର ମାସରେ ମ, ବଡ ଭାଇ, ଭାଉଜ, ବାପା ମାଆକୁ ନେଇ ଦଶରା ଦେଖେଇ ଆଣିଥିଲେ ଯେ ଭାଉଜ ଆମର ଏତେ ଗୁଣର ଆଉ କଣ କହିବା ...... ହାତରେ କାମ ଖଣ୍ଡେ ଲଗେଇ ଦେଲେ କି ଆଗେ! ନ ତୁଅଣ, ଛ ଭଜା ପରଶି ଦଉ ଦଉ ଦାଉ ଦାଉ ଜଳୁଥିବା ସତ ସାନ୍ତାଣୀ ପରି ଦିଶୁଥିଲେ ହାତେ ଓଢଣା ତଳୁ । ଆମେ ଖାଲି ବସି ବସି ପରା ହାତ ଗୋଡ ଘୋଳା ବିନ୍ଧା, କେତେ ଖାଲିଟାରେ ବସି ହାପୁଡିବ କି ହୋ !
______________________________________________
