Lopamudra Parida

Action Inspirational

3  

Lopamudra Parida

Action Inspirational

ଦୁରୁଗା

ଦୁରୁଗା

4 mins
224



(୧) ଧୂପଖୋଳ 


_ଆରେ ଟୁଲୁଭାଇଜାନ୍ ଆପନ କାଇଁ ଆସିଲ, ମୁଁ ତ ଏବେଇ ବାହାରିଥିଲେ ଗର୍କୁ ( ଘରକୁ )।


_ଆସିଗଲି ଆଉ ।ଏପଟେ ଟିକେ ଦର୍ଶନ ପାଇଁ ଆସିଥିଲ ଆମେ, ବାସ୍ ଆସିଗଲ ।ନେଇଯିବା ନିଜେ ଆଉ ।ସିରାଜ ଭାଇ ଭଲକି ଆଜି ଦିଅ ,କୁଣିଆ ଆସିଆର ଅଛି ,ମା' କଇଛନ୍ତି ହ। ନରମ,ଫ୍ରେସ୍ କଟା ତ ।


_ହଁ ଭାଇଜାନ୍, ଆମର କନ୍ କେବେ ଖରାପ ମାଂସ ଥାଏ, ତମେ ତ ଆମର ଘରନୋକ,ସବୁ ହପ୍ତାବାର୍ ତ ଭାଇ ଆମେ ନିଜେ ମା'କୁ ତମର ଦେଇଆସ ।ପୁରା ହଲାଲ୍ କଟ୍ ।ପାଟିରେ ପକେଇଲେ ଫୁଲ୍ ମିଳେଇଯିବ ,ଦାନ୍ତରେ ଟିକ୍କେ ବି ଚିପ୍କିବନି ।ହେ ହେ ।ଆମେ ଖୁଦାକା ବନ୍ଦା, ଇମାନ୍ ଆମର କରମ୍ ।


କାଠ ଗଣ୍ଡି ରେ କାପ୍ତା ଚାକୁ ଟାକୁ ଆଗକୁ ପଛକୁ ତଳକୁ ଉପରୁ ଓଲଟେଇ ପୋଲଟେଇ ଖଚ୍ ଖାଚ୍ ଧାର ମାରିଲା ସିରାଜ୍ ।


_ଚିକ୍ଣେଇକାଟ୍ ସିରାଜ୍ ଭାଇ ।ଗୋଡ ସୋରୁଆ ଦିଟା ଦବ ହେଁ,ରସ ବଢିଆ ଟା ଏକ୍ଦମ ନାଗେ ।ଝକାସ୍ ।ଆଜି ଶଳା ଗୋଟେ ଚୋଖାମାର୍କା ବୋବାଲିଆ ଝୋଳ ମାଡ ହବ ।ହେ ହେ ।


କଣ୍ଟା ରୁ ଟଙ୍ଗା ଚର୍ମହୀନ ବିନା ଶିରର କବନ୍ଧ ସବୁ ବି ଏ ଭ୍ରମିତ ଜୀବଟିକୁ ,ତୁଛ୍ଛ, ଦୟା ଆଉ ଘୃଣା ମିଶା ଗୋଟେ ମସ୍ତିଷ୍କ ବିହୀନ କବନ୍ଧ ଛଡା ଆଉ କଣ ଭାବୁଥିବେ ଯେ ! ହେ ସେମାନଙ୍କର ତ ମୁଣ୍ଡ ହି ନାହିଁ, ଭାବିବା ଭଳିଆ କଷ୍ଟ କାମଟି କେମିତି ଆଉ କରିବେ । 


ଅଧା କାଟିଛି ଫାଡିଆ ଟା .


ଛୋଟ ଟିଣିଆ ଆଜ୍ବେଷ୍ଟ ତଳେ ଚାର୍ଟା( ଚାରିଟା ) ଡେଙ୍ଗା କାଠ ଗଣ୍ଡି ଆଉ ମେଞ୍ଚେ ମାଛି ଯାହାଙ୍କୁ ପ୍ରତିକ୍ଷଣ ବାଁ ହାତରେ ଯା ' କହିବାକୁ ହୁଏ ଆଉ ଦିଟା କଙ୍କାଳିଆ ଡାହାଳିଆ କୁତ୍ତା ......ଛିଟ୍କା, ପୋଛା ଖଣ୍ଡ ର ଅନିଷା ରେ ।ଏ ଯୋଉ ସାମ୍ନାକୁ ଲୋକ ଟା ତାର ବି ସମାନ ନାଳ ବୋହୁଛି, ଖାଲି ଯାହା ଲମ୍ବା ଜିଭଟେ ବାହାରି ହାଅଁ ହାଅଁ ଶବ୍ଦୁନି ..... କିନ୍ତୁ ହଉଛି ଭିତରେ ।ଜଣାଯାଏ ନା କେତେ ଜିନିଷ, ବାସ୍ ଦିଶେନା ।


ସେଇ ଟିଣିଆ ଉପରକୁ ନୀଳ ରଂଗ ଦିଆ ରଂଗଛଡା,ରେଲିଙ୍ଗ ରୁ ସିମେଣ୍ଟ ଛଡା ପାଞ୍ଚ ଫୁଟିଆ ବାଲ୍କୋନୀ ରେ ଛ ବର୍ଷ ର ତା'ର ବେଟା ..... ନୁଦ୍ରତ୍ ।ଖେଳରେ ମଗ୍ନ ପରୀ ଟି ।ଖରା ଛୁଉଁଛି ଚୁନା ଚୁନା ତା କୋମଳ ଚିବୁକରେ । 


ହଠାତ୍ ଡାକିଲା, ଅବ୍ବୁ ଆଜି ମୋର ସେଇ ଗୁଡିଆଟା ଆଣିବାକୁ ଯିବା ନା ? ପକ୍କା ?


ତା ' ଅଳି ର ଶବ୍ଦ ରେ ତଳ ର ଛବି ପଲଟି ଗଲା ,ସାମ୍ନା ମଣିଷ ଟା ଡାହାଣା ଡାହାଳ କୁକୁର ହେଇଗଲା, ତା ଆଖି କେମିତି ଲାଖିଗଲା ଉପରକୁ ତରାଟିହେଇ, ବିଭତ୍ସ ଦିଶିଲା କଦର୍ଯ୍ଯ ଲୋକଟା ।ତା ଧଳା ପୂଜା ଲୁଗାଟା ଆଇଁସିଆ ଗନ୍ଧ କଲା ଆଉ ଡରାୱନା ହେଇଗଲା ।ସେ ତଳେ ହାଅଁ ହାଅଁ କୁକୁର ଙ୍କ ସାଙ୍ଗେ ଆଣ୍ଠେଇ ଥିବାର ଦିଶିଲା ଚାରି ଗୋଡରେ ।ଇସ୍ ......କି ନାଳ ତା ପାଟିରେ ।


_କଅଁଳିଆ କି କାଟ୍ ସିରାଜ୍ ଭାଇ ,କଅଁଳିଆ କି କାଟ୍ ।


_ଆରେ ସଲିମ୍ କଟୁରିଟା ଆଣ୍ ରେ ଜଲ୍ଦୀ ।ଚିଲେଇଲା ଏକ ରକମ ସିରାଜ୍ ।ଏଇଟା ର ଧାର୍ କାଟୁନି ଆଉ ,ତଲବାର୍ଚାକୁ ଟା ଆଣ୍ ।ଏଇଠି ଶାଲାକୁ ଖଲାସ୍ କରିଦିଏ ।ଭେଡିଏ କହିଁକେ ।


ଗୋଟେ ବାପା ର ବିକଳ ଟା ଚିତ୍କାର ପରି ଫାଟି ଶୁଭିଲା ଗର୍ଜନ ।


ସବୁ କୁକୁର କୁଁ କୁଁ କରି କାନ୍ଥ ପଛରେ, ଲାଞ୍ଜ ଜାକିଲେ କି ନା କେଜାଣି ଜାଣିହେଲାନି ଶାଲା ।



ଭାରୀ ଛୁରୀଭୁସା ପରି ଛାତିଟାକୁ ଟେକି ସିରାଜ୍ ଆଜି ଶୀଘ୍ର ସଟର୍ ପକେଇଲା ଆଉ ଘରେ ଆସି ସମିନାକୁ କହିଲା, ବେଗମ୍ ପୋଟଲୀ ବାନ୍ଧ, ପଳେଇବା ।ଏ ଏରିଆରେ ଆଉ ନୁହେଁ ....... ।

 ସାରିପାରିଲାନି କଥା ତାର।

ଏତେ ଭାରୀ ଶବ୍ଦ ସବୁ ଜିଭ ଉଠେଇବା ସାମର୍ଥ୍ୟ ରଖେ କି ?


ସେପଟୁ ଗୋଟେ ନିଃଶବ୍ଦ ବୁଝୁଥିବା ଦୀର୍ଘଶ୍ବାସ ଗରମ ପବନ ବହିଗଲା ।



ପରୀ ତା'ର ନିର୍ଦ୍ବନ୍ଦ ରେ ଖେଳୁଥିଲା ,ନିଷ୍ପାପ କଳିଟେ ।ତାର କିଆଁ ଏତେ କଥାକୁ ନିଘା ହନ୍ତା ଯେ !


ଧାଇଁ ଯାଇ ସିରାଜ୍ କୋଳରେ ଲଟେଇ ଗୁଡେଇ ପଡି କହିଲା ,ଅବ୍ବୁ ଅବ୍ବୁ ତୁମ୍ ମୋର୍ ନାଁ ଦୁରୁଗା ଦେଲନି ଯେ ? ,କେତେ ତ ଭଲ୍ ନାଁ ଟା ନା ।

ଦେଖନା ଅବ୍ବୁ ଏଇଠି ମୋଟା ଅସୁରର୍ ପେଟ କେମ୍ତି କରି ଏ ମୁନିଆଁ ତିନ୍ଟା( ତିନିଟା ) ମୁନ ୱାଲା ଲଙ୍ଗ୍ କଣ୍ଟା ରେ ଠୁପିଗଲା ।


_ମୁଁ ବି ବଡ ହେଲେ ଏଇ ଅମ୍ମୀ ପରି ହେବି, ସବୁ ମତେ କଣ ଡାକିବେ, କହିବି ??


ଦୁର୍ଗାଆମ୍ମୀ ,ଦୁର୍ଗାଆମ୍ମୀ 


ହାତରେ ଧରିଥିବା ଧୂପକାଠି ଖୋଳରେ ଅଙ୍କା ଦୁର୍ଗା ଦେବୀ ଯେମିତି ସତକୁ ସତ ତା ଆଗରେ ଛ ବର୍ଷ ର ହେଇ ନାଚୁଥିଲେ ତାଳି ମାରି ।


ସମିନା,ଆଉ ସିରାଜ୍ ଆକାଶକୁ ହାତ ଯୋଡୁଥିଲେ ଏକ ବିଶ୍ବାସ ରେ ।




(୨) ଭଷାଣୀ 


ରାକ୍ ଝିନାକିଡି, ରାକ୍ ଝିନାକିଡି ଧୁମ୍ ଧୁମ୍ ଧୁମ୍ 

ରାକ୍ ଝିନାକିଡି ଧୁମ୍ . ..... 


ଡ୍ରମ୍, ଝାଞ, ଘଣ୍ଟା ଘଣ୍ଟ ନାଦ, ଡି ଜେ ର କାନଫଟା ଶବ୍ଦ କୁ ଭେଦି ମାଡିଆସୁଥାନ୍ତି ମେଢ ମାନେ ପଛକୁ ପଛ ଦେବୀ ଗଡା ଆଡକୁ ଲାଇନ୍ ରେ ।ଡିସିପ୍ଲିନ୍ଡ ।


ମେଢ ଅଟକି ଗଲା,ନାଚୁଥିବା ମାତାଲ ମା'ର ଚଣ୍ଡ ମୁଣ୍ଡ ଭକ୍ତ ସବୁ ମାତିଗଲେ ଛକରେ ......ତାଙ୍କ ମଝିରେ ହଠାତ୍ ଆବିର୍ଭୂତ ହେଲା ସେ ।ତାକୁ ଦେଖି ସମସ୍ତେ ଘୁଞ୍ଚିଗଲେ, ଦୁର୍ ଦୁର୍ ମାର୍ ମାର୍ କଲେ ।ହେ ଘୁଞ୍ଚ୍ ଘୁଞ୍ଚ୍ ସିଆଡୁକୁ ଶୁଭିଲା ଜୋର୍ ଜୋର୍ ।


ସେ ପାଦେ ବି ଘୁଞ୍ଚିଲାନି, ଦାରୁ ଭଳିଆ ସେଇଠି ଚେର ଗଳେଇଦେଲା ।ଜିଦ୍ ଲଗେଇଲା, ଅଝଟ ହେଲା ।ଗହଳିରୁ କିଏ କହିଲା, ଦିଅରେ ତାକୁ ଦନାରେ ଦିଟା ଭୋଗ ଦେଇଦିଅ ,ଚାଲିଯାଉ ।ମୂହୁର୍ତ୍ତ ଗଡିଯାଉଛି, ଅଳିଆ ତୁଟାଅ ।


ଲମ୍ବି ଆସିଲା ଗୋଟେ ଗଜା ହାତ ଖଲିରେ ଉଖୁଡା ମୁଠେ ଅଧା ପଚା କଦଳୀ ଟେ ସହ ।ସେ ସେଯାଏଁ ମୁହଁ ପୋତିକି ତା ଦେହର ଏକ ମାତ୍ର ପୁଅ ପିଲା ସାଟ୍ ( ବୋଧେ କିଏ ଦୟା ରେ ଫୋପାଡିଦେଇଥିଲେ କି ସେ ଗୋଟେଇଟି ମଡେଇଥିଲା ) ର କାଲର୍ ପାଖକୁ ଜାବୁଡି ଧରି ପଡିଥାଏ ।ଅଣ୍ଟା ତଳକୁ କପଡା ଟି ମେଳେଛି ଛିଣ୍ଡି ଆସି ତାର ଦୁର୍ଦ୍ଦଶା ର ହସ୍ତାକ୍ଷର ଦଉଥାଏ ।


ବେକ ବଙ୍କେଇକି ସେ ଥରେ ଚାହିଁଲା ଗଲି ଠୋଲାକୁ ଆଉ ଥରେ ଦବା ହାତରୁ ତା ଦୃଷ୍ଟି ଲମ୍ବି ଗଲା ଗଜା ମୁହଁ କୁ ।କ'ଣ ହେଲା କେଜାଣି ଉହୁଁକି ଆସି ଚିହିଁକି ଗଲା ।ଝାଞି ପରି ଝାଡି ହେଇଗଲା ବୁହେ ଚିଲେଇ ଚିଲେଇ 


_ହେ ହେ ହେ ରେ ଦେରେ ଦେ ରେ ଦେ

ମୋ ନୁଗା ଦେ ,ଦେ ମୋ ଚୁନରୀ

ନେଇଗଲେ ରେ ଯୋଗଣିଖିଆ ଗୁଡା ନେଇଗଲେ 

ଆମ୍ପୁଡି ଖାଇବି ଗୋଟା 

ଦେ ଦେ ଦେ ଦେ ମୋ ନୁଗା ଦେ 


ମାରି ବିଦାରୁ ଥାଏ ତା କୋଉଦିନୁ ଅପରଛନିଆ ହାତରେ ଦାନୀ ର ସେଣ୍ଟ ମରା କମିଜ୍ କୁ ଟାଣି ଟାଣି ।


ଏତେ ଶକ୍ତି ଦାଣ୍ଡ ଘୋଷଡା ହାଡରେ ବି ତେଜି ହେଇଯାଏ, କିଏ ଗୋଟେ ଦିଶିଗଲେ .........ଦାନ୍ତ ମାରିଥିବା ପନ୍ଝା ରୁ ।


ଆଉ ପାଞ୍ଚ ଟା ପନ୍ଝା ମାଡି ଆସିଲେ ରକ୍ଷା ପାଇଁ, ସବଳର ।


ଦୁର୍ବଳ ର ସାହା କି ଥାଏ ??


ମାଡ ନିର୍ଧୁମ୍ ପରେ ଫଟା ମୁଣ୍ଡ ଆଉ ଓଠ ରୁ ବାଁ ହାତରେ ମସିଆ ରକ୍ତ ଧାର କୁ ପୋଛୁ ପୋଛୁ ଗାରଢେଇକି ମେଢ ର ଓହଳିଥିବା ପାଟକାନି ମୁହଁ କୁ ଚାହିଁ କହିଲା, ମୋ ଠୁ ଭିଡି ନେଇ ତାକୁ ପିନ୍ଧେକଛୁ, ଫେରା ଫେରା ଦେ ଦେ ଦେ ମୋ ନୁଗା ଦେ ଦେ ।


_ହେ ଟେକି ନିଅରେ ତାକୁ, ସାଇଡ୍ କର। ଫୁଲ୍ ରୋଳା ଚାଲିଛି ଗୋଟେ ଘଣ୍ଟେ ହେଲାଣି ।


_ହଁ ଧରରେ ଭାଇ ,ହାତ ଦିଅ ।ଯାତାରା ହଟାଅ ।



ମେଢ ଆଗକୁ ମାଡିଚାଲିଲା ।


ରାକ୍ ଝିନାକିଡି ଧୁମ୍, ରାକ୍ ଝିନାକିଡି ଧୁମ୍, ଧୁମ୍ ଧୁମ୍ ଧୁମ୍ ଧୁମ୍ ଧୁମ୍ ଧୁମ୍ ଧୁମ୍ ଧୁମ୍ ଧୁମ୍ ଧୁମ୍ ଧୁମ୍ ଧୁମ୍ ଧୁମ୍ 


ଖଇଉଖୁଡା ମୁଠାକ ବିଞ୍ଚିଯାଇଥିଲା ...... ନଳାକଡକୁ ପଡି ସିଏ ଧକଉଥିଲା, ଅଧାଚେତନରେ


ମୋ ନୁଗା, ମୋ ନୁଗା ,ମୋ ଚୁ...ନ....ରୀ 


ମାଛି ବେଢିଯାଉଥିଲେ ଦୁରୁଗା ପାଗେଳୀ କୁ ।


ହଁ ......ଦୁରୁଗା , 

ଏଇଠି ବିସର୍ଜତ ହେଇସାରିଲେ  



Rate this content
Log in

Similar oriya story from Action