Narendra Prasad Behera

Classics

2  

Narendra Prasad Behera

Classics

ଦୁର୍ବାସା

ଦୁର୍ବାସା

3 mins
494


*ଭାଗଵତ କଥା--୩୪*


*ଦୁର୍ବାସା ମୁନି ରାଜା ଅମ୍ବରୀଷଙ୍କ ପାଦ ଧରି କ୍ଷମା ମାଗିଲେ କାହିଁକି ।*


 *ବ୍ଯାସପୁତ୍ର* ଶୁକଦେବ ଗଙ୍ଗା ତୀରରେ ମୁନିଋଷିମାନଙ୍କ ସମାବେଶରେ ରାଜା ପରୀକ୍ଷିତଙ୍କୁ ଗୋଟିଏ ପରେ ଗୋଟିଏ ଭାଗବତ କଥା ଶୁଣାଉଛନ୍ତି ଏବଂ ରାଜା ଏକାଗ୍ର ଚିତ୍ତରେ ଆନନ୍ଦର ସହିତ ତାହା ଶ୍ରବଣ କରିବାରେ ଲାଗିଛନ୍ତି । ଶ୍ରୀଶୁକଦେବ କହିଲେ- ପରମପୁରୁଷଙ୍କ ନାଭି କମଳରୁ ବ୍ରହ୍ମାଙ୍କର ଜନ୍ମ । ବ୍ରହ୍ମାଙ୍କର ମାନସ ପୁତ୍ର ମରୀଚି ଏବଂ ମରୀଚିଙ୍କର ପୁତ୍ର କଶ୍ଯପ । କଶ୍ଯପଙ୍କ ପୁତ୍ର ବାମନଦେବ,ଯାହାଙ୍କ କଥା ଇତିପୂର୍ବରୁ କହିଲି । ଏମାନଙ୍କ ବଂଶରେ ଜନ୍ମ ହୋଇଥିଲେ ଭକ୍ତରାଜ ଅମ୍ବରୀଷ । ବର୍ତ୍ତମାନ ଅମ୍ବରୀଷଙ୍କ କଥା କହିବା ପୂର୍ବରୁ ପ୍ରଥମେ ଅମ୍ବରୀଷଙ୍କ ପିତା ନାଭାଗଙ୍କ ସମ୍ବନ୍ଧରେ କିଛି କହୁଛି ,ଶୁଣନ୍ତୁ । 

 ନାଭାଗ ଥିଲେ ଜଣେ ଅତି ସଦ୍ଭାବ ମଣିଷ । ବାଲ୍ଯକାଳରେ ଗୁରୁଗୃହରେ ଅନେକ ଦିନ ରହି ଅଧ୍ୟୟନ ଶେଷକରି ସେ ଯେତେବେଳେ ଗୃହକୁ ଫେରି ଆସନ୍ତି,ସେତେବେଳେ ତାଙ୍କର ଭାଇମାନେ ସମ୍ପତ୍ତିବାଡି ଭାଗ ଭାଗ କରି ନେଇଯାଇଥାନ୍ତି ଏବଂ ତାଙ୍କ ପାଇଁ କୌଣସି ସମ୍ପତ୍ତି ନ ରଖି,ତାଙ୍କ ଅଂଶରେ ଛାଡି ଯାଇଥାନ୍ତି ବୃଦ୍ଧ ପିତାଙ୍କୁ । ପିତାଙ୍କ ପାଖକୁ ନାଭାଗ ଯେତେବେଳେ ଗଲେ,ସେ ପୁତ୍ରକୁ ପାଖରେ ପାଇ କହିଲେ, ପୁତ୍ର ତୁ ଚିନ୍ତା କର ନାହିଁ, ମୁଁ ତୋତେ ଦୁଇଟି ଶ୍ଲୋକ ଶିଖାଇ ଦେଉଛି । ତୁ ଏଦେଶର ରାଜା କରୁଥିବା ଯଜ୍ଞ ନିକଟରେ ପହଞ୍ଚି ଏହି ଶ୍ଲୋକ ଦୁଇଟି ଆବୃତ୍ତି କଲେ,ସେଠାରେ ସମବେତ ଥିବା ଋଷିମାନେ ତୋତେ ଖୁବ୍ ଆଦର କରିବେ । ପିତାଙ୍କ ଉପଦେଶ ଅନୁସାରେ ନାଭାଗ ଯଜ୍ଞ ସ୍ଥଳରେ ପହଞ୍ଚି ପିତା ଶିଖାଇଥିବା ଶ୍ଲୋକ ଦୁଇଟି ଆବୃତ୍ତି କରିବାରୁ,ଋଷିମାନେ ଖୁବ୍ ସନ୍ତୁଷ୍ଟ ହୋଇ ଯଜ୍ଞର କିଛି ଦକ୍ଷିଣା ପ୍ରଦାନ କରିବା ସଙ୍ଗେ ସଙ୍ଗେ ,ରାଜା ମଧ୍ୟ ଅନେକ ଧନରତ୍ନ ନାଭାଗଙ୍କୁ ଦେଲେ । ନାଭାଗ ବିପୁଳ ଧନସମ୍ପତ୍ତିର ଅଧିକାରୀ ହେଲେ । କାଳକ୍ରମେ ନାଭାଗଙ୍କର ମୃତ୍ୟୁ ପରେ ତାଙ୍କ ପୁତ୍ର ଅମ୍ବରୀଷ ପିତାଙ୍କର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହୋଇ ଜଣେ ରାଜାର ମର୍ଯ୍ୟାଦା ଲାଭ କଲେ । କିନ୍ତୁ ଏତେ ସମ୍ପଦ ଥାଇ ସୁଦ୍ଧା ଅମ୍ବରୀଷଙ୍କର ବିଷୟ ପ୍ରତି ମୋହ ନ ଥିଲା । ସେ ସମ୍ପୂର୍ଣ୍ଣ ଅନାସକ୍ତ ଜୀବନଯାପନ କରି ଶ୍ରୀହରିଙ୍କ ପାଦପଦ୍ମରେ ନିଜକୁ ସମର୍ପି ଦେଇଥିଲେ । 

 ରାଜା ଅମ୍ବରୀଷଙ୍କର ଖ୍ଯାତି ଚତୁର୍ଦ୍ଦିଗକୁ ବ୍ଯାପି ଯାଇଥିଲା । ତାଙ୍କର ଅଧିକାଂଶ ସମୟ ଭଗବାନଙ୍କର ପୂଜା ଅର୍ଚ୍ଚନାରେ ବିତୁଥିଲା । ଅମ୍ବରୀଷଙ୍କର ଈଶ୍ବର ନିଷ୍ଠାରେ ସନ୍ତୁଷ୍ଟ ହୋଇ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରକୁ ଆଦେଶ ଦେଇଥିଲେ,ତାଙ୍କର ଏହି ଭକ୍ତକୁ ଅହରହ ରକ୍ଷା କରିବା ଲାଗି । ଦିନେ ଅମ୍ବରୀଷ ଏକାଦଶୀ ପର୍ବ ପରେ ଦ୍ବାଦଶୀ ବ୍ରତ ଅନୁଷ୍ଠାନ କରୁଥାନ୍ତି । ଏକାଦଶୀ ଦିନ ଉପବାସ ରହିଥିବାରୁ ସେ ପର ଦିନ ବ୍ରତ ପାଳନ କରିବା ପାଇଁ ଆୟୋଜନ କରୁଥାନ୍ତି,ଏହି ସମୟରେ ଦୁର୍ବାସା ମୁନି ଆସି ଉପସ୍ଥିତ ହୁଅନ୍ତି । ଦୁର୍ବାସାକୁ ଭୋଜନ ନ କରାଇ ସେ କିପରି ଆଗ ଭୋଜନ କରିବେ ? ଦୁର୍ବାସା କହିଲେ ମୁଁ ଯମୁନା ନଦୀକୁ ସ୍ନାନ କରିବାକୁ ଯାଉଛି,ତୁମେ ଅପେକ୍ଷା କର,କିନ୍ତୁ ଦୁର୍ବାସା ଫେରିବାରେ ଅତିଶୟ ବିଳମ୍ବ ଘଟିଲା ଏବଂ ଏଣେ ବ୍ରତ ଉଦଯାପନର ସମୟ ଅତିକ୍ରାନ୍ତ ହୋଇଯାଉଛି । ରାଜା ଅନ୍ୟ କୌଣସି ଉପାୟ ନ ପାଇ ଶ୍ରୀହରିଙ୍କୁ ସ୍ମରଣ କରି ଅନ୍ନ ଗ୍ରହଣ କରିବା ପରିବର୍ତ୍ତେ ତୁଳସୀ ପତ୍ର ସହ ସାମାନ୍ୟ ଜଳପାନ କରି ବ୍ରତ ଉଦଯାପନ କଲେ । ଦୁର୍ବାସା ମୁନି ସ୍ନାନାନ୍ତେ ଫେରି ଆସି ଦେଖିଲେ ଯେ ରାଜା ଜଳପାନ କରୁଛନ୍ତି । ରାଜାଙ୍କର ଏ ପ୍ରକାର ଆଚରଣ ଦେଖି ଦୁର୍ବାସା ରାଗିଯାଇ ନିଜ ମୁଣ୍ଡର ଜଟା ଛିଣ୍ଡାଇ ଏକ ଭୀଷଣ ଦୈତ୍ୟ ସୃଷ୍ଟି କଲେ ଏବଂ ଅମ୍ବରୀଷଙ୍କ ଉପରେ ଆକ୍ରମଣ କରିବାକୁ ଆଦେଶ ଦେଲେ । ରାଜା ଭୟଭୀତ ନ ହୋଇ ଶ୍ରୀହରିଙ୍କୁ ଡାକିବାକୁ ଲାଗିଲେ । ଏହି ସମୟରେ ସୁଦର୍ଶନ ଚକ୍ର ଆସି ଉପସ୍ଥିତ ହୋଇ ପ୍ରଥମେ ଦୈତ୍ୟଙ୍କୁ ପୋଡି ଭସ୍ମ କରିଦେଲା । ତାପରେ ଦୁର୍ବାସାଙ୍କୁ ମାରିବା ପାଇଁ ତାଙ୍କ ଆଡ଼କୁ ଧାବିତ ହେଲା । 

 ଦୁର୍ବାସା ପ୍ରାଣ ଭୟରେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଦୌଡିବାକୁ ଲାଗିଲେ । ଦୁର୍ବାସା ଯେଉଁଆଡେ ଯାଉଥାନ୍ତି ସୁଦର୍ଶନ ଚକ୍ର ତାଙ୍କ ପଛେ ପଛେ ଧାଉଁଥାଏ । ଋଷି ବ୍ରହ୍ମାଙ୍କ ନିକଟରେ ପହଞ୍ଚିବାରୁ ବ୍ରହ୍ମା କହିଲେ-ମୁଁ ତୁମକୁ ରକ୍ଷା କରି ପାରିବି ନାହିଁ,ତୁମେ କୈଳାସକୁ ଯାଅ । କୈଳାସ ପତି ଶିବ ତୁମକୁ ରକ୍ଷା କରିପାରନ୍ତି । ଦୁର୍ବାସା କୈଳାସକୁ ଧାଇଁଲେ । ସୁଦର୍ଶନ ଚକ୍ର ତାଙ୍କ ପଛେ ପଛେ ଗତି କରୁଥାଏ । ଦୁର୍ବାସାଙ୍କୁ ଦେଖି ଶଙ୍କର କହିଲେ-ମୁଁ କିଛି କରିପାରିବି ନାହିଁ,ତୁମେ ବୈକୁଣ୍ଠକୁ ଯାଅ । ଶ୍ରୀହରିଙ୍କ ଛଡା 

ଅନ୍ୟ କେହି ତୁମକୁ ରକ୍ଷା କରିପାରିବେ ନାହିଁ । ଦୁର୍ବାସା ପ୍ରାଣ ଭୟରେ ଧାଇଁ ଧାଇଁ ବୈକୁଣ୍ଠପତିଙ୍କ ନିକଟରେ ପହଞ୍ଚିଲେ । ତାଙ୍କୁ ଦେଖି ଶ୍ରୀହରି କହିଲେ-ଶୁଣ ମୁନି,ମୁଁ ହେଉଛି ଭକ୍ତର ଅଧିନ । ଯେଉଁମାନେ ମୋର ଶରଣ ନିଅନ୍ତି,ତାଙ୍କୁ ରକ୍ଷା କରିବା ହେଉଛି ମୋର କର୍ତ୍ତବ୍ୟ । ତପସ୍ୟା ଓ ସଂଯମ ମୁନିଋଷିମାନଙ୍କର ଆଚରଣ ହେବା ଉଚିତ୍ । କିନ୍ତୁ ଯିଏ ବିପରୀତ ଆଚରଣ କରେ, ସେ ବିପରୀତ ଫଳ ଭୋଗ କରେ । ତୁମେ ଯାହା ନିକଟରେ ଅପରାଧ କରିଛ,ସେ ହେଉଛି ମୋର ପରମ ଭକ୍ତ । ତେଣୁ ତୁମେ ଅମ୍ବରୀଷଙ୍କ ପାଖକୁ ଯାଇ କ୍ଷମା ମାଗ । ତାହେଲେ ତୁମ ଅପରାଧର ମାର୍ଜନା ହେବ । ଦୁର୍ବାସା ଭଗବାନଙ୍କର ଆଦେଶ ପାଇ ଅମ୍ବରୀଷଙ୍କ ନିକଟରେ ପହଞ୍ଚି ନିଜର ଭୁଲ୍ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ତାଙ୍କର ପାଦ ଦୁଇଟି ଧରି କ୍ଷମା ପ୍ରାର୍ଥନା କଲେ । ଋଷି ତାଙ୍କ ପାଦ ଛୁଇଁବାରୁ ରାଜା ଖୁବ୍ ସଂଙ୍କୁଚିତ ହୋଇ ସୁଦର୍ଶନ ଚକ୍ରକୁ ଅପସରି ଯିବା ପାଇଁ ପ୍ରାର୍ଥନା କଲେ ।

 ଘୋର ଅନୁତପ୍ତ ଅବସ୍ଥାରେ ଦୁର୍ବାସା କହିଲେ-ମହାରାଜ ! ମୁଁ ତୁମ ପ୍ରତି ଘୋର ଅନ୍ୟାୟ କରିଛି । ଆଜି ମୁଁ ଜଣେ ଭଗବତ୍ ଭକ୍ତଙ୍କର ଅଦ୍ଭୁତ ମହିମା ଦେଖିଲି । ତୁମେ ମୋର ପ୍ରାଣ ରକ୍ଷା କରିଛ । ମୁଁ ତୁମ ନିକଟରେ କୃତଜ୍ଞ । 

  ମହାରାଜା ଅମ୍ବରୀଷ ଏପର୍ଯ୍ୟନ୍ତ ଅନାହାରରେ ରହିଥିଲେ । ସେ ଦୁର୍ବାସା ମୁନିଙ୍କୁ ଭୂରିଭୋଜନରେ ଅପ୍ୟାୟିତ କରିବା ପରେ ଅନ୍ନଗ୍ରହଣ କରି ଋଷିଙ୍କୁ ବିଦାୟ ଦେଇଥିଲେ । 


*ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫୧୦*



Rate this content
Log in

Similar oriya story from Classics