ଦୁଇଟି ଭୋକର ଚିତ୍ର
ଦୁଇଟି ଭୋକର ଚିତ୍ର


ଦ୍ବିପହରିଆ ଭୋକ।
ସବୁବେଳେ ବାହାରେ ବୁଲାବୁଲି। ତେବେ ବି କେବେ ଭୋକ ମାରେନାହିଁ ସୁଶାନ୍ତ।
ରାଜରାସ୍ତା କଡରେ ଠାଏ ଠାଏ ଢାବା। କୌଣସି ଏକ ଭଲ ଢାବାରେ ପେଟପୂରା ଖାଇ ଦେବାକୁ ସ୍ଥିର କଲା ସେ।
ବେଳେବେଳେ ତା' ସହିତ କେହି ନା କେହି ବନ୍ଧୁ ଥାଆନ୍ତି। ଢାବାରେ ସାଙ୍ଗ ହୋଇ ଖାଇବା ପିଇବାରେ ଗୋଟେ ନିଆରା ମଜା ଥାଏ। ସେଦିନ କିନ୍ତୁ ସେ ଏକା ଥିଲା।
ପେଟର ଭୋକ କାହାକୁ ଅପେକ୍ଷା ରଖେ କ'ଣ !
ଛାଇରେ ନିଜ ବାଇକ୍ ଷ୍ଟାଣ୍ଡ କରି ଢାବା ଭିତରକୁ ଆସିଲା ସେ। ହାତ, ମୁହଁ ଧୋଇଲା। ରୁମାଲରେ ପୋଛାପୋଛି ହୋଇ ଆସି ଗୋଟିଏ ଟେବୁଲ ପାଖରେ ବସିଲା।
ଭୋକରେ ତା'ର ପେଟ ଜଳୁଥିଲା।
ଟେବୁଲ୍ ଉପରେ ପାଣି ଗ୍ଲାସ୍ ଥୋଇ ଦେଇ ଢାବା ପିଲା ବରାଦ ନେବାକୁ କାଗଜ କଲମ ଧରି ତା' ପାଖରେ ଠିଆ ହୋଇଗଲା।
- ' କ'ଣ ଆଣିବି, ବାବୁ ? '
- ' କ'ଣ ଅଛି ? '
- ' ଚିକେନ୍,ମଟନ୍,ମାଛ,ତନ୍ଦୁରି,ରୁଟି, ମସରୁମ୍,ପନିର୍ ମସଲା ........ ସବୁ ଅଛି।
- ' ଚିକେନ୍ ପକୋଡା ହବ -------? '
- ' ହବ,ଆଜ୍ଞା । '
- ' ତେବେ ହାଫ୍ ପ୍ଲେଟ୍ ରାଇସ୍,ଚିକେନ୍ ପକୋଡା,ତନ୍ଦୁରି ରୁଟି ଗୋଟେ ଆଉ ମସରୁମ୍ ନେଇ ଆସ। ଜଲଦି.....। '
ବରାଦ ନେଇ ଚାଲିଗଲା ଢାବା ପିଲା।
ଅପେକ୍ଷାରେ ରହିଲା ସେ।
ପେଟର ଭୋକ ଯାଇ ପିଠିରେ ଲାଗିଥିଲା। ସହିବାକୁ ତା'ର ଧୈର୍ଯ୍ୟ ନ ଥିଲା। ସମୟ ବିତୁଥିଲା।
ପାଖାପାଖି ଘଣ୍ଟାଏ ବିତିଥିଲା ୟା ଭିତରେ।
ଏବେ ତା'ର ଭୋକ କ୍ରୋଧରେ ରୂପାନ୍ତରିତ ହେଲା। ଢାବା ମାଲିକକୁ ଗାଳି ଦେବାକୁ ତା'ର ଇଚ୍ଛା ହେଲା।
ଗାଳି ଦେବା ପାଇଁ ସେ ଠିଆ ହେଲା ବେଳକୁ ସଫାରି ଗାଡିଟେ ଅଟକିଲା ଢାବା ସାମ୍ନାରେ। ଗାଡିରୁ ଓହ୍ଲାଇଲେ ଶାଢ଼ୀ ପିନ୍ଧା ସୁନ୍ଦରୀ ଯୁବତୀ ଦୁଇ ଜଣ।
ଏକା ପ୍ରକାର ଶାଢ଼ୀ। ବୋଧହୁଏ କୋୖଣସି କମ୍ପାନୀରେ ଏକାଠି କାମ କରୁଛନ୍ତି ଦୁହେଁ।
ସୁଶାନ୍ତର ନଜର ସୁନ୍ଦରୀ ଯୁବତୀ ଦୁଇ ଜଣଙ୍କ ଆଡକୁ ଚାଲିଗଲା।
ଦୁହେଁ ଆସି ତା' ପାଖ ଟେବୁଲରେ ବସିଲେ।
- ' କିଏ ଅଛ ! ଶିଘ୍ର ଅର୍ଡର ନିଅ। ଭାରି ଭୋକ। ' ଜଣେ ଯୁବତୀ କହିଲା।
ଦୁହିଙ୍କୁ ଚାହିଁ ରହିଲା ସେ। ଦୁହିଙ୍କର ଫାଳିକିଆ ଜହ୍ନ ପରି ପିଠି ଓ ସୁନା ପରି ଫାଳେ ଫାଳେ ଚର୍ବିହୀନ ପେଟ ତାକୁ ବେଶ୍ ଦୃଶ୍ୟ ହେଉଥିଲା। ସେଆଡୁ ଆଖି ଫେରାଇ ପାରୁ ନ ଥିଲା ସେ। ନିଜର ଭୋକ ଭୁଲି ଚାହିଁ ରହିଥିଲା ସେଆଡେ।
ଏତିକିବେଳେ ଢାବା ପିଲା ଆସି କହିଲା - ' ବାବୁ ! ଆଉ ପାଞ୍ଚ ମିନିଟ ଅପେକ୍ଷା କରନ୍ତୁ। ମୁଁ ଟିକେ ଏ ଝିଅ ଦୁହିଙ୍କୁ ଆଗ ଦେଇଦିଏ। '
- ' ଆପତ୍ତି ନାହିଁ। ଦିଅ........। ' ସେ ମୁର୍କି ହସିଦେଇ କହିଲା। ଓ ଅପେକ୍ଷାରେ ରହିଲା।
ଢାବା ପିଲା ମୁର୍କି ହସିଲା। ବୋଧହୁଏ ସେ ବୁଝି ପାରିଲା ପେଟର ଭୋକ ଠାରୁ ମନର ଭୋକ ବଡ। ଯାଇ ଝିଅ ଦୁହିଙ୍କୁ ଆଗ ଖାଇବାକୁ ଦେଲା।
ମନର ଭୋକ ବଡ ଥିଲା।
ଏବେ ପେଟର ଭୋକକୁ ଖୁବ୍ ଧୈର୍ଯ୍ୟର ସହିତ ସହୁଥିଲା ସୁଶାନ୍ତ।
ଦୁଇଟି ଭୋକ........ ଦୁଇଟି ଚିତ୍ର।