STORYMIRROR

Gargi Mishra

Abstract Drama Inspirational

4  

Gargi Mishra

Abstract Drama Inspirational

ଦୁଇ ମିନିଟ

ଦୁଇ ମିନିଟ

4 mins
8

 


ଏକଲବ୍ୟ ରେସିଡେନ୍ସିଆଲ ସ୍କୁଲପାଇଁ ନୂଆ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତିନିମନ୍ତେ ପ୍ରବେଶିକା ପରୀକ୍ଷା l ଭାରତୀୟ ପବ୍ଲିକ ସ୍କୁଲରେ ସେଣ୍ଟର ପଡିଛି l ଆସନ୍ତା ମାସ ସାତ ତାରିଖ, ରବିବାର l ଅଗତ୍ୟା ସ୍କୁଲ ଇନଭିଜିଲେସନର ନୋଟିସ ପଠେଇ ଦେଲା ପୁଷ୍ପାଙ୍କ ସହିତ କିଛି ଷ୍ଟାଫ ମାନଙ୍କୁ l 


ସେଦିନ ପୁଷ୍ପାଙ୍କ ଆନିଭରସରି l କେକ୍ ଅର୍ଡର ଆଉ ହୋଟେଲ ରୁମ ବୁକିଂ ସରିଛି ମାସେ ତଳେ.... 


ଭାରତୀୟ ପବ୍ଲିକ ସ୍କୁଲର ଟିଚର ପୁଷ୍ପା ନିଜ ଡିପାର୍ଟମେଣ୍ଟ ହେଡ଼ ଝରଣା ମ୍ୟାଡ଼ାମଙ୍କୁ ଫୋନ କରି ଇନଭିଜିଲେସନର ସବୁ ପୁଙ୍ଖାନୁପୁଙ୍ଖ ବିବରଣୀ ଜାଣିଲେ l


ଝରଣା ସବୁ ବିସ୍ତୃତ ଭାବେ ବୁଝାଇଲା ଭିତରେ ପୁଷ୍ପାଙ୍କ ଆନିଭରସରୀ କଥାବି ପଚାରି ଦେଲେ l ଯେତେହେଲେ ସହକର୍ମୀ l ଇନଭିଟେସନ ବି ପାଇଥିଲେ କିଛିଦିନ ତଳେ l କେମିତି ପାଳନ କରିବେ ତେବେ? ଯଦି ଅରାଜି ତେବେ କୌଣସି ଅସୁବିଧା ନାହିଁ, ଏକା ମ୍ୟାନେଜ କରିଦେବେ ବୋଲି ନିଜଆଡୁ ଆଶ୍ୱାସନା ଦେଲେ ଝରଣା l 


"ମ୍ୟାଡ଼ାମ, ଆପଣ ଚିନ୍ତା କରନ୍ତୁନି l ଆମେ ଅନ୍ୟଦିନ ବିବାହ ବାର୍ଷିକି ପାଳନ କଥାଦେଖିବା l ଆଗେ ଡ୍ୟୁଟି l ସ୍କୁଲ କାମ ବ୍ୟାହତ ନ ହେଉ"


ସ୍ବୀକାରୋକ୍ତି ଦେଇ ଏକ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ପରି ନିଜ ବିବାହ ବାର୍ଷିକି ବଦଳରେ ସ୍କୁଲକାମ ପାଇଁ ବାହାରି ପଡିଲେ ପୁଷ୍ପା ମ୍ୟାଡ଼ାମ l ଏତେ ବର୍ଷ ଚାକିରୀ ଭିତରେ ସ୍କୁଲ ଜୀବନକୁ କେମିତି ଏକ ଭଲ ପାଇଗଲେଣି ପୁଷ୍ପା l ଶହେଏକ ଡିଗ୍ରୀ ଜରରେ ବି ନିଜ ଦେହ ପ୍ରତି ଭ୍ରୁକ୍ଷେପ ନାହିଁ l ଔଷଧ ଖାଇ କାମ କରିବାକୁ ବାହାରି ପଡନ୍ତି ଅଭ୍ୟାସ ବଶତଃ l 


କର୍ତ୍ତବ୍ୟ କଥା ପଡିଲେ ସବୁବେଳେ ତାଙ୍କର ନିଜ ବାପାଙ୍କ କଥା ମନେପଡିଯାଏ l ବାପା ଚାଲିଯିବା ପରେ ଦିନେ ତାଙ୍କ ଆତ୍ମାକୁ କ୍ଷମା ପ୍ରାର୍ଥନା କରି ତାଙ୍କ ଲିଖିତ ଡ଼ାଇରୀ ପଢିଥିଲେ ପୁଷ୍ପା l କେଜାଣି ଏକ ଅନିୟନ୍ତ୍ରିତ ଇଚ୍ଛା ତାଙ୍କୁ ବିବଶ କରି ପକାଇଲା ସେଦିନ l ହେଲେ ଭଲ ହେଲା l ବାପା ତାଙ୍କର କେତେ ସଚ୍ଚୋଟ ଥିଲେ ସେ ସେଦିନ ତାଙ୍କ ଡ଼ାଇରୀ ନ ପଢିଥିଲେ ହୁଏତ କେବେବି ଜାଣିବାକୁ ପାଇନଥାନ୍ତେ l


ଜାଣିବାକୁ ପାଇଲେ କେତେ କଷ୍ଟକର ପରିସ୍ଥିତିରେ ସେ ବଡ଼ କରିଛନ୍ତି ପିଲାମାନଙ୍କୁ l ଯେତେ ପ୍ରକାର ପ୍ରଲୋଭନ ହେଲେବିସୁଧାସେ ଦୁର୍ବଳ ହୋଇନାହାନ୍ତି ପରିସ୍ଥିତି ସାମ୍ନାରେ l ସାମାନ୍ୟ ଲ୍ୟାବ-ଆସିଷ୍ଟାଣ୍ଟ ଥିଲେ ତାଙ୍କ ବାପା l ପ୍ରାକ୍ଟିକାଲ ମାର୍କ ବଢ଼ାଇବା ପାଇଁ ଅନେକ ବଡ଼ ଘର ପିଲା ପଇସା ଜାଚିଛନ୍ତି ଅଥବା ଗୁଣ୍ଡା ଦ୍ୱାରା ଛୁରୀ ଦେଖାଇ ହମଲା କରିବାକୁ ଧମକ ଦେଇଛନ୍ତି l ଚାହିଁଥିଲେ ହାତଗୁଞ୍ଜା ନେଇ ପିଲାମାନଙ୍କୁ ପାସ ହେବାରେ ସାହାଯ୍ୟ କରି ପାରିଥାନ୍ତେ l ହେଲେ ପାରିଲେନି l


 ସଂସ୍କାର କୁହନ୍ତୁ ବା ସ୍ୱାଭିମାନ...ଛୋଟ ଛୋଟ ଶବ୍ଦସବୁ l ମଣିଷ କେତେ ମୂଲ୍ୟବାନ ତାହା ଏଇ ଛୋଟଶବ୍ଦ ନିର୍ଣ୍ଣୟ କରିଦିଏ l ଆଜିର ଯୁଗରେ ଘରେ ଘରେ ପଇସା l ଦାମୀ ମଣିଷ ସବୁ ଗଳି କନ୍ଦିରେ ଦେଖିବାକୁ ମିଳନ୍ତି,ହେଲେ ମୂଲ୍ୟବାନ ମଣିଷ ଖୁବ କମ l 


ଦିନକର କଥା, ବାପାଙ୍କ ଡିପାର୍ଟମେଣ୍ଟ ପିଅନ ସୁର l ଟେମ୍ପରାରି ପୋଷ୍ଟ ରେ ସାତ ବର୍ଷହେଲା ଥାଏ l ପାଞ୍ଚ ବର୍ଷରୁ ଅଧିକ ସେବା କରିଥିବାରୁ ପୋଷ୍ଟ ପରମାନେଣ୍ଟ କରିବାକୁ ଆବେଦନ ଦାଖଲ କଲା l ବଡ଼ବାବୁ କହିଲେ ଦଶହଜାର ଟଙ୍କା ଦେଲେ ହେଇପାରିବ l ନହେଲେ ଅନେକ ଷ୍ଟାଫ ଅଛନ୍ତି ଲାଇନରେ l


ସୁର ମୁଣ୍ଡ ଆଉଁସିଲା l ଶେଷରେ ମଙ୍ଗିଗଲା ବି l.


ହେଲେ ସଙ୍ଗେ ସଙ୍ଗେ ବାପା ଏକଥା ଶୁଣି କହିଲେ,


ବଡ଼ବାବୁ ଆଜ୍ଞା , ଛୋଟମୁହଁ ରେ ବଡ଼ କଥା କହିବି? ଆପଣ ଭୂଲ ବୁଝିବେନି l ସୁରର ପୁଅ ଚନ୍ଦୁକୁ ଦେଖେ ପ୍ରତିଦିନ ଅଫିସରୁ ଫେରିଲା ବେଳେ l ମୁଢିଗିନା ଧରି ବସିଥାଏ l ସୁର ପ୍ରତିଦିନ ପାଞ୍ଚଟଙ୍କାର ମୁଢି ରଖେ l ଚାକିରୀ ପାଇଁ ସେ ଧାର କରଜ କରି ଦଶହଜାର ହାତଗୁଞ୍ଜା ଦବ l ତା' ପୁଅ ଚାରିଟା ବେଳେ ମୁଢି ପାଇବନି , କାନ୍ଦିବ l ତା ଲୁହ ପାଇଁ ଆପଣ ଦାୟି ହେବେ l ଗରିବ ଆଖିର ଲୁହ ପଡିଲେ ଆପଣଙ୍କ ଅବନତି ହେବ l ତାକୁ ଏସବୁ କରିବା ଦରକାର କଣ? ସେ ନିତି ବିରୁଦ୍ଧରେ ଯାଇନି l ଦେଖିବାକୁ ଗଲେ ସେ ପରମାନେଣ୍ଟ ଚାକିରୀ ପାଇଁ ଯୋଗ୍ୟ l 


ବଡ଼ବାବୁ କିନ୍ତୁ ଉତ୍ୟକ୍ତ ହୋଇ ବାପାଙ୍କୁ ଛ ମାସ ପାଇଁ ଅନ୍ୟ କୌଣସି ଆଳରେ ସସ୍ପେଣ୍ଡ କରିଥିଲେ l ବାପା ସେ ସମୟରେ କେମିତି କଷ୍ଟ ସହିଛନ୍ତି ଏସବୁ ଝିଅ ହିସାବରେ ଦେଖିଛନ୍ତି ପୁଷ୍ପା l ହେଲେବି ଭାଙ୍ଗି ପଡି ନାହାନ୍ତି l 

ଯନ୍ତ୍ରଣାର ଗଭୀର ଧୂଆଁରେ ସେ ଶ୍ୱାସରୁଦ୍ଧ ହୋଇ ପଡ଼ୁଥାନ୍ତି l ବଣପୋଡିଯିବାର ଧୂଆଁ କୁହୁଳି ଉଠୁଥାଏ ଡ଼ାଇରୀ ଭିତରୁ l ବାସ l ସେବେଠୁ ସେ କର୍ମଠ ହେବାକୁ ବାପାଙ୍କ ଆତ୍ମାକୁ ମୌନ ପ୍ରତିଶୃତି ଦେଇଛନ୍ତି ନୀରଭିଜା ଆଖିରେ l ତାହାହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହୁଏତ ହେଇ ପାରିବ ବାପାଙ୍କ ଲାଗି l 


ନିମନ୍ତ୍ରିତ ଅତିଥି ମାନଙ୍କୁ ଅନିଭର୍ସରୀ ଡେଟରେ ସାମାନ୍ୟ ପରିବର୍ତନ ଅଛି କହି କ୍ଷମା ମାଗିନେଲେ ତଥା ଏକଲବ୍ୟ ପରୀକ୍ଷା ଦିନ ପରୀକ୍ଷା ହଲରେ ଯାଇ ପହଞ୍ଚି ଗଲେ ପୁଷ୍ପା l ଝରଣା ମ୍ୟାଡ଼ାମ ସ୍ୱଳ୍ପ ବିଳମ୍ବରେ ପହଁଚିଲେ l ଗେଟରୁ ଯାଞ୍ଚ ହେବା ପରେ ପ୍ରାର୍ଥୀମନେ ହଲ ସାମ୍ନାରେ ଲାଇନ ଦେଇ ଠିଆ ହୋଇଥାନ୍ତି l ଆଧାର କାର୍ଡ ଏବଂ ଅନୁମତି ପତ୍ର ଦେଖି ଜଣ ଜଣଙ୍କୁ ହଲକୁ ଛାଡିଲେ l ପରୀକ୍ଷାର ନିୟମ ଅନୁଯାଇ ଶୃଙ୍ଖଳିତ ଭାବେ ସବୁ ସମାପନ ହେଲା l ଶେଷରେ ସମାପ୍ତି ବେଲ l ପୁଷ୍ପା ଏବଂ ଝରଣାଙ୍କୁ କେହି କେହି ପ୍ରାର୍ଥୀ ନିରାଶ ହୋଇ ଖାତା ଦେଉଥାନ୍ତି ତ କେହି କେହି ଆତ୍ମସନ୍ତୋଷ ପୂର୍ବକ l କେହି କେହି ଦୁଇ ମିନିଟ ସମୟ ମାଗୁଥାନ୍ତି l


ଜବରଦସ୍ତ ଖାତା ଛଡାଇ ଆଣିଲେ ଉଭୟ ଇନଭିଜିଲେଟର l ରୋଲନମ୍ବର ହିସାବରେ ଖାତା ରଖିବାକୁ ନିର୍ଦେଶ ଦେଲେ ଜୁନିଅର ପୁଷ୍ପାଙ୍କୁ ଝରଣା ମ୍ୟାଡ଼ାମ l ଦୁଇଜଣ ପ୍ରାର୍ଥୀ ଆସି ଖୁବ ନିବେଦନ କରିବାରେ ଲାଗି ପଡିଲେ l କହିଲେ,


ମ୍ୟାଡ଼ାମ ଆମେ ପନ୍ଦର ବର୍ଷ ହେଲା ଖୁବ କମ ଦରମାରେ ବେସରକାରୀ ସ୍କୁଲରେ ଖଟି ଚାଲିଛୁ l ଦୁଇ ତିନୋଟି ଗାଣିତ ରଫନୋଟରେ ସମାଧାନ ହୋଇ ସାରିଛି l ରିକ୍ତସ୍ଥାନ କେବଳ ପୂରଣ ପାଇଁ ଦୁଇ ମିନିଟ ଦରକାର l

ଆପଣଙ୍କ ଗୋଡ଼ ଧରୁଛୁ ମ୍ୟାଡ଼ାମ l ଆପଣ ପ୍ଲିଜ ଆମ କଥା ଭାବନ୍ତୁ l ଆପଣଙ୍କ ଦୟାରେ ଆମେ ଏକଲବ୍ୟ ସ୍କୁଲ ପରି ଉଚ୍ଚ ଅଙ୍କର ଦରମା ପାଇଲେ ଆମର, ଆମ ପରିବାରର ଭାଗ୍ୟ ସୁଧୁରିଯିବ l

ଝରଣା ମ୍ୟାଡ଼ାମଙ୍କୁ ଦୁର୍ବଳ ହେବାର ଦେଖିଲେ ପୁଷ୍ପା l ସେ ଦୟା ପାଇ ଖାତା ଦେବାକୁ ପରାମର୍ଶ ଦେଲେ l

ଆରେ ଏ କଣ କହୁଛନ୍ତି ମ୍ୟାଡ଼ାମ? ଚାରିଆଡେ ସିସିଟିଭି କ୍ୟାମେରା l ପ୍ରାର୍ଥୀ ମାନେ ନିଜେବି ବିପଦରେ ପଡିବେ ଆଉ ଅନ୍ୟ କିଏ ଦେଖିଲେ ଚାକିରୀ ଉପରେ ବି ଆଞ୍ଚ ଆସିପାରେ l ପୁଷ୍ପା ଦୃଢ଼ଭାବେ ଖାତା ଦେବାରୁ ବାରଣ କରିଦେଲେ l କହିଲେ, 


"ଶୁଣନ୍ତୁ ମହାଶୟ, ଅତିରିକ୍ତ ଦୁଇ ମିନିଟ ଆପଣଙ୍କୁ ଦେଲେ ଅନ୍ୟ ପରୀକ୍ଷାର୍ଥୀ ମାନଙ୍କ ପାଇଁ ଏହା ଅନ୍ୟାୟ ହେବ l ଆପଣ ଯାହା ଲେଖିଛନ୍ତି ବିଶ୍ୱାସ ରଖନ୍ତୁ l ପ୍ରକୃତରେ ନିଷ୍କପଟ ପରିଶ୍ରମ କରିଥିଲେ, ଭଗବାନଙ୍କ ଆପଣ ଆଉ ଆପଣଙ୍କ ପରିବାରର ଭାଗ୍ୟ ନିଜେ ନିର୍ଣ୍ଣୟ କରିବେ l ଏ ସମୟ ଖରାପ ପଡିଲେ ଆଉଥରେ ଆସି ପରୀକ୍ଷା ଦେବେ l ଭାଗ୍ୟ ପରିଶ୍ରମ ଏବଂ ନିଷ୍ଠା ଦ୍ୱାରା ବଦଳି ଯାଇପାରେ l ସତରେ ବଡ଼ ବଳବାନ ଏ ସମୟ l"

ଏହା କହି ପେପରତକ ନେଇ ଲାଇଟ ଫ୍ୟାନ ବନ୍ଦ କରି ଚାଲିଗଲେ ପୁଷ୍ପା ଏବଂ ଝରଣା ମ୍ୟାଡ଼ାମ l ଝରଣା ପରେ ପରେ ପୁଷ୍ପାଙ୍କ ଅଦମ୍ୟ ସାହାସ ଦେଖି ସମସ୍ତଙ୍କ ଆଗରେ ଖୁବ ପ୍ରଶଂସା କରିଥିଲେ l


ସପ୍ତାହକ ପରେ ଆନିଭରସରୀରେ ସ୍କୁଲର ସମସ୍ତ ଷ୍ଟାଫ ଆସି ଝରଣାଙ୍କ ପରି କର୍ତ୍ତବ୍ୟନିଷ୍ଠ କର୍ମଚାରୀଙ୍କ ବିବାହିତ ଜୀବନ ଦୀର୍ଘ ଏବଂ ସୁଖପ୍ରଦ ହେବାକୁ କାମନା କରିଥିଲେ l ବାପାଙ୍କ ଫୋଟୋକୁ ଚାହିଁ ମନେ ମନେ ନିରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିଲେ ପୁଷ୍ପା l 


Rate this content
Log in

Similar oriya story from Abstract