STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ଦୁହିତା

ଦୁହିତା

3 mins
200

ଜ୍ଞାତରେ ସେମାନେ କହିଲେ, ଯାହା ଆପଣଙ୍କ ଖୁସି ଝିଅକୁ ଦେବେ ।ଦାଣ୍ଡ ସୁନ୍ଦର ଟିକେ ଜଗିବେ ଆଉ କହିବୁ କଣ !

ବାପା କହିଲେ, ମୋର ତ ଗୋଟିଏ ବୋଲି ଝିଅ ସବୁ ତ ତାର ।

ଏସବୁ କେବଳ ଆଢୁଆଳ ଥିଲା ।ପଛରେ ଗେଟ୍ ପାଖରେ କହିଗଲେ, ଆମେ ତିନିତାଲା ମାର୍ବଲ ଘର ତୋଳି ଦେଇଛୁ ନୂଆ ।ଆପଣଙ୍କ ଝିଅ ଜୋଇଁ ଚଳିବେ ।ଘରଟିକୁ ଘର ପରି ପରିପୂର୍ଣ୍ଣ କରିବା ଦାୟିତ୍ୱ ଆପଣଙ୍କର ।ଆଉ ଆଜିକାଲି ପୁଅ ପସନ୍ଦର କାର୍ ଖଣ୍ଡେ କଣ କୋଉ କଥାରେ ଗଣା ।

ନା କଣ କହୁଛନ୍ତି? ହା ହା ହା ।

ସେ ହସ ମତେ ରାବଣର ହସ ପରି ଶୁଭୁଥିଲା । କପଟ ମିଶା ।

ସେମାନେ ଗଡଜୟ କଲାପରି ତେଜିୟାନ ଆଉ ବାପା କୃତ୍ଯ କୃତ୍ଯ ସହ ଧାର କରଜ କଲାପରି ନଇଁ ରହୁଥିଲେ ଆଉ ସବୁକଥାରେ ହଁ ହଁ ଆଜ୍ଞା ଆଜ୍ଞା କରୁଥିଲେ ଯେମିତି ସେମାନେ ସାହେବ ଆଉ ବାପା ତାଙ୍କ ତଳିଆ ବାଧ୍ୟ କର୍ମଚାରୀ ।

ତାଙ୍କ ପୁଅ ବ୍ଯାଚଲର ଡିଗ୍ରୀ ପରେ ଗୋଟେ ମଲଟିନାସନାଲ କମ୍ପାନୀ ଚାକିରୀ କରୁଥିଲା ଆଉ ମୁଁ ମାଷ୍ଟର ଡିଗ୍ରୀ ପରେ ମହାବିଦ୍ୟାଳୟରେ ଅଧ୍ଯାପିକା ଓ ଏବେ ଡକ୍ଟରେଟ କରୁଥିଲି ।

ତଥାପି ସାମାଜିକ ବ୍ଯବସ୍ଥାର ଦ୍ବାହି ଦେଇ କହିବାର ଶୁଣିଲି ,ଏଠୁ ଯାଉ ,ସେଠି ମୋ ପୁଅ ତାକୁ ଚାକିରୀ କରେଇଦବନି ନା । ବାପା ନିରୁପାୟ ଆଖିରେ ମୋ ମୁହଁକୁ ଚାହିଁଲେ ।

ବାପାମାନେ ଏତେ ନିରୁପାୟ ହବା ଜରୁରୀ କଣ ? ଅପେକ୍ଷା ବି ତ କରିହନ୍ତା ....ନିଜ ତରଫରୁ ସର୍ତ୍ତ ବି ତ କିଛି ରଖିହନ୍ତା !

ତାଙ୍କ ଘରୁ ଦଶଟା ଥାକରେ ଲୋକେ ମତେ ଦେଖିବାକୁ ଶହେ ଥର ଆସୁଥିଲେ ଆଉ ହଜାରେ ଥର ଏଇ ସବୁ ଅପ୍ରିତିକର ଘଟଣାର ପୁନରାବୃତ୍ତି ଘଟୁଥିଲା ହସି ହସି ।ମଧ୍ଯସ୍ତି ବୁଝଉଥିଲା , ଭଲହବନି ଆଜ୍ଞା ।ଆଜିକାଲି ଯୁଗ କଥା..... ଦେଇଦିଅନ୍ତୁ ଯାହା । ଡିମାଣ୍ଡ ତ କିଛି ନାହିଁ ପୁଣି ,କେତେ ଭଦ୍ର ପରିବାର ଭାବନ୍ତୁ । ପୁଅପାତ୍ର ଭଲ । ହଁ ତିନି ଶହ ବରଯାତ୍ରୀ ଆଉ ସତୁରୀ ଲୋକଙ୍କ ବନ୍ଧୁ ସମ୍ମାନ ଲୁଟାପଟା ଟା ବି ହିସାବରେ ଯୋଡିଥିବେ ।

ହାତରୁ ଖସିଲେ ବୋଝ ଉଠେଇବାକୁ ପୁଣି ବେଳ ଗଡିବ । ଝିଅ ଘିଅ ।


ମୁଁ ଚୁପ୍ ଥିଲି ,ନୀରବ ନଥିଲି ......ବାପାଙ୍କ ଆକ୍ତାମାକ୍ତା ଖୁସି ଦେଖି ।ଚିନ୍ତାରେ ବୁଡି ବି ଖୁସି ହବାର ମୁହଁ ବାପା ମାନେ କରିପାରନ୍ତି ।

ବୋଉ ତ ଖାଲି ପାଟିଚୁପ କରି ପରଶୁ ଥିଲା ପ୍ରକାର ପ୍ରକାର ରନ୍ଧା ।ଆଉ ଗଲା ପରେ ଗୁଣୁଗୁଣଉଥିଲା, ଅସୁର ପେଟ ।

ମତେ କଞ୍ଚା ହଳଦୀ ବାଟି ଘସଉଥିଲା ।ସକାଳୁ ଉଠେଇ ଚାଲିବାକୁ ପଠଉଥିଲା ଆଉ ଖିରରେ କେସର ପକେଇ ପିଅଉଥିଲା ।ମୁଁ ସବୁ ବୁଝୁଥିଲି, କିଛି କହୁନଥିଲି ।

_____

ଆଜି ମୁଦିପିନ୍ଧା ଥିଲା ।ଘର ସଜା ହେଇଥିଲା ।ମୁଁ ସଜ ହେଇଥିଲି ।ବୋଉ ତାର ସବୁଠୁ ପ୍ରିୟ ବାହାପାଟ ମତେ ପିନ୍ଧେଇଥିଲା ।

ମୁଦି ପିନ୍ଧା ପାଇଁ ଗହଳି ଥିଲା ।ସମୟ ମୂହୁର୍ତ୍ତ ଅନୁସାରେ ସମସ୍ତେ ପହଞ୍ଚିଲେ ।ଆଙ୍ଗୁଳି ଦେଖେଇବାକୁ କହିବାରୁ ମୁଁ ଭଦ୍ର ଭାବରେ କହିଲି, ମୋର ଗୋଟେ କଥା ଅଛି ।କହିବାର ଅନୁମତି ଚାହୁଁଛି।

ବାପାଙ୍କ ମୁହଁରୁ ରଙ୍ଗ ଉଡିଗଲା,ବୋଉ ଶେଥାଳିଆ ଦିଶିଲା ।ଘେରିଥିବା ସମସ୍ତେ ଟୁପ୍ ଟାପ୍ ହେଲେ ।ତଥାପି ବାଧ୍ଯ ହଁ ଟେ ଭରିଲେ ।

ମୁଁ ହାତ ଯୋଡି ବିନୟ ସ୍ବରରେ ସିଧା ବରପାତ୍ର ଆଖିକୁ ଚାହିଁ କହିଲି, ପ୍ରଥମକଥା ମୋ ପାଇଁ ମୋ ଶାଶୁଶଶୁର ଯେତିକି ମହତ୍ତ୍ଵ ରଖିବେ ମୋ ବାବା ମାଆ ମଧ୍ୟ ସେତିକି ।ସେତିକି ସମ୍ମାନ, ସେତିକି ସେବା, ସେତିକି ଅଧିକାର । ସମଭାବ, ସମସ୍କନ୍ଦ, ସମାନ ସମ୍ବନ୍ଧ ରହିବ ଆମ ଜୀବନର ଶେଷ ଯାଏ । ଯଦି ହଁ ମୁଦି ପିନ୍ଧିବି ।

ଜଣେ କିଏ ବନ୍ଧୁଆଳିଆ ଖୁଡି ଖେନ୍ଚାଟେ କହୁଣିରେ ମାରି କହିଲେ, କଣ ଯୁଗ ବଦଳେଇବୁ, ପାଠ ପଢିଛୁ ବୋଲି ଟାଣ ଦେଖେଇବୁ? ବନ୍ଦ କର ଏ ସବୁ ।ବାପ ନାକ ତଳେ ପକାନା ।

ମୁଁ ଭାବୁଥିଲି, ଏଥିରେ ଅପମାନ କଲା ଭଳି କଣ କରିଲି କି ମୁଁ ? ମାଆଟିଏକୁ ପୁଅ ହେଉ ଅବା ଝିଅ , ଜନ୍ମ ଦେବାରେ ସମାନ କଷ୍ଟ ଓ ସମାନ ଆନନ୍ଦ ଅନୁଭୂତ ହୁଏ ।ସେତିକି ଯତ୍ନ, ସେତିକି ଦାୟିତ୍ୱ,ପ୍ରତିବନ୍ଧତା, ସେତିକି ହି ସ୍ନେହ ଦେଇ ମାଳୀ ସବୁ ଗଛକୁ ପାଳେ ।ତେବେ ଏତେ ବାଛବିଚାର କାହିଁକି?

ମୋର ଦୋ ତିନୋଟି ତନୁପାତେଳୀ ଗୋଟିଏ ଚାଉଳେ ଗଢା ସାଙ୍ଗ ପୁଣି ପିଲିହାତି, ଗଣ୍ଡା କି ମଇଁଷି ପରି ଦୃଶ୍ୟ ହେଉଥିବା ବରପାତ୍ରଙ୍କ ହାତ ଧରି ଅକ୍ଲେଶରେ ସଂସାର କଲେ ।ତେବେ ଝିଅ ମାନଙ୍କ ବେଳକୁ ଏତେ ନିୟମ, ଆବୁଲତାବୁଲ କଥା କାହିଁକି? ଆମ ବାପା ବୋଉ କଣ ପାଇଁ ଝିଅକୁ ବୋଝ ଭାବିବେ? କାହିଁକି ପରପୀଢି ଝିଅଟିଏ ଝିଅକୁ ଜନ୍ମ ଦେଇ ଖୁସି ହେଇପାରିବନି ହୃଦୟରୁ ? କାହିଁକି ସବୁବେଳେ ସେଇ ସମାନ କଥାର ପୁନରାବୃତ୍ତି ଘଟିବ ? କାହିଁକି ଆମ ବାପା ବୋଉ ଏକୁଟିଆ, ଅସହାୟ ଜୀବନଟେ ଜୀଇଁ ଜୀଇଁ ତିକ୍ତ ଅନୁଭୂତି ସହ ପ୍ରାଣ ଛାଡିବେ? ନା ନା ଆଉ ହବନି ।ସେମାନେ ବି ମଣିଷ ।କନ୍ୟାରତ୍ନ ।ତାକୁ ଜନ୍ମ ଦେଇ କିଛି ପାପ ନୁହେଁ ।ବଦଳେଇବାକୁ ପଡିବ ଏ ପାଉଣା ଦିଆ ନିରବ ଜୀବନର କଣ୍ଟା ପଥକୁ ।

ମୁଁ ସ୍ଥିର ଥିଲି ମୋ ନିଷ୍ପତ୍ତିରେ । ଗହଳି ଭାଙ୍ଗିଯାଉଥିଲା ମୋ ଚାରିପଟରୁ ଧିରେ ଧିରେ ।ଶୁଭୁଥିଲା, ଘୋଡାଗୁହାଳି, ଅଣ୍ଡିରୀଚଣ୍ଡୀ,ମୁହଁଫଟ୍, ........

ବାହାଘର ଭାଙ୍ଗିଗଲା ।

ବାପା ବୋଉ ଚିନ୍ତିତ ତ ଥିଲେ କିନ୍ତୁ ତାଙ୍କ ମୁହଁରେ ତୃପ୍ତି ଓ ଦମ୍ଭ ଉକୁଟିବାର ଆଭାସ ପାଉଥିଲି ମୁଁ ।

ଖାଲି କଥାରେ ତୁ ମୋର ଝିଅ ନୁହେଁରେ ପୁଅ କହୁଥିବା ବାପା ଆଜି ମୁଣ୍ଡ ଆଉଁସି କହୁଥିଲେ, ତୁ ମୋର ସୁଯୋଗ୍ଯ ଝିଅ ।

ଫେରିଯାଉଥିବା ଭିଡ ଭିତରୁ ଫେରୁଥିଲେ ସିଦ୍ଧାର୍ଥଙ୍କ ହାତ ଧରି ତାଙ୍କ ବାପା ବୋଉ ।

ମୋ ଆଖି ସହ ଆଖି ମିଶେଇ ପଚାରୁଥିଲେ ସିଦ୍ଧାର୍ଥ, ତୁମ ପରି ଚିନ୍ତାଧାରାକୁ ଆଗେଇ ନେବା ପାଇଁ ଆଗାମୀ ପୀଢି ପାଇଁ ମୋର ହାତ ଧରିବ? ମୁଁ ରାଜି ।

ମୋ ହାତରେ ଥିଲା ସିଦ୍ଧାର୍ଥଙ୍କର ହାତ ।କୃଷ୍ଣଚୂଡା ଫୁଲ ପରି ରଙ୍ଗ ଉଡିବୁଲୁଥିଲେ ଚାରିପଟେ ।



Rate this content
Log in

Similar oriya story from Action