Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Narendra Prasad Behera

Classics


2  

Narendra Prasad Behera

Classics


ଦଶରଥଙ୍କ ପୁତ୍ର ଲାଭ

ଦଶରଥଙ୍କ ପୁତ୍ର ଲାଭ

4 mins 457 4 mins 457

*ରାମାୟଣରୁ କିଛି.........୩୪*


*ଦଶରଥଙ୍କ ଚାରିପୁତ୍ରଙ୍କୁ କିଏ ନାମକରଣ କଲେ*


   ଶୁଭଲଗ୍ନରେ ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞ ଆରମ୍ଭ ହେଲା । ପ୍ରଥମେ ଋଷିମାନେ ଆଶୀର୍ବାଣୀ ଉଚ୍ଚାରଣ କଲେ । ତତ୍ପରେ ଦଶରଥ ସଂକଳ୍ପ କରି ପୁତ୍ରଲାଭ ପାଇଁ ମନ ମଧ୍ୟରେ ଚିନ୍ତାକଲେ । ତତ୍ପରେ ଦଶରଥ ଛିଡାହୋଇ ହାତଯୋଡି ଋଷିମାନଙ୍କୁ କହିଲେ - ଆପଣମାନେ ସମସ୍ତେ ପୂର୍ଣ୍ଣ ହୃଦୟ ଦେଇ ମୋର ପୁତ୍ରେଷ୍ଟି ଯଜ୍ଞରେ ଯୋଗଦାନ କରିଛନ୍ତି । ତେଣୁ ଆପଣମାନଙ୍କୁ ମୁଁ ସମଦୃଷ୍ଟିରେ ଦେଖୁଛି । ତେବେ ଆପଣ ମାନେ ମୋତେ ଦୟାକରି କହନ୍ତୁ ଆପଣମାନଙ୍କ ମଧ୍ୟରୁ ପ୍ରଥମେ ମୁଁ କାହାକୁ ବରଣ କରିବି । 

  ଏହାଶୁଣି ଋଷ୍ୟଶୃଙ୍ଗମୁନି ଦଶରଥଙ୍କୁ କହିଲେ- ମହର୍ଷି ବଶିଷ୍ଠ ହେଉଛନ୍ତି ମହାଜ୍ଞାନୀ । ସେ ହେଉଛନ୍ତି ସ୍ୱୟଂ ବ୍ରହ୍ମାଙ୍କ ପୁତ୍ର । ସେ ମଧ୍ୟ ତୁମ୍ଭର କୁଳପୁରୋହିତ ଅଟନ୍ତି । ଏଣୁ ପ୍ରଥମେ ମହର୍ଷି ବଶିଷ୍ଠଙ୍କୁ ବରଣ କରିବା ତୁମ ପକ୍ଷେ ଉଚିତ ହେବ । ଉପସ୍ଥିତ ସମସ୍ତ ଋଷି ଋଷ୍ୟଶୃଙ୍ଗଙ୍କ କଥାକୁ ପୂର୍ଣ୍ଣ ଭାବରେ ସମର୍ଥନ ଦେଲେ । ତହୁଁ ଦଶରଥ ମହର୍ଷି ବଶିଷ୍ଠଙ୍କ ପାଦରେ ଅର୍ଘ୍ୟ ଦେଇ ତାଙ୍କୁ ସର୍ବପ୍ରଥମେ ବରଣ କଲେ । ତତ୍ପରେ ଅନ୍ୟ ସମସ୍ତ ଋଷିମାନଙ୍କୁ ବରଣ କଲେ । ସେମାନଙ୍କୁ ବସ୍ତ୍ରାଦିରେ ମଣ୍ଡିତ କଲେ । ସବୁଋଷିଯାକ ଆନନ୍ଦିତ ହୋଇ ସମବେତ ଭାବରେ ବେଦ ଗାନ କଲେ । ଯଜ୍ଞ ପାଇଁ ଦଶରଥ ଏକସହସ୍ର ଭାଣ୍ଡ ଗବ୍ୟଘୃତ ଅଣାଇଲେ । ଉପସ୍ଥିତ ଋଷିମାନେ ଯଜ୍ଞପୂଜା ଆରମ୍ଭ କଲେ । ଯଜ୍ଞ ପାଇଁ ଯାହା ଯେତେବେଳେ ଆବଶ୍ୟକ ହେଉଥିଲା ଦଶରଥ ସେହି ମୁହୂର୍ତ୍ତରେ ସେସବୁ ଯୋଗେଇ ଦେଉଥିଲେ । ଯିଏ ଯେତେବେଳେ ପହଞ୍ଚୁଥିଲେ ସମସ୍ତଙ୍କର ଭୋଜନ ପାଇଁ ବ୍ୟବସ୍ଥା ହୋଇଥିଲା । ଵହୁଲୋକ ଆସି ଯଜ୍ଞଶାଳା ପାର୍ଶ୍ୱରେ ଭୋଜନକରି ଯାଉଥିଲେ । ମହର୍ଷି ଋଷ୍ୟଶୃଙ୍ଗଙ୍କ ପୌରୋହିତ୍ୟରେ ଦଶରଥଙ୍କ ପୁତ୍ରେଷ୍ଟିଯଜ୍ଞ ଏକବର୍ଷକାଳ ଚାଲିଲା । ଏହି ସମୟରେ ବ୍ରହ୍ମାଙ୍କ ସହିତ ଅନ୍ୟାନ୍ୟ ଦେବତାମାନେ କ୍ଷୀରସିନ୍ଧୁ ତଟକୁ ଯାଇ ନାରାୟଣଙ୍କୁ ବିକଳ ହୋଇ ପ୍ରାର୍ଥନା କରିଥିଲେ ରାବଣ ନିଧନ ସକାଶେ ରାଜା ଦଶରଥଙ୍କର ପୁତ୍ରରୂପେ ଜନ୍ମଲାଭ କରିବା ପାଇଁ । ନାରାୟଣ ସେମାନଙ୍କୁ ଦେଖାଦେଇ ଚତୁର୍ଦ୍ଧା ରୂପରେ ଦଶରଥଙ୍କ ପୁତ୍ରରୂପେ ଜନ୍ମଲାଭ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । 

  ଦଶରଥଙ୍କ ପୁତ୍ରେଷ୍ଟିଯଜ୍ଞ ଏକବର୍ଷ ପରେ ସମାପିତ ହୋଇଥିଲା । ଏହି ଯଜ୍ଞର ସମାପନ ପାଇଁ ଋଷିମାନେ ପୂର୍ଣ୍ଣାହୁତି ମନ୍ତ୍ର ପାଠ କରିଥିଲେ । ମହର୍ଷି ଋଷ୍ୟଶୃଙ୍ଗ ବେଦଶାସ୍ତ୍ର ନିୟମରେ ପୂର୍ଣ୍ଣାହୁତି ଦେଲେ । ଯଜ୍ଞ ଅଗ୍ନିର ଉତ୍ତୁଙ୍ଗ ଶିଖା ମଧ୍ୟରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମଧାରୀ ସ୍ୱୟଂ ନାରାୟଣ ମୃଦୁ ମୃଦୁ ହସି ଆର୍ବିଭୂତ ହେଲେ । ଅଗ୍ନି ମଧ୍ୟରେ ନାରାୟଣଙ୍କୁ ଦେଖି ମହର୍ଷି ଋଷ୍ୟଶୃଙ୍ଗ କୃତ୍ୟ କୃତ୍ୟ ହେଲେ ଓ ଦଶରଥଙ୍କୁ କହିଲେ ଯେ ନାରାୟଣ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରିଛନ୍ତି । ଏହାପରେ ମହର୍ଷି ଋଷ୍ୟଶୃଙ୍ଗ ଅଷ୍ଟାକ୍ଷର ମନ୍ତ୍ର ଜପକରି ବିଷ୍ଣୁ ପ୍ରୀତ୍ୟାର୍ଥେ ଯଜ୍ଞରେ ପୁଣି ଆହୁତି ଦେଲେ । ଅନ୍ଧମୁନି ଦଶରଥଙ୍କୁ ଦେଇଥିବା ଶ୍ରୀଫଳକୁ ଯଜ୍ଞ ମଧ୍ୟରେ ଥୋଇବା ମାତ୍ରେ ସେହି ଶ୍ରୀଫଳରେ ନାରାୟଣ ଅବସ୍ଥାନ କଲେ । ସେଥିରୁ ଚରୁ ଜାତ ହେଲା । ଋଷ୍ୟଶୃଙ୍ଗ ସୁବର୍ଣ୍ଣ ପାତ୍ରରେ ସେହି ଚରୁକୁ ଥୋଇ ଦଶରଥଙ୍କୁ ଅର୍ପଣ କଲେ ଓ ଚରୁକୁ ଖାଇବା ପାଇଁ ରାଣୀମାନଙ୍କୁ ଦେବା ସକାଶେ ଦଶରଥଙ୍କୁ ନିର୍ଦ୍ଦେଶ ଦେଲେ । ସେହି ଚରୁକୁ ଦୁଇଭାଗ କରି ଦଶରଥ ଗୋଟିଏ ଭାଗ କୌଶଲ୍ୟାଙ୍କୁ ଓ ଅନ୍ୟ ଭାଗଟିକି କୈକେୟୀଙ୍କୁ ଦେଲେ । ଚରୁ ନ ପାଇ ସୁମିତ୍ରା ମନଦୁଃଖରେ କୌଶଲ୍ୟାଙ୍କ ପାଖକୁ ଗଲେ । ସୁମିତ୍ରାଙ୍କ ପ୍ରତି ସହାନୁଭୂତି ଦେଖାଇ କୌଶଲ୍ୟା ନିଜ ଭାଗରୁ ଅଧେ ଚରୁ ସୁମିତ୍ରାଙ୍କୁ ଦେଲେ ଓ ସୁମିତ୍ରାଙ୍କୁ କହିଲେ - ସୁମିତ୍ରା, ଏହି ଚରୁରୁ ତୁମର ଯେଉଁ ପୁତ୍ର ଜାତ ହେବ ତାକୁ ମୋ ପୁତ୍ରର ଅନୁଗତ କରିବ । ସୁମିତ୍ରା ଏଥିରେ ହଁ ଭରିଲେ । ଏକଥା ଜାଣି କୈକେୟୀ ସୁମିତ୍ରାଙ୍କୁ ଡାକି ନିଜ ଭାଗରୁ ଅଧେ ଚରୁ ସୁମିତ୍ରାଙ୍କୁ ଦେଲେ ଓ ସୁମିତ୍ରାଙ୍କୁ କହିଲେ -ସୁମିତ୍ରା,ଏହି ଚରୁରୁ ଯେଉଁ ପୁତ୍ର ଜାତ ହେବ ତାକୁ ମୋ ପୁତ୍ରର ଅନୁଗତ କରିବ । ସୁମିତ୍ରା ଏଥିରେ ହଁ ଭରିଲା । ଚରୁ ଖାଇ ତିନି ରାଣୀ ଗର୍ଭବତୀ ହେଲେ । ସନ୍ତାନ ଜାତ ହେବାକୁ କିଛି ଦିନ ବାକି ଅଛି ନାରାୟଣ କୌଶଲ୍ୟାଙ୍କୁ ସ୍ୱପ୍ନରେ ଦେଖାଦେଇ କହିଲେ -ପୂର୍ବ ଜନ୍ମରେ ତୁମେ ମୋତେ ବହୁ ସେବା କରିଛ । ତେଣୁ ଅଳ୍ପଦିନ ମଧ୍ୟରେ ମୁଁ ତୁମର ପୁତ୍ରରୂପେ ଜନ୍ମ ଲାଭ କରିବି । ସେହି ସ୍ୱପ୍ନରେ ନାରାୟଣଙ୍କୁ କୌଶଲ୍ୟା ସ୍ନେହରେ କୋଳାଗ୍ରତ କଲେ । ଏହି ସମୟରେ କୌଶଲ୍ୟାଙ୍କ ନିଦ ଭାଙ୍ଗିଲା । ଏକଥା କୌଶଲ୍ୟା ଦଶରଥଙ୍କୁ ଜଣାଇବାରୁ ଦଶରଥଙ୍କ ମନରେ ପୁତ୍ର ଲାଭର ଆଶା ସଞ୍ଚାରିତ ହେଲା । ନିମନ୍ତ୍ରିତ ହୋଇଥିବା ରାଜାମାନଙ୍କୁ ଓ ମୁନିଋଷିମାନଙ୍କୁ ଦଶରଥ ସସମ୍ମାନରେ ବିଦାୟ ଦେଲେ । ଋଷ୍ୟଶୃଙ୍ଗ ଶାନ୍ତାଙ୍କୁ ସଙ୍ଗରେ ନେଇ ନିଜ ଆଶ୍ରମକୁ ଗମନକଲେ । 

  ବସନ୍ତଋତୁର ଶୁକ୍ଳପକ୍ଷ । ଏହି ସମୟରେ କୌଶଲ୍ୟାଙ୍କର ଗର୍ଭବେଦନା ଆରମ୍ଭ ହେଲା । ନବମୀ ତିଥିରେ କୌଶଲ୍ୟାଙ୍କ ଗର୍ଭରୁ ଦିବ୍ୟସୁନ୍ଦର ପୁତ୍ରଟିଏ ଜାତ ହେଲା । ସେହି ଶିଶୁପୁତ୍ରର ଶରୀରରେ କୋଟି ସୂର୍ଯ୍ୟର ଜ୍ୟୋତି । ନୀଳପଦ୍ମ ପରି ଦୁଇଟି ଆଖି । ନବଦୁର୍ବାଦଳ ପରି ଶ୍ୟାମଳ କାନ୍ତି । ଲୋହିତ ବର୍ଣ୍ଣର ଓଷ୍ଠ । ଆଜାନୁଲମ୍ବିତ ବାହୁ । ନଵପଲ୍ଲବ ପରି ପାଦ । ପୁତ୍ର ଜାତ ହୋଇଛି ବୋଲି ଦଶରଥ ବଡ଼ ଆନନ୍ଦରେ ଅନ୍ତୁଡିଶାଳକୁ ଆସିଲେ ଓ ନବଜାତ ଶିଶୁ ପୁତ୍ରକୁ ଦେଖି ତାଙ୍କର ବହୁଦିନର ଆକାଂକ୍ଷା ପୂର୍ଣ୍ଣ ହେଲା । ଏହାର ଅଳ୍ପ କେତୋଟି ଦିନପରେ କୈକେୟୀଙ୍କର ଗୋଟିଏ ପୁତ୍ର ଜାତ ହେଲା । କୈଶଲ୍ୟାଙ୍କ ପୁତ୍ରରୂପଠାରୁ କୈକେୟୀଙ୍କ ପୁତ୍ର ରୂପର ବିଶେଷ କିଛି ପାର୍ଥକ୍ୟ ନ ଥିଲା । ପରେ ପରେ ସୁମିତ୍ରା ଦୁଇଗୋଟି ଯାଆଁଳା ପୁଅ ଜାତ କଲେ । ତାଙ୍କର ବର୍ଣ୍ଣ ଥିଲା ଗୌରବର୍ଣ୍ଣ । ଦଶରଥ କୈକେୟୀଙ୍କ ପୁତ୍ର ଓ ସୁମିତ୍ରାଙ୍କ ଯମଜ ପୁତ୍ରକୁ ଦେଖି ଆନନ୍ଦିତ ହେଲେ । 

  ଦଶରଥଙ୍କର ପୁତ୍ର ଜାତ ହେବାରୁ ରାଜବାଟି ତଥା ଅଯୋଧ୍ୟା ସାରା ନାନା ଆନନ୍ଦ ଉତ୍ସବ ଲାଗିଗଲା । ଦଶରଥ ବହୁ ଦାନ ଧ୍ୟାନ କଲେ । ନବଜାତ ଶିଶୁମାନଙ୍କର ନାମକରଣ କରିବାକୁ ଦଶରଥ ମହର୍ଷି ବଶିଷ୍ଠଙ୍କୁ ଅନୁରୋଧ କଲେ । ମହର୍ଷି ବଶିଷ୍ଠ କହିଲେ--ରାଣୀ କୌଶଲ୍ୟାଙ୍କ ପୁତ୍ରଙ୍କ କମନୀୟ ରୂପ ସକାଶେ ଆମ୍ଭେ ତାଙ୍କୁ *ରାମ* ବୋଲି ନାମ ଦେଉଛୁ । ରାଣୀ କୈକେୟୀଙ୍କ ପୁତ୍ର ଧର୍ମନୀତି ଓ ରାଜ୍ୟ ପରିଚାଳନାରେ ଧୁରନ୍ଧର ହେବେ ବୋଲି ଜାଣି ଆମ୍ଭେ ତାଙ୍କୁ "ଭରତ"ବୋଲି ନାମ ଦେଉଛୁ । ରାଣୀ ସୁମିତ୍ରାଙ୍କ ଜ୍ୟେଷ୍ଠପୁତ୍ର ସର୍ବ ସୁଲକ୍ଷଣଯୁକ୍ତ ହୋଇଥିବାରୁ ଆମ୍ଭେ ତାଙ୍କୁ "ଲକ୍ଷ୍ମଣ"ବୋଲି ନାମ ଦେଉଛୁ । ରାଣୀ ସୁମିତ୍ରାଙ୍କର କନିଷ୍ଠପୁତ୍ର ଦୁଷ୍ଟ ଶତ୍ରୁମାନଙ୍କୁ ନାଶ କରିବେ ବୋଲି ଜାଣି ଆମ୍ଭେ ତାଙ୍କୁ "ଶତ୍ରୁଘ୍ନ" ବୋଲି ନାମ ଦେଉଛୁ । 

  ଦଶରଥଙ୍କର ଚାରିପୁତ୍ରଯାକ ଦିନକୁଦିନ ଚନ୍ଦ୍ରକଳା ପରି ବଢିବାରେ ଲାଗିଲେ । ନିଜର ଏହି ଚାରିପୁତ୍ରଙ୍କୁ ଦଶରଥ ଭାରି ସ୍ନେହ କରୁଥିଲେ । ମାତ୍ର ଦଶରଥ ସେମାନଙ୍କ ମଧ୍ୟରୁ ରାମଙ୍କୁ ସମସ୍ତଙ୍କଠାରୁ ବଳି ବେଶି ସ୍ନେହ କରୁଥିଲେ । ରାମଙ୍କୁ ସେ ନିଜ ଜୀବନ ବୋଲି ମନେ କରୁଥିଲେ । 


*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା,ଖଇରା,ବାଲେଶ୍ବର,ମୋ--୯୮୫୩୧୪୨୫୧୦*



Rate this content
Log in

More oriya story from Narendra Prasad Behera

Similar oriya story from Classics