ଦୃଢ ବିଶ୍ବାସ
ଦୃଢ ବିଶ୍ବାସ
ମୋର ତା ଉପରେ ଏମିତି ବିଶ୍ୱାସ ଆସିଗଲା ଯେ ମୁଁ ତାକୁ ମୋ ଜୀବନ ର ଏକ ଅଂଶ ବୋଲି ଗ୍ରହଣ କରି ନେଲି।ଧୀରେ ଧୀରେ ସିଏ ମୋର ସମଗ୍ର ସତ୍ତାକୁ ଆବୋରି ବସିଲା।ତାର ମୋର ସମ୍ପର୍କ କ୍ଷୀର ନୀର ପରି ଥିଲା ବୋଲି ମୁଁ ଭାବୁଥିଲି ।
ହେଲେ ସିଏ ମୋତେ ଆଉ ମୋ ସମ୍ପର୍କ ବିଷୟରେ କଣ ଭାବୁଥିଲା ଆଉ କେତେଦୂର ମୋତେ ଗ୍ରହଣ କରି ଥିଲା ମୋର ସେ ଚିନ୍ତା ନ ଥିଲା।
ତାକୁ ମୁଁ ଭେଟି ଥିଲି ଗୋଟିଏ ମେଳା ରେ।
ସହର ପାଖା ପାଖି ଗୋଟିଏ ଗାଁ ରେ ପ୍ରତି ବର୍ଷ ମେଳାହୁଏ।ଆଉ ମୁଁ ସେ ମେଳା କୁ ଅତି ଆଗ୍ରହରେ ଯାଏ, କିଛି କିଣା କିଣି କରେ।ଗାଁ ପିଲା ମାନଙ୍କ ସହିତ ଫଟ ଉଠାଏ,ସେମାନଙ୍କୁ ଆଇସକ୍ରିମ୍ କିଣି ଖାଇବାକୁ ଦିଏ।ସେତିକି ବେଳେ ଦେଖିଲି ଦୂର ରେ ଠିଆ ହୋଇ ସିଏ ମୋତେ ଏକା ଲୟରେ ଚାହିଁଛି।
ମୁଁ ଭାବିଲି ଆଇସକ୍ରିମ ଖାଇବା ପାଇଁ ବୋଧେ ସିଏ ଚାହୁଁଛି, ମୁଁ ତାକୁ ପାଖକୁ ଡାକିଲି।ସିଏ ବୋଧେ ଅପେକ୍ଷା କରି ଥିଲା ମୋ ଡାକିବାକୁ।ଶୀଘ୍ର ଶୀଘ୍ର ମୋ ପାଖକୁ ଆସି ଠିଆ ହେଲା।ମୁଁ ତା ହାତ କୁ ଆଇସକ୍ରିମ ବଢ଼ାଇ ଦେଲି ସିଏ ମନା କରିଦେଲା।
ମୁଁ କହିଲି ଆଉ କଣଖାଇବୁ??ସିଏ ପୁଣି ମନା କଲା।
ତା ପରେ କହିଲା,ମୋତେ ଟିକେ ସାହାଯ୍ୟ କରିବେ??
ମୁଁ କହିଲି କଣ କରିବି??
ମୁଁ ସହର ରେ ରହି ପଢିବାକୁ ଚାହୁଁଛି।କିନ୍ତୁ ମୋର କେହି ସହର ରେ ପରିଚିତ ଲୋକ ନାହାଁନ୍ତି।ତେଣୁ ମୋର ପାଠ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ଯାଇ ପାରୁନି।
ହେଲେ ତୁ ମୋତେ କାହିଁକି ଏକଥା କହୁଛୁ,ତୁ କଣ କେବେ ଆଗରୁ ଏଠି ମତେ ଦେଖିଥିଲୁ ।
ହଁ, ନାହିଁ ମାନେ ଆପଣଙ୍କୁ ଦେଖିଲା ଭଳି ଲାଗୁଛି, ଆଉ ମୁଁ ଭାବୁଛି ଆପଣ ମୋତେ ନିଶ୍ଚୟ ସାହାଯ୍ୟ କରିବେ।
ତୁ କୋଉ ଶ୍ରେଣୀ ରେ ପଢ଼ୁଛୁ??
ମୁଁ ସପ୍ତମ ପାସ୍ କରି ଅଷ୍ଟମ ଶ୍ରେଣୀ କୁ ଗଲି।
ଏଇ ଗାଁ ରେ ହାଇସ୍କୁଲ ନାହିଁ।ଦୂର ଗାଁ ରେ ଗୋଟିଏ ସ୍କୁଲ ଅଛି ସେଠି ପଢିଲେ ,ଚାଲିକିରି ଯିବାକୁ ପଡ଼ିବ
ସେ ଗାଁ ରେ ରହିବାକୁ ସୁବିଧା ନାହିଁ।
ଆପଣଙ୍କୁ ଦେଖି ମୋତେ ଲାଗିଲା, ଆପଣ ମୋତେ ନିଶ୍ଚୟ ସାହାଯ୍ୟ କରିବେ।
ଆଚ୍ଛା ତୁ ମୋ ବିଷୟରେ କିଛି ନ ଜାଣି ମୋ ସହିତ ଯିବାକୁ କେମିତି ଭାବୁଛୁ!!
ହଁ ମୁଁ କିଛି ଜାଣିନି, ତଥାପି ମୋର ଦୃଢ ବିଶ୍ବାସ ଆପଣଙ୍କ ସହିତ ମୁଁ ଗଲେ ନିଶ୍ଚୟ ମୋ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବି।ଆଚ୍ଛା ଏତେ ବିଶ୍ୱାସ ମୋ ଉପରେ!!!ହଁ, ଲୋକ ଙ୍କୁ ପରଖି ନେବା କଳା ମୋ ପାଖରେ ଅଛି।
ଆଚ୍ଛା ତୁମ ଘରେ ଆଉ କିଏ ଅଛନ୍ତି??, ଯାହାଙ୍କ ସହିତ କଥା ହୋଇ ପାରିବି।??ଆମ ଘର ଏଇ ପାଖରେ ଆସନ୍ତୁ,
ମୁଁ ତା ପଛେ ପଛେ ଚାଲିଲି ଗୋଟିଏ ଛୋଟ କୁଡିଆ ଘର ପାଖରେ ସିଏ ଅଟକି ଗଲା, ମୋତେ ତା ଭିତରକୁ ଡାକିଲା।ମୁଁ ତା ଭିତରକୁ ପଶିଗଲି, ଘର ଭିତରଟା ମାଟିରେ ଅତି ସୁନ୍ଦର ଭାବରେ ଲିପାପୋଛା ହୋଇଛି। ଗୋଟେ ପାଖରେକେତେ ଗୁଡିଏ ଝୁଡି ଥୁଆ ହୋଇଛି ଆଉ ଗୋଟେ ପଟେ ରୋଷେଇ କରିବା ସରଞ୍ଜାମ।ଗୋଟେ ଥାକରେ କିଛି ବହିପତ୍ର ମା ସରସ୍ୱତୀଙ୍କ ଫଟ ଆଉ ସାମାନ୍ୟ କିଛି ଲୁଗାପଟା ।
ମୁଁ ତାକୁ ପଚାରିଲି, ଘରେ ଆଉ କେହି ନାହାଁନ୍ତି କି??
ହଁ ବୋଉ ଏଇ ମେଳାରେ କାକୁଡି ବିକିବାକୁ ଯାଇଛି ଏବେ ଆସିବ ଟିକେ ଅପେକ୍ଷା କରନ୍ତୁ।ଟିକେ ପରେ ଜଣେ ସ୍ତ୍ରୀ ଲୋକ ଆସିଲେ, ସେ ତାଙ୍କୁ ମୋ ସହିତ ପରିଚିତ କରାଇଦେଲା
ଇଏ ମୋ ବୋଉ ,ବାପା କେବେଠାରୁ ମୃତ୍ୟୁ ବରଣ କରିଛନ୍ତି।ବୋଉ ପରିବା ବିକି ମୋତେ ପାଠ ପଢାଇଛି ମୋ ପାଠ ପଢା ବୋଧେ ଏଇଠି ବନ୍ଦ ହୋଇ ଯିବ ବୋଲି ମୁଁ ଭାବି ନେଇଥିଲି, ହେଲେ ଆପଣଙ୍କୁ ଦେଖି ମୋର ଆଶାର ସଞ୍ଚାର ହୋଇଛି।
ତାର ମା ଙ୍କୁ ମୁଁ ପଚାରିଲି ଇଏ ମୋ ସହିତ ସହର କୁ ଯାଇ ପଢିବାକୁ ଚାହୁଁଛି,ତମେ ରାଜି ତ।ତା ମା କହିଲେ ବାବୁ ପାଠ ରେ ତାର ଏତେ ଆଗ୍ରହ ହେଲେ ମୁଁ ଗରିବ ଲୋକ କୋଉଁଠି ତାକୁ ପଢ଼ାଇ ପାରିବି,ଏବେ ତ ପୁଣି ଏଠାରେ ଈସ୍କୁଲ୍ ନାହିଁ।ସିଏ ଆପଣଙ୍କୁ କେମିତି ଚିହ୍ନିଲା ମୁଁ ଜାଣିନି।କିନ୍ତୁ ଆପଣ ଆମ ପାଇଁ ଦେବତା।ସିଏ ସହର ରେ ଯାଇ ପଢିବ ଆଉ ମୁଁ ଏଇଠି ପରିବା ପତ୍ର ବିକ୍ରି କରି ତାକୁ ପଇସା ପଠେଇବି।ବାବୁ ତାକୁ ଟିକେ ନେଇଯାଅ ସାଥିରେ।
ସେଦିନ ସେ ତା ମାଆକୁ ଛାଡ଼ି ମୋ ସାଙ୍ଗରେ ସହରକୁ
ଚାଲି ଆସିଲା। ମୁଁ ତାକୁ ବାଟରେ ପଚାରିଲିଆଚ୍ଛା ତୋ ନାଁ କଣ କହିଲୁ ?? "ସିଏ କହିଲା ମୋ ନାଁ ପ୍ରଦୀପ"
ତୁ ମୋତେ ଯେଉଁ କହିଲୁ ,ମୁଁ ପାଠ ପଢି ମୋଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବାକୁ ଚାହୁଁଛି,ସେଇ ଲକ୍ଷ୍ୟ ଟା କଣ ମୁଁ ଜାଣି ବାକୁ ଚାହୁଁଛି ।ହେଲେ ବାଧ୍ୟ କରିବିନି।ସମୟ ଆସିଲେ ମୁଁ ଆପଣଙ୍କୁ ନିଶ୍ଚୟ କହିବି।ପ୍ରଦୀପ କହିଲା ଏବଂ ମୋତେ କ୍ଷମା ମାଗିଲା।
ଏ ଭିତରେ ଆମେ ଘରେ ପହଞ୍ଚି ସାରିଥିଲୁ।
ମୋର ଏ ଦୁନିଆଁ ରେ କେହି ନଥିଲେ କେବଳ ଗୋପାଳ କାକା ଛଡ଼ା, ଯିଏ ମୋର ବାପା ମା ସବୁକିଛି। ସେଇଦିନ ଠାରୁ ସିଏ ମଧ୍ୟ ଜଣେ ମୋ ପରିବାର ର ସଦସ୍ୟ ହୋଇଗଲା।
ଗୋପାଳ କାକାଙ୍କୁ ଡାକି କହିଲି, କାକା ଇଏ ଆଜି ଠାରୁ ଏଇଠି ରହିପାଠ ପଢିବ।ଗୋପାଳ କାକା କହିଲେ ଆଚ୍ଛା, ଭଲ ହେଲା ଏତେ ଦିନ ପରେ ଏ ଘରେ ଜଣେ ସଦସ୍ୟ ତ ବଢିଲା, ମୁଁ କିନ୍ତୁ ଜାଣିଲି କାକା ଙ୍କର ଏଇଟା ମୋ ପାଇଁ ତାତ୍ସଲ୍ୟ ଥିଲା।
ତର ତର ରେ ଉପରକୁ ଯାଉ ଯାଉ ପଚାରିଲି କାକା ଆଜି କଣ ରୋଷେଇ କରିଛ ??
କାକା ଭାରି ଅଭିମାନ କରନ୍ତି ମୋ ଉପରେ ,ମୁଁ ବାହା ହେଉନି ବୋଲି ।ଅନେକ ଥର ଅନେକ ପ୍ରସ୍ତାବ ମୋ ପାଇଁ ବୁଝିଛନ୍ତି ହେଲେ ମୁଁ ରାଜି ହୁଏନି, ସବୁ ପ୍ରସ୍ତାବ ଭାଙ୍ଗି ଦିଏ, ସବୁ ଥିରୁ ଜାଣି ଜାଣି ଖୁଣ କାଢେ।
ନିରାଶ ହୁଅନ୍ତି ପ୍ରତିଥର କାକା, କାହିଁକି ଏମିତି କରୁଛି ପ୍ରଶ୍ନ କରନ୍ତି ମୋତେ, କିଛି କହେନି ତାଙ୍କୁ, ହେଲେ ମନ ମୋର ମରି ଯାଇଛି କେବେ ଠାରୁ.......
ତା ପରଦିନ ମୁଁ ତାକୁ ନେଇ ପାଖ ସ୍କୁଲ କୁ ଗଲି ଏବଂ ତାର ନାଁ ଲେଖେଇ ଦେଲି।ସେଦିନ ତାର ମାର୍କଲିଷ୍ଟଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ।ସବୁ ବିଷୟରେ ନବେ ଉପରକୁ, କେତେ କଷ୍ଟ କରି ପାଠ ପଢୁଛି ।ଅଥଚ କେତେ ଭଲ ନମ୍ବର୍ ରଖିଛି।
ଏଇ ମାର୍କ ଲିଷ୍ଟ ଦେଖି ସ୍କୁଲ ର ହେଡସାର୍ ତାକୁ ବିନା କିଛି ପ୍ରଶ୍ନରେ ଆଡମିସନ କରିଦେଲେ।ସ୍କୁଲରୁ ଫେରିଲା ବେଳେ ଟିକେ ମାର୍କେଟ ଆଡେ ବୁଲି ଆସିବା କହି ତାକୁ ସଙ୍ଗରେ ନେଇ ଗଲି।
ସ୍କୁଲ ଡ୍ରେସ ସହିତ ଆଉ ଦୁଇ ତିନି ହଳ ଡ୍ରେସ ଚପଲ ଏବଂ ବହି ଖାତା ସବୁ କିଣି ଆଣିଲି, ଏଗୁଡ଼ିକୁ ଦେଖି
ସିଏ ଖୁସି ହେବା ପରିବର୍ତ୍ତେ ମୁହଁକୁ ଥମ୍ ଥମ୍ କରି କହିଲା ନା ବାବୁ ମୋର ଏ ସବୁ ଦରକାର ନାହିଁ।ମୁଁ ଖାଲି ଏଠି ପଢିବା ପାଇଁ ଚାହେଁ, ଏତେ ସବୁ କରିବା ଠିକ୍ ନୁହେଁ, ମା ତ କହିଥିଲା ଦିନେ ଦୁଇ ଦିନ ଭିତରେ ଆସିବ ଆସିଲେ ମୁଁ ବହି ପତ୍ର କିଣିଥାନ୍ତି।
ହଉ ଦେଖିବା ଆଗ ଘରକୁ ଚାଲ।ମୁଁ ସେଦିନ ଠିକ୍ ଅନୁଭବ କରିଥିଲି ସିଏ ଭାରି ସ୍ୱାଭିମାନୀ, ତେଣୁ ସେବେଠାରୁ ସିଏ ଯେତିକି ମୋ ଠାରୁ ସାହାଯ୍ୟ ଚାହେଁ, ମୁଁ ସେତିକି କରେ, ବାସ୍ ଆଉ ଅଧିକା କରି ତା ନିଜ ପାଖରେ ତାକୁ ନୀଚ୍ଚ ହେବା କୁ ଦେଇନି
ସେଦିନ ସ୍କୁଲ ଆଡମିଶନ ଖୁସିରେ ସିଏ ଗୋପାଳ କାକା ସହିତ ମିଶି ରୋଷେଇ ଘରେ କିଛି କରୁଥାଏ।ମୁଁ ତାକୁ ପାଖକୁ ଡାକିଲି ,କହିଲି ତୁ ଏ କାମ କାହିଁକି କରୁଛୁ??
"ତୁ ଯା ତୋ ପାଠ ପଢ଼।"
ସିଏ ହସି ହସି କହିଲା ମୋତେ ଏ ସବୁ କରିବାକୁ ଭଲ ଲାଗେ।
ରାତି ରେ ଆମେ ସାଙ୍ଗ ହୋଇ ବସି ଖାଉ, ଦିନ ବେଳା ମୁଁ ଅଫିସ ରେ ଲଞ୍ଚ କରେ, ଆଉ ସିଏ ଦଶଟା ସୁଦ୍ଧା ପଖାଳ ଖାଇ ଯାଏ ସ୍କୁଲ ତେଣୁ ରାତିରେ ଆମେ ସମସ୍ତେ ଏକାଠି ହୋଇଥାଉ।
-ପାଞ୍ଚ ଛଅ ଦିନପରେ ତା ମା, ମୁଁ ଦେଇଥିବା ଠିକଣା ଖୋଜି ଖୋଜି ଆସି ଆମ ଘରଠି ପହଞ୍ଚିଲା।ରବିବାର ହେତୁ ପ୍ରଦୀପ ଆଉ ମୁଁ ଘରେ ଥାଉ।ତା ମା ସହିତ ବହୁତ ଖୁସିରେ କଥା ହେଲା, ଗୋପାଳ କାକା କହିଲେ ମାଆକୁ ଡାକ୍ ଖାଇ ଦେଇ ଯିବ, ସିଏ ମନାକଲା କହିଲା ମା ଘରୁ ଖାଇ ଆସିଛି।ମୁଁ ଯାଇ ତା ମା ସହିତ କଥା ହେଲି ବ୍ୟସ୍ତ ହୋଇ ସବୁ ବେଳେ ଆସିବା କିଛି ଆବଶ୍ୟକ ନାହିଁ ବୋଲି ବୁଝାଇ କହିଲି।
ପ୍ରଦୀପ ତା ମା ସହିତ କଥା ହେବାର ଦେଖି ମୋ ଆଖି ଲୁହରେ ଛଳ ଛଳ ହୋଇଗଲା ।ମୋ ମା କିନ୍ତୁ ଏମିତି ମମତାମୟୀ ନ ଥିଲା,ଥିଲେ କଣ ମୋତେ ଏକା ବାପାଙ୍କ ପାଖରେ ଛାଡ଼ି ଚାଲିଯାଇଥାନ୍ତା ।ଦୀର୍ଘ ନିଶ୍ୱାସ ଟିଏ ଅନ୍ତର ଥରାଇ ବାହାରି ଗଲା ଯେମିତି।କାହିଁକି ମନେ ପଡୁଛି ଆଜି ମା କଥା ବେଶି ବେଶି।
କଣ ତାର ଦୋଷ ଥିଲା ମା ଜନ୍ମ କରି ଛାଡ଼ି ଚାଲିଗଲା ବାପା ତାକୁ ଜୀବନ ଠାରୁ ଅଧିକ ଭଲ ପାଉଥିଲେ ଯେ ଭଗବାନ ତାଙ୍କୁ ନେଇଗଲେ ତାଙ୍କ ପାଖକୁ।ସିଏ ଏକା ରହିଗଲା ଅଭିଶପ୍ତ ହୋଇ ବଞ୍ଚିବା ପାଇଁ।ଅଚଳାଚଳ ସମ୍ପତ୍ତି ଅଛି ଆଉ ଗୋପାଳ କାକା ଙ୍କୁ ବାପା ଗଲାବେଳେ ତାକୁ ଦେଇ ଯାଇଛନ୍ତି ବୋଲି ବଞ୍ଚିଛି ସିଏ।ନ ହେଲେ କେବେ ଠାରୁ ମରିସାରନ୍ତାଣି ।ମାଆ ର ବିଶ୍ୱାସ ଘାତକକତା ଯୋଗୁଁ ତାଙ୍କ ପରିବାର ଆଜି ଛାରଖାର ।ଏଇ ଘଟଣା ତା ମନ ରେ ନାରୀ ମାନଙ୍କ ପ୍ରତି ଅସୂୟାଭାଵ ସୃଷ୍ଟି କରିଛି ସେଥି ପାଇଁ ସାରା ଜୀବନ ଏକା ରହିଵ ପଛେ ଆଉ ବିବାହ ନ କରିବାର ପ୍ରତିଜ୍ଞା ନେଇ ସାରିଛି।
--ଗୋପାଳ କାକା କିନ୍ତୁ ଚାହୁଁଛନ୍ତି ବୟସ ହେଲାଣି କେତେବେଳେ କେଉଁ କଥା ମୋର ଯଦି କିଛି ହୋଇ ଯାଏ ତ ତୁମ ପାଖରେ କେହି ନ ଥିବେ।
ମୁଁ କୁହେ "ନା ଗୋପାଳ କାକା ତମର କିଛି ହବନି।
ତମ ବିନା ମୋର ଅସ୍ତୀତ୍ୱ କଣଅଛି, ଯିବା ଯଦି ଏ ଦୁନିଆଁ ରୁ ସାଙ୍ଗ ହୋଇ ଯିବା।"
ଗୋପାଳ କାକା ଛଳ ଛଳ ଆଖିରେ ମୋତେ ଧମକ ଦିଅନ୍ତି ଏମିତି ଆଉ ଦିନେ କହିବନି ସାନବାବୁ।ମୋ ଆୟୁଷ ତୁମକୁ ଲାଗିଯାଉ ।
--ମୋ କାମ ଶେଷ,ଏଥର ଗୋପାଳ କାକାଙ୍କ ପାଟି ବନ୍ଦ
ଆଉ କେତେଦିନ ସେଇ କଥା ଉଠେଇବେନି।
ପ୍ରଦୀପ ମେଟ୍ରିକ ପରୀକ୍ଷାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ରେ ରହି ଉତ୍ତୀର୍ଣ୍ଣ ହୋଇଛି, ବାରମ୍ବାର ରେଡିଓ ଟିଭି ନିଉଜ ରେ ତାର ନାଁ ଘୋଷିତ ହେଉଛି।
ମୁଁ ସେଦିନ ଖୁସି ରେ ଆତ୍ମହରା ହୋଇ ଯାଇଥିଲି।ଗୋପାଳ କାକା ମଧ୍ୟ ଆନନ୍ଦ ରେ ଗଦ୍ଗଦ ହୋଇ ମୋତେ କହିଲେ ପ୍ରଦୀପ ଟା ଆମର ହୀରା ଟିଏ।ଆଉ ସାନ ବାବୁ ସେଇ ହୀରାକୁ ତମେ ତରାସୀଛ ହେଲେ ବାବୁ ତମ ଅସମୟରେ ସିଏ କଣ ତୁମ ପାଖରେ ଠିଆ ହେବ ପକ୍ଷୀ ର ଡେଣା କଅଁଳିଲେ ପରା ସିଏ ଆକାଶ ଖେଦି ଯାଏ ଆଉ କଣ ସହଜେ ଧରା ଦିଏ।ମୁଁ ଗୋପାଳ କାକା ଙ୍କୁ ବୁଝାଏ, ନା କାକା ସେମିତି ଆଶା ମୁଁ କରିନି ପ୍ରଦୀପ ପାଖରୁ ।ସିଏ ଯେମିତି ପିଲା ଯେଉଁଠି ରହିବ ସେଠି ସିଏ ପଦ୍ମ ହୋଇ ଫୁଟିବନିଶ୍ଚିତ।
କାରଣ ଭଗବାନ ମୋତେ ସ୍ୱଚ୍ଛଳ କରିଛନ୍ତି, ମୁଁ ଏଇ ସମ୍ପତି ନିଜ ରୋଜଗାର ରେ କରିନି, ଏଗୁଡିକ ଯଦି ଅନ୍ୟର କାମରେ ଆସିଲା ତେବେ ମୁଁ ମୋ ନିଜର ସୌଭାଗ୍ୟ ବୋଲି ଗ୍ରହଣ କରି ନେବି।ଏଇ ସମୟରେ ପ୍ରଦୀପ ର ସ୍କୁଲ ରୁ ଟିଭି ରେ ସିଧା ପ୍ରସାରଣ ଦେଲା, ତାକୁ ଜଣେ ସାମ୍ବାଦିକ ପଚାରିଲେ ତୁମର ଏଇ
ସଫଳତାର ଶ୍ରେୟ କାହାକୁ ଦେବାକୁ ଚାହୁଁଛ ??
ସାଙ୍ଗେ ସାଙ୍ଗେ ସେ କହିଲା ପ୍ରଥମେ ମୋ ମା ଏବଂ ଦ୍ୱିତୀୟ ରେ ଏମିତି ଜଣେ ଦେବତା ଯିଏ ମୋ ଜୀବନର
ରାସ୍ତାକୁ ମୋ ଲକ୍ଷ୍ୟସ୍ଥଳର ନିକଟଵର୍ତ୍ତି କରିଦେଲେ
ତାଙ୍କ ନାଁ ହେଲା ଚୌଧୁରୀ ସମ୍ବିତ୍ ସାମନ୍ତରାଏ।
ଏ ସହରର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି, ଲୋକ ମାନଙ୍କର ସେବା ଓ ସହଯୋଗ ପାଇଁ ସେ ଅନେକ କିଛି କରିଛନ୍ତି।ତାଙ୍କୁ ମୋର ଶତକୋଟି ପ୍ରଣାମ।
ତୁମ ଜୀବନର ଲକ୍ଷ୍ୟ କଣ ???
ମୁଁ କହି ପାରିବିନି, ଭବିଷ୍ୟତ ରେ କଣହେବ ଏବେଠାରୁ
କହିବା ଠିକ୍ ହେବ ନାହିଁ।କିନ୍ତୁ ଏତିକି କହି ପାରିବି ମୁଁ ଦେଶ ପାଇଁ କିଛି କରିବାକୁ ଚେଷ୍ଟା କରିବି।
ତାଳିରେ ଲୋକ ମାନେ ତା କଥାକୁ ସମର୍ଥନ କଲେ।
ଘରକୁ ଆସି ଗୋପାଳ କାକା ଆଉ ମୋର ପାଦ ଛୁଇଁ
କହିଲା ମୋତେ ଆଶୀର୍ବାଦ ଦିଅନ୍ତୁ ମୁଁ ମୋ ଲକ୍ଷ୍ୟ ସ୍ଥଳ ରେ ନିର୍ଦ୍ବନ୍ଦରେ ପହଞ୍ଚି ପାରିବି।
ମୁଁ ତାକୁ ମୋ ଛାତିରେ ଲଗାଇ ନେଲି।ମୋତେ ଲାଗିଲା
ଯେମିତି ଅନେକ ଦିନର ସ୍ବପ୍ନ ମୋର କେହି ଜଣେ ନିଜ ଲୋକ ପୂରଣ କରିଛି।
ମୁଁ ତାକୁ ଉଚ୍ଚଶିକ୍ଷା ପାଇଁ ଓଡିଶା ବାହାରକୁ ଯିବା ପାଇଁ ପରାମର୍ଶ ଦେଲି, ସେ କିନ୍ତୁ ଅତି ନମ୍ରତା ର ସହ ମନା କଲା ନା ବାବୁ ମୁଁ ଏଇଠି ପଢିବି ବାହାରକୁ ଯିବି ନାହିଁ।ମୁଁ ମଧ୍ୟ ବାଧ୍ୟ କଲି ନାହିଁ, କାରଣ ସିଏ ଯେଉଁଠି ପଢୁ ଯାହା ବି ପଢୁ ନିଶ୍ଚୟ ଭଲ କରିବ।
ପାଠ ପଢିବା ଭିତରେ ଗୋପାଳ କାକା ଙ୍କୁ ସାହାଯ୍ୟ କରିବା ତାର ନିତି ଦିନିଆଁ କାମ ହୋଇ ଯାଇଥିଲା।
ଆଉ ଗୋପାଳ କାକା ମୋର ଯାହା ଯେମିତି କରୁଥିଲେ
ସେଗୁଡିକ ସିଏ କରିବାକୁ ଲାଗିଲା।ଧୀରେ ଧୀରେ ତାର ମୋର ସମ୍ପର୍କ ଅତି ନିକଟ ତର ହୋଇ ଯାଇଥିଲା।
ମୋର ସେବା କରିବାଠାରୁ ଆରମ୍ଭକରି ମୋର ଅଫିସିଆଲି କାମରେ ମଧ୍ୟ ସାହାଯ୍ୟ କରିଦିଏ।ବେଳେ ବେଳେ କିଛି ସମସ୍ୟା ଉପରେ ଭଲ ଆଉ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବାକୁ ତା ଠାରୁ ମୁଁ ଶିଖି ନିଏ।
ଦିନେ ସମସ୍ତ ଙ୍କୁ ଚମତକୃତ କରି
ପ୍ରଦୀପ କୁମାର ବେହେରା ହୋଇ ଯାଇଥିଲା .....
ଆଇ. ଏ .ଏସ. ପ୍ରଦୀପ କୁମାର।
ଅନେକ ସଂଘର୍ଷ ଆଉ ପରିଶ୍ରମର ଫଳ ସ୍ୱରୂପ ତାକୁ ଭଗବାନ ତାର ଲକ୍ଷ୍ୟ ପ୍ରାପ୍ତି କରେଇ ପ୍ରମାଣ କରିଦେଇଥିଲେ ଦୃଢ ବିଶ୍ବାସ ମଣିଷକୁ ତାର ଲକ୍ଷ୍ୟ ରେ ପହଞ୍ଚାଇ ଦିଏ।
ଶେଷ ଜୀବନ ରେ ସିଏ ମୋର ସାହାରା ହୋଇଥିଲା।କେହି କହି ପାରିବେନି ସେ ମୋର ପୁଅ ଥିଲା ନା ପୁଅ ଠାରୁ ଅଧିକ ଥିଲା।।
ସମାପ୍ତ