ଦୃଢ ବିଶ୍ୱାସ
ଦୃଢ ବିଶ୍ୱାସ
"କାହାଣୀ"...... କାହାଣୀ ଟିଏ କାହା ମନର ଭାବନା ଅଥବା ଅଙ୍ଗେ ଲିଭେଇଥିବା ଘଟଣା ହୋଇଥାଏ । ମତେ ଲାଗେ ସମସ୍ତଙ୍କ ଜୀବନ ଯେପରି ଗୋଟେ ଗୋଟେ କାହାଣୀ । ସେ କାହାଣୀ... ଦୁଃଖ, ହସ, ପ୍ରେମ ଅଥବା ଆଉ କିଛି ଘଟଣାକୁ ନେଇ ସୃଷ୍ଟି ହୋଇଥାଏ । କିଏ ହାରିଯାଏ ତ କିଏ ଜିତିଯାଏ । ମୋର ଏ କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ । ଆଶାକରେ ଆପଣଂକୁ ଭଲ ଲାଗିବ ।
କେନ୍ଦୁଝର ଜିଲ୍ଲାର ଗୋଟେ ଛୋଟ ଗାଁ, ନାଆଁ ଟି ହେଉଛି " ବାଲିପର୍ବତ " । ଆଧୁନିକ ସଭ୍ୟତା ଠାରୁ ଢ଼େରେ ପଛରେ । ଗାଁର ଜମିଦାରବାବୁ 'ବ୍ରଜକିଶୋର' । (ଜମିଦାରୀ ପ୍ରଥା ସିନା ଆଉ ନାହିଁ , କିନ୍ତୁ ବାପା /ଜେଜ ଙ୍କ ଦୟାରୁ ଜମିଦାର ନାଆଁଟି ଅଛି । ) ଧାନ ମାଣ୍ଡିଆ ରେ ଘର ସବୁବେଳେ ଭରିଥାଏ । ଗାଁର ଅନ୍ୟ ଲୋକମାନଙ୍କ ତୁଳନାରେ ବଡଲୋକ । ଜମିଦାର ପ୍ରଥମ ବିବାହ ଅଠର ବର୍ଷରୁ କରିଥିଲେ ଜଣେ ନାବାଳିକାକୁ , ଦୁଇଟି ସନ୍ତାନ ଜନ୍ମ ଦେବାପରେ ଆରପାରିକୁ ଚାଲିଗଲେ ପ୍ରଥମ ସ୍ତ୍ରୀ । ତେଇଶି ବର୍ଷରେ ଦ୍ୱିତୀୟ ବିବାହ କଲେ ଅନ୍ୟ ଏକ ନାବାଳିକାକୁ ସେବି ରୋଗରେ ପଡ଼ି ମୃତୁବରଣ କଲେ । ତୃତୀୟ ବିବାହ ଚଉଦ ବର୍ଷର 'କମଳା' ସହ ହେଲା, ସେତବେଳେ ଜମିଦାରଙ୍କ ବୟସ ବତିଶବର୍ଷ ହୋଇଥିଲା । କୁହାଯାଏ 'ପୁରୁଷ ପୁଅର ବୟସ ଦେଖା ଯାଏନି '......ଏପରି ଭାବୁଥିବ ଅଶିକ୍ଷିତ, ଅନ୍ଧବିଶ୍ବସୀ ଓ ଗରିବ ବାପା,ମା ନିଜର କୋମଳମତି ଝିଅ ମାନଙ୍କୁ ବ୍ରଜକିଶୋର ଭଳି ଅଧିକ ବୟସର ଲୋକଙ୍କ ସହ ବିବାହ ଦେଇଥିଲେ । ସେମାନଙ୍କ ଭାବନାରେ ଜମିଦାର କୁ ବିବାହ କଲେ ଝିଅ ଖାଇବା ନାଇବାରେ ଅଭାବ ରହିବନି ।
ବାଲିପର୍ବତ ଗାଁରେ କେଉଁ ଆବହମାନକାଳ ରୁ ମାଘ ପୁର୍ଣିମାରେ ମେଳା ଲାଗିଆସୁଛି । ମେଳାର ଗୋଟେ ସ୍ୱତନ୍ତ୍ର ପ୍ରଥା ରହିଛି ......"କୌଣସି ପୁଅ ଯଦି ଝିଅ ମୁଣ୍ଡରେ ସିନ୍ଦୁର ପିନ୍ଧାଇ ଦିଏ, ତାହେଲେ ସେମାନେ ସବୁଦିନ ପାଇଁ ସ୍ୱାମୀ ସ୍ତ୍ରୀ ହୋଇଯାନ୍ତି", ଏହା କେବଳ ସେଇ ମେଳାରେ ବର୍ଷକୁ ଗୋଟେ ଦିନ ହୋଇଥାଏ ।
ସେଇ ଗାଁର ଝିଅ କେଶରୀ, ବୟସ ମାତ୍ର ବାରବର୍ଷ । ପ୍ରିୟ ସାଙ୍ଗ ରେବତୀ ସହ ଚପଳମତି କେଶରୀ ଗାଁସାରା ଘୁରିବୁଲୁଥାଏ । କେଶରୀ ମା 'କୁନ୍ତୀ ବିଲରେ କାମ କରେ, ଓ ତା ଭାଇ କେଶବ କାଠକାମ କରି ପେଟ ପୋଷନ୍ତି । କେବେ କେବେ ମା 'କୁ ସାହାଯ୍ୟ କରିବାକୁ କେଶରୀ ବିଲକୁ ମଧ୍ୟ ଯାଏ ।
ସେଦିନ ଘରେ ତେଲ ସରିଯାଇଥାଏ ।
କୁନ୍ତୀ......... " କେଶରୀ, ଏ ଯାଗା ନେଇ ଯାଅ ।ଦୋକାନରୁ ତେଲ ନେଇ ଆସିବୁ " ।
କେଶରୀ........ "ମା ' ଖାଲି ଯାଗା କଣ ପଇସା ଦେ ?
କୁନ୍ତୀ.......... " ଯାଅ ଭାଇଠାରୁ ପଇସା ନେଇ ଯିବୁ, ଜଲ୍ଦି ଆସିବୁ । ଆଣିଲେ ରୋଷେଇ କରିବି ।
କେଶରୀ.......... "ହଁ, ଏଇ ଗଲି ଆଉ ଆସିଲି
କେଶରୀ ଦୌଡ଼ି ଦୌଡ଼ି ଭାଇ ପାଖରୁ ଦଶଟଙ୍କା ହାତରେ ଧରି ଦୋକାନ ଅଭିମୂଖେ ଚାଲିଲା । କିଛି ବାଟ ଗଲା ପରେ ଦେଖିଲା ଗୋଟେ ରିକ୍ ସା ରେ ପ୍ରଚାର ଚାଲିଛି, ଗାଁର ଅଧିକାଂଶ ପିଲା ତା ପଛରେ ଗୋଡାଇଛନ୍ତି । କେଶରୀ ଦୋକାନ ଯିବା କଥା ଭୁଲିଗଲା । ସେବି ରିକ୍ ସା ପଛରେ ଚାଲିଲା, ଓ ଜାଣିବାକୁ ପାଇଲା ଆସନ୍ତାକଲି ମେଳା ଲାଗିବ, ସେ ମେଳାରେ ଓଡ଼ିଆ ଚଳଚିତ୍ର ପଡିବ । କେଶରୀ ମନେମନେ ଖୁବ୍ ଖୁସି ହୋଇଗଲା, ଏ କଥାଟା ରେବତୀ କୁ ଜଣାଇବାକୁ ପଡିବ, ଦୌଡିଲା ତା ପାଖକୁ । ମେଳାରେ ଅନେକ ଜିନିଷ ବିକ୍ରି ହୁଏ, କିନ୍ତୁ ଚଳଚିତ୍ର ପଡିବା ଏଥର ପ୍ରଥମ ଥିଲା ।
କେଶରୀ........ " ରେବତୀ, ଏ ରେବତୀ ......
ରେବତୀ........ " ତୁ ଯାଅ ମୋର କାମ ଅଛି, ମୁଁ ତୋ ସାଙ୍ଗରେ ଏବେ ଆସିପାରିବିନି, ଚୁଲି ଲଗେଇଛି
କେଶରୀ........ " ମୁଁ ତତେ କୁଆଡେ ଯିବାକୁ କହୁନି, ତତେ ଗୋଟେ କଥା କହିବାକୁ ଆସିଛି । କାଲି ମେଳା ଲାଗୁଛି । ଓଡ଼ିଆ ଚଳଚିତ୍ର ପଡିବ, .... କାଲି ଯିବା ? ।
ରେବତୀ........ "(ହସିଦେଇ ) ସତରେ, ହଁ... ହଁ ଯିବା " ।
କେଶରୀ......... ଠିକୀ ଅଛି, କାଲି ଖରାବେଳକୁ ଯିବା, ମୁଁ ଆସି ତତେ ଡାକିବି । ତୁ ସବୁ କାମ ସାରି ଦେଇଥିବୁ । ମଜା ହେବ ।
ରେବତୀ....... " ତୁ ଏ ଯାଗା ଧରି କୁଆଡେ ଯାଉଛୁ ? ।
କେଶରୀ (ହାତରେ ମୁଣ୍ଡକୁ ବାଡେଇ )......" ହେ ମହାପୁରୁ , ମୁଁ ଦୋକାନ ଯିବି । ଆଜି ମା ରଖିବାନି । ଉଛୁର ହେଲାଣି ଯାଉଛି
କେଶରୀ ତେଲ ନେଇ ଘରେ ପହଂଚିଲା ପରେ ମା ଠାରୁ ଗାଲ ଚିପା ଖାଇ ମୁହଁ ଫୁଲେଇ ଦାଣ୍ଡରେ ବସି ରହିଲା ।
କେଶରୀ ବାହାରିଲା ମେଳା ଦେଖି, ବାକ୍ସ ଭିତରୁ ନୂଆ ଫ୍ରକଟି ବାହାର କରି ପିନ୍ଧି ଘେରାଏ ବୁଲିଗଲା । ଛୋଟ ଦର୍ପଣ ଦେଖି ଚୁଟିରେ ପୋଷେ ତେଲ ଢାଳି ଅଲରା ବାଳକୁ ସଜାଡି ରିବନ ଭିଡି ଦେଲା । ସଜବଜା ସରିଲା ପରେ ଚାଲିଲା ଭାଇ ପାଖକୁ ।
କେଶରୀ........" ଭାଇ, ପଇସା ଦେ ମେଳା ଦେଖିବାକୁ ଯିବି " ।
କେଶବ........ " କୁଆଡେ ବାହାରିଲୁ ସଜେଇ ହୋଇ ?"।
କେଶରୀ........ " ମେଳା ପଡିଛି, ଚଳଚିତ୍ର ବି ପଡିଛି ।, ସମସ୍ତେ ଯାଉଛନ୍ତି । ରେବତୀ ବି ଯିବ । ତୁ ପଇସା ଦେ..
କେଶବ ପାଞ୍ଚଟଙ୍କା ଟି ଧରାଇ ଦେଲା କେଶରୀଙ୍କୁ । କେଶରୀ ଖୁସିରେ ଦୌଡ଼ି ଯାଇଁ ମା କୁ ଦେଖାଇଲା ।
କୁନ୍ତୀ......... " ଯାଆ, ଉଛୁର କରିବୁନି । ଝଅଟି ପଳେଇ ଆସିବୁ " ।
କେଶରୀ ସୁନାପିଲାଟି ପରି ମୁଣ୍ଡ ହଲାଇ ଚାଲିଲା ରେବତୀ ପାଖକୁ ।
ମେଳା ରେ ଭିଡ ଜୋର । କେଶରୀ ଓ ରେବତୀ ଟିକେ ବୁଲା ବୁଲି କରି ହାତରେ ମଟରଭଜା ଧରି ବସିଗଲେ ଚଳଚିତ୍ର ଦେଖିବାକୁ । ଚଳଚିତ୍ର ନାମ ଥିଲା "ବିଶ୍ବପ୍ରକାଶ" । କେଶରୀ ପ୍ରଥମ କରି ଦେଖୁଛି ପରଦାକୁ । ତାକୁ ଭରି ଭଲ ଲାଗୁଥାଏ । ମଜି ଯାଇଥାନ୍ତି କେଶରୀ ଓ ରେବତୀ ।
କେଶରୀ ଅନୁଭବ କଲା ତା ମୁଣ୍ଡ ଉପରେ କଣ ପଡିଗଲା । ସେ ହାତ ନେଇ ଝାଡ଼ିଦେଲା, ହାତା ସାରା ଏ କଣ ଲାଗିଗଲା ? ସିନ୍ଦୁର !!!, କୁଆଡୁ ଆସିଲା ??? ଭାବି ମୁଣ୍ଡ ଟେକି ଚାହିଁଲା କେଶରୀ । ପାଖରେ ଜମିଦାର ବ୍ରଜକିଶୋର ପାନଖିଆ ନାଲି ଦାନ୍ତ ଦେଖାଇ ହସୁଛି । ଚମକି ପଡ଼ି ଠିଆ ହୋଇଗଲା କେଶରୀ । ଛୋଟ ମୁଣ୍ଡ ରେ କିଛି ବୁଝି ପାରିଲାନି । ଏବେ କେବଳ ଜମିଦାରର ନାଆଁ ରେ ଯାହା କିଶୋର ଲାଗିଛି, ନହେଲେ ବର୍ତ୍ତମାନ ବୟସ ପଚାଶ କୁ ମାତ୍ର ଏକବର୍ଷ ବାକି ପଡିଛି ।
ଜମିଦାର......... " ଡରୁଛୁ କଣ, ମୁଁ ତୋ ମୁଣ୍ଡରେ ସିନ୍ଦୁର ଦେଲି । ଆଜି ଠାରୁ ମୁଁ ତୋ ସ୍ୱାମୀ ଆଉ ତୁ ମୋ ସ୍ତ୍ରୀ
କେଶରୀ (ସିନ୍ଦୁର ପୋଛୁ ପୋଛୁ ତା ପିଲାଳିଆ ବୁଦ୍ଧିରେ କହିଲା) ......... " ତୁ ବୁଢାଟା, ତୋ ମୁଣ୍ଡରେ ଚୁଟି ନାହିଁ
...... ମୁଁ ତୋ ସ୍ତ୍ରୀ ହେବିନି " ।
ଜମିଦାର........ " ତୁ କଣ ଜାଣିନୁ, ଏ ହେଉଛି ଆମ ପରମ୍ପରା, ତୁ କଣ ପରମ୍ପରା କୁ ଭାଙ୍ଗି ଏ ଗାଁ କୁ ପାପରେ ଭାଗୀ କରିବୁ । "
କେଶରୀ....... "ତୁ ବାହା ହୋଇଛୁ , ତୋ ସ୍ତ୍ରୀ ତ ଅଛି । ମତେ କଇଁ ବାହାହେବାକୁ କହୁଛୁ ???" ।
ଜମିଦାର....... (ହସିଦେଇ ) "ତୁ କଣ ଜାଣିନୁ ଏ ମେଳାରେ ଜୀବନ ସାଥି ବଛାଯାଏ, ତୁ ମୋର ପସନ୍ଦ ହେଲୁ ।ମହାପୁରୁଙ୍କ ଏହି ଇଛା, ତୁ କଣ ପାଇଁ ଅମଙ୍ଗ ହେଉଛୁ, ମୋର ଗୋଟେ ସ୍ତ୍ରୀ ଯେପରି ରହୁଛି ତୁ ମଧ୍ୟ ରହିବୁ । ଦେଖିବୁ ତା ଠାରୁ ତତେ ବେଶୀ ଭଲ ପାଇବି । " ।
କେଶରୀ......... " ବୁଢା, ତୁ ମୋ ସ୍ୱାମୀ ନୁହଁ " ।
କେଶରୀ କାନ୍ଦି କାନ୍ଦି ଘରକୁ ଦୌଡୁଥାଏ । ପଛରୁ ରେବତୀ ଡାକ ଦେଇ ତା ପଛରେ ଧାଇଁଛି । ବାଟରେ ମାଳତୀ ଦେଖା ହେଲା । (ମାଳତୀ ବାଲିପର୍ବତ ଗାଁର ଏକମାତ୍ର ତୃତୀୟ ଶ୍ରେଣୀ ଯାଏ ପଢିଥିବା ଯୁବତୀ । )
ମାଳତୀ......... " କଣ ହେଲା କେଶରୀ, ଏମିତି କାନ୍ଦିକି କୁଆଡେ ଧାଇଁଛୁ ? " ।
କେଶରୀ କିଛି ନକହି ଚାଲିଗଲା କାନ୍ଦି କାନ୍ଦି । ପଛରେ ଆସୁଥିବା ରେବତୀକୁ ଧରିନେଲା ମାଳତୀ ।
ମାଳତୀ....... "କଣ, ହେଲା ତୁମ ଦୁଇଜଣଙ୍କର । ଏମିତି ଧାଇଁଛ କଣ ପାଇଁ ।
ରେବତୀ ଛିପ ଢ଼ୋକି ଗୋଟି ଗୋଟି କରି ସବୁ ବର୍ଣନା କରିଗଲା । ମାଳତୀ ସବୁ ଶୁଣି କହୁଥାଏ..... " ସେ ଜମିଦାର ପାଗଳ ହୋଇଗଲାଣି, ମୁଣ୍ଡରେ ଯେତିକି ଚୁଟି ଅଛି ଆୟୁ ବି ସେତିକି ନଥିବ, ବାହାରିଲା ବିବାହ କରିବାକୁ ।
କେଶରୀ କାନ୍ଦି କାନ୍ଦି ମା କୋଳରେ ଲୋଟିଗଲା, ମା ବ୍ୟସ୍ତ ହୋଇ ପଚାରିଲା........ " କଣ ହୋଇଛି, ଏମିତି କାନ୍ଦୁଛୁ କାହିଁକି । କହ କଣ ହେଲା ??? ।
କେଶରୀ........ " ମା, ସେ ବୁଢା ଜମିଦାର ମୋ ମୁଣ୍ଡରେ ସିନ୍ଦୁର ପିନ୍ଧେଇ ଦେଲା , କହୁଛି ସେ ମୋ ସ୍ୱାମି ।
କୁନ୍ତୀ, କେଶରୀ ମୁଣ୍ଡକୁ ଆଉଁଷି ଆଣିଲା । ଖୁସିରେ ତାକୁ ଅନେକ ଗେଲ୍ହା କଲା ।
କେଶରୀ ଭାବୁଥିଲା ମା ' ତାକୁ କହିବ......,ସେ ତୋ ମୁଣ୍ଡରେ ସିନ୍ଦୁର ଦେଲା ତ କଣ ହେଲା ମୁଁ କଣ ତାଘରକୁ ତତେ ପଠେଇବି ।
କିନ୍ତୁ ତାଭାବନାକୁ ଭୁଲୁ ସାବ୍ୟସ୍ତ କରି କୁନ୍ତୀ କହିଲା........ "ଆଲୋ କେଶରୀ ତୋ ଭାଗ୍ୟ ଖୋଲିଗଲା, କାନ୍ଦୁଛୁ କଣ ପାଗେଳୀ । ଖାଇ ପିଇ ରାଣୀ ହୋଇ ରହିବୁ । ଖାଲି ତୋର କଣ,ଏଥର ଆମର ବି ମୁଣ୍ଡ ଉଞ୍ଚା ହୋଇଗଲା ଏ ଗାଁ ଲୋକଙ୍କ ପାଖରେ । ଜମିଦାର କୁ ଜୋଇଁ କରିବା କଣ ଛୋଟ କଥା । " ।
କେଶରୀ.......... ମା, ତୁ ଏମିତି କଣ କହୁଛୁ, ସେ ଜମିଦାର ବୁଢାଟା । ଆଉ କିଛିଦିନ ଗଲେ ମରିଯିବ ତାପରେ ମୁଁ କଣ କରିବି???? ।
କୁନ୍ତୀ........... " ଦେଖେ ଭଲରେ ବୁଝାଉଛି ମାନିଯା, କାଲି ତୋ ଶାଶୂଘରେ ନେଇ ଭାଇ ଛାଡିକି ଆସିବ । ନହେଲେ କଥା ଖରାପ ହେବ" ।
କେଶରୀ......... " ଯାହାବି ହୋଇଯାଉ, ମୁଁ ସେ ଜମିଦାର ଘରକୁ ଯିବିନି କହିଦଉଛି " ।
କେଶରୀ ଘରର ଗୋଟେ କଣାରେ ସେମିତି ବସି ରହିଲା । ସେ ତା ଜିଦିରେ ଅଟଳ ଥିଲା । କିନ୍ତୁ କୁନ୍ତୀର ପାଟି ବନ୍ଦ ହେଉନଥାଏ, ଗାଳି ବର୍ଷଣ କରି ଭାବୁଥାଏ କେଶରୀ ଡରିଯିବ ଓ ହଟିଯିବ ନିଜ ଜିଦିରୁ ।
ବାହାରୁ କାହାଠାରୁ ଖବର ପାଇଁ କେଶବ ଖୁସିରେ ଘରକୁ ଦୌଡ଼ି ଆସିଲା । କୁନ୍ତୀ କୁ ଗାଳି କରିବା ଦେଖି ଚୁପ ରହିବାକୁ ଇସାରା କଲା । ଯାଇ ଭଉଣୀ ପାଖରେ ବସିଗଲା ଛୋଟ ପିଲାଙ୍କୁ ବୁଝାଇବା ପରି କହିଲା......... " କେଶରୀ ତୁ ବଡ଼ଲୋକ ଘରେ ବାହାହେବୁ, ପେଟପୁରା ଖାଇବାକୁ ମିଳିବ । ଜିଦି କରନି ମାନିଯା । ଯାଆ ତୋ ଜିନିଷ ସଜାଡି ଦେ କାଲି ସକାଳେ ନେଇ ତତେ ଛାଡି ଆସିବି
କେଶରୀ......... " ଭାଇ ତୁବି ମା ଭଳି କହୁଛୁ, ସେ ଜମିଦାର କୁ ତୁ ଦେଖିଛୁ, ତା ମୁଣ୍ଡରେ ଚୁଟି ନାହିଁ । ବୁଢାଟା । " ।
କେଶବ.........." ଆଲୋ ଶୁଣୁ ତୁ ଛୋଟ ପିଲା ବୁଝି ପାରୁନୁ, ଦେଖିବୁ ସବୁ ଠିକି ହୋଇଯିବ । ଜିଦି କରନି ।
କେଶରୀ...... " ନିଜେ କହୁଛୁ ମୁଁ ଛୋଟ ପିଲା, ପୁଣି ବାହାଘର କାଇଁ କରୁଛୁ
କେଶବ........ (ରାଗିଯାଇ ) "ତୁ ଯିବୁନି????
କେଶରୀ........ ନଡରି କହିଲା, "ନା ଯିବିନି
କଥାରେ ବୁଝାଇବାଟା ମୂର୍ଖ ଲୋକଙ୍କ ପାଇଁ ବହୁତ ହୋଇସାରିଥିଲା ।ଏଥର କେଶରୀ ଉପରେ ଅକଥନୀୟ ମାଡ ମାରିବା ଆରମ୍ଭ କଲା ଭାଇ ।
କେଶରୀ ଛୋଟ ଥିଲା କିନ୍ତୁ ତା ଭିତରେ ପ୍ରତିବାଦର ସ୍ୱର ଜାଗ୍ରତ ହୋଇସାରିଥିଲା । ସେ ଜାଣିସାରିଥିଲା ଥରେ ଯଦି ଏ ଭାଇ ପାଖରେ ନଇଁଯିବ, ଆଗକୁ କେବେ ସଳଖି ପାରିବନି । ଜୀବନସାରା ତାକୁ ନଇଁ ବାକୁ ପଡ଼ିବ ଏ ପୁରୁଷ ପ୍ରଧାନ ସମାଜ ଓ ତାର କଦର୍ଯ୍ୟ ପରମ୍ପରା ଆଗରେ । ମାରି ମାରି କେଶବ ଧକିଯାଇ ଚାଲିଗଲା । କୁନ୍ତୀ ମନେ ମନେ ଭାବୁଥିଲା ଏଥର ଝିଅ ରାଜି ହୋଇଯିବ ।
ସନିଆ ଘର ଚାଲ ଉପରେ ବସି କୁକୁଡ଼ା ରାବ ଦଉଛି । ସକାଳ ହେଲାଣି, କେଶରୀ ରାତିସାରା ଶୋଇନି, ଦେହଟା ମାଡ଼ରେ ଦରଜ । କର ଲେଉଟାଇଲା, ଆଜି ତାର ଇଚ୍ଛା ନାହିଁ ବାହାରକୁ ଯାଇ ବୁଲିବାକୁ । ମନରେ ତାର ଅଭିମାନ ଭରି ରହିଛି । ହେଲେ କଅଁଳମନର ଭାବ କିଏ ବା ବୁଝିବ । ଏତିକିବେଳକୁ କବାଟ ଠକ ଠକ ହେଲା । କୁନ୍ତୀ ଉଠିଯାଇ କବାଟ ଖୋଲିଲା । ମଦନ ( ଜମିଦାରର ଖାସ ଲୋକ ) ହାତରେ ଠେଙ୍ଗାଟି ଧରି ଠିଆ ହୋଇଛି ।
କୁନ୍ତୀ......... "ବାବୁ, ଏତେ ସକାଳୁ ମୋ ଦୁଆରେ ! କଣ ହେଲା ବାବୁ ?? " ।
ମଦନ......... " ତୁ ଜାଣିନୁ କଣ ହୋଇଛି । ତୋ ଝିଅ କାଲି ଜମିଦାର ବାବୁ ଙ୍କୁ ସମସ୍ତଙ୍କ ଆଗରେ ବାରକଥା କହି ଅପମାନିତ କରିଛି । ତଥାପି ବାବୁ ତା ଉପରେ ଖୁସି ଅଛନ୍ତି । ତା ମୁଣ୍ଡରେ ସିନ୍ଦୁର ଦେଇ ନିଜର କଲେ, ହେଲେ ତୁମେ ମା, ପୁଅ ତାକୁ ନିଜ ଘରେ କାଇଁ ରଖିଛ? " ।
କୁନ୍ତୀ......... " ନଇଁ ବାବୁ ସେ ଯିବ । ଆମେ ତାକୁ ବୁଝାଇ ଦେଇଛୁ । ଆପଣ ଯାନ୍ତୁ, ପୁଅ ନିଜେ ନେଇ ଛାଡି ଆସିବ " ।
ଶୋଇରହି ସବୁ ଶୁଣୁଥିବା କେଶରୀ ନିଜକୁ ସମ୍ଭାଳି ପାରିଲାନି । ଶୋଇଥିବା ଯାଗାରୁ ଉଠିଆସି ମଦନ କୁ
କହିଲା....... " ଯା ତୋ ବୁଢା ବାବୁ କୁ କହିଦେବୁ, ଏ କେଶରୀ ମରିଯିବ ପଛେ ସେ ରାକ୍ଷସ ପାଖକୁ ଯିବନି " ।
ମଦନ.......... " କୁନ୍ତୀ, ତୁ କଣ ତୋ ଝିଅକୁ କିଛି ସଣ୍ଠଣା ଶିଖାଇନୁ । ଠିକି ଅଛି ତମମାନଙ୍କ ଯାହା ଇଚ୍ଛା ହେଉଛି କର । ଏ କଥା ପଂଚାୟତ କୁ ଯିବ । ତୁମର ଯଦି ନିଆଁ ପଣି ବନ୍ଦ ହୋଇନି ତାହେଲେ ମତେ କହିବ " ।
କେଶବ.......... " ବାବୁ ସେ ଛୋଟ ପିଲା, ଆମକୁ ଦୁଇ ଦିନ ସମୟ ଦିଅ । ତାକୁ ବୁଝାଏ ମୁଁ ନେଇ ଛାଡ଼ିଦେବି । ରାଗନ୍ତୁନି ଆଜ୍ଞା
ମଦନ......... " ଠିକି ଅଛି ଦୁଇଦିନ.....
ମଦନ ଚାଲିଗଲା, ଏଥର ବି କେଶବ ଓ କୁନ୍ତୀ କେଶରୀଙ୍କୁ ବୁଝେଇବାରେ ଲାଗିଗଲେ । କେଶରୀ ବୁଝିସାରିଥିଲା ଏମାନେ ଖାଲି ତାକୁ ବୁଝାଇବେ କିନ୍ତୁ ବୁଝିବେନି, ସେଥିପାଇଁ ସେ ଚୁପ ରହିଲା । ମନରେ ତାର ଅନେକ ଭାବନା ଉଙ୍କିମାରିବାକୁ ଲାଗିଲା । ଘରଭିତରେ ଦିନସାରା ପଡିରହିଲା । ମଝିରେ ମା ଓ ଭାଇ ଆସି ଦେଖି ଯାଉଥାନ୍ତି । ରାତି ହେଲା, କେଶବ କବାଟରେ ବଡ ତାଲା ଝୁଲାଇ ଦେଲା । ତାର କେଶରୀଙ୍କୁ ଟିକେବି ବିଶ୍ୱାସ ନାହିଁ । କେଶରୀ ଶୋଇ ଶୋଇ କଣ ସବୁ ଭାବୁଥାଏ, ଏ ଭାବନା ଭିତରେ ହଜି କେତବଳେ ସେ ଶୋଇପଡିଛି ।
ଚଢେଇ ମାନଙ୍କ କିଚିରିମିଚିରି ଶବ୍ଦ ଶୁଭିଲା, ଆଜିବି ସନିଆ ଘର ଚାଲ ଉପରେ ସେ କୁକୁଡ଼ା ରାବ ଦେଉଛି । କେଶରୀ ଉଠିଲା, ମା ଓ ଭାଇକୁ ଡାକିଲା ।
କେଶରୀ........" ମା , ଭାଇ, ମୁଁ ବହୁତ ଭାବିଲି । ତୁମେ ମନେ ଠିକି କହୁଥିଲ । ମୁଁ ରାଜି ଅଛି ଜମିଦାରଙ୍କ ଘରକୁ ଯିବାକୁ
କୁନ୍ତୀ........ " ତୁ ସତ କହୁଛୁ ମା, ହେ ମହାପୁରୁ...... ତୁମେ ସତରେ ମୋ ଡାକ ଶୁଣିଲ । " ।
କେଶବ.......... " ଯା ବାହାରି ପଡ, ମୁଁ କାମ ସରି ଆସୁଛି । ତତେ ନେଇ ଛାଡ଼ିଦେବି " ।
କେଶରୀ ........ " ଭାଇ ତୁ କାମ ସରି ମୋ ଜିନିଷ ନେଇକି ଆସେ, କେହି ଲୋକ ନ ଉଠିବା ପୂର୍ବରୁ ମୁଁ ନିଜେ ଚାଲି ଯାଉଛି । ମୁଁ ଯାହା କରିଛି ସମସ୍ତେ ଜାଣିଛନ୍ତି । ମତେ ଖରାପ ଲାଗିବ ସମସ୍ତଙ୍କ ସହ ଆଖି ମିସାଇବାକୁ । ମୁଁ ଆଗେ ଯାଇ ଜମିଦାର ବାବୁ ଙ୍କୁ ଭୁଲୁ ମାଗୁଛି । ତୁ ଆସେ ମୋ ପଛରେ । "
ଏତିକି କହି କେଶରୀ ଚାଲିଲା । ପଛରୁ କୁନ୍ତୀ ଡାକୁଥିଲା..... "କେଶରୀ, ଭଲ ଜମା ଖଣ୍ଡେ ପିନ୍ଧିକି ଯା ।
କେଶରୀ....... " ଜମିଦାର ବାବୁ ଙ୍କ ବହୁତ ପଇସା ଅଛି, ସେଠିକି ଗଲେ ଭଲ ପିନ୍ଧିବାକୁ ଦେବେ ।
କହି କହି କେଶରୀ ଆଗକୁ ବଢ଼ୁଥିଲା । ଘରଠାରୁ କିଛି ବାଟ ଆସିବା ପରେ ମହାଜନ ଘରକୁ ଯାଇଥିବା ରାସ୍ତାକୁ ଚାହିଁଲା । ସେ ରାସ୍ତା ଉପରକୁ "ଥୁ" କରି ଛିପ ପକାଇ, ଜଙ୍ଗଲ ଆଡକୁ ଦୌଡିଲା ।
କୁନ୍ତୀର ଘର ଆଗରେ ଭିଡ । ଜମିଦାର ତା ଲୋକ ମାନଙ୍କ ସହ ଆସି ଘର ଆଗରେ ପାଟିତୁଣ୍ଡ କରୁଥାଏ । କେଶବ ଘରୁ ବାହାରି ଆସିଲା ।
କେଶବ........ "ସାଆନ୍ତେ ଆଜ୍ଞା କଣ କିଛି ଭୁଲୁ ହେଲା, କଣ ପାଇଁ ଆସିଛନ୍ତି
ଜମିଦାର....... " ବହୁତ ହୋଇଗଲା, ମୁଁ ଭାବିଥିଲି କେଶରୀ ନିଜ ଇଚ୍ଛାରେ ମୋ ଘରକୁ ଯିବ । ମୁଁ ଚାହିଁଥିଲେ ସେଇଦିନ ତାକୁ ମେଳାରୁ ଉଠାଇ ନେଇ ଯାଇଥାନ୍ତି । କିନ୍ତୁ ମୁଁ ଭାବିଥିଲି ତୁମେ ମାନେ ତାକୁ ବୁଝାଇ ମୋ ଘରେ ଛାଡ଼ିବ । ଡାକ ତାକୁ ମୁଁ ଏବେ ମୋ ସହ ନେଇଯିବି " ।
କେଶବ......... " ହେଲେ ବାବୁ ସେ ତ ସକାଳୁ ଅପଣଂକ ଘରକୁ ଗଲାଣି । ମୁଁ ତା ଜିନିଷ ନେଇ ଆସୁଥିଲି । ହେଇ ଦେଖନ୍ତୁ ମୁଁ ମିଛ କହୁନି " ।
ଜମିଦାର......... " କାଇଁ ସେ ତ ମୋ ଘରକୁ ଯାଇନି, ମିଛ କହୁଛ ତୁମେ ସବୁ " ।
କୁନ୍ତୀ.......... "ନଇଁ ବାବୁ, ସତ କହୁଛୁ" ।
ଜମିଦାର ତା ଲୋକ ମାନଙ୍କୁ ଇସାରା କରି କହିଲା
" ଯାଅ, ଖୋଜ ତାକୁ । ଗାଁ, ଜଙ୍ଗଲ ସବୁଆଡେ ଖୋଜ । ବାହାର କର ତାକୁ, କେଉଁଠି ଅଛି ଭିଡିନେଇ ଆସ ।
କୁନ୍ତୀ....... " ମୋ ଝିଅ କୁଆଡେ ଗଲା " । କହି କୁନ୍ତୀ ଜୋରେ କାନ୍ଦିବାକୁ ଲାଗିଲା ।
ଜମିଦାର.......... " ଆଜି ପଚାୟତ ବସିବ, ତୁମେ ମା' ପୁଅ ଯାଇ ପହଂଚବ । କେତେ ମୋ ସହ ଖେଳୁଛ ଆଜି ଜଣା ପଡ଼ିବ " । ରାଗିକି କହି ଚାଲିଗଲା ଜମିଦାର ।
କେଶରୀ ଅନେକ ବାଟ ଆସିଗଲାଣି । ବାଲିପର୍ବତ ଜଙ୍ଗଲ ରେ ଦିନରେ ବି ଲୋକମାନେ ସାଙ୍ଗ ହୋଇ ଆସିବାକୁ ଡରନ୍ତି କିନ୍ତୁ କେଶରୀ କୁ ଟିକେ ବି ଡର ଲାଗୁନଥାଏ । ଘଂଚ ଜଙ୍ଗଲ ଭିତରେ ନିଜକୁ ଲୁଚାଇ ବସି ରହିଲା । ଏତେ ଛୋଟ ପିଲା ମୁଣ୍ଡରେ କେତେ ଅବା ବୁଦ୍ଧି ।
ଜମିଦାର ଲୋକ ମାନେ ସବୁଆଡେ ଖେଦି ଚାଲିଥାନ୍ତି । ଜଙ୍ଗଲ ଭିତରେ ପଶିଲେ, ହାତରେ ବଡ ବଡ ଠେଙ୍ଗା ଧରିଥାନ୍ତି । ସେମାନେ ଜଙ୍ଗଲ କୁ ଆସିଲେ ସତ କିନ୍ତୁ ଭୟରେ ଭିତରକୁ ଯିବାକୁ ଡରିଲେ ।
ପ୍ରଥମ ବ୍ୟକ୍ତି........ " ଆରେ ଆଉ ଆଗକୁ ଯାଇ ହେବନି, କିଏ ବିପଦରେ ପଡ଼ିବ କହିଲୁ " ।
ଦ୍ୱିତୀୟ ବ୍ୟକ୍ତି........" ଆମେ ଏତେ ବାଟ ଆସିଲେ ତାକୁ ପାଇଲେନି । ଆମକୁ ସେ ଜଙ୍ଗଲ ଭିତରକୁ ଯିବାକୁ ଡର ଲାଗୁଛି, ସେ ଛୋଟ ପିଲାଟା ଯାଇ ଯାଇ କେଉଁ ଯାଏ ଯାଇଥିବ । ମତେ ଲାଗୁନି ସେ ଜଙ୍ଗଲ ଭିତରକୁ ଯାଇଛି ।" ।
ପ୍ରଥମ ବ୍ୟକ୍ତି.. ....... " ଚାଲ ସମସ୍ତେ ଫେରି ଚାଲ, ସେ ଯଦିବି ଯାଇଥିବ ବେଶୀ ସମୟ ରହିପାରିବନି । ଆପେ ଆସିଯିବ । ଚାଲ..... ଚାଲ ।
କହି ସମାସ୍ତେ ବାହୁଡ଼ିଗଲେ ।
ସନ୍ଧ୍ୟା ହେଲା, ଗାଁରେ ପଂଚାୟତ ବସିଲା । କୁନ୍ତୀ ଓ କେଶବ ଦୋଷୀ ଭଳି ହାତ ଯୋଡି ଠିଆ ହୋଇଥାନ୍ତି ।
ମୁଖିୟା......... " କୁନ୍ତୀ, ତୋ ଝିଅ କୁଆଡେ ଗଲା କହ । ତୁମେମାନେ ପରମ୍ପରା ଭାଙ୍ଗିଛ । ମହାପୁରୁ ରାଗିଲେ କିଛି ରହିବନି । ତୋ ଝିଅକୁ ଜଲ୍ଦି ଖୋଜି ବାହାର କରି ଜମିଦାର ବାବୁ ଙ୍କୁ ଦେଇଦେ
ଗାଁ ର ଅନ୍ୟ ଲୋକ ମାନେ ସମସ୍ତେ ଏକ ସ୍ୱରରେ........ " ହଁ ଜମିଦାର ଙ୍କୁ ତୋ ଝିଅ ଦେଇଦେ
କୁନ୍ତୀ............ " ସେ କୁଆଡେ ଯାଇଛି ସତରେ ଆମକୁ ଜଣା ନାହିଁ " । (ହାତଯୋଡ଼ି କହିଲା କୁନ୍ତୀ )।
ଜମିଦାର......... " ଏ ମା, ପୁଅ ସବୁ ଜାଣିଛନ୍ତି । ଏମାନଂକୁ ଦଣ୍ଡ ଦିଆ ଯାଉ , ନିଆଁ ପଣି ବନ୍ଦ କରି ବାଛନ୍ଦ କରା ଯାଉ । " ।
କେଶବ......... " ମରିଯିବୁ ଆଜ୍ଞା, କ୍ଷମା କରନ୍ତୁ । ସେ କେଶରୀ ଆଜି ଠାରୁ ମରିଗଲା ଆମ ପାଇଁ । ତା ସହ ଆମର କିଛି ସମ୍ପର୍କ ନାହିଁ । ଆପଣ ଯାହା ଇଚ୍ଛା ତାସହ କରନ୍ତି କିନ୍ତୁ ଆମକୁ କ୍ଷମା କରନ୍ତୁ
ମାଳତୀ (ତୃତୀୟ ଶ୍ରେଣୀ ଯାଏ ପଢିଥିବା ଏକମାତ୍ର ଯୁବତୀ )......... " ମୁଖିୟା, ସେ କେଶରୀ ନାବାଳିକା । ଜମିଦାର ବାବୁ ଙ୍କ ବୟସ ଦେଖନ୍ତୁ । ତାସହ ପୁଣି ଜମିଦାର ବିବାହିତ । ସେ କେଶରୀ ପ୍ରତି ଦୟା କରନ୍ତୁ । ଛୋଟ ପିଲା ସେ
ମୁଖିୟା....... " କଣ ଦିଅକ୍ଷର ପଢିଦେଲୁ ବୋଲି ଆମକୁ କହୁବୁ କଣ କରିବୁ କଣ ନାହିଁ । ଏ ସବୁ ମହାପୁରୁ ଙ୍କ ବିରୋଧ କଥା । ଏତେ ଦିନରୁ ଚାଲି ଆସୁଥିବା ପରମ୍ପରା ଭଙ୍ଗା ଯିବନି
ସମସ୍ତେ ମୁଖିୟା କଥାରେ ହଁ ହଁ କରୁଥିଲେ । କେବଳ ମାଳତୀ ଛଡା ଆଉ କାହାକୁ ଦେଖା ଯାଉନଥିଲା କେଶରୀ ପ୍ରତି ହେଉଥିବା ଅନ୍ୟାୟ ।
ଦିନ ଗଡି ରାତି ହେଲା, କେଶରୀ ଘଂଚ ଜଙ୍ଗଲ ଭିତରେ ଏକାଟିଆ ଜାକିଜୁକି ହୋଇ ବସିଥାଏ ।ଯେତେ ଯେତେ ରାତି ଘନଉଥାଏ କେଶରୀ ଛାତି ଧଡ ଧଡ ହେଉଥାଏ । ଦୂରରୁ ଭାସି ଆସୁଥାଏ ହିଂସ୍ର ଯନ୍ତୁ ମାନଙ୍କ ଗର୍ଜନ ।ତଥାପି କେଶରୀ ସେଇଠାରେ ବସି ରହିଲା । କାରଣ ସେ ଜାଣିଥିଲା ଏ ଜଙ୍ଗଲ ଭିତର ହିଂସ୍ର ଜନ୍ତୁଙ୍କ ଠାରୁ ଗାଁ ଭିତରେ ଥିବା ପଶୁ ମାନେ ବେଶୀ ଭୟଙ୍କର । ନିଜ ମନକୁ ଦୃଢ କଲା, ଗାଁ କୁ ନଫେରିବାକୁ ଶପଥ କଲା ।
ଦୁଇଦିନ ପୁରୀ ଗଲାଣି, କିନ୍ତୁ କେଶରୀ କୁ କେହି ପାଉନାହାନ୍ତି । ସମସ୍ତେ ଭାବୁଥିଲେ କେଶରୀ ନିଜେ ଯେଉଁଠି ଥିବ, ରାତି ହେଲେ ଡ଼ରିକି ଘରକୁ ଆସିବ । ହେଲେ କେଶରୀ ଫେରିନି ।
ଗାଁସାରା ଲୋକ ଟୁପୁର ଟାପୁର ହେଲେଣି, କେଶରୀ ଆଉ ନାହିଁ । ତାକୁ ଜଙ୍ଗଲରେ ବାଘ କି ଭାଲୁ ଖାଇ ଦେଲେଣି ।
କେଶରୀ ଯିବାର ଚାରିଦିନ ପରେ ଆଉ ଥରେ ପଂଚାୟତ ବସିଲା । ଗାଁ ମୁଖିୟା ସମସ୍ତଙ୍କୁ ଜଣେଇଲେ, କେଶରୀ ଯଦି କେବେ ଗାଁ କୁ ଫେରେ ତାହେଲେ ପରମ୍ପରା ଦୁଷ୍ଟିରୁ ସେ ଜମିଦାର ଙ୍କ ସ୍ତ୍ରୀ ହୋଇ ରହିବ । ଯିଏ ତାକୁ ଯେଉଁଠି ଦେଖିଲେ ଜମିଦାର ବାବୁ ଙ୍କୁ ଜଣାଇବ । ସମସ୍ତେ ହଁ ଭରିଲେ ।
କେଶରୀ ଘଂଚ ଜଙ୍ଗଲ ଭିତରେ ସେମିତି ପଡିଥାଏ । ଭୋକ ସମ୍ଭାଳିବାକୁ କୋଳି ଖାଇଦେଉଥାଏ, ଶୋଷ କଲେ ଝରଣା ପାଣିରୁ ମୁନ୍ଦାଏ ଆଣି ପିଉଥାଏ । ଏପରି ସେ କେତେ ଦିନ ରହିପାରିବ ।
ତଥାପି ନଅ ଦିନ ନଅ ରାତି ସେ ଶୂନଶାନ ଜଙ୍ଗଲରେ ବାରବର୍ଷ ର ଛୋଟ ଝିଅ କେଶରୀ ନିଜକୁ ଲୁଚାଇ ରଖିଲା । ଏ ନଅ ଦିନ କେଶରୀଙ୍କୁ ନଅ ବର୍ଷ ଭଳି ଲାଗୁଥିଲା । ଏ ଘୃଣ୍ୟ ପ୍ରଥା, ଏ ବିକୃତ ମାନସିକତା, ନିଜ ଲୋକ ମାନଙ୍କ ବ୍ୟବହାର ତାକୁ ବ୍ୟଥିତ କରୁଥାଏ । ଏ ଦୁନିଆରୁ ଚାଲିଯିବାକୁ ନିଷ୍ପତି ନେଇ ଆଗକୁ ବଢ଼ିଲା । ଖୁବ୍ ଉଞ୍ଚା ପାହାଡ଼ ଉପରେ ଠିଆ ହୋଇ ତଳକୁ ଡେଇଁବାକୁ ଚେଷ୍ଟା କଲା ।
କିନ୍ତୁ ପାରିଲାନି । ନିଜକୁ ନିଜେ ମାରି ପାରିଲାନି । ଭାବିଲା ଏପରି ଏଠାରେ ଲୁଚି ରହିଲେ ଆଜି ନହେଲେ କାଲି ମରିଯିବ । ସେ ପାଦ ଆଗକୁ ବଢ଼ାଇଲା । ଯେପରି ପ୍ରକୃତି ମା' ତା ଭିତରେ ଭରିଦେଲେ ସାହସ । ଦେହରେ ସିନା ବଳ ନଥିଲା, କେଶରୀ ପାଖରେ ମନବଳ ଯଥେଷ୍ଟ ଥିଲା । ପାଦ ବଢ଼ାଇଲା, ନିଜ ଗାଁ ଆଡକୁ ନୁହେଁ । ଚାଲିଲା ଆଗକୁ ଆଗକୁ, ଯୁଆଡେ ଯାଉଥାଏ ସେ ଯାଗା ତା ପାଇଁ ଅଜଣା ଥିଲା । ଆଗରୁ କେବେ ସେ ଏ ଯାଗା ଦେଖି ନଥିଲା । ଚାଲି ଚାଲି ଯାଇଁ " ଭ୍ରାମଣିପାଲ୍" ପୋଲିସ ଷ୍ଟେସନ ରେ ପହଁଚିଲା । କେଶରୀ ର ଅବସ୍ଥା ଭଲ ନଥିଲା । ପୋଲିସ ଷ୍ଟେସନ ଆଗରେ ପଡିଗଲା । କେଶରୀଙ୍କୁ ଉଠାଇ ଭିତରକୁ ନେଲେ । କେଶରୀ ହାତା ଯୋଡି ସମସ୍ତଙ୍କୁ ସାହାଯ୍ୟ ମାଗୁଥାଏ ।
ପୋଲିସ କର୍ମଚାରୀ......... " କହ କଣ ହୋଇଛି ଝିଅ, ଆମେ ତତେ ନିଶ୍ଚୟ ସାହାଯ୍ୟ କରିବୁ " ।
ବିଗତ ଘଟଣା ଗୋଟି ଗୋଟି କରି ପୋଲିସ କର୍ମଚାରୀ ଙ୍କୁ କହିଗଲା କେଶରୀ ।
ପୋଲିସ କର୍ମଚାରୀ........ " ନଅ ଦିନ ନଅ ରାତି, ତୁ ଜଙ୍ଗଲେ ଥିଲୁ !!! ତୁ ବହୁତ ସାହସୀ ଓ ବାହାଦୂର । ତୋ ଭଳି ଖୁବ୍ କମ ପିଲା ଏପରି ଥାନ୍ତି । ବ୍ୟସ୍ତ ହେବାର ନାହିଁ । ଆମେ ସବୁ ଠିକୀ କରିଦେବୁ" ।
କେଶରୀ......... " ମୁଁ ଗାଁ କୁ ଆଉ ଯିବିନି । ମୋ ମା, ଆଉ କେଶବ ଭାଇ ସେ ବୁଢା ଜମିଦାରଙ୍କୁ ମତେ ଦେଇଦେବେ ।
ପୋଲିସ କର୍ମଚାରୀ......... " ନାଇଁ, ତତେ ଆମେ ଗାଁ କୁ ନେବୁନି ହେଲେ ଗାଁରେ କିଏ ତ ଥିବେ ତୁ ଯାହାକୁ ବିଶ୍ୱାସ କରୁଥିବୁ, କାହାକୁ ଦେଖା କରିବୁ କହ ?"।
କେଶରୀ.......... "ରେବତୀ ଓ ମାଳତୀ ଅପା କୁ ଦେଖିବି
ଭ୍ରାମଣିପାଲ୍ ପୋଲିସ ଷ୍ଟେସନର ଇନିସ୍ପେକଟର ବହୁତ ଭଲ ଲୋକ ଥିଲେ, କେଶରୀର ଦୁଃଖକୁ ହୃଦୟଗମ କରିଥିଲେ । ରେବତୀ ଓ ମାଳତୀ କୁ ଆଣି କେଶରୀ ପାଖରେ ଛାଡିଲେ । କେଶରୀ ର ଖୁସି କହିଲେ ନସରେ ରେବତୀକୁ ଦେଖି । ମାଳତୀ କୁ ପଚାରି ପୋଲିସ ସବୁ ବୁଝିସାରିଥିଲା । ପଂଚାୟତ ର ନିଷ୍ପତି ବି ପୋଲିସ ଶୁଣିଲା । ଏଥର ପୋଲିସ ଚାଲିଲା ବାଲିପର୍ବତ ଗାଁ । ପ୍ରଥମେ କେଶରୀ ଭାଇ କେଶବ କୁ ଗିରଫ କଲା । ତାପରେ ଜମିଦାର ପାଳି ।
ଗାଁ ସାରା ଲୋକ ବାଡ଼ି ଠେଙ୍ଗା ଧରି ଠିଆ ହୋଇଗଲେ ପୋଲିସ ଆଗରେ । ଏକା ଜିଦି ଜମିଦାର କୁ କେହି ଛୁଇଁବେନି । ମୁଖିୟା ଜୋରେ ଚିତ୍କାର କରି କହୁଥାଏ " ଏ ସବୁ ଅନ୍ୟାୟ ହେଉଛି । ବାପୋ ଅଜା ଅମଳରୁ ଚାଲୁଥିବା ନୀତି ନିୟମ କୁ ଭଙ୍ଗା ଯାଉଛି । ଆମ ଗାଁ କଥାରେ ପୋଲିସ ପସିବନି । " । ମୁଖିୟା କଥାରେ ଗାଁଟା ସାରା ସହମତି ହୋଇ ପାଟି କରୁଥାନ୍ତି ।
ପୋଲିସ ବହୁତ ବୁଝାଇବାକୁ ଚେଷ୍ଟା କଲା, କିନ୍ତୁ ବିଫଳ ହେଲା । କେହି ଶୁଣିବାକୁ ନାରାଜ । ଏଥର ପୋଲିସ ଗୁଳି ଚଳାଇବାକୁ କହିଲା । ଗୁଲିକୁ ଡରି ଗାଁ ଲୋକ ଏଥର ପଛଘୁଞ୍ଚା ଦେଲେ ।
ଜମିଦାର ଗିରଫ ହୋଇ ଜେଲ ଗଲା ।
ଏଥର କେଶରୀ ଖୁସି ଥିଲା, ନିରୀହ କୋମଳ ମନରେ ଭାବୁଥିଲା ଗାଁକୁ ଆସି ଆଗଭଳି ପ୍ରଜାପତି ଧରିବ, ଝରଣା ପାଣିରେ ମନ ଭରି ଓଦା ହେବ, ଛେଳି କୁ ଧରିବାକୁ ତା ପଛରେ ଧାଇଁବ । ରେବତୀ ସହ ମିଶି ଖୁବ୍ ଖେଳିବ । ହେଲେ ତା ଭାବନା କେବଳ ଭାବନାରେ ହିଁ ରହିଗଲା ।
ମାଳତୀ ନିଜ ଗାଁ ଲୋକମାନଙ୍କ ସହ ଖୁବ୍ ଭଲ ଭାବରେ ପରିଚିତ ଥିଲା । ସେ ଜାଣିଥିଲା କେଶରୀ ଯଦି ଗାଁ କୁ ଯାଏ ତାହେଲେ ସେମାନେ ତାକୁ ଛାଡ଼ିବେନି । ଯେଉଁ ପାଇଁ ଏତେ କଷ୍ଟ ଭୋଗିଲା ପୁଣି ଯାଇ ସେଇ ନର୍କରେ ପଡ଼ିବ । ସେ ପୋଲିସ କୁ ସବୁ କହିଲା । ଏଥର କେଶରୀ ପାଇଁ ପୋଲିସ କର୍ମଚାରୀ କିଛି ନୂଆ ରାସ୍ତା ବାଛିଲେ ।
କେଶରୀ ଗାଁ କୁ ନଯାଇ କଟକର ଗୋଟେ (ଶିଶୁ ସୁରକ୍ଷିତ ସଂସ୍ଥା )ଚିଲଡ୍ରେନ ହୋମ ରେ ରହିବାକୁ ଗଲା । ସେଠାରେ ପଢ଼ା ସହିତ ଧନ୍ଦାମୂଳକ କାମ ମଧ୍ୟ ଶିଖିଲା । କେଶରୀ ଏବେ ନିଜ ଗୋଡ଼ରେ ଠିଆ ହୋଇଛି । ସେ ଦୁନିଆକୁ ଦେଖାଇ ଦେଲା ଅନ୍ୟାୟ କୁ ପ୍ରଶୟ ନଦେଇ କିପରି ତା ବିରୁଦ୍ଧରେ ଲଢାଯାଇ ପରେ । ସମସ୍ତେ ଯଦି କେଶରୀ ଭଳି ସାହସୀ ହେବେ ଏ ଦୁନିଆରେ ନାରୀ କେବେ ଅବଳା କି ଦୁର୍ବଳା ରହିବେନି ।
( ଓଡ଼ିଶାର 13 ବର୍ଷ ବୟସ୍କା ମିନତି ଗାଗରିଆ, ଯିଏ ଜଣେ ମୁଣ୍ଡା ଆଦିବାସୀ ସମ୍ପ୍ରଦାୟର ଝିଅ । ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କଠାରୁ ସାହସିକତା ପୁରସ୍କାର ଗ୍ରହଣ କରିଥିଲେ 2006 ରେ । ସେ ଶିଶୁ ବିବାହର ପ୍ରାଚୀନ ଆଦିବାସୀ ରୀତିନୀତି ବିରୁଦ୍ଧରେ ତୀବ୍ର ବିରୋଧ କରିଥିଲେ । " ମାଗା ପରଵ " ସିନ୍ଦୁର ଫିଙ୍ଗା ପରମ୍ପରା ରେ ନିଜ ବାପା ବୟସର ବ୍ୟକ୍ତି ସହିତ ବିବାହକୁ, ଅସ୍ବୀକାର କରି ନିଜକୁ କିପରି ଭାବରେ ବଂଚେଇ ଥିଲେ ତାର ଝଲକ । ଗଣତନ୍ତ୍ର ଦିବସ ଅବସରରେ ସମ୍ମାନଜନକ ଜାତୀୟ ସାହସିକତା ପୁରସ୍କାର ପାଇଥିଲେ ମିନତି ଗାଗରିଆ ।)
ସମାପ୍ତ ।