ଦୋ ଛକି
ଦୋ ଛକି
ପକ୍ଷୀ ମାନଙ୍କ ଠାରୁ ବହୁତ କିଛି ଶିଖିବାର ଅଛି, ସେମାନେ ସବୁବେଳେ ନିଜକୁ ସେମାନଙ୍କ କର୍ମ ଭିତରେ ବୁଡାଇ ରଖନ୍ତି, ଯେତିକି ଆବଶ୍ୟକ ସେତିକି ଆହାର ଗ୍ରହଣ କରନ୍ତି, ଠିକ ସମୟରେ ନିଦ୍ରା ଯାଆନ୍ତି ଓ ପ୍ରତ୍ୟୁଷରୁ ଉଠିପଡନ୍ତି, ଶତ୍ରୁ ଠାରୁ ନିଜକୁ ଯଥାସମ୍ଭବ ଦୁରେଇ ରଖିଥାନ୍ତି, ନିଜର ଛୁଆମାନଙ୍କୁ ଠିକ ଭାବେ ଉଡି ଶିଖିଲା ପର୍ଯ୍ୟନ୍ତ ପାଖେ ପାଖେ ରୁହନ୍ତି ତା ପରେ ତାଙ୍କୁ ତାଙ୍କ ବାଟ ରେ ଛାଡ଼ି ଦେଇଥାନ୍ତି ।
କେତେକ ବ୍ୟତିକ୍ରମ ବି ପରିଲିକ୍ଷିତ ହୁଏ କେତେକ ପକ୍ଷୀଙ୍କ କ୍ଷେତ୍ରରେ, ଯେମିତିକି କାଉ କୋଇଲି ବସାରେ ଅଣ୍ଡା ଦେଇଥାଏ, ଆଉ ଇଗଲ ପିଠିରେ ବସିଯାଏ ଉଡିବାକୁ ତ ଇଗଲ ଚାଲାକି କରି ବହୁଦୂର ଉଡ଼ିଯାଏ ତା ପାରୁ ପର୍ଯ୍ୟନ୍ତ, କାରଣ ସେ ଜାଣିଥାଏ କାଉ ଏତେବାଟ ଉଡି ପାରିବ ନାହିଁ,ଅମ୍ଳଜାନ କମିଯିବା ଅନୁଭବ କରି ନିଜେ ନିଜେ ତଳକୁ ଉଡିବାକୁ ଆରମ୍ଭ କରିବ, ତେଣୁ ଇଗଲ ଠୁ ବୋଧହୁଏ ଏହି କଥା ଶିଖିବା କଥା ଶତ୍ରୁ ଯେତେ ହିଂସା, ଇର୍ଷା, ଅହଙ୍କାର କରିବ ତାକୁ ପରାସ୍ତ କରିବାର ଏକମାତ୍ର ଉପାୟ ତୁମକୁ ଶୀର୍ଷ ବା ଶିଖରରେ ପହଂଚିବାକୁ ପଡିବ ତ ତାର ହୋସ ଉଡିଯିବ ଛାତି ଫାଟିଯିବ ସେ ଅଣନିଶ୍ଵାସୀ ହୋଇ ଇର୍ଷା ରାଗ ଦ୍ୱେଷ ଛାଡ଼ିଦେବl
ହେଲେ କୁକୁଡ଼ା ଖାଦ୍ୟ ଥାଳି ରୁ ବତକ ଟି ଖାଦ୍ୟ ଚୋରାଇନେଉଥିବାର ଉପାୟ ବାହାର କରିବାକୁ ଯାଇ ମୁଁ ଯେବେ ଖାଦ୍ୟ ଥାଳିଆ ଉଚ୍ଚ କୁ ରଖିନେଲି ତ ନା କୁକୁଡ଼ା ଖାଇଲେ ନା ବତକ ଖାଇ ପାରିଲା, ବିନା କାରଣ ରେ ଖାଦ୍ୟ ନଷ୍ଟ ହେଲା, ମାଆ ବତକର ଚୋରଣୀ ଗୁଣ କେବଳ ତା ଛୋଟ ଛୁଆଙ୍କ ପାଇଁ, କିନ୍ତୁ ତାକୁ ପାଳିଥିବା ମାଲିକ ପ୍ରତି ଅସୂୟା ଭାବ ପ୍ରଦର୍ଶନ କଲେ ବିଚରା ବତକ ଟିକୁ କଷ୍ଟ ନିଶ୍ଚୟ ହେବ, କେତେ ବା ଜାଣେ ସେ ଏ ଦୁନିଆଁକୁ ତାଛଡା କେତେ ବା ଖାଇବ ଓ ଖୁଆଇବ ସେ ତା ଛୁଆମାନଙ୍କୁ?
ସବୁ ଉଦାହରଣ ସବୁଠି ପ୍ରୟୋଗ ତ ଉଚିତ ନୁହେଁ ର ଦୋଛକି ଭାବନାରେ ଖାଦ୍ୟ ଥାଳିଆ ଓ ପାଣି ଗିନା ରେ ଅଧିକା ଖାଦ୍ୟ ଓ ଅଧିକ ପାଣି ରଖିନେଲି ତ ଦେଖାଗଲା ଚୋରୀ ନକରି କୁକୁଡ଼ା ଓ ବତକ ସାଙ୍ଗ ହୋଇ ଖାଉଥିଲେ, ପଡୋଶୀ ମଧ୍ୟ ତୁମ କୁକୁଡ଼ା ମୋ ବାଡ଼ିରେ କାହିଁକି ପଶିଲାର ଅଭିଯୋଗ ବାଢ଼ୁନଥିଲା ଆଗପରି l
