ଦଲାଲ
ଦଲାଲ
ଦୁଇଦିନ ହେଲାଣି ଝିଅଟିକୁ ଖୋଜି ଖୋଜି ଆମେ ସ୍ୱାମୀ ସ୍ତ୍ରୀ ଦୁଇଟା ନୟାନ୍ତ ହେଇଗଲୁଣି । ବିଦ୍ୟାଳୟଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ଯାଏ ଏପରିକି ଗାଁ କୂଅମୂଳ ପୋଖରୀ ତୁଠକୁ ବି ବାଦ୍ ଦେଇନୁ, କିନ୍ତୁ ବାବୁ ଝିଅର କିଛି ଖବର ମିଳୁନି। ସାଙ୍ଗସାଥି କେହି ବି କିଛି କହିପାରୁନାହାନ୍ତି। ଆମକୁ ଦୟା କରନ୍ତୁ ସାହେବ।"
କାନ୍ଦି କାନ୍ଦି ଧନୁ ମୁଣ୍ଡା ପୁଲିସବାବୁଙ୍କୁ ଗୁହାରି କରୁଥିଲା।ହେଲେ ଖାକି ପୋଷାକ ପିନ୍ଧି ଆରାମରେ ଚୌକି ଉପରେ ବସି ପାନ ଚୋବାଉ ଥିବା ବାବୁ ଫୋନ୍ ରେ କଥା ହେବାରେ ଏତେ ବ୍ୟସ୍ତ ରହିଥିଲେ ଯେ ତାଙ୍କ କାନରେ ଧନୁର କଥା ଯେମିତି କିଛି ପଶୁ ନଥିଲା।ସେ ବି ତ ମଳିମୁଣ୍ତିଆ ଲୋକ ଜୋର୍ କରି ବାବୁଙ୍କୁ କଣ ବା କହିବ?ଏମିତିକି ସେଠି ତା'ର ଚିହ୍ନା ଜଣା ଲୋକ ବି କେହି ନାହାନ୍ତି।କିଏ ତା କଥା ଶୁଣିବ।
ଧନୁ ବାରମ୍ବାର ଅନୁରୋଧ କରି ଚାଲିଥାଏ।ତା' ଝିଅକୁ ଟିକେ ଖୋଜି ଦେବାକୁ।ଶେଷକୁ ବାବୁ ଟିକେ ବିରକ୍ତ ହେଇ କହିଲେ,ହଉ ଯା',ଆଗ FIR ଟା ଲେଖା।ତା'ପରେ ତୋ କଥା ବୁଝିବା।ବାବୁଙ୍କ ଏ ଇଂରାଜୀ ଶଦ୍ଦ ଗୁଡାକ ଭାରି ଅଡୁଆ ଲାଗିଲା।ସେ କିଛି ବୁଝି ପାରିଲା ନାହିଁ।ଖାଲି ଲୋତକ ପୂର୍ଣ୍ଣ ଆଖିରେ ଚାହିଁ ରହିଲା।ବାବୁ ଖୁବ୍ ଉଚ୍ଚ ସ୍ବରରେ ମଦନା(କନେଷ୍ଟବଲ)କୁ ଡାକି FIR ଲେଖିବା ପାଇଁ କହି ପୁଣି ଫୋନ୍ ରେ କଥା ହେବାକୁ ଲାଗିଲେ।
କନେଷ୍ଟବଳ ବାବୁ ଜଣଙ୍କ ଧନୁକୁ ଡାକି ନେଇ FIR ଲେଖିବାକୁ ଆରମ୍ଭ କଲେ।ସେ ତାକୁ ପ୍ରଥମେ ତା'ଝିଅର ନାଁ ପଚାରିଲେ।ଧନୁ ନିଜ ଆଖି ଲୁହ ତା କାନ୍ଧରେ ପଡିଥିବା ମଇଳା ଗାମୁଛାରେ ପୋଛୁପୋଛୁ କହିଲା,"ଚୁମକି"।ତୋ ଝିଅ ତୋ ଅଜାଣତରେ କାହାକୁ ପ୍ରେମ କରୁଥିଲା କି?ହଠାତ୍ ପୋଲିସ୍ ବାବୁଙ୍କ ଏ ପ୍ରଶ୍ନରେ ଲଥ୍ କରି ତଳେ ବସି ପଡିଲା।କ'ଣ କହିଲ ପ୍ରେମ !୬ବର୍ଷର କଅଁଳ ଝିଅଟା କାହାକୁ ପ୍ରେମ କରିବ ବାବୁ।କନେଷ୍ଟବଳ ଜଣଙ୍କ ମୁହଁ ତଳକୁ କରି ବସିଲେ।ତା'ପରେ କ'ଣ ସବୁ ଲେଖି ଦୁଇଦିନ ପରେ ଆସିବାକୁ କହିଲେ।ଧନୁ ନିଜ ଆଖି ଲୁହପୋଛି ବାହାରକୁ ଚାଲି ଆସିଲା।
ଖୁବ୍ ଅସହାୟ ଓ ବିବଶତାରେ ସେ ଘରକୁ ଫେରିଲା।ଦାଣ୍ତ ଦୁଆର ପିଣ୍ତାରେ ଥିବା ବାଉଁଶ ଖମ୍ବକୁ ଆଉଜି ବସି ପଡିଲା।ଆଉ ସ୍ଥିର କଲା ଏ ନିର୍ଦ୍ଦୟ ବାବୁ ମାନେ କିଛି କରିବେନି।ମତେ ଏକାଏକା ମୋ ଝିଅକୁ ଖୋଜିବାକୁ ପଡିବ।ମନେ ମନେ ଏ କଥା ଚିନ୍ତା କରି ସେ ଦୀର୍ଘ ନିଶ୍ବାସ ଛାଡିଲା।ଏତିକି ବେଳେ ତା'ସ୍ତ୍ରୀ ସପନି ଆସି ଝିଅ ଖବର ପଚାରି ଦେବାରୁ ସେ ଜୋର୍ ରେ କାନ୍ଦି ଉଠିଲା ଆଉ ପୋଲିସ୍ ବାବୁ କହିଥିବା କଥା ସବୁ କହିଲା।ଧନୁ ଠାରୁ ସବୁ ଶୁଣି ସେ ମୁଣ୍ତରେ ହାତ ଦେଇ ବସି ପଡିଲା।
ଦୁଇଦିନ ହବ ଘରେ ଚୁଲି ଜଳିନି।ଅଲିଅଳି ଝିଅର ନିଖୋଜ ଖବର ବାପା ମା ଦୁଇ ଜଣଙ୍କୁ ଯେମିତି ଜଡ କରି ଦେଇଛି।କଣ କରିବେ କିଛି ଚିନ୍ତା ବି କରିପାରିଲେନି।ସେମିତି ଶୋଇପଡିଲେ।ପରଦିନ ସକାଳୁ ସକାଳୁ ଗୋଟିଏ ପୋଲିସ୍ ଗାଡି ଆସି ଧନୁ ମୁଣ୍ତା ଦୁଆରେ ଲାଗିଲା।ଧନୁ ଓ ତା'ସ୍ତ୍ରୀ ଦୁହେଁ କିଛି ଭଲ ଖବର ପାଇବା ଆଶାରେ ଦଉଡି ଆସିଲେ।ଗାଡି ଭିତରୁ ଜଣେ ଖାକି ପିନ୍ଧା ବାବୁ କହିଲେ ,ବଡବାବୁ କହିଛନ୍ତି ଆମ ସାଙ୍ଗରେ ଆସ।ଆଗକୁ କିଛି ପ୍ରଶ୍ନ ନ କରି ସ୍ବାମୀ ସ୍ତ୍ରୀ ଦୁହେଁ ଗାଡିରେ ବସିଲେ।ଗାଡି ଯାଇ ଲାଗିଲା ପୋଲିସ୍ ଥାନା ଆଗରେ।ସପନିର ମନ ମା'ର ମନ।କିଛି ଅଘଟଣ ଘଟିବାର ଚିନ୍ତା କରି ତା'ମନକୁ ଖାଲି ପାପ ଛୁଉଁ ଥାଏ।
ସମସ୍ତେ ଥାନା ଭିତରକୁ ପଶିଲେ।କାଲି FIR ଲେଖୁଥିବା କନେଷ୍ଟବଳ ଜଣଙ୍କ ଧନୁ ଓ ତା'ସ୍ତ୍ରୀକୁ ନେଇ ହାଜତରେ ଥିବା ଚାରି/ପାଞ୍ଚ ଜଣ ଲୋକଙ୍କୁ ଦେଖାଇଲା।ହେଲେ ସେମାନଙ୍କ ମଧ୍ୟରୁ ସେ ଦୁହେଁ କାହାକୁ ବି ଚିହ୍ନି ପାରୁନଥିଲେ କି କଣ ପାଇଁ ଏ ସବୁ ହେଉଛି କିଛି ବୁଝି ପାରୁ ନଥିଲେ।ହଠାତ୍ ବାବୁ ଜଣଙ୍କ ତା'କୁ ବୁଝେଇ ଦେଇ କହିଲେ ,ଏମାନଙ୍କୁ କାଲି ଗାଁ ପାଖ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ଘରୁ ଧରି ଅଣା ଯାଇଛି।ସେମାନଙ୍କ ସହ କିଛି ଛୋଟ ପିଲା ବି ଥିଲେ।ପୋଲିସ୍ ବାବୁ ସବୁ ପିଲାଙ୍କୁ ଆଣି ଦେଖାଇଲେ।ଧନୁ ସମସ୍ତଙ୍କ ଭିତରେ ତା'ଝିଅ ଚୁମକି କୁ ଦେଖି ଖୁବ୍ ଜୋର୍ ରେ କାନ୍ଦିବାକୁ ଲାଗିଲା। ସେ ଦଉଡି ଯାଇ ତା'ଝିଅକୁ କୋଳେଇ ନେଇ ତା'ମୁହଁ,ମୁଣ୍ତ ରେ ଚୁମା ଦେବାକୁ ଲାଗିଲା।ସତେ ଯେମିତି ତା'କୁ ଆଜି କୋଟିନିଧି ମିଳିଗଲା।
ଚାରିଦିନ ହେଲାଣି ତା'ନୟନ ପିତୁଳାକୁ ନ ଦେଖି ସେ ଯେମିତି ଅନ୍ଧ ହେଇଯାଇଥିଲା।ସେ ଅଜଣା ଅପରାଧି ମାନଙ୍କ ଉଦ୍ଦେଶ୍ଯ କ'ଣ ଥିଲା ଜାଣିବାକୁ ଚାହିଁଲାରୁ ପୋଲିସ୍ ବାବୁ କହିଲେ ସେମାନେ ସମସ୍ତ ଆର୍ନ୍ତରାଜ୍ୟ ଦଲାଲ।ଛୋଟ ପିଲାମାନଙ୍କୁ ଅନ୍ୟରାଜ୍ୟକୁ ଚାଲାଣ କରିବା ତଥା ସେମାନଙ୍କ ଅଙ୍ଗ କାଢି ନେଇ ବିକ୍ରି କରିବା ସେମାନଙ୍କର କାମ।ବାବୁଙ୍କ କଥା ଶୁଣି ଧନୁ ଓ ତା'ସ୍ତ୍ରୀ ପାଦତଳୁ ସତେ ଯେମିତି ମାଟି ଖସିଗଲା।ସପନି ନିଜ ଝିଅକୁ ଭୟରେ ଚାପି ଧରିଲା।ତା'ଝିଅର କିଛି......।ନା ନା ସେମିତି ହେଇ ନଥିବ।ସେ ଆଉ କିଛି ଭାବି ପାରିଲା ନାହିଁ।ନିଜ ଝିଅକୁ ଭଲ ଭାବରେ ଚାହିଁଲା।ସବୁ ଠିକ୍ ଠାକ୍ ଅଛି।ତା' କୁନି ଝିଅ ଚୁମକିର ମୁହଁ ସକାଳର କଅଁଳ କିରଣରେ ଖୁବ୍ ଚିକ୍ ଚିକ୍ କରୁଥିଲା।ତା' ଓଠ ଧାରରେ ଲାଖି ରହିଥିଲା ସେ ନିରିହ ହସ ଟିକକ।
ଧନୁ ଓ ତା'ସ୍ତ୍ରୀ ଦୁହେଁ ଭଗବାନଙ୍କୁ ଧନ୍ୟବାଦ ଦେଇ ନିଜ ଝିଅକୁ ଧରି ଘରକୁ ଫେରୁଥିଲେ।ହେଲେ ଦୁହିଁଙ୍କ ମନରେ ଏବେ ବି ସେ ଗୋଟିଏ କଥା ସତରେ ଦଲାଲ ମାନେ ତାଙ୍କ ଝିଅ ସହ କିଛି କରି ନାହାନ୍ତି ତ!!!!!