NIBEDITA MOHAPATRA

Tragedy

2.8  

NIBEDITA MOHAPATRA

Tragedy

ଅସହାୟ ପିତା

ଅସହାୟ ପିତା

4 mins
587



ରଘୁଆ ଘର ଛପର,ଇଟା ପକେଇବା,ଧାନ ଗଦା କରିବା,ହେଁସ ମସିଣା ବୁଣିବା,ଗାଈ ଦୁହିଁବା ଆଦି କାମରେ ଧୁରନ୍ଧର । ଯେତେ କାମ କଲେ ବି ଚାରିପ୍ରାଣୀ କୁଟୁମ୍ବ ପୋଷିବାକୁ ତା ପାଇଁ କାଠିକରପାଠ । ତା'ର ଦେହ ମୁଣ୍ଡ ଖରାପ ହୋଇଗଲେ ଦିନେ ଦିନେ ଚୁଲି ଅଜଳା ରହିଯାଏ । ଦୁଇ ବଖରା ବାଡତାଟି ଦିଆ ଚାଳ ଛପର ଘର । ସେଥିରେ ଚାରି ପ୍ରାଣୀ ରହନ୍ତି । ନିର୍ବାଚନ ପରେ ରଘୁଆ ଅନ୍ୟମାନଙ୍କ ମୁହଁରୁ ଶୁଣି ମନେ ମନେ ଖୁସି ହେଉଥାଏ ଯେ ତା'ର ଏ ଅବସ୍ଥା ସୁଧୁରି ଯିବ । ସେ ଆଉ ଗରିବ ହୋଇ ରହିବ ନାହିଁ । ମନରେ ଅସୁମାରୀ ଆଶା ନେଇ ସେ ଅପେକ୍ଷା କରିଛି କେତେବେଳେ ତା ଭାଗ୍ୟାକାଶରେ ପୂର୍ଣ୍ଣିମାର ଚାନ୍ଦ ଉଇଁବ । କାଳିଆ ଯୋଜନା,ଆବାସ ଯୋଜନା,ଆହାର ଯୋଜନା,ସୁକନ୍ୟା ଯୋଜନା,ଉଜ୍ଜ୍ବଳା ଯୋଜନା.....କେତେ ଯୋଜନା । କିଛି ଗୋଟେ ତାକୁ ମିଳନ୍ତା କି!


ଘରେ ବଢିଲା ଝିଅ । ତା'ବାହାଘର ପାଇଁ ଯାହା କିଛି ଯୋଗାଡ କରିଥିଲା ସେ ସବୁ ସମୁଦ୍ରକୁ ଶଙ୍ଖେ । ଦିନକୁ ଦିନ ଝିଅର ବୟସ ସହ ବରପକ୍ଷର ଚାହିଦା ବି ବଢିବାରେ ଲାଗିଛି । କ'ଣ କରିବ ସେ କିଛି ବି ଜାଣି ପାରୁନି । ପୁଅ ବି ଅଧିକ ପାଠ ପଢିବ ବୋଲି ରୋକ୍ ଠୋକ୍ ଶୁଣେଇ ସାରିଛି । ଭଲ ପଢୁଥିବାରୁ ସେ ମନା ବି କରିପାରୁନି । ତେଣେ ଦୁଇବର୍ଷ ହେବ ଘର ଛପର ହେଇପାରୁନି ବୋଲି ଘରେ ଖରା,ବର୍ଷା ସମସ୍ତେ ଅତିଥି ସାଜିଛନ୍ତି । ଏତେ ସବୁ ଚିନ୍ତା ସତେ ଯେମିତି ବୋଝ ଉପରେ ନଳିତା ବିଡା । ଦିନକୁ ଦିନ ସେ ମାନସିକ ସ୍ତରରେ ଖୁବ୍ ଦୁର୍ବଳ ହେଇ ପଡୁଛି । ତଥାପି ସ୍ତ୍ରୀ ପିଲାଙ୍କ ମୁହଁକୁ ଚାହିଁ ତାକୁ ସବୁ ସହିବାକୁ ପଡୁଛି ।


ନିର୍ବାଚନ ସମୟରେ ନେତା,ବିଧାୟକଙ୍କ ପ୍ରତିଶ୍ରୁତି ତା'ଜୀବନରେ ନୂଆ ଆଶା ସଂଚାର କରିଥିଲା । ହେଲେ ଧିରେଧିରେ ସେ ଆଶା କ୍ଷୀଣ ହବାରେ ଲାଗିଲାଣି । ବାହାଘର ପରେ ବେଦୀ ମୁହଁ ପୋଡା ପରି ନିର୍ବାଚନ ପରେ ଆଉ ତାକୁ କେହି ପଚାରୁନାହାନ୍ତି । କାଲି ସରପଞ୍ଚ ବାବୁ କହୁଥିଲେ କଣ ଗୋଟେ "କାଳିଆ ଯୋଜନା"ହେଇଛି । ସେଥିରେ ଗରିବ ଲୋକମାନଙ୍କୁ ଟଙ୍କା ମିଳିବ । ସବୁ କାଗଜ ପତ୍ର ନେଇ ସେ ସରପଞ୍ଚଙ୍କୁ ଦେଇଛି । ହେଲେ ହାତକୁ ଟଙ୍କା ନ ଆସିଲା ଯାଏଁ କି ଭରସା । ଏମିତି ଗୁଡାଏ ଏଣୁତେଣୁ କଥା ଭାବୁଭାବୁ କେତେ ବେଳେ ଯେ ଆଖି ଲାଗିଯାଇଛି ତାକୁ ଜଣାନାହିଁ ।


ହଠାତ୍ କାହା ଡାକରେ ତା'ନିଦ ଭାଙ୍ଗିଗଲା । ଉଠି ଦେଖିଲା ବେଳକୁ ସନିଆ ଭାଇ । କଣ କହୁଥିଲ ଭାଇ,କ୍ଷୀଣ ଗଳାରେ ପଚାରିଲା ରଘୁ । ତୁ ଏଠି ଶୋଇଛୁ । ଚାଲ,ପଞ୍ଚାୟତ ଅଫିସ୍ । ସେଠି ତତେ ଖୋଜୁଛନ୍ତି । ରଘୁର ନିଦୁଆ ଆଖି ଟିକେ ସଜଳ ଦିଶିଲା । ସେ ଆଉ କିଛି ନ କହି ସନିଆ ସହ ଚାଲିଲା ପଞ୍ଚାୟତ ଘରକୁ । ପଞ୍ଚାୟତ ଘରେ କେତେ ଲୋକ ଭିଡ ଜମେଇଛନ୍ତି । ସନିଆ ତାକୁ କହିଦୋ,କାଳିଆ ଯୋଜନାରେ ଯେଉଁ ମାନେ ଟଙ୍କା ପାଇବା ପାଇଁ ଯୋଗ୍ୟ ସେମାନଙ୍କ ନାଁ ବାହାରିଛି । ରଘୁ ଦେଖିଲା ସମସ୍ତେ ନିଜ ନିଜର ନାଁ ଗୋଟେ ବଡ କାଗଜରୁ ଖୋଜିବା ପାଇଁ ଓ୍ବାର୍ଡ ମେମ୍ବର ଙ୍କୁ କହୁଥାନ୍ତି । ସେ ବି କାହା କାହା ନାଁ କହୁଥାନ୍ତି ତ କାହାକୁ ମନା ବି କରୁଥାନ୍ତି । ରଘୁ ମନରେ ଏକ ଅଜଣା ଛନକା ପଶିଲା । ତା'ନାଁ ଏ କାଗଜରେ ଅଛି ଟି?


ଟିକେ ଭିଡ ଠେଲି ସେ ଆଗକୁ ବଢିଲା । ତା'ନାଁ ଟା ଖୋଜିଦେବାକୁ ସେ ବାବୁଙ୍କୁ ଅନୁରୋଧ କଲା । ଦୁଇ ତିନି ଥର କାଗଜଟା ଏପଟ ସେପଟ କରି ଦେଖିବା ପରେ ବାବୁ କହିଲେ,ତୋ ନାଁ ନାହିଁ । ରଘୁ ମୁଣ୍ତରେ ସତେ ଯେମିତି ଆକାଶଟା ଖସିପଡିଲା । ସେ ଫେରି ଆସି ଲଥ୍ କରି ପଞ୍ଚାୟତ ଘର ପିଣ୍ତାରେ ବସି ପଡିଲା । ତା'ଆଖି ଆଗରେ ସବୁ ସ୍ବପ୍ନ ପାଣି ଫୋଟକା ପରି ମିଳେଇଗଲା ପରି ଲାଗିଲା । କଣ ସେ ବା କରିପାରିବ । କେତେ ରାତି ଉଜାଗରରେ ବିତିଛି ଭାବନାରେ,କେତେ ଦିଅଁ ଦେବତାଙ୍କୁ ମାନସିକ କରିଛି କିଛି ଗୋଟେ ସରକାରୀ ସହାୟତା ପାଇବା ପାଇଁ;ହେଲେ ଆଜି ଫଳ ଶୂନ । ଗାଁର କେତେ ବଡ ବଡ ଲୋକଙ୍କର ନାଁ ଆସିଛି ;ହେଲେ ତା'ନାଁ ନାହିଁ । ବିଶ୍ଵାସ କରିପାରୁ ନଥିଲା ସେ ।


ଭଙ୍ଗା ମନ ନେଇ ସେ ଘରକୁ ବାହାରିଲା । କିନ୍ତୁ ଘର ଗଲେ କ'ଣ ହେବ । ସେଇ ଚିତାଚରିତ ଘଟଣା ତା'ସ୍ତ୍ରୀ ଘରର ଅସୁବିଧା କଥା କହି ଅଭିମାନ କରିବ । ପିଲାମାନଙ୍କର ଭୋକିଲା ମୁହଁ,ଝିଅର ଅଭିଳାଷ,ପୁଅର ଉଚ୍ଚ ଆକାଂକ୍ଷା......... । ଓଃ ଖୁବ୍ ବ୍ୟସ୍ତ ହେଇପଡିଲା ରଘୁ । କ'ଣ କରିବ?ତା'ମୁଣ୍ତ ଘୁରେଇ ଦେଲା । ହଠାତ୍ ତଳେ ପଡୁପଡୁ ଧରି ନେଲା ସହଦେବ । କ'ଣ ଭାଇ ଏମିତି ଚାଲୁଛ!ପ୍ରକୃତିସ୍ଥ ହେଲା । ନିଜକୁ ସମ୍ଭାଳି ନେଇ ଧିରେ ଧିରେ ଯାଇ ଘରେ ପହଞ୍ଚିଲା । ପିଲାମାନେ କେହି ଘରେ ନଥିଲେ । ସ୍ତ୍ରୀ ରୋଷେଇରେ ବ୍ୟସ୍ତ । ଯାହା କିଛି ଅଛି ଆଜି ପାଇଁ ପୁଣି କାଲି କି କଣ ହେବ କିଏ ଜାଣେ । ଆଜି ତା' ମନ ଖୁବ୍ ଭାରାକ୍ରାନ୍ତ ହେଇଛି । ବଞ୍ଚିବାର ଆଉ ଇଚ୍ଛା ନାହିଁ । ସବୁଦିନ ପିଲାମାନଙ୍କୁ କଷ୍ଟରେ ଦେଖିବା ଅପେକ୍ଷା ମରିଯିବା ଠିକ୍ ହେବ ।

ଏମିତି ଏକ କୁତ୍ସିତ ଚିନ୍ତା କରି ସେ କିଛି ଭୁଲ୍ କରୁଛି କି?ନା ନା ଭୁଲ୍... । ଆଜି ସବୁ ଶେଷ ହେବ । ଏମିତି ଭାବୁଭାବୁ ସେ ପାଖରେ ଥିବା ଦାନାଦାର ଜରିରୁ କିଛି ଆଣିଲା । କେହି କିଛି ଭାବିବା ଆଗରୁ ପାଟିରେ ପକେଇଲା । ତା'ଆଖିରେ ବଞ୍ଚିବାର ଇଚ୍ଛା ଲୁହ ହେଇ ଜକେଇ ଆସିଲା । ଆଖି ଆଗରେ ଚଳଚ୍ଚିତ୍ରର କାହାଣୀ ପରି ତା'ସ୍ତ୍ରୀ ଓ ପିଲାମାନଙ୍କ ମୁହଁ,କଥା,ଆପତ୍ତି,ଅଭିଯୋଗ ସବୁ ଭାସି ଉଠିଲା । ଭାରି ଇଚ୍ଛା ଥିଲା ଝିଅର ବାହାଘର କରିବ,ପୁଅକୁ ଅଫିସର କରିବ ;ହେଲେ ଆଜି ସବୁ କିଛି ଝାପ୍ସା ହେବାରେ ଲାଗିଲା । ଆଖି ଆଗରେ ଇନ୍ଦ୍ର ଜାଲର ଧୂଆଁଳିଆ ଝଲକ । ବାସ୍ ତା'ପରେ ସବୁ କିଛି ଶେଷ । ରଘୁର ସ୍ତ୍ରୀ ଆସି ଯେତେ ଡାକୁଥିଲେ ବି ସେ ପୁରା ନିଶ୍ଚଳ ହେଇ ବସିଥିଲା ଭଙ୍ଗା କାନ୍ଥକୁ ଆଉଜି ।


ସରକାରଙ୍କ ନିର୍ଦ୍ଦେଶରେ କାଯ୍ୟ କରୁଥିବା କିଛି ଯୋଜନା ର ଅସଫଳତା କୁ ଦର୍ଶାଇବା ପାଇଁ ମୁଁ ଏ ଗଳ୍ପାଂଶକୁ ପସନ୍ଦ କଲି ।


Rate this content
Log in

Similar oriya story from Tragedy