ତେଲୁଣି ପୋକ
ତେଲୁଣି ପୋକ
ସକାଳୁ ସକାଳୁ ଗହଳି ଶୁଣି ଜେଜୀ ବାରି ପଟକୁ ଧାଇଁ ଆସିଲା।କ'ଣ କରୁଛ ସବୁ କିରେ?ଖୁବ୍ ତାଗିଦ୍ ପୂର୍ଣ୍ଣ କଣ୍ଠସ୍ବରରେ ସେ ପଚାରିଲା।ତାକୁ ଦେଖି ଦେଇ ଆମେ ସମସ୍ତେ ପୁରା ଡରି ଯାଇଥିଲୁ।ତଥାପି ସାହାସ କରି ଭାଇନା କହିଲା,ଆମେ....ଆମେ....ୟାକୁ...।ବାସ୍ ଆଉ କିଛି କହିବା ଆଗରୁ ଜେଜୀ ଦେଖି ନେଇଥିଲା ତଳେ ଗୋଲ ଗୋଲ ହେଇ ପଡିଥିବା ଦୁଇ ତିନୋଟି ତେଲୁଣି ପୋକ।ହଇରେ ଚଣ୍ତାଳ କ'ଣ ପାଇଁ ଏଲୁଣି(ତେଲୁଣିକୁ ମା' ଏଲୁଣି କହେ)କୁ ହଇରାଣ କରୁଛ କିରେ?ଛାଡ..ଛାଡ ତାକୁ।ହେଲେ ଭାଇନା ତ ଛାଡିବା ପିଲା ନୁହଁ।କହିଲା,ରହ ମା'।ଆମକୁ ଟିକେ ଖେଳିବାକୁ ଦେ। କ'ଣ କହିଲୁ,ଏଲୁଣି ସାଙ୍ଗରେ ଖେଳିବୁ,ଚାଲ୍ ଯା' ଏଠୁ। ଜେଜୀର ଗାଳିରେ ରାଗିଯାଇ ଭାଇନା ବାଡି ଫୋପାଡି ଦେଇ ରାଗ ତମତମ ହେଇ ଘର ଭିତରକୁ ଚାଲିଗଲା ଆଉ ତା ପଛେପଛେ ଆମେ ବି ଚାଲିଲୁ।
ଜେଜୀ ଭାଇନାର ରାଗିବା କଥା ଜାଣି ପାରିଲା।ସେ ତେଲୁଣି ପୋକ ସହ କ'ଣ କଲା ଆମେ ଦେଖିନୁ।ଭାଇନା ସେଦିନ ରାଗିଥିଲା ବୋଲି ଜେଜୀ ସହ ଜମା ବି କଥା ହେଲାନି।ସବୁଦିନ ରାତିରେ ଆମେ ପାଞ୍ଚ ଭାଇ ଭଉଣୀ ଜେଜୀ ପାଖରେ ଶୋଉ।କାହିଁକି ନା ଜେଜୀ ଆମକୁ ସବୁଦିନ ରାତିରେ ନୂଆ ନୂଆ ଗପ ଶୁଣାଏ।ଭାଇନା ରାଗିଥିଲେ ବି ଅଭ୍ୟାସଗତ କାରଣ ଯୋଗୁଁ ଜେଜୀ ପାଖରେ ଯାଇ ଶୋଇଥିଲା;ହେଲେ ଟିକେ ଦୂରେଇ।ଜେଜୀ ସେଦିନ ଆମକୁ ତେଲୁଣି ପୋକ ଉପରେ ଗୋଟିଏ ଗପ କହିଲା।ଗପଟି କାଳ୍ପନିକ କି ସତ ଜାଣି ନଥିଲୁ ତଥାପି ତାହା ଆମ ପାଇଁ କିନ୍ତୁ ଆନନ୍ଦଦାୟକ ଥିଲା।ଜେଜୀ ଗପ କହିବା ଆରମ୍ଭ କଲା.....
ବହୁତ ଦିନ ତଳର କଥା।ତମ ବାପା,ବଡବାପା ପିଲାଦିନେ ଭାରି ଦୁଷ୍ଟ ଥିଲେ।ସେମାନେ ପ୍ରାୟ ସବୁବେଳେ ଖେଳିବାରେ ସମୟ ବିତାଉଥିଲେ।ଦିନେ ସେମାନେ ଖେଳୁଥିବା ସମୟରେ ଗୋଟିଏ ଲାଲ୍ ପୋକକୁ ପତ୍ରରେ ଧରି ଗୁଡେଇ ଖେଳୁଥିଲେ।ସେମାନେ ଜାଣି ନଥିଲେ ସେଇଟା ଗୋଟିଏ ଏଲୁଣି ବୋଲି।ହଠାତ୍ ତମ ବଡବାପା ସେ ପୋକକୁ କାଠିରେ ଛୁଇଁ ଦେଲା ଆଉ ସେ ପୁରା ଗୋଲ୍ ହେଇଗଲା।ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ।ଡରିଯାଇ ସେ ପୋକକୁ ସେମିତି ପତ୍ରରେ ଧରି ତାଙ୍କ ବାପା ମାନେ ତମ ଜେଜେଙ୍କ ପାଖକୁ ଆସିଲେ।ସେ ପୋକଟିକୁ ଚିହ୍ନେଇ ତା ବିଷୟରେ ଅନେକ ଜାଣିବା କଥା କହିଲେ।
ତା'ପରେ କ'ଣ ହେଲା ଜେଜୀ।ତା'ପରେ ସମସ୍ତେ ସେ ପୋକ ଟିକୁ ବାହାରେ ଛାଡି ଦେଇ ଆସିଲେ।ସେଦିନ ଠାରୁ ସେମାନେ କେବେ ବି ସେ ପୋକକୁ ଧରନ୍ତିନି।କିନ୍ତୁ କିଛି ଦିନ ପରେ ଦିନେ ଏକ ଅଦିନିଆ ବର୍ଷା ରାତିରେ ପୁଣି ସେ ଏଲୁଣି ଆମ ଘରେ ଦେଖାଗଲା।ଜେଜେଙ୍କ ଚାଦର ଉପରେ ସେ ଧିରେଧିରେ ଚାଲୁଥିଲା।ହେଲେ ସେଥିପ୍ରତି କାହାରି ନଜର ନଥିଲା।ରାତିର ଅନ୍ଧାରରେ ସେ ଚାଲିଚାଲି ଯାଇ ଜେଜେଙ୍କ କାନରେ ପଶିଗଲା।ଜେଜେ ଜୋର୍ ରେ ଚିତ୍କାର କରି ଉଠିଲେ।ସମସ୍ତେ ଉଠି ଦୌଡିଲେ ତାଙ୍କ ପାଖକୁ।ସୌଭାଗ୍ୟବଶତଃ ସେ ପଶିବା ଆଗରୁ ଜେଜେ ତାକୁ ହାତରେ କାଢି ନେଇଥିଲେ।ସେଦିନ ଠାରୁ ମୋର ସେ ପୋକକୁ ଭାରି ଭୟ।ଆଜି ତମେ ଖେଳିଲା ବେଳେ କାଳେ ଅଜାଣତରେ ସେ ପୋକ ତମର କିଛି କ୍ଷତି କରିଦବ ସେଥିପାଇଁ ମୁଁ ତମକୁ ପାଟି କଲି।ଏତିକି ଶୁଣି ଭାଇନା ଜେଜୀ ପାଖକୁ ଲାଗି ଆସି କହିଲା,"ମା'ମୋର ଭୁଲ୍ ହେଇଯାଇଛି।କାଲିଠାରୁ ମୁଁ ଆଉ ତୋ ଉପରେ ରାଗିବିନି।ତୁ ମୋ ଭଲ ପାଇଁ କହିଲୁ ହେଲେ ମୁଁ ତତେ ଭୁଲ୍ ବୁଝିଲି।"
ଜେଜୀ ଭାରି ସ୍ନେହରେ ଭାଇନାକୁ କୋଳେଇ ନେଇ ତା ମୁଣ୍ତରେ ଚୁମା ଟିଏ ଦେଲା।ତାପରେ ସମସ୍ତେ ଆନନ୍ଦରେ ଶୋଇପଡିଲୁ।ମୁଁ ଆଜିବି ତେଲୁଣି ପୋକକୁ ଦେଖିଲେ ଜେଜୀର କଥା ମନେ ପକାଏ।ହେଲେ କେବେ ବି ସେ କଥାର ସତ୍ୟତା ଜାଣିବାକୁ ଚେଷ୍ଟା କରିନି।ସତରେ ଜେଜେଙ୍କ ସହ କିଛି ଘଟଣା ଘଟିଥିଲା ନା ଭାଇନାକୁ ବୁଝେଇବା ପାଇଁ ଜେଜୀ ଏମିତି କାହାଣୀ ଶୁଣେଇଥିଲା,ସେଇଟା ଆଜି ବି ଆମ ପାଇଁ ରହସ୍ୟ ଘେରରେ॥