ସ୍ପର୍ଶ
ସ୍ପର୍ଶ


(୧)
ଅନେକ ସମୟ ଧରି ଗର୍ଭ ଯାତନା ସହି ଶେଷରେ ସୁଲୋଚନା ଗୋଟିଏ ସୁନ୍ଦର ଝିଅକୁ ଜନ୍ମଦେଲା। ତା'ର ରକ୍ତ, ଲାଳ, ଶ୍ବେତ ମିଶ୍ରିତ ଶରୀରକୁ ଦେଖି ଓ କୁଆଁ କୁଆଁ ରାବରେ ସେ ତା'ର ସବୁ ଯନ୍ତ୍ରଣା ଭୁଲିଗଲା। ନିଜ ହାତର କୋମଳ ସ୍ପର୍ଶରେ ସେ ତା' କୁନି ଝିଅକୁ କୋଳେଇ ନେଇ ତାକୁ ପରିଷ୍କାର କଲା। ଗୋଟିଏ ସଫା କପଡ଼ାରେ ଗୁଡ଼ାଇ ଅତି ଯତ୍ନରେ ନିଜ ସ୍ତନରୁ କ୍ଷୀର ଦେଇ ମାତୃତ୍ବକୁ ଅନୁଭବ କଲା। ସମୟର ସ୍ରୋତରେ ପ୍ରବାହିତ ହେଲା ଜୀବନର ଗତି। ଶଶୀକଳା ପରି ବଢ଼ିଚାଲିଲା ତା' ଝିଅ। ସୁଲୋଚନା ନିଜ ସ୍ନେହ,ମମତା,ଆଦର, ଯତ୍ନରେ ପାଳୁଥିଲା ତା' ଝିଅକୁ। ସଂସାରର ସବୁ ପ୍ରକାର କଳୁଷତାରୁ ଝିଅକୁ ରକ୍ଷା କରିବା ପାଇଁ ସେ ଏକ ସୁରକ୍ଷା ବଳୟ ସୃଷ୍ଟି କରି ପାଳି ଚାଲିଛି ତା' କୁନି ପରୀକୁ। ନିଜ ମା'ର କୋମଳ ସ୍ପର୍ଶରେ ବି କୁନି ପରୀ ବେଶ ଆରାମରେ ଦିନ କାଟୁଛି।
(୨)
ଆଜି ସନମିରାର ଚତୁର୍ଥୀ। ବିବାହ ପରେ ପ୍ରଥମ ଥର ପାଇଁ ସେ ତନ୍ମୟଙ୍କୁ ନିଜ ପାଖରେ ପାଇବ। କୁଆଁରୀ ଜୀବନ ଶେଷ ହେଇଯିବ ଆଉ ଏକ ନୂଆ ଜୀବନରେ ପାଦ ଥାପିବ ସେ। ସବୁଦିନ ରାତିରେ ନିଜ ବୋଉ କୋଳରେ ମୁହଁ ଜାକି ତା'ର କୋମଳତା ଭରା ସ୍ପର୍ଶକୁ ଅନୁଭବ କରି ଶୋଉଥିବା ସନମିରା ଆଜି ଆଉ କାହା ବାହୁ ବନ୍ଧନରେ ନିଜକୁ ସମର୍ପଣ କରିବା। ଏମିତି କିଛି ଭାବୁ ଭାବୁ କବାଟରେ କାହାର ମୃଦୁ ଆଘାତରେ ପ୍ରକୃତିସ୍ଥ ହେଲା ସେ। ଆଖି ଉଠାଇ ଚାହିଁ ଦେଖିଲା ତନ୍ମୟ ଆସି ଧୀରେ କବାଟ ବନ୍ଦ କଲେ।ଲାଜରେ ଭିଜି ନିଜକୁ ସଜାଡି ନେଉ ନେଉ ସେ ଲକ୍ଷ୍ୟ କଲା ତନ୍ମୟଙ୍କ ଟଳମଳ ପାଦ ଯୁଗଳଙ୍କୁ। କିଛି ବୁଝିବା ଆଗରୁ ହାତକୁ ଜୋର୍ କରି ଟାଣି ନେଇ ତନ୍ମୟ ଆବଦ୍ଧ କରି ଦେଇଥିଲେ ତାକୁ ନିଜ ବାହୁ ବନ୍ଧନରେ। ମୁକୁଳିବା ପାଇଁ ଯେତେ କାକୁତି ମିନତି କଲେ ମଧ୍ୟ ସେ ତାକୁ ଛାଡ଼ିନଥିଲେ। ସବୁ ପ୍ରକାର ଚେଷ୍ଟା ବିଫଳ ହେବାରୁ ବାଧ୍ୟ ହେଇ ସେ ନିଜକୁ ସମର୍ପି ଦେଇଥିଲା ତନ୍ମୟଙ୍କ ପାଖରେ। ତନ୍ମୟ ବି ହିଂସ୍ର ପଶୁ ପରି ଖିନଭିନ୍ କରି ଚାଲିଥିଲେ ତା'ର କୁମାରୀତ୍ବକୁ। ମନର ଲାଳସା ପୂର୍ଣ୍ଣ ହେବା ପରେ ଶୋଇ ଯାଇଥିଲେ ଆରାମରେ। କିନ୍ତୁ ସନମିରାର ଆଖିରେ ଥିଲା ଲୁହର ବନ୍ୟା। ସେ ତୁଳନା କରୁଥିଲା ସେଦିନର ମା' ହାତର ସ୍ପର୍ଶ ଆଉ ଆଜି ତନ୍ମୟଙ୍କ ସ୍ପର୍ଶକୁ। କେତେ ତଫାତ୍ ଏ ଦୁଇ ମଧ୍ୟରେ।