NIBEDITA MOHAPATRA

Horror

5.0  

NIBEDITA MOHAPATRA

Horror

ଶ୍ରାବଣୀର ଇତିକଥା

ଶ୍ରାବଣୀର ଇତିକଥା

5 mins
617



ଶ୍ରାବଣର ବର୍ଷାଧାରାକୁ କେବେ ବିଶ୍ବାସ କରାଯାଇ ନ ପାରେ। ଏବେ ତ ଆକାଶରେ ମିଞ୍ଜି ମିଞ୍ଜି ହୋଇ ତାରା ମାନେ ଆଲୋକ ଦେଉଥିଲେ ଆଉ ଦେଖୁନ ସାଙ୍ଗେ ସାଙ୍ଗେ କୋଉଠୁ ଚାଲି ଆସିଲା ଏ ଅମାନିଆ ଦୁଷ୍ଟ ବାଦଲଟା। ଭିଜେଇ ଚାଲିଛି ଗଛଲତା, ରାସ୍ତାଘାଟ, ଧାନକ୍ଷେତ ଆଉ ମତେ। ହଁ ତାର ବା ଦୋଷ କଣ? ବୋଉ ତ ଅନେକ ଥର ଶିଖେଇଛି ବର୍ଷାଦିନେ ଯୁଆଡେ ବାହାରିବୁ ସାଥିରେ ଛତା କି ରେନକୋଟ୍ ନିଶ୍ଚୟ ନେଇଯିବୁ। ହେଲେ ମୁଁ ଭୁଲିଯାଏ। ଆଜି ବି ହଷ୍ଟେଲରୁ ବାହାରିବା ବେଳେ ଖଟ ଉପରେ ରଖିଥିଲି କିନ୍ତୁ ତରତର ହେଇ ଆସିବା ବେଳେ ଭୁଲିଗଲି। ହଉ ଆଜି ଘରେ ପହଞ୍ଚିଲେ ବୋଉ ମତେ ବହେ ଗାଳି ଦବ। ଦେଖାଯାଉ କଣ ହଉଛି।


ବଞ୍ଚେଇବା ପାଇଁ ଘରେ ଭାଉଜ ବି ନାହାନ୍ତି। ମୋ ବେଳା ଆଜି ଖରାପ। କୋଉଠି ଟିକେ ଠିଆ ହବା ପାଇଁ ଯାଗା ବି ନାହିଁ। ଫନି ତ ସବୁ ଗଛପତ୍ରକୁ ନିଶ୍ଚିହ୍ନ କରିଦେଇଛି। ଏମିତି ଏଣୁତେଣୁ ମନେମନେ ଗପି ଚାଲିଥାଏ ସ୍ନିଗ୍ଧା। ହେଲେ ଆଜି ବାଟ ସରୁନି କଣ ପାଇଁ?

ସ୍ନିଗ୍ଧା ହରିରାଜପୁର ଗାଁର ଶିବାନନ୍ଦ ମିଶ୍ରଙ୍କ ଝିଅ। କଟକରେ ରହି ପାଠ ପଢେ। ଛୁଟି ଦିନରେ ଗାଁକୁ ଆସେ। ଆସିବା ଖବର ଆଗରୁ ଜଣେଇଦେଲେ ମିଶ୍ର ବାବୁ କାହାକୁ ନା କାହାକୁ ବସ୍ ଷ୍ଟାଣ୍ତ ପଠେଇ ଦିଅନ୍ତି ନ ହେଲେ ନିଜେ ଆସି ଯାଆନ୍ତି ଝିଅକୁ ନବାପାଇଁ। ଆଜି କିନ୍ତୁ ସେ ସୁଯୋଗ ନଥିଲା। କଲେଜରେ କ୍ଲାସ ଅଧା ହେଇଛି କି ନାହିଁ ନୋଟିସ୍ ଜଣେଇ ଦିଆଗଲା ଛାତ୍ର ସଂସଦ ନିର୍ବାଚନକୁ ନେଇ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ହେଇଥିବାରୁ ଅନିର୍ଦିଷ୍ଟ କାଳ ପାଇଁ କଲେଜ ଓ ହଷ୍ଟେଲ ବନ୍ଦ କରାଯିବ। ସଙ୍ଗେସଙ୍ଗେ ସମସ୍ତଙ୍କୁ ହଷ୍ଟେଲ ଛାଡିବାକୁ ହବ। ଏତେ ତରବର ହେଇ ଆସିବାକୁ ପଡିଲାଯେ ଫୋନ୍ କରିବାକୁ ମନେ ପଡିଲାନି ତା'ର।


ବସ୍ ରେ ଫୋନ୍ କରିବ ବୋଲି ଭାବିଥିଲା;ହେଲେ ଫୋନ୍ ଟା ବି ଦଗା ଦେଲା। ଚାର୍ଜ ନଥିବାରୁ ଫୋନ୍ ଲାଗେଇବାକୁ ଗଲାବେଳେ ଫୋନ୍ ସୁଇଚ୍ ଅଫ୍ । ଅନ୍ୟ ଉପାୟ ନ ପାଇ ଏକାଏକା ସେ ଆଜି ଫେରୁଥିଲା ଘରକୁ। ବସ୍ ଷ୍ଟାଣ୍ତରୁ ଘର ତିନି କିଲୋମିଟର। ବର୍ଷା ରାତିରେ ସେ ଭିଜିଭିଜି ଫେରୁଥିଲା ଘରକୁ। ହଠାତ୍ କାହାର ପାଦ ଶଦ୍ଦ ତାକୁ ପ୍ରକୃତିସ୍ଥ କଲା। ମନରେ ଅଜଣା ଭୟ। କାଉ କୋଇଲି କେହି ତ ଦେଖାଯାଉ ନଥିଲେ। ଏ ଘନ ଅନ୍ଧାରରେ ପୁଣି ବର୍ଷା ରାତିରେ ସେତ ଏକା ଆସୁଥିଲା। ମନକୁ ଶକ୍ତ କରି ଅଟକିଲା ସ୍ନିଗ୍ଧା। ସାହାସ କରି ପଛକୁ ଚାହିଁଲା। ଗୋଟିଏ ଛାଇ ତା' ପାଖକୁ ଆସୁଥିଲା। ସେ ଛାଇଟି ତା'ର ଯେତିକି ନିକଟତର ହେଉଥିଲେ ସେ ସେତିକି ଭୟରେ ଶଙ୍କାକୁଳ ହେଇ ଯାଉଥିଲା। ଧିରେଧିରେ ସେ ଦେଖିଲା ଜଣେ ଛତା ଧରି ଆସି ତା ପାଖରେ ପହଞ୍ଚିଲା। ଅତି ସନ୍ତର୍ପଣରେ ନିଜ ଓଦା ଚୁନରିକୁ ସଜାଡିଲା ସ୍ନିଗ୍ଧା।


ଆରେ ଡରୁଛୁ କି ମତେ। ଡରନା ମୁଁ ପରା ଶ୍ରାବଣୀ। ଚିହ୍ନି ପାରିଲୁନି କି?ତୋ ପିଲାଦିନର ସାଥୀ। ଆରେ ହଁ ତ । ସେଇ ପରିଚିତ ସ୍ବର;ହେଲେ ଏବର୍ଷା ରାତିରେ ତୁ ଏକା ଏଠି କଣ କରୁଛୁ ନିରବତା ଭାଙ୍ଗି ପ୍ରଶ୍ନ କଲା ସ୍ନିଗ୍ଧା। ବାପାଙ୍କୁ ଖୋଜିବାକୁ ଯାଇଥିଲି;ପାଇଲିନି। ହଉ ଚାଲ ସାଙ୍ଗ ହେଇ ଯିବା। ଦୁହେଁ ଆଗକୁ ବଢୁଥଲେ। ଶ୍ରାବଣୀ ସ୍ନିଗ୍ଧାର ଖୁବ୍ ନିକଟରେ ଚାଲୁଥିଲେ ବି ସେମିତି କିଛି ଅନୁଭବ କରିପାରୁନଥିଲା ସେ। କିଛି ବାଟ ନିରବତାରେ ଚାଲିବା ପରେ ସ୍ନିଗ୍ଧା ପ୍ରଶ୍ନ କଲା ଏବେ ତୁ କଣ କରୁଛୁ?ବହୁଦିନ ପରେ ତୋ ଦେଖା ମିଳିଲା। ନିରୁତ୍ତର ରହିଲା ଶ୍ରାବଣୀ। ସ୍ନିଗ୍ଧା ଭାବିଲା ସେ ବୋଧେ ତାକୁ କିଛି ଜଣାଇବା ଠିକ୍ ଭାବୁନି। ଏହାପରେ ଦୁହେଁ ଚାଲୁଥିଲେ ଖୁବ୍ ଶାନ୍ତ ଭାବରେ।


କିଛି ବାଟ ଗଲା ପରେ ଗ୍ରାମ ଦେବତୀଙ୍କ ପିଣ୍ତି ଦେଖି ସ୍ନିଗ୍ଧା କହିଲା ଏଇଠି କିଛି ସମୟ ରହିଯିବା। ତା ପରେ ଯିବା ଘରକୁ। କିନ୍ତୁ ମନା କଲା ଶ୍ରାବଣୀ। ସ୍ନିଗ୍ଧା ଅନୁମାନ କରୁଥିଲା ତାର ବୋଧେ ଅସୁବିଧା ହେଇଛି ସେଥି ଲାଗି ସେ ପିଣ୍ତି ଉପରେ ବସିବାକୁ ମନା କରୁଛି। ବୁଝିବାକୁ ଚେଷ୍ଟା କରୁଥିଲା ସ୍ନିଗ୍ଧା। ପୁରା ନିସ୍ତବ୍ଧତାରେ ଚାଲିଲେ ଦୁହେଁ ଆଉ କିଛି ବାଟ। ଅଳ୍ପ ସମୟର ନିରବତା ପରେ ଶ୍ରାବଣୀ କହିଲା ତାର ଇତି କଥା ସ୍ନିଗ୍ଧା ଆଗରେ।

"ଜାଣିଛୁ ସିତୁ(ସ୍ନିଗ୍ଧାର ଡାକ ନାଁ)ମଉସାଙ୍କର ପଇସା ଅଛି ବୋଲି ସେ ତତେ ପାଠ ପଢାଇବାକୁ ସହର ପଠେଇଦେଲେ। ଭଲ ବି କରିଛନ୍ତି ;ନ ହେଲେ ଏ ଗାଁ ରେ ରହି ତୁ ପାଇଥାନ୍ତୁ କଣ?କିଛି ଦିନ ଖାଲି ଘର କାମ ଶିଖି ବାହା ହେଇ ଥାନ୍ତୁ ନଚେତ୍ ମୋ ପରି ସେ ରୁଦ୍ର ସାମନ୍ତରାୟର ଲୋଲୁପ ଦୃଷ୍ଟିର ଶିକାର। "ଶ୍ରାବଣୀ ମୁହଁରୁ ଏ ପଦକ ଶୁଣି ଏକ ଅଜଣା ଶିହରଣ ଖେଳିଗଲା ସ୍ନିଗ୍ଧା ଦେହରେ। କଣ କହୁଛୁ ତୁ?ସତ କହୁଛି ଲୋ। ସେ ରୁଦ୍ର ସାମନ୍ତରାୟ ଜମା ବି ଭଲ ଲୋକ ନୁହଁ। ଭାଇ ଚାକିରି କରିବ ବୋଲି ବାପା ତା ଠାରୁ ଟଙ୍କା ଧାର ଆଣିଥିଲେ। ଶୁଝିବା ପାଇଁ ବିଲବାରି ସବୁ ବନ୍ଧା ପକେଇଦେଲେ। ହେଲେ କରଜ ଶୁଝି ହେଲାନି। ଶେଷକୁ ଘର ଡିହ ଖଣ୍ତିକ ବନ୍ଧା ପଡିବା ଯାଏଁ କଥା ଗଲା । ବାପା ଜମାରୁ ରାଜି ନଥିଲେ। କିନ୍ତୁ ସେଦିନ ସେ ବାପାଙ୍କୁ ଯାହା କହିଲା ସେଥିରେ କୋଉ ବାପା ଧର୍ଯ୍ୟ ଧରିପାରିଥାନ୍ତା କହିଲୁ। ଉତ୍ସୁକତାର ସହ ପଚାରିଲା ସ୍ନିଗ୍ଧା"ସେ କଣ କହିଲା କି?"ଶ୍ରାବଣୀ ଛଳଛଳ ଆଖିରେ ସ୍ନିଗ୍ଧାକୁ ଚାହିଁ ରହିଥିଲା। ବାଷ୍ପରୁଦ୍ଧ କଣ୍ଠରେ କହିଲା,ଶ୍ରାବଣୀକୁ ଗୋଟିଏ ରାତି ମୋ ପାଖରେ ଛାଡି ଦେଇ ଯା। ତୋର ସବୁ କରଜ ଛାଡ କରିଦେବି।


ଛି!ଘୃଣା ଓ ବିରକ୍ତିରେ ମୁହଁ ବୁଲେଇ ନେଲା ସ୍ନିଗ୍ଧା। ହଁ ଏଇଟା ସତ ଲୋ,କହିଲା ଶ୍ରାବଣୀ। ତା ପରେ...

ବାପା ବହୁତ ଯୁକ୍ତି କଲେ ତା ସହ। ଶେଷରେ ଘରଡିହ ବନ୍ଧା ପକେଇବା ପାଇଁ ବି ରାଜି ହେଲେ। ସେ ନର ମାଂସ ଲୋଭୀ ରାକ୍ଷାସର ତ ମୋ ଶରୀର ଉପରେ ଲୋଭ ଥିଲା ନା ସେ ସହଜରେ କେମିତି ଆମକୁ ଛାଡନ୍ତା କହିଲୁ। ଆଜିପରି ଏମିତି ଗୋଟିଏ ବର୍ଷା ରାତିରେ ମୁଁ ମୋହନ ଜେଜେଙ୍କ ଘରୁ ଫେରିବା ବାଟରେ ତା ଲୋକମାନେ ମତେ ରାସ୍ତାରୁ ଉଠେଇ ନେଇ ସ୍କୁଲ ଘର ପାଖ ଡାକବଙ୍ଗଳାରେ ରଖିଦେଲେ। ରାତିର ଅନ୍ଧାକାରରେ କୋଠରୀ ଭିତରେ ସେ ପିଶାଚ ମୋ ଶରୀରକୁ ଭୋକିଲା କୁକୁର ଭଳି ପୁରା ଝୁଣି ପକେଇଲା। ତା ଠାରୁ ରକ୍ଷା ପାଇବା ପାଇଁ ବହୁତ ଚେଷ୍ଟା କରିଛି ହେଲେ ପାରିଲିନି। ଓଃ!କି କଷ୍ଟ। ନିରୁପାୟ ହେଇ ପଡିରହିଥିଲି ସେ ସିମେଣ୍ଟ ଚଟାଣ ଉପରେ। ଉଠିବାକୁ ବଳ ପାଉନଥିଲା। ଦୁଇଦିନ ସେ ମୋ ସହ ଏମିତି ଖେଳିଲା। ବାପା ମତେ ବହୁତ ଖୋଜିଲେ। ଶେଷରେ ସନ୍ଦେହ କରି ତା ଗୁମାସ୍ତାକୁ ପଚାରିବାରୁ ସେ ଭୟରେ କିଛି କହିଲାନି। କାଳେ ଗାଁରେ ଏକଥା ପ୍ରଘଟ ହେଇଯିବ ସେ ଭୟରେ ସେ ମୋ ତଣ୍ଟି ଚିପି ମତେ ଠାକୁରାଣୀ ପାଖ ଆମ୍ବ ଗଛରେ ଝୁଲେଇ ଦେଲା। ଗାଁ ଲୋକମାନଙ୍କୁ କହିଲା ମୁଁ କାଳେ ନଷ୍ଟ ଚରିତ୍ରା। ସେଥିପାଇଁ ଆଜି ଆତ୍ମହତ୍ଯା କରିଛି। ତତେ ସତ କହୁଛି ଲୋ ମୁଁ ସେମିତି ନୁହେଁ।


ଏତିକି କଥାରେ ସ୍ନିଗ୍ଧା ପାଦ ତଳୁ ଯେମିତି ମାଟି ଖସିଗଲା ପରି ଲାଗିଲା। ଭୟରେ ତା ଦେହରୁ ଝାଳ ବହିଯାଉଥିଲା। ତୁ ଯଦି ମରି ସାରିଛୁ ଏଠି....?ବାଷ୍ପରୁଦ୍ଧ ହେଇଗଲା ସ୍ନିଗ୍ଧାର ସ୍ବର। ତୁ ଡରନା ମୁଁ ତୋର କିଛି କ୍ଷତି କରିବିନି। ଖାଲି ଅନୁରୋଧ କରୁଛି ମୋ ହତ୍ୟାକାରୀ କୁ ଦଣ୍ତ ଦବାର ବ୍ୟବସ୍ଥା କରିଦେ। ନହେଲେ ଏ ଗାଁକୁ ଆସେନା। ମୁଁ ଚାହୁଁନି ମୋ ପରି କୋଉ ଝିଅର ଏମିତି ଅବସ୍ଥା ହେଉ। ସ୍ନିଗ୍ଧା କଣ ଉତ୍ତର ଦେବ ଜାଣି ପାରିନଥିଲା। ନିର୍ବାକ ହେଇ ଚାହିଁ ରହିଥିଲା ଶ୍ରାବଣୀ ମୁହଁକୁ। ଅନେକ ବେଳୁ ବର୍ଷା ବି ବନ୍ଦ ହେଇ ଯାଇଥିଲା। ସ୍ନିଗ୍ଧା ବି ପହଞ୍ଚି ସାରିଥିଲା ଘର ପାଖରେ। ହଠାତ୍ ପଛପଟୁ ବୋଉର ପାଟି ଶୁଭିଲା। କିଏ ସେ ଗେଟ୍ ପାଖରେ ଠିଆ ହେଇଛ?ଦୃଷ୍ଟି ଫେରେଇ ନେଇ ସେ ଉତ୍ତର ଦେଲା ବୋଉ ମୁଁ ସିତୁ। ଆଲୋ ଘରକୁ ନଆସି ସେଠି କଣ ପାଇଁ ଠିଆ ହେଉଛୁ। ଆସୁଛି ବୋଉ,କହି ଫେରି ଚାହୁଁଲା ସିତୁ ହେଲେ ସେଠି ଶ୍ରାବଣୀ ନଥିଲା। ଖୁବ୍ ଡରିଯାଇଥିଲା ସେ । ଏକା ନିଶ୍ବାସରେ ଦୌଡି ଚାଲିଗଲା ଘର ଭିତରକୁ ଆଉ ବସି ପଡିଲା ସୋଫାରେ। ବୋଉ ତ କେତେବେଳୁ ଗାଳି ଦବା ଆରମ୍ଭ ବି କରି ସାରିଲାଣି। ହେଲେ ସିତୁ କିଛି ବି ଜବାବ ନଦେଇ ସେମିତି ସ୍ଥାଣୁ ପରି ବସି ରହିଥିଲା। କିଛି କହୁନୁ କାହିଁକି?କଣ ହେଲା ସିତୁ। ଏପ୍ରଶ୍ନରେ ସିତୁ ଖୁବ୍ ଡରି ଜାବୁଡି ଧରିଲା ତା ବୋଉକୁ। ବୋଉ, ଶ୍ରାବଣୀ!ସେ କଣ ଆଉ ଅଛି । ଆଠ ମାସ ହେଲାଣି ମରିଗଲାଣି ସେ। କଣ ହେଲା କି?ତୁ ତା କଥା କଣ ପାଇଁ ପଚାରୁଛୁ। ନିଜକୁ ବିଶ୍ବାସ କରି ପାରୁନଥିଲା ସେ । ଏଇ କିଛି ସମୟ ପୂର୍ବରୁ ସେ ଭେଟିଥିବା ଶ୍ରାବଣୀ କଣ ଆତ୍ମା! ନିଜକୁ ବାରମ୍ବାର ଏଇ ପ୍ରଶ୍ନ କରିଚାଲିଥିଲା ହେଲେ ଉତ୍ତର ମିଳୁ ନ ଥିଲା ତାକୁ। ବୋଉକୁ ସେ କହିବାକୁ ଚାହୁଁଥିଲା ଶ୍ରାବଣୀ ଆତ୍ମହତ୍ୟା କରିନି ତାକୁ ହତ୍ୟା କରାଯାଇଛି ହେଲେ ତା ପାଟିରୁ ଭାଷା ବାହାରୁ ନଥିଲା। ତା ଶରୀର ଭୟରେ ଥରୁଥିଲା। କିନ୍ତୁ ତା ସହ ଘଟିଥିବା ଘଟଣା ଯେ ସତ୍ୟ ଏକଥା ସେ ଜାଣି ପାରିଥିଲା ତା ବାପାଙ୍କ ଠାରୁ ତାକୁ ଭେଟିବାର କିଛି ଦିନ ପରେ। କିନ୍ତୁ ଆଜି ଯାଏଁ ନ୍ୟାୟ ଦେଇ ପାରିଲାନି ଶ୍ରାବଣୀକୁ॥



Rate this content
Log in

Similar oriya story from Horror