NIBEDITA MOHAPATRA

Inspirational

5.0  

NIBEDITA MOHAPATRA

Inspirational

ବାପା ଓ ପଦ୍ମମାଳାରେ ଜପ

ବାପା ଓ ପଦ୍ମମାଳାରେ ଜପ

3 mins
492


ବାପା,ଦୁନିଆଁରେ ମୋର ସବୁଠାରୁ ପ୍ରିୟ ମଣିଷ। ତାଙ୍କ ବିନା ମୋ ଜୀବନ ଅନ୍ଧାର। ମୋ ହେତୁ ପାଇବା ଦିନରୁ ମୁଁ ମୋ ବାପାଙ୍କ ପରି ମଣିଷ ଟିଏ ହେବାକୁ ଚାହିଁଚି। ଆଜି ବୟସର ଯୋଉ ସୋପାନରେ ମୁଁ ପହଞ୍ଚିଛି ସେଠାକୁ ଆସିବାରେ କେତେବେଳେ ମତେ ସଫଳତା ମିଳିଛି ତ କେବେ ପୁଣି ବିଫଳତା ମୋର ପଥରୋଧ କରିଛି ତଥାପି ସବୁ ପରିସ୍ଥିତି ଆଉ ସବୁ ସମୟରେ ବାପା ମତେ ସାହାରା ଦେଇଛନ୍ତି । ଆଗକୁ ବଢିଯିବାର ପ୍ରେରଣା ଦେଇ କର୍ତ୍ତବ୍ଯ କରିଯିବାକୁ କହିଛନ୍ତି।

ପିଲାବେଳରୁ ହିଁ ବାପାଙ୍କ ପ୍ରାଣାୟାମର ଓଁକାର ଉଚ୍ଚାରଣରେ ମୋର ନିଦ ଭାଙ୍ଗେ। ପ୍ରଥମେ ପ୍ରଥମେ ମୁଁ ଡରି ଯାଉଥିଲି। କାରଣ ରାତ୍ରିର ନିର୍ଜନତାକୁ ଭେଦ କରି ସେଇ ଶଦ୍ଦ ମୋ ଦେହରେ ଏକ ଅଜଣା ରୋମାଞ୍ଚ ଖେଳାଇ ଦେଉଥିଲା। କିନ୍ତୁ ପରେ ଅଭ୍ୟାସ ହେଇଗଲା। ବାପାଙ୍କ ଦିନଚର୍ଯ୍ୟାରେ ସକାଳର ନିତ୍ୟକର୍ମ ପରେ ଠାକୁର ଘରେ ପୂଜା,ଜପ,ଆଳତି,ଭାଗବତ ପାଠ ଏକ ରୁଟିନ୍ ବନ୍ଧା କାର୍ଯ୍ୟକ୍ରମ ଥିଲା। ପ୍ରତିଦିନ ମୁଁ ମଧ୍ୟ ସେଥିରେ ଅଂଶିଦାର୍ ରହୁଥିଲି। କାରଣ ପୂଜା ଶେଷରେ ମତେ ପ୍ରଥମେ ଭୋଗ ଓ ଆଳତି ମିଳୁଥିଲା।

ମୋ ବାପା ବଡ ଅଜବ ଖିଆଲର ମଣିଷ ଥିଲେ। ଦୁଃଖ କି ଅସୁବିଧା ପଡିଲେ ସେ ଅଧିର ହୁଅନ୍ତି ନାହିଁ ବରଂ ଠାକୁର ଘରେ ଶାନ୍ତିରେ ବସି ପଦ୍ମମାଳା ଜପ କରନ୍ତି । ମୋ ବାଲ୍ୟ ସୁଲଭ ଚପଳତାରେ ଥରେ ବାପାଙ୍କୁ ପଚାରିଥିଲି,"ବାପା,ପଦ୍ମମାଳା ଜପିଲେ କଣ ବିପଦ ଦୂର ହୁଏ " ବାପା ସେତେବେଳେ ମୋ କଥାରେ ହସି ସେ କଥାକୁ ଅଣଦେଖା କରି ଦେଇଥିଲେ। ସେବେଠାରୁ ମୁଁ ଆଉ କେବେ ବି ବାପାଙ୍କୁ ଏ ବିଷୟରେ ପଚାରିନି।

ପଦ୍ମମାଳା ସହ ବାପାଙ୍କର ଆନ୍ତରିକତା ବେଳେ ବେଳେ ମତେ ଦ୍ବନ୍ଦ୍ବରେ ପକାଏ। ଥରେ କୌତୁହଳ ବଶତଃ ଜେଜେଙ୍କୁ ଏକଥା ପଚାରିବାରୁ ସେ କହିଲେ,"ମାନସିକ ଶାନ୍ତି ପାଇଁ ଏସବୁ କରାଯାଏ। ଯାହା ଆମ ମାନଙ୍କ ବିଶ୍ବାସ।"ଜେଜେ ଏ ଉତ୍ତର କିନ୍ତୁ ମତେ ସନ୍ତୁଷ୍ଟ କରି ପାରି ନଥିଲା।

ବାପାଙ୍କ ବୟସ ବଢିବା ସହ ଚାକିରି ଜୀବନରୁ ଅବସର ପରେ ସେହି ପଦ୍ମମାଳା ସହ ବାପାଙ୍କ ଘନିଷ୍ଠତା ଅଧିକ ବଢି ଯାଇଥିଲା। ବାପା ଅବସର ସମୟର ସଦୁପଯୋଗ ପାଈଁ ଅନବରତ ସେ ମାଳା ଜପିବାର ମୁଁ ଅନେକ ଥର ଲକ୍ଷ୍ୟ କରିଛି। ବେଳେବେଳେ ଅନୁଭବ କରେ ବାପା ମୋଠାରୁ ସେ ପଦ୍ମମାଳାକୁ ଯେମିତି ବେଶୀ ଭଲପାଆନ୍ତି।

ଥରେ କଥାଛଳରେ ବାପାଙ୍କୁ ପଦ୍ମମାଳାର ରହସ୍ୟ ବିଷୟରେ ପଚାରିଲି। ବାପା କହିଲେ,"ତୁ ଯଦି ସମୟ ପାଉଚୁ ତା'ହେଲେ ଥରେ ଜପ କର। ନିଜେ ବୁଝି ପାରିବୁ। "ତା'ପରଦିନ ବାପା ମୋ ପାଇଁ ଗୋଟିଏ ପଦ୍ମମାଳା କିଣି ଆଣିଲେ। ବାପାଙ୍କ କଥା ମାନି ସେଦିନ ସଂଧ୍ୟାରେ କିଛି ସମୟ ପାଇଁ ସେ ମାଳା ଜପିଲି। ବାପା କ'ଣ ଜପୁଥିଲେ ଜାଣିନି କିନ୍ତୁ ମୁଁ ରାମନାମ ଜପ କଲି। ସେଦିନ କିନ୍ତୁ କିଛି ଅନୁଭବ କରି ନଥିଲି। ତଥାପି ପ୍ରତିଦିନ କିଛି ସମୟ ମୁଁ ସେ ମାଳା ଜପେ।

ଜୀବନ ପଥରେ ଚାଲିଲେ ବହୁ ବାଧା ବିଘ୍ନ,ଘାତ ପ୍ରତିଘାତ ସହିବାକୁ ପଡେ। ସେକଥା ବାପା ମତେ ବୁଝେଇଥିଲେ। ସେମିତି ଏକ ଆଘାତ ମତେ ଲାଗିଥିଲା ଯେବେ ବାପା ବାର୍ଦ୍ଧକ୍ଯ ଜନିତ କାରଣରୁ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଲେ। ସେଇଟା ମୋର ଜୀବନର ବଡ କଠିନ ସମୟ ଥିଲା। ବାପା ସବୁ କ୍ଷଣ ବିଛଣାରେ ପଡି ରହିବା ମତେ ଅନେକ କଷ୍ଟ ଦିଏ। ତାଙ୍କ ଆରୋଗ୍ୟ ପାଇଁ ଅନେକ କାମନା କରେ ;ହେଲେ ତାହା ସଫଳ ହେଲାନି।

ଦିନେ ଠାକୁର ଘର ସଫା କଲାବେଳେ ଗଣ୍ଠି ପଡିଥିବା ପୁରୁଣା କପଡାଟିଏ ପାଇଲି। ଉତ୍ସୁକତା ସହ ତାକୁ ଖୋଲିଲା ବେଳେ ଦେଖିଲି ଭାରି ଯତ୍ନରେ ସେଥିରେ ବନ୍ଧା ହୋଇଥିଲା ବାପାଙ୍କ ପ୍ରିୟ ପଦ୍ମମାଳାଟି। ଭାବିଲି ସେହି ପଦ୍ମମାଳିଟି ଟିକେ ଜପ କରିବି। ସଂଧ୍ୟାରେ ଧୂପ ଦେଇ ସେ ମାଳାଟି କାଢିଲି। କିଛି ସମୟ ମୋ' ପ୍ରିୟ ରାମ ନାମ ଜପ କଲି। ସେଦିନ କିନ୍ତୁ କାହିଁକି ମନକୁ ଏକ ପରମ ଶାନ୍ତିର ଅନୁଭବ ହେଲା। ମୁଁ କିଛି ବୁଝି ପାରୁ ନଥିଲି। ମତେ ଲାଗିଲା ଯେମିତି ମୁଁ ମୋ'ଜୀବନର ଅନେକ ଅସମାହିତ ପ୍ରଶ୍ନର ଉତ୍ତର ପାଇଯାଇଛି । ସାଙ୍ଗେ ସାଙ୍ଗେ ବାପାଙ୍କ ପାଖକୁ ଧାଇଁ ଯାଇ କହିଲି,"ବାପା,ବାପା,ପଦ୍ମମାଳା ଆଜି ମୋ' ମନକୁ ହାଲୁକା କରିଦେଇଛି। " ବଡ ବ୍ୟଗ୍ରତାର ସହ ମୁଁ ଆଉ କେତେ କଣ କହିଚାଲିଥିଲି। ବାପା ସବୁ ଶୁଣି ପାରୁଥିଲେ; ହେଲେ ପରିପ୍ରକାଶର କ୍ଷମତା ତାଙ୍କର ନଥିଲା।

ସେଦିନ ବାପାଙ୍କ ଆଖିରେ ଲୁହର ଧାରଟିଏ ଏବଂ ପରିତୃପ୍ତିର ଚିହ୍ନଟିଏ ମୁଁ ଦେଖି ପାରିଥିଲି। ମତେ ଲାଗୁଥିଲା ବାପା ଯେମିତି ସଫଳ ହେଇଥିଲେ ମତେ ବୁଝେଇବାରେ ସେ ପଦ୍ମମାଳର ରହସ୍ୟକୁ। ପ୍ରକୃତରେ ସେହି ଦିନ ହିଁ ମୁଁ ଅନୁଭବ କରିଥିଲି ଧାର୍ମିକ ଭାବନାରେ ଥିବା ଶକ୍ତିକୁ। ସେବେଠାରୁ ଯେବେ ବି ମୋ ମନ ଭାରାକ୍ରାନ୍ତ ହୁଏ ମୁଁ ସେ ମାଳା ଜପେ ଆଉ ସେତେବେଳେ ଆତ୍ମ ସନ୍ତୋଷର ଏକ ଶୀତଳ ଛାୟା ମୋ ମନକୁ ଆହ୍ଲାଦିତ କରେ



Rate this content
Log in

Similar oriya story from Inspirational