NIBEDITA MOHAPATRA

Tragedy

3  

NIBEDITA MOHAPATRA

Tragedy

ଜରି ଗୋଟାଳି

ଜରି ଗୋଟାଳି

3 mins
314


ସକାଳୁ ପ୍ରାତଃ ଭ୍ରମଣ ସାରି ଫେରୁଥିବା ବେଳେ ହଠାତ୍ ନଜର ପଡିଲା ରାସ୍ତା ଆରପଟେ ଗୋଟିଏ ଆଠ ଦଶ ବର୍ଷର ପିଲାଟିଏ ଉପରେ। ଶରୀରଟି ପୁରା ଧୂଳି ଧୂସରିତ ,ପିନ୍ଧା ସାର୍ଟର କାନ୍ଧ ଓ ପିଠି ପାଖଟି ଚିରି ଯାଇଛି ତା' ସହିତ ପ୍ୟାଣ୍ଟରେ ମଧ୍ୟ ଠାଏ ଠାଏ ତାଳି ପଡ଼ିଛି। ଏ ବେଶଭୂଷାରୁ ତା'ର ଦାରିଦ୍ର୍ୟତା ସ୍ପଷ୍ଟ ବାରି ହେଇ ପଡୁଥିଲା। ଏସବୁ ମତେ ଯେତିକି ଆଶ୍ଚର୍ଯ୍ୟ କରି ନଥିଲା ସବୁଠାରୁ ବେଶୀ ଆଶ୍ଚର୍ଯ୍ୟ ଲାଗିଲା ତା ହାତରେ ଥିବା ଜରି ବ୍ୟାଗ ଦେଖି। ସେ ସେହି ଜରି ବ୍ୟାଗରେ ରାସ୍ତା କଡରେ ପଡ଼ିଥିବା ଆବର୍ଜନାରୁ ସଂଗ୍ରହ କରୁଥିଲା ପୁରୁଣା ପ୍ଲାଷ୍ଟିକ ବୋତଲ, ପଲିଥିନ,ଆଉ ଅନ୍ୟାନ୍ୟ ଅବ୍ୟବହୃତ ଜିନିଷ। ଏତେ ଛୋଟ ପିଲାଟିର ଏପରି ଅପରିଷ୍କାର ପରିବେଶରେ କାମ କରିବା ମତେ ଟିକେ ଭଲ ଲାଗିଲା ନାହିଁ। ମନେମନେ ଭାବିଲି ଆଜି ଆମ ଦେଶରେ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଇଛି ;ହେଲେ ସେସବୁ କ'ଣ ଏମାନଙ୍କ ପାଖରେ ପହଞ୍ଚି ପାରୁନାହିଁ।


       ଏମିତି ଭାବୁ ଭାବୁ ଭାବିଲି ସେ ପିଲା ସହ ଟିକେ କଥା ହେଲେ ଅସୁବିଧା କ'ଣ ? ତା' ପରେ ମୁଁ ରାସ୍ତା ପାରି ହେଇ ଆର ପାଖକୁ ଆସିଲି। ସେ ପିଲା ପାଖରେ ପହଞ୍ଚି ସାରିଥିଲେ ମଧ୍ୟ ସେ ମୋ ପ୍ରତି ତିଳେ ହେଲେ ଦୃଷ୍ଟି ନ ଦେଇ ନିଜ କାମରେ ଲାଗି ରହିଥାଏ। ମୁଁ ତା ପାଖରେ ପହଞ୍ଚି ତାକୁ ପଚାରିଲି, " ଆରେ ପୁଅ ଏଠି କ'ଣ କରୁଛୁ।"ସେ ଟିକେ ଶଙ୍କାକୁଳ ଚାହାଣିରେ ମତେ ଚାହିଁ କହିଲା,"ବୋତଲ ଆଉ ଜରି ଗୋଟାଉଛି।""ହେଲେ ତୋର ତ ଏବେ ପାଠପଢିବା ବୟସ ।ଏଠି ଏସବୁ ଅପରିଷ୍କାର କାମ କରୁଛୁ । ରୋଗ ହେଇଯିବ ଜାଣିଛୁ ନା ନାହିଁ।"ମୋ'ର ଏଇ କଥା ଶୁଣୁ ଶୁଣୁ ସେ ଟିକେ ହସିଲା।କହିଲା,"ବାବୁ ତୁ ସିନା ବଡ଼ ଲୋକ ଅପରିଷ୍କାରରେ ରହିପାରିବୁନି ତତେ ରୋଗ ହେବ ବୋଲି ; ହେଲେ ଆମେ ପରା ଏଇଠି ଜନମ ହେଇଚୁ, ବଢିଛୁ।ଆମକୁ କ'ଣ ରୋଗ ହେବ।"ତା'ର ଏ କଥା କହିବା ଶୈଳୀରୁ ଲାଗୁଥିଲା ଶିକ୍ଷା ତା ଠାରୁ କେତେ ଦୂରରେ।


         ଆଚ୍ଛା କହିଲୁ , "ତୋ ବାପା ମା' କ'ଣ ତତେ ପାଠ ନ ପଢେଇ ଏ କାମ କରିବାକୁ କହିଛନ୍ତି ନା ତୁ ନିଜ ଇଚ୍ଛାରେ ଏସବୁ କରୁଛୁ।" ସେ ମୁହଁକୁ କିଛି ସମୟ ଚାହିଁଲା ତା' ପରେ କହିଲା, "ବାପାକୁ ମୁଁ ଦେଖିଲା ପରି କାଇଁ ମନେ ପଡୁନି। ମା' କହୁଥିଲା ମୋ ସାନ ଭଉଣୀ ଜନମ ହବାର କିଛି ଦିନ ପରେ ସେ କୁଆଡେ ଦାଦନ ଖଟିବାକୁ ଯାଇଛି ରଘୁ ଦାଦା ସାଙ୍ଗରେ। କେବେ ଫେରିବ ଜାଣିନି। ମା' ମୋର ପାଖ କଲୋନୀର ବାବୁ ମାନଙ୍କ ଘରେ ପାଇଟି କରି ଯାହା ଆଣେ ସେଥିରେ ଆମ ଘର ଚଳୁଥିଲା। ଏବେ ଦୁଇ ବର୍ଷ ହବ ସେ କୋଉ ଅଜଣା ରୋଗରେ ପଡ଼ିଛି ଜାଣିନି।ଓଷଦ ଦେଇପାରୁନି।ଖାଲି ଦି ମୁଠା ଖାଇବା ଯୋଗାଡ଼ କରିବାକୁ ଅଜୁ ଭାଇ ସାଙ୍ଗେ ମିଶି ମୁଁ ନିଜ ଇଚ୍ଛାରେ ଏସବୁ କରୁଛି।"


       "ତମ ଘରେ ଆଉ କିଏ କିଏ ଅଛନ୍ତି?" ପିଲାଟି କହିଲା, "ମୁଁ ,ମୋ ମା', ଆଉ ମୋ ସାନ ଭଉଣୀ।" ଏହାପରେ ତାକୁ ପଚାରିଲି, ଆଚ୍ଛା ପୁଅ ତୁ ପାଠ ପଢ଼ୁଛୁ।" ଖୁବ୍ ଜୋରରେ ସେ ହସିବାକୁ ଲାଗିଲା। କହିଲା, "ପାଠ କ'ଣ ପଢିବି ବାବୁ। ଆମ ପାଖରେ ପ‌ଇସା କାହିଁ। ଦିନେ ଖାଇଲେ ଦିନେ ଉପାସ ଶୋଇବୁ। ପାଠ ପଢିବା ପାଇଁ ପ‌ଇସା ପାଇବୁ କୋଉଠୁ।"


"କାହିଁ ସର୍ବଶିକ୍ଷା ଅଭିଯାନରେ ସରକାର ମାଗଣାରେ ପାଠ ପଢ଼ାଉଛନ୍ତି, ଖାଇବାକୁ ଦ‌ଉଛନ୍ତି, ସ୍କୁଲ ଡ୍ରେସ୍ ଦ‌ଉଛନ୍ତି ପରା।" 

"ତୁ କି କଥା କହୁଚୁ ବାବୁ ପାଠ ପଢ଼ିବାକୁ ଗଲେ ଖାଇବାକୁ ମିଳିବ,ଡିରେସ ମିଳିବ,ବଡ଼ ଆଶ୍ଚର୍ଯ୍ୟ ହେଇ ପଚାରିଲା ସେ।

ହଁ ତୁ ଏକଥା ଜାଣିନୁ।ନା ତ ମୁଁ ଏତେ କଥା କେମିତି ଜାଣିବି। ଆଛା କହିଲୁ," ବାବୁ ମୁଁ ପାଠ ପଢିବାକୁ ଗଲେ ତୋ ସରକାର କ'ଣ ମୋ ମା' ଆଉ ଭ‌ଉଣୀକୁ ବି ଖାଇବାକୁ ଦବ।" ତା'ର ଏ ଭଳି ପ୍ରଶ୍ନରେ ମୁଁ ନିର୍ବାକ ହେଇ ଚାହିଁ ରହିଲି ତା ମୁହଁକୁ। ତା'ର ଆଖିରେ ଉତ୍ସାହର ଝଲକ ଦିଶୁଥିଲା। କ'ଣ କିଛି କହୁନୁ ଯେ କହ ବାବୁ, ତୋ ସରକାର ମୋ ମା' ଆଉ ଭ‌ଉଣୀକୁ ବି ଖାଇବାକୁ ଦବ।ମୁଁ କହିଲି, "ଆରେ ନା ନା ପାଠ ପଢିବାକୁ ସ୍କୁଲ ଗଲେ ତୋ ମା' ଓ ଭ‌ଉଣୀକୁ କାହିଁକି ଖାଇବାକୁ ମିଳିବ,କେବଳ ତତେ ମିଳିବ।


       "ମୁଁ ପାଠ ପଢିବିନି ବାବୁ। ମୁଁ ଏ କାମ କଲେ ମୋ ମା' ଭ‌ଉଣୀ ଗୋଟିଏ ବେଳା ଖାଇ ପାରୁଛନ୍ତି , ଆଉ ମୁଁ ଯଦି ପାଠ ପଢିବି ତାହେଲେ ସେମାନେ କ'ଣ ଖାଇବେ?" ପିଲାଟିର ଏ ପ୍ରଶ୍ନର ଉତ୍ତର ମୋ ପାଖରେ ନଥିଲା। ମୁଁ କେବଳ ତା ସରଳ ମୁହଁକୁ ଚାହିଁ ରହିଥିଲି। କିଛି ସମୟ ନିରବ ରହିବା ପରେ ସେ କହିଲା ହ‌ଉ ବାବୁ ତୁ ଯା' ।ମୋର ଡେରି ହ‌ଉଚି।ଆଜି ଏ ବ୍ୟାଗ ପୁରା ଭର୍ତ୍ତି କରି ଆଣିବାକୁ ମାଲିକ କହିଛି। ସେ ଆଜି ମତେ କୋଡ଼ିଏ ଟଙ୍କା ଅଧିକ ବି ଦବ। ହେଲେ ଡେରି କଲେ ଦବନି। ଏତିକି କହି ସେ ପୁଣି ଜରି ଗୋଟାଇବାରେ ଲାଗିଲା।


        ମୁଁ କିଛି କହି ନ ପାରି ହତାଶାର ମନ ନେଇ ସେଠୁ ଫେରି ଆସିଲି। ଆସିଲା ବେଳେ ମୋ ବିବେକ ମତେ ବାରମ୍ବାର ପ୍ରଶ୍ନ କରୁଥିଲା ଏ ପିଲାର ପରିସ୍ଥିତି ଯାହା ସେ ପାଠ ପଢିଲେ ତା' ପରିବାରକୁ କିଏ ଖାଇବାକୁ ଦେବ।       ଆଜି ଏ ଦେଶର ପରିସ୍ଥିତି ଏମିତି ଦୁଇ ବେଳା ଦୁଇ ମୁଠା ଖାଇବା ପାଇଁ ଲୋକ କେତେ ବିକଳ ହେଉଛନ୍ତି। ସମସ୍ତଙ୍କ ପାଇଁ ପ୍ରତିଦିନ କେତେ ନୂଆ ନୂଆ ଯୋଜନା ହ‌ଉଛି ; ହେଲେ ସେ ଯୋଜନାର ଫଳ କାହାକୁ ମିଳୁଛି??ଶିଶୁ ଶ୍ରମିକ ପ୍ରଥା ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ପ୍ରତିଦିନ ଏମିତି ଶହଶହ ପିଲା ବ୍ୟାଗ ଧରି ଜରି ଗୋଟାଉଛନ୍ତି। ସେମାନେ କ'ଣ କାହାରି ଦୃଷ୍ଟିରେ ପଡୁ ନାହାନ୍ତି ? ସେମାନଙ୍କ ପାଇଁ ସରକାର ଆଉ ସାଧାରଣ ଜନତାଙ୍କର କ'ଣ କିଛି କର୍ତ୍ତବ୍ୟ ନାହିଁ ?? ହେଲେ ଏ ପ୍ରଶ୍ନର ଉତ୍ତର ଦବ କିଏ !!!! 


Rate this content
Log in

Similar oriya story from Tragedy