ଅନଲାଇନ ଶିକ୍ଷା
ଅନଲାଇନ ଶିକ୍ଷା


ବିଲରୁ କାମ ସାରି ସନିଆ ହାଲିଆ ହେଇ ଆସି ବସିପଡ଼ିଲା ଅଗଣାର ମାଟି କାନ୍ଥକୁ ଆଉଜି। ତା' ସ୍ତ୍ରୀ ଆସି ପାଣି ଢାଳଟା ପାଖରେ ଥୋଇ ଦେଇ , ବଳଦଙ୍କୁ ନଡ଼ା, ଦାନା ଦବାକୁ ଯାଉ ଯାଉ କହିଲା, "ମାନି ସକାଳୁ ତମକୁ କାଇଁ ଭାରି ଖୋଜୁଛି। କ'ଣ ବୋଧେ କହିବ?" ସନିଆ ଢୋକେ ପାଣି ପିଇ ହାତ ମୁହଁ ଧୋଇ ଘର ଭିତରୁ ମଶିଣାଟା ଆଣି ପକେଇ ଟିକେ ଗଡ଼ି ପଡ଼ିଲା ବେଳକୁ ଘର ଭିତରକୁ ପଶି ଆସିଲା ମାନି। ସନିଆ ପାଖକୁ ଆସି ଭାରି ଆଗ୍ରହରେ କହିଲା,"ବାବା ଜାଣିଛ ଆଜି ଆମ ସ୍କୁଲ ସାର୍ ଆସିଥିଲେ। କହିଛନ୍ତି କାଲି ଯାଇ ତମ ବ୍ୟାଙ୍କ ଖାତା ତାଙ୍କୁ ଦବାକୁ।ଆମ ମଧ୍ୟାହ୍ନ ଭୋଜନ ପଇସା ଏବେ ସେଥିରେ ଆସିବ। ଏବେ ସ୍କୁଲ ବନ୍ଦ ଅଛି ବୋଲି ପାଠ ପଢା କିନ୍ତୁ ବନ୍ଦ ହବନି। ଆମର ଅନଲାଇନ୍ ରେ ପାଠ ପଢା ହବ।" ଗୋଟିଏ ନିଃଶ୍ବାସରେ କହି ଚାଲିଥିଲା ମାନି।
ହଉ ଏବେ ତୁ ଯା' ଗୋଡ଼ ହାତ ଧୋଇ କ'ଣ ଦିଇଟା ଖାଇବୁ। ସନିଆ ମୁହଁରୁ ଏତକ ଶୁଣି କହିଲା, " ନାଇଁ ତମେ ଆଗ ମୋ କଥା ଶୁଣ। ଆର ସପ୍ତାହରୁ ଆମର ଅନଲାଇନ୍ ରେ ପାଠ ପଢା ହବ ମୁଁ ପଢିବି ତ।" ହଁ, ତୁ ବି ଯିବୁ ଆଉ ପାଠ ପଢ଼ିବୁ କହିଲା ସନିଆ। ମାନି ମୁଣ୍ଡରେ ହାତ ମାରି କହିଲା ,"ବାବା ତମେ ଜାଣିନ ଅନଲାଇନ୍ ରେ କେମିତି ପଢା ହବ କି ? ସନିଆ ଆଶ୍ଚର୍ଯ୍ୟ ହେଇ କହିଲା କାଇଁ କ'ଣ ହେଲା କି ? ମାନି କହିଲା,"ଅନଲାଇନ୍ ପାଠ ପଢିବା ପାଇଁ କୁଆଡେ ଯିବାକୁ ହବନି।ଘରେ ରହି ପଢି ପଢିବ। ଯେମିତି ଆକାଶ ଭାଇ ପଢୁଛି ତା' ମୋବାଇଲରେ ସେମିତି କାମ।"
ସନିଆ ବ୍ୟସ୍ତ ହେଇ କହିଲା,"ଆମର ମୋବାଇଲି ନାହିଁ। ତୁ କେମିତି ପଢ଼ିବୁ।""ସେ କଥା ମୁଁ ଜାଣିନି।ତମେ ଗୋଟେ ବଡ ମୋବାଇଲ ଆଣ। ତମେ ତ କହିଥିଲ ପାଠ ପଢିବା ପାଇଁ ଯେତେବେଳେ ଯାହା ଦରକାର ସବୁ ଆଣିଦବ।ଏବେ ବଡ଼ ମୋବାଇଲ ଆଣ" ଜିଦି କରି କହିଲା ମାନି। ମୁଣ୍ଡରେ ହାତ ଦେଲା ସନିଆ।ଏବେ ଯୋଉ ପରିସ୍ଥିତି କୋଉଠୁ ଆଣିବ ବା କିଏ ଦବ ଏତେ ଟଙ୍କା ଯେ ସେ ମୋବାଇଲ କିଣିବ। ତଥାପି କିଛି ଗୋଟେ କରିବ ବୋଲି ମାନିକୁ ବୁଝାଇ କିଛି ଦିନ ଗଡାଇ ଦେଲା ସନିଆ। ଚାରି/ ପାଞ୍ଚ ଦିନ ପରେ ମାନି ପୁଣି ମୋବାଇଲ ଆଣିବା ପାଇଁ ଜିଦ୍ କଲା ସନିଆ ପାଖରେ। ଏଥିର ନିରୁପାୟ ଥିଲା ସନିଆ। ତାକୁ କିଛି ବୁଦ୍ଧି ବାଟ ଦେଖାଯାଉ ନଥିଲା। କେତେ ଜଣଙ୍କୁ ସେ ନେହୁରା ହୋଇ କହିଲାଣି ତାକୁ କିଛି ଟଙ୍କା ସାହାଯ୍ୟ କରିବାକୁ; ହେଲେ ଏବେ ଯେମିତି ପରିସ୍ଥିତି ସମସ୍ତେ ସାହାଯ୍ୟ କରିବାକୁ ମନା କରିଦେଲେ।
ହଠାତ୍ ଏଇ ସମୟରେ ତା'ର ଦୁଧିଆଳି ଗାଈର ହମ୍ବା ରଡି ତା' କାନରେ ବାଜିଲା। ମନରେ ଟିକେ ଆଶାର ଆଲୋକ ଦେଖାଗଲା। ମନେମନେ ଭାବିଲା ଏହି ଗାଇ ଉପରେ ସରପଞ୍ଚ ବାବୁଙ୍କର ପ୍ରଥମରୁ ନଜର ଅଛି। ତାଙ୍କୁ ଯଦି ବିକିବି ସେ ନିଶ୍ଚୟ ଟଙ୍କା ଦେବେ। ମନ କଥା ମନରେ ରଖି ସେ ଏକ ମୁହାଁ ହେଇ ଯାଇ ପହଞ୍ଚିଲା ସରପଞ୍ଚଙ୍କ ଘରେ। ବାବୁଙ୍କୁ ସବୁ କଥା କହିଲା।ବାବୁ ବି ରାଜି ହେଇ ଗାଈ ବଦଳରେ ସନିଆକୁ ୧୦୦୦୦ ଟଙ୍କା ଦେବେ।
ତା' ପରଦିନ ସକାଳୁ ସନିଆ ନିଜର ପ୍ରିୟ ଗାଈକୁ ଆଣି ସରପଞ୍ଚ ବାବୁଙ୍କୁ ଦେଇ ଟଙ୍କା ନେଇ ଘରକୁ ଫେରିଲା। ଏହାପରେ ସେ ଆକାଶକୁ ନେଇ ବଜାରରୁ ଗୋଟିଏ ବଡ଼ ମୋବାଇଲ୍ କିଣି ଆଣିଲା। ମୋବାଇଲ୍ ଦେଖି ମାନିର ଖୁସି କହିଲେ ନ ସରେ। ଆକାଶ ତାକୁ ମୋବାଇଲ୍ ର ବ୍ୟବହାର ବୁଝାଇ ଦେଲା। ଆଉ ତା' ପରେ ଆରମ୍ଭ ହେଲା ମାନିର ଅନଲାଇନ୍ ପାଠପଢ଼ା। ମାନି ସିନା ଖୁସି ହୋଇ ପାଠ ପଢିବା ଆରମ୍ଭ କଲା ; ହେଲେ ସନିଆ .....। ତା' ମନରେ ଦୁଃଖର କଳା ବାଦଲ ଘେରି ରହିଥିଲା, କାରଣ ସେ ତା' ପ୍ରିୟ ଗୋମାତାଙ୍କୁ ବିକ୍ରି କରି ଦେଇଛି। ଖାଲି ଗୋଟିଏ ସନିଆ କାହିଁକି ଏଠି ନିତି ନିତି ଅନେକ ସନିଆ ନିଜ ପିଲାମାନଙ୍କର ଅଳି ପୂରଣ ପାଇଁ ସବୁ ବିକ୍ରି କରି ନିଶ୍ବ ପାଲଟୁଛନ୍ତି।