Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyaprakash Sethy, M. A(UGC NET)

Drama

5.0  

Satyaprakash Sethy, M. A(UGC NET)

Drama

ଦିନନାଥ ବିଦ୍ୟାନିକେତନ

ଦିନନାଥ ବିଦ୍ୟାନିକେତନ

6 mins
242



ପୀତବାସ ସେଦିନ ଗାଁକୁ ଆସିଥିଲେ। ଦୂର୍ଗା ପୂଜା ଛୁଟି ଘଡି, ତେଣୁ ଲମ୍ବା ଛୁଟି ହାତରେ। ପେଶାରେ ସେ ଜଣେ ଶିକ୍ଷକ। ପିଲାଟି ଦିନରୁ ଖୁବ୍ ଗରୀବ। ତେଣୁ ଅନେକ କଷ୍ଟ କରି ସେ ପାଠ ଦି ଅକ୍ଷର ପଢିଛନ୍ତି। ଏଇ ପାଠ ଟିକକ ପଢିବା ପାଇଁ ଦିନନାଥ ସାର୍ ଙ୍କ ଭୂମିକାଟି ଅନବଦ୍ଯ । ତାଙ୍କ ଭଳି ଆଦର୍ଶ ଶିକ୍ଷକ ଆଜି କାଲି ମିଳିବା କଷ୍ଟ। ସେ ଖାଲି ଯେ ଭଲ ପାଠ ପଢାନ୍ତି ସେ କଥା ନୂହେଁ, ବରଂ ସେ ଜଣେ ଭଲ ମାନବବାଦୀ ମଣିଷ। କେଉଁ ପିଲାର କ'ଣ ଅଭାବ ଅସୁବିଧା ରହୁଛି ତାହା ମଧ୍ୟ ସେ ଅନୁଧ୍ୟାନ କରନ୍ତି। ତେଣୁ ତ କାହାର କଲମଟେ ବା ଖାତାବହିଟେ ଦରକାର ଥିଲେ ସେ କଥା ସେ ବୁଝି ପାରନ୍ତି ଓ ଦିଅନ୍ତି। ଉଦ୍ଦେଶ୍ୟ ତା' ର ଅଭାବ ଦୂର କରି ପାଠ ଉପକରଣଟିଏ ଯୋଗାଇ ଦେବା ଥିଲେ ହେଁ ସେ କହନ୍ତି - "ଏ ପ୍ରଶ୍ନର ତୁ ସଠିକ୍ ଉତ୍ତର ରଖିଥିବାରୁ ଏଇଟା ତୋର ଉପହାର" । ପୁଣି ନିଜ ଟିଫିନ୍ ରୁ ତ କେତେବାର କେତେ ପିଲାଙ୍କୁ ଖୁଆଇଥାନ୍ତି।। ପୀତବାସ ସେଇ ଗୁରୁଙ୍କ କୃପାର ସାହାଯ୍ଯ ଓ ସହଯୋଗ ପାଇ ଆଜି ଶିକ୍ଷକ ଚାକିରୀ ଖଣ୍ଡେ କରି ପାରିଛନ୍ତି। ତେଣୁ ଭାବିଲେ ପାଖ ଗାଁର ଗୁରୁଙ୍କ ଘରକୁ ଯାଇ ଟିକେ ଦେଖା କରି ଆସିବେ। କିଛି ନହେଲେ ନାହିଁ ତ ମୁଣ୍ଡିଆଟେ ମାରି ଆଶୀର୍ବାଦ ଟିକେ ନେବେ, କୃତଜ୍ଞତା ଜଣାଇବେ। ସକାଳୁ ବିଛଣାରୁ ଉଠିପଡ଼ି ସିଧା ସଳଖିଲେ ଗୁରୁଜୀଙ୍କ ଘର ଆଡକୁ। ଗାନ୍ଧୀ ବ୍ୟାଗଟିଏ କାନ୍ଧରେ ଝୁଲାଇ ଥା'ନ୍ତି- ପୀତବାସ। ଗୁରୁଜୀଙ୍କ ଘରେ ପହଞ୍ଚିଲା ବେଳକୁ ଦେଖିଲେ ଦାଣ୍ଡରେ ସୁନ୍ଦରୀ ରୂପଶ୍ରୀ ତରୁଣୀଟିଏ ଛିଡା ହୋଇଛି।ନାଁଟି ତା'ର ରେବା। ଏଇ ରେବା ବୋଧେ ସାର୍ ଙ୍କ ଝିଅ। ସେଇ ରେବା ଦିନେ କେତେ ଛୋଟ ହୋଇଥିଲା। ପ୍ରାୟ ସାତ ଆଠ ବର୍ଷର ହେବ, ଯେତେବେଳେ ପୀତବାସ ଦିନନାଥ ସାରଙ୍କ ଘରକୁ ପାଠ ବୁଝିବାକୁ ବେଳେବେଳେ ଆସୁଥିଲେ। ସେତେବେଳେ ପୀତବାସ ପକେଟରେ ପୂରାଇ ବଇଁଚ କୋଳି, ଆମ୍ବଡା, ଆମ୍ବ ବା କାନକୋଳି କିଛିନା କିଛି ଆଣିଥିବେ, କାହିଁକିନା ରେବା ମାଗି ବସିବ । ଆଜି ହୁଏତ ସେ ଏତେ ବଡ ହୋଇଗଲାଣି। ବୟସ ତ ଅଠର କୋଡ଼ିଏ ବର୍ଷ ଲାଗୁଛି। ପଚାରିଲା -" ସାର୍ ଘରେ ଅଛନ୍ତି" ?

ରେବ କହିଲା - "ଆପଣ କିଏ" ?


-"ମୁଁ ତାଙ୍କର ଜଣେ ପୁରାତନ ଛାତ୍ର। ନାଁ ମୋର ପୀତବାସ। ସାର୍ ଙ୍କୁ କହିଲେ ପୀତବାସ କିଏ ଆସିଛି ବୋଲି ସେ ଠିକ୍ ଚିହ୍ନେ" । ରେବାଟା ହସକୁରୀ ଝିଅଟା। ପୀତବାସ କୁ ଚିହ୍ନି ଦେଲା କି କ'ଣ ମୁରୁକେଇକି ହସି ନେଲା। ଏଇ ସମୟରେ ଖୁଁ ଖୁଁ କାଶ ଶବ୍ଦ ସହ "କିଏ, କିଏ ଆସିଛି କିରେ!" ବୋଲି ସାରଙ୍କର ପାଟି ଶୁଭିଲା।

ରେବା ଘର ଭିତରକୁ ପଶି ଯାଇ ପୁଣି ଫେରି ଆସିଲା। ବାପାଙ୍କ ନିର୍ଦ୍ଦେଶରେ ପୀତବାସକୁ ଘର ଭିତରକୁ ଆସିବାକୁ କହିଲା। ପୀତବାସ ଗୁରୁଜୀଙ୍କୁ ପ୍ରଣାମ କରି ପରିଚୟ ଦେଲା। ଗୁରୁଜୀ ବହୁତ ଖୁସି ହେଲେ। କହିଲେ - "ଆରେ! ତୁ ତ ସବୁ ଶ୍ରେଣୀରେ ପ୍ରାୟ ପ୍ରଥମ ହେଉଥିଲୁ, ଏବେ କ'ଣ କରୁଛୁ"?


ପୀତବାସ କହିଲେ -" ସାର୍! ଆପଣଙ୍କ କରୁଣାରୁ ମୁଁ ଏବେ ଓ. ଇ. ଏସ୍. ପାଇ ସହରରେ ସିଦ୍ଧେଶ୍ଵର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇଛି" ।

ଗୁରୁଜୀ ପଚାରିଲେ - "ତୁମ ସ୍କୁଲରେ କେତେ ପିଲା ପାଠ ଏକାଥରକେ pick up କରୁଛନ୍ତି ଓ ଆଉ କେତେ ପିଲା ଡାଉନ ଅଛନ୍ତି"?

-" ଏଇ 60 /40 ପ୍ରତିଶତ ହାର ହେବ"। 

-"ସେମାନଙ୍କ ପାଇଁ ତୁମର କ'ଣ strategy ରହୁଛୁ"?

-" ସାର୍ ସେମାନଙ୍କ ପାଇଁ ଏକ୍ସଟ୍ରା କ୍ଲାସ୍ ଓ ଡାଉଟ କ୍ଲିଅରିଂ କ୍ଲାସ୍ ରଖି ଆଉ ଟିକିଏ effort ଦେଇ ସହଜ ଓ ସରଳ ଭାବରେ ପଢାଇବା ପାଇଁ ମୁଁ ବ୍ୟବସ୍ଥା କରିଛି।ତାଛଡା ମାଡଗାଳି ଦେଲେ ତ ଆଉ ଚଳିବନି, ବୁଝାଶୁଝା କରି ପଢ଼ାଇବାକୁ ହେଉଛି । ଛାତ୍ରମାନଙ୍କ ଭିତରେ ଗୋଟାଏ ବିଶ୍ବାସବୋଧ ଓ ସୁନ୍ଦର ଭବିଷ୍ୟତର ରଙ୍ଗିନ ସ୍ଵପ୍ନ ଭରି ଦେବା ମୋର କାମ। motivationଟା ମୋ ମତରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବ୍ୟାପାର"।


ସାର୍ କହିଲେ -" ଗୁଡ୍। ଆଜି ତୁମେ ସେମିତି ଯାଇ ପାରିବ ନାହିଁ ମୋ ସହିତ ତୁମକୁ ଖୁଆଇ ଛାଡ଼ିବି। ତୁମ ସହ ଟିକିଏ ବସି ମନ ଭରି ଗପସପ ହେବି। ଅନେକ ଦିନ ହେବ ଅସୁସ୍ଥ ହୋଇ ବିଛଣାରେ ପଡି ରହିଛି। ତେଣୁ କିଛି ଭଲ ଲାଗୁ ନାହିଁ"।

ସାରଙ୍କ କଥା କାଟି ନ ପରି ପୀତବାସ ମୁଣ୍ଡ ଟୁଙ୍ଗାରିଲେ। ସାର୍ ରେବାକୁ ଡାକି କହିଲେ- "ରୋଷେଇ କର, ପୀତବାସ ଆମ ଘରେ ଖାଇକି ଫେରିବେ"। ଦରଜା ସେପଟରେ ରହି ସବୁ ଶୁଣୁଥିବା ରେବା ହସି ଦେଇ ରୋଷେଇ କରିବାକୁ ଚାଲି ଗଲା। ଗୁରୁଛାତ୍ର ଆଜିକାର ଶିକ୍ଷା ବ୍ୟବସ୍ଥା ଓ ସାମାଜିକ ବିଧି ବ୍ୟବସ୍ଥାକୁ ନେଇ ଅନେକ ଅନୁଚିନ୍ତା ପ୍ରକାଶ କଲେ। ଯେପରିକି ସେମାନଙ୍କ ଗପରେ ପୂର୍ଣ୍ଣଚ୍ଛେଦ ପଡୁ ନଥିଲା।


ଖାଦ୍ୟ ପ୍ରସ୍ତୁତି ପରେ ଗୁରୁ ଶିଷ୍ୟ ମନ ଭରି ଖାଇଲେ।ବାରମ୍ବାର ଅନିୟମିତା ବିଦ୍ୟୁତ୍ କାଟ ଯୋଗୁଁ ପଙ୍ଖା ଘୂରୁ ନଥାଏ। ପାଖରେ ବସି ରେବା ତାଳପତ୍ର ବିଞ୍ଚଣାରେ ବିଞ୍ଚି ଦେଉଥାଏ। ସାର୍ କହିଲେ-ଆରେ! ରେବା ରନ୍ଧା ତୁମକୁ ଭଲ ଲାଗୁଛି ତ"। ପୀତବାସ କହିଲେ -" ରେବା ରାନ୍ଧଣାରେ ତ ସ୍ଵୟଂ ଅର୍ଣ୍ଣପୂର୍ଣ୍ଣ ବିରାଜମାନ କରିଛନ୍ତି। ସତରେ ବହୁତ ସ୍ୱାଦିଷ୍ଠ ହୋଇଛି। ମୋର ପରା ଇଛା ହେଉଛି ହାତ ଚାଟି ସବୁ ଖାଇ ଦେବାକୁ "। ରେବା ସ୍ମିତ ହସୁଥାଏ। ଖାଇ ସାରିଲା ପରେ ପୀତବାସ ଯିବାକୁ ବାହାରିଲେ।


ହେଲେ ସେ ଗୁରୁଜୀଙ୍କଠାରୁ ବିଦାୟ ନେବା ପୂର୍ବରୁ ସାଲଠାରୁ ଆରମ୍ଭ କରି ଫଳମୂଳ ଓ ଡ୍ରାଏ ଫ୍ରୁଟସ ପର୍ଯ୍ୟନ୍ତ କେତେ ରକମର ସହରରୁ ଆଣିଥିବା ଜିନିଷ , ସବୁ ଖୋଲି ରଖିଲେ। ସାର୍ କହିଲେ -" ଆରେ! ଏଗୁଡାକ ଏତେ ସବୁ କାହିଁକି ଆଣୁଥିଲୁ"? କହିଲେ - "ନାଇଁ ସାର୍ ଏ ତ ମାତ୍ର ମୋର ଗୁରୁ ଦକ୍ଷୀଣା" । ରେବା କହିଲା - "ଆଉ ମୋ ପାଇଁ" ? ପୀତବାସ ବଡ଼ ଅଡୁଆରେ ପଡି ଗଲେ, କହିଲେ - "ତୁମ ପାଇଁ କିଛି ଆଣି ନାହିଁ। କାରଣ ତୁମେ ଯେ ଏତେବଡ଼ ହୋଇଯାଇଛ ସେ କଥା ମୁଁ ମନେ ପକାଇ ପାରିଲି ନାହିଁ କି କିଛି ବି ଆଣି ପାରିଲି ନାହିଁ, କିନ୍ତୁ ଏଇ ପୂରା ଝୁଲିଟା ଯେ ତୁମର" । ଝୁଲିଟା ବଢାଇ ଦେଲା ବେଳେ ପିତବାସଙ୍କର ଆଙ୍ଗୁଳିର ସ୍ପର୍ଶ ପାଇ ଯେପରି ରେବା ଶିହରିତ ହୋଇ ଉଠୁଥିଲା। ତା'ର ରୁମ ମୂଳି ଟାଙ୍କୁରି ଉଠିଲା, ସେ ଲାଜେଇ ଗଲା।

ଦିନନାଥ କହିଲେ -" ଦେଖ ପୀତବାସ! ଆଜି ମୁଁ ତୁମକୁ ଗୋଟେ ଛୋଟ ଅନୁରୋଧ କରିବି। ତୁମେ ମୋତେ ଦେଇପାରିବ ତ ..."?

ପୀତବାସ କହିଲେ -" ଗୋଟେ କାହିଁକି ସାର୍, ଆପଣ କହିଲେ ଆପାଦମସ୍ତକ ମୁଁ ମୋର ସବୁ ଆପଣଙ୍କ ପାଦ ତଳେ ଅଜାଡି ଦେବି। ଆପଣଙ୍କ ପାଇଁ ତ ମୁଁ ଆଜି ଆସି ଏତେବାଟରେ ପହଁଞ୍ଚିଛି" ।


ସାର୍ କହିଲେ - "ହଁ ମୁଁ ତୁମକୁ ଗୋଟା ପୁଣି ଚାହେଁ "।ପୀତବାସ ଏ କଥାର କିଛି ସଠିକ୍ ଅର୍ଥ ବୁଝି ପାରିଲେ ନାହିଁ। ସାର୍ କହିଲେ -" ମୁଁ ମନେମନେ ଚିନ୍ତା କରିଥିଲି - ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ଯିଏ ମୋଠାରୁ ଅଧିକ ଜ୍ଞାନୀ ଓ ଛାତ୍ର ବତ୍ସଳ ହୋଇଥିବ ମୁଁ ତାହାରି ହାତରେ ହିଁ ମୋର ଏକମାତ୍ର କନ୍ୟା ଏଇ ମାଆ ଛେଉଣ୍ଡ ଛୁଆଟାକୁ ଟେକି ଦେଇ ଆରପାରିକୁ ଶାନ୍ତିରେ ଯାଇ ପାରିବି। ଆଜି ହିଁ ଦେଖୁଛି, ମୋର ସେଇ ସ୍ଵପ୍ନ ସାକାର ହେବାକୁ ଯାଉଛି। ତୁମେ ହିଁ ମୋ ରେବା ପାଇଁ ଉପଯୁକ୍ତ ପାତ୍ର। କ'ଣ ପାରିବ ମୋ ପ୍ରସ୍ତାବରେ ରାଜି ହୋଇ"?

ପୀତବାସ କହିଲେ -" ହଁ.. ନାଇଁ ଯେ ସାର୍.. ।ହେଲେ ଆମ ଭିତରେ ବ୍ୟବଧାନ ଯେ ଅନେକ। ମୁଁ ଜାତିରେ ହରିଜନ, ପୁଣି ବାପା ମାଆ ଛେଉଣ୍ଡ.." ।

ସାର୍ କହିଲେ -" ସେଇଠୁ କ' ଣ ହେଲା। ଆମେ ସଭ୍ୟ ଶିକ୍ଷିତ ହୋଇଛେ। ମଣିଷ ମଣିଷ ଭିତରେ ବାସ୍ତବରେ କ'ଣ ପ୍ରଭେଦ ଅଛି ସେ କଥା ଭଲ ଭାବେ ବୁଝିଛେ। ଶିକ୍ଷିତ ଓ ଅଶିକ୍ଷିତ ଭିତରେ ପ୍ରଭେଦଟା ହିଁ ସବୁଠାରୁ ବଡ ପ୍ରଭେଦ। ତା ବୋଲି ନିଜ ଜାତିଷ୍ଠ ହେଲେ ବି ଗୋଟେ ବେକାରୀ ଓ ଅଶିକ୍ଷିତ ହାତରେ ତ ରେବା ପରି ଗୋଟେ ସୁଶ୍ରୀ ଶିକ୍ଷିତା ଝିଅର ହାତକୁ ମୁଁ ଆଉ ଟେକି ଦେଇ ପାରିବି ନାହିଁ।ତା ଛଡା କିଏ କ'ଣ ଭାବିବ ଓ ବିରୋଧ କରିବ ସେଥିପାଇଁ ଏ ବୃଦ୍ଧ ଦିନନାଥ ମାଷ୍ଟର ବିବ୍ରତ ନୂହେଁ। ଆଜି ପର୍ଯ୍ୟନ୍ତ ମୁଁ କେବଳ ବିବେକାନୁମୋଦିତ ଓ ହୃଦୟାନୁସୃତ କାର୍ଯ୍ୟ କରିଛି। ତେବେ ଏଥିରେ ତୁମ ସମ୍ମତିଟା ଗୁରୁତ୍ୱପୂର୍ଣ୍ଣ। ତେଣିକି ବନ୍ଧୁ ବିରେଦାର ବିରୋଧ କଲେ ବି ମୁଁ ମୋ ଘରେ ଥିବା ରାଧା ଗୋବିନ୍ଦ ମନ୍ଦିରରେ ତୁମ ଦୁଇ ଜଣଙ୍କର ବିବାହ ସମ୍ପନ୍ନ କରିବି। କାରଣ ଏମିତି ଏକ ଦୁରାରୋଗ୍ୟରେ ମୁଁ ଏବେ ପୀଡିତ ଯେ, ଆଉ ଅଧିକ ଦିନ ବଞ୍ଚି ରହିବା ମୋ ପକ୍ଷରେ ସମ୍ଭବପର ନୂହେଁ। ଖାଲି ରେବାର ହାତକୁ ଦୁଇ ହାତ କରିଦେଲେ ମୋର ଯାଇ ଶାନ୍ତି। ତେଣୁ ଜଲଦି ଏଇ ଶୁଭ କାମଟା ସାରିଦେଲେ ଯାଏ। କୁହ ପୀତବାସ! ମୋ କଥାରେ ଜବାବ୍ ଦିଅ"? ଏଭଳି ଅଚାନକ ଏକ କିମ୍ଭୁତ କିମ୍ଭାକର ପରିସ୍ଥିତିର ସାମ୍ନା କରି ପୀତବାସଙ୍କର ମଥା ଘୂରି ଯାଉଥିଲା, ସେ କେବଳ ମୁଣ୍ଡ ଟୁଙ୍ଗାରି ସମ୍ମତି ଦେଲେ।


ଶେଷରେ ସମସ୍ତଙ୍କ ବିରୋଧ ଓ ନାଟକ ବାଜି ଭିତରେ ବିନା ବନ୍ଧୁ ବାନ୍ଧବ ଓ ତୋପ କମାଣରେ ସ୍ଥାନୀୟ ରାଧା ଗୋବିନ୍ଦ ମନ୍ଦିରରେ ଉଭୟଙ୍କର ବିବାହ ବନ୍ଧନ କାର୍ଯ୍ୟ ସମ୍ପାଦିତ ହୋଇଗଲା। ସାର୍ ଙ୍କ ଦେହ ଖରାପ ଯୋଗୁଁ ପୀତବାସ ବାହାଘର ପରେ ଦିନନାଥଙ୍କ ଘରକୁ ଚାଲି ଆସିଲେ। ମାତ୍ର୍ ସାହି ଭାଇ ରଖେଇ ଦେଲେ ନାହିଁ। ବାର ଲୋକ ତେର କଥା କହି ବିରୋଧ କଲେ। ବିରୋଧର ସ୍ଵର ଏତେ ତୀବ୍ର ହେଲା ଯେ, ଶେଷକୁ ଦିନନାଥ ଦୁଃଖ ଓ ଅନୁଶୋଚନାରେ ଆଖି ବୁଜିଦେଲେ। ପିତବାସଙ୍କର ଗାଁରେ ରହିବା ଅସମ୍ଭବ ଓ ଅସମ୍ଭାଳ ହୋଇ ଉଠିବାରୁ ସେ ନିଜ ଚାକିରୀସ୍ଥଳ ସହରକୁ ଚାଲି ଆସିଲେ।

ସ୍ନେହ ପ୍ରୀତିରେ ହସି ଉଠୁଥିଲା ସେମାନଙ୍କର ସୁନାର ସଂସାର। 


ଇତିମଧ୍ୟରେ ସେମାନେ ଦୁଇଟି ସନ୍ତାନର ଜନକ ଜନନୀ ହୋଇ ସାରିଥିଲେ ।ଯେଉଁମାନେ କି ଖୁବ୍ ପାଠ ପଢି ଆଜି ସୁଦୂର ସହରରେ ଡାକ୍ତର ଓ ଇଞ୍ଜିନିୟର। ପୀତବାସ ସମ୍ପ୍ରତି ଚାକିରୀରୁ ଅବସର ନେଇ ସାରିଛନ୍ତି। ଆଉ ହାତରେ ବିଶେଷ କିଛି କାମଧନ୍ଦା ନାହିଁ, କିନ୍ତୁ ଅଛି ମୁଠା ମୁଠା ଟଙ୍କା। ତେଣୁ ସେ ଗାଁକୁ ଫେରିଲେ। ପରିତ୍ୟକ୍ତ ହୋଇ ପଡିଥିବା ଦିନନାଥଙ୍କ ବିରାଟ ଘର ଡିହ ଉପରେ ସେ ଗଢି ତୋଳିଲେ ସୁଉଚ୍ଚ ଅଟ୍ଟାଳିକା। ନାମ ଦେଲେ "ଦିନାନାଥ ବିଦ୍ୟା ନିକେତନ"। ଆରମ୍ଭ ହେଲା ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥାର ଏକ ଉନ୍ନତ ଅନୁଷ୍ଠାନ। ଏତେବେଳକୁ ତାଙ୍କ ଅର୍ଥ ଓ ପ୍ରତିପତ୍ତି ଦେଖି ଗାଁ ଲୋକମାନେ ସମସ୍ତେ ପାଖେଇ ଆସିଲେଣି। ମିଳିଲା ସମସ୍ତଙ୍କର ସହଯୋଗ। ଉଦ୍ଦେଶ୍ୟ ଗାଁ ଲୋକମାନଙ୍କ ଭିତରେ ବୁଣିବେ ଶିକ୍ଷାର ମଞ୍ଜି। ସମସ୍ତଙ୍କୁ ଉଚ୍ଚମାନର ଅତ୍ୟାଧୁନିକ ଶିକ୍ଷା ଯୋଗାଇ ଦେଇ ଦେଖାଇବେ ଶିକ୍ଷାର ନବୀନ ଆଲୋକ। ସାରଙ୍କ ଉକ୍ତି - "ଶିକ୍ଷିତ ହୁଅ, ବଳେ ଶିକ୍ଷିତ ଓ ଅଶିକ୍ଷିତ ମଧ୍ୟରେ ଫରକଟା ବୁଝା ପଡି ଯିବ ଯେ" ସାକାର ହେବାକୁ ଲାଗୁଥାଏ।

ଏବେବି ପରିଣତ ବୟସରେ ରେବାଟା ବହୁତ ସୁନ୍ଦର ଦିଶୁଥାଏ। ପୀତବାସ ରେବାକୁ ପାଖକୁ ଟାଣି ନେଇ ନିଜ ସ୍ନେହ ଅଶ୍ଳେଷରେ ହଜାଇ ଦେଲେ।



Rate this content
Log in

More oriya story from Satyaprakash Sethy, M. A(UGC NET)

Similar oriya story from Drama