Lalita Mohan Mishra

Classics

2  

Lalita Mohan Mishra

Classics

ଦିବ୍ୟ ଅନୁଭୂତି

ଦିବ୍ୟ ଅନୁଭୂତି

6 mins
360


କିଏ କହେ ସେ ଜଗତର ନାଥ । କିଏ କହେ ଭାବବିନୋଦିଆ । କିନ୍ତୁ ଭକ୍ତ ପାଇଁ ସେ କେତେବେଳେ ଭଗବାନ ତ ଆଉ କେତେବେଳେ ସଖା ସହୋଦର । ବଡଦାଣ୍ଡ ର ରଥଯାତ୍ରାକୁ ତୁଚ୍ଛ କରି ସେ ଭକ୍ତ ପାଇଁ ବାଲିର ରଥରେ ବିଜେ କରିପାରେ । ତ ଆଉ କେତେବେଳେ ଦାସିଆ ବାଉରୀ ହାତରୁ ନଡ଼ିଆ ବି ଛଡେଇ ନେଇଥାଏ I କିଏ ବା ବୁଝିବ କାଳିଆ ର ଲୀଳାକୁ I କାହିଁକି କେଜାଣି କାଳିଆ ସହିତ ଭାବ ଟା ଭାରି ଅନ୍ତରଙ୍ଗ ହୁଏ । ସେ କଥା ଗୁଡ଼ିକ କାହା ପାଇଁ ଗପ ହେଇପାରେ ତ ଆଉ କାହାପାଇଁ ବାସ୍ତବ ଅନୁଭୂତି I ବ୍ରାହ୍ମଣ ଘରେ ଜନ୍ମ ହୋଇ ପିଲାଦିନରୁ ଭାରି ଜଗନ୍ନାଥ ବିଶ୍ବାସୀ ।  ଜଗନ୍ନାଥ ଯେ କେବଳ ଏକ କାଠ ପିତୁଳା ଏ ଭାବନା, ଏ ବିଶ୍ବାସ ମୋର ନ ଥିଲା । ଜଗନ୍ନାଥ ଦିନ ହୀନ ଏବଂ ଦରିଦ୍ରର ବନ୍ଧୁ । ଏ କଥା ବିଭିନ୍ନ ଶାସ୍ତ୍ର ପୁରାଣ ଲୋକ କଥାକୁ ନେଇ ବିଶ୍ୱାସ କରିଥାଏ । ଏହି କଥାଟି ମୋ ମନରୁ କେହି ବି ଦୂରେଇବାରେ ସକ୍ଷମ ହୋଇ ପାରୁନଥିଲେ। ବରଂ ମୋ ଶାଣିତ ଯୁକ୍ତିରେ ଗାଲୁଆଟା ଭାବି ଅଧିକ ଯୁକ୍ତି ନକରି ଚୁପ ରହୁଥିଲେ I ଧୀରେ ଧୀରେ ସମୟ ବଦଳିବା ସହିତ ବଦଳିଥିଲା ସମୟର ଚକ ।


ପୁରୀରେ କଲେଜ ପଢିବାର ସୁଯୋଗ ପାଇଲି । କଲେଜର ପଶ୍ଚିମ ଦ୍ବାରରେ ଆମର ଥାଏ ଛାତ୍ରାବାସ । ଜଗନ୍ନାଥଙ୍କ ନିକଟବର୍ତ୍ତୀ ହେବାର ସୁଯୋଗ ପାଇଲି । ପ୍ରତିଦିନ ସକାଳୁ ଉଠି ନିତ୍ୟ କର୍ମ ସାରି ଜଗନ୍ନାଥ ଦର୍ଶନ କରେ। ମନ୍ଦିରରେ ଥିବା ଅନ୍ୟ ଦେବାଦେବୀଙ୍କର ମଧ୍ୟ ଦର୍ଶନ ହୁଏ । ଦର୍ଶନରେ ଅନନ୍ୟ ଅନୁଭୂତି । ଯାହା ଅବିସ୍ମରଣୀୟ ଅବର୍ଣ୍ଣନୀୟ । 


ଜଗନ୍ନାଥ ସର୍ବ ଧର୍ମର ପ୍ରତୀକ । ମାନବବାଦୀ ଧର୍ମ, ଆଧ୍ୟାତ୍ମବାଦୀ ଧର୍ମ ଏବଂ ପ୍ରକୃତିବାଦୀ ଧର୍ମର ସମନ୍ୱୟରୁ ସେ ଉଦ୍ଭାସିତ । ପ୍ରକୃତିବାଦରୁ, ସୂର୍ଯ୍ୟ, ଚନ୍ଦ୍ର, ପୃଥ୍ୱିବୀ, ଜଳ, ଆକାଶ, ସବୁରେ ସେ ଉପାସିତ । ମାନବବାଦରୁ ମନୁଷ୍ୟ ପରି ତାଙ୍କର ନିତ୍ୟକର୍ମ, ବିଭିନ୍ନ ବେଶ, ଅବକାଶ, ମଣୋହୀ, ତଥା ଶୟନ ହୁଏ । ଆଧ୍ୟତ୍ମବାଦରୁ ରୂପହୋଇ ଅରୁପ ସେ, ବ୍ୟକ୍ତି ହୋଇ ଅବ୍ୟକ୍ତ, ଅପୂର୍ଣ୍ଣ ହୋଇ ସେ ପୂର୍ଣ୍ଣ, ସ୍ଥୁଳ ହୋଇ ଶୂନ୍ୟ ମହାଶୂନ୍ୟ ସେ । ଅନନ୍ତ କୋଟି ବ୍ରହ୍ମାଣ୍ଡର ସ୍ୱରୂପ ସେ, ତେଣୁ ସେ ହେଉଛନ୍ତି ପରଂବ୍ରହ୍ମ, ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ । ସେ ନିଜେ ସୃଷ୍ଟି ଏବଂ ସ୍ରଷ୍ଟା । ସେହି ସୃଷ୍ଟି କର୍ତ୍ତା ପରଂବ୍ରହ୍ମ ଜଗନ୍ନାଥଙ୍କ ବିଷୟରେ ରହିଛି ଅନେକ କିମ୍ବଦନ୍ତୀ । ଏହି ସବୁ କିମ୍ବଦନ୍ତୀ ଯେତିକ ଅଶ୍ଚର୍ଯ୍ୟକର, ସେସବୁ ତଥ୍ୟ ସେତିକି ରୋଚକପୂର୍ଣ୍ଣ । ବଡ଼ ଦେଉଳ ଠାରୁ ଆରମ୍ଭ କରି ଶ୍ରୀକ୍ଷେତ୍ର ପୁରୀସହ ଜଡିତ ଏପରି ଅନେକ ରୋଚକ ତଥ୍ୟ ରହିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ନା ବିଜ୍ଞାନ ଏହାକୁ ପ୍ରମାଣ କରିପାରିଛି, ନା କୌଣସି ଯୁକ୍ତି ଭେଦ କରିପାରିଛି ଏହି ରହସ୍ୟକୁ । ନଜର ପକାଇବା ଏମିତି କିଛି ଅଲୌକିକ ଘଟଣା ଉପରେ ।


ପତିତପାବନ ବାନା : - ଶ୍ରୀମନ୍ଦିରର ପତିତ ପାବନ ବାନା । ପବନ ଯେଉଁ ଦିଗକୁ ବହେ, ତାର ବିପରୀତ ଦିଗରେ ଉଡିଥାଏ ବଡ଼ ଦେଉଳର ପତାକା । ଭେଦ କରିବା କଷ୍ଟକର ଜଗନ୍ନାଥଙ୍କ ଏହି ମହିମା ।


ନୀଳ ଚକ୍ର:- ବଡ଼ ଦେଉଳର ଚୂଳରେ ଶୋଭା ପାଉଥାଏ ନୀଳ ଚକ୍ର । ଆଉ ଏହି ଚକ୍ରର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଯେଉଁ ପାର୍ଶ୍ଵରୁ ଏହି ଚକ୍ରକୁ ଦେଖିଲେ ଆପଣଙ୍କ ଆଡକୁ ସାମ୍ନା କରିଥିବା ଭଳି ଦେଖାଯାଏ ।


ପବନର ଦିଗ ବଦଳେ:- ସାଧାରଣତଃ ଦିନ ବେଳା ସମୁଦ୍ରରୁ ସ୍ଥଳଭାଗକୁ ପବନ ବହିଥାଏ, ରାତିରେ ସ୍ଥଳଭାଗରୁ ସମୁଦ୍ର ଆଡକୁ ପବନ ବହେ । ମାତ୍ର ପୁରୀ ଉପକୂଳରେ ଏହା ଓଲଟା ଦେଖିବାକୁ ମିଳେ । ମହୋଦଧି ପଟୁ ଶ୍ରୀମନ୍ଦିର ଆଡକୁ ପବନ ବହିଥାଏ ରାତିରେ ।


ଶ୍ରୀମନ୍ଦିର ଓ ପକ୍ଷୀ :- କୁହାଯାଏ ଶ୍ରୀମନ୍ଦିର ଉପରେ କୌଣସି ଚଢେଇ ଉଡେନାହିଁ । ପକ୍ଷୀ ମଧ୍ୟ ବଡ଼ ଦେଉଳ ଭିତରେ ବସା କରିନଥାଏ ।


ଶ୍ରୀମନ୍ଦିର ଛାଇ ନାହିଁ :- ଶ୍ରୀମନ୍ଦିରର ଛାଇ ପଡେ ନାହିଁ । ଦିନର ଯେକୌଣସି ସମୟ ହେଉ ଦେଖିବାକୁ ମିଳେ ନାହିଁ ମନ୍ଦିରର ଛାଇ । ସ୍ଥାପତ୍ୟ କୌଶଳ ହେଉ ବା ଇଶ୍ୱରଙ୍କ ଚମତ୍କାର, ଯାହା ଆଶ୍ଚର୍ଯ୍ୟ କରିଥାଏ ସମସ୍ତଙ୍କୁ ।


ମହାପ୍ରସାଦର ମହିମା:- ବିଶ୍ୱାସ ରହିଛି, ସ୍ୱୟଂ ମାଆ ଲକ୍ଷ୍ମୀଙ୍କ ତତ୍ୱାବଧାନରେ ରୋଷେଇ ହୋଇଥାଏ ମହାପ୍ରସାଦ । ଝଡ ହେଉ କି ବାତ୍ୟା, କେବେ ବି ନଷ୍ଟ ହୋଇନଥାଏ ମହାପ୍ରସାଦ । ଥାକ ଥାକ ହୋଇ କୁଡୁଆ ଥୁଆ ହୋଇ ରୋଷେଇ ହୋଇଥାଏ । ସବୁଠୁ ଉପରେ ରଖା ଯାଇଥିବା କୁଡୁଆରେ ପ୍ରଥମେ ରୋଷେଇ ଶେଷ ହୋଇଥାଏ ।


୨୨ ପାହାଚର ମହିମା:- ସିଂହଦ୍ୱାରରେ ପ୍ରବେଶ କରି ଗୋଟିଏ ପାହାଚ ଡେଇଁବା ପରେ ଶୁଭି ନଥାଏ ସମୁଦ୍ରର ଗର୍ଜନ । ହେଲେ ଫେରିବା ବେଳେ ସମୁଦ୍ରର ଗର୍ଜନ ଶୁଣିବାକୁ ମିଳେ । କାହିଁକି ଏପରି ହୁଏ, ଏପର୍ଯ୍ୟନ୍ତ ବୁଝିହୋଇନି ଏହି ରହସ୍ୟ । ବିଶ୍ୱାସ ରହିଛି, ମାଆ ସୁଭଦ୍ରା, ଶ୍ରୀମନ୍ଦିର ଭିତରେ ଶାନ୍ତି ଚାହୁଁଥିବାରୁ ଏହି ଅଲୌକିକ ଘଟଣା ଘଟିଥାଏ ।


ଜଗନ୍ନାଥଙ୍କ ତତ୍ତ୍ଵ ଏବଂ ମହିମା ଜାଣିବା ପରେ ଜଗନ୍ନାଥ ପ୍ରେମରେ ବୁଡିଗଲି । ଜଗନ୍ନାଥ ହେଉଛନ୍ତି ଜଗତର ନାଥ । ଠାକୁରଙ୍କର କଥା ବଖାଣିଲେ ସରିବ ନାହିଁ । ଏକ ଅନୁଭୂତି ମୋର ମନେ ପଡେ -


ପାଠ ପଢା ସରିଲା... ଚାକିରୀ ପାଇଲି କିନ୍ତୁ ପ୍ରତି ମୂହୁର୍ତ୍ତରେ ଜଗନ୍ନାଥଙ୍କ ଆଶୀର୍ବାଦ ଥାଏ । ସଫଳତାରେ ହେଉ କିମ୍ବା ବିଫଳତାରେ ହେଉ ଜଗନ୍ନାଥ ନାମ ଉଚ୍ଚାରଣ କରି କର୍ମ କରେ । ଯଦି ବିଫଳତା ପାଏ ତାହାହେଲେ ଭାବେ ପ୍ରଭୁ ଏଥିରେ ମୋର କିଛି ଦୋଷ ତ୍ରୁଟି ରହିଗଲା ଯାହାଦ୍ୱାରା କି ସଫଳତା ପାଇ ପାରିଲି ନାହିଁ । ଆଲୋଚନା କରେ ପର୍ଯ୍ୟାଲୋଚନା କରେ..... ଭାବେ ସମୀକ୍ଷା କରେ ତାହା ପରେ କାର୍ଯ୍ୟରେ ଆଗେଇ ଚାଲେ । ସଫଳତା ପାଇଲେ ଜଗନ୍ନାଥଙ୍କୁ ଶତକୋଟୀ ପ୍ରଣାମ କରେ ପ୍ରଭୁ ଆପଣଙ୍କର କୃପାରୁ ସଫଳତା ଲାଭ କଲି ।


ଗୋଟିଏ ଦିବ୍ୟ ଅନୁଭୂତି ମନେ ପଡେ...... ସେ ବର୍ଷ ମୋର ଗୋଟିଏ ପ୍ରମୋଶନ ସ୍କେଲ ମିଳିବାର ଥାଏ । ମୋର ସାଥିରେ ପୋଷ୍ଟିଂ ହୋଇ ଥିବା ବନ୍ଧୁମାନେ ଅର୍ଡର ପାଇଗଲେ କିନ୍ତୁ ଦୁଃଖର ବିଷୟ ମୋର ନାମ ସେଥିରେ ନ ଥିଲା । ବହୁତ ମନ ଦୁଃଖ କଲି । ସେଦିନ ଥାଏ ଦେବସ୍ନାନ ପୂର୍ଣ୍ଣିମା । ଧର୍ମପତ୍ନୀଙ୍କୁ ସାଙ୍ଗରେ ନେଇ ପୁରୀ ଅଭିମୁଖେ ବାହାରି ପଡିଲୁ । ମନରେ ସରସତା ନ ଥାଏ । ପୁରୀ ଯିବାରେ ବି ସେତେ ଆଗ୍ରହ ନ ଥାଏ କିନ୍ତୁ ଧର୍ମପତ୍ନୀଙ୍କର ଏକା ଯିଦ୍ ଚାଲ କାଳିଆର ଦର୍ଶନ କରି ଆସିବା । ମନା କରି ପାରିଲି ନାହିଁ । ମୋର ଆଶା ଠାକୁର ପୁରଣ କଲେ ନାହିଁ ବୋଲି ମନରେ କ୍ଷୋଭ ଥାଏ । ସ୍ତ୍ରୀ ବିଭିନ୍ନ କଥା କହି ମୋର ମନକୁ ଭୁଲାଇବାକୁ ଚେଷ୍ଟା କରୁଥାଏ ।


ପୁରୀରେ ଠିକ୍ ସମୟରେ ପହଁଞ୍ଚିଲୁ । ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ ଏହି ଦେବ ସ୍ନାନ ପୂର୍ଣ୍ଣିମା । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । 


ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି ।


ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହ୍ମଙ୍କ ଆଦ୍ୟ ସ୍ନାନଲୀଳା ସମାପନ ହୋଇଥିଲା । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି । ସୂଚନାଯୋଗ୍ୟ, ଶାସ୍ତ୍ର ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା । ଜ୍ୟୋଷ୍ଠମାସ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପ୍ରଥମ ସ୍ନାନଲୀଳା ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା କୁହାଯାଏ ।


ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ରହିଛି । ତାହା ହେଲା, ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ । ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା ।


ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ଧାରଣ କରିଥିଲେ । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୁଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି ।କୁହନ୍ତି ଜଗନ୍ନାଥଙ୍କୁ ଗଜାନନ ବେଶରେ ଯାହା ମନୋକାମନା କରିବ ତାହା ନିଶ୍ଚିତ ପୂର୍ଣ୍ଣ ହେବ । 


ପୁରୀରେ ସ୍ବାମୀ ସ୍ତ୍ରୀ ଦେବସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥଙ୍କୁ ନିଜର ମନୋକାମନା ଜଣାଇଲୁ । ଦୁଇଦିନ ପରେ ପୁରୀରୁ ଫେରିଲୁ । ଚାରି ପାଞ୍ଚ ଦିନ ପରେ ଶୁଣିଲି ଏବଂ ଅର୍ଡର ମଧ୍ୟ ପାଇଲି । ହେଡ୍ କ୍ଲର୍କ ଫୋନ୍ କରି କହିଲେ ଭୁଲ ବସତଃ ଆପଣଙ୍କର ନାମଟି ଛାଡି ହୋଇଯାଇଥିଲା । ଆପଣ ପମୋଶନ ସ୍କେଲ ପାଇଛନ୍ତି। ସେ ଯେତେ ଭୁଲ ବସତଃ କୁହନ୍ତୁ ନା କାହିଁକି ମୋର ବିଶ୍ବାସ ଜଗନ୍ନାଥଙ୍କ ଅପାର କରୁଣାରୁ ମୋର କାର୍ଯ୍ୟଟି ସଫଳ ହୋଇଛି । ଜଗନ୍ନାଥ ଅନ୍ତର୍ଯ୍ୟାମୀ ସେ ଦୁଃଖୀ ଦରିଦ୍ରର କଥା ବୁଝି ପାରନ୍ତି । ସେ ମୋର ମନୋବାଞ୍ଛାକୁ ପୂର୍ଣ୍ଣ କରିଛନ୍ତି । ଧନ୍ୟ ସେ କାଳିଆ ଠାକୁର ଧନ୍ୟ ତାଙ୍କର ମହିମା ଅପାର.....


Rate this content
Log in

Similar oriya story from Classics