Narendra Prasad Behera

Classics

2  

Narendra Prasad Behera

Classics

ଦେଶର ନାମ

ଦେଶର ନାମ

3 mins
412


ଦେଶର ନାମ କାନ୍ଯକୁବ୍ଜ ହେଲା କିପରି ଓ କୁଜୀ କନ୍ଯାମାନେ କିପରି ନିଜରୂପ ଫେରିପାଇଲେ -

ରାଜା କୁଶନାଭ ଘୃତାଚୀ ନାମିକା ଗୋଟିଏ ଅପ୍ସରା ସହିତ ରତିବିଳାସ କରିବାରୁ ଘୃତାଚୀ ଗର୍ଭରୁ ଶହେଟି ଝିଅ ଜାତ ହେଲେ । କ୍ରମେ ସେମାନେ ଯୌବନରେ ପଦାର୍ପଣ କଲେ । ସେମାନେ ଉପବନ ମଧ୍ଯରେ ଭ୍ରମଣ କରୁଥିବା ବେଳେ ସେମାନଙ୍କ ପ୍ରତି ପବନ ଆକୃଷ୍ଟ ହୋଇ ସେମାନଙ୍କ ସମ୍ମୁଖକୁ ଆସିଲା । ସେମାନଙ୍କୁ ପବନ କହିଲା-- ତୁମ୍ଭେମାନେ ମୋତେ ବିବାହ କର । ମୋତେ ବିବାହ କଲେ ତୁମ୍ଭେମାନେ ନରତ୍ବ ଛାଡି ଦେବତୀ ହୋଇଯିବ । ତେଣୁ ତୁମେ ସଵୁ ଅମର ହେବ । କେବେହେଲେ ମରିବ ନାହିଁ କି ବୁଢୀ ମଧ୍ଯ ହେବ ନାହିଁ । ଚିରକାଳ ଯୁବତୀ ହୋଇ ରହିବ । ତୁମକୁ କୌଣସି ଦୁଃଖକଷ୍ଟ ଭୋଗିବାକୁ ପଡିବ ନାହିଁ । ଅଭାବ କ'ଣ ତାହା ତୁମେ ଜାଣିବ ନାହିଁ । ସଵୁବେଳେ ପ୍ରାଚୁର୍ଯ୍ଯ ମଧ୍ଯରେ ରହିଥିବ । 

ପବନ ମୁହଁରୁ ଏପରି କଥା ଶୁଣି ସେହି ଯୁବତୀମାନେ ପବନକୁ କହିଲେ--ଆମ୍ଭେମାନେ ହେଉଛୁ ରାଜା କୁଶନାଭକ ଝିଅ । ଆମେ ଯାହା ଦେଖୁଚୁ ତୁମର ସ୍ବଭାବ ଚରିତ୍ର ଭଲ ନୁହେଁ । ସବୁବେଳେ ବାଇଆଙ୍କ ପରି ବୁଲୁଥିବାରୁ ତୁମ ନାମ *ପବନ* ହୋଇଚି । ତୁମ କଥା ଶୁଣି ଆମେ ତୁମକୁ ଠିକ୍ ପ୍ରତିଫଳ ଦେଇଥାନ୍ତୁ । କିନ୍ତୁ ଆମେ ତପସ୍ଯା କରୁଛୁ ବୋଲି ତୁମକୁ ଛାଡି ଦେଲୁ । ଆମେ ବର୍ତ୍ତମାନ ଆମ ପିତାଙ୍କ ଅଧୀନରେ ଅଛୁ । ପିତା ଆମକୁ ଯାହାକୁ ବିବାହ ଦେଵେ ଆମେ ତାକୁ ବିବାହ କରିବୁ । ପିତା ନ କହିଲେ ଆମେ ତୁମକୁ କଦାପି ବିବାହ କରିବୁ ନାହିଁ । ସେମାନଙ୍କର ଏଭଳି କଥା ଶୁଣି ପବନ ସେମାନଙ୍କ ଉପରକୁ ରାଗିଗଲା ଓ ସେମାନଙ୍କ ଦେହରେ ବିଭିନ୍ନ ଭଙ୍ଗୀରେ ବାଜି ସେମାନଙ୍କୁ କୁଜି ଵା କୁବ୍ଜୀ କରିଦେଲା । ସେହି କନ୍ଯାମାନେ କୁବ୍ଜୀ ହେଵାରୁ ସେ ଦେଶର ନାମ *କାନ୍ଯକୁବ୍ଜ* ହେଲା । ସେହି କନ୍ଯାମାନେ ଉଆସକୁ ଫେରି ପିତା କୁଶନାଭଙ୍କ ଆଗରେ କାନ୍ଦି କାନ୍ଦି ଏହିସବୁ କଥା କହିଲେ । ଝିଅମାନଙ୍କ ମୁଖରୁ ଏହିସବୁ କଥା ଶୁଣି କୁଶନାଭ ସେମାନଙ୍କୁ କହିଲେ--ପବନକୁ ତୁମ୍ଭେମାନେ ଦଣ୍ଡ ନ ଦେଇ ଛାଡିଦେଇଛ ଏଇଟା ତୁମର ଖୁବ୍ ଭଲକାମ । ତୁମ୍ଭେମାନେ ପବନକୁ କ୍ଷମା କରିଦେଇଥିବା ଜାଣି ମୁଁ ଆନନ୍ଦିତ । କ୍ଷମାଶୀଳ ଲୋକ ଇନ୍ଦ୍ରଠାରୁ ମଧ୍ଯ ବଡ । ପିତାଙ୍କଠାରୁ ବିଦାୟ ନେଇ କନ୍ଯାମାନେ ଅନ୍ତଃପୁରକୁ ଗଲେ । କୁଜୀ ଝିଅଗୁଡିଙ୍କୁ କିପରି ବିବାହ ଦିଆଯିବ ସେ ବିଷୟରେ ସେ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କଲେ । 

ଚୂଲୀ ନାମକ ଜଣେ ଉର୍ଦ୍ଧ୍ବରେତା ମହର୍ଷି ଥିଲେ । ସେ ସର୍ବଦା ଯୋଗାସନରେ ବସି ପରମବ୍ରହ୍ମଙ୍କ କଥା ଚିନ୍ତା କରୁଥିଲେ । ଉର୍ମିଳାଗନ୍ଧର୍ବୀର ଝିଅ ସୋମଦା ସଦାସର୍ବଦା ଚୂଲୀଙ୍କର ସେବାରେ ଲାଗିଥାଏ । ଦିନେ ମହର୍ଷି ଚୂଲୀ ସୋମଦାକୁ କହିଲେ-- ଦୀର୍ଘକାଳ ଧରି ତୁ ମୋର ବହୁତ ସେବାକଲୁଣି । ବର୍ତ୍ତମାନ ତୁ ତୋ ଇଛାଅନୁସାରେ ମୋତେ ଗୋଟିଏ ବର ମାଗ । ଏହାଶୁଣି ଅବିବାହିତା ସୋମଦା କହିଲା-- ହେ ମହର୍ଷି, ମୋତେ ଗୋଟିଏ ଧର୍ମିଷ୍ଠ ପୁତ୍ର ଦିଅ । ଏହା ଶୁଣି ମହର୍ଷି ଚୂଲୀ ନିଜ ମନ ମଧ୍ଯରୁ ଗୋଟିଏ ପୁତ୍ର ଜାତ କରି ସୋମଦାକୁ ଦେଲେ । ସୋମଦା ସେହି ପୁତ୍ରଟିକୁ ପାଇ ସନ୍ତୁଷ୍ଟ ହେଲା । ଵ୍ରହ୍ମର୍ଷି ଚୂଲୀଙ୍କର ମାନସପୁତ୍ର ହୋଇଥିବାରୁ ଓ ସୋମଦାକୁ ପ୍ରଦତ୍ତ ହୋଇଥିବାରୁ ସେହି ଶିଶୁଟିର ନାମ ହେଲା *ବ୍ରହ୍ମଦତ୍ତ* । ବୟସ ହୁଅନ୍ତେ ବ୍ରହ୍ମଦତ୍ତ କାମ୍ପିଲ ନାମକ ରାଜ୍ଯର ରାଜପଦ ପାଇଲେ । କୁଶନାଭ ନିଜର କୁଜୀ କନ୍ଯାମାନଙ୍କୁ ବ୍ରହ୍ମଦତ୍ତଙ୍କ ସହିତ ବିବାହ ଦେଲେ । ବ୍ରହ୍ମଦତ୍ତଙ୍କ ସହିତ ସେହି କନ୍ଯାମାନଙ୍କ ହାତଗଣ୍ଠି ପଡିଲାମାତ୍ରେ ସେମାନଙ୍କ ଦେହରୁ କୁଜ ଛାଡିଗଲା । ସେମାନେ ଅପୂର୍ବସୁନ୍ଦରୀ ହୋଇଗଲେ । ଏହା ଦେଖି କୁଶନାଭ ଆନନ୍ଦିତ ହେଲେ । ବ୍ରହ୍ମଦତ୍ତ ସେହି କନ୍ଯାମାନଙ୍କୁ ସଙ୍ଗରେ ନେଇ କାମ୍ପିଲ ଦେଶକୁ ଚାଲିଗଲେ । 

ରାଜା କୁଶନାଭ ଅପୁତ୍ରିକ ଥିଲେ । ଶହେଯାକ ଝିଅଙ୍କୁ ବିଭାଦେଲା ପରେ ଉଆସ ତାଙ୍କୁ ଶୂନ୍ଯ ଦେଖାଗଲା । ତେଣୁ ସେ ପୁରୋହିତଙ୍କୁ ଡକାଇ ପୁତ୍ରେଷ୍ଟି ଯଜ୍ଞ ଆରମ୍ଭ କଲେ । ଏଥି ମଧ୍ଯରେ ଦିନେ କୁଶନାଭ ଶୋଇଛନ୍ତି । ତାଙ୍କ ପିତା କୁଶ ତାଙ୍କୁ ସ୍ବପ୍ନରେ ଦେଖାଦେଇ କହିଲେ-- ତୋର ଗୋଟିଏ ସର୍ବ ସୁଗୁଣଯୁକ୍ତ ଧର୍ମିଷ୍ଠ ପୁତ୍ର ଜନ୍ମଲାଭ କରିବ । ତୁ ତା ନାଆଁ ଦେବୁ ଗାଧି । ଏହା କହି କୁଶ ଅନ୍ତର୍ଦ୍ଧାନ ହୋଇଗଲେ । ସ୍ବପ୍ନକଥା କାହାକୁ କିଛି ନ କହି କୁଶନାଭ ନିରବ ଭାବରେ ରହିଲେ । କିଛିଦିନ ପରେ କୁଶନାଭଙ୍କର ପୁତ୍ରଟିଏ ଜାତ ହେଲା । କୁଶନାଭ ସେହି ଶିଶୁଟିର ନାମଦେଲେ ଗାଧି । ଗାଧି ହେଉଛନ୍ତି ମୋର ପିତା । ମୁଁ କୁଶ ବଂଶରେ ଜାତ ହୋଇଥିବାରୁ ମୋର ଅନ୍ଯ ଗୋଟିଏ ନାଆଁ ହେଉଛି କୌଶିକ । ମୋ ବଡ଼ ଭଉଣୀଙ୍କ ନାଆଁ ହେଉଛି ସତ୍ଯଵତୀ । ସୁଜ୍ଞାନୀ ରଚିକଙ୍କୁ ସତ୍ଯବତୀ ବିବାହ କରିଥିଲେ । କାଳକ୍ରମେ ରଚିକଙ୍କର ମୃତ୍ୟୁ ଘଟିବାରୁ ସତ୍ଯଵତୀ ପତିଙ୍କର ଚିତାଗ୍ନିରେ ପ୍ରବେଶ କରି ପ୍ରାଣତ୍ଯାଗ କଲେ । ସତ୍ଯବତୀଙ୍କ ଦେହ ଗୋଟିଏ ନଦୀ ହୋଇ ହିମାଳୟରୁ ବାହାରିଲା । ବହୁଦୂର ପ୍ରବାହିତ ହୋଇ ଶେଷରେ ସମୁଦ୍ରରେ ପଡିଲା । ସେହି ନଦୀର ନାମ କୌଶିକୀ । ସେହି କୌଶିକୀ ନଦୀ ତୀରରେ ମୋର ନିବାସ । ମୁନିଵ୍ରତ ଆଚରଣ କରିବା ହେତୁ ମୁଁ ପିତୃଦେଶ ଛାଡି ସିଦ୍ଧାଶ୍ରମରେ ରହିଛି । 

ସେଦିନ ରାତ୍ରରେ ବିଶ୍ବାମିତ୍ର, ଶ୍ରୀରାମ ଲକ୍ଷ୍ମଣ ସେହି ଶୋଣନଦୀ ନିକଟରେ କୁଶଶଯ୍ଯା ପାରି ଶୟନ କଲେ । ସଙ୍ଗରେ ଥିବା ଅନ୍ଯାନ୍ଯ ଋଷିମାନେ ମଧ୍ଯ ସେଇ ଶୋଣନଦୀ ତୀରରେ ଶୋଇପଡିଲେ । 

ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା


Rate this content
Log in

Similar oriya story from Classics