ଦେବୀଙ୍କ ସହ ସକାଳ
ଦେବୀଙ୍କ ସହ ସକାଳ
ବାପା ସେଇ ଜଙ୍କଛଡା ଓ୍ବାକରର ଗୋଡ଼ ଚାରିଟା ଥରୁଥିଲା, ତା ସହ ଥରୁଥିଲେ ବାପାବି।
ମତେ ଭଲ ଲାଗୁନଥିଲା।ଯୋଉ ବାପାଙ୍କୁ ମୁଁ ପର୍ବତ ଭଳିଆ ଅଟଳ, ହିମାଳୟ ଭଳିଆ ଅଚଳ ଦେଖିଛି ସିଏ କେମିତି ଥରି ପାରିବେ ଏମିତି! ମତେ ବିଶ୍ବାସ ଯାଉ ନ ଥିଲା।
ମୁଁ ସକାଳୁ ଜିଦ୍ ଧରି ବସିଥିଲି। ବାପାଙ୍କୁ ସାଙ୍ଗରେ ନେଇଯିବି। ନେବି ମାନେ ନେବି। ବାପା ଅରାଜି ଲୋକଲଜ୍ଜାକୁ ,ସମାଜକୁ ଦୁହାଇ ଦେଇ.... ଯେ ଲୋକେ କଣ କହିବେ? ନିନ୍ଦା ଅରଜିବି ଏ ବୟସେ? ନା ନା !
ଅନ୍ତରାଳର ଘଟଣା କିଛି ଏପରି ଥିଲା । କୋଡିଏ ବର୍ଷ ତଳୁ ମୋ ବୋଉକୁ ହରେଇଥିବା ମୋ ବାପା ଏଇ ବର୍ଷ ପାରାଲାଇଜ ହେଇଯାଇଥିଲେ । କାରଣଟା ଅତି ସାଧାରଣ । ଆଜିକାଲି ବାହା ହେଲା ପୁଅର ବାପଟିଏର ଅବସ୍ଥା କାହାକୁ ବା ଅଛପା । ପୁଅ ନୀରବ, ଦାରୁଭୁତ, ପୀଡିତ
ଏ ସବୁ ମୁଁ ବା କେତେଦିନ ସହିଥାନ୍ତି ! ଆଖି ଆଗରେ ନିଜ ସୃଷ୍ଟି କର୍ତ୍ତା,ନିଜ ରାକ୍ଷୀ ବନ୍ଧା ହାତକୁ ଲୁହ ପୋଛୁଥିବା ଦେଖି !
ମୁଁ ବୁଝଉଥିଲି ଭାଇକୁ ଯେ ମହିଷା ସବୁବେଳେ ପୁରୁଷ ଶରୀରଟିଏରେ ଥିବ ମାନେ ନାହିଁ। ମହିଷା ଏକ ଗୁଣଚରିତ୍ର। ସିଏ କୋଉ ରୂପରେ ବି ଉଭା ହେଇପାରେ। ତା ସହ ଲଢିବାକୁ ନିଜ ଭିତର ଶକ୍ତିଙ୍କୁ ଜାଗିବାକୁ ହେବ। କେତେ ଆଉ କାହିଁ ସହିବ? ଜୀବନ ଯେ ଅମୂଲ୍ୟ।
ଦିନ ସାରାର ଜିଦିବାଦି ପରେ ବି କେହି ରାଜି ନ ଥିଲେ ଲଢିବାକୁ। ରାତି ଶୁଏଇଦେଇନଥିଲା ଚିନ୍ତା।
ସକାଳୁ ମୁଁ ବାପାଙ୍କ ଦେହ କାଳେ ବେଶି ବିଗିଡିବ ଭାବି ନିଜକୁ ହାର ମାନେଇ ନେଉଥିଲି କି ମୋ ପାଖକୁ ଭାଇ ଆସିଲା ଆଉ ସିଧା ଚାହିଁ କହିଲା," ନାନୀ, ଚାଲ୍ ବାପାଙ୍କୁ ନେଇ ଚାଲିଯିବା ଯୋଉଠି ତାଙ୍କୁ ଯାତନା ଛୁଇଁବନି। ତୁ ଆଉ ମୁଁ ତାଙ୍କ ଦ୍ବାରପାଳ ହେବା। ମହିଷାକୁ ହାରିବାକୁ ହିଁ ହବ। ଚାଲେ। ପ୍ୟାକିଙ୍ଗ୍ ଆରମ୍ଭ କରିବା। "
ମୁଁ ତା ମୁଣ୍ଡ ଆଉଁସି ଦଉ ଦଉ ଭାବୁଥିଲି" ଯୋଉଠି ନିଦ ଖୋଲେ ସେଇଠି ସକାଳ ।ସେଇଠୁ ଶକ୍ତି, ଦେବୀ ତୁମ ସହ " ।
