ଦେବଦୂତ
ଦେବଦୂତ
ବଉଦ ମାଳା ଭିତରେ ଭାସି ଭାସି ଯାଇ ଯିବାକୁ ଖୁବ୍ ଖୁସି ପାଉଥିଲେ ସହଯାତ୍ରୀ ହେଲେ ଅନୁଭା ଗମ୍ଭୀର ଥିଲେ। ଭସା ବଉଦ ଭିତରେ ସେହି କଳା ମଚମଚ୍ ପିଲାଗୁଡ଼ାକଙ୍କର ଫୁଙ୍ଗୁଳା ଦେହ ସହ ସେମାନଙ୍କ ସାହସ ମନେ ପଡ଼ୁଥିଲା ବେଳେ ଅନ୍ୟମାନେ ବିଭୋର ହୋଇ ଭାସିଯାଉଥିଲେ ବାଦଲ ଦେଖି, ଆଉ ପିଲାଟିକୁ କୋଳରେ ଧାରି ବଟଲରେ ଶିଶୁ ଖାଦ୍ୟ ଦେଲାବେଳେ ଆନମନା ହୋଇ ପଡୁଥିଲେ ଅନୁଭା ।
ଧଡପଡ ବେଳକୁ ଟିକି ପିଲାଟାକୁ ବଟଲ୍ ସାହାଯ୍ୟରେ କ୍ଷୀର ପିଆଇ ପୁଣି ବଟଲ ଧୋଇ ରଖିବାକୁ ଯାଉଛନ୍ତି ହାତରୁ ଖସିଗଲା ବୋତଲଟା, ଆଉ ଯୋଉଠି ପଡିଲା ସେଠୁ ଆଣିବା ସମ୍ଭବ ନଥିଲା ସେ ସମୟରେ ସେକଥା କାହାକୁ କହିବି ହେଉନଥିଲା। କଣ କରିବେ ଅନୁଭା, ମାର୍କେଟକୁ ପଠାଇ ଆଣିବା ମଧ୍ୟ ସମ୍ଭବ ନଥିଲା। କେବଳ ଗୋଟିଏ ବାଟ ଏୟାର ପୋର୍ଟ ଯିବା ବାଟରେ ବୋତଲଟିଏ କିଣିନେଇ ହେବ, ସେକଥା ଏବେ ମଧ୍ୟ କାହାକୁ କହି ହେଉନଥିଲା। ବାଟରେ କହିବେ ଯାହା ଗାଳି ଶୁଣିବାର ଥିବ ଶୁଣିବେ ଭାବି ଦେଖିଲା ବେଳକୁ ତଳେ କେତୋଟି, କଳା ମଚମଚ ଫୁଙ୍ଗୁଳା ପିଲା ଡର ନାହିଁ ଭୟ ନାହିଁ, ତଳେ କଣ ସବୁ ସଂଗ୍ରହ କରି ଚାଲିଛନ୍ତି ଅଳିଆ ଆବର୍ଜନାରୁ ତ ଅନୁଭା ନଇଁପଡିଲେ ତଳକୁ କହିଲେ ପିଲେରେ, ସେଠି ଗୋଟେ ବଟଲ ପଡ଼ିଯାଇଛି ପକେଇଦେବ ଉପରକୁ ଲାଗିପଡିଲେ ସଭିଏଁ ଉପରକୁ ଫିଙ୍ଗି ଅସଫଳ ହେଉଥିଲେ ବି ହାରିଯାଇନଥିଲେ, ଶେଷକୁ ବୋଟଲଟି ପାଇ ଅନୁଭା ଯେତିକି ଖୁସି ହୋଇଥିଲେ, ପିଲାଏ ଉପରକୁ ଲକ୍ଷ୍ୟସ୍ଥଳରେ ପକାଇ ଦେଇ ସେତିକି ଆନନ୍ଦ ପାଇ ସେହି ଆବର୍ଜନା ଭିତରୁ ବିସ୍କୁଟ ଜରି ଓ ଚିପ୍ସ ଜରି ସବୁ ଗୋଟେଇ ଗୋଟେଇ ଆଗେଇ ଚାଲିଥିଲେ ଆଗକୁ।
ସେମାନଙ୍କୁ ଡ଼ାକି ବିସ୍କୁଟ ଓ ଚିପସ୍ ପ୍ୟାକେଟ ଗୋଟିଏ ଲେଖାଏଁ ଦେବାକୁ ଅନୁଭା ଭୁଲିଯାଇ ତରତରରେ ପ୍ରସ୍ତୁତ କରୁଥିଲେ ନିଜ ଛୋଟ ପୁଅର ଖାଦ୍ୟ ଡବା, ଗରମପାଣି ଓ ବଟଲ । ପ୍ରସ୍ତୁତ ହେଉଥିଲେ ନିଜେ। ଏୟାରପୋର୍ଟରେ ପହଞ୍ଚିବା ଯାଏଁ କାହିଁକି କେଜାଣି ସେ ପିଲାଗୁଡ଼ିକଙ୍କ ମୁହଁ ନାଚୁଥିଲା ଆଖିରେ। ପ୍ଲେନ୍ ରେ ବସିବା ପରେ ସମସ୍ତେ ହଜିଯାଇଥିଲେ ବାଦଲ ଭିତରେ ,ଭାସି ଭାସି ଯିବାକୁ ଉଲ୍ଲସିତ ହୋଇ ପଡୁଥିଲେ ମାତ୍ର ହୋଇପାରୁନଥିଲେ ଅନୁଭା।
ବିଦେଶ ଭ୍ରମଣ ପରେ ଘରକୁ ଫେରି ଦଉଡ଼ି ଦଉଡ଼ି ବାଡ଼ି ପଟକୁ ଯାଇ ତଳକୁ ଚାହିଁଲେ ଅନୁଭା, ଦେଖିଲେ ବିଭିନ୍ନ ସମୟରେ ତାଙ୍କ ହାତରୁ ଖସି ପଡିଥିବା ଷ୍ଟିଲ୍ ଗ୍ଲାସ, ପାନିଆ, ଠାକୁରଙ୍କ ଢାଳ ଇତ୍ୟାଦି ତାଙ୍କ ଦୁଆରେ ପଡିଛି ନିଶ୍ଚୟ ସେହି ପିଲାମାନେ ଗୋଟେଇ ଉପରକୁ ପକେଇ ଦେଇଛନ୍ତ। ଭାବି ଚାହିଁଲା ବେଳକୁ ତଳେ ପିଲାମାନଙ୍କ କଥାବାର୍ତ୍ତା ଶୁଭୁଥିଲା । ଦୌଡିଯାଇ ବିସ୍କୁଟ ପ୍ୟାକେଟ ଓ ଭିନ୍ନ ଭିନ୍ନ ଚିପ୍ସ ପ୍ୟାକେଟ ଆଣିଲା ବେଳକୁ ସେସବୁରେ ପିମ୍ପୁଡ଼ି, ତାକୁ ସବୁ ତଳକୁ ପକାଇ ଦେଇଥିଲେ ତ ପିଲାମାନେ ସବୁ ବିସ୍କୁଟ ପ୍ୟାକେଟ ଓ ଚିପ୍ସ ପ୍ୟାକେଟ ସବୁକୁ ଉପରକୁ ଫିଙ୍ଗି କହୁଥିଲେ, ତୁମର ସବୁ ତଳେ ପଡ଼ିଯାଇଛି ସବୁ ନିଅ ।ତ ଦୁଇଧାର ଅଶ୍ରୁ ନିଜ ଅଜଣାତରେ ଗଡିଯାଉଥିଲା ଅନୁଭାଙ୍କର, କୋଉ କାରଣରୁ ସେ ନିଜେ ବୁଝି ପାରୁନଥିଲେ। ପଛରୁ ସେମାନଙ୍କ ପାଇଁ ଆଣିଥିବା ଛତା ଖଣ୍ଡେ ଖଣ୍ଡେ ଓ ପାଣିବୋତଲ ଗୋଟିଏ ଲେଖାଏଁ ସହିତ ପାଉଁରୁଟି ପ୍ୟାକେଟ ଦେଲାବେଳେ ଅନୁଭବଙ୍କୁ କୃତଜ୍ଞତାରେ ଚାହିଁଥିଲେ ଅନୁଭା ତ ଅନୁଭବ କହୁଥିଲେ ମୁଁ ସବୁ ଜାଣେ। ପିଲାଏ, ଫେରି ପଡୁ ପଡୁ କହିଥିଲେ, ଆଉ ଯାହା ପଡ଼ିଯିବ ଆମେ ଆସିଲେ ଉପରକୁ ପକେଇଦେବୁ। ସେମାନଙ୍କ ଫେରିଯିବାର ରାସ୍ତାରେ ଭାସି ଭାସି ବଉଦରେ ମିଶିଯିବା ଯାଏଁ ଅନେଇ ଅନୁଭା ଓ ଅନୁଭବ ଭାବପ୍ରବଣ ହୋଇପଡୁଥିଲେ।