STORYMIRROR

Lopamudra Parida

Action Inspirational

4  

Lopamudra Parida

Action Inspirational

ଦେବଦାସୀ

ଦେବଦାସୀ

2 mins
228


ଫଗୁଣ ଆସିଲେ ଆକାଶରୁ ବୁଣି ବୁଣି ଯାଏ ରଙ୍ଗ ।ଫୁଲେ ଫୁଲେ ମଧୁ ରଙ୍ଗ ଉକୁଟେ ଗଭା ଭରା କରି ପ୍ରକୃତିର ।କବରୀରେ ଖୋସା ବିଭାବରୀର ବିଭବ ନେସିଦିଏ ବର୍ଣ୍ଣାଳୀ ଗଳି ଗଳି ।


ଘଣ୍ଟ ଝାଞ ପିଟା ଶବ୍ଦ ଶୁଭିଲେ ମନ ଅବିର ଅବିର ହୋଇଯାଏ ଅବିଳମ୍ବେ ।କଷି ଚଣାଆମ୍ବ ନେଥ୍ଥା ନେଥ୍ଥା ଝୁଲିଥିବା କମକୁଟ ବିମାନରେ ପ୍ରତି ଦୁଆରେ ପନ୍ତି ଭୋଗ ଲାଗି ହୁଅନ୍ତି ଶ୍ରୀମୁଖ ।ସାଙ୍ଗରେ ଶ୍ରୀମୟୀ ।ଚୁଡାଘଷା,ଖଇ ଉଖୁଡା, କଦଳୀ ଅଙ୍ଗୁରୁ ଫଳରେ ଆଞୁଳି ଭରେ ,ଧୂଳି ଉଡେଇ ଦାଣ୍ଡେ ଦାଣ୍ଡେ ବାସ୍ନା ବିଞ୍ଚେ ଫାଲ୍ଗୁନ ।ଧୂପ ଦୀପ ମହକେ ।ଦାଣ୍ଡରେ ଚୂନପାଣି ପଡି ଚିତାଫୁଲ ଅଙ୍କାହୁଏ ନବୀନ ପିଢାରେ ।ନୂଆ ଲୁଗା ପିନ୍ଧି ରାଧା ରାଣୀ ସହ ଗୋବିନ୍ଦ ଦୋଳରେ ବୁଲନ୍ତି ଗାଁ ପାଟଣା ।ଦୋଳ ମେଲଣ ରଙ୍ଗରେ ଚହଟୁଥାଏ ଚଉଦିଗ ।


ସବୁ ଘର ଦାଣ୍ଡରେ ତାଙ୍କ ବିମାନ ରହେ, ହୁଳହୁଳି ଶୁଭେ ।ଖାଲି ଆମ ଘର ଛାଡି ।ପାରି ହେଇ ପଳାନ୍ତି ଢେଗା ଢେଗା ପାଦପକେଇ ଗଡଉ ବିମାନବୁହାଳି ମାନେ ।


ମୋ ପିଲା ମନ ଭାରି କାନ୍ଦି ଉଠେ ।ମୋର ବି ମନ ଆମ ଦୁଆରକୁ ବି ଠାକୁରେ ଆସନ୍ତେ ।ମୁଁ ବି ରାଧା ରାଧା ଅନୁଭବଟେ ପାନ୍ତି ।ତାଙ୍କ କୃଷ୍ଣ ରଙ୍ଗ ଗାଲରେ ମୁଠାଏ ଲାଲି ଅବିର ଧିରେକି କପାଳୁ ଯେ ଚିବୁକ ଯାଏ ବୋଳିଆଣନ୍ତି, ଆଉ ନିରିଖେଇ ଦେଖନ୍ତି ତାଙ୍କ ବାଙ୍କ ଅଧରର ଚିତ୍ତ ଚୋରା ହସଟିକୁ ମନପୁରେଇ ।


ସେ କିନ୍ତୁ ଆସନ୍ତିନି ।ଅଭିମାନ କରି ମାଆକୁ ପଚାରିଲେ ମାଆ କହେ,ଆସିବେ ଡାକେ ତାଙ୍କୁ ଅନ୍ତରରୁ, ନିଶ୍ଚେ ଆସିବେ ।ତୁ ପରା ତାଙ୍କ ଦାସୀ । 


ସବୁ ବର୍ଷ ସେମିତି ଯାଏ ।ଷୋଳଟି ଫଗୁଣ ପରେ ..... ଫଗୁଣ ପବନକୁ ଛୁଇଁ ମୋ ମନକୁ ଓହ୍ଲାଏ ସଂତର୍ପଣେ ।


ଏବେ ବି ମୋ ଲୁହ ଥମ ଥମ ମୁହଁ ଦେଖି ଉପର ଘର ମାଉସୀ କୁହନ୍ତି , ଆ ଲୋ ତମେ ପରା ଭଡାଟିଆ ।ତମ ଦୁଆରରେ କେମିତି ଦିଅଁ ପନ୍ତି ପାଇବେ? ନେ ଭୋଗ ନେ ।ଅଳି ଲଗେଇଛୁ ଗଲା ବକଟେ କାଳୁ ।


ଏବେ ଫଲ୍ଗୁ ଲୋହିତ ଲାଗୁଥିଲା ହୃଦୟ ତଳେ ।


ମୁଁ ଦଉଡିଗଲି ଦିଅଁଙ୍କ ଘରକୁ ।


ସେ ସେଠି ବି ହସୁଥିଲେ ନୀରବରେ ବେଣୁଟି ଅଧରେ ଛୁଆଁଇ ।ପାଶୋରିଗଲି ତାଙ୍କ ମନ୍ତ୍ରମୁଗ୍ଧ ମନମୋହିନୀ ଚାହାଣୀରେ ,ଅଭିମାନ ସବୁ ଝରିଗଲେ ଲୁହ ହେଇ ।କି ମନ୍ତ୍ର ଫୁଙ୍କିଲେ କେଜାଣି ମୁଁ ମୁଠାଏ ଅବିର ନେଇ ବୋଳି ଦେଲି ତାଙ୍କ ପାଦରେ... ଆଉ କହିଲି ,ଆଜିଠୁ ଏଇଠି ଆମ ହୋଲି ।ସେ ହସୁଥିଲେ ଅଭିନବ ନୀଳ ହସ ।


ତାଙ୍କ ଶ୍ରୀପୟରୁ ମୋ ଗାଲକୁ ଢେଉ ମାରି ଚଢୁଥିଲେ ରଙ୍ଗ ସବୁ ହାବୁକି ହୁବୁକି ।


ବାହାରେ ଶୁଭୁଥିଲା, ଝାଏଁ ଝା ଝାଏଁ ଝାଏଁ ଝାଞ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action