ଦେବାବସନ୍ତ
ଦେବାବସନ୍ତ


ଆଜି ହୋଲି ।ସକାଳ ନିତ୍ୟକର୍ମ ସାରି ଜଳଖିଆ ଖାଇବାକୁ ଯାଉଛି ମୋବାଇଲ ଫୋନରୁ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ ରିଂ ଟୋନ ବାଜିଉଠିଲା । ଗାଁରୁ ବୋଉ ଫୋନ୍ କରିଥିଲା ।ଫୋନ୍ ଉଠାଇବାପରେ ବୋଉ କଥା ଆରମ୍ଭ କଲା ବାବୁ ତୋ ଦେହ ଭଲ ଅଛିନା ,ଜ୍ୟୋତି ଓ ପିଲାମାନେ କିପରି ଅଛନ୍ତି,ଗରମ ପଡିଲାଣି ବାହାରକୁ ଗଲେ ସଂଗରେ ପାଣି ବୋତଲ ଧରିବୁ ।ତାର ସବୁ ପ୍ରଶ୍ନର ଗୋଟିଏ ସଂକ୍ଷିପ୍ତ ଉତ୍ତର ହଉ ରେ ସାରିଲି ।ବୋଉ ପୁଣି କହିଲା ଆର ବର୍ଷ ଦୋଳକୁ ତ ଆସିଲୁନି ମଦନମୋହନଙ୍କ ପାଖରେ ଭୋଗ ହୋଇଥିବା ଲଡୁ ଓ ଜଗନ୍ନାଥବଲ୍ଲଭକୁ ମାସେ ରଖିବା ପରେ ବାଣ୍ଟିଲି ।ଅବଶ୍ୟ ଏ ବର୍ଷ ଝିଅଝିଆଣି କେହି ଆସିନଥିବାରୁ ଗୁଡିଆ ଦ୍ବାରା ଅଳ୍ପ ଭୋଗ ତିଆରି କରାଇଥିଲି ।ଆରେ ହଁ ଆମ ଘରପାଖ ଦେବାବସନ୍ତରେ ଥିବା ଆମ୍ବଗଛଟା ଅଳ୍ପଦିନତଳେ ହୋଇଥିବା ବତାସରେ ଉପୁଡି ପଡିଛି ।ମୋ ଛାତିରୁ ଅତଡାଟାଏ ଖସିପଡିଲା ଯେପରି ।ମୁଁ ପଚାରିଲି ବୋଉ ସେ ଗଛରେ ବଉଳ ଲଦି ହୋଇଥିବ ନିଶ୍ଚୟ ।ବୋଉ ଦିର୍ଘଶ୍ବାସମାରି କହିଲା ହଁ ରେ ବଉଳ ଲଦିହେଲେ କଣ ହେବ ଗଛଟାତ ଉପୁଡି ପଡିଲା ।
ବୋଉସହ ଅଳ୍ପସମୟ କଥାହେବାପରେ ଫୋନ୍ ରଖି ଖାଇବା ଟେବୁଲ ନିକଟକୁ ଆସିଲି ।ମନଟା ଖାଲି କେମିତି କେମିତି ଲାଗୁଥାଏ ।ପତ୍ନୀ ଜ୍ୟୋତି ପଚାରିଲା ବୋଉଙ୍କ ଦେହ ଭଲ ନାହିଁ କି ।ନା ଭଲ ଅଛି କହି ମୁଁ ଖାଇବାରେ ମନ ଦେଲି ।ଖାଇସାରି ହାଇବ୍ଲଡପ୍ରେସର ପାଇଁ ଖାଉଥିବା ମେଡିସିନ୍ ଖାଇ ଖଟଉପରେ ଗୋଟେ ଓଡିଆପତ୍ରିକାଧରି ଗଡି ପଡିଲି ।ମନରେ ଗାଁ ତଥା ଦେବାବସନ୍ତର ଉପୁଡିଯାଇଥିବା ଆମ୍ବଗଛର କଥା ଉଙ୍କିମାରୁଥିଲା ।
କଟକ ଜିଲ୍ଲାର ମାହାଂଗା ଅନ୍ତର୍ଗତ ମୋର ଗାଁ ଚାୟାଁପାଳ ମୋ ପାଇଁ କେବଳ ମାତ୍ର ଗୋଟିଏ ଭୂଖଣ୍ଡ ନୁହେଁ କଳ୍ପନାର ଏକ ଚିତ୍ରକଳ୍ପ ।ପିଲାଦିନର ଅନେକ ଅଭୂଲା ସ୍ମୃତି ସହ ଗାଁର ନଦୀ ,ତୋଟା ,ବିଲ ବିଶେଷକରି ଦେବାବସନ୍ତ ଜଡିତ ।ଆମ ଘରନିକଟରେ ଗୋଟିଏ ଛୋଟ କେନାଲ ଅଛି ।ତାହା କଡରେ ଦୁଇଟି ଆମ୍ବଗଛ ,ଓଉଗଛ ,ପଣସଗଛ ଓ କିଛି ବାଉଁଶ ବୁଦା କୁ ନେଇ ପରିବେଷ୍ଟିତ ଅଂଚଳକୁ ଗାଁର ଲୋକେ ଦେବାବସନ୍ତ ବୋଲି କହନ୍ତି ।ଦେବା ଓ ବସନ୍ତ ଦୁଇଜଣ ଯୁବକଙ୍କ ନାମରେ ଜାଗାର ନାମ ଦେବାବସନ୍ତ ରଖାଯାଇଥିବାର ଗାଁର ବୁଢାଲୋକମାନେ କହନ୍ତି ।ପିଲାଦିନର ଅନେକ ସ୍ମୃତିର ମୂକସାକ୍ଷୀ ଦେବାବସନ୍ତର ଆମ୍ବଗଛକୁ ଦେଖିଲେ ପିଲାଦିନର ମିଛମିଛକା ବୋହୂବୋହୂକା ଖେଳ ଓ ପିଲାଦିନର ଖେଳସାଥିମାନେ ଯେପରି ଟୁଟୁଲା,ବାବୁ,ମିଲୁ ,ମାମା , ଗୀତା ,ମୀତା ଓ ଗାଁର ଜଣେ ଦୂରସମ୍ପର୍କିୟ କକେଇଙ୍କ ଝିଅ ମାନୀ ଯିଏକି ମୋଠାରୁ ବର୍ଷେ କି ଦୁଇବର୍ଷ ସାନ ତା କଥା ମନକୁ ଆସେ।ଦେବାବସନ୍ତର ଆମ୍ବଗଛ ମୂଳେ ଆମ୍ବସମୟରେ ଉଦୁଉଦିଆ ଖରାବେଳେ ବୋଉ ଶୋଇପଡିବାପରେ ଚୁପିଚୁପି ଆସି ସାଙ୍ଗମାନଙ୍କ ସହ କଷିଆମ୍ବ ବ୍ଲେଡରେ କାଟିକରି ଖାଇବା ଓ ହାତ କଟିଗଲେ ଲୁଣ ବଦଳରେ ଆମ୍ବସହ ଲଙ୍କା ଓ ବୋହୁଥିବା ରକ୍ତଖାଇ ପୋଡୁଥିବା ହାତକୁ ସାଙ୍ଗମାନଙ୍କ ପରାମର୍ଶରେ ପାଣିରେ ବୁଡାଇ ରଖିବାର ମଜା ନିଆରା ।ବୋହୂଚୋରୀ ଖେଳୁଖେଳୁ କୁଟାଗଦା ଭିତରେ ଲୁଚିଥିବା ମାନୀକୁ ଖୋଜୁଖୋଜୁ ତାର ମିଛିମିଛିକା ସାପ ସାପ ପାଟିରେ ତଳକୁ ଡେଉଁଥିବା ସମୟରେ ତଳେଥିବା ଛୋଟ କୁଟାଭାଡିର ବାଉଁଶ ଭାଙ୍ଗି ଗୋଡରେ ଗଳିଯିବା ଓ ଡାକ୍ତରଖାନା ଯିବାର କଥା ମୋର ମନେଅଛି ।ତେବେ ବୟସରେ ସାନ ହେଲେବି ମାନୀ ମୋର ପିଲାଦିନର ଜଣେ ଭଲ ସାଙ୍ଗ ଥିଲା ଯେକି ପରବର୍ତ୍ତି ଦିନରେ ମୋ ଜୀବନରେ କି ଭୂମିକା ନିଭାଇଲା ତାହା କଥାଟିର ଶେଷ ପର୍ଯ୍ୟନ୍ତ ପଢିଲେ ଜାଣିପାରିବେ। ଖରାଛୁଟିରେ ସ୍କୁଲ ଛୁଟିଥିବାରୁ ସକାଳୁସକାଳ ମାନୀ ହାତରେ ଦୁଇଟି କଣ୍ଢେଇ ଧରି ଆମ ଘରେ ହାଜର ହୋଇଯାଏ ।ସାଙ୍ଗହୋଇ ଚାଲୁ ଦେବାବସନ୍ତର ସେହି ଆମ୍ବଗଛମୂଳକୁ ।।ମୋତେ ସେ ପ୍ଲାଷ୍ଟିକ କଣ୍ଢେଇଧରେଇ ଦେଇ କହେ ହେଇଟି ତୁମେ ଛୁଆମାନଙ୍କୁ ଧରିଥାଅ ମୁଁ ରୋଷେଇ କରେ ।
ମାନୀ ମିଛମିଛିକା ଊାତ,ଡାଲି,ତରକାରୀ,ଭଜା ଆହୁରି କେତେକଅଣ ରାନ୍ଧେ ।କଣ୍ଢେଇ ଦୁଇଟିକୁ ପାଖରେ ରଖି ମୁଁ ବସିବସି ଯାଉଥିବା ଲୋକମାନଙ୍କୁ ଦେଖେ ନତୁବା ଦୂରଦିଗନ୍ତରେ ଯେଉଁଠି ଆକାଶ ପୃଥିବୀ ସହ ବିଲୀନ ହେଲାପରି ମନେ ହେଉଛି ସେହି ଆଡକୁ ଚାହିଁ କଣ ସବୁ ଭାବୁଥାଏ । କେତେସମୟପରେ ମାନୀ ଆସି ଭାତ,ଡାଲି ,ତରକାରୀ ବାଢିଦେଇ ମୋ ପାଖରେ ବସି ଗୋଟିଏ ଆମ୍ବଡାଳକୁ ବିଂଚଣା କରି ବୁଲାଏ ।ମୁଁ ଖାଇବାର ମିଛମିଛକା ଅଭିନୟ କରେ ।ମୁଁ ଉଠିଗଲାପରେ ମାନୀ ସେଠି ଖାଏ ।ବେଳେବେଳେ ସେହି ଖେଳରେ ମାନୀ ମିଛମିଛକା ସକାଳୁଉଠି ଗ୍ରାମ୍ୟବଧୂଟିଏ ପୋଖରୀକୁ ଗାଧୋଇବାକୁ ଗଲାପରି ନାଳକୁ ଗାଧୋଇଯାଏ । ତାର ସେହି ଅନୁପସ୍ଥିତିର ସୁଯୋଗନେଇ ମୁଁ ଗୋଟିଏ ନିଶ୍ବାସରେ ଘରେ ପହଂଚି ଶୋଇବାଘର ଖଟତଳେ ଲୁଚିଯାଏ ।କିଛି ସମୟପରେ ମାନୀ ରାଗତମତମ ହୋଇ ଆମଘରେ ପହଂଚେ ।ବୋଉକୁ ପଚାରେ ବଡବୋଉ କୁଆଡେ ଗଲା ସେ ।ବୋଉ ନବୁଝିପାରି ପଚାରେ କିଏ କାହାକୁ ତୁ ଖୋଜୁଛୁ ।ସେ ଚଟାପଟ୍ କହେ ସେ ହାରାମୀ,ଯିଏ ଖେଳଛାଡି ଘରକୁ ପଳାଇଆସିଛି ।ବୋଉ ହସିଦେଇ କହେ ବାୟାଣୀଟା ।ସେ ସେହି ଖଟତଳେ ଲୁଚିଛି ।ମାନୀ ଗଡଜିତିଲା ପରି ଆସେ କୁହାଟମାରେ ତୁ ବାହାର ତତେ ମୁଁ ଦେଖିସାରିଲିଣି।ମୁଁ ମନଦୁଃଖରେ ମନେମନେ ବୋଉକୁ ଗାଳିଦେଇଦେଇ ଖଟତଳୁ ବାହାରିଆସେ ।ଏମିତି ଖେଳସରେ ।ଦୋଳପୂର୍ଣ୍ଣମୀ ଦିନ ଆମ କୂଳଦେବତା ମଦନମୋହନ ଦୋଳବେଦୀକୁ ବାହାରନ୍ତି ।ସମସ୍ତଙ୍କ ଘରେ ପିଠା ,ଲଡୁ ,ବିଭିନ୍ନପ୍ରକାରର ମିଠା ,ପଣା ହୁଏ ।ତାପର ଦିନ ହୋଲିରେ ଆମେ ପିଲାମାନେ ରଙ୍ଗଖେଳରେ ମାତିଯାଉ ।ଘରଘର ବୁଲି ରଙ୍ଗଖେଳୁ ଓ ପିଠାଖାଉ ।ଏହି ଅବସରରେ ଆମେ ମାନୀ ଘରକୁ ଯାଉ ।ମାନୀର ଫରମାସି ଅନୁଯାଇ ଖୁଡୀ ମୋର ପ୍ରିୟ ପୁରୀ ,ଡାଲମା ଓ ପୂର୍ବଦିନ ଠାକୁରଙ୍କ ପାଖରେ ପୂଜା ହୋଇଥିବା ପଣା ବାଢିଦିଅନ୍ତି ।ଖାଇସାରି ମୁହଁ ଧୋଇସାରିବା ପରେ ଖୁଡୀ ତାଙ୍କ ପିନ୍ଧାଲୁଗାରେ ମୋର ରଙ୍ଗବଲବଲ ମୁହଁକୁ ପୋଛି ଦେଇ ମୋ ମୁଣ୍ଡରେ ହାତ ବୁଲାଇଆଣି ଠାକୁରଙ୍କ ଉଦ୍ଦେଶ୍ୟରେ ଦୁଇହାତଟେକି ପ୍ରଣାମକରି କହନ୍ତି ମୋ ବାବୁକୁ କୋଟିପରମାୟୁ ଦିଅ ଠାକୁରେ ।
କୁମାର ପୂର୍ଣ୍ଣମୀ ଦିନ ମାନୀର ଆନନ୍ଦ ଦେଖେ କିଏ ମୋ ବାପା ଆଣିଥିବା ନୂଆ ଜାମା ପିନ୍ଧି ମୋର ଭଉଣୀମାନଙ୍କ ସହ ଚାନ୍ଦ ଓଷା କରି ସେ ତାଙ୍କ ଘରକୁ ଯାଏ । ସମୟଟା କିପରି ଗଡିଗଲା ଜଣାପଡିଲାନି ।ମୁଁ ସ୍କୁଲପଢାପରେ ସହରକୁ ଆସିଲି କିନ୍ତୁ ଦୋଳ ଦଶହରାରେ ଗାଁକୁ ଯାଏ ।ହୋଲିଦିନ ତାଙ୍କ ଘରକୁ ବୁଲିବାକୁ ଗଲେ ମାନୀ ଆସି ପ୍ରଣାମ କରେ ଭୋଗଦେଇ ଘରଭିତରକୁ ପଳାଏ ।ଖୁଡୀ ତାକୁଠେଲିକରି ପଠାନ୍ତି ।ଆସେ ମୋ ପାଖରେ ବସେ ।ସବୁ କଥାର ଉତ୍ତର କେବଳ ହଁ ନାଁରେ ହିଁ ଦିଏ ।ମୁଁ ମଜାରେ କହେ ସତରେ ମାନୀ ତୁ ଏହାଭିତରେ ବହୁତ ବଡ ହୋଇଗଲୁଣି ।ସେ ତଳକୁ ମୁହଁକରି କହେ ଆଉ ।ମୁଁ ହସିକରି ତା ଗାଲଚିପି ଦିଏ ।ସେ ଲାଜଲାଜ ହୋଇ କହେ ବାବୁଭାଇ ତୁମେ ନା ବହୁତ ଦୁଷ୍ଟ ହୋଇଗଲଣି।
ଗାଁରୁ ସହରକୁ ଫେରିବାଦିନ ମୁଁ ଗାଁ ପାଖ ବସ୍ ଷ୍ଟାଣ୍ଡକୁ ଯିବାବେଳେ ସେ ମୋ ଭଉଣୀମାନଙ୍କସହ ବିଦାୟଦେବାପାଇଁ ଆସେ ।ବସଷ୍ଟପକୁ ଆସୁଥିବା ସମୟରେ ମୋ ହାତରେ ଗୋଟେ ପ୍ୟାକେଟ ଧରାଇଦେଇ କହେ ବାବୁଭାଇ ଆରିସାପିଠା ଓ ମିଠା ଅଛି ତୁମେ ଖାଇବ ।କିଛି ସମୟ ନିରବ ରହିବାପରେ କହେ ଗୋଟେ କଥା କହିଦେଉଛି ତୁମେ ସହରକୁ ଯାଇଛ ପାଠ ପଢିବାପାଇଁ ମନଦେଇ ପାଠ ପଢିବ ସେ ସହରୀଝିଅଗୁଡାଙ୍କ ସଙ୍ଗେମିଶି ପାଠକୁ ଭୁଲିଯିବନି । ମୁଁ କହୁନି ମ ମୋ ବୋଉ କହିଥିଲା ତୁମକୁ କହିବା ପାଇଁ ।ମୁଁ ହସିଦିଏ । ଗାଡି ଆସିଯାଏ ।ମୁଁ ସହରକୁ ଚାଲିଆସେ ।
କିଛିବର୍ଷ ବିତିଯାଏ ଗାଁକୁ ଯିବାଟା ଟିକେ କମିଯାଏ ।ସ୍ନାତକୋତ୍ତର ଶିକ୍ଷା ସମାପ୍ତିପରେ ଚାକିରି ଅନେଷ୍ବଣରେ ଥାଏ ଦିନେ କକା ମାନେ ମାନୀର ବାପା ବାଦାମବାଡି ବସଷ୍ଟାଣ୍ଡରେ ଅଚାନକ ଦେଖାହୁଅନ୍ତି ।ତାଙ୍କଠାରୁ ମାନୀର ବାହାଘର ହେଉଥିବାର ଶୁଣି ମାନୀକଥା ମନେପଡିଲା ।ବହୁତ ଇଛାହେଲା ଗାଁକୁ ଯିବାକୁ ଓ ମାନୀ ସହ କଥାହେବାକୁ ।
କିଛିଦିନ ପରେ ଗାଁକୁ ଯାଇ ମାନୀ ଘରକୁ ଗଲି ।ଦାଣ୍ଡରେ ଖୁଡୀ ଦେଖାହେଲେ ।ଖୁଡୀଙ୍କୁ ପ୍ରଣାମ କରିବା ପରେ ଖୁଡୀ ପଚାରିଲେ ବାବୁ ବାପା ତୋ ଦେହପା ଭଲଅଛିତ ।ମୁଁ ହଁ କହି ଘରଭିତରକୁ ଯିବାପାଇଁ ବାହାରୁଛି ମାନୀ ବାହାର ଗେଟ୍ ଖୋଲି କହିକହି ଆସିଲା ଆରେ ଅପୁର୍ବ ବାବୁଭାଇ ତୁମେ କେତେବେଳେ । ଖୁଡୀ ତାକୁ ପକୁଡି ଛାଣିବା ପାଇଁ କହି ମୋତେ ବସିବା ପାଇଁ ଚେୟାର୍ ଆଣିଦେଲେ ।ଚା ଜଳଖିଆ ଖାଇସାରିବା ପରେ ମୁଁ କଥା ଆରମ୍ଭ କଲି ଖୁଡୀ ମାନୀର ବାହାଘର କେଉଁଠି ଠିକ ହେଲା । ଖୁଡୀ ଦିର୍ଘଶ୍ବାସମାରି କହିଲେ ହଁ ରେ ବାପା ସାଲେପୁର ପାଖାପାଖି ଗାଁରେ । ପିଲା ମିଲିଟାରିରେ ଅଛି ।ମଟରସାଇକେଲ୍ ,ଟିଭି ,ଫ୍ରିଜ୍ ସହ ବାଟଖର୍ଚ୍ଚ ବାବଦକୁ ୫୦୦୦୦ ଟଙ୍କା ଡିମାଣ୍ଡ କରିଛି । ତାଳଖାଲ ପାଖ ଗୋଟେ ଏକରକିଆ ଜମି ଅଛି ତାକୁ ବିକିବା ପାଇଁ କକା କହୁଥିଲେ । ନନାଙ୍କ ସହ(ମାନେ ମୋ ବାପାଙ୍କ ସହ) କଥାବି ହେଉଥିଲେ । ନନା ଜମି ବିକିବା ପାଇଁ ବାରଣ କଲେ ଓ ୮୦୦୦୦ ଟଙ୍କା ଦେବାପାଇଁ କହିଲେ। ଆଉମଧ୍ୟ ଆଙ୍କୁ କହିଛନ୍ତି ପିଲା ବିଷୟରେ ଓ ତା ପରିବାର ବିଷୟରେ ସବୁ ବୁଝିକରି ବାହାଘର କର। ଝିଅର ମତ ମଧ୍ୟ ନେ । ଆଜିକାଲିକା ପିଲା ସେମାନେ ।ବିବାହଭଳି ଜୀବନର ଗୁରୁତ୍ବପୂର୍ଣ୍ଣ ବିଷୟରେ ସେମାନଙ୍କ ମତ ନେବା ଉଚିତ ।
କକା କିନ୍ତୁ ନନାଙ୍କ ପାଖରୁ ଆସି ବିବାହ ଫାଇନାଲ୍ କରି ଦେଇଛନ୍ତି ।ଏହା କହି ଖୁଡୀ ରୋଷଇ କରିବା ପାଇଁ ଗଲେ ।ମୁଁ ଏକୁଟିଆ ବସିଥାଏ । ଯିବାପାଇଁ ବାହାରୁଛି ମାନୀ ଆସି କହିଲା କଣ ରାଗିଗଲକି ।ମୁଁ ଟିକେ ପଡିଶା ଘର ଭାଉଜଙ୍କ ପାଖକୁ ଯାଇଥିଲି ।ସେ ଡାକିଥିଲେ ।ହଉ ଆସ ମୋ ପଢାଘରକୁ । ମାନୀର ପଢାଘରେ ବସିବା ପରେ ସେ ତା ଆଡୁ ଆରମ୍ଭ କଲା କଣ ସବୁ ଶୁଣିଲ ତ ।ମୁଁ ଚୁପ ରହିଲି ।ସେ ପୁଣି କହିଲା ତମେ କଣ ଘୁଙ୍ଗା । ନା ତ ମୁଁ କହିଲି । ତୁମର ମତ କଣ ।ଏତିକି କହି ସେ ମତେ ଧରି ଭୋଭୋ କାନ୍ଦିବାକୁ ଲାଗିଲା ।ଏହି ସମୟରେ କକା ଭିତରକୁ ପଶିଆସିଲେ ଓ କଥା ଆରମ୍ଭକଲେ ଦେଖ୍ ବାବୁ ସିତୁ(କକାଙ୍କ ପୁଅ)ଓ ତୋ ମଧ୍ୟରେ ମୁଁ କିଛି ଭିନ୍ନତା ଦେଖେନି । ତୁ ଏ ଘରର ପୁଅଭଳି । ତୋ ଭଉଣୀକୁ ତୁ ବୁଝାଇଦେ ସେ ଏ ପ୍ରସ୍ତାବରେ ରାଜି ହୋଇଯାଉ । ତାକୁ କହିଦେ ମୋ ପ୍ରସ୍ତାବର ଏକ ସମ୍ଭ୍ରାନ୍ତଶୀଳ ଓ ସ୍ବାଭିମାନୀ ଉତ୍ତର ହେଉଛି ହଁ ମୁଁ ବାପାଙ୍କ ପ୍ରସ୍ତାବରେ ରାଜି । ଏତିକି କହି କକା ଘରୁ ବାହାରିଗଲେ । ମୁଁ ମାନୀକୁ ବୁଝାଇବାପାଇଁ ଯାଇ କହିଲି ଦେଖ ତୋର ମୋର ବନ୍ଧୁତ୍ବରୁ ହିଁ ଆମର ଭଲପାଇବା ତ ।ସେ ହଁ କହିଲା ।ମୁଁ କହିଲି ତେବେ ତୋତେ ଆମ ବନ୍ଧୁତ୍ବର ଦ୍ବାହି ତୁ ଏ ପ୍ରସ୍ତାବରେ ରାଜି ହୋଇଯା ।ତାର ଉତ୍ତରକୁ ଅପେକ୍ଷା ନକରି ମୁଁ ଘରକୁ ପଳାଇଆସିଲି ।
ତାପର ଦିନ କଟକ ଚାଲିଆସିଲି । ତା ବାହାଘରକୁ ଆମେ ସମସ୍ତେ ଯୋଗଦେବାର ଯୋଜନା ବାପା କଲେ । ବାହାଘରଦିନ ଗାଁରେ ପହଂଚି ତାଙ୍କ ଘରକୁ ଗଲୁ ।ବନ୍ଧୁବାନ୍ଧବଙ୍କ ଗହଳି ଥାଏ ।ମୁଁ ପହଂଚିବାପରେ ସିତୁ ଆଉ ମୁଁ ବାହାଘର କାମରେ ଲାଗିପଡିଲୁ ।ସାହିଭାଇ ,ଭଦ୍ରଲୋକ ଓ ବନ୍ଧୁବାନ୍ଧବମାନେ ଖାଇସାରିବାପରେ ରାତି ଅଧରେ ବର ଓ ବରଯାତ୍ରୀ ପହଂଚି ପ୍ରୋସେସନ୍ ଆରମ୍ଭ କଲେ ।ହଠାତ୍ ସାହିର କିଏ ଜଣେ କକାଙ୍କ କାନରେ କଣ ଚୁପଚୁପ କହିଲା ।କକା ବ୍ୟତିବ୍ୟସ୍ତ ହୋଇ ପ୍ରୋସେସନ୍ ଜାଗାକୁ ଦଉଡିଲେ ।ସେଠାରେ ପହଂଚି ବର ହାତକୁ ଧରି ଅନୁନୟ ବିନୟ ହୋଇ କହିଲେ ବାବୁ ବାଟ ଖର୍ଚ୍ଚ ବାବଦକୁ ବାକିଥିବା ଦଶହଜାର ଟଙ୍କା ମୁଁ ସପ୍ତମଙ୍ଗଳା ମଧ୍ୟରେ ଦେଇଦେବି । ମୋତେ ଆଉ ଅପମାନିତ କରନି । କକାଙ୍କୁ ଶକ୍ତ ଚାପୁଡା ପକାଇ ନିଶାସକ୍ତ ବର କହିଲା ଯା ଯା ତୋର ଇଜତ୍ ଟା କେତେ ମୁଁ ଜାଣିଛି । କିଛି ବରଯାତ୍ରୀ ବୁଝାସୁଝା କରିବାପରେ ପ୍ରୋସେସନ୍ ପୁଣି ଆରମ୍ଭ ହେଲା । ବର ପହଂଚି ବାଟବରଣ ସାରି ବିବାହ ଆରମ୍ଭ ହେଲା । ପୁଣି ଏକ ଗଣ୍ଡଗୋଳ ବର ତରଫରୁ ଆରମ୍ଭ ହେଲା । ଅଳତାସିନ୍ଦୂର ବେଳେ ଖୁଡୀଙ୍କୁ ନିଶାରେ ଚୁର୍ ଥିବା ବର ଆଶାଳୀନ ଭାଷାରେ ଗାଳିଗୁଲଜ କଲା । ସହିବାର ସବୁ ସୀମା ଟପିଥିଲେ ବି ମୁଁ ନିରବଦ୍ରଷ୍ଟା ସାଜିଥାଏ । ମାନୀ ଏ ସବୁ ଖବର କାହାଠାରୁ ଶୁଣି ଓଢଣା ଫୋପାଡି ସିଧା ବେଦୀ ନିକଟରେ ହାଜର । ପୁରୋହୀତଙ୍କୁ କହିଲା ବରକୁ ବେଦୀରେ କର୍ମ ଅଛି କହି ଡକାଅ । ତାର ଚଣ୍ଡୀମୂର୍ତ୍ତିଦେଖି ପୁରୋହିତ ଭଣ୍ଡାରୀକୁ କହିଲେ ବରକୁ ବେଦୀକୁ ଆସିବା ପାଇଁ କୁହ। ବର ବେଦୀ ନିକଟରେ ପହଂଚିବା ପରେ ମାନୀର ଆରମ୍ଭ ହେଲା ରାଜ୍ । ବରକୁ ମନବୋଧକରି ଗାଳିଗୁଲଜ କରିସାରିବାପରେ ବରକୁ ସିଧାସିଧା ଶୁଣାଇଦେଲା ଯେ ଏ ବାହାଘର ଏହିଠାରେ ରହିଲା । ମୁଁ ସାରା ଜୀବନ କୁଆଁରୀ ରହିବି ତୋ ଭଳି ଗୋଟେ ଅମଣିଷର ହାତ ଧରିପାରିବିନି । ମାନୀର ବାପା ମୁଣ୍ଡରେ ହାତଦେଇ ବସିଲେ । କୌଣସି ସୂତ୍ରରୁ ଖବରପାଇ ପୁଲିସ ବର ,ବରପିତା ଓ କିଛି ବରଯାତ୍ରୀଙ୍କୁ ଥାନାକୁ ନେଇଗଲେ । ବର ଶିଶୁପାଳ ହୋଇ ଫେରିବା ପରେ ମାନୀ ବାପା ଓ ତାଙ୍କ ବନ୍ଧୁବାନ୍ଧବ ଓ ମୋ ବାପାବୋଉଙ୍କର ଭାଳେଣି ପଡିଲା ମଙ୍ଗୁଳା କନ୍ୟା ମାନୀର ଭବିଷ୍ୟତ କଣ ହେବ ।କିଏ ତାକୁ ବିବାହ କରିବ ।ଏହାକୁ ନେଇ ସମସ୍ତେ ଏକତ୍ରିତ ହୋଇ ଆଲୋଚନା କରୁଥିବା ସମୟରେ ହଠାତ ମୋର ବାପା କହିଲେ ଆରେ ମେଘୁ ତୋ ଝିଅକୁ ଡାକ । ମାନୀ ଆସି ପହଂଚିଲା ।ବାପା ମୋତେ ମଧ୍ୟ ଡକାଇଲେ ତାପରେ ମାନୀକୁ ପଚାରିଲେ ଆରେ ମା ତୋ ବାପା ଏ ବିବାହରେ ତୋର ମତ ନେଇଥିଲା ।ମାନୀ ନାହିଁ କରି କକା ତାକୁ ଯାହାଯାହା କହିଥିଲେ ସବୁ ଗୋଟିଗୋଟି କରି କହିଲା । ମାନୀଠାରୁ ସବୁଶୁଣି ବାପା କକାଙ୍କୁ ବଡବଡ ଆଖିକରି ଚାହିଁଲେ ତାପରେ ତାଙ୍କ ଆଡୁ ମୁହଁ ବୁଲାଇ ଆଣି ମାନୀକୁ ପଚାରିଲେ ଆରେ ମା ତୋ ବିବାହପାଇଁ ତୋ ବାପାର ସେହିପଦିଏ କଥା ଯେ ତାର ପ୍ରସ୍ତାବର ସମ୍ଭ୍ରାନ୍ତଶୀଳ ଓ ସ୍ବାଭିମାନୀ ଉତ୍ତର ହେଉଛି କଣ ତୁ ସେ ଆଣିଥିବା ବିବାହ ପ୍ରସ୍ତାବରେ ତୁ ରାଜି ବୋଲି । ତୁ ଯଦି ତୋ ବାପା କଥାରେ ରାଜି ହେଲୁ ମୋ ପୁଅ ଅର୍ଥାତ ତୋ ସାଙ୍ଗ ବାବୁ କଣ ସେଥିରୁ ବାହାରିଯିବ । ମୋ ପୁଅର ବାହାଘର ଏବେ ତୋ ସହିତ ହିଁ ହେବ । ମାନୀ ଆଖିରୁ ଆନନ୍ଦାଶ୍ରୁ ଝରିପଡୁଥିଲା ।ଏ ସବୁ କଥା ଭାବୁଭାବୁ ମୁଁ ଜାଣିନି ଜ୍ୟୋତି (ମାନୀର ବିବାହ ପରବର୍ତ୍ତୀ ନାମ )ଆସି ପାଖରେ ବସିଥିଲା ବୋଲି । ମୋ ଆଖିରୁ ଝରିଯାଉଥିବା ଲୁହକୁ ପୋଛୁପୋଛୁ ପଚାରିଲା କଣ ହୋଇଛି ତୁମର କାହିଁକି କାନ୍ଦୁଛ । ମୋ ପାଟିରୁ ବାହାରିପଡିଲା ଦେବାବସନ୍ତ । କଣ ହେଲା ଦେବାବସନ୍ତର କଣ ହେଲା । ମୁଁ କହିଲି ଆରେ ଦେବାବସନ୍ତରେ ଥିବା ଆମ୍ବ ଗଛଟା ପବନରେ ଉପୁଡିପଡିଲା। ଏହି ପଦକ କଥାରେ ଜ୍ୟୋତି ରାଗିଗଲା ଓ କହିଲା ଚୁପ ବେ ହାରାମୀ ।ଏତିକି କହି ଜୀଭ କାମୁଡି ପକାଇଲା ।ଉଭୟ ଏକ ସଂଗେ ହସି ଉଠିଲୁ ।ଏହି ସମୟରେ କଲିଂବେଲ୍ ବାଜି ଉଠିଲା । ଝିଅ ମାମୁନ୍ ସ୍କୁଲରୁ ଆସି ଡାକୁଥିଲା ।