STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଡ଼ଙ୍ଗା

ଡ଼ଙ୍ଗା

3 mins
9


ଲିପୁନ ଠିକ ଜାଣିଥିଲା ଯେ ଶୈଳେଶ ଗୋଟେ ଚୋର. ଏମିତି ଭାବିବାର ପ୍ରାସଙ୍ଗିକତା ହେଲା ଖଟତଳୁ ଅନେକ ଥର ତାର ଛୋଟ ଛୋଟ ଆକାରର ପଇସା ଚୋରି ହୁଏ. ତଥାପି ସେ ଜାଣିଥିଲା ଶୈଳେଶ ବିନା ସେ ଏଣିକି ବଞ୍ଚି ପାରିବ ନାହିଁ. ସକାଳୁ ଉଠୁ ଉଠୁ ଚା ଓ ପାଉଁରୁଟି ସେକି ବଢ଼ାଇ ଦେଲାପରେ ଲିପୁନ ତା କାମକୁ ବାହାରିଯାଏ. ଖୁଚୁରା ଦୋକାନିମାନଙ୍କୁ ପଇସା ଦେଇ ସେ ସୁଧ ଆଦାୟ ପାଇଁ ସାଇକେଲ ନେଇ ବାହାରିଯାଏ ଦିନ ସାରା. ହାଲିଆ ହୋଇ ଘରେ ପହଁଚିଲା ପରେ ତାକୁ ଖାଇବାକୁ ମିଳିଯାଏ ଶୈଳେଶ ପାଇଁ.ସେତିକି ତାର ଆବଶ୍ୟକତା. ତାର ଏତେ ଅଳ୍ପ ପାରିଶ୍ରମିକ ଭିତରେ ବିବାହ କରିବା ମୋଟେ ସମ୍ଭବ ନଥିଲା. ଥରେ ଅତି କଷ୍ଟରେ ଗୋଟେ ଝିଅ ଦେଖିବାକୁ ଯାଇଥିଲା ଯେ ସେ ଝିଅର ଲିପୁନ ପସନ୍ଦ ହେଲାନାହିଁ. ଆଉ ଯେଉଁ ଝିଅ ତାକୁ ପସନ୍ଦ କଲା, ସେ ଝିଅ ଲିପୁନର ପସନ୍ଦ ହେଲା ନାହିଁ. ଗାଁରେ ମାଆ ହଇରାଣ ହେଉଥିଲେ ବି ସେ ଆଉ ବାହାହେବା କଥା ଭାବି ନଥିବା ବେଳେ ତାକୁ ଶୈଳେଶ ମିଳିଯାଇଥିଲା.ଅନେକ ଥର ଶୈଳେଶର ଚୋରୀ ବିଷୟରେ ଜାଣି ମଧ୍ୟ ଲିପୁନ ତାକୁ କିଛି କହୁନଥିଲା. କାରଣ ତା ପାଖରେ ହଜାରଟଙ୍କାରୁ କମ ଆଦାୟ ଟଙ୍କାରୁ ଶୈଳେଶ ମାତ୍ର ଶହେ ଟଙ୍କା ଭିତରେ ଚୋରୀ କରି ହୁଏତ ସିନେମା ଖର୍ଚ୍ଚ ଓ ବୁଲାବୁଲି ଖର୍ଚ୍ଚ କରୁଥିଲା. ଏମିତିରେ ସଉଦା ଓ ପରିବା ଆଣିବା ପରେ ବଳକା ଟଙ୍କା ଶୈଳେଶ ଫେରାଉନଥିଲା କି ଲିପୁନ ମାଗୁନଥିଲା.

  ସେପଟେ ଶୈଳେଶ ଭାବୁଥିଲା ଲିପୁନ ପାଇଁ ତାକୁ ଖାଦ୍ୟ ଓ ଆଶ୍ରୟ ସହିତ ହାତ ଖର୍ଚ୍ଚ ମିଳିଯାଇଛି ତେଣୁ ସେ ଏଣିକି ଲିପୁନର ସାର୍ଟ ପ୍ୟାଣ୍ଟ ମଧ୍ୟ ସଫା କରିବା ସହ ତା ଜୋତା ପଲିସ ସହ ମଇଳା ମୋଜା ମଧ୍ୟ ସଫା କରିଦେଉଥିଲା. ଯେଉଁଦିନ ଶୈଳେଶ ତା ବାପାଙ୍କର ପୁରୁଣା ସାଇକେଲ ସଫା କରିବାକୁ ଲାଗିଲା ତାହା ସଫା ହେବା ପରିବର୍ତ୍ତେ କଳଙ୍କି ଛାଡ଼ି କେତେଟା ପାର୍ଟ ଛାଡିଗଲା କିନ୍ତୁ ଶୈଳେଶର ଉଦ୍ୟମରେ କିଛି ପରିମାଣରେ ସାଇକେଲ ନୂଆ ହୋଇଯାଇଥିଲା. ଅନ୍ତତଃ କବାଡିବାଲାକୁ ଦେବା ପରିବର୍ତ୍ତେ ସଫା ସାର୍ଟ ପ୍ୟାଣ୍ଟ ଓ ପଲିସ କରା ଜୋତା ଓ ସଫା ମୋଜା ପିନ୍ଧି ଲିପୁନ ପଇସା ଆଦାୟ କରିବାକୁ ଗଲାବେଳେ ତାର ତା ବାପାଙ୍କ କଥା ଖୁବ ମନେପଡୁଥିଲା. ସେତେବେଳେ ବାପା ପାଇଥିବା ରାଲେ ସାଇକେଲ ତାକୁ ରାଜଦୂତ ପରି ପ୍ରତେୟ ହେଉଥିଲା.

  ହଠାତ ସେଦିନ ଉଠି ଲିପୁନ ଦେଖିଲା ଖଟତଳେ ଥିବା ସାତସହ ତେତିଶ ଟଙ୍କା ସହ ଶୈଳେଶ ବାପାଙ୍କ ସାଇକେଲ ନେଇ ଫେରାର ହୋଇଯାଇଥିଲା. ତାର ଟଙ୍କା ପାଇଁ ମନ ଯେତିକି ଦୁଃଖ ନଥିଲା ସାଇକେଲ କଥା ଭାବି ସେତିକି ଦୁଃଖ ଥିଲା. ମାଆ ପାଖକୁ ଯିବାକୁ ବାହାରିଲା ଲିପୁନ. ମାଆ ଗୋଟେ ସୁନ୍ଦର ଝିଅର ବିବାହ ତା ସହ ଗାଁ ମନ୍ଦିରରେ କରାଇ ଦେଇଥିଲେ.ମାଆ ଯାହାକୁ ତାର ବୋହୂ ବାଛିଥିଲା ତାକୁ ଅପସନ୍ଦ କରିବାର କିଛି କାରଣ ନଥିଲା ବରଂ ଝିଅଟି ମଧ୍ୟ ତାକୁ ପସନ୍ଦ କରିଥିଲା. ଦୁହେଁ ସହରକୁ ତାର ଛୋଟ ବସାକୁ ଫେରିଆସିବା ପରେ ବାପାଙ୍କ ସାଇକେଲ ସହ ଶୈଳେଶକୁ ଦେଖି ଲିପୁନ ଖୁସି ହୋଇଯାଇଥିଲା.ଏମିତିକି ତା ଖଟ ତଳେ ଛଅ ଶହ ପଚାଶ ଟଙ୍କା ଥିଲା. କିନ୍ତୁ ଯୋଉଦିନ ତା ସ୍ତ୍ରୀ ସହିତ ଶୈଳେଶ ଫେରାର ହୋଇଗଲା ସେହିଦିନୁ ଲିପୁନ ବାପାଙ୍କ ସାଇକେଲ ଧରି ଗାଁକୁ ଫେରିଆସିଥିଲା. ମାଆ ସବୁକଥା ଶୁଣି ତାକୁ ପ୍ରବୋଧନା ଦେଉଥିଲା ଚୋର ଘର ସବୁଦିନ ଅନ୍ଧାର ନଥାଏ ପୁଅ. ଲିପୁନ ଆଉଥରେ ବିବାହ ପାଇଁ ପ୍ରସ୍ତୁତ ହେବାରୁ ମାଆ ଖୋଲା ହସ ହସୁଥିଲା.

   ଲିପୁନର ମନେ ପଡୁଥିଲା ପିଲାଦିନେ ବାପାଙ୍କ ସଙ୍ଗେ ସାଇକେଲରେ ବସି ସେ ବଜାରକୁ ଡ଼ଙ୍ଗା କିଣିବାକୁ ଯାଇଥିଲା. ସୋଲରେ ପ୍ରସ୍ତୁତ ସୁନ୍ଦର ଡ଼ଙ୍ଗାଟା ତାର ଚୋରି ହୋଇଯାଇଥିଲା. ସେ ଖୁବ କାନ୍ଦୁଥିଲା ବେଳେ ବୋଉ ହାତ ତିଆରି କଦଳୀପଟୁକା ଡ଼ଙ୍ଗା ତାକୁ ଖୁବ ଭଲ ଲାଗିଥିଲା. ତା ଭିତରେ ବୋଉ ଖିଲିପାନ, ସୋରିଷ, ଲୁଣ, ହଳଦୀ ସହ ତେଲ ବୁଡ଼ା କାଠି ନଈ ପଠାରେ ହୁ ହୁ ହୋଇ ଜଳିଲା ବେଳେ ବୋଉ କହୁଥିଲା ଆ.. କା.. ମା...ଭୈ.. ପାନ ଗୁଆ ଥୋଇ.. ଇତ୍ୟାଦି ଆଉ ଲିପୁନ ହସୁଥିଲେ ବି ବଜାର ଡ଼ଙ୍ଗା ସନ୍ଧାନରେ ଦିନର ଆଲୋକରେ ନଈ ଆରପଟେ ଖୋଜି ପାଇଥିଲେ ବି ଆଉ ଆଗ୍ରହ ନଥିଲା ସେଥିରେ. ଠିକ ସେମିତି ଆଉ ଗୋଟେ ଘଟଣା ଘଟିଥିଲା ତାଙ୍କ ଘରେ. ଅପା ବାହାଘରକୁ ନୂଆ କିଣା ହୋଇଥିବା ବାଲ୍ଟିଟି ଚୋରି ହୋଇଯାଇଥିଲା ତ ବୋଉ ବୁଢାଲିଙ୍ଗଙ୍କ ପାଖେ ଗୁଆ ନଡ଼ିଆ ବସାଇଥିଲା. ବାଲ୍ଟି ମିଳିଗଲେ ଚୂଡ଼ାଘଷା ଭୋଗ ସାଙ୍ଗକୁ ଯିଏ ନେଇଛି ତାର ଭଲମଙ୍ଗଳ ହେଉ କହୁଥିଲା. ଅପା ଯେବେ ପ୍ରଥମ କରି ଭିଣୋଇଙ୍କ ସାଙ୍ଗରେ ଆସିଥିଲା ସେହି ବାଲ୍ଟିଟିକୁ ସାଙ୍ଗରେ ଆଣି ଆସିଥିଲା କାରଣ ପ୍ରଥା ଅନୁସାରେ ଜୋଇଁ ପ୍ରଥମ କରି ଶଶୁରଘରୁ ସେହି ବାଲ୍ଟି ଚୋରି କରିଥିଲେ. ବୋଉର ଆଉ ବାଲ୍ଟି ପ୍ରତି ଲୋଭ ନଥିଲା. ସେ ଚୋରର ଭଲମଙ୍ଗଳ ହେଉ ଯୋଉ କହୁଥିଲା ତା ଅର୍ଥ କୁଆଡେ ଚୋରର ଖରାପ ହେବା ଥିଲା. ତେଣୁ ବୋଉ ବୁଢାଲିଙ୍ଗ ଅର୍ଥାତ ଲିପୁନ ଘର ପାଖ ପ୍ରତ୍ୟେକ୍ଷ ଠାକୁର ଗାଁ ପାଖ ଶିବଙ୍କୁ ଚୁଡାଘଷା ଦେବ ଯଦି ମୋ ଅପାର ସଂସାର ଡ଼ଙ୍ଗା ଠିକ ଠାକ ଗାଡିଚାଲଲିବ କହୁଥିଲା.ଆଜି ସେହି ପୁରୁଣା କଥା ମନେପଡ଼ିଲା ବେଳେ ଲିପୁନର ପୂର୍ବ ସ୍ତ୍ରୀ ଫେରିଆସିଥିଲେ ବି ଲିପୁନର ବାହାଘର ଆଉ କାହା ସଙ୍ଗେ ହୋଇସାରିଥିଲା ।



Rate this content
Log in

Similar oriya story from Abstract