Satyaranjan Mishra

Abstract Comedy

4  

Satyaranjan Mishra

Abstract Comedy

ଦାଢ଼ି

ଦାଢ଼ି

6 mins
361



ପିଲାଦିନେ ରାଜୁ ପାଇଁ ପ୍ରିୟ ସ୍ଥାନ ଥିଲା ତା ଜେଜେଙ୍କ କୋଳ । କାରଣଟି ହେଲା ଜେଜେଙ୍କ କାନ, ନାକ, ପାଟି ସମେତ ଅର୍ଦ୍ଧାଧିକ ମୁଖମଣ୍ଡଳକୁ ସମ୍ପୂର୍ଣ୍ଣ ଆବୃତ୍ତ କରିଥିବା ସଫେଦ ରଙ୍ଗର ଆକର୍ଷଣୀୟ ଲମ୍ବା କୁଞ୍ଚୁକୁଞ୍ଚିଆ ଦାଢ଼ି । ନିଜ କୁନି କୁନି ହାତ ରେ ସେଇ ଦାଢ଼ି ରେ ହାତ ମାରି ଖେଳି ବେଶ ଆନନ୍ଦ ପାଏ ରାଜୁ । ଜେଜେ ଯେତେବେଳେ ସେଇ ଦାଢ଼ି କୁ ରାଜୁ ମୁହଁ ରେ ଆସ୍ତେକରି ଲଗେଇ ଟିକେ ଏପଟ ସେପଟ କରିଦିଅନ୍ତି ସେତେବେଳେ ସେ ଖିଲିଖିଲି ହେଇ ହସି ଉଠେ ଆଉ ତାର ସେଇ ହସ ଦେଖି ପରିବାର ଲୋକଙ୍କ ପେଟ ପୁରି ଉଠେ ।


  ପରିବାର କହିଲେ ପ୍ରଥମେ ଥିଲେ ରାଜୁକୁ ଛାଡି ତିନିଜଣ ମଣିଷ । ବାପା, ବୋଉ ଓ ଜେଜେ । ରାଜୁ ଜନ୍ମର କିଛି ବର୍ଷ ଆଗରୁ ତା ଜେଜେ ମା ଆରପରିକୁ ଚାଲିଯାଇଥିଲେ । ସେବେଠୁ ଜେଜେଙ୍କ ମନରେ ସଂସାର ପ୍ରତି ବୈରାଗ୍ୟ । ବିଶେଷ କରି ଚୁଟି ଆଉ ଦାଢ଼ି କାଟିବାକୁ ସେବେଠୁ ସେ ବିମୁଖ ହେଇଯାଇଥିଲେ । ରାଜୁର ବାପା ତାଙ୍କୁ ଯେତେ ଯାହା କହିଲେ ବି ତାଙ୍କର ସେଥିପ୍ରତି ଭ୍ରୁକ୍ଷେପ ନଥିଲା । ଦିନବେଳା ଘରେ ରହି ରାଜୁ ସହ ଖେଳିବା ଥିଲା ତାଙ୍କ ମୁଖ୍ୟ କାମ ତଥା ମନୋରଞ୍ଜନ । ସନ୍ଧ୍ୟାବେଳେ ଭାଗବତ ଟୁଙ୍ଗିରେ ଭଜନ, ଆଉ ରାତିରେ ସୋଟେ ଗଂଜେଇ ସେବନ କରି ଅଚିନ୍ତା ଶୟନ ଥିଲା ତାଙ୍କ ନିତିଦିନିଆ କର୍ମଜୀବନ ।  


 ଗଂଜେଇ ସେବନ ଅଭ୍ୟାସର ପରିଣାମ ଏତେ ଖରାପ ହେଲା ଯେ, ରାଜୁକୁ ଯେତେବେଳେ ଚାରି ବର୍ଷ, ଜେଜେ ଚାଲିଗଲେ ।ଆଉ ପରିବାର କହିଲେ ରହିଗଲେ କେବଳ ବାପା ବୋଉ ଏବଂ ରାଜୁ । ସେତେବେଳକୁ ରାଜୁର ହେତୁ ପାଇନଥାଏ । ସମୟ ସହ ତାଳ ଦେଇ ରାଜୁ ବଡ଼ ହେବାରେ ଲାଗିଲା ଏବଂ ଭୁଲିବାକୁ ଲାଗିଲା ଜେଜେଙ୍କ ସବୁ ସ୍ମୃତି । ଧୀରେ ଧୀରେ ସବୁକିଛି ଭୁଲିଗଲା କିନ୍ତୁ ଭୁଲି ପାରିଲା ନାହିଁ ଜେଜେଙ୍କ ସେଇ ଦାଢ଼ିକୁ । 


 ରାଜୁର ବାପା ସରକାରୀ ଚାକିରିଆ । ଦାଢ଼ି ରଖିବାକୁ ଆଦୌ ପସନ୍ଦ କରନ୍ତିନି । ରାଜୁ ଯେତେବେଳେ ବି ତାଙ୍କ ମରୁଭୂମି ପରି ଶୁଷ୍କ ଗାଲକୁ ଦେଖେ,ସେତେବେଳେ ସେ ମନେମନେ ଭାରି ଦୁଃଖୀ ହୁଏ । ବେଳେବେଳେ ସମ୍ଭାଳି ନପାରି ପଚାରିଦିଏ, 


"ବାପା, ତୁମେ କାଇଁ ଦାଢ଼ି ରଖୁନ ?" 


ସେଉଠୁ ବାପା ଉତ୍ତର ଦିଅନ୍ତି,


 "ମୋତେ ଭଲ ଲାଗେନି ବୋଲି ମୁଁ ରଖେନି । ଦାଢ଼ି ରଖିଲେ ମୁହଁ ଅପରିଷ୍କାର ଦେଖାଯାଏ । ସିନେମା ର ଗୁଣ୍ଡା ଙ୍କ ଭଳି ମୋ ମୁହଁ ଦିଶେ । ଅନ୍ୟମାନଙ୍କ ମନରେ ଖରାପ ଭାବନା ଆସେ ଯେ ଦେଖ କେମିତି ଗୁଣ୍ଡା ଭଳିଆ ଦାଢ଼ି ରଖିଛି। ତେଣୁ ନିଜ ଶରୀର ତଥା ଚରିତ୍ର କୁ ସଫା ସୁତୁରା ରଖିବା ପାଇଁ ମୁ ଦାଢ଼ି ରଖେନି । ବୁଝିଲୁ ?"


କାହିଁକି କେଜାଣି, ବାପାଙ୍କ ଉତ୍ତର ରାଜୁ ମନକୁ ପାଏନି । ସେଉଠୁ ଓଲଟା ପଚାରେ, 


"ବାପା, ମୋର କେବେ ଦାଢ଼ି ଉଠିବ ?" 


ସେଉଠୁ ବାପା ହସିକି ଉତ୍ତର ଦିଅନ୍ତି,


 "ତୁ ବଡ଼ ହେଇଜା, ତୋର ଉଠିବ " 


ସେଉଠୁ ରାଜୁ ଉତ୍ସାହିତ ହେଇ ପୁଣି ପଚାରେ,


 " ଜେଜେ ଙ୍କ ଭଳିଆ ଦାଢ଼ି ?"


 ଛୋଟ ପିଲାଟାକୁ ବାଆଁରେଇଦେଇ ବାପା ଆଉ ଟିକେ ହସିକି କୁହନ୍ତି, 


"ହଁ, ଜେଜେଙ୍କ ଭଳି ଦାଢ଼ି ଉଠିବ ତୋର " । 


ତାପରେ ରାଜୁର ଆନନ୍ଦ କହିଲେ ନ ସରେ । ଚାତକ ଭଳିଆ ଅପେକ୍ଷା କରି ଚାହିଁ ରହିଥାଏ ଯେ ସେ କେବେ ବଡ଼ ହବ ଆଉ ତାର ତା ଜେଜେଙ୍କ ଭଳିଆ ବହୁତ ବଡ଼ ବଡ଼ ଦାଢ଼ି ହବ । 


  ରାଜୁ ଯେତେ ଯେତେ ବଡ଼ ହଉଥାଏ, ଦାଢ଼ି ପ୍ରତି ତାର ଆକର୍ଷଣ ସେତେ ସେତେ ବଢୁଥାଏ । ସେଲିବ୍ରିଟିଙ୍କ ଠାରୁ କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦାଢ଼ି ଉପରେ ଥାଏ ରାଜୁର ନଜର । ହେଲେ ମନେମନେ ସ୍ବପ୍ନ ଦେଖୁଥାଏ, ମୋର ଏମିତିଆ ନୁହଁ ବରଂ ମୋର ମୋ ଜେଜେଙ୍କ ଭଳିଆ ଦାଢ଼ି ଉଠିବ । ହେଲେ ଦାଢ଼ି ଉଠିବା କି ସହଜ କଥା ।


 ପ୍ରାଇମେରୀ ସ୍କୁଲରୁ ଯାଇ ହାଇସ୍କୁଲ ସରିଲା ଆଉ ତାପରେ କଲେଜରେ ଯାଇ ଯୁକ୍ତ ଦୁଇ ପଢ଼ିଲା ହେଲେ ରାଜୁ ର ଦାଢ଼ି ଉଠିଲା ନାହିଁ । ତାର ସାଙ୍ଗ ଦୁଇ ଚାରିଜଣଙ୍କର ଦାଢ଼ି ଉଠିଲା, ତାଙ୍କ ମୁହଁ କେତେ ସୁନ୍ଦର ଆଉ ଷ୍ଟାଇଲିସ ଦିଶିଲା ଅଥଚ ରାଜୁ ଗାଲରେ ସେପର୍ଯ୍ୟନ୍ତ ଗୋଟେ ହେଲେ ଚୁଟି ଉଠିନଥିଲା । ସେଥିପାଇଁ ରାଜୁର ମନ ଭାରି ଦୁଃଖ । 


 ଦିନେ ଗୋଟେ ସାଙ୍ଗ ଠାରୁ ରାଜୁ ଶୁଣିବାକୁ ପାଇଲା ଯେ ଗାଲରେ ଖୁର କିମ୍ବା ବ୍ଲେଡ ଘସିଲେ ଜଲଦି ଦାଢ଼ି ଉଠିବ ବୋଲି । କାଳେ ବାପା ବୋଉ ଦେଖିଲେ ପାଟି କରିବେ ବୋଲି ଦିନେ ଲୁଚି ଲୁଚି କବାଟ ଦେଇ ନିଜ ରୁମ ଭିତରେ ରାଜୁ ଗୋଟେ ବ୍ଲେଡ ରେ ନିଜ ଗାଲକୁ ଧୀରେ ଧୀରେ ରାମ୍ପିବାକୁ ଲାଗିଲା । ଗୋଟେ ଗୋଟେ ଜାଗାରେ ବ୍ଲେଡ ଧାର ବାଜି ଗାଲ କଟିଗଲା ହେଲେ ରାଜୁର ସେଥିପାଇଁ ତିଳେ ହେଲେ ମନ ଦୁଃଖ ନଥାଏ । ଓଲଟା ସେ ଖୁସି ଥାଏ ଯେ ଯାହା ହଉ ମୋର ଖୁବ ଶୀଘ୍ର ଦାଢ଼ି ଉଠିବ । ହେଲେ ଦୁର୍ଭାଗ୍ୟକୁ ସେ ଉପାୟ ମଧ୍ୟ ଫେଲ ମାରିଲା । ଚାହୁଁ ଚାହୁଁ ଯୁକ୍ତ ଦୁଇ ପାଠ୍ୟକ୍ରମ ର ଦୁଇ ବର୍ଷ ସରିଗଲା, କିନ୍ତୁ ରାଜୁ ର ଦାଢ଼ି ଉଠିବା ନାଁ ଧରିଲାନି ।


  ରାଜୁର ପ୍ରାୟ ସବୁ ସାଙ୍ଗଙ୍କର ଦାଢ଼ି ଉଠିଲା, ଏକା ତାର ଉଠିଲା ନାହିଁ । ସମସ୍ତେ ଦାଢ଼ି ରଖି କେତେ ଷ୍ଟାଇଲିସ ଆଉ ମ୍ୟାଚୁଅର ଦିଶୁଛନ୍ତି ହେଲେ ରାଜୁ ର ମୁହଁ ଏବେ ବି ଶୂନ୍ୟ । ସାଙ୍ଗ ମାନେ ଛୋଟଛୁଆଟା କହି ଥଟା କରିବାକୁ ବି ଆରମ୍ଭ କରିଦେଲେ । ରାଜୁ ର ଦୁଃଖ ସୀମା ଟପିଗଲା । ସକାଳେ ସନ୍ଧ୍ୟା ରେ ନୀତି କାନ୍ଦି କାନ୍ଦି ଠାକୁର ଙ୍କୁ ଡାକିଲା,


 "ପ୍ରଭୁ ହେ ମୋର ଶୀଘ୍ର ଦାଢ଼ି ଉଠିବାର ବ୍ୟବସ୍ଥା କରନ୍ତୁ "।


  ଆଉ ଶେଷରେ ଠାକୁର ତା ଡ଼ାକ ଶୁଣିଲେ ।


 ଯୁକ୍ତ ଦୁଇ ପରେ ରାଜୁ ଇଞ୍ଜିନିଅରିଂ କଲେଜରେ ନାମ ଲେଖାଇଲା । ଇଞ୍ଜିନିଅରିଂ ପ୍ରଥମ ବର୍ଷ ଆରମ୍ଭ ରୁ ରାଜୁ ଗାଲରେ ଉଠିଲା ଦାଢ଼ି । ପ୍ରଥମେ ପ୍ରଥମେ ତ ଛେଳି ଦାଢ଼ି ପରି କେବଳ ଓଠ ର ତଳ ଅଂଶରେ ଦାଢ଼ି ଉଠିଲା, ହେଲେ ଧୀରେ ଧୀରେ ତାହା ଉପରକୁ ଉପରକୁ ଲମ୍ବିଲା ଏବଂ ସମଗ୍ର ମୁଖ ମଣ୍ଡଳରେ ବିସ୍ତାର ଲାଭ କଲା ।ଏଥର ରାଜୁର ଖୁସି କହିଲେ ନ ସରେ । ଯାହା ହଉ ଏତେ ଦିନେ ଠାକୁରେ ମୋ ଡ଼ାକ ଶୁଣିଲେ । ଖୁବ ଶୀଘ୍ର ଜେଜେଙ୍କ ପରି ଦାଢ଼ି ରଖିବା ସ୍ବପ୍ନ ମୋର ପୂରଣ ହବ ଭାବି ରାଜୁ ଖୁସି ରେ ବିଭୋର ହେଇ ଉଠୁଥାଏ । ହେଲେ ଭାଗ୍ୟ ର ବିଡମ୍ବନା,ରାଜୁ ଜୀବନରେ ଆସିଲା ଏକ ମୋଡ଼ ଯୋଉ କାରଣରୁ ରାଜୁର ସେ ସ୍ବପ୍ନ ଏତେ ଶୀଘ୍ର ପୂରଣ ହେଇପାରିଲାନାହିଁ । 


  ଇଞ୍ଜିନିଅରିଂ ଦ୍ୱିତୀୟ ବର୍ଷ ଶେଷ ଆଡକୁ, ରାଜୁ ନିଜର ଏକ ସହପାଠିନୀ " ସୌମ୍ୟା " ସହ ପ୍ରେମରେ ପଡିଲା । ଧୀରେ ଧୀରେ ଉଭୟଙ୍କ ମଧ୍ୟ ରେ ଏକ ସୁନ୍ଦର ସମ୍ପର୍କ ଗଢିଉଠିଲା । କିନ୍ତୁ ରାଜୁ ଜାଣିନଥିଲା ଯେ ତାର ଏହି ସମ୍ପର୍କ ତା ସ୍ବପ୍ନ ଦିଗରେ ସାରା ଜୀବନ ପାଇଁ ପ୍ରତିବନ୍ଧକ ସାଜିବ ବୋଲି । ସୌମ୍ୟାର ଏକମାତ୍ର ଜିଦି, ରାଜୁ ମୁହଁରେ ଏତେ ଦାଢ଼ି ରହିବନି,କିମ୍ବା ଦାଢ଼ି ମୂଳପୋଛ ମଧ୍ୟ ହବନି । ମୁହଁକୁ ସୁହେଇଲା ଭଳି ତଥା ମ୍ୟାଚୁଅର ଦିଶିଲା ଭଳି ଯେତିକି ଆବଶ୍ୟକ ମାନେ ଅଳ୍ପ ଟିକେ ଟିକେ ଦାଢ଼ି ରଖାଯିବ ।ପ୍ରେମିକାର କଥା ନ ମାନି ଆଉ ରାଜୁ ଯାଏ କୁଆଡେ । ଖାଲି ସୌମ୍ୟା ନୁହଁ, ଘରେ ବାପା ବୋଉ ମଧ୍ୟ ସବୁବେଳେ ଗାଳି ଦେଉଥାନ୍ତି ଏହି ଦାଢ଼ି ବଢେଇବା ପାଇଁ । ଅନ୍ୟମାନେ ବି ଥଟାରେ କହୁଥାନ୍ତି, "କଣ ରେ ରାଜୁ.. ଏତେ ଦାଢ଼ି ରଖିଲୁଣି.. ବାବା ହବୁ କିରେ ?" ଏହିସବୁ କାରଣରୁ ଶେଷରେ ରାଜୁକୁ ତା ଦାଢ଼ି ଛୋଟ କରିବାକୁ ପଡିଲା । ନିଜେ ମନେମନେ ଦୁଃଖୀ ହେଉଥିଲେ ମଧ୍ୟ ଅନ୍ୟମାନଙ୍କ ଖୁସି ପାଇଁ ନିଜ ସ୍ବପ୍ନକୁ ବଳି ଚଢ଼େଇଦେଲା ରାଜୁ ।


  ସମୟ ଗଡି ଚାଲିଲା । ରାଜୁ ଏକ ଘରୋଇ କମ୍ପାନୀରେ ଚାକିରୀ କଲା । ଘର ଲୋକଙ୍କ ସମ୍ମତିରେ ସୌମ୍ୟା ସହ ବିବାହ ମଧ୍ୟ କଲା । ସମସ୍ତଙ୍କ ଇଚ୍ଛାକୁ ସମ୍ମାନ ଦେଲା ଭଳି ତଥା କମ୍ପାନୀରେ ନିଜ ଚରିତ୍ରକୁ ସୁହେଇଲା ଭଳି ଦାଢ଼ି ରଖିଲା । ସବୁ କିଛି ଠିକଠାକ ଚାଲିଥିଲା । ଘରେ ଥିବା ଜେଜେଙ୍କ ଫୋଟୋ ଦେଖିବା ସମୟକୁ ଛାଡିଲେ ବାକି ସମୟରେ ନିଜ ଦାଢ଼ି ରଖିବା ସ୍ବପ୍ନ କଥା ଭୁଲିଯାଉଥିଲା ରାଜୁ ।


•••••••••••••••••••••

  

   ଏବେ ପୁଣି ଆସିଛି ରାଜୁ ଜୀବନରେ ମୋଡ଼ । ତା ସ୍ବପ୍ନ ପୂରଣ ପାଇଁ ଭଗବାନ ଦେଇଛନ୍ତି ଏକ ସୁଯୋଗ । ଦେଶ ତଥା ବିଶ୍ୱରେ ଆସିଛି କରୋନା ମହାମାରୀ । କମ୍ପାନୀ ବନ୍ଦ । ବଜାର ହେଇଛି ଲକଡାଉନ ।ଆଉ ତାର ପ୍ରଭାବରେ ରାଜୁ ଘର ଥିବା ଗାଁ ର ସେଲୁନ ପନ୍ଦର ଦିନ ହେଲା ବନ୍ଦ । ତେଣୁ ଦାଢ଼ି କାଟିବାକୁ ରାଜୁକୁ ମିଳୁନି କୌଣସି ସୁବିଧା ।

  

 ପୂର୍ବତନ ପ୍ରେମିକା ତଥା ବର୍ତ୍ତମାନର ଧର୍ମପତ୍ନୀଙ୍କ ପ୍ରସ୍ତାବ ସତ୍ୱେ ଅଧିକ ଦାମ ତଥା ବ୍ୟବହାର ଜାଣିନଥିବା ଆଳ ଦେଖେଇ ଏପର୍ଯ୍ୟନ୍ତ ଟ୍ରିମରଟାଏ କିଣିନି ରାଜୁ । ଘରେ ଅଛି ରାଜୁକୁ ନିର୍ବନ୍ଧ ସମୟରେ ନିଜ ଶଶୁରଙ୍କ ଠାରୁ ମିଳିଥିବା ରେଜର ସେଟ । ହେଲେ ରେଜରରେ କ୍ଲିନସେଭ କଲେ ସୌମ୍ୟାକୁ ଆଦୌ ଭଲ ଲାଗେନି ।କାରଣ ହେଲା ଦାଢ଼ି ମୂଳ ପୋଛ କଲେ ରାଜୁର ମୁହଁ ଓଟ ପରି ଦିଶେ । ତେଣୁ ବାଧ୍ୟ ହେଇ ରାଜୁକୁ ଦାଢ଼ି ନ କାଟି ଓଲଟା ଦାଢ଼ି ବଢେଇବାକୁ ଅନୁମତି ଦେଇଛି ସୌମ୍ୟା । ଘରେ ବାପାବୋଉ ମଧ୍ୟ ସୌମ୍ୟାର ପସନ୍ଦ ଜାଣିଥିବାରୁ ରାଜୁ କୁ କିଛି କହୁନାହାନ୍ତି ।


  ଏବେ ପନ୍ଦର ଦିନ ହବ ସେଲୁନ ଯିବାରୁ ବଂଚିତ ହେବା ଯୋଗୁଁ ରାଜୁର ମୁଖ ମଣ୍ଡଳରେ ଦାଢ଼ି, ବରଗଛ ଶାଖା ପରି ତୀବ୍ର ବେଗ ରେ ବିସ୍ତୃତି ଲାଭ କରିଛି । ଖୁବ ଶୀଘ୍ର ରାଜୁ ର ସମ୍ପୂର୍ଣ୍ଣ ମୁଖ ମଣ୍ଡଳ ଘଞ୍ଚ କଳା ମଚମଚ ଦାଢ଼ି ରେ ପୁରିଉଠିଛି । ଖୁସିରେ ଆତ୍ମବିଭୋର ହେଇ ଉଠିଛି ରାଜୁ । ଯେବେ ବି ରାଜୁ ନିଜ ଜେଜେଙ୍କ ଫୋଟୋରେ ପ୍ରତିଫଳିତ ନିଜ ମୁହଁ କୁ ଦେଖୁଚି ସେତେବେଳେ ସେ ଅବର୍ଣ୍ଣନୀୟ ଆନନ୍ଦ ପାଉଛି ।


 କିନ୍ତୁ ଦୁଃଖର କଥା ଏଇଆ ଯେ,ରାଜୁର ଏତେ ଦିନର ସ୍ବପ୍ନ ପୂରଣ ହବାକୁ ଅର୍ଥାତ ଜେଜେଙ୍କ ପରି ଲମ୍ବା ଦାଢ଼ି ହବାକୁ ରାଜୁକୁ ଆହୁରି ବହୁତ ଦିନ ସମୟ ଦରକାର ହେଲେ ଏହା ମଧ୍ୟ ରାଜୁକୁ ଅଛପା ନାହିଁ ଯେ ଲକ ଡାଉନ ସରିବା କ୍ଷଣି ପତ୍ନୀଙ୍କ ଆଜ୍ଞାରେ ତାକୁ ବାଧ୍ୟ ହେଇ ତା ମନ ପସନ୍ଦ ଦାଢ଼ି ର ବଳି ଚଢେଇବାକୁ ପଡିବ ।ତେଣୁ ସେ ଯେତିକି ଖୁସି ସେତିକି ଦୁଃଖୀ ମଧ୍ୟ ହଉଚି । ବିଚରା ଏବେ ଖାଲି ମନେମନେ ଠାକୁରଙ୍କୁ ଡାକୁଛି , " ହେ ପ୍ରଭୁ, ଏ ଲକ ଡାଉନ ସରିବା ପରେ ଯାହା ହଉଚି ହଉ ପଛେ, ଆମ ପ୍ରଧାନମନ୍ତ୍ରୀ ସେଲୁନ ଖୋଲା ରଖିବାକୁ ଅନୁମତି ନ ଦିଅନ୍ତୁ "।


 ଦେଖାଯାଉ ରାଜୁର ଡ଼ାକ ଠାକୁରେ ଶୁଣୁଛନ୍ତି କି ନାହିଁ ।



Rate this content
Log in

Similar oriya story from Abstract