ମାମା ଓ କୁନି ଝିଅ
ମାମା ଓ କୁନି ଝିଅ
ନିସ୍ତବ୍ଧ ରଜନୀ |ଗାଁ ଟା ଯାକ ଚାରିଆଡ ଶୂନଶାନ |ଗାଁ ର ଶେଷ ମୁଣ୍ଡରେ ଏକ ଦୁଇ ମହଲା ବିଶିଷ୍ଟ ଘର | ଘର ଅଗଣାରେ ପଡିଥିବା ଆରାମ ଚେୟାର ର କୁଁ କୁଁ ଶବ୍ଦ ଛଡା ଘରୁ ଆଉ କିଛି ଶୁଭୁନଥାଏ କାନକୁ | ସେହି ଚେୟାର ରେ ଏକୁଟିଆ ବସି ଝୁଲୁଥାଏ ପଲ୍ଲବୀ | ଅପଲକ ନୟନ ରେ ଚାହିଁଥାଏ ବାହାରକୁ |
ଆଖି ଆଗରେ ନାଚି ଉଠୁଥାଏ ଅତୀତ ର ଦୁଃଖଦ ସ୍ମୃତି ସବୁ| ଶତ ଚେଷ୍ଟା ପରେ ବି କ୍ଷଣଟିଏ ପାଇଁ ମନରୁ ଲିଭୁନଥାଏ ସେ ପୀଡ଼ା ଓ ବେଦନା ଦାୟକ, ତଥା ମର୍ମସ୍ପର୍ଶୀ ଦୃଶ୍ୟ ଗୁଡିକ |କେମିତି ବା ଭୁଲିବ ସେ ଦୁଃଖ ?..ସେମାନେ ପରା ଥିଲେ ତାର ଆପଣାର.…ତା ସୁଖ ଦୁଃଖ ର ସାଥି... ଯୋଉଁମାନଙ୍କ ପାଇଁ ସେ ଦୁନିଆ ରେ ବଞ୍ଚି ରହିଥିଲା | ଖୁବ କମ ସମୟ ବ୍ୟବଧାନ ଭିତରେ ଜଣକ ପରେ ଜଣେ ନିଜର ଲୋକ ଛାଡି ଚାଲିଗଲେ ପଲ୍ଲବୀ କୁ | ଏତେବଡ଼ ଦୁନିଆ ରେ ଏବେ ସମ୍ପୂର୍ଣ୍ଣ ଏକୁଟିଆ ହେଇଯାଇଛି ପଲ୍ଲବୀ | ଏକଥା ଭାବିଲାବେଳକୁ ସେ ନିଜେ ବି ବିଶ୍ୱାସ କରିପାରୁନଥାଏ |
ବାପା ମା ଙ୍କର ଗୋଟିଏ ବୋଲି ଝିଅ ଥିଲା ପଲ୍ଲବୀ |କଲେଜ ରେ ପଢ଼ିଲା ବେଳେ ଶୁଭମ ଙ୍କ ସହ ପ୍ରେମ ଆଉ ତାପରେ ବିବାହ |ଶୁଭମ ମଧ୍ୟ ଥିଲା ବାପା ମା ଙ୍କର ଗୋଟେ ବୋଲି ପୁଅ ତେଣୁ ବିବାହ ପରେ ପଲ୍ଲବୀ ଜୀବନରେ ଯୋଡି ହେଲେ ତିନି ମୁହଁ, ଶାଶୁ ଶଶୁର ଆଉ ସ୍ୱାମୀ |ନିଜ ବାପା ମା ଙ୍କୁ ମିଶେଇଲେ ପଲ୍ଲବୀ ଜୀବନରେ ସମୁଦାୟ ଥିଲେ ମାତ୍ର ପାଞ୍ଚ ଜଣ ମଣିଷ |
ହେଲେ ବାହାଘର ର 4ବର୍ଷ ନ ପୂରୁଣୁ ସବୁ ଯେମିତି ଓଲଟ ପାଲଟ ହେଇଗଲା
ଜନ୍ମ କଲା ମା ଦିନେ ସିଡ଼ି ରୁ ଓଲ୍ହେଇ ଆସୁଆସୁ ଗୋଡ଼ ଖସିଗଲା ଆଉ ସେ ଗଡି ଗଡି ଆସି ତଳେ ପଡିଲେ |ପଛ ମୁଣ୍ଡରେ ଖୁବ ଜୋରରେ ଆଘାତ ଲାଗିବା କାରଣ ରୁ ମାତ୍ରାଧିକ ରକ୍ତ ବୋହିଗଲା ଆଉ ସେ ଚାଲିଗଲେ |କେତେଥର ପଲ୍ଲବୀ ମା ଙ୍କୁ କହିଛି ଯେ ମା ତୁମର ଆଣ୍ଠୁ ଧରୁଛି ତୁମେ ସିଡ଼ି ରେ ବେଶୀ ଚଢା ଓଲ୍ହା କରନି ବୋଲି ହେଲେ ସେ ଶୁଣିଲେତ ??...ଦୁଃଖ ହେଲେ ବି ଯାହା ହବାର ଥିଲା ହେଲା ଭାବି ନିଜକୁ ସାନ୍ତ୍ୱନା ଦେଇ, ପଲ୍ଲବୀ ଭୁଲିଯିବାକୁ ଚେଷ୍ଟା କଲା ସେକଥା |
ମା ଚାଲିଗଲା ପରେ, ବାପା ସମ୍ପୂର୍ଣ ଏକୁଟିଆ ହେଇଯାଇଥିଲେ ଘରେ |ପଲ୍ଲବୀ ତାଙ୍କୁ ବହୁତ ଥର କହିଛି କି ବାପା ତୁମେ ଆମ ଘରକୁ ପଳେଇଆସ ଏଇଠି ଆମ ସହ ଏକାଠି ରହିବ |ତୁମର କିଛି ଅସୁବିଧା ହେବନି |ହେଲେ ବାପା ବି କୋଉ ତା କଥା ଶୁଣିଲେ ଯେ ? ଏ ବୟସରେ ରୋଷେଇ କାର୍ଯ୍ୟ ନିଜ ହାତରେ ଠିକସେ କରିପାରୁନଥାନ୍ତି ତଥାପି ପଲ୍ଲବୀ କୁ କହିଲେ, "ମା ରେ, ତୋ ଘରେ ଯାଇ ରହିଲେ ଲୋକେ କଁ କହିବେ ?ମୁ ଏଇଠି ଠିକ ଅଛି..ମୋର କିଛି ଅସୁବିଧା ହଉନି"
ହେଲେ ଏ କଥା କହିବାର କେଇଟା ଦିନ ହେଇନି ଘରେ ଗ୍ୟାସଟାଙ୍କି ଫୁଟିଲା ଆଉ ବାପା ଙ୍କ ସହ ସମ୍ପୂର୍ଣ ଘର ବି ଜଳିଗଲା |ପଲ୍ଲବୀ ର ଦୁଃଖ ଆଉ ଟିକେ ବଢିଗଲା, ତଥାପି ଶାଶୁ ଶଶୁର ଆଉ ସ୍ୱାମୀ ଙ୍କ ମୁହଁ ଚାହିଁ ସେ ସବୁ ଦୁଃଖ ନିଜ ଭିତରେ ଚାପିଦେଲା |
ହେଲେ କଣ ହେବ... ଦୁଃଖ ଯେମିତି ପଲ୍ଲବୀକୁ ଛାଡି ଯିବାର ନାଁ ଧରୁନଥାଏ.... |
ବାପା ଚାଲିଯିବାର ଦିନ କେଇଟା ନ ପୂରୁଣୁ ଶାଶୁ ଶଶୁର ଉଭୟ ଏକ ଭୟାନକ ଦୁର୍ଘଟଣା ରେ ଏକ ବିରାଟ ଖାଇ ଭିତରକୁ ଗଳି ପଡି ମୃତ୍ୟୁବରଣ କଲେ ଆଉ ଏକା ସାଙ୍ଗରେ ଏ ଦୁନିଆ ରୁ ଚାଲିଗଲେ |ଏ ଘଟଣା ପରେ ଶୁଭମ ଆଉ ପଲ୍ଲବୀ ଦୁହେଁ କାନ୍ଦି କାନ୍ଦି ବେହାଲ ହେଇଗଲେ |କିଏ କାହାକୁ ସମ୍ଭାଳିବ କିଛି ବୁଝାପଡୁନଥାଏ |ଦୁଃଖ ର ବୋଝ ଯେମିତି ସେମାନଙ୍କ ଉପରେ ପାହାଡ଼ ପରି ନଦି ହେଇଯାଇଥାଏ |ଶେଷରେ ଉଭୟ ପରସ୍ପର ର ମୁହଁ କୁ ଚାହିଁ ବାକି ଜୀବନ କାଟିଦେବାକୁ ନିଷ୍ପତି ନେଲେ|
ହେଲେ ପଲ୍ଲବୀ ଭାଗ୍ୟ ରେ ସେଇଟା ବି ନଥିଲା |
ଏତେ ସବୁ ଦୁଃଖ ମନରୁ ଲିଭିନଥିବା ବେଳେ ଶେଷରେ କାରଖାନା ରେ କାମ କରୁଥିବା ବେଳେ ଗଭୀର ଇଲେକ୍ଟ୍ରିକ ସକ ଲାଗିବାରୁ ସେଥିରେ ଜଳିଯାଇ ସବୁଠୁ ଆପଣାର ଆଉ ସବୁଠୁ ନିଜର ତା ସ୍ୱାମୀ ଶୁଭମ ବି ଜୀବନ୍ତ ଦଗ୍ଧ ହେଇଗଲେ ଆଉ ଚାଲିଗଲେ ଏ ଦୁନିଆ ରୁ |
କିଛି ବୁଝିପାରୁନଥିଲା ପଲ୍ଲବୀ | କଣ ଦୋଷ କରିଥିଲେ ସେମାନେ |ଭଗବାନ ତାଙ୍କୁ କାହିଁକି ଏମିତି ନିଷ୍ଠୁର ହେଇ ଦଣ୍ଡ ଦେଲେ |ଆଜିକୁ ତିନି ଦିନ ହେଇଗଲା ଶୁଭମ ଙ୍କ ମୃତ୍ୟୁ ହେବା |ଏତେ ବଡ଼ ଦୁନିଆ ରେ ଏବେ ସମ୍ପୂର୍ଣ ଏକୁଟିଆ ପାଲଟିଯାଇଛି ପଲ୍ଲବୀ | କାହା ପାଇଁ ବଂଚିବ |କାହିଁକି ବା ବଂଚିବ | କିଛି ବୁଝିପାରୁନଥାଏ |କାନ୍ଦି କାନ୍ଦି ବେହାଲ |କେତେ ବା ଆଉ କାନ୍ଦିବ ? ହଉ ଯାହା ଭଗବାନ ଙ୍କ ଇଚ୍ଛା |ଯାହା ହବାର ଥିବ ହବ |
ଦୁଃଖଦ ଭାବନା କୁ ମନରୁ କ୍ଷଣଟିଏ ପ୍ରଶମିତ କରିବା ପାଇଁ ଉଠିକି ରୋଷେଇ ଘରକୁ ଗଲା ପଲ୍ଲବୀ | ଥର୍ମୋଫ୍ଲାକ୍ସ ରୁ ଗୋଟେ କପ ରେ ଚା ଅଜାଡି କପ ଟିକୁ ହାତରେ ଧରୀ ପିଇବାକୁ ଲାଗିଲା ପଲ୍ଲବୀ |ଚା ପିଇବାର କିଛି ସମୟ ପରେ ହଠାତ ଯେମିତି ଭୟଙ୍କର ପବନ ମାଡିଆସିଲା ପରି ଲାଗିଲା ପଲ୍ଲବୀ କୁ |ଏତେ ଜୋର ରେ ପବନ ଯେ ପଲ୍ଲବୀ ର ଆଖି ମୁଦି ହେଇପଡୁଥାଏ | ସେ ଯେତେ ଚେଷ୍ଟା କଲେ ବି ଆଖି ଖୋଲି ପାରୁନଥାଏ |କିଛି ସମୟ ପରେ ପବନ କମିଲା ପରି ଲାଗିଲା |ପଲ୍ଲବୀ ଆଖି ଖୋଲି ଚାହିଁଲା |କିନ୍ତୁ ଏ କଣ ?.. ଚାରିଆଡ ବରଫ ପରି ସଫେଦ ଧଳା ଦିଶୁଚି ଯେ |ସତେ ଯେମିତି ହିମାଳୟ ର ମଧ୍ୟ ଭାଗ ରେ ଆସି ଛିଡା ହେଇଚି ପଲ୍ଲବୀ |ଏ ମୋ ଘରକୁ କଣ ହେଇଗଲା ?ହଠାତ ଏତେ ବରଫ କୁଆଡୁ ଆସିଲା ଯେ ?ଚାରିଆଡକୁ ଚାହିଁବାକୁ ଲାଗିଲା ପଲ୍ଲବୀ |ଏତିକି ବେଳେ ପଛରୁ ଶୁଭିଲା,
"ମାମା "
ଡାକଟା ଏତେ ଆପଣାର ଥିଲା ଯେ ଆଖି ପିଛୁଳାକେ ପଲ୍ଲବୀ ବୁଲିକି ଚାହିଁଲା ପଛକୁ |ଦେଖିଲା ଧଳା ଫ୍ରକ ଟେ ପିନ୍ଧି ଛିଡା ହେଇଚି ଗୁଲୁଗୁଲିଆ ସୁନ୍ଦର ଛୋଟ ଝିଅଟେ |ତାକୁ ଦେଖି ଆଖି ରେ ମମତା ର ଅଶ୍ରୁ ଆସିଯାଉଥିଲେ ବି ତାକୁ ଚିନ୍ହିପାରୁନଥିଲା ପଲ୍ଲବୀ |ଚୁପ ହେଇ ଠିଆ ହେଇ ରହିଲା ପଲ୍ଲବୀ |
"ମୋତେ ଚିହିଁପାରୁନୁ କି ମାମା ?.. ମୁ ପରା ତୋରି ଝିଅ |ମୁଁ ତୋରି କୁନି ଝିଅ ଲୋ ମାମା |"
"ମୋ ଝିଅ ?"ଆଶ୍ଚର୍ଯ୍ୟ ହେଇ ପଚାରିଲା ପଲ୍ଲବୀ |
"ହଁ ଲୋ ମାମା |ତୋରି ଝିଅ |ତୋ ନିଜ ଝିଅ ମୁ |ତୁ ତୋ ବାହାଘର ଆଗରୁ ଯାହାକୁ 5ବର୍ଷ ତଳେ ପେଟରେ ଧରିଥିଲୁ ହେଲେ ଜନ୍ମ ଦେଇପାରିନଥିଲୁ ,ମୁ ସେଇ ଝିଅ |ଇଚ୍ଛା ନଥାଇ ବି ଅଜା ଆଇ, ଜେଜେ ବାପା ଜେଜେ ମାମା ଆଉ ଶେଷରେ ପାପା ଆସି ବାଧ୍ୟ କଲାରୁ ରାଜି ହେଇଯାଇଥିଲୁ ତୁ ମୋତେ ପେଟ ଭିତରୁ ହିଁ ମାରିଦେବାକୁ |ମୁ ମରିସାରିଛି ଲୋ ମାମା |ମୁ 5ବର୍ଷ ତଳୁତୋ ପେଟ ଭିତରେ ଅଣନିଶ୍ୱାସୀ ହେଇ ମରିସାରିଛି ଲୋ ମାମା |"
ଦୁଃଖ ଆଉ ଭୟ ମିଶା ଚାହାଣି ରେ ଅବାକ ହେଇ ଚାହିଁ ରହିଥାଏ ପଲ୍ଲବୀ |
ଝିଅଟି କହିବାକୁ ଲାଗିଲା, "ଜାଣିଚୁ ମାମା,ଯୋଉ ଦେବୀ ମା ଙ୍କ ପାଖରେ ତୁ ଦିନେ ମୋ ଲମ୍ବା ଆୟୁଷ ର ପ୍ରାଥନା କରିଥିଲୁ ସେଇ ଦେବୀ ମା ଙ୍କ ଆଶୀର୍ବାଦପାଇଁ ହିଁ ମୁ ମଲା ପରେ ବି ଦୁନିଆ ଛାଡି ଯାଇପାରିଲିନି |ଅତୃପ୍ତ ଅବସ୍ଥା ରେ ଚାରିଆଡେ ଘୁରି ବୁଲିଲି |ଆଉ ଶେଷରେ ସେଇ ଦେବୀ ମା ଙ୍କ ପାଖକୁ ଯାଇ କାନ୍ଦି କାନ୍ଦି ସବୁ କଥା କହିଲି |ଦେବୀ ମା ମୋ ଦୁଃଖ ଶୁଣି ମୋତେ ଆଶୀର୍ବାଦ ଦେଲେ ଆଉ ତାଙ୍କ ଆଶୀର୍ବାଦ ରୁ ଯୋଉମାନେ ମୋତେ ତୋଠୁ ଛଡେଇନେଇଥିଲେ ସେମାନଙ୍କୁ ବି ମୁ ତୋଠୁ ଛଡେଇ ଆଣିଲି |ଜଣକ ପରେ ଜଣକୁ କରି ସମସ୍ତଙ୍କୁ ମାରିଦେଲି | ପ୍ରଥମେ ଅଜା ଆଇ ତାପରେ ଜେଜେ ବାପା ଜେଜେ ମା ଆଉ ଶେଷରେ ପାପା ଙ୍କୁ ବି ତୋ ପାଖରୁ ଅଲଗା କରିଦେଲି |ତୁ ଜାଣିଚୁ ନା ?...ଏମାନେ ସବୁ ପାପୀ ଲୋ ମାମା |ମୋ ପରି ନିର୍ଦୋଷ ଶିଶୁ କନ୍ୟା କୁ କେତେ କଷ୍ଟ ଦେଇ ମାରିଦେଲେ |କହିଲେ କଣ ନା.. ବାହାଘର ଆଗରୁ ମୁ ଜନ୍ମ ହେଲେ ତାଙ୍କ ମାନସମ୍ମାନ ସବୁ ଚାଲିଯିବ, ଲୋକେ ଟାହି ଟାପରା କରିବେ...ସେମାନେ କୁଆଡେ ମୁଣ୍ଡ ଟେକି ବାଟ ଚାଲିପାରିବେନି |ଆଉ ଶେଷରେ କହିଲେ ମୁ କୁଆଡେ ଗୋଟେ ଭୁଲ ଆଉ ଗୋଟେ ପାପ ବୋଲି | ତୁ କହିଲୁ ମାମା,ଜଣେ ନିଷ୍ପାପ କୋମଳ ଶିଶୁ ର ଜୀବନ ଠୁ ନିଜ ତୁଚ୍ଛା ମାନ ସମ୍ମାନ କୁ ବେଶୀ ଜରୁରୀ ଭାବିବା ଭଳି ଏମିତିଆ ଘୃଣ୍ୟ ଆଉ ନୀଚ ଚିନ୍ତାଧାରା ରଖୁଥିବା ଲୋକଙ୍କୁ ମାରି ମୁ କଣ ଭୁଲ କରିଛି ?...ଆରେ ମୋର କଣ ଦୋଷ ଥିଲା ?..ମୁ କଣ ତୋତେ କହିଥିଲି ବାହାଘର ଆଗରୁ ମୋତେ ପେଟରେ ଧର ବୋଲି ?...ମୁ କଣ କହିଥିଲି ତୋତେ ଏ ଭୁଲ ଏ ପାପ କର ବୋଲି ?..ତାହେଲେ ମୋର ଭୁଲ ଥିଲା କଣ ଏଥିରେ ?..ମୋତେ ଏତେବଡ଼ ଦଣ୍ଡ ମିଳିଲା କାଇଁ ?କହ ମାମା କହ... ଜବାବ ଦେ ଲୋ ମୋତେ "
ପଲ୍ଲବୀ କଣ କହିବ କିଛି ବୁଝିପାରୁନଥାଏ |ଶେଷକୁ ଡରି ଡରି ଖାଲି ଏତିକି କହିଲା, "ତୁ ସେମାନଙ୍କୁ ମାରିଛୁ ?"
"ହଁ ଲୋ ମାମା, ମୁ ହିଁ ସେମାନଙ୍କୁ ମାରିଛି |ଆଉ ଜାଣିଚୁ ମାମା, ଖାଲି ସେତିକି ନୁହେ, ଯୋଉ ଡାକ୍ତର ଅଙ୍କଲ ପଇସା ଲୋଭରେ ମୋତେ ତୋ ପେଟ ଭିତରେ ଅଣନିଶ୍ୱାସୀ କରି ମାରିଦେଇଥିଲେ ତାଙ୍କୁ ବି ମୁ ଲିଫ୍ଟ ଭିତରେ ଅଣନିଶ୍ୱାସୀ କରି ମାରିଦେଇଛି |ସେ ବହୁତ ବଡ଼ ପାପୀ ଲୋ ମାମା |ସେ ମୋ ପରି ବହୁତ କୁନି ଶିଶୁ ଙ୍କୁ ତାଙ୍କ ମାମା ଠୁ ଅଲଗା କରିଦେଇଥିଲା |ଆଉ ସେ ବଂଚିଥିଲେ ଆହୁରି ବହୁତ କୁନିପିଲା ଙ୍କୁ ତାଙ୍କ ମାମା ପାଖରୁ ଅଲଗା କରିଦେଇଥାନ୍ତା |ସେଥିପାଇଁ ତାକୁ ମାରିଦେଲି ମୁଁ |ମୁଁ ଠିକ କରିଛି ନା ମାମା ?"
ଭୟରେ ଗୋଟା ସୁଦ୍ଧା ଥରିବାକୁ ଲାଗିଲା ପଲ୍ଲବୀ |
ଝିଅଟି ପୁଣି କହିବାକୁ ଲାଗିଲା, "ମାମାଲୋ ଦୁଃଖୀ ହୋନୀ କି ଜମା ଡରେନି |ମୁଁ ପରା ତୋରି ଝିଅଲୋ |ତୁ ଦୁଃଖୀ ହେଲେ ମୁଁ କେମିତି ସହିବି କହିଲୁ |ମୁଁ ଜାଣିଚି ମୋତେ ମାରିବାକୁ ତୋର ଟିକେ ବି ଇଚ୍ଛା ନଥିଲା କିନ୍ତୁ ତୁ ସେମାନଙ୍କ ଚାପ ରେ ବାଧ୍ୟ ଥିଲୁ ମୋତେ ମାରିବାକୁ | ମୁଁ ତୋତେ ମାରିନଥାନ୍ତି ଯେ କିନ୍ତୁ ସମସ୍ତେ ଚାଲିଗଲା ପରେ ତୁ ଏକୁଟିଆ ବହୁତ ଦୁଃଖୀ ହେଇଗଲୁ ଆଉ ତୋ ଦୁଃଖ ମୁଁ ସହିପାରିଲିନିଲୋ | ସେଥିପାଇଁ ବାଧ୍ୟ ହେଇ ତୋତେ ବି ମୁଁ ମୋ ପାଖକୁ ନେଇଆସିଲି |ମାମା ଲୋ ସତ କହିବାକୁ ଗଲେ ତୋର ବି ଟିକେ ଭୁଲ ରହିଯାଇଥିଲା |ତୁ ଚାହିଁଥିଲେ ମୋ ମୃତ୍ୟୁ କୁ ଅଟକେଇଦେଇଥାନ୍ତୁ |ତୁ ଚାହିଁଥିଲେ ତୋ ଜିଦି ଆଗରେ ସମସ୍ତଙ୍କୁ ନୂଆଇଁଦେଇଥାନ୍ତୁ |କିନ୍ତୁ ସେତେବେଳେ ତୁ ମୋ ଅପେକ୍ଷା ତୋ ପରିବାର ଲୋକଙ୍କୁ ବେଶୀ ଗୁରୁତ୍ୱ ଦେଲୁ |ସେମାନଙ୍କ କଥା କୁ ବେଶୀ ଗୁରୁତ୍ୱ ଦେଇ ସେମାନଙ୍କ ସମ୍ମାନ ବଜାୟ ରଖିବା ପାଇଁ ଶେଷରେ ମାରିଦେଲୁ ରେ ମାମା ତୁ ମୋତେ |ମାରିଦେଲୁ ତୁ ମୋତେ |ହଉ ଲୋ ମାମା ଛାଡେ ଯାହା ହେଲା ହେଲା ଆଉ ଦୁଃଖୀ ହୋନା ଏଥର |ତୋ ଝିଅକୁ ଦେଖି ଖୁସି ହେଇଜା ଟିକେ ହେଲା |ଡେରିରେ ହଉ ପଛେ ତୁ ତୋ କୁନି ଝିଅ କୁ ଦେଖିବାକୁ ପାଇଲୁ ତ ଆଉ |ନେ ମୋତେ ଟିକେ କୋଳେଇ ନେ ଲୋ ମାମା, ମୋତେ ଟିକେ ଗେଲ କରିଦେଲୋ ମାମା |ତୋ ପାଖକୁ ଟିକେ ନେ ମୋତେ.. ପ୍ଲିଜ ମାମା... ପ୍ଲିଜ..... "
"ତାମାନେ ମୁଁ କଣ... ?"ପଲ୍ଲବୀ ଭୟରେ ଆଉ ଆଗକୁ କିଛି କହିପାରିଲାନି |
"ହଁ ଲୋ ମାମା ତୁ ବି ମରିସାରିଛୁ |ଟିକେ ତଳକୁ ଚାହିଁଲୁ |"
ପଲ୍ଲବୀ ତଳକୁ ଚାହିଁଲା ଆଉ ଦେଖିଲା ନିଜ ଘର, ଘର ଭିତରେ ରୋଷେଇ ଘର ଆଉ ସେଇ ରୋଷେଇ ଘରେ ପଡିଛି ପଲ୍ଲବୀ ର ମୃତ ଦେହ ଆଉ ବି ପଡିଛି କିଛି ସମୟ ପୂର୍ବରୁ ବିଷ ମିଶା ଚା ଧାରଣ କରିଥିବା ଚା କପ ର ଭଗ୍ନାବଶେଷ |
ପଲ୍ଲବୀ ସେମିତି ଅବାକ ହେଇ ଚାହିଁରହିଥାଏ ତା ମୃତ ଦେହକୁ |
ଏତିକିବେଳେ କୁନି ଝିଅଟି ଧାଇଁ ଆସି ମାଡିବସିଲା ପଲ୍ଲବୀ କୁ ଆଉ କହିଲା, ମାମା... ଆଈ ଲଭ ୟୁ ମାମା....
ଗୋଟେ ଅପୂର୍ବ ଅନୁଭବ ପାଉଥିଲା ପଲ୍ଲବୀ | ବୁଝିପାରୁନଥିଲା ଝିଅଟିକୁ କୋଳେଇ ନେବ କି କଣ କରିବ |ତାପରେ ନିଜ ଅଜାଣତ ରେ ତା ହାତ ଦୁଇଟି ଝିଅଟିକୁ ଜାବୁଡି ଧରିବାକୁ ଲାଗିଲା |ଆଉ ମୁହୂର୍ତ୍ତକ ଭିତରେ ଧୂଆଁ ସଦୃଶ ହେଇ ଦୁହେଁ ଉଡିଗଲେ ଆକାଶ ର ବହୁତ ଉପରକୁ... କିଛି ସମୟ ପରେ ଆଉ ଦୃଶ୍ୟମାନ ହେଉନଥିଲେ କେହି କାହାକ|