Satyaranjan Mishra

Comedy

4.3  

Satyaranjan Mishra

Comedy

ଦାଢ଼ି

ଦାଢ଼ି

6 mins
135


...ପିଲାଦିନେ ରାଜୁ ପାଇଁ ପ୍ରିୟ ସ୍ଥାନ ଥିଲା ତା’ ଜେଜେଙ୍କ କୋଳ | କାରଣଟି ହେଲା ଜେଜେଙ୍କ କାନ, ନାକ, ପାଟି ସମେତ ଅର୍ଦ୍ଧାଧିକ ମୁଖମଣ୍ଡଳକୁ ସମ୍ପୂର୍ଣ ଆବୃତ୍ତ କରିଥିବା ସଫେଦ ରଙ୍ଗର ଆକର୍ଷଣୀୟ ଲମ୍ବା କୁଞ୍ଚୁକୁଞ୍ଚିଆ ଦାଢ଼ି | ନିଜ କୁନି କୁନି ହାତରେ ସେଇ ଦାଢ଼ିରେ ହାତ ମାରି ଖେଳି ବେଶ ଆନନ୍ଦ ପାଏ ରାଜୁ | ଜେଜେ ଯେତେବେଳେ ସେଇ ଦାଢ଼ିକୁ ରାଜୁ ମୁହଁରେ ଆସ୍ତେ କରି ଲଗେଇ ଟିକେ ଏପଟ ସେପଟ କରିଦିଅନ୍ତି ସେତେବେଳେ ସେ ଖିଲିଖିଲି ହେଇ ହସି ଉଠେ ଆଉ ତାର ସେଇ ହସ ଦେଖି ପରିବାର ଲୋକଙ୍କ ପେଟ ପୁରି ଉଠେ |


ପରିବାର କହିଲେ ପ୍ରଥମେ ଥିଲେ ରାଜୁକୁ ଛାଡି ତିନି ଜଣ ମଣିଷ | ବାପା, ବୋଉ ଓ ଜେଜେ | ରାଜୁ ଜନ୍ମର କିଛି ବର୍ଷ ଆଗରୁ ତା’ ଜେଜେମାଆ ଆରପରିକୁ ଚାଲିଯାଇଥିଲେ | ସେବେଠୁ ଜେଜେଙ୍କ ମନରେ ସଂସାର ପ୍ରତି ବୈରାଗ୍ୟ | ବିଶେଷ କରି ଚୁଟି ଆଉ ଦାଢ଼ି କାଟିବାକୁ ସେବେଠୁ ସେ ବିମୁଖ | ରାଜୁର ବାପା ତାଙ୍କୁ ଯେତେ ଯାହା କହିଲେ ବି ସେଥି ପ୍ରତି ତାଙ୍କର ତିଳେ ହେଲେ ଭ୍ରୂକ୍ଷେପ ନଥିଲା | ଦିନ ବେଳା ଘରେ ରହି ରାଜୁ ସହ ଖେଳିବା ଥିଲା ତାଙ୍କ ମୁଖ୍ୟ କାମ ତଥା ମନୋରଞ୍ଜନ | ସନ୍ଧ୍ୟାବେଳେ ଭାଗବତ ଟୁଙ୍ଗିରେ ଭଜନ, ଆଉ ରାତିରେ ସୋଟେ ଗଞ୍ଜେଇ ସେବନ କରି ଅଚିନ୍ତା ଶୟନ ଥିଲା ତାଙ୍କ ନିତିଦିନିଆ କର୍ମଜୀବନ |


ଗଞ୍ଜେଇ ସେବନ ଅଭ୍ୟାସର ପରିଣାମ ଏତେ ଖରାପ ହେଲା ଯେ, ରାଜୁକୁ ଯେତେବେଳେ ଚାରି ବର୍ଷ, ଜେଜେ ଚାଲିଗଲେ | ଆଉ ପରିବାର କହିଲେ ରହିଗଲେ କେବଳ ବାପା ବୋଉ ଏବଂ ରାଜୁ | ସେତେବେଳକୁ ରାଜୁର ହେତୁ ପାଇନଥାଏ | ସମୟ ସହ ତାଳ ଦେଇ ରାଜୁ ବଡ଼ ହେବାରେ ଲାଗିଲା ଏବଂ ଭୁଲିବାକୁ ଲାଗିଲା ଜେଜେଙ୍କ ସବୁ ସ୍ମୃତି | ଧୀରେ ଧୀରେ ସବୁ କିଛି ଭୁଲିଗଲା, କିନ୍ତୁ ଭୁଲି ପାରିଲା ନାହିଁ ଜେଜେଙ୍କ ସେଇ ଦାଢ଼ିକୁ |


ରାଜୁର ବାପା ସରକାରୀ ଚାକିରିଆ | ଦାଢ଼ି ରଖିବାକୁ ଆଦୌ ପସନ୍ଦ କରନ୍ତିନି | ରାଜୁ ଯେତେବେଳେ ବି ତାଙ୍କ ମରୁଭୂମି ପରି ଶୁଷ୍କ ଗାଲକୁ ଦେଖେ,ସେତେବେଳେ ସେ ମନେମନେ ଭାରି ଦୁଃଖୀ ହୁଏ | ବେଳେବେଳେ ସମ୍ଭାଳି ନପାରି ପଚାରିଦିଏ,


"ବାପା, ତୁମେ କାଇଁ ଦାଢ଼ି ରଖୁନ ?"


ସେଉଠୁ ବାପା ଉତ୍ତର ଦିଅନ୍ତି,


"ମୋତେ ଭଲ ଲାଗେନି ବୋଲି ମୁଁ ରଖେନି | ଦାଢ଼ି ରଖିଲେ ମୁହଁ ଅପରିଷ୍କାର ଦେଖାଯାଏ | ସିନେମାର ଗୁଣ୍ଡାଙ୍କ ଭଳି ମୋ ମୁହଁ ଦିଶେ | ଅନ୍ୟମାନଙ୍କ ମନରେ ଖରାପ ଭାବନା ଆସେ ଯେ ଦେଖ କେମିତି ଗୁଣ୍ଡା ଭଳିଆ ଦାଢ଼ି ରଖିଛି | ତେଣୁ ନିଜ ଶରୀର ତଥା ଚରିତ୍ରକୁ ସଫା ସୁତୁରା ରଖିବା ପାଇଁ ମୁଁ ଦାଢ଼ି ରଖେନି | ବୁଝିଲୁ ?"


କାହିଁକି କେଜାଣି, ବାପାଙ୍କ ଉତ୍ତର ରାଜୁ ମନକୁ ପାଏନି | ସେଉଠୁ ଓଲଟା ପଚାରେ,


"ବାପା, ମୋର କେବେ ଦାଢ଼ି ଉଠିବ ?"


ସେଉଠୁ ବାପା ହସିକି ଉତ୍ତର ଦିଅନ୍ତି,


"ତୁ ବଡ଼ ହେଇଯା, ତୋର ଉଠିବ "


ସେଉଠୁ ରାଜୁ ଉତ୍ସାହିତ ହେଇ ପୁଣି ପଚାରେ,


" ଜେଜେଙ୍କ ଭଳିଆ ଦାଢ଼ି ?"


ଛୋଟ ପିଲାଟାକୁ ବାଆଁରେଇ ଦେଇ ବାପା ଆଉ ଟିକେ ହସିକି କୁହନ୍ତି,


"ହଁ, ଜେଜେଙ୍କ ଭଳି ଦାଢ଼ି ଉଠିବ ତୋର " |


ତାପରେ ରାଜୁର ଆନନ୍ଦ କହିଲେ ନ ସରେ | ଚାତକ ଭଳିଆ ଅପେକ୍ଷା କରି ଚାହିଁ ରହିଥାଏ ଯେ ସେ କେବେ ବଡ଼ ହବ ଆଉ ତାର ତା’ ଜେଜେଙ୍କ ଭଳିଆ ବହୁତ ବଡ଼ ବଡ଼ ଦାଢ଼ି ହବ |


ରାଜୁ ଯେତେ ଯେତେ ବଡ଼ ହଉଥାଏ, ଦାଢ଼ି ପ୍ରତି ତାର ଆକର୍ଷଣ ସେତେ ସେତେ ବଢୁଥାଏ | ସେଲିବ୍ରିଟିଙ୍କ ଠାରୁ କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦାଢ଼ି ଉପରେ ଥାଏ ରାଜୁର ନଜର | ହେଲେ ମନେ ମନେ ସ୍ୱପ୍ନ ଦେଖୁଥାଏ, ମୋର ଏମିତିଆ ନୁହଁ ବରଂ ମୋର ମୋ ଜେଜେଙ୍କ ଭଳିଆ ଦାଢ଼ି ଉଠିବ | ହେଲେ ଦାଢ଼ି ଉଠିବା କି ସହଜ କଥା |


ପ୍ରାଇମେରୀ ସ୍କୁଲରୁ ଯାଇ ହାଇସ୍କୁଲ ସରିଲା ଆଉ ତାପରେ କଲେଜରେ ଯାଇ ଯୁକ୍ତ ଦୁଇ ପଢ଼ିଲା ହେଲେ ରାଜୁର ଦାଢ଼ି ଉଠିଲା ନାହିଁ | ତାର ସାଙ୍ଗ ଦୁଇ ଚାରିଜଣଙ୍କର ଦାଢ଼ି ଉଠିଲା, ତାଙ୍କ ମୁହଁ କେତେ ସୁନ୍ଦର ଆଉ ଷ୍ଟାଇଲିସ ଦିଶିଲା ଅଥଚ ରାଜୁ ଗାଲରେ ସେପର୍ଯ୍ୟନ୍ତ ଗୋଟେ ହେଲେ ଚୁଟି ଉଠିନଥିଲା | ସେଥିପାଇଁ ରାଜୁର ମନ ଭାରି ଦୁଃଖ |


ଦିନେ ଗୋଟେ ସାଙ୍ଗ ଠାରୁ ରାଜୁ ଶୁଣିବାକୁ ପାଇଲା ଯେ ଗାଲରେ ଖୁର କିମ୍ବା ବ୍ଲେଡ ଘଷିଲେ ଜଲଦି ଦାଢ଼ି ଉଠିବ ବୋଲି | କାଳେ ବାପା ବୋଉ ଦେଖିଲେ ପାଟି କରିବେ ବୋଲି ଦିନେ ଲୁଚି ଲୁଚି କବାଟ ଦେଇ ନିଜ ରୁମ ଭିତରେ ରାଜୁ ଗୋଟେ ବ୍ଲେଡରେ ନିଜ ଗାଲକୁ ଧୀରେ ଧୀରେ ରାମ୍ପିବାକୁ ଲାଗିଲା | ଗୋଟେ ଗୋଟେ ଜାଗାରେ ବ୍ଲେଡ ଧାର ବାଜି ଗାଲ କଟିଗଲା ହେଲେ ରାଜୁର ସେଥିପାଇଁ ତିଳେ ହେଲେ ମନ ଦୁଃଖ ନଥାଏ | ଓଲଟା ସେ ଖୁସି ଥାଏ ଯେ ଯାହା ହଉ ମୋର ଖୁବ ଶୀଘ୍ର ଦାଢ଼ି ଉଠିବ | ହେଲେ ଦୁର୍ଭାଗ୍ୟକୁ ସେ ଉପାୟ ମଧ୍ୟ ଫେଲ ମାରିଲା | ଚାହୁଁ ଚାହୁଁ ଯୁକ୍ତ ଦୁଇ ପାଠ୍ୟକ୍ରମର ଦୁଇ ବର୍ଷ ସରିଗଲା, କିନ୍ତୁ ରାଜୁର ଦାଢ଼ି ଉଠିବା ନାଆଁ ଧରିଲାନି |


ରାଜୁର ପ୍ରାୟ ସବୁ ସାଙ୍ଗଙ୍କର ଦାଢ଼ି ଉଠିଲା, ଏକା ତାର ଉଠିଲା ନାହିଁ | ସମସ୍ତେ ଦାଢ଼ି ରଖି କେତେ ଷ୍ଟାଇଲିସ ଆଉ ମ୍ୟାଚୁଅର ଦିଶୁଛନ୍ତି ହେଲେ ରାଜୁର ମୁହଁ ଏବେ ବି ଶୂନ୍ୟ | ସାଙ୍ଗମାନେ ଛୋଟଛୁଆଟା କହି ଥଟ୍ଟା କରିବାକୁ ବି ଆରମ୍ଭ କରିଦେଲେ | ରାଜୁର ଦୁଃଖ ସୀମା ଟପିଗଲା | ସକାଳେ ସନ୍ଧ୍ୟାରେ ନୀତି କାନ୍ଦି କାନ୍ଦି ଠାକୁରଙ୍କୁ ଡାକିଲା,


"ପ୍ରଭୁ ହେ ମୋର ଶୀଘ୍ର ଦାଢ଼ି ଉଠିବାର ବ୍ୟବସ୍ଥା କରନ୍ତୁ "|


ଆଉ ଶେଷରେ ଠାକୁର ତା’ ଡ଼ାକ ଶୁଣିଲେ |


ଯୁକ୍ତ ଦୁଇ ପରେ ରାଜୁ ଇଞ୍ଜିନିଅରିଂ କଲେଜରେ ନାମ ଲେଖାଇଲା | ଇଞ୍ଜିନିଅରିଂ ପ୍ରଥମ ବର୍ଷ ଆରମ୍ଭରୁ ରାଜୁ ଗାଲରେ ଉଠିଲା ଦାଢ଼ି | ପ୍ରଥମେ ପ୍ରଥମେ ତ ଛେଳି ଦାଢ଼ି ପରି କେବଳ ଓଠର ତଳ ଅଂଶରେ ଦାଢ଼ି ଉଠିଲା, ହେଲେ ଧୀରେ ଧୀରେ ତାହା ଉପରକୁ ଉପରକୁ ଲମ୍ବିଲା ଏବଂ ସମଗ୍ର ମୁଖ ମଣ୍ଡଳରେ ବିସ୍ତାର ଲାଭ କଲା |ଏଥର ରାଜୁର ଖୁସି କହିଲେ ନ ସରେ | ଯାହା ହଉ ଏତେ ଦିନେ ଠାକୁରେ ମୋ ଡ଼ାକ ଶୁଣିଲେ | ଖୁବ ଶୀଘ୍ର ଜେଜେଙ୍କ ପରି ଦାଢ଼ି ରଖିବା ସ୍ୱପ୍ନ ମୋର ପୂରଣ ହବ ଭାବି ରାଜୁ ଖୁସିରେ ବିଭୋର ହେଇ ଉଠୁଥାଏ | ହେଲେ ଭାଗ୍ୟର ବିଡମ୍ବନା, ରାଜୁ ଜୀବନରେ ଆସିଲା ଏକ ମୋଡ଼ ଯୋଉ କାରଣରୁ ରାଜୁର ସେ ସ୍ୱପ୍ନ ଏତେ ଶୀଘ୍ର ପୂରଣ ହେଇପାରିଲାନାହିଁ |


ଇଞ୍ଜିନିଅରିଂ ଦ୍ୱିତୀୟ ବର୍ଷ ଶେଷ ଆଡକୁ, ରାଜୁ ନିଜର ଏକ ସହପାଠିନୀ "ସୌମ୍ୟା" ସହ ପ୍ରେମରେ ପଡିଲା | ସୌମ୍ୟା ବହୁତ ସୁନ୍ଦରୀ ଏବଂ ଗୁଣବତୀ | ରାଜୁର ଟିକିନିଖି ଖବର ରଖିବା ସହ ସବୁବେଳେ ତାର ଯତ୍ନ ନିଏ | ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ଗଢିଉଠିଲା | କିନ୍ତୁ ରାଜୁ ଜାଣିନଥିଲା ଯେ ତାର ଏହି ସମ୍ପର୍କ ତା’ ସ୍ୱପ୍ନ ଦିଗରେ ସାରା ଜୀବନ ପାଇଁ ପ୍ରତିବନ୍ଧକ ସାଜିବ ବୋଲି | ସୌମ୍ୟାର ଏକମାତ୍ର ଜିଦି, ରାଜୁ ମୁହଁରେ ଏତେ ଦାଢ଼ି ରହିବନି, କିମ୍ବା ଦାଢ଼ି ମୂଳପୋଛ ମଧ୍ୟ ହବନି | ମୁହଁକୁ ସୁହେଇଲା ଭଳି ତଥା ମ୍ୟାଚୁଅର ଦିଶିଲା ଭଳି ଯେତିକି ଆବଶ୍ୟକମାନେ ଅଳ୍ପ ଟିକେ ଟିକେ ଦାଢ଼ି ରଖାଯିବ | ପ୍ରେମିକାର କଥା ନ ମାନି ଆଉ ରାଜୁ ଯାଏ କୁଆଡେ | ଖାଲି ସୌମ୍ୟା ନୁହଁ, ଘରେ ବାପା ବୋଉ ମଧ୍ୟ ସବୁବେଳେ ଗାଳି ଦେଉଥାନ୍ତି ଏହି ଦାଢ଼ି ବଢେଇବା ପାଇଁ | ଅନ୍ୟମାନେ ବି ଥଟ୍ଟାରେ କହୁଥାନ୍ତି, "କଣରେ ରାଜୁ.. ଏତେ ଦାଢ଼ି ରଖିଲୁଣି.. ବାବା ହବୁ କିରେ ?" ଏହିସବୁ କାରଣରୁ ଶେଷରେ ରାଜୁକୁ ତା’ ଦାଢ଼ି ଛୋଟ କରିବାକୁ ପଡିଲା | ନିଜେ ମନେମନେ ଦୁଃଖୀ ହେଉଥିଲେ ମଧ୍ୟ ଅନ୍ୟମାନଙ୍କ ଖୁସି ପାଇଁ ନିଜ ସ୍ୱପ୍ନକୁ ବଳି ଚଢ଼େଇଦେଲା ରାଜୁ |


ସମୟ ଗଡି ଚାଲିଲା | ରାଜୁ ଏକ ଘରୋଇ କମ୍ପାନୀରେ ଚାକିରୀ କଲା | ଘର ଲୋକଙ୍କ ସମ୍ମତିରେ ସୌମ୍ୟା ସହ ବିବାହ ମଧ୍ୟ କଲା | ସମସ୍ତଙ୍କ ଇଚ୍ଛାକୁ ସମ୍ମାନ ଦେଲା ଭଳି ତଥା କମ୍ପାନୀରେ ନିଜ ଚରିତ୍ରକୁ ସୁହେଇଲା ଭଳି ଦାଢ଼ି ରଖିଲା | ସବୁ କିଛି ଠିକଠାକ ଚାଲିଥିଲା | ଘରେ ଥିବା ଜେଜେଙ୍କ ଫୋଟୋ ଦେଖିବା ସମୟକୁ ଛାଡିଲେ ବାକି ସମୟରେ ନିଜ ଦାଢ଼ି ରଖିବା ସ୍ୱପ୍ନ କଥା ଭୁଲିଯାଉଥିଲା ରାଜୁ |


•••••••••••••••••••••••••••••••••••••••••••••••••••••

ଏବେ ପୁଣି ଆସିଛି ରାଜୁ ଜୀବନରେ ମୋଡ଼ | ତା’ ସ୍ୱପ୍ନ ପୂରଣ ପାଇଁ ଭଗବାନ ଦେଇଛନ୍ତି ଏକ ସୁଯୋଗ | ଦେଶ ତଥା ବିଶ୍ୱରେ ଆସିଛି କରୋନା ମହାମାରୀ | କମ୍ପାନୀ ବନ୍ଦ | ବଜାର ହେଇଛି ଲକଡାଉନ |ଆଉ ତାର ପ୍ରଭାବରେ ରାଜୁ ଘର ଥିବା ଗାଁର ସେଲୁନ ପନ୍ଦର ଦିନ ହେଲା ବନ୍ଦ | ତେଣୁ ଦାଢ଼ି କାଟିବାକୁ ରାଜୁକୁ ମିଳୁନି କୌଣସି ସୁବିଧା |

ପୂର୍ବତନ ପ୍ରେମିକା ତଥା ବର୍ତ୍ତମାନର ଧର୍ମପତ୍ନୀଙ୍କ ପ୍ରସ୍ତାବ ସତ୍ତ୍ୱେ ଅଧିକ ଦାମ ତଥା ବ୍ୟବହାର ଜାଣିନଥିବା ଆଳ ଦେଖେଇ ଏପର୍ଯ୍ୟନ୍ତ ଟ୍ରିମରଟାଏ କିଣିନି ରାଜୁ | ଘରେ ଅଛି ରାଜୁକୁ ନିର୍ବନ୍ଧ ସମୟରେ ନିଜ ଶଶୁରଙ୍କ ଠାରୁ ମିଳିଥିବା ରେଜର ସେଟ | ହେଲେ ରେଜରରେ କ୍ଲିନସେଭ କଲେ ସୌମ୍ୟାକୁ ଆଦୌ ଭଲ ଲାଗେନି |କାରଣ ହେଲା ଦାଢ଼ି ମୂଳ ପୋଛ କଲେ ରାଜୁର ମୁହଁ ଓଟ ପରି ଦିଶେ | ତେଣୁ ବାଧ୍ୟ ହେଇ ରାଜୁକୁ ଦାଢ଼ି ନ କାଟି ଓଲଟା ଦାଢ଼ି ବଢେଇବାକୁ ଅନୁମତି ଦେଇଛି ସୌମ୍ୟା | ଘରେ ବାପାବୋଉ ମଧ୍ୟ ସୌମ୍ୟାର ପସନ୍ଦ ଜାଣିଥିବାରୁ ରାଜୁକୁ କିଛି କହୁନାହାନ୍ତି |


ଏବେ ପନ୍ଦର ଦିନ ହବ ସେଲୁନ ଯିବାରୁ ବଂଚିତ ହେବା ଯୋଗୁଁ ରାଜୁର ମୁଖ ମଣ୍ଡଳରେ ଦାଢ଼ି, ବରଗଛ ଶାଖା ପରି ତୀବ୍ର ବେଗରେ ବିସ୍ତୃତି ଲାଭ କରିଛି | ଖୁବ ଶୀଘ୍ର ରାଜୁର ସମ୍ପୂର୍ଣ୍ଣ ମୁଖମଣ୍ଡଳ ଘଞ୍ଚ କଳା ମଚମଚ ଦାଢ଼ିରେ ପୁରିଉଠିଛି | ଖୁସିରେ ଆତ୍ମବିଭୋର ହେଇ ଉଠିଛି ରାଜୁ | ଯେବେ ବି ରାଜୁ ନିଜ ଜେଜେଙ୍କ ଫୋଟୋରେ ପ୍ରତିଫଳିତ ନିଜ ମୁହଁକୁ ଦେଖୁଚି ସେତେବେଳେ ସେ ଅବର୍ଣ୍ଣନୀୟ ଆନନ୍ଦ ପାଉଛି |


କିନ୍ତୁ ଦୁଃଖର କଥା ଏଇଆ ଯେ,ରାଜୁର ଏତେ ଦିନର ସ୍ୱପ୍ନ ପୂରଣ ହବାକୁ ଅର୍ଥାତ ଜେଜେଙ୍କ ପରି ଲମ୍ବା ଦାଢ଼ି ହବାକୁ ରାଜୁକୁ ଆହୁରି ବହୁତ ଦିନ ସମୟ ଦରକାର ହେଲେ ଏହା ମଧ୍ୟ ରାଜୁକୁ ଅଛପା ନାହିଁ ଯେ ଲକ ଡାଉନ ସରିବା କ୍ଷଣି ପତ୍ନୀଙ୍କ ଆଜ୍ଞାରେ ତାକୁ ବାଧ୍ୟ ହେଇ ତା’ ମନପସନ୍ଦ ଦାଢ଼ିର ବଳି ଚଢେଇବାକୁ ପଡିବ |ତେଣୁ ସେ ଯେତିକି ଖୁସି ସେତିକି ଦୁଃଖୀ ମଧ୍ୟ ହଉଚି | ବିଚରା ଏବେ ଖାଲି ମନେମନେ ଠାକୁରଙ୍କୁ ଡାକୁଛି , " ହେ ପ୍ରଭୁ, ଏ ଲକ ଡାଉନ ସରିବା ପରେ ଯାହା ହଉଚି ହଉ ପଛେ, ଆମ ପ୍ରଧାନମନ୍ତ୍ରୀ ସେଲୁନ ଖୋଲା ରଖିବାକୁ ଅନୁମତି ନ ଦିଅନ୍ତୁ "|


ଦେଖାଯାଉ ରାଜୁର ଡ଼ାକ ଠାକୁରେ ଶୁଣୁଛନ୍ତି କି ନାହିଁ |


(ଏହା ଏକ ମନୋରଞ୍ଜନ ଧର୍ମୀ ବ୍ୟଙ୍ଗାତ୍ମକ ଲଘୁଗଳ୍ପ , କାହା ମନୋଭାବକୁ କୌଣସି ପ୍ରକାରେ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ | ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ମାନସିକ ସ୍ଥିରତା ବଜାୟ ରଖନ୍ତୁ, ଏହା ହିଁ ମୋର ଅନୁରୋଧ | ପରିବାର ସହ ଘରେ ରୁହନ୍ତୁ ତଥା ସୁସ୍ଥ ଓ ସୁରକ୍ଷିତ ରୁହନ୍ତୁ | ଜୟ ଜଗନ୍ନାଥ)



Rate this content
Log in

Similar oriya story from Comedy