ରଜ ଡ୍ରେସ
ରଜ ଡ୍ରେସ
ଏ ବର୍ଷ ପହିଲି ରଜରେ ସୁମିତର ମନ ବହୁତ ଦୁଃଖ ହେଇଥିଲା । ଦୁଃଖ ତ ସବୁ ବର୍ଷ ହୁଏ।କାରଣ ଟା ହେଲା ତା ବାପା ତା ପାଇଁ ରଜରେ ନୂଆ ଡ୍ରେସ କରନ୍ତିନି ।କୋଉବର୍ଷ କରନ୍ତି କୋଉ ବର୍ଷ କରନ୍ତିନି ।ସୁମିତର ବାପା ଗରିବ ଶ୍ରେଣୀର ଲୋକ । ସୁମିତ ତାଙ୍କର ଗୋଟେ ବୋଲି ପୁଅ ।ଭଲପାଠ ପଢେ ।ଏ ବର୍ଷ ସେ ମାଟ୍ରିକ ପରୀକ୍ଷାରେ 91ପ୍ରତିଶତ ମାର୍କ ରଖିଥିଲା ।ସେଥିପାଇଁ ତା ବାପା ବହୁତ ଖୁସି ହୋଇଯାଇଥିଲେ।କିନ୍ତୁ ସୁମିତ ଖୁସି ହେଇ ପାରିନଥିଲା କାରଣ ସେ ଭାବିଥିଲା ଯେ ଏଥର ରଜରେ ବାପା ଯେମିତି ବି ହଉ ନୂଆ ଡ୍ରେସ ଆଣିବେ ।କିନ୍ତୁ ସେମିତିକିଛି ନଘଟିବାରୁ ତା ମନ ଅତିଶୟ ଦୁଃଖ ହେଇଗଲା ।
ପହିଲି ରଜ ଦିନ ସକାଳୁ ସୁମିତ ମନଦୁଃଖରେ ବସି ବହୁତ କଥା ଭାବୁଥାଏ ।ସୁମିତ ଅବାଧ୍ୟ ପିଲା ନୁହେ କି ସେ କେବେ ତା ବାପାଙ୍କ ପାଖରେ ଜିଦି କରିନି । କାରଣ ସେ ବି ନିଜ ବାପାଙ୍କ ପରିସ୍ଥିତି ଵୁଝିଛି । ହେଲେ ଏଥର ସେ କିଛି ବୁଝି ପାରୁନଥାଏ । ସୁମିତର ସାଙ୍ଗ ଅନିଲର ବାପା ବି ବହୁତ ଗରିବ ହେଲେ ମଧ୍ୟ ଅନିଲ 84 ପ୍ରତିଶତ ମାର୍କ ରଖିଥିବା ଖୁସିରେ ତା ପାଇଁ ନୂଆ ଡ୍ରେସ ସହ ନୂଆ ଜୋତା ନୂଆ କଲେଜ ବ୍ୟାଗ ସବୁ ଆଣିଛନ୍ତି ।ଏକଥା ଅନିଲ ବି ଖୁସିରେ ସମସ୍ତଙ୍କୁ କହି ହଉଥିଲା ।ହେଲେ ସୁମିତ ବିଚରାକାହାକୁ କିଛିିପାରୁନଥିଲା ।ନିଜ ପୁରୁଣା ଡ୍ରେସ ପିନ୍ଧି ସୁମିତ ଏ ବର୍ଷ ରଜକୁ ଯେନତେନ ପାଳନ କଲା ।ମନେମନେ ବାପାଙ୍କ ଉପରେ ବି ଟିକେ ରାଗିଲା।
ଆ ଭିତରେ ଗୋଟେ ସପ୍ତାହ ବିତିଗଲା ।ସୁମିତର ରେଭେନଶା କଲେଜରେ +2 ରେ ନାମ ଲେଖା ହେଇଗଲା ।ଆଡ଼ମିସନ ପରଦିନ ସକାଳେ ସୁମିତ ଶୁଣିବାକୁ ପାଇଲା ଅନିଲର ବାପା ଆସି ତା ବାପାଙ୍କୁ କହୁଛନ୍ତି&
nbsp;କି ଭାଇ ଅନିଲର କଲେଜରେ ନାଁ ଲେଖା ହବ ।ଆଉ ସେଥିପାଇଁ 4000 ଟଙ୍କା ଦରକାର । ମୁଁ ଅନିଲର ରଜ ଡ୍ରେସ ଆଣିବାରେ 3000ଟଙ୍କା ଖର୍ଚ୍ଚ କରିଦେଲି । ଏବେ ତାର ଆଡ଼ମିସନ ପାଇଁ ମୋ ପାଖରେ ପଇସା ନାହିଁ । ଭାଇ ଦୟା କରି କିଛି ସାହାଯ୍ୟ କର ନହେଲେ ମୋ ପୁଅ ଜୀବନ ନଷ୍ଟ ହେଇଯିବ ।
ଏହା ଶୁଣି ସୁମିତର ବାପା ତାଙ୍କୁ କହିଲେ କି ହଉ ଭାଇ ମୋର ଯେତିକି କ୍ଷମତା ମୁଁ ସେତିକି ସାହାଯ୍ୟ କରି ପାରିବି ।ସୁମିତର ରଜ ଡ୍ରେସ ନକରି ମୁଁ କିଛି ଟଙ୍କା ରଖିଥିଲି ।ତାର ଆଡ଼ମିସନ ପରେ ଆଉ କିଛି ଟଙ୍କା ବଳିଥିଲା । ରଥଯାତ୍ରାରେ ସୁମିତର ଜନ୍ମ ଦିନ ।ଭାବିଥିଲି ସେଦିନ ତା ପାଇଁ ଗୋଟେ ନୂଆ ଡ୍ରେସ ଆଣିଥାନ୍ତି । କିନ୍ତୁ ତୁମେ ଯଦି କହୁଚ ତାହେଲେ ସେ ପଇସାକୁ ତୁମେ ନେଇଯାଅ ।ଡ୍ରେସ ତ କେବେ ବି ହେଇ ପାରିବ ହେଲେ ପୁଅର କ୍ୟାରିଅର ବେଶୀ ଜରୁରୀ ।ତୁମେ ବ୍ୟସ୍ତ ହୁଅନି ମୋ ପୁଅ ସୁମିତ ବହୁତ ବୁଝିବା ପିଲା । ତା ଡ୍ରେସ ନହେଲେ ବି ସେ ମନ ଦୁଃଖ କରିବନି । କାରଣ ସେ ତା ବାପାକୁ ଠିକ ସେ ଜାଣିଚି ଆଉ ସେ କେବେ ବି ତା ବାପା ଉପରେ ରାଗି ପାରିବନି । ଏହା କହି ସୁମିତର ବାପା ଅନିଲର ବାପାଙ୍କୁ 2000 ଟଙ୍କା ଦେଲେ ।ଅନିଲର ବାପା ହାତ ଯୋଡି ବହୁତ ବହୁତ ଧନ୍ୟବାଦ କହିକି ଆଉ ଜଣକ ଘରକୁ ସାହାଯ୍ୟ ପାଇଁ ଗଲେ ।
କାନ୍ଥ ପଛରେ ଏ ସବୁ କଥା ଶୁଣୁଥିବା ସୁମିତ ଭୋ ଭୋ ହେଇ କାନ୍ଦି ପକେଇଲା । କିନ୍ତୁ ଏଥର ତା ମନରେ ରାଗ ନଥିଲା ।ଥିଲା ତ କେବଳ ନିଜ ବାପାଙ୍କୁ ଭୁଲ ବୁଝିବାର ଅନୁତାପ ।