Satyaranjan Mishra

Tragedy Romance

5.0  

Satyaranjan Mishra

Tragedy Romance

ବୀରା

ବୀରା

10 mins
395


ଏହା ହଉଛି ମାତ୍ର ଚାରିଟା ଦିନ ତିଷ୍ଠିଥିବା ଗୋଟେ ଛୋଟ ପ୍ରେମ କାହାଣୀ ଯୋଉଥିରେ କେବଳ ଦୁଇଜଣ ହିଁ ଚରିତ୍ର ଅଛନ୍ତି ଜଣେ ନାୟକ ଆଉ ଜଣେ ନାୟିକା । ନାୟକଙ୍କ ନାମ ହେଲା ବୁନୁ, ଆଉ ନାୟିକାଙ୍କ ନାମ ହେଲା "ବୀରା "

  ନାୟିକା ଙ୍କର ଏମିତିଆ ଅଦ୍ଭୁତ ନାଁ ଶୁଣି ଆଶ୍ଚର୍ଯ୍ୟ ହବା ସ୍ୱାଭାବିକ । କିନ୍ତୁ ବୁନୁ କୁହେ ଏ ବୀରା ଶବ୍ଦ ର ଅର୍ଥ କୁଆଡେ ଭଉଣୀ । ସେ ଅର୍ଥ ଯାହା ହଉନା କାହିଁକି ଚାଲନ୍ତୁ କାହାଣୀ ଶୁଣିବା । ତେବେ କାହାଣୀ ଆରମ୍ଭ ପୂର୍ବରୁ ଜାଣିବା ଏଇ କାହାଣୀର ନାୟକ ବୁନୁ ବିଷୟରେ କିଛି କଥା ।

  ଲକ୍ଷେ ଶିବ ପୁଜି ବୁନୁର ବାପା ମା ବାହାଘରର ପନ୍ଦର ବର୍ଷ ପରେ ତିନି ଝିଅଙ୍କ ଜନ୍ମ ପରେ ପୁଅଟିଏ ପାଇଲେ । ସାବିତ୍ରୀ ଅମାବାସ୍ୟା ରେ ଜନ୍ମ ହେଇଥିବାରୁ ନାମ ଦେଲେ ସତ୍ୟବାନ । ହେଲେ କିଛି ଖଳ ଲୋକ କହିଲେ ଉଆଁସ ପୁଅ ଧୃତରାଷ୍ଟ୍ର । ଏକଥା ଶୁଣି ପିତାମାତାଙ୍କ ମନ ଦୁଃଖ ହବା ସ୍ୱାଭାବିକ । ଆଉ ସେକଥାକୁ ସତ କଲା ଭଳି ଜନ୍ମ ର ଛ ମାସ ପରେ ପୁଅଟିକୁ ଘାରିଲା ନିମୋନିଆ ବେମାରୀ ଯୋଉଥିରେ କି ଜଗନ୍ନାଥଙ୍କ ଆଶୀର୍ବାଦରୁ ପିଲାଟି ବଞ୍ଚିଗଲା ସିନା କିନ୍ତୁ ତା ଶରୀର ଏକଦମ ଦୁର୍ବଳ ହେଇଗଲା ଆଉ ଓଜନ ବଢ଼ିଲା ନାହିଁ ।


 ଶାରୀରିକ ଦୁର୍ବଳତା ଯୋଗୁ ବହୁତ ଲୋକ ତାକୁ ଟାହି ଟାପରା କରନ୍ତି । ଆଉ ସେଥିପାଇଁ ପିଲାଟି ବାହାରେ କାହା ସହ ମିଶେନି ଖାଲି ନିଜ ଭଉଣୀ ମାନଙ୍କ ସହ ମିଶେ । କଥାରେ ଅଛି ଭଗବାନ ଏଣୁ ନଦେଇ ତେଣୁ ଦେଇଥାନ୍ତି । ପ୍ରଭୁ ଜଗନ୍ନାଥ ବୁନୁକୁ ଭଲ ଶରୀର ସିନା ଦେଇନଥିଲେ କିନ୍ତୁ ଅସରନ୍ତି ଗୁଣର ଭଣ୍ଡାର ପ୍ରଦାନ କରିଥିଲେ । ସେ ପିଲାଟିକୁ ଯିଏ ଦେଖୁଥିଲେ ଆଶ୍ଚର୍ଯ୍ୟ ହଉଥିଲେ କାରଣ ଛୋଟ ବେଳେ ତାର ସ୍ମୃତି ଶକ୍ତି ପ୍ରଖର ଥିଲା । ବହି ପଢିବାକୁ ତାକୁ ଭଲ ଲାଗୁଥିଲା । ସେ କବିତା ଲେଖେ ଚିତ୍ର ଅଙ୍କେ ଆଉ ଭଲ ତବଲା ବି ବଜେଇପାରେ । ସବୁ ଶ୍ରେଣୀରେ ପ୍ରଥମ ହୁଏ । ତା ବ୍ୟବହାର ଆଉ ଭଦ୍ରାମି ପାଇଁ ସେ ସବୁବେଳେ ସମସ୍ତଙ୍କର ପ୍ରିୟ ଭାଜନ ହେଇଥାଏ । କିନ୍ତୁ, ତା ମନରେ ସବୁବେଳେ ଗୋଟେ ଦୁଃଖ ଥାଏ କି ତାର କେହି ସାଙ୍ଗ ସାଥି ନଥାନ୍ତି । ତାର ସବୁ ଗୁଣ ତା ସାଙ୍ଗ ସାଥୀଙ୍କୁ ଭଲ ଲାଗେନି । ବୁନୁ ଜୋରରେ ଦୌଡ଼ି ପାରେନି ବୋଲି ତା ସାଙ୍ଗ ମାନେ ତାକୁ ସାଙ୍ଗରେ ଖେଳନ୍ତି ନାହିଁ । ବୁନୁର ବହୁତ ମନ ଦୁଃଖ ହୁଏ । ସେ ଏକୁଟିଆ ବସି ସବୁ ପିଲାଙ୍କ ଖେଳ ଦେଖେ ସେଇଥିରେ ଖୁସି ହୁଏ ଆଉ ତାଳି ମାରେ । ବେଳେବେଳେ ଦୁଖୀ ହୁଏ ଆଉ କାନ୍ଦେ ବି କିନ୍ତୁ କେହି ଯେମିତି ନଦେଖିବେ ସେଥିପାଇଁ ଏକୁଟିଆ ଜଗନ୍ନାଥ ଙ୍କ ପାଖରେ ଯାଇ କାନ୍ଦେ । ଭଗବାନ ଙ୍କୁ ସାଙ୍ଗ ଟିଏ ପାଇଁ ଅନୁରୋଧ କରେ । ଭଉଣୀମାନେ ତା ସହ ଯେତେ ମିଶିଲେ ବି ସେମାନେ ତା ମନ କଥା ଜାଣିପାରନ୍ତିନି କାରଣ ସେମାନଙ୍କ ବୟସ ବୁନୁ ଠାରୁ ବହୁତ ଅଧିକ ଆଉ ସେମାନେ ବି ନିଜ କାମରେ ବ୍ୟସ୍ତ ଥାନ୍ତି ।


  ବୁନୁ cricket ଖେଳିବାକୁ ପସନ୍ଦ କରେ କିନ୍ତୁ ଖେଳିବାକୁ ତା ସହ କେହି ନଥିଲେ । ସେ ଗୀତ ଗାଇବାକୁ ପସନ୍ଦ କରେ କିନ୍ତୁ ତା ଗୀତ ଶୁଣି ପ୍ରଶଂସା କରିବାକୁ କେହି ନଥିଲେ । ସେ ଭଲ ଫୋଟୋ ଉଠେଇପାରେ କିନ୍ତୁ ତା ଫୋଟୋ ସେ କାହାକୁ ଶେୟାର କରିପାରେନାହିଁ ।  ଶେଷକୁ ସେ କବିତା ଲେଖିବାକୁ ଲାଗିଲା । ଆଉ ସେ କବିତାକୁ ଯେମିତି ସମସ୍ତେ ପଢିକି ଖୁସି ହେବେ ସେଥିପାଇଁ ସେ ତାକୁ ଫେସବୁକରେ ପୋଷ୍ଟ କଲା । କିନ୍ତୁ ଫଳାଫଳ ଓଲଟା ହେଲା । କିଛି ଲୋକ ପ୍ରଶଂସା କଲେ ସିନା ତା ଠାରୁ ସହେଗୁଣା ଗାଳି, ଲୋକହସା ଆଉ ଥଟ୍ଟା ତମାଶା ଶୁଣିବାକୁ ପାଇଲା ସେ । କିଛି ଲୋକ କହିଲେ ପାଠ ପଢ଼, ଭବିଷ୍ୟତ ଗଢ଼, ଏ ଆଡୁ ସାଡୁ ଲେଖା ଲେଖିରେ ମୁଣ୍ଡ ପୁରାନା । ଆଉ କିଛି ଲୋକ କହିଲେ ତୋ ମୁଣ୍ଡ ଖରାପ ହେଇଗଲାଣି ତୁ କଣ କରୁଛୁ ତୁ ନିଜେ ବି ଜାଣିପାରିନୁ ଆଉ କିଛି ଲୋକ ଥଟା କରି କହିଲେ ଦେଖରେ କବି ସମ୍ରାଟ ଯାଉଛନ୍ତି...... ଇତ୍ୟାଦି 


 ବୁନୁର ଟିକେ ଖରାପ ଅଭ୍ୟାସ ସେ ଟିକେ ଟିକେ କଥାରେ ରାଗିଯାଏ । ବହୁତ ଚିଡଚିଡା ସେ । ଆଉ ଲୋକ ଆଉ ତା ସାଙ୍ଗ ସାଥିଙ୍କ ଏପରି କଥା ସେ ସହିବ କେମିତି ?ସେଥିପାଇଁ ସେ ନିଷ୍ପତ୍ତି ନେଲା ଆଉ ସେ ଲେଖାଲେଖି କରିବନି । ଆଉ ସମସ୍ତଙ୍କୁ ଜଣାଇବା ପାଇଁ ସେ ଫେସବୂକ ରେ ଗୋଟେ ପୋଷ୍ଟ କଲା । ଭିନ୍ନ ଭିନ୍ନ ଲୋକ ବିଭିନ୍ନ ମନ୍ତବ୍ୟ ଦେଲେ କିନ୍ତୁ ବୁନୁକୁ ତା ଭିତରେ ଆକୃଷ୍ଟ କଲା ଗୋଟେ ଝିଅର ସୁନ୍ଦର ମତାମତ । ବୁନୁ କୌତୁହଳି ହେଈ ଉଠିଲା ।


 ଫେସବୁକ ରେ ତା ପ୍ରୋଫାଇଲ ଚେକ କଲା ଆଉ ଦେଖିଲା କି ତାରି ବୟସର ଝିଅଟିଏ ଆଉ ପାଇଲା ବହୁତ ସାରା ଲେଖା ଆଉ କବିତା । ସେ ଗୋଟି ଗୋଟି କରି ସବୁ କବିତା ପଢିବାକୁ ଲାଗିଲା । ସେ କବିତା ଗୁଡିକରେ ଥିଲା ପୋଷା ଜନ୍ତୁ ଆଉ ଗଛ ଲତାଙ୍କ କରୁଣ ଦୁଃଖ । ବୁନୁକୁ ଲାଗିଲା ଯେମିତି ସେ ଖୋଜୁଥିବା ମଣିଷ ମିଳିଗଲା । ଯିଏ ତା ପୋଷା ବିଲେଇ ପାଇଁ ଏତେ ମନ ଦୁଃଖ କରି କବିତା ଲେଖିପାରୁଛି ସେ ଗୋଟେ ମଣିଷର ଦୁଃଖ ନିଶ୍ଚୟ ବୁଝିପାରିବ । ତାପରେ ବୁନୁ ସେ ଝିଅ ସହ କଥା ହବାକୁ ଚାହିଁଲା ।


 କିନ୍ତୁ କେମିତି ହବ କଣ କହିବ ଜାଣିପାରୁନଥିଲା । ହାଏ କହିବ ନା ନମସ୍କାର କରିବ କି କଣ କରିବ କିଛି ଜାଣିପାରୁନଥାଏ । ଆଉ ତାପରେ ଭାବିଲା କି ମୁଁ ତ ଭଗବାନ ଙ୍କୁ ଭଉଣୀ ଟିଏ ମାଗିଥିଲି । ଏ ନିଶ୍ଚୟ ସେଇ ଭଉଣୀ । ତେଣୁ ତାକୁ ଭଉଣୀ ଡାକିବା ଠିକ ହବ । ଆଉ ଭଉଣୀ ଡାକିବା ଦ୍ୱାରା ସେ ବି ମୋତେ ଭାଇ ବୋଲି ଭାବି ମୋ ସହ ମନଖୋଲି କଥା ହବ ଆଉ ମୋ ମନ କଥା ଜାଣିପାରିବ । ଆଉ ଏଇଆ ଭାବି ବୁନୁ ସେ ଝିଅ ପାଖକୁ ପଠେଇଲା, "ଭଉଣୀ, ନମସ୍କାର "

ଖୁବଶୀଘ୍ର ସେପଟୁ ଉତ୍ତର ଆସିଲା, "ହଁ, ସାନଭାଇ "


ଏପରି ଭଉଣୀ ନମସ୍କାର ଯିଏ କହିବ ଯିଏ ନାଇଁ ସିଏ ଭାବିବ କି ସାମ୍ନାରେ ମୋଠାରୁ ସାନ କେହିଜଣେ ଅଛି ।

ବୁନୁ ଏମିତିଆ ଉତ୍ତର ରେ ଆଶ୍ଚର୍ଯ୍ୟ ହେଲା କିନ୍ତୁ ତାକୁ ଚଲେଇଦେଇ ଆଗକୁ କଥା ବଢ଼େଇଲା । ଦିଜଣ କବିତା କୁ ନେଇ ବହୁତ କଥା ଆଲୋଚନା କଲେ । ତାପରେ ଝିଅଟି ବୁନୁର ବ୍ୟକ୍ତିଗତ ଆଉ ପରିବାର ବିଷୟରେ କଥା ହେଲା । ବୁନୁ ବି ସବୁ କିଛି ତାକୁ କହିଲା । ଧୀରେ ଧୀରେ ଦିଜଣ ଦିଜଣଙ୍କର ବହୁତନିଜର ହେଇଗଲେ ।


ବୁନୁ ସିନା ବୀରାର ମୁହଁକୁ ଦେଖିନଥିଲା କିନ୍ତୁ ତା କଥାବାର୍ତ୍ତା ଆଉ କବିତାରୁ ତା ହୃଦୟର ସୌନ୍ଦର୍ଯ୍ୟକୁ ଦେଖିପାରୁଥିଲା । ଦିଜଣ ଯାକ ଦ୍ଵିତୀୟ ଦିନରେ ବହୁତ ସାରା କଥା ହେଲେ । ବୁନୁ ବୀରାର କବିତା ପଢିକି ବହୁତ ଖୁସି ହେଇଯାଏ କାରଣ ବୀରା ନିଜ କବିତାରେ ଯେଉଁ ସୁନ୍ଦର ସୁନ୍ଦର ଶବ୍ଦ ବ୍ୟବହାର କରୁଥାଏ ସେ ଶବ୍ଦ ବୁନୁର କବିତାରେ ନଥାଏ । ତେଣୁ, ବୁନୁ ବୀରା ଠାରୁ ବହୁତ କିଛି ଶିଖୁଥାଏ । ବୀରା ବି ନିସଂକୋଚରେ ବୁନୁକୁ ସବୁ କହୁଥାଏ । ତା ସହିତ ବୁନୁ କଣ ଖାଇଛି କଣ କରୁଛି ତାର କଣ ପସନ୍ଦ ନାପସନ୍ଦ ତାର ବ୍ୟକ୍ତିଗତ ଜୀବନ ବିଷୟରେ ବି ବୁଝୁଥାଏ । ବୁନୁ ସହ ତା ଜୀବନରେ କେହି କେବେ ଏମିତି କଥା ହେଇନଥିଲେ । ତେଣୁ ବୁନୁ ଧୀରେ ଧୀରେ ବୀରା ଆଡକୁ ଆକର୍ଷିତ ହେଉଥାଏ । ଦ୍ଵିତୀୟ ଦିନ ସନ୍ଧ୍ୟାରେ ବୁନୁ ବିରାର କିଛି ଶବ୍ଦ ବ୍ୟବହାର କରି ଏକ କବିତା ଫେସବୁକ ରେ ପୋଷ୍ଟ କଲା ଆଉ ସେଦିନ ବହୁତ ସାରା ଲୋକ ସେ କବିତା କୁ ପସନ୍ଦ କଲେ । ବହୁତ ସୁନ୍ଦର ସୁନ୍ଦର ମତାମତ ବି ମିଳିଲା ଆଉ ସେସବୁ ଦେଖି ବୁନୁ ବହୁତ ଖୁସି ହେଇଗଲା । ଏ ସବୁ କେବଳ ବୀରା ପାଇଁ ସମ୍ଭବ ହେଇଚି ବୋଲି ସେ ଭାବିଲା ଆଉ ବିରାର ଆହୁରି ନିକଟ ତର ହବାକୁ ଲାଗିଲା । ଦିଜଣ ଯାକ ରାତି ବାର ଟା ପର୍ଯ୍ୟନ୍ତକଥା ହେଲେ । ବୀରା ବି ମନ ଖୋଲି ବୁନୁ ସହ କଥା ହଉଥାଏ । ବୁନୁକୁ ସେ ବହୁତ ନିଜର ଭାବୁଥାଏ । ଖାଲି ଫରକ ଏତିକି ଥିଲା ଯେ ବୀରା ବୁନୁକୁ ନିଜ ସାନ ଭାଇ ବୋଲି ଭାବୁଥାଏ । ବୁନୁ ସେଦିନ ରାତିଯାକ କେବଳ ବୀରା କଥା ହିଁ ଭାବୁଥାଏ । ଆଉ ଭାବୁ ଭାବୁ ସେ କେତେବେଳେ ଵୀରାକୁ ଭଉଣୀର ସମ୍ପର୍କରୁ କାଢି ଆଉ ଏକ ନୁଆ ସମ୍ପର୍କରେ ଯୋଡ଼ିଦେଲା ସେ ନିଜେ ବି ଜାଣିପାରିଲାନି ।


ମୁଁ ଜାଣିନି ବୁନୁ ଠିକ କଲା କି ଭୁଲ କଲା ଖାଲି ଏତିକି ଜାଣିଛି ସେ କେବେ ଗୋଟେ ଭଉଣୀ ଖୋଜୁନଥିଲା ସେ ତ ଗୋଟେ ସାଥି ଖୋଜୁଥିଲା । ଭଉଣୀ ଖୋଜିବା ତା ପାଇଁ ବାଧ୍ୟବଧକତା ଥିଲା । ଯଦିଓ ସେ କେବେ ବୀରାକୁ ଦେଖିନଥିଲା ତଥାପି ବୀରାର ସୁନ୍ଦର ସୁନ୍ଦର ଶବ୍ଦ ଆଉ ତା "ର"ଅକ୍ଷର ଲେଖିବା ଶୈଳୀ (ବୀରା "ର " ର ଲାଞ୍ଜ ଟିକୁ ଟିକେ ବଢେଇକରି ସୁନ୍ଦର ଭାବେ ଲେଖେ )ରୁ ସେ ନିଜ ମନ ଭିତରେ ଗୋଟେ କାଳ୍ପନିକ ଚେହେରା ଆଙ୍କି ପାରୁଥିଲା । ସେ ଚେହେରା କଥା ଭାବି ସେ ସେଦିନ ରାତିରେ ଅସରନ୍ତି ସ୍ବପ୍ନ ଦେଖିବାକୁ ଲାଗିଲା। ବହୁତ ଦିନ ପରେ ଯେମିତି ତାକୁ ଜୀବନରେ ଖୁସି ମିଳିଲା ।


ବୁନୁ ମନରେ ସିନା ବୀରା ପ୍ରତି ପ୍ରେମଭାବନା ଥିଲା କିନ୍ତୁ ବୀରା ବୁନୁକୁ କେବଳ ନିଜ ସାନ ଭାଇ ଭାବୁଥିଲା କାରଣ ବୀରା ଜୀବନରେ ଆଉ ଜଣେ ଥିଲା ।


ଆଶୁତୋଷ । ଭଗବାନ ଆଶୁତୋଷ (ଶିବ ) ଙ୍କ ଠାରୁ ବି ପ୍ରଚଣ୍ଡ କ୍ରୋଧୀ । କିନ୍ତୁ ହୃଦୟରୁ ବହୁତ ଭଲ । ସେଇ କଲେଜ ରେ ପଢୁଥିଲା ଯୋଉଠି ବୀରା ଆଉ ବୁନୁ ପଢୁଥିଲେ । ବିରାର ଗାଁ ପାଖ ପିଲା । ଆଉ ବୀରାର ତାର ଘନିଷ୍ଠତା ବହୁତ ଦିନର । ଆଶୁତୋଷ ବହୁତ ଦାୟିତ୍ୱବନ ଆଉ ଭବିଷ୍ୟତ ପ୍ରତି ଯତ୍ନଶୀଳ । ସେଥିପାଇଁ ଦୁହେଁ କେବେ ବାହାରେ କୋଉଠି ସାର୍ବଜନୀନ ଜାଗାରେ କଥା ହୁଅନ୍ତିନି । ଆଉ ସବୁଠୁ ବଡ କଥା ହେଲା ତାକୁ ପାଇ ବୀରା ବହୁତ ଖୁସି ଥିଲା ।


କଥା ହେବାର ତୃତୀୟ ଦିନ, ଯୋଉଦିନକି ବୁନୁ ମନରେ ବୀରା ପ୍ରତି ଭଲ ପାଇବା ଜନ୍ମ ହେଇଥିଲା, ସେଦିନ ବୀରା ଆଶୁତୋଷ ବିଷୟରେ ବୁନୁ କୁ ସବୁ କହିଦେଲା ।


ଏକଥା ଶୁଣିବା ପରେ ଗୋଟେ ପୁଅକୁ କେମିତି ଲାଗିଥିବ ଆପଣ ମାନେ ଜାଣନ୍ତିକି ?

ଆଉ ଏକଥା ବିଶେଷ କରି , ବୁନୁ ଭଳିଆ ପିଲାକୁ କେମିତି ଲାଗିଥିବ ଆପଣ ମାନେ ଭାବିପାରୁଛନ୍ତି କି ?


ଏତେ ଦିନ ପରେ ସେ ଯାହାକୁ ବହୁତ ନିଜର ଭାବୁଥିଲା, ତାର ତ ଆଉ ଜଣେ ବହୁତ ନିଜର ଲୋକ ଥିଲା ।


ବୀରା ଯେତେବେଳେ ବି ଆଶୁତୋଷ କଥା କହେ, ବୁନୁକୁ ବହୁତ କଷ୍ଟ ହୁଏ କିନ୍ତୁ ବିରାର ଖୁସି ପାଇଁ ସେ କିଛି କହିପାରେନି । ବୀରାର ଭାଇ ହବାର ଅଭିନୟ କରେ । କିନ୍ତୁ,ମନେ ମନେ ବହୁତ କାନ୍ଦୁଥାଏ । ନିଜ ଭାଗ୍ୟକୁ ନିନ୍ଦେ । ଆଉ ଜଗନ୍ନାଥଙ୍କ ପାଖରେ ବି କାନ୍ଦେ କାରଣ ତାକୁ ଭାରି ଏକୁଟିଆ ଲାଗୁଥିଲା । ନିଜ ମନ କଥା କହିବାକୁ ଏବଂ ତା ମନ କଥା ଶୁଣିବାକୁ ବୁନୁ ପାଖରେ କେହି ଲୋକ ନଥିଲେ ।


ବୁନୁକୁ ଆହୁରି ଅଧିକ କଷ୍ଟ ହେଲା ଯେତେବେଳେ ତୃତୀୟ ଦିନ ସନ୍ଧ୍ୟାରେ ବୀରା ତା ଫୋଟୋ ବୁନୁ ପାଖକୁ ପଠେଇଲା । କାରଣ ସେତେବେଳେ ବିରାର ବୁନୁ ପ୍ରତି ଶତ ପ୍ରତିଶତ ବିଶ୍ୱାସ ଆସିଯାଇଥାଏ ।


ସାରା ଜୀବନ ଅନ୍ଧାର ଆକାଶକୁ ଦେଖିଥିବା ମଣିଷ ଯେତେବେଳେ ହଠାତ ଦିନେ ପୂର୍ଣ୍ଣିମାର ଜହ୍ନକୁ ଦେଖେ ତାକୁ ଯେମିତି ଲାଗିବ, ବୁନୁ କୁ ବି ସେଦିନ ସେମିତି ଲାଗିଲା । ସେତେବେଳଯାଏ ବୁନୁ ତ ଖାଲି ବୀରାକୁ କଳ୍ପନା କରିଥିଲା କିନ୍ତୁ ଯେତେବେଳେ ବାସ୍ତବତା ଟା ତା କଳ୍ପନା ଠାରୁ ବି ଅଧିକ ସୁନ୍ଦର ବୋଲି ସେ ଜାଣିଲା, ସେ ଆଉ ନିଜକୁ ଆଉ ସମ୍ଭାଳି ପାରିଲାନି । ଭୋ ଭୋ ହେଇ କାନ୍ଦିବାକୁ ଲାଗିଲା । ତା ସ୍ବପ୍ନ ଗୋଟେ ଦିନ ଭିତରେ ଭାଙ୍ଗିଗଲା ।


ସମସ୍ତେ କହନ୍ତି ଆଶା ହିଁ ମଣିଷକୁ ବଞ୍ଚିବା ପାଇଁ ସାହାଯ୍ୟ କରିଥାଏ କିନ୍ତୁ ବୁନୁ ପାଖରେ ଆଉ କିଛି ଆଶା ନଥିଲା ।


ସେଦିନ ରାତିସାରା ବୁନୁ ସୋଇପାରିଲାନି । ଶେଯରେ ଗୁମୁରି ଗୁମୁରି କାନ୍ଦୁଥାଏ । ଭାବୁଥାଏ କଣ କରିବ । ଏ ସମୟରେ ତାର କଣ କରିବା ଉଚିତ ।


ବୀରା ଆଉ ବୁନୁ ବହୁତ ଜଟିଳ ଥିଲେ ବୁଝିବାକୁ । କାହା ସହ ଆଗ କଥା ହଉନଥିବା ଖାଲି ହଁ ଆଉ ହୁଁ ରେ ଉତ୍ତର ଦେଉଥିବା ପିଲା ଦୁଇଜଣ କିନ୍ତୁ ଏଇ ତିନି ଦିନ ଭିତରେ ତିନି ହଜାର ମେସେଜ ର ଆଦାନ ପ୍ରଦାନ କରିସାରିଥିଲେ । ଖାଲି ଫରକ ଏତିକି ଯେ ଜଣଙ୍କ ପାଇଁ ସେ ସମ୍ପର୍କ ଭାଇ ଭଉଣୀର ସମ୍ପର୍କ ଥିଲାବେଳେ ଆଉ ଜଣେ ସେ ସମ୍ପର୍କ କୁ ଟିକେ ଉପର ସ୍ତରକୁ ନେଇଯାଇଥିଲା ।


ବୀରା ଥିଲା ଭାଇ ରଂକୁଣି । ଭଗବାନ ତାକୁ ଗୋଟେ ନିଜ ଭାଇର ସୁଖ ଦେଇନଥିଲେ । ତେଣୁ ସେ ଭାଇ ଟିଏ ପାଇଲେ ବହୁତ ଖୁସି ହେଇଯାଉଥିଲା । ବୀରା କେବେ ବି ବୁନୁକୁ ନିଜ ସାନ ଭାଇ ଛଡା ଆଉ କିଛି ଭାବିନି । ବୁନୁକୁ ସେ ତିନି ଦିନ ଭିତରେ ନିଜ ଜୀବନର ସବୁ ବଡ ବଡ କଥା ଶେୟାର କରିଦେଇଥିଲା ଯାହାକୁ କି ସେ ଆଜି ଯାଏଁ କେବେ ତା ଭଲ ସାଙ୍ଗ ମାନଙ୍କୁ ବି କହିନଥିବ ।


ବୁନୁ ଭିତରେ ସେ ନିଜ ଭାଇକୁ ଦେଖିବାକୁ ପାଉଥିଲା । କେତେ ବେଳେ ଛୋଟ ପିଲାଙ୍କ ଭଳି ସ୍ନେହ ଆଦର କରୁଥିଲା ଆଉ କେତେବେଳେ ବଡ ଭଉଣୀ ହେଇ ଆକଟ କରୁଥିଲା । କେତେବେଳେ ଦିଜଣ ହସ ଖୁସିରେ ମାତିଯାଉଥିଲେ ତ ଆଉ କେତେବେଳେ ଜଣେ ଆଉ ଜଣଙ୍କୁ ଚିଡ଼େଇବାରେ । ବୁନୁ ତାକୁ ଯେତେ ଯାହା କହିଲେ ବି ତା କଥାକୁ ସାନ ଭାଇଟା ଭାବି ଭୁଲିଯାଉଥିଲା । ବୀରା ପାଇଁ ସବୁକିଛି ଠିକ ଚାଲିଥିଲା ।


କିନ୍ତୁ, ବୁନୁ ଏବେ ଗୋଟେ ଦୋଛକିରେ ଠିଆ ହେଇଥିଲା । ସେ ଜାଣିପାରୁନଥିଲା ସେଇ ରାସ୍ତାରେ ଆଗକୁ ଯିବ ନା ବୁଲାଣି ନେଇ ପଛକୁ ଫେରିଯିବ । ସେ ସାରା ଜୀବନ ବିରାର ଭାଇ ହବାର ଅଭିନୟ କରିବ ନା ତାକୁ ସବୁ ସତ କହି ତା ଜୀବନରୁ ଦୂରେଇଯିବ । ଚକ୍ରବ୍ୟୁହ ଭିତରେ ଫସିଯାଇଥିଲା ସେ ।


ଆଉ ସେତେବେଳେ ତାର କେବଳ ଜଣେ ସାହାରା ଥିଲେ ଆଉ ସିଏ ହେଲେ ତାର ସବୁ ସୁଖ ଦୁଃଖର ସାଥି ପ୍ରଭୁ ଜଗନ୍ନଥ । ସେଦିନ ସେ ତାଙ୍କ ମନ୍ଦିରକୁ ଗଲା ଆଉ ତାଙ୍କୁ ସବୁ ଜଣେଇଲା । ଠିକ ରାସ୍ତା ଦେଖେଇବାକୁ କାନ୍ଦି କାନ୍ଦି ନିବେଦନ କଲା ।


ସେଦିନ ମନ୍ଦିରରୁ ଫେରିଲା ବେଳେ ତାଙ୍କ ଘରକୁ ପଡିଥିବା ରାସ୍ତା ରେ ବହୁତ ଭିଡ଼ ଥିଲା । ଆଉ ସେ ଯେତେବେଳେ ସେ ଭିଡ କୁ ଠେଲି ଠେଲି ଆଗକୁ ଯିବାକୁ ଚେଷ୍ଟା କରୁଥିଲା ସେତେବେଳେ ପଛରୁ ଜଣେ କହିଲା ଆରେ ଏତେ କଷ୍ଟ କରି ଆଗକୁ କାଇଁ ଯାଉଛୁ ଟିକେ ବୁଲାଣି ପଡୁ ପଛେ ତୁମ ଘର ପଛ ପଟ ଫାଙ୍କା ରାସ୍ତାରେ ପଳା ।


ବୁନୁକୁ ଲାଗିଲା ଯେମିତି ଭଗବାନ ତାକୁ ରାସ୍ତା ଦେଖେଇଦେଲେ । ବୁନୁ ନିଷ୍ପତ୍ତି ନେଲା କି ବୀରା ଜୀବନରୁ ଦୂରେଇଯିବ । ଏତିକିବେଳୁ ଦୂରେଇଗଲେ ହୁଏତ ବୀରାକୁ କମ କଷ୍ଟ ହବ କାରଣ ସେ ଦିଜଣ ପରସ୍ପର ର ଯେତେ ନିକଟ ତର ହେବେ ଭବିଷ୍ୟତରେ ସେତେ ଅଧିକ ଦୁଃଖ ପାଇବେ । ଆଉ ବୋଧେ ବୀରା ବୁନୁ ମୁହଁରୁ ସବୁ ଶୁଣିସାରି ବୁନୁକୁ ଘୃଣା କରିବ ଆଉ ତାଠୁ ଦୂରେଇଯିବ ।


ସେଦିନ ରାତିରେ ବୁନୁ ନିଜର ହୃଦୟକୁ ଶକ୍ତ କଲା ଆଉ ବହୁତ କଷ୍ଟରେ ବୀରାକୁ ସବୁ କଥା କହିଦେଲା । ଭାବିଥିଲା ବୋଧେ ବୀରା ଏକଥା ଶୁଣି ତାକୁ ଘୃଣା କରିବ କିନ୍ତୁ ଆଶ୍ଚର୍ଯ୍ୟ ର କଥା ସେପରି କିଛି ଘଟିନଥିଲା । ବୁନୁ ଠୁ ସବୁ ଶୁଣିସାରି ବୀରା କାନ୍ଦିବାକୁ ଲାଗିଲା । ତାକୁ ଦେଖିନପାରୁଥିଲେ ବି ବୁନୁ ଅନୁଭବ କରିପାରୁଥିଲା କି ବୀରା କାନ୍ଦୁଚି । ବୁନୁ ତାକୁ ବୁଝେଇବାକୁ ଚେଷ୍ଟା କଲା । ତାକୁ ଶହେ ଥର କ୍ଷମା ମାଗିଲା, ହେଲେ ବିରାର କାନ୍ଦ ବନ୍ଦ ହେଲାନି । ବୁନୁ ତା କଷ୍ଟ ସାହିପାରୁନଥାଏ କିନ୍ତୁ ସେ ନିରୁପାୟ ଥାଏ । କିଛି ସମୟ ଯାଏ ଦୁହେଁ ଚୁପ ଚାପ ହେଇଗଲେ । ପ୍ରାୟ ଅଧା ଘଣ୍ଟା ପରେ ବୁନୁ ପାଖକୁ ବିରାର ମେସେଜ ଆସିଲା କି, "ମୋର ଗୋଟେ କାମ କରିବ ?"


ବୁନୁ କହିଲା, "ହଁ,କୁହ "


"ଯଦି ନିଜର ଆଉ ସମସ୍ତଙ୍କର ଖୁସି ଚାହଁ ତାହେଲେ ମୋଠୁ ସାରାଜୀବନ ଦୂରେଇଯାଅ । ମୁଁ ତୁମକୁ ନିଜ ସାନ ଭାଇ ବୋଲି ଭାବିଥିଲି, ଭାବୁଛି ଆଉ ସାରା ଜୀବନ ଭାବୁଥିବି "


ବୁନୁ ଭାବୁଥିଲା କଣ କରିବ । କାନ୍ଦି କାନ୍ଦି ସେତେବେଳକୁ ବେହାଲ ହେଇଗଲାଣି ସେ । ଶେଷରେ ସେ ନିଷ୍ପତ୍ତି ନେଲାକି ପଛେ ଯେତେ କଷ୍ଟ ହଉ କିନ୍ତୁ ନିଜ ବୀରାର ଭବିଷ୍ୟତ କୁ ହସ ଖୁସିରେ ଭରିଦେବା ପାଇଁ ସେ ତାଠୁ ଦୂରେଇଯିବ । ନିଜ ପରିବାର ତଥା ବିରାର ପରିବାର ର ଖୁସି ପାଇଁ ସେ ତାଠୁ ଦୂରେଇଯିବ । ନିଜର ତଥା ବିରାର ଭବିଷ୍ୟତ ଆଉ ହସଖୁସି ର ଜୀବନ ପାଇଁ ସେ ତାଠୁ ଦୂରେଇଯିବ ।


ତାପରେ ବୁନୁ ନିଜ ହୃଦୟକୁ ପଥର କରିଦେଲା । "ଯାଉଛି ବୀରା, ତୁମେ ଖୁସିରେ ରୁହ "ଏତିକି କହି ବୀରା କୁ ସିଧା ସଳଖ ସୋସିଆଲ ମେଡିଆ ରୁ ବ୍ଲକ କଲା । ନିଜ ଆଖିରୁ ଲୁହ ପୋଛିଲା ଆଉ ଚୁପ ଚାପ ଶୋଇଗଲା ।


ତାପରଦିନ ର ସୂର୍ଯ୍ୟ କିରଣ ତା ପାଇଁ ନୁଆ ସମ୍ଭାବନା ନେଇ ଆସିଥିଲା । ସୂର୍ଯ୍ୟଙ୍କୁ ନମସ୍କାର କଲାବେଳେ ତାକୁ ଲାଗିଲା ଯେମିତି ସୂର୍ଯ୍ୟ କିରଣ ସବୁ ତା ଦେହରେ ପଡି ତାକୁ ଆହୁରି ଶକ୍ତ ଆଉ କଠୋର ବନାଉଛନ୍ତି । ସୂର୍ଯ୍ୟ ଆଉ ବୀରା ଦିଜଣଙ୍କଠୁ ସେ ଶିଖିଲା ନିଜେ ଜଳି ସାରା ବିଶ୍ୱକୁ ଆଲୋକିତ କରିବା ର ମଜା ନିଆରା । ଚାରି ଦିନ ଭିତରେ ଜୀବନର ଗୋଟେ ବଡ କଥା ସେ ବୀରା ଠାରୁ ଶିଖିଲା । ମନେ ମନେ କହିଲା "ଧନ୍ୟବାଦ ବୀରା "। ଆଉ ତାପରେ ବୁନୁ ପୁଣି ଏକୁଟିଆ ଏକୁଟିଆ ଲାଗିପଡ଼ିଲା ଏକ ନୁଆ ଜୀବନ ଆରମ୍ଭ ଲକ୍ଷ୍ୟରେ.......... ।

                                (ସମାପ୍ତ )



Rate this content
Log in

Similar oriya story from Tragedy