ମାମୁଁ ମୋତେ ମାଇଲେ
ମାମୁଁ ମୋତେ ମାଇଲେ


(1 )
ସବୁ ଦିନ ସନ୍ଧ୍ୟାବେଳେ ନରିଆ ଦାଦାଙ୍କ ପୁଅ ଶଙ୍କରର ତା ହିତାକାଂକ୍ଷୀ ପ୍ରିୟ ବନ୍ଧୁମାନଙ୍କ ସହ ଗାଁ ଶେଷମୁଣ୍ଡ ବଜାର ଛକରେ ଆଡ୍ଡା ଜମେ | ବାପାଠୁ ପଇସା ନେଇ ଦୋକାନରୁ ଗୁଟଖା କିଣି ଖାଇ ତାସପତା ମାଡ଼ରେ ଗଗନ ପବନ ପ୍ରକମ୍ପିତ କରିବା, ସନ୍ଧ୍ୟା ବେଳେ ସେମାନଙ୍କର ପ୍ରଧାନ କାମ | ମଝିରେ ମଝିରେ କାଗଜ ନଳୀ ସବୁ ମୁହଁରେ ଦେଇ ଏକତ୍ର ଗୋଟିଏ ଲାଇଟରର ଅଗ୍ନି ସଂଯୋଗରେ ନଳୀ ଭିତର ରସ ଆସ୍ଵାଦନ ସହିତ ଛକରେ ଗାଢ଼ ପାଉଁଶିଆ ରଙ୍ଗର ଏକ ଧୂମ୍ରବଳୟ ତିଆରି କରି ଖୁବ ଆନନ୍ଦ ନିଅନ୍ତି | ହେଲେ ଏବେକା ଲକ ଡାଉନ ଯୋଗୁଁ ଘରେ ବାପା ମାଆଙ୍କ ଉପସ୍ଥିତିରେ ସମ୍ଭବ ହେଇପାରୁନାହିଁ | ପନ୍ଦର ଦିନ ଗୃହ ବନ୍ଦୀ ହେଇ ଛଟପଟ ହେଲାପରେ ପରଦିନ ସନ୍ଧ୍ୟାରେ ଆଉ ନିଜ ପାଦରେ ଶିକୁଳି ବାନ୍ଧି ରହିପାରିଲାନି ଶଙ୍କର | ମୁହଁରେ ରୁମାଲ ବାନ୍ଧି ଜିନ ପେଣ୍ଟ ସାଙ୍ଗକୁ ଜୋତା ମାଡି ବାବୁ ଆଜ୍ଞା ବାହାରିପଡିଲେ ଆଡ୍ଡା ସ୍ଥଳୀକୁ | ତାଙ୍କ ସମାନ କିଏ ଗୋଟେ ଦିଟା ପେଁକାଳୀଆ ସାଙ୍ଗ ପୂର୍ବରୁ ନଙ୍ଗ ନଙ୍ଗ ହେଉଥିଲେ ସେଠି | ବହୁତ ଦିନ ପରେ ହେଇଥିବା ବନ୍ଧୁ ମିଳନକୁ ଜୋରଦାର ହାଲ୍ଲା ଆଉ ପରସ୍ପର ହୃଦୟମର୍ଦ୍ଦନରେ ଆରମ୍ଭ କରି ତାସ ବାଡିଆ ପିଣ୍ଡି ଉପରେ ବସି ଖଟି କରିବାରେ ଲାଗିପଡିଲେ | ଜଣେ ନିଜ ପକେଟରୁ ସେଇ କାଗଜ ନଳୀ ଥିବା ପ୍ୟାକେଟ ବାହାର କରି ସମସ୍ତଙ୍କୁ ଖଣ୍ଡେ ଲେଖାଏ ବାଣ୍ଟିଦେବା ସହ ଏକକାଳୀନ ଲାଇଟର ଅଗ୍ନି ସଂଯୋଗ କରି ଧୂମ୍ର ବଳୟ ସୃଷ୍ଟି କ୍ରିୟାରେ ଲାଗିଗଲେ | ହେଲେ ଏ ସୁଖ କ୍ଷଣଟିଏ ଉପଭୋଗ ହେଇଚି କି ନାହିଁ ଅକସ୍ମାତ କେଉଁଠୁ ଜଣେ ସାଧା ପୋଷାକ ପିନ୍ଧା ବିରାଟ ବପୁଧାରି ପୁରୁଷ ଆଲୋକର ଗତି ଠାରୁ ବି ଅଧିକ କ୍ଷୀପ୍ର ଗତିରେ ବାଇକ ଚଲେଇ ଆସି ପାଖରେ ଠିଆ ହେଇଗଲେ | ଶଙ୍କର ସମେତ ସର୍ବଦଳ କିଛି କରିବା ପୂର୍ବରୁ ବ୍ୟକ୍ତି ଜଣକ ନିଜ ହାତରେ ଧରିଥିବା ଦୁଇ ଇଞ୍ଚ ବ୍ୟାସ ତଥା ଦେଢ଼ ମିଟର ଉଚ୍ଚ ଲମ୍ବା ସିଲିଣ୍ଡରାକୃତି ବାଡ଼ିରେ ସେମାନଙ୍କ ଶରୀର ପଛପଟ ନରମ ମାଂସପେଶୀରେ ଜଣ ପିଛା ଦୁଇଟା ଲେଖାଏ ସଟାଙ୍ଗ ସଟାଙ୍ଗ ବସେଇଦେଲେ | ନିମିଷକେ ଶଙ୍କର ଆଉ ତାର ବାକି ପ୍ରିୟ ବନ୍ଧୁମାନେ ପ୍ରାଣ ବିକଳରେ ମନଯାନରେ ସେ କ୍ଷେତ୍ରରୁ ଉଭାନ | ଶଙ୍କର ତା ପରଦିନ ସକାଳୁ ଶୌଚ ହେବାରେ ପ୍ରବଳ କଷ୍ଟ ଅନୁଭବ କରିଥିଲେ ହେଁ ବାହାଦୁରି ମାରି ପୂର୍ବ ଦିନ ରାତିରେ whatsappରେ status ଦେଇଥିଲା କି ଫାଇନାଲି ଆଜି ମାମୁଁ ମୋତେ ମାଇଲେ....
( 2 )
.....ହରିପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସ୍ଥାନୀୟ ଏମ.ଏଲ.ଏ.ଙ୍କ ପାଖ ଲୋକ ହିସାବରେ ସୂର୍ଯ୍ୟମହାନ୍ତିଙ୍କର ପଞ୍ଚାୟତର ପାଞ୍ଚଖଣ୍ଡ ଗାଁରେ ଖାତିର | ଧନ ଓ କ୍ଷମତାରେ ପଞ୍ଚାୟତର ସବୁଠୁ ବଡ଼ ଲୋକ ହେଇଥିବାରୁ ସମସ୍ତେ ତାଙ୍କୁ ସୂର୍ଯ୍ୟ ବାବୁ ନହେଲେ ମହାନ୍ତି ବାବୁ ବୋଲି ସମ୍ମାନର ସହ ସମ୍ବୋଧନ କରି ମାନନ୍ତି | ହେଲେ କରୋନା ଭୂତାଣୁ କଣ ଧନ କି କ୍ଷମତା ଦେଖି ସଂକ୍ରମଣ କରେ କି ? ସେ ତ ବ୍ରିଟେନ ପ୍ରଧାନମନ୍ତ୍ରୀ, ସ୍ପେନର ରାଣୀଙ୍କୁ ବି ଛାଡ଼ିଲାନି ଆଉ ସୂର୍ଯ୍ୟ ବାବୁ କୋଉ ଗାଈର ଗୋବର ଯେ ? ରାସ୍ତା କଡ଼ରେ ସୂର୍ଯ୍ୟ ବାବୁଙ୍କର ଧଳା ରଙ୍ଗର ଏକ ଦୁଇ ମହଲା ଘର | ସେଇ ଧଳା ଘର ଭିତରେ ଏତେଦିନ ରହି ବୋର ହେବା କାରଣ କିମ୍ବା ଅନ୍ୟ କୌଣସି କାରଣ ତାହା ଭଗବାନଙ୍କୁ ଜଣା କିନ୍ତୁ ସୂର୍ଯ୍ୟ ବାବୁ କାଲି ଅପରାହ୍ନରେ ନିଜ ଦୁଇ ଚକିଆ ଯାନ ଧରି ଛକ ଯାଏ ଆସିଯାଇଥିଲେ | ଛକକୁ ଆସୁ ଆସୁ ତାଙ୍କର ଅନ୍ୟତମ ଚାଟୁକାର ମଦନା ଦେଖା ହେବାରୁ ସୂର୍ଯ୍ୟ ବାବୁ ଗାଡି ଷ୍ଟାର୍ଟ ବନ୍ଦ କରି ହସ ହସ ମୁହଁରେ ତାର ହାଲଚାଲ ପଚାରି କଥା ହବାକୁ ଲାଗିଲେ | ହେଲେ ହଠାତ ଏକ ବୋଲେରୋ ଗାଡି ଆସି ପାଖରେ ଅଟକିଗଲା ଆଉ ସେଥିରୁ ମାଟିଆ ରଙ୍ଗର ପୋଷାକ ପିନ୍ଧା ଚାରିଜଣ ମାମୁଁ ତାଙ୍କ ସମ୍ମୁଖକୁ ଓହ୍ଲେଇ ପଡିଲେ | ମାମୁଁ ମାନେ ଓହ୍ଲେଇ ପଡିବା କ୍ଷଣି ମଦନା ଆଖି ପିଛୁଳାକେ ଚମ୍ପଟ ଦେଲା ହେଲେ ସୂର୍ଯ୍ୟ ବାବୁ ଦୃଢ଼ତାର ସହ ଇଞ୍ଚେ ହେଲେ ନ ହଲି ସେମିତି ଗାଡିରେ ବସିଥାନ୍ତି | ଗାଡିରୁ ଓହ୍ଲେଇ ସେ ମାମୁଁମାନେ ଗୋଟେ ଦୁଇଟି ପ୍ରଶ୍ନ ବାଣ ଫିଙ୍ଗନ୍ତେ ସୂର୍ଯ୍ୟ ବାବୁ ଗର୍ବ ସହକାରେ ତାର ଓଲଟା ସିଧା ଉତ୍ତର ପ୍ରଦାନ କରିବା କାରଣରୁ କ୍ରୋଧ ବଶତଃ ଉକ୍ତ ମାମୁଁଙ୍କ ହାତରେ ଥିବା ବାଡ଼ି ବାଜିଗଲା ସୂର୍ଯ୍ୟ ବାବୁଙ୍କ ଅଜାଗାରେ | ସୂର୍ଯ୍ୟ ବାବୁ କିଛି ନ ଜାଣିଲା ପରି ଧୀରେ ଧୀରେ ନିଜ ଅଜାଗାକୁ ଆଉଁସୁ ଆଉଁସୁ ସତର୍କତାର ସହ ଦେଖୁଥିଲେ ଆଉ କେହି ଦେଖିନାହାନ୍ତି ତ | ଘରକୁ ଆସି ଅହଂକାରବଶତଃ ସ୍ଥାନୀୟ ଥାନାକୁ ଫୋନ କରନ୍ତେ ସେଠାକାର ଇନଚାର୍ଜ ନିଜ ଅସହାୟତା ଦର୍ଶାଇ କହିଲେ କି ଆପଣଙ୍କ ଦେହରେ ହାତ ଦେଇଥିବା ମାମୁଁମାନେ ସ୍ଥାନୀୟ ନୁହନ୍ତି,ସେମାନେ ହେଲେ କଟକ ଭୁବନେଶ୍ୱରରୁ ଆସିଥିବା ସ୍ପେସିଆଲ ସ୍କ୍ୱାଡ଼ ଆଉ ଏ ପ୍ରକାର ଘଡିସନ୍ଧି ମୁହୁର୍ତ୍ତରେ ସେମାନଙ୍କ ଉପରେ ଆମର କୌଣସି ଅଧିକାର ନାହିଁ | ତେଣୁ ସ୍ଥାନୀୟ ମାମୁଁ ଆପଣଙ୍କ ସେବାରେ ଅସମର୍ଥ | ଏମ.ଏଲ୍.ଏ.ଙ୍କୁ ଫୋନ କରିବାକୁ ଉଦ୍ୟତ ହୁଅନ୍ତେ ପତ୍ନୀ ନୀଳିମା ଦେବୀ ସୂର୍ଯ୍ୟ ବାବୁଙ୍କୁ ତାଙ୍କ ସମ୍ମାନ କଥା ମନେପକେଇଦେଇ ଚୁପ ହେଇଯୀବାକୁ ଅନୁରୋଧ କଲେ | ଆଉ ଶେଷରେ ଅନନ୍ୟୋପାୟ ହେଇ ନୀଳିମା ଦେବୀଙ୍କ ମନ ଜିଣିବାକୁ ଯାଇ ସୂର୍ଯ୍ୟ ବାବୁ କହିଲେ," ହଁ, ମୋରି ମାମୁଁ ତ ଆଉ...ନହେଲେ କୋଉଠୁ ଏତେ ସାହସ କରିଥାନ୍ତେ। ଖାଲି ବାହାର ମାମୁଁ ବୋଲି ମୋତେ ଚିହ୍ନିପାରିଲେ ନାହିଁ। ହଉ ଛାଡ଼, ଖାଲି କଥାଟା କେହି ନ ଜାଣନ୍ତୁ , ସ୍ଥାନୀୟ ମାମୁଁକୁ ଯାଉଛି କହିଦେବି କି ଏ କଥା ପ୍ରଘଟ ନ କରିବାକୁ....."
( 3 )
.... ଦିନବନ୍ଧୁ ସାରଙ୍କ ପୁଅ ଗୁଡ଼ୁ ହେଲା ଛପନ ଇଞ୍ଚ ଛାତି ତଥା ଛଆ ଫୁଟ ଉଚ୍ଚତା ବିଶିଷ୍ଟ ପଚିଶ ତିରିଶ ବର୍ଷ ବୟସ ମଧ୍ୟବର୍ତ୍ତୀ ହଟ୍ଟା କଟ୍ଟା ଯୁବକ | ହେଲେ ଏ ଶାରୀରିକ ଗଠନ ଥାଇ କଣ ହେବ.. ମାନସିକ ଦୃଷ୍ଟିକୋଣରୁ ସେ ଏବେ ଏକ ପ୍ରକାର ପ୍ରଥମ ଶ୍ରେଣୀ ଛୁଆ | ମାତୃ ଗର୍ଭରୁ କଣ ଅସୁବିଧା ହେଲା ତାହା ତ ଦଇବ ଜାଣନ୍ତି, ହେଲେ ଗୋଟିଏ ବୋଲି ପୁଅର ଏ ଅବସ୍ଥା ହେଇଥିବାରୁ ଦୀନବନ୍ଧୁ ସାରଙ୍କର ଭାରି ମନ ଦୁଃଖ | ଯେତେ ଚିକିତ୍ସା କଲେ ବି କିଛି ଫଳପ୍ରଦ ହେଉନି | ଖାଲି ଯାହା ଭାଗ୍ୟକୁ ଆଦରି ଦିନ କାଟିବା କଥା | ତେଣୁ ଦୀନବନ୍ଧୁ ସାର ଓ ତାଙ୍କ ପତ୍ନୀ ମାନେ ଗୁଡ଼ୁର ମା, ଗୁଡ଼ୁର ଯାହା ଇଚ୍ଛା ହୁଏ ତାକୁ ଯୋଗାଇଦିଅନ୍ତି | କେବେ ବେଶୀ କିଛି ଆକଟ କରନ୍ତିନି | ତାକୁ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି | ସବୁଦିନିଆ ଅଭ୍ୟାସ ଭିତରୁ ଗୁଡ଼ୁର ଗୋଟେ ମୁଖ୍ୟ ଅଭ୍ୟାସ ହେଲା ଚାରିଟାବେଳେ ଘରୁ ଚୁପଚାପ ଚାଲି ଚାଲି ଆସି ଛକ ଉପରେ ଥିବା ରାଧୁ ନନା ଜଳଖିଆ ଦୋକାନରୁ ଜଳଖିଆ ଖାଇବା |ରାଧୁ ନନା ଗୁଡ଼ୁକୁ ପଇସା ମାଗେନି କାରଣ ତାର ବିଶ୍ୱାସ ଥାଏ ଦୀନବନ୍ଧୁ ସାର ମାସ ଶେଷକୁ ହିସାବ କରି ପଇସା ଦେଇଦେବେ ବୋଲି | ସମ୍ପ୍ରତି ଲକଡାଉନ ସମ୍ପର୍କରେ ଗୁଡ଼ୁକୁ ତା ମାଆ ଆଉ ଦିନବନ୍ଧୁ ସାର ବାହାରକୁ ନ ଯିବା ପାଇଁ ଯଥାସାଧ୍ୟ ବୁଝେଇଥାନ୍ତି ଆଉ ଈଷତ ଭୟ ଦେଖାଇ କହିଥାନ୍ତି ଯେ ପଦାକୁ ଗଲେ ମାଟିଆ ପୋଷାକ ପିନ୍ଧା ମାମୁଁ ମାରିବେ ବୋଲି | ହେଲେ ମାନସିକ ଦୁର୍ବଳତା ତଥା ସବୁଦିନିଆ ଅଭ୍ୟାସ ବଶତଃ ସେ ଭୟକୁ ପାସୋରି ଯାଇ, ଗତ ଗୁରୁବାର ଦିନ ଅପରାହ୍ନରେ ସମସ୍ତଙ୍କ ଅଜାଣତରେ ଗୁଡ଼ୁ ଜଳଖିଆ ଖାଇବା ଆଶାରେ ବିନା ମାସ୍କରେ ଛକ ପାଖକୁ ଆସିଯାଇଥିଲା | କିନ୍ତୁ ଜଳଖିଆ ଦୋକାନ ବନ୍ଦ ଥିବାରୁ ମନ ଦୁଃଖରେ ଫେରିଯାଉଥିବା ବେଳେ ଦୁର୍ଭାଗ୍ୟକୁ ବାଇକରେ ଆସୁଥିବା ଜଣେ ମାମୁଁଙ୍କ ହାବୁଡ଼ରେ ପଡିଗଲା | ବାହାରକୁ ସମ୍ପୂର୍ଣ୍ଣ ସୁସ୍ଥ ସବଳ ଦିଶୁଥିବା ଯୁବକର ମାନସିକ ଅବସ୍ଥା ବିଷୟରେ ଅଜ୍ଞ ମାମୁଁ, ଗୁଡ଼ୁର ବାଁ ଗୋଡ଼ରେ ଗୋଟେ ଠେଙ୍ଗା ପାହାର ବସେଇଦେଲେ ଯେ ବିଚରା ସେଇଠି କାନ୍ଦିପକେଇଲା | ଡରିଯାଇ ସେଇ କାନ୍ଦକାନ୍ଦ ଅବସ୍ଥାରେ ଛୋଟେଇ ଛୋଟେଇ ଘରକୁ ଆସିଲା | ଦୀନବନ୍ଧୁ ସାର କଣ ହେଲା ବୋଲି ପଚାରନ୍ତେ, ଗୁଡ଼ୁ କାନ୍ଦି କାନ୍ଦି କହିଲା..ବାପା.. ବାପା.. ଆଜି ସତସତିକା ଛକ ଉପରେ ସେ ମାଟିଆରଙ୍ଗର ମାମୁଁ ମୋତେ ମାଇଲେ... | ଏଇଆ କହି ଦିନବନ୍ଧୁ ସାରଙ୍କ ଛାତି ଉପରେ ଆଉଜି ପଡି ଭୋ ଭୋ ହେଇ କାନ୍ଦିଲା |
(ବିଚରା କୁଆଡେ ଦି ଦିନ ହେଲା ଶେଯରୁ ଓହ୍ଲେଇପାରୁନି)