Satyaranjan Mishra

Romance Fantasy

3  

Satyaranjan Mishra

Romance Fantasy

ମୋ ଭାଲେଣ୍ଟାଇନ

ମୋ ଭାଲେଣ୍ଟାଇନ

4 mins
11.4K



ମୋ ସକାଳର ଆରମ୍ଭ ହୁଏ ତୁମଠୁ...ନିଦରୁ ଉଠି ଆଖି ମଳି ମଳି ପ୍ରଥମେ ଦେଖେ ତୁମର ସେ ଗୋଲାପ ଫୁଲିଆ ମୁହଁ କୁ...ସବୁଦିନ ତୁମେ ମୋ ପାଖ ତକିଆରେ ଚେଇଁଶୋଇ ଅପଲକ ନୟନରେ ଚାହିଁ ରହିଥାଅ ମୋତେ । ମୁଁ ଆସ୍ତେ କରି ତୁମକୁ ମୋ ଛାତି ପାଖକୁ ଟାଣିଆଣେ । ଭାବେ କାଳେ ତୁମକୁ କାଲି ରାତିରେ ନିଦ ହେଇନି କି ? ନା ଯୋରରେ ବୁଲୁଥିବା ପଙ୍ଖାର ଥଣ୍ଡା ପବନରେ ତୁମ ନିଦ ଆଜି ଶୀଘ୍ର ଭାଙ୍ଗିଗଲା କି ଆଉ ? ହେଲେ ତୁମ ନୀରବତା ଦେଖି ଶେଷରେ ପୁଣି ଭାବେ ମୁଁ ତୁମ ପାଖେ ବେଶୀ ସମୟ କଟାଇପାରୁନି ବୋଲି ତୁମର ଏ ଅଭିମାନ । 

 

 ତୁମ ମାନଭଞ୍ଜନ ପାଇଁ ମୁଁ ଆଗ ଟିକେ ମୁରୁକି ହସେ ଆଉ ତାପରେ.. ଆଇ ଲଭ ୟୁ ଡାର୍ଲିଂଗ କହି.. ମନ୍ତ୍ରବତ ତୁମ କପାଳ ରେ ଆଙ୍କିଦିଏ ଗୋଟେ ଗାଢ଼ ଚୁମ୍ବନ ।ମୁଁ ଯଦି ଓଠରେ ଲିପିଷ୍ଟିକ ଲଗେଇଥାନ୍ତି ହୁଏତ ତୁମ ମୁହଁରେ ଏକ ନାଲି ଚିହ୍ନ ରହିଯାଇଥାନ୍ତା ।କିନ୍ତୁ ବାସ୍ତବରେ ସେମିତି କିଛି ହୁଏନି । ତୁମେ ମୋତେ କିଛି ବି କୁହନି କି ଲାଜ ଟିକେ ବି କରନି । କାନ୍ଥଘଣ୍ଟା ଆଡେ ନଜର ପଡିବା କ୍ଷଣି ମୁଁ ତରତର ହେଇ, ମୋର ସେଇ ଶେଜ ତକିଆଙ୍କ ମେଳରେ ତୁମକୁ ଏକୁଟିଆ ଛାଡି ଚାଲିଯାଏ ମୋ କର୍ମଭୂମିକୁ।


ଦିନଯାକର କାର୍ଯ୍ୟ ବ୍ୟସ୍ତତାରେ ମଜ୍ଜି ରହି ବୋଧହୁଏ ସମ୍ପୂର୍ଣ୍ଣ ଭାବେ ଭୁଲିଯାଏ ତୁମକୁ । କେବେ ବୁଝେନି,ମୁଁ ଆସିଲାପରେ ତୁମେ ଘରେ କଣ କର ? ତୁମକୁ କେବେ ଏକୁଟିଆ ଲାଗେନି ତ ?କେବେ ବୁଝେନି, ମୋ ଅନୁପସ୍ଥିତିରେ ତୁମକୁ ଆଉ କେହି ହଇରାଣ କରିନାହାନ୍ତି ତ ?କେହି ତୁମକୁ କଷ୍ଟ ଦେଇନାହାନ୍ତି ତ ?


ବେଳେବେଳେ ଡର ବି ଲାଗେ, ମୁଁ ଘରେ ନଥିଲାବେଳେ ତୁମକୁ ଆଉ କିଏ ନିଜ କାମରେ ବ୍ୟବହାର କରୁନାହାନ୍ତି ତ ? ତାପରେ ପୁଣି ମନକୁ ନିଜେ ବୁଝେଇଦିଏ, ନାଁ. ନାଁ.. ସେମିତି କେବେ ହେଇପାରିବନି... ତୁମେ ମୋର, କେବଳ ମୋର, ଏକାନ୍ତ ଭାବେ ମୋର… ତୁମକୁ ଛୁଇଁବାର ଅଧିକାର ଆଉ କାହାର ନାହିଁ । ଆଉ କେହି ଯଦି ତୁମକୁ କେବେ ଛୁଇଁବାକୁ ଚେଷ୍ଟା କରିବ, ମୁଁ ତା ହାତ କାଟିଦେବି । ତୁମ ଉପରେ ମୋର ହିଁ ସମ୍ପୂର୍ଣ୍ଣ ଅଧିକାର । କେବଳ ହିଁ କେବଳ ମୋର ଅଧିକାର ।


ପୁଣି ଭାବେ ଘରୁ ଆସିଲାବେଳେ ତୁମକୁ ସାଙ୍ଗରେ ନେଇଆସିଥାନ୍ତି କି.. ଆଉ କିଛି ଭୟ ରୁହନ୍ତା ନାହିଁ ହେଲେ ପୁଣି ଭାବେ ତୁମେ ବି ମୋ ସହ ଆସି ଏଠି କଣ କରିଥାନ୍ତ...ମୁଁ କୁଆଡ଼େ ଯାଏ କଣ କରେ କିଛି ଠିକ ଠିକଣା ନଥାଏ । ତୁମେ ଖାଲି ମୁକ ସାଥି ଟିଏ ପରି ମୋ ସାଙ୍ଗରେ ବୁଲି ବୁଲି ବୋର ହୋଇଥାନ୍ତ । ମୋ ପାଇଁ ଗୋଟେ ଅଯଥା ଚିନ୍ତା ହୋଇଯାଅନ୍ତ...ସବୁବେଳେ ତୁମକୁ ପାଖେ ପାଖେ ରଖିବାର ଚିନ୍ତା । ତୁମକୁ ଆଉ କେହି ଯେମିତି ନ ଦେଖନ୍ତି, ସେ ଚିନ୍ତା । ଆଉ ପୁଣି ତୁମ ପାଇଁ ମୋ ପାଖରେ ଟିକେ ହେଲେ ବି ସମୟ ନଥାନ୍ତା.. ଛାଡ଼.. ତୁମେ ବରଂ ଘରେ ରହିବା ହିଁ ଉଚିତ... ମୋ ଘରର ସେ ଚାରିକାନ୍ଥ ଭିତରେ ସୁରକ୍ଷିତ ହେଇ ରହିବା ହିଁ ତୁମ ପାଇଁ ଉଚିତ ଆଉ ଉପଯୁକ୍ତ ସ୍ଥାନ ।


ଚଳଚଞ୍ଚଳ ଦିନ ଟି ଖୁବ ଶୀଘ୍ର କଟିଯାଏ.. ମୁଁ ବନ୍ଧୁକରୁ ବାହାରୁଥିବା ଗୁଳି ପରି କ୍ଷିପ୍ର ଗତିରେ ଧାଇଁ ଆସେ ମୋ ଘରକୁ । ମୁଁ ଜାଣିଥାଏ, ଦିନ ସାରା ଯେତେ ଝଡଝଞ୍ଜା ଆସିଲେ ବି ଆମ ମିଳନ ଅନିବାର୍ଯ୍ୟ । ରାତ୍ରି ଭୋଜନ ପରେ ସେ ଛ ଫୁଟ ଲମ୍ବା ଖଟ ଉପରେ ପଡିଥିବା ଛ ଇଞ୍ଚ ବହଳ ର ଗଦୀ ଉପରକୁ ଆସିଗଲେ ପୁଣି ଥରେ ତୁମେ, ମୁଁ.... ନିର୍ଜନ ନିରୋଳା ଅନ୍ଧକାର ଭିତରେ ଟେବୁଲ ଲାଇଟର କ୍ଷୀଣ ଆଲୋକ..ଆଉ ଅସରନ୍ତି ରାତି...ମୁଁ ଆଉ ଡେରି ନକରି ପକେଟରୁ ବାହାର କରେ ସେ ମୋଟା କଳା ରଙ୍ଗର ଜେଲ ପେନ....ବହୁତ ଦିନ ର ଭୋକିଲା ପଶୁ ସଦୃଶ ତୁମ ଧବଳ ବକ୍ଷସ୍ଥଳ ଉପରେ ଗାରେଇ ଚାଲେ ଦିନ ତମାମ ର ସବୁ ସ୍ମୃତି ଅନୁଭୂତି ।


ହୁଏତ ତୁମେ ମନେମନେ କହୁଥିବ.. "କଣ ଏ ଦୁନିଆରେ ଏକା ମୁଁ ମିଳିଛି ତୁମକୁ, ତୁମର ସବୁ ସୁଖ ଦୁଃଖ ଯେତେବେଳେ ଇଚ୍ଛା ସେତେଵେଳେ ମୋ ଉପରେ ନଦିଦେବ ?"


 ମୁଁ କିନ୍ତୁ ସେତେବେଳେ କିଛି ଶୁଣିବା ଅବସ୍ଥାରେ ନଥାଏ କି ତୁମ ମନ କଥା ବୁଝିବା ଅବସ୍ଥାରେ ବି ନଥାଏ । ମୁଁ ତ ବାସ ତୁମ ସୁନ୍ଦର ରୂପ ଯୌବନକୁ କଦାକାର କରିବାରେ ଲାଗିଥାଏ । ମୋତେ ସିନା ମିଲୁଥାଏ ଅପୂର୍ବ ଆନନ୍ଦ ହେଲେ ତୁମ ଅବସ୍ଥା ଯେ କଣ ହଉଚି ତୁମକୁ କଷ୍ଟ ହଉଚି କି ଖୁସି ଲାଗୁଚି.. ସେକଥା ଶୁଣିବାକୁ ମୋର ଟିକେ ବି ଇଚ୍ଛା ନଥାଏ... 


ତୁମ ଚିକିମିକି ଶରୀରରେ କେଇ ମିଲି ଲିଟର କାଳୀ ବୋଳି ସାରିବା ପରେ ମୁଁ ପ୍ରଶାନ୍ତିରେ ସୋଇପଡ଼େ । ମୋ ଦେହର ତତଲା ରକ୍ତ, ରାତି ବଢିବା ସହ କ୍ରମେ ଶିଥିଳ ହେଇଯାଏ ହେଲେ ତୁମ ଦେହରେ ମୁଁ ଯୋଉ କାଳୀ ବୋଲିଥାଏ ସେ ସାରା ଜୀବନ ସେମିତି ସତେଜ ହେଇରହିଥାଏ ।


ଡାର୍ଲିଂଗ, 


ମାନୁଛି,ମୁଁ ତୁମକୁ ବହୁତ କଷ୍ଟ ଦିଏ, ତୁମର ଠିକ ସେ ଯତ୍ନ ନିଏନି, ତୁମ କଥା ବେଶୀ ବୁଝେନି... କିନ୍ତୁ ବିଶ୍ୱାସ କର, ଦିନ ଭିତରେ ଯାହା କିଛି ବି ଛୋଟ ବଡ଼ ଭଲ ମନ୍ଦ ଘଟଣା ଘଟେ ମୋର ଆଗ ତୁମ କଥା ମନେପଡେ... ମୁଁ ବ୍ୟାକୁଳ ହୁଏ କେମିତି ରାତିରେ ଘରକୁ ଫେରି ସେସବୁ ଆଗ ତୁମକୁ ଜଣେଇବି । ଭଗବାନଙ୍କ ବ୍ୟତୀତ ମୋ ଜୀବନ ର ସବୁ ଗୋପନ କଥା କେବଳ ମୁଁ ତୁମକୁ କହିଛି... କେବଳ ଆଉ କେବଳ ତୁମକୁ ।


ମାନୁଛି ମୁଁ ତୁମକୁ ବେଶୀ ସମୟ ଦେଇପାରିନି କିନ୍ତୁ ଖୁବ କମ ଦିନରେ ତୁମେ ମୋ ହୃଦୟର ସବୁଠୁ ନିକଟତମ ସାଥି ହେଇପାରିଛ ...ମୋ ସୁଖ ଦୁଃଖ ହସ କାନ୍ଦ ସବୁଥିରେ ଏକମାତ୍ର ସାହାରା ସବୁବେଳେ ସାଜିଛ । କେବେ ବି ମୋତେ ଏକୁଟିଆ କରି ଦୂରେଇଯାଇନ ।ମୋ ଜୀବନର ଅବିଛେଦ୍ୟ ଅଙ୍ଗ ସାଜିଛ।

ସେଥିପାଇଁ ଥ୍ୟାଙ୍କ ୟୁ ସୋ ମଚ ଡାର୍ଲିଂଗ...


ଆଜି ଏ ଭାଲେଣ୍ଟାଇନ ଡେରେ ମୁଁ ତୁମକୁ ସମସ୍ତଙ୍କ ଆଗରେ ନତମସ୍ତକ ହେଇ କ୍ଷମା ମାଗୁଛି ।ଆଇ ଆମ ସରି, ଡାର୍ଲିଂଗ । ଆଜି ଯାଏ ତୁମକୁ ମୁଁ ଯେତେ ଯାହା ଯନ୍ତ୍ରଣା ଦେଇଛି.. ଦୟାକରି ମୋତେ କ୍ଷମା କରିଦେବ । ଆଜି ଭଳି ଦିନରେ ମୁଁ ପ୍ରତିଜ୍ଞା କରୁଛି ମୋ କଥା ତୁମକୁ କହିବା ସଙ୍ଗେ ସଙ୍ଗେ ତୁମ ମନ କଥା ବି ନିଶ୍ଚେ ଜାଣିବାକୁ ଚେଷ୍ଟା କରିବି, ତୁମ ସୁଖ ଦୁଃଖ ଭଲ ମନ୍ଦ ସବୁ ବୁଝିବି । ତୁମର ଯତ୍ନ ନେବା ସହ ତୁମକୁ ଢେରସାରା ଖୁସି ଦେବି ।


ଆଜିର ଏ ବିଶେଷ ଦିନରେ ତୁମେ ହିଁ ମୋ ପ୍ରେମିକା, ମୋର ଅର୍ଦ୍ଧାଙ୍ଗିନୀ, ମୋ ଭାଲେଣ୍ଟାଇନ...ମୋ ଡାର୍ଲିଂଗ.. ମୋ ଡାଏରୀ...।


Rate this content
Log in

Similar oriya story from Romance