Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Satyaranjan Mishra

Drama Inspirational Others

4  

Satyaranjan Mishra

Drama Inspirational Others

ତମ ବୋଉ

ତମ ବୋଉ

5 mins
23.1K


 ଗତ ରବିବାର ଦିନ ସକାଳେ ସରିତା ଦେବୀ ଙ୍କ ହାତ ରୁ ସାପ୍ତାହିକ ସଉଦା ଲିଷ୍ଟ ଟି ନେଇ ଆମୁଳଚୁଳ ପଢ଼ିସାରିଲା ପରେ ଚିହିଁକି ଉଠିଲେ ବିକାଶ ବାବୁ | 

 "ଏସବୁ କଣ ସରିତା ? ମିକଶ୍ଚର, ପାମ୍ପଡ଼, ଆମ୍ବ ଆଚାର, ସେଓଗାଣ୍ଠିଆ ? ଏସବୁ ପରା ଗଲା ସପ୍ତାହ ରେ ଆଣିଥିଲି ? କଣ ଏତେ ଜଲଦି ସରିଗଲା ? ଘରେ ତ ଲୋକ କହିଲେ ଦିଜଣ ମଣିଷ ? କେମିତି ଖାଇଲ କି ତୁମେ ?"

 ବିକାଶ ବାବୁ ଙ୍କ ସ୍ୱର କୁ ଚପେଇଦେଲା ଭଳି କଣ୍ଠ ରେ ଚିତ୍କାର କରି ଉଠିଲେ ସରିତା ଦେବୀ |

 "କେମିତି ଖାଇଲ ମାନେ ? କଣ ମୁଁ ଏକା ଖାଇଦେଲି ?"

ସରିତା ଦେବୀ ଙ୍କ ଚିତ୍କାର ରେ ଦବି ଯାଇ ଅପେକ୍ଷାକୃତ ଧୀର ସ୍ୱର ରେ ଉତ୍ତର ଦେଲେ ବିକାଶ ବାବୁ        

 "ଆଉ କିଏ ଖାଇଲା ?"

 "ତୁମ ବୋଉ, ଆଉ କିଏ ?"

 "ମୋ ବୋଉ ?"

  "ହଁ ହଁ ତୁମ ବୋଉ, ସକାଳୁ ଚା ସହ ଗାଣ୍ଠିଆ, ଖରାବେଳେ ଭାତ ସହ ଆମ୍ବ ଆଚାର ଆଉ ପାମ୍ପଡ଼, ଚାରିଟାବେଳେ ମୁଢି ମିକଶ୍ଚର ଏସବୁ ନହେଲେ ବା ଖାଦ୍ୟ ତଣ୍ଟି ରୁ ତଳକୁ ଗଳୁନି ତୁମ ବୋଉଙ୍କର"

  "ଓହୋ.. ଏମିତି କଣ କହୁଛ.. ବିଚାରି ବୁଢ଼ୀ ଲୋକ... ବୟସ ବଢି ବଢି ପଞ୍ଚାବନ ହେଲାଣି...ଟିକେ ପାଟି ଟାକୁ ଟାକୁ ହେଉଥିବ.. ତେଣୁ ଖାଇଦେଲା ଆଉ.. "

 "ହଁ, କିଏ ମନା କରୁଛି ? ଖାଇଲେ ତ ସେମିତି ଆଣିକି ଦେବ.. ସକାଳୁ ମୋ ଉପରେ କିଆଁ ଗରଗର ହଉଛ ମ ?"

 "ହଉ ହଉ.. ଛାଡ଼ ସେକଥା, ମୁଁ ବଜାର ରୁ ସେସବୁ ନେଇ ଆସିବି...ତାକୁ ଛାଡି ଆଉ କଣ ଆସିବ ନାଁ ଖାଲି ସେତିକି ଆସିବ କୁହ ?"

 "ହଁ ଶୁଣ, ରାହୁଲ କୁ କାଲିଠୁ ଥଣ୍ଡା ଯେ ସେ ଛିଙ୍କିଛିଙ୍କି ବ୍ୟସ୍ତ ହେଇପଡ଼ିଲାଣି... ଆସିଲାବେଳେ ମେଡ଼ିସିନ ଷ୍ଟୋର ରୁ କଣ ଦିପାନେ ଓଷଧ ଆଣିଥିବ ତାପାଇଁ... "

 "କଣ ? ରାହୁଲ କୁ ପୁଣି ଥଣ୍ଡା ? (ଅଳ୍ପ ରାଗିଯାଇ) ତୁମ ଗେଲ୍ହା ରୁ ଆଜିକାଲି ସେ ଏତେ ଦୁଷ୍ଟ ହେଲାଣି ଯେ ଆଉ କାହାରି କଥାବୋଲ ମାନୁନି ? ଏ ବର୍ଷାଦିନେ ପୁଣି ସେ ନିଶ୍ଚୟ ମାଟି ବାଲି କାଦୁଅ ଚକଟି ଖେଳିଥିବ.... "

 "ମଲା ମଲା... ସବୁକଥାରେ କଣ ଆମ ମା ପୁଅଙ୍କ ଦୋଷ ଦେଇଦେଉଛ ?"

 "ଆଉ କାହା ଦୋଷ ଦେବୀ ?"

 "ଏଥିପାଇଁ ବି ଦାୟୀ ତୁମ ବୋଉ, ଆଉ କିଏ ? "

 "ମୋ ବୋଉ ?"

 "ହଁ, ତୁମ ବୋଉ... ନିଜେ ତ ସଂକ୍ରାନ୍ତି ଗୁରୁବାର ପୁନିଅଁ ପରବ ନାଁ ରେ ମାସକୁ କୋଡିଏ ଦିନ ମୁଣ୍ଡ ଧୋଇ ଗାଧେଇ ଥଣ୍ଡା କମେଇବେ.. ତାପରେ ରାହୁଲ ସହ ଖେଳିଲା ବେଳେ ତା ପାଖରେ ଛିଙ୍କିବେ ଯେ ରୋଗ ନ ଥିଲା ଲୋକ କୁ ରୋଗ ଡେଇଁବ "

 "କଣ ? ବୋଉକୁ ବି ଥଣ୍ଡା ?"

 " ହଁ,ତୁମ ବୋଉ ଙ୍କ କୀର୍ତ୍ତି ଖାଲି କଣ ସେତିକି, ଥଣ୍ଡା ଏତେ, ସେଥିରେ ପୁଣି ଦଶଟାବେଳେ ପଖାଳ ଖାଇବା କୁଆଡେ ତାଙ୍କର ପିଲାଦିନ ର ଅଭ୍ୟାସ...ଆରେ ନିଜର ଯଦି ଅଭ୍ୟାସ ନିଜେ ଏକୁଟିଆ ଖାନ୍ତେ ଭଲା ! ରାହୁଲ କୁ ବି ଗୁଣ୍ଡାଏ ଗୁଣ୍ଡାଏ ସବୁଦିନ ଦେଇ ଏମିତି ଅଭ୍ୟାସ କରେଇଦେଇଛନ୍ତି ଯେ, ଆଜିକାଲି ସେ ବି ଦଶଟାବେଳେ ଜିଦି କରୁଛି ପଖାଳ ଖାଇବ ବୋଲି.. ଆଉ ଏ ଦିନେ ଥଣ୍ଡା ହବନି ଆଉ କଣ ହବ କହିଲ ?"

 "ଆରେ, ତୁମେ ବୁଝୁନ କାହିଁକି ସରିତା..ଦିବର୍ଷ ହେଲା ବାପା ଚାଲିଗଲା ପରଠୁ ବୋଉ କେତେ ଏକୁଟିଆ ହେଇଯାଇଛି...ଆମେ ଦିଜଣ କାମରେ ବ୍ୟସ୍ତ ରହୁଥିଲାବେଳେ ଏଇ ଚାରି ବର୍ଷ ର ନାତି ଟୋକା ଟା ହିଁ ତ ତାର ଏକମାତ୍ର ସାଥି.. ତେଣୁ ସେ ଟିକେ ତା ସହ ଖେଳେ କି ସ୍ନେହ ରେ ଟିକେ ଖୁଏଇଦିଏ... ସେଥିରେ କଣ ଅଛି ?"

 "ହଁ ତ ମୁଁ କଣ କହୁଛି କି କିଛି ଅଛି ? ଏବେ ଥଣ୍ଡା ହେଲାଣି ପୁଅ କୁ ଯେତେବେଳେ ଯାଇକି ଓଷଧ ନେଇକି ଆସ ଚୁପଚାପ"

 "ହଉ ହଉ, ମୁଁ ରାହୁଲ ପାଇଁ ଆଉ ବୋଉ ପାଇଁ ଦିଜଣଙ୍କ ପାଇଁ ଓଷଧ ନେଇ ଆସିବି ହେଲା.. ତୁମେ ଆଉ ଏତେ ଜୋର ରେପାଟି କରନି ମୋ କାନ କଣ ହେଇଯାଉଛି.. "

 " ହଁ ମୋରି ପାଟି ଟା ଖାଲି ତୁମ କାନ କଣ କରିଦେଉଛି. ... ସେପଟ ଘରେ ଯୋଉ ତୁମ ବୋଉ ପୁରା ଫୁଲ ଭଲ୍ୟୁମ ମୋଡିକି ଟିଭି ଦେଖୁଛନ୍ତି ସେଇଟା ରେ ଆଉ ତୁମ କାନ କିଛି ହଉନି ? ସକାଳେ ଭଜନ, ରାଶିଫଳ, ଦିନରେ ସମାଚାର, ସନ୍ଧ୍ୟା ରେ ରାମାୟଣ ମହାଭାରତ ନ ଦେଖିଲେ ପା ତାଙ୍କ ଭାତ ହଜମ ହଉନି ! ଗୋଟେ ଘରେ ଅହରହ ଫ୍ୟାନ ଆଉ ଟିଭି ଚଲେଇ ଚଲେଇ ଇଲେକ୍ଟ୍ରିକ ବିଲ ଦିଗୁଣା କରିସାରିଲେଣି ତୁମ ବୋଉ... "

 "ଓହୋ.. ୟେ କଣ ତୁମ ବୋଉ ତୁମ ବୋଉ ଲଗେଇ ରଖିଛ ସକାଳୁ ? ଟିଭି ଦେଖିଲା ତ ଦେଖିଲା... ସେ କଣ ଏକା ମୋ ବୋଉ ? ତୁମ ବୋଉ ନୁହେଁ ?"

 "ଜମା ନୁହେଁ...ମୋ ବୋଉ ହେଇଥିଲେ କେବେ ବି ଏମିତି ଘରେ ବସି ବସି ଅନ୍ନଧ୍ବଂସ କରୁନଥାନ୍ତା "

 "ବାସ, ସରିତା ବାସ... ଆଉ କିଛି ବି କୁହନି... ପ୍ରକୃତ ରେ ମୋ ଭୁଲ.. ତୁମ ସହ ଅଯଥା କଥା ହେବା... "


 ସଉଦା ଚିଠା ଓ ବ୍ୟାଗ ନେଇ ରାଗ ତମତମ ରେ ଚପଲ ମାଡି ଘରୁ ବାହାରିଗଲେ ବିକାଶ ବାବୁ | ସେ ଗଲା ପରେ ମୁହଁଟାକୁ ବିକୃତ ଭାବେ ମୋଡି ଦେଇ ରୋଷେଇ ଘରକୁ ଗଲେ ସରିତା ଦେବୀ |

  

  ବାଟରେ ଚାଲି ଚାଲି ଯିବା ବେଳେ ବିକାଶ ବାବୁ ଙ୍କ କାନ ରେ ପ୍ରତିଧ୍ବନିତ ହେଉଥାଏ କିଛି ସମୟ ପୂର୍ବରୁ, ତାଙ୍କ ସାଧାସିଧା ସରଳ ନିଷ୍କପଟ ବୋଉ ଉପରେ ନଦି ଦିଆଯାଇଥିବା ଦୋଷ ସବୁ କଥା | ମନେମନେ ଭାବୁଥାନ୍ତି ସେ :


 ଇଏ ସେଇ ବୋଉ ନାଁ ? ଯିଏ ଘରେ କଣ ଟିକେ ଭଲ ମନ୍ଦ ରୋଷେଇ ହେଲେ କି ଘରକୁ କିଏ କୁଣିଆ କଣ ଭଲଜିନିଷ ଆଣିଲେ ନିଜେ ନ ଖାଉ ପଛେ ଆଗ କୁହେ... ମୋ ବିକୁନା ଖାଇବ ଥାଉ | ଆଉ ଆଜି ସାଧାରଣ ମିକଶ୍ଚର କି ଗାଣ୍ଠିଆ ଖାଇବା ହେଲା ତାର ଦୋଷ | 

  ଇଏ ସେଇ ବୋଉ ନାଁ ? ଯିଏ ପୁଅକୁ ଥଣ୍ଡା ହେଇଚି ଜାଣିପାରି, ଅଦା ରସ ଠୁ ଆରମ୍ଭ କରି ତୁଳସୀ ପତ୍ର ମହୁ ପର୍ଯ୍ୟନ୍ତ ସବୁ ପ୍ରକାର ଓଷଧ ନିଜେ ନିଜେ ପ୍ରସ୍ତୁତ କରି ଦୁଇଦିନ ଭିତରେ ଥଣ୍ଡା ଭଲ କରିଦିଏ | ଆଉ ଆଜି ସେଇ ବୋଉ କୁ ଏତେ ଦିନ ହେଲା ଥଣ୍ଡା ହେଇଚି, ଅଥଚ ପୁଅକୁ ସେକଥା ଜଣାନାହିଁ | ଯିଏ ତା ପୁଅ ର ମଙ୍ଗଳ ପାଇଁ ଲକ୍ଷେ ଠାକୁରଙ୍କ ଓଷା ମାନସିକ କରୁଥିଲା, ଆଜି ତାର ମୁଣ୍ଡ ଧୋଇ ଗାଧେଇବା ବି ଭୁଲ |


 ଇଏ ସେଇ ବୋଉ ନାଁ ? ଯିଏ ତା ନିଜ ନିଦ କୁ ଭୁଲିଯାଇ, ରାତି ରାତି ଅନିଦ୍ରା ହେଇ ରାମାୟଣ ମହାଭାରତ ର କାହାଣୀ କହି ତା ପୁଅକୁ ଶୁଏଇଦିଏ ? ଆଉ ଆଜି ଟିଭି ରେ ସିରିଏଲ ଟିକେ ଦେଖିବା ବି ତାର ଭୁଲ |


  ଏସବୁ ଭାବିଲାବେଳକୁ ଆଖି ଜଳକୀ ଆସୁଥିଲା ବିକାଶ ବାବୁ ଙ୍କର | ଧୀରେ ଧୀରେ ଅନ୍ୟମନସ୍କ ହେଇଯାଉଥିଲେ ସେ | ରାସ୍ତାରେ ପାଦ ଏପଟ ସେପଟ ପଡୁଥିଲା | ଆଉ ଏତିକିବେଳେ ତାଙ୍କ ଆଡକୁ ମାଡିଆସିଲା ଭାରସାମ୍ୟହୀନ ଏକ ଦ୍ରୁତଗାମୀ ଟ୍ରକ | ବିକାଶ ବାବୁ କିଛି ଭାବିକି କରିବା ଆଗରୁ ଗାଡିଟି ତାଙ୍କୁ ଦେଲା ଏକ ଶକ୍ତ ଧକ୍କା | ଟ୍ରକ ଯନ୍ତ୍ରାଂଶ ର କିଛି ଗୋଟେ ମୁନିଆ ଜିନିଷ ଫୁଟିଗଲା ତାଙ୍କ ତଳି ପେଟ ରେ | ଛିଟିକିଯାଇ ସେ ପଡିଲେ କିଛି ଦୂର ରେ |


  ପାଞ୍ଚଦିନ ହସ୍ପିଟାଲ ବେଡ଼ ରେ ମରଣ ସହ ସଂଗ୍ରାମ କରି ହୋସ କୁ ଫେରିଲେ ବିକାଶ ବାବୁ | ସାମ୍ନା ରେ କାନ୍ଦକାନ୍ଦ ସରିତା ଦେବୀ ପୁଅ ରାହୁଲ କୁ ଧରି ବସିଥାନ୍ତି |ବିକାଶ ବାବୁ ଙ୍କ ହୋସ ଫେରିବା ମାତ୍ରେ ନିଜ କୋହ କୁ ଚାପି ନ ପାରି ସରିତା ଦେବୀ କହି ଉଠିଲେ, 

 " ହେ ପ୍ରଭୁ, ଯାହା ହଉ ତୁମେ ମୋ ଡ଼ାକ ଶୁଣିଲ.. ମୋ ଶଙ୍ଖା ସିନ୍ଦୁର କୁ ମୋ ପାଖକୁ ଭଲରେ ଭଲରେ ପଠେଇଦେଲ.."

  ତାପରେ ବିକାଶ ବାବୁ ଙ୍କୁ ଚାହିଁ ତାଙ୍କ ଉଦ୍ଦେଶ୍ୟ ରେ କାନ୍ଦିକାନ୍ଦି କହିଲେ କି, "ଏଇ, ଜାଣିଛ... ଯେତେବେଳେ ଡାକ୍ତର ବାବୁ କହିଲେ କି ତୁମର ଦୁଇଟିଯାକ କିଡ଼ନୀ ନଷ୍ଟ ହେଇଯାଇଛି, ସଂଗେସଂଗେ କିଡ଼ନୀ ନ ମିଳିଲେ ତୁମର ବଞ୍ଚିବା ଆଶା ନାହିଁ ବୋଲି... ସେତେବେଳେ ସେଇଠି ମୋର ଅଧା ଜୀବନ ଚାଲିଯାଇଥିଲା...ହେଲେ ଦଇବ ଯୋଗ କୁ ବୋଉଙ୍କ କିଡ଼ନୀ ତୁମ କିଡ଼ନୀ ସହ ମିଶିଯିବାରୁ ଆଜି ତୁମେ ପୁଣି ଆମ ମାନଙ୍କ ପାଖକୁ ଫେରି ଆସିଲ "

 ଧୀର ଆଉ ଅସ୍ପଷ୍ଟ ସ୍ୱର ରେ ବିକାଶ ବାବୁ ପଚାରିଲେ, "କାହା ବୋଉ ?"

 ସେଇ କାନ୍ଦ କାନ୍ଦ ଅବସ୍ଥା ରେ ସରିତା ଦେବୀ କହିଲେ, "ତୁମ ବୋଉ ଆଉ କିଏ ?"

  "ମୋ ବୋଉ ?"

  "ହଁ ହଁ ତୁମ ବୋଉ, ଡାକ୍ତର ବାବୁ ଙ୍କ ମୁହଁ ରୁ ତୁମ ବଞ୍ଚିବା ସମ୍ଭାବନା କମ ଶୁଣିକି ସେ ଆଗ କାନ୍ଦିକି ଗଡିଗଲେ.. ଡାକ୍ତର ବାବୁ ଙ୍କୁ କାନ୍ଦି କାନ୍ଦି କହିଲେ କି କିଡ଼ନୀ କଣ ରକ୍ତ ମାଂସ ହାଡ଼ ଚମ ଯାହା ଦରକାର ହଉଚି ମୋଠୁ ନେଇଯାଅ ହେଲେ ମୋ ବିକୁନା କୁ ଭଲ କରିଦିଅ... ତାପରେ ଘରୁ ଯାଇ କୋଉଠି ତାଙ୍କର ସୁନା ଗହଣା ଥିଲା ଆଣି ମୋତେ ଦେଲେ ଆଉ କହିଲେ କି ବୋହୁ ମା ଆକୁ ବିକ୍ରି କରି ମୋ ବିକୁନା ର ହାସପାତାଳ ରେ ଯାହା ଖର୍ଚ୍ଚ ଲାଗିବ କର ବୋଲି... ସେଇ ପଇସା ରେ ହି ତୁମର ଅପରେସନ ହେଲା,ତାଙ୍କ ଦେହ ରୁ ଗୋଟେ କିଡ଼ନୀ ଆସି ତୁମ ଦେହ ରେ ଲାଗିଲା ଆଉ ତୁମେ ସୁସ୍ଥ ହେଲ...ଆଜି ତୁମ ବୋଉ ଏ ହାସପାତାଳ ରେ ତୁମକୁ ପୁଣି ଥରେ ନୂଆ ଜନ୍ମ ଦେଇଛନ୍ତି"

 "ମୋ ବୋଉ ?"

 "ହଁ ହଁ ତୁମ ବୋଉ.... ମୁଁ ଅଭାଗିନୀ ତାଙ୍କୁ ମୋ ବୋଉ ବୋଲି କହିବାର ଅଧିକାର ହରେଇସାରିଛି " ବେଡ଼ ଉପରେ ବିକାଶ ବାବୁ ଙ୍କ ହାତ ଉପରେ ମୁଣ୍ଡ ରଖି ଭେଁ ଭେଁ ହେଇ କାନ୍ଦି ପକେଇଲେ ସରିତା ଦେବୀ |

 ବିକାଶ ବାବୁ ସେମିତି ଧୀର ଆଉ ଅସ୍ପଷ୍ଟ ସ୍ୱର ରେ କହୁଥାନ୍ତି, 


 "ମୋ ବୋଉ..... "

  

  ତାଙ୍କ ଦୁଇ ଆଖିରୁ ଦୁଇ ଧାର ଲୁହ ଗଡିଯାଇ ତକିଆ କୁ ଓଦା କରିବାକୁ ଚେଷ୍ଟା କରୁଥାଏ ଯାହା.... 



Rate this content
Log in

More oriya story from Satyaranjan Mishra

Similar oriya story from Drama