ଚତୁର୍ଥ ଚରଣ
ଚତୁର୍ଥ ଚରଣ
ଦୁଇଟି ବଳଦ ଛିଡ଼ା ହୋଇ ଥିଲେ । ଗୋଟିଏ ହୃଷ୍ଟପୃଷ୍ଟ , ଅନ୍ୟଟି ଦୁର୍ବଳ; ଟୋକା ବଳଦର ନାଁ ବଳିଆ। ଦୁର୍ବଳ ଟିର ନାଁ କାଳିଆ । ରଙ୍ଗ ଅନୁସାରେ ନାଁ ଦେଇଛନ୍ତି ମାଲିକ : ବଳଭଦ୍ର ଗୋରା , ଜଗନ୍ନାଥ ତ୍ରିପଣ୍ଡ କଳା । କାଳିଆ ର ଦେହ ସାରା ଘା ଘାଉଡ। ଆବୁ ତଳ ପିଠି ଘା ରେ ମାଛି ବସୁଛନ୍ତି । ପଞ୍ଜରା ହାଡ଼ ଗଣି ହୋଇ ଯାଉଛି
। ମାଲିକ ତା ଯତ୍ନ ନେଉନି_ ତା ଠାରେ କିଛି ସ୍ବାର୍ଥ ନାହିଁ ବୋଲି ! ହଳ କରି ପାରୁନି ବୋଲି ।
ବଳିଆ ତାକୁ ପଚାରିଲା," କିଛି ଖାଉନୁ ଯେ ; ମରିଯିବୁନୁ ?
"କଣ ଖାଇବି ? ପଚାରିଲା କାଳିଆ" ।
"କାଇଁ ନଡ଼ା ଭିତରେ ଥିବା କଅଁଳ ଘାସ ? ଯାହା ହେଉ ମେଘ ଅସରାଏ ହେଇଗଲା ପରେ ଘାସ କଅଁଳିଲା । ନହେଲେ ଢଙ୍ଗ ଢ଼ଙ୍ଗ ହୋଇ ବୁଲି ବୁଲି ଉପାସ ପେଟରେ ଘରକୁ ଫେରି ଥାନ୍ତେ ।" ପାଜୁ କରୁଥିବା ବଳିଆ କହିଲା ।
" ତୋ କଥା ଅଲଗା । ମାଲିକ ର ତୁ ଗେହ୍ଲା ପୁଅ । ତୋତେ ମାଲିକ ବଳେଇ ବଳେଇ କୁଣ୍ଡା ତୋରାଣି, ବଳି ଥିବା ଅଇଁଠା ଭାତ ଖୁଆଇ ଦେଉ ଥିବ । ତୁ ଦିନକରେ ରେ ଦି'ପା ଜମି ହଳ କରୁଥିବୁ , ନୁହେଁ ? ମୁଁ ବି ଦିନେ ତୋପରି ଖୁସିରେ ଥିଲି .... ହଉ ଛାଡ଼ ସେ କଥା । ନଡ଼ା ଗୁଡା ମୁଁ ପାକୁଳି କରି ପାରୁନି , ଚାଲ ଯିବା । ଲାଙ୍ଗୁଡ ରେ ମଶା ଘଉଡ଼ି ଘଉଡି ହାଲିଆ ହେଇ ଗଲିଣି ମୁଁ । କଥା ବାଆଁରେଇ ସେ କହିଲା,ଘରକୁ ଗଲେ ନିମ ଆଉ ବେଗୁନିଆ ପତ୍ର ଧୂଆଁ ମାଲିକ ତୋ ପାଇଁ ରେଡ଼ି କରି ରଖିଥବ।ଦୁଇ ହାତରେ କୁଣ୍ଡା ତୋରାଣି ପେଜ, କାଠ ଢମାରେ ହନ୍ତାଳି ହନ୍ତାଳି ,"ଖା ରେ ବଳିଆ ଖା"କହୁଥିବ,ଆଉ ତୋ ଦେହରୁ ଟିଙ୍କ ବାହା ର କରିଦେଉଥିବ ।' ବଳିଆ ର ତତ୍ କାଳିନ ସୌଭାଗ୍ୟ ପ୍ରତି ଦୃକ୍ ପାତ କରୁଥିଲା କାଳିଆ
"ତୋ ମାଲିକ କ'ଣ ଧୂଆଁ ଦେଉନଥିବା ? ସଞ୍ଜ ହେଲେ ମଶା ଡାଆଁସ ହୁଅନ୍ତି । ଘର ଭିତରେ ତ ରହିହେବନି ; ପୁଣି ଅପରଛିନିଆ ଗୁହାଳ । ଏଇଟା ତା'ର, ଆମ ପ୍ରତି ସହାନୁଭୂତି ନୁହେଁ "। ନିଛକ ସତ କଥା ବୟାନ କଲା ବଳିଆ।
କାଳିଆ ର ଦୁଇ ଫଙ୍ଗୁଳା ଦାନ୍ତ ଦେଇ ଫସ୍ ଫସ୍ ବାହାରି ଯାଉଥିଲା ହସ । ପରଳ ପଡିଯାଇଥବା ଆଖି ଯୋଡ଼ିକ ମିଟ୍ ମିଟ୍ କରି କହିଲା କାଳିଆ ," ତଥାପି ଅନ୍ୟ ସୁବିଧା ;ପୁଅ ଲାଗି ପୋଇତୀ ପାଏ'। ନେତୀ ଗାଈ ଯୋଗୁଁ ଆମେ ପାଉ।" ମେଘ ଦୁମ୍ ଦୁମ୍ ଆକାଶ ଆଡ଼କୁ ଚାହିଁ ସେ କହିଲା , "ଆଉ କେତେ ଦିନ୍ କି ?"
"ବୁଝି ପାରିଲିନି।" ସଂଶୟ ବିଜଡ଼ିତ ହୋଇ ବଳିଆ ଦୃଷ୍ଟି ନିବଦ୍ଧ କଲା କାଳିଆ ଉପରେ ।
" ମାଲିକ କହୁଛି, ମୋତେ ପଠାଣ କୁ ଶସ୍ତା ରେ ବିକି ଦବ। ପୁଣି ଉଁଚା ଦାମ ରେ ବିଦେଶରେ ବିକ୍ରି ହେବି ମୁଁ । ତା'ପରେ କଂସେଇଖାନା ।ଏଇଟା ହେଉଛି ଆମ ସମସ୍ତଙ୍କ ଭାଗ୍ୟ । ତୋର ମୋର; ଆମପରି ଆହୁରି ଅନେକଙ୍କର ।"
ଘର କୁ ଫେରିବା ବେଳକୁ ଅନ୍ଧାର ଘୋଟି ଯାଇଥିଲା । ମାଲିକ ସୁରିଆ ର ଡାକ ଶୁଣିବି ଶୁଣୁ ନ ଥିଲା ବଳିଆ ।
କାଳିଆ ସୁଦୂର ଅତୀତ ର ଗେଲ ବସରିଆ ର ଦିନ ଗୁଡ଼ିକ ମନେ ପକେଇ କହୁଥିଲା," ମୋ ମା' ମୋତେ କେତେ ଗେଲ କରୁଥିଲା । ଜିଭରେ ଚାଟି ଚାଟି ମୋ ମଇଳା ତକ ସଫା କରୁଥିଲା । ମୁଁ ଚିକଣ ହୋଇ ଯାଉଥିଲି । ମୋ ଲାଳୁଆ ଦେହଟା ଟା ଉପରେ ମଶା ମାଛି ବସିଲେ ମୋର କିଛି ହେଉ ନ ଥିଲା । ସେତେବେଳେ ମୁଁ କେତେ ଛୋଟ ଥିଲି । ଗାଁ ଦାଣ୍ଡ ରେ ଡିଆଁ ମାରୁଥିଲି । ମୋତେ କେହି ଧରିବା ପାଇଁ ମୋ ପଛରେ ଧାଇଁଲେ, ମୋ ମା' ଶିଙ୍ଗ ଉଁଚେଇ ତା' ଆଡ଼କୁ କ୍ଷେପି ଯାଉ ଥିଲା । ମୋ ମା' କୁ ପଠାଣ କୁ ବିକିବା ପାଇଁଁ ହାଟକୁ ନେଉଥିବା ବେଳେ ମୁଁ ବହୁତ କାନ୍ଦିଚି । ଜାଣିଛୁ, ମଣିଷ ଗୁଡା ଖୁବ୍ ସ୍ବାର୍ଥପର। ମା' ପାଞ୍ଚପା ଦି'ସେର ଦୁଧ ଦେଉଥିବା ବେଳେ ତା'ର ବହୁତ ଆଦର ଥିଲା । ବୁଢ଼ୀ ହୋଇଗଲା ପରେ ତାକୁ କେହି ପଚାରିଲେ ନି । ତାପରେ କ'ଣ ହୋଇଥିବ, ଜାଣି ପାରୁଥିବୁ"। ଖର ନିଶ୍ଵାସ ପକେଇ କହିଲା ବଳିଆ ।
"ଏଇ ଗୋଠରେ ଥିବା ଚାରି ଗୋଡିଆ ମାନଙ୍କର ଦୁର୍ଦ୍ଦଶା ସମାନ । ଏଇ ଯୋଉ ତେଲିଆ କଳା ଖାସିଟିକୁ ଦେଖୁଛୁ , ଆସନ୍ତା ମକର କୁ ତା'ର ଡେଟ୍ ଅଛି । ତୃଣଭୁଜି ହୂଅନ୍ତୁ କି ପତ୍ର ଭୋଜି _ ସମସ୍ତଙ୍କର ଭାଗ୍ୟ ଏକାପରି । ମଣିଷ ର ଭୋଗ ଲାଳସା ମେଣ୍ଟାଇବା ପାଇଁ ଆମର ଜନ୍ମ ।"କାଳିଆ ମତ ବ୍ୟକ୍ତ କଲା ।
ଛିପି ଛିପି କିଆ ମେଘ ଅନ୍ଧାର ରେ ଗଛ ଗୁଡ଼ିକ ଭୂତ ପରି ଦିଶୁଥିଲେ । ଡାହାଣୀ ଆଲୁଅ ପରି ମିଞ୍ଜି ମିଞ୍ଜି ହୋଇ ଜଳୁଥିଲା ଡିବିରି ଗୁଡିକ । ଘସି ନିଆଁ , ବଳଦ ର ମୋଟା ଚମଡା ପରି ଚାଳ ଭେଦ କରି , ଧୂଆଁ ଉପର କୁ ଉଠୁଥିଲା । ଶିଆଳ ର ପହରିକିଆ "ହୋକେ ହୋ ", ସମୟ ସୂଚନା ଦେଉଥିଲା
ନରିଆ, ସୁରିଆ କେତେ ବେଳେ ସେମାନଙ୍କ ପାଖରେ ପହଞ୍ଚି ଗଲେଣି ଜଣା ନାହିଁ । ଦୁଇ ଜଣଙ୍କର ଭିନ୍ନ ଭିନ୍ନ ଆଚରଣ । ଧରିଥିବା ପାଞ୍ଚଣ ରେ କାଳିଆ କୁ ନିର୍ଧୁମ୍ ପିଟୁ ପିଟୁ ନରିଆ କହୁଥିଲା, " ତୋ ସାଙ୍ଗରେ ପାରି ହବନି , ଆର ହାଟ ପାଳିକୁ ତତେ ବିକିଦେଵି । ବେକାର ଟାରେ ତତେ ପୋଷି ପାରିବିନି।"
ସୁରିଆ , ବଳିଆ କୁ ଆଉଁସୁ ଆଉଁସୁ କହୁଥିଲା," ଏତେ ଡେରି ପର୍ଯ୍ୟନ୍ତ କୋଉଠି ଥିଲୁ ? ତୋ ଲାଗି ଆମେ ବ୍ୟସ୍ତ ହୋଇ ପଡିଲୁଣି ।"
ବଳିଆ ବୁଝି ପାରୁଥିଲା ନରିଆ ର ତେଲେଇବା ପଛର ଉଦେଶ୍ୟ। ଆଉ କେଇଟା ବର୍ଷ ପରେ , ସେ କାଳିଆ ର ଦୁର୍ଭାଗ୍ୟ ଭୋଗିବ ।
ତାପର ଦିନ ଗୋଠରେ ବଳିଆ, କାଳିଆ କୁ ଦେଖିଲାନି_ ତହିଁ ଆର ଦିନ ବି ; କ୍ରମାଗତ ଭାବରେ ସପ୍ତାହେ । ନରିଆ ପାଳିଥିବା ବୁଢ଼ୀ ମା' ଛେଳି ଗୁନାକୁ ପଚାରିବାରୁ ସେ କହିଲା, " ମୁଁ ବି କାଳିଆ ସାଙ୍ଗରେ ହାଟ କୁ ଯାଇଥିଲି _ ମୁଁ ରହିଗଲି, ସେ ହମିଦ ମିଆଁ ସାଙ୍ଗରେ ଗଲା । ଆର ଥର କୁ ମୁଁ ବି ଯିବି; ମୋ ପୁଅ ନାତି ନାତୁଣୀ ମାନଙ୍କୁ ଛାଡି । ଆମମାନଙ୍କ ମାଂସ ପରା ଖୁବ୍ ସୁଆଦିଆ । ଯାହାହେଉ, ଏମାନଙ୍କ ପାଇଁ ଆମେ ମୋକ୍ଷ ପାଇ ଯାଉଛୁ " ।ଗୁନା ଉଦୁଆଁ ହୋଇଥିବା ବାଡ଼ିରେ ପଶି ପୁହା ପଣସ ପତ୍ର ଚୋବାଉ ଥିବା ବେଳେ କହୁଥିଲା ।
କାଳିଆ ତା'ହେଲେ ଏବେ ଗୋଭକ୍ଷୀ ମାନଙ୍କର ପେଟରେ ଥିବ !
ସେ ଦିନ ସେ କିଛି ଖାଇଲା ନି । ଖାଲି ଶୂନ୍ୟ ଆକାଶ କୁ ଚାହିଁ ରହିଲା । ସନ୍ଧ୍ୟା ରେ ଘରେ ପହଞ୍ଚି ବି ପାଟି କୁ କିଛି ନେଲାନି । କିଛି ଖାଇବାକୁ ମନ ହେଲାନି । ସୁରିଆ ପାଞ୍ଚଣରେ ତାକୁ ମାରିଲା । ତଥାପି ସେ ଉହୁଁକିଲା ନାହିଁ ।
ସେ ଭାବୂଥିଲା ପ୍ରତ୍ୟେକ ପ୍ରାଣୀ ଜୀବନ ରେ ଚତୁର୍ଥ ଚରଣ ଆସିବ । ଏଇ ଶେଷ ସୋପାନ ଟି କାହାର କେମିତି କଟିବ ତାହା ପୂର୍ବ ଜନ୍ମର କର୍ମ ଉପରେ ନିର୍ଭର କରେ ବୋଲି ସେ ଶୁଣିଛି । ଯୋଉ ମଣିଷ ମାନେ ଏହା କହନ୍ତି ସେମାନଙ୍କ କଥା ଆଉ କାମ ଅଲଗା ।
ବଳିଆ ର ବଦ୍ ମିଜାଜ୍ ଲକ୍ଷ୍ୟ କରି ସୁରିଆ ନିଷ୍ପତ୍ତି ନେଲା ୟାକୁ ବିକ୍ରି କରିଦେବ । ଥରକରେ ତାକୁ ପଟେଇ ଦେଲା ସେ । ବହୁତ ଉଚ୍ଚା ଦାମ ରେ ସେ ବିକ୍ରି ହୋଇ ଗଲା ।
ଆଉ ଜଣକ ହାତକୁ ପଘା ଯିବା ପୂର୍ବରୁ ବଳିଆ , ସୁରିଆ କୁ ଚାହିଁ ମନେ ମନେ ମନେ କହୁଥାଏ," ତୁ ଯେତିକି ମୋତେ ମାରିଛୁ, କଲବଲ କରିଛି ତୁ ଆଉ କାଳିଆ ର ମାଲିକଙ୍କ ପରି ଆହୁରି ଅସଂଖ୍ୟ ମିଣିପଙ୍କୁ ମୋର ଅଭିଶାପ ତୁମ ମାନଂକ ଚତୁର୍ଥ ଚରଣରେ ତୁମ ମାନଙ୍କ ପୁଅମାନେ ସେମିତି କକର୍ଛନ କରିବେ , ମାରିବେ, ଘରୁ ତଡ଼ି ଦେବେ _ ଏଇ ପରାଭବ ନିଶ୍ଚୟ ପାଇବ।"
ସୁରିଆ ଟଙ୍କା ଗଣି ଚୋରା ପକେଟ୍ ରେ ରଖୁଥିବା ସମୟରେ, ସୁସୁ ବେଗରେ ପବନ ଓ ବର୍ଷା ମାଡି ଆସି ତା ହାତରେ ଥିବା ଟଙ୍କା, କାଗଜ ଟୁକୁରା ପରି ଉଡେଇ ନେଉଥିଲା । ସେ ବିବ୍ରତ ହୋଇ " ମୋ ଟଙ୍କା ମୋ ଟଙ୍କା', ବୋଲି ବିକଳ ରୋଦନ କରି ସେ ଗୁଡିକ ପଛରେ ଧାଉଁଥିଲା ।
...........+...........
